ଫୁଲେଇ ପ୍ରେମିକା - Utkal Odisha

ଫୁଲେଇ ପ୍ରେମିକା

depositphotos 232137808 stock video young spoiled woman demanding golden
Reading Time: 3 minutes

ରବିବାରର କୋହଲା ଶୀତୁଆ ସକାଳଟି ଅଳସ ଭାଙ୍ଗୁଥିଲା । ଛୁଟି ଦିନ । ଓଃ କି ଶୀତ ! କମଳ ତଳର ଉଷୁମ ବେଶ୍ ଆରାମ ଲାଗୁଥିଲା । ବିଶେଷ କରି ପାହାନ୍ତିଆ ପହର ଭୋର୍ ନିଦରେ କିଛି ଅଲଗା ଚାର୍ମ ଥାଏ । ବୋଉ ଡାକୁଥିଲା—ଏ ଥିଟା ଉଠ । ଯା ରବିବାର ଟା ଦିଇଟା ବଡ ଜଗର ଆଣିବୁ,ସୋରିଷ ଦେଇ ଝୋଳ କରିବା । ଆନ୍ଧ୍ରା ରୋହି ଭାକୁରରେ ପୋକ ବାହାରିଲା ଦିନୁ ବୋଉ କି ବାପା ସେ ମାଛ ଖାଇବା ନାଁ ଧରନ୍ତି ନାହିଁ । ଘରକୁ କେବଳ ଆସେ ତଟକା ଜଗର,ଦେଶୀ ମିରକାଳି ବା ପୋହଳା ।

ବୋଉ ଯେତେ ଡାକିଲେ ବି ମୁଁ ଜମା ଉଠୁ ନଥିଲି । ସପ୍ତାହରେ ଗୋଟିଏ ବୋଲି ରବିବାର ଟିକେ ଶୋଇବାକୁ ଦେଉନି ! ବୋଉ କହୁଥିଲା ଆରେ ଶୀଘ୍ର ନ ଗଲେ ଭଲ ଜିନିଷ ମିଳିବ ନାହିଁ ବା । ମଢ ଘେରିଲା ପରି ଆଜିକାଲି ଲୋକେ ହେଉଛନ୍ତି । ଯାହା ବଜାରରେ ପଡ଼ିଲା ଟକ୍ କିନା ନେଇଯିବେ । ଅଧ ଘଣ୍ଟା ଭିତରେ ସବୁଶେଷ । କାହିଁକି ନା ଖାଇଲା ବାଲା ଅଧିକ ଏବେ କଲା ଵାଲା କମ୍ ।

ବଜାରରେ ଜିନିଷଟିଏ ପଡିଥିବା ଦେଖି ଯାଇଥିବ ଆଉ ଗୋଟେ ଦୋକାନରୁ କିଛି ଜରୁରୀ ଜିନିଷ ଆଣି ଆସିଲା ବେଳୁ ଆଉ ନଥିବ । ଏଣୁ ସକାଳୁ ସକାଳୁ ଗଲେ ସେଇ ମୋଟା ଚାକୁଣ୍ଡା ଗଛ ତଳେ ଜଣେ ମଉସା ବନ୍ଦରେଇ ଜେଠିରୁ ତଟକା ତଟକା ଜଗର ଆଣି ବସନ୍ତି । ବୟସ୍କ ମଉସା ଭାରି ଭଲ ଲୋକ ସହ ମାଛ ବି ସତେଜ । ଏଣୁ ଲୋକେ ଟାକି କି ବସିଥିବେ । ମଉସା ଆସିଲେ ବେଢ଼ି ଯିବେ ଶବକୁ ଶାଗୁଣା ଘେରିଲା ପରି ।

ଏଣୁ ସପ୍ତାହରେ ଥରେ ମାଛ ଯଦି ଘରକୁ ଆସିବ ତ ସେଇ ମଉସାଙ୍କ ଠାରୁ ନଚେତ ନାହିଁ । ବୋଉ ବାରମ୍ବାର ଡାକୁଥିଲା—-ଥିଟା ଉଠ । ମୁଁ କିନ୍ତୁ ଉଷୁମ କମଳ ତଳୁ ଆଉ କାର ଉଷ୍ମତା ଚାହୁଁଥିଲି । ତାକୁ ପାଇ ଆହୁରି ଟିକେ ଗରମ ହେବାକୁ ମନ ଚାହୁଁଥିଲା ।

ମୁହଁ ଘୋଡ଼ି ହୋଇ ଶୋଇଥିଲେ ବି ତାକୁ ନ ଦେଖି ସେ ଆସିଗଲା ବୋଲି ବୁଝିଗଲି । ତା ଦେହର ବାସ୍ନା ମୋତେ ଆନମନା କରିଦେଲେ । ଠିକ୍ ବୁଝି ଗଲି ସେ କିଏ । ତାକୁ ଟିକେ ସ୍ପର୍ଶ କରିବାକୁ,ହାତରେ ଥରିବାକୁ ବ୍ୟାକୁଳ ହୋଇ ଉଠିଲି । ସତରେ ତାର ନିଆରା ଗୋଟେ ବାସ୍ନା !

ତା ପ୍ରତି ମୋର ଅହେତୁକ ଦୁର୍ବଳତା । ମୋ ଆଖ ପାଖରେ ଯେଉଁଠି ଥିଲେ ବି କୁକୁରଙ୍କ ପରି ଶୁଂଘି କହିଦେବି ତାର ଉପସ୍ଥିତି । ଇସ୍ ତା ପ୍ରତି ମୋର କି ଦୁର୍ବାର ଆକର୍ଷଣ ! ତାକୁ ଟିକେ ଓଠରେ ଛୁଇଁ ବାକୁ ଏ କୋହଲା ପୁଣି ଶୀତୁଆ ପାଗରେ ଅତି ମାତ୍ରାରେ ବ୍ୟଗ୍ର ହୋଇଗଲି । କମଳ ଉଷ୍ମତା ଅପେକ୍ଷା ତା ଦେହର ତାତି ମୋତେ ବେଶୀ ଡାକିଲା । ଆଉ ସମ୍ଭାଳି ପାରିଲି ନାହିଁ ।

ହାତ ଖାଲି କସ୍ ମସ୍ ହେଲା ତାକୁ ଆସ୍ତେ ଧରିବାକୁ । ଓଠ ସଙ୍କୁଚିତ ପ୍ରସାରିତ ହୋଇ ଅଥୟ ହେଉଥିଲେ ତାକୁ ଛୁଇଁବାକୁ । ଟିକେ ଦର୍ପଣ ଆଗେ ଠିଆ ହୋଇ ମୁହଁ ଚଟ୍ କିନା ଧୋଇ ଦେଇ ଫ୍ରେସ୍ ହୋଇ ଗଲି ।

ବାସ୍ ! ଏବେ ସେ ମୋ ଆଗରେ ମୋ ଶୋଷ ବଢା ଉଥିଲା ଆଖି ମିଠିକା ମାରି । ମୁଁ ଅଧୈର୍ଯ୍ୟ । ମୋ ଆଗରେ ସେ ବସିଥିଲା । ଗୋଟିଏ ଲାଜୁଆ ଫୁଲେଇ ପ୍ରେମିକା ପରି ମୁଚୁକୁନ୍ଦିଆ ହସ ହସି । ତା ରଂଗଟା ବି ସେମିତି ଲୋଭନୀୟ । ବହୁତ ଲୋକଙ୍କୁ ଟାଣେ ଅକ୍ଲେଶେ ନିଜ ଆଡ଼କୁ । ମୁଁ ତ ଏବେ ଏବେ ତା ପ୍ରେମରେ ପଡିଛି । ନୂଆ ନୂଆ ପ୍ରେମ,ଅପେକ୍ଷା ଅତି ଯନ୍ତ୍ରଣା ଦାୟକ । ମୁଁ ଗରମ ହୋଇ ତାକୁ ଛୁଇଁବାକୁ ଗଲା ବେଳକୁ ସେ ଆସ୍ତେ ଆସ୍ତେ ଥଣ୍ଡା ହୋଇଯାଉଥିଲା ।

ଆଗେ ବୋଉ ତାଗିଦା କରୁଥିଲା—–ଛୁଆଟା ଏ ସବୁ କଣ??ଏବେ କିନ୍ତୁ ଚାକିରୀ କଲାପରେ ବୋଉ ଆଉ ଏ ବାବଦରେ ମୁହଁ ଖୋଲେନି । କୁହେ ହଁ ବଡ଼ ହୋଇଗଲାଣି,ମୁଣ୍ଡକୁ ହାତ ପାଇଲାଣି । ବାରଣ କଲେ ସେ କଣ ଆଉ ମାନିବ । ତା ଇଚ୍ଛା ଯାହା କରୁଛି କରୁ । ବୋଉଠାରୁ ଗ୍ରୀନ୍ ସିଗ୍ନାଲ ପାଇଲା ପରେ ମୁଁ ପୁରା ତା ପ୍ରେମରେ ।

