
ଦିବ୍ୟଦୃଷ୍ଟି ବଳେ ଅଚ୍ୟୁତାନନ୍ଦ ସେ
ଲେଖିଛନ୍ତି ଭାଷା ନିଜ,
ମାଳିକା ବଚନ ମହାପୁରୁଷଙ୍କ
ଗଣନା ଫଳିଲା ଆଜ ।
ଶହ ଶହ ବର୍ଷ ପୁରୁଣା ଭବିଷ୍ୟ
ବାଣୀ ହେଲା ଏବେ ସତ,
ମହାମାରୀ ଘୋଟି ପୋକମାଛି ପରି
ଲୋଟିବେ ହେ ଦାଣ୍ଡେ ଶତ ।
ଉତ୍ତରୁ ବହିବ ହେମାଳ ପବନ
ପାରିବ କେ ତାକୁ ସହି,
ଦୟା ଓ ଧରମ ଲୁଚିବ ସଂସାରୁ
ହିଂସାରେ ବୁଡିବ ମହୀ ।
ଭୈରବ ଡାକିବ ଭୂତାଣୁ ରୂପରେ
ଅଦୃଶ୍ୟ ତାହାର ରୂପ,
ଅଚିହ୍ନା ବ୍ୟାଧି ଯେ ଘୋଟିବ ସଂସାରେ
ଭାରାକ୍ରାନ୍ତ ହେବ ପାପ ।
ବୈଦ ନଜାଣିବେ ନିଦାନ ଓଷୁଅ
ହୋଇଯିବେ ବାଟବଣା,
ତ୍ରାହି ତ୍ରାହି ବୋଲି ରଡିବେ ଜନତା
ଦୂରେଇବେ ଚିହ୍ନା ଜଣା ।
ଆତଙ୍କ ଭୟରେ ରଖିବେ ଦୂରତ୍ବ
ଅସ୍ଥିର ରହିବ ମନ,
ପରିବାର ସହ ଗୃହେ ବନ୍ଦୀ ହେଇ
ରହିବେ ସକଳ ଜନ ।
ବଳଦ ପରାଏ ମୁଖେ ତୁଣ୍ଡି ବାନ୍ଧି
ରହିବାକୁ ହେବେ ବାଧ୍ୟ,
ବିପଦେ ଆପଦେ ନଦେଖିବେ ମୁହଁ
ବନ୍ଧୁ ସ୍ବଜନଙ୍କ ମଧ୍ୟ ।
ଧର୍ମ ଆଖିଠାର ଅଧର୍ମରୁ ଲୋଭ
ଲୋଭରୁ ପାପର ଜନ୍ମ,
ଜିଇଁ ଥାଉ ଥାଉ ଚେତ ସୁଧୀଜନେ
ଭଜୁଥାଅ ହରି ନାମ ,
ଭଜୁଥାଅ ହରି ନାମ ।