କ୍ରୀଡ଼ା ଜଗତରେ ଦ୍ରୁତ ଧାବକ ଭାବରେ ନିଜର ସ୍ଥିତି ଜାହିର କରିଆସୁଥିବା ଉସେନ ବୋଲ୍ଟଙ୍କୁ ବାଜିମାତ କରିଦେବା ଭଳି ପ୍ରତିଭା ଆମର ଭାରତରେ ଅଭାବ ନାହିଁ, ଏହାର ପ୍ରମାଣ ହେଉଛନ୍ତି ଶ୍ରୀନିବାସ ଗୌଡ଼ା। ୨୮ ବର୍ଷ ବୟସ୍କ ଶ୍ରୀନିବାସ ଗୌଡ଼ା କର୍ଣ୍ଣାଟକ ରାଜ୍ୟର ଜଣେ ପାରମ୍ପରିକ କାମ୍ବଲା (ମଇଁଷି ଦୌଡ଼) ଧାବକ ଭାବରେ ଜଣାଶୁଣା। ସେ ଦକ୍ଷିଣ କର୍ଣ୍ଣାଟକର ମୋଡାବିଦିରିର ବାସିନ୍ଦା ଅଟନ୍ତି। ମଇଁଷି ଦୌଡ଼ରେ ନିଜର ବଳିଷ୍ଠ ପ୍ରତିଭା ପ୍ରଦର୍ଶନ କରି ସେ ଆଜି ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଛନ୍ତି। ହିସାବରୁ ଜଣାପଡିଛି ଯେ ସେ ଦ୍ରୁତ ଧାବକ ଉସେନ୍ ବୋଲ୍ଟଙ୍କର ରେକର୍ଡ ଠାରୁ ଆଗରେ ରହୁଛନ୍ତି। ହିସାବ ଅନୁସାରେ ଶ୍ରୀନିବାସ ଗୌଡ଼ା ୧୦୦ ମିଟର କୁ ୯.୫୫ ସେକେଣ୍ଡ ରେ ଅତିକ୍ରମ କରିଥିବା ବେଳେ ଉସେନ୍ ବୋଲ୍ଟ ୧୦୦ ମିଟର କୁ ୯.୫୮ ସେକେଣ୍ଡ ରେ ଅତିକ୍ରମ କରିଥିବାର ରେକର୍ଡ ରହିଛି।
ବିଶେଷ କଥା ହେଉଛି ଯେ କୌଣସି ସ୍ୱତନ୍ତ୍ର ଦୌଡ଼କୁଦ ତାଲିମ କିମ୍ବା ପ୍ରଶିକ୍ଷଣ ବିନା ସେ ଏହି ରେକର୍ଡ କରିପାରିