ଆଜିର ସାକ୍ଷାତକାରରେ ଆସନ୍ତୁ ଜାଣିବା କିଛି କଥା ସ୍ଵର୍ଗୀୟା ରାଜମାତା ମହାରାଣୀ ଗାୟତ୍ରୀ ଦେବୀଙ୍କ ବିଷୟରେ। ଯାହାଙ୍କର ନାମ ହିଁ ଥିଲା ସୌନ୍ଦର୍ଯ୍ୟର ପ୍ରତିଶବ୍ଦ। ନିଜର ସୌନ୍ଦର୍ଯ୍ୟ ପାଇଁ ଭାରତ ତଥା ଭାରତ ବାହାରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଏହି ମହାରାଣୀ ଯଦିଓ ଆଜି ପରଲୋକ ଗମନ କରିଛନ୍ତି ତାଙ୍କ ସହିତ ଏକ ବିଶେଷ ସାକ୍ଷାତକାରକୁ ଆପଣଙ୍କ ପାଇଁ ଆଜି ଉପସ୍ଥାପନ କରୁଛୁ।
ପ୍ରଶ୍ନ- ଆପଣ ନିଜ ଆଖିରେ ସ୍ୱାଧୀନତା ପୂର୍ବର ଭାରତ ଦେଖିଛନ୍ତି। ଏବେ ସ୍ୱାଧୀନତା ପରବର୍ତୀ ସମୟର ଭାରତକୁ ଦେଖୁଛନ୍ତି। ଆପଣ ଆଶା କରିଥିଲେ କି ଭବିଷ୍ୟତରେ ଏମିତି ପରିବର୍ତ୍ତନ ଆସିବ ?
ମହାରାଣୀ ଗାୟତ୍ରୀ ଦେବୀ- ହଁ, ମୁଁ ଆଶାକରିଥିଲି ସ୍ୱାଧୀନ ଭାରତରେ ପରିବର୍ତନ ଆସିବ ବୋଲି, କିନ୍ତୁ ଏମିତିକା ପରିବର୍ତ୍ତନ ଆସିବ ବୋଲି ଆଶା କରିନଥିଲି।
ପ୍ରଶ୍ନ- ଆପଣ ବର୍ତ୍ତମାନର ଭାରତକୁ କିପରି ଦେଖନ୍ତି ?
ମହାରାଣୀ ଗାୟତ୍ରୀ ଦେବୀ- ମୁଁ ବର୍ତ୍ତମାନର ଭାରତକୁ ପସନ୍ଦ କରେ ନାହିଁ। ଭାରତୀୟ ଜୀବନରେ ରହିଆସିଥିବା ବହୁତ ସୁନ୍ଦର ସୁନ୍ଦର ପରମ୍ପରାକୁ ଆଜି ଆଉ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି। ଆଜିର ରାଜନେତାମାନେ ଦେଶର ସେବା ପରିବର୍ତେ ନିଜର ସେବାରେ ମଜ୍ଜି ରହୁଛନ୍ତି। ଏଇ ଗୋଟିଏ ବିରାଟ ପରିବର୍ତ୍ତନ। ରାଜଶାସନରେ ରାଜା ଏବଂ ପ୍ରଜାଙ୍କର ସମ୍ପର୍କ ଗୋଟିଏ ପରିବାରର ସମ୍ପର୍କ ଭଳି ଥିଲା।
ପ୍ରଶ୍ନ- ମୂଲ୍ୟବୋଧ ବ୍ୟବସ୍ଥାରେ ଆପଣ କିଛି ପରିବର୍ତ୍ତନ ଦେଖିଛନ୍ତି କି ?
ମହାରାଣୀ ଗାୟତ୍ରୀ ଦେବୀ- ବିରାଟ ପରିବର୍ତ୍ତନ ଦେଖିଛି। ସମାଜରେ ମୂଲ୍ୟବୋଧ ବୋଲି କିଛି ଜିନିଷ ନଥିଲା ଭଳି ଲାଗୁଛି। ଜନସାଧାରଣଙ୍କ ଜୀବନରେ ମୂଲ୍ୟବୋଧ କିଛି ନାହିଁ। ଆତ୍ମାସ୍ୱାର୍ଥର ନିଶାରେ ସବୁ କିଛି ଚାଲିଛି।
ପ୍ରଶ୍ନ- ଏମିତି କାହିଁକି ଘଟୁଛି ବୋଲି ଆପଣ ଭାବନ୍ତି ?
