Reading Time: 2 minutesପାଠ ପଢ଼ିବାର ଆଗ୍ରହ ଏବଂ ଇଛା ଆଗରେ ହାର ମାନିଛି ବୟସ। ବହୁ ବିଦ୍ୱାନ ଏବଂ ସଫଳତାର ଶୀର୍ଷ ଛୁଇଁଥିବା ଅନେକ ବ୍ୟକ୍ତି ବିଳମ୍ବିତ ବୟସରେ ପାଠ ପଢା ଆରମ୍ଭ କରିଥିଲେ ବୋଲି ଆମେ କେତେ ଉଦାହରଣ ପଢ଼ିଛେ, ଜାଣିଛେ। ତେଣୁ ଯଥାର୍ଥରେ କୁହାଯାଏ ବୟସ ହେଉଛି ଗୋଟିଏ ସଂଖ୍ୟା। ସବୁକିଛି ଆପଣଙ୍କ ନିଷ୍ପତି ଉପରେ ହିଁ ନିର୍ଭର କରେ। ଆଜି ଆମେ ଆମରି ଓଡ଼ିଶାର ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କିଛି ଆଲୋଚନା କରିବା ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପର ନୂଆବଜାର ବସ୍ତିର ବାସିନ୍ଦା ତିଲୋତ୍ତମା ପାତ୍ର। ତାଙ୍କର ବୟସ ୫୩ ବର୍ଷ। ଚଳିତ ବର୍ଷ ସେ ହାଇସ୍କୁଲ ପରୀକ୍ଷା ଦେଉଛନ୍ତି। ସେ ଆଜି ସମସ୍ତ ନାରୀ ମାନଙ୍କ ନିମନ୍ତେ ଜଣେ ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେ ତାଙ୍କର ଅଧୁରା ସ୍ବପ୍ନକୁ ସାକାର କରିବା ନିମନ୍ତେ ପୁଣି ଅଂଟା ଭିଡ଼ିଛନ୍ତି ଏବଂ ପଣ କରିଛନ୍ତି। ସେ କୁହନ୍ତି ଯେ, ସେ ମାତ୍ର ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଘରର ଆର୍ଥିକ ସମସ୍ୟା ଯୋଗୁଁ ଏହା ପରେ ଆଗକୁ ପାଠ ପଢ଼ି ପାରିନଥିଲେ। ସେତିକିରେ ତାଙ୍କର ପାଠ ପଢାରେ ଡୋରି ବନ୍ଧା ହେଲା। ତାଙ୍କ ପଢ଼ିବାର ଇଛା ସେଇଠାରେ ଅଟକି ରହିଲା। ଜୀବନ ଜଞ୍ଜାଳର ବ୍ୟସ୍ତତା ଭିତରେ ସେ ଆଉ ପୁଣି ଥରେ ପଢିବା ଆରମ୍ଭ କରିବାର ସୁଯୋଗ ପାଇଲେ ନାହିଁ।୧୯୯୨ ମସିହାରେ ପାରାଦ୍ବୀପ ପୋର୍ଟ ନିଗମର ସ୍ଵାକ୍ଷରତା କାର୍ଯ୍ୟକ୍ରମରେ ସେ ପୁଣି ନାମ ଲେଖାଇଲେ। ଏଇମିତି ଭାବରେ ବହୁତ ବାଧା ବିଘ୍ନ ଭିତରେ ସେ ନିଜର ଇଛାକୁ ଅଣଦେଖା କରି ନାହାଁନ୍ତି। ସେ ଅଞ୍ଚଳର ତିଳୋତ୍ତମା ଜଣେ ଆଶା କର୍ମୀ ଭାବରେ କାର୍ଯ୍ୟ କରନ୍ତି। ତିଳୋତ୍ତମା ନିଜର ସ୍ୱପ୍ନକୁ ସାକାର କରିବାକୁ ଅଣ୍ଟା ଭିଡ଼ିଛନ୍ତି।ଏହା ସହିତ କବିତା ଲେଖାଲେଖିରେ ରୁଚି ରହିଛି ବୋଲି ପ୍ରକାଶ କରନ୍ତି ତିଳୋତ୍ତମା।

“ନାରୀ ହେଲେ ପାଠୋଈ, ଦେଶ ଯିବ ଆଗେଇ”। ଏହି ଆପ୍ତବାକ୍ୟଟି ଯଥାର୍ଥରେ ଆଜି ତାଙ୍କରି ଲାଗି ପ୍ରଯୁଜ୍ୟ। ତାଙ୍କ ପରିବାରରେ ଚାରି ଭାଇଭଉଣୀଙ୍କ ମଧ୍ୟରୁ କେହି ମଧ୍ୟ ମାଟ୍ରିକ ପାସ କରିନାହାଁନ୍ତି। ତିଲୋତ୍ତମା ଉତୀର୍ଣ୍ଣ ହେବା ପରେ ସେ ହିଁ ହେବେ ପରିବାରର ପ୍ରଥମ ମାଟ୍ରିକ ପାସ କରିଥିବା ବ୍ୟକ୍ତି। ତାଙ୍କର ଏହି ଉଦ୍ୟମରେ ସଫଳ ହେବା ପାଇଁ ପରିବାରବର୍ଗ ଏବଂ ତାଙ୍କର ବନ୍ଧୁମାନେ ତାଙ୍କର ସଫଳତା କାମନା କରିଛନ୍ତି। ଆମପାଇଁ ସେ ହିଁ ହେବେ ଜଣେ ଆଦର୍ଶ ଆଉ ଉଦାହରଣ। ତିଳୋତ୍ତମା କୁହନ୍ତି ଯେ, ତାଙ୍କର ପିଲାମାନେ ମଧ୍ୟ ତାଙ୍କୁ ଦେଖି ପ୍ରେରଣା ଲାଭ କରିବେ। ନିଜେ ଜଣେ ଆଶା କର୍ମୀ ଭାବରେ ତାଙ୍କର ବସ୍ତିର କାର୍ଯ୍ୟଗୁଡ଼ିକରେ ସେ ସକ୍ରିୟ ଅଂଶ ଗ୍ରହଣ କରନ୍ତି। ହାଇସ୍କୁଲ ପରୀକ୍ଷାରେ କୃତକାର୍ଯ୍ୟ ହେବା ନିମନ୍ତେ ତାଙ୍କର ପ୍ରବଳ ପ୍ରଚେଷ୍ଟା ଜାରି ରହିଛି।