ତାକୁ ନିର୍ଦ୍ଦିଷ୍ଟ ସମୟରେ ମନ ପାଗଳ ପରି ଖୋଜେ । ନ ମିଳିଲେ କିଛି ଭଲ ଲାଗେ ନାହିଁ । ବିଲେଇ ପରି ଛକ ପକ ହୁଏ । ତା ସଙ୍ଗେ କେମିତି ଗୋଟେ ଭାଵ ଲାଗିଯାଇଛି । ତାକୁ ଛାଡିବା ମୁସ୍କିଲ ଲାଗୁଛି ସତେ କି ।

ତା ବାସ୍ନାରେ ମହକି ଯାଉଛି ଘର । ମୋ ନାକ ପୁଡା ବି ଶୋଷି ନେଲା ତା ମହକ ଟି । ସେ ମୋତେ ଆମନ୍ତ୍ରଣ କରୁଥିଲା ମୁକ ଭାଷାରେ । ସତେ କି ଡାକୁଥିଲା ଆସ,ମୋତେ ଛୁଅଁ,ନିଜର କର । ଆରେ ଡେରି କଲେ ମୁଁ ଥଣ୍ଡା ପଡିଯିବି ତୁମେ ମଜା ନେଇ ପାରିବ ନାହିଁ । ଆସ ଆସ ସେ ଡାକୁଥିଲା ତା ଦେହର ବାସ୍ନା ଖେଳାଇ ଦେଇ ।

ମୁଁ ପ୍ରବଳ ମାତ୍ରାରେ ଅଧୀର ତା ପାଇଁ । ମୁଁ ଯେତେ ଯେତେ ଗରମ ହୋଇଯାଉଥାଏ ସେ ସେତେ ସେତେ ଥଣ୍ଡା ହୋଇଯାଉଥାଏ । ତା ଆଗରେ ସିଧା ହୋଇ ବସିଲି । ଦୁଇ ପାପୁଲିକୁ ଟିକେ ଘଷି ଦେଲି ଭଲ ଭାବେ । ତାକୁ ଧୀରେ କି ଉଠେଇଲି । ଆସ୍ତେ ଆଣି ମୋ ଓଠର ଛୁଆଁ ଦେଲି । ଆଃ କି ତୃପ୍ତି ! ଏମିତି ପାଗରେ ତୋତେ ମୁଁ ଚାହୁଁଥିଲି ଲୋ———ଫୁଲେଇ । ତୁ କି କିମିଆଁ କରିଛୁ କେଜାଣି ତୋ ଭାବରୁ ମୁକୁଳି ପାରୁନି । ଦିନକୁ ଅନ୍ତତଃ ତୋତେ ଦୁଇ ଥର ପାଖରେ ପାଇବାକୁ ଅଥୟ ହେଉଛି । ତୋ ଦେଖା ନ ହେଲେ, କେଉଁଠି ମନ ଲାଗେନା । ଓଲେଇ ବିଲେଇ ପରି ହୁଏ ।

ତୋର ମୋର ଅଗାଧ ପ୍ରେମ । ସତ କହିବୁ ! ମୁଁ ତୋତେ ଯେମିତି ଆତୁରେ ଖୋଜେ ତୁ କଣ ମୋତେ ସେମିତି ଖୋଜୁ । ତୋର ତ କେତେ ଗରାଖ,କେତେ ପ୍ରେମିକ । ମୋର ସିନା ତୁ ଏକା । ତୋ ଛଡ଼ା ଆଉ କେଉଁ ନିଶାର ବଶବର୍ତ୍ତୀ ହୋଇନି ମୁଁ । ବୁଝିଲୁ ଫୁଲେଇ ତୋତେ ପାଖରେ ପାଇବାକୁ ଟିକେ ଡେରି ହେଲେ ମୋ ଆକୁଳ ଭାଵ ବଢିଯାଏ ପରା ! ମୁଁ ପାଗଳ ହୋଇଯାଏ ।

ମୋ ସୁନା ବୋଉ ଟା । ମୋ ମନ ଓ ମୁହଁ ପା ପଢିପାରେ ସେ । ସେ ଜାଣେ ତା ପୁଅର ଏ କୋହଲା ଶୀତୁଆ ପାଗରେ କଣ ଦରକାର । ନ ଲେ ମୁଁ ଉଠିବି ନା ଜଗର ଆସି ଝୋଳ ହେବ?? ଏଣୁ ମୋ ଫୁଲେଇ ପ୍ରେମିକାକୁ ଆଣି ମୋ ରୁମରେ ଛାଡ଼ିଦେଇଗଲା ।

ଆରେ ହାଁ କରି କଣ ଭାବୁଛନ୍ତି ମ । ସେ ପା ମୋ କୋହଲା ଶୀତୁଆ ସକାଳର ଗରମ ଗରମ କପେ ଚା————-

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x