ମହାରାଣୀ ଗାୟତ୍ରୀ ଦେବୀ- ମୁଁ ଜାଣେନାହିଁ। ଦେଶରେ ଏପରି ଘଟିଚାଲିଛି। ଏବେ ତ ପଇସା ହିଁ କ୍ଷମତା ହୋଇଛି।
ସମସ୍ତେ ପଇସା ପଛରେ। ସମାଜରେ ବହୁତ ଦୁଃଖକଷ୍ଟରେ ଗରିବ ଲୋକମାନେ ଜୀବନଯାପନ କରୁଛନ୍ତି। ବାସ୍ତବରେ ସେମାନଙ୍କ କଥା ଭାବିବାକୁ କେହି ନାହିଁ। ମୁଁ କହୁନି ଯେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇପାରିବ। କିନ୍ତୁ ସମାଜର ଗରିବ ଜନସାଧାରଣଙ୍କ ନିମନ୍ତେ କିଛି ତ କରାଯିବା ଉଚିତ।
ପ୍ରଶ୍ନ- ଆପଣ ମନେ ରଖିଥିବା କିଛି ସ୍ମରଣୀୟ ଘଟଣା ବିଷୟରେ କହିବେ କି ?
ମହାରାଣୀ ଗାୟତ୍ରୀ ଦେବୀ- ମୋର ଜନ୍ମସ୍ଥାନ ପଶ୍ଚିମବଙ୍ଗର କୁଚବିହାର ରାଜପରିବାରରେ। ମୋର ମନେଅଛି ସେ ସମୟରେ ବଙ୍ଗଳାରେ ଦୁର୍ଭିକ୍ଷ ପଡ଼ିଥିଲା। ଏହା ଦ୍ୱାରା ବଙ୍ଗଳା ବହୁତ ପ୍ରଭାବିତ ହୋଇଥିଲା। କିନ୍ତୁ ତତ୍କାଳୀନ ଶାସକ, ମୋର ପିତା ନିଜର ମନ୍ତ୍ରୀପରିଷଦ ସହିତ ଆଲୋଚନା କରି ଏହାର ସଫଳ ସମାଧାନ କରିଥିଲେ। ଯାହାଦ୍ୱାରା କୂଚବିହାରରୁ ଗୋଟିଏ ବି ଶସ୍ୟ ବାହାରକୁ ରପ୍ତାନି କରାଯାଇନଥିଲା। କୁଚବିହାରକୁ ଛାଡ଼ି ବଙ୍ଗଳାର ଅନ୍ୟ ଅଞ୍ଚଳରେ ଦୁର୍ଭିକ୍ଷର ପ୍ରଭାବ ପଡ଼ିଥିଲା।
ପ୍ରଶ୍ନ-ଆପଣଙ୍କର ବନ୍ଧୁମାନେ ଆପଣଙ୍କୁ ‘ଆୟେସା’ ବୋଲି ଡାକନ୍ତି।
ମହାରାଣୀ ଗାୟତ୍ରୀ ଦେବୀ-ହଁ
ପ୍ରଶ୍ନ- ଜଣେ ହିନ୍ଦୁ ରାଜକୁମାରୀଙ୍କର ଏମିତି ନାମ କେମିତି ରହିଲା ?
ମହାରାଣୀ ଗାୟତ୍ରୀ ଦେବୀ- ମୋର ମା ଜଣେ ବିଶିଷ୍ଟ ଔପନାସିକଙ୍କର ପୁସ୍ତକ ପଠନ କରୁଥିଲେ ଏବଂ ଏହି ପୁସ୍ତକ ଦ୍ୱାରା ପ୍ରଭାବିତ ହୋଇ ମନସ୍ଥ କରିଥିଲେ ଯେ, ଯଦି ତାଙ୍କର ଝିଅଟିଏ ହେବ ତେବେ ତାହାର ନାମ ‘ଆୟେସା’ ରଖିବେ ବୋଲି। ‘ଆୟେସା’ ନାମଟି ମୁସଲିମ ନାମ ଟିଏ। କିନ୍ତୁ ମୋର ଜନ୍ମପତ୍ରୀରେ ମୋର ନାମ ଗାୟତ୍ରୀ ରଖାଗଲା।
ପ୍ରଶ୍ନ-ଆପଣ ବହୁତ ସକ୍ରିୟ ଏବଂ ସ୍ୱାଧୀନଚେତା ମହିଳା ଥିଲେ। ରାଜସ୍ଥାନରେ ଆପଣ ପ୍ରଥମ ମହିଳା ବିଦ୍ୟାଳୟ ପ୍ରତିଷ୍ଠା କରିଲେ। ଏ ବିଷୟରେ ଆପଣ କଣ କହିବେ ?
ମହାରାଣୀ ଗାୟତ୍ରୀ ଦେବୀ- ମୋର ବୟସ ସେତେବେଳେ ୨୨ ବର୍ଷ ହୋଇଥାଏ। ମୋର ସ୍ୱାମୀ ପରଦା ପ୍ରଥା ଉଠେଇଦେବାକୁ କିଛି କରିବା ନିମନ୍ତେ ଚାହୁଁଥିଲେ। ମୁଁ ତାଙ୍କୁ ପରାମର୍ଶ ଦେଇ କହିଲି ଯେ, ମୋତେ ୧୦ ବର୍ଷ ସମୟ ଦିଅନ୍ତୁ। ମୁଁ ପରିବର୍ତନ ଆଣିପାରିବି।ଏହା ପରେ ଆରମ୍ଭ ହେଲା ମହାରାଣୀ ଗାୟତ୍ରୀଦେବୀ ସ୍କୁଲ। ଏହି ଶିକ୍ଷାନୁଷ୍ଠାନୄରୁ ଶିକ୍ଷା ଗ୍ରହଣକରି ରାଜପୁତ ବାଳିକାମାନେ ଆଜି ଦେଶ ବିଦେଶରେ ନାଁ କରିଲେଣି।
ପ୍ରଶ୍ନ- ଆପଣଙ୍କର ସ୍ୱାମୀ ଆପଣଙ୍କୁ କିପରି ସହାୟତା କରିଥାନ୍ତି ?
ମହାରାଣୀ ଗାୟତ୍ରୀ ଦେବୀ- ମୋର ସ୍ୱାମୀ ମୋତେ ବହୁତ ସାହାଯ୍ୟ କରନ୍ତି। ମୁଁ ମଧ୍ୟ ତାଙ୍କ ଉପରେ ବହୁତ ନିର୍ଭର କରେ। ମୁଁ ଆଜି ଯାହା ହୋଇପାରିଛି ତାହା କେବଳ ତାଙ୍କରି ଯୋଗୁଁ। ମୋର ମା ମଧ୍ୟ ବହୁତବାର କହିଛନ୍ତି ଯେ, ତୁମେ ଏ ଭଳି ଜଣେ ସ୍ୱାମୀ ପାଇ ବହୁତ ଭାଗ୍ୟବତୀ ଅଟ, ଯିଏ କି ତୁମକୁ ବହୁତ ସାହାଯ୍ୟ କରୁଛନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ତୁମକୁ ପ୍ରେରଣା ଯୋଗାଉଛନ୍ତି।
ପ୍ରଶ୍ନ- ଆପଣଙ୍କର ଜୀବନ ଦର୍ଶନ କଣ ?
ମହାରାଣୀ ଗାୟତ୍ରୀ ଦେବୀ- ଆମ୍ଭେମାନେ ସମସ୍ତେ ଜନ୍ମ ହୋଇଛେ ଏବଂ ଦିନେ ନିଶ୍ଚିତ ଏ ପୃଥିବୀ ପୃଷ୍ଠରୁ ବିଦାୟ ନେବା। ତେବେ ଆମେ କାହିଁକି ଟିକେ ଭଲ କାମ ନକରିବା, ଯାହା ଦ୍ୱାରା ସମାଜର ମଙ୍ଗଳ ସାଧିତ ହୋଇପାରିବ।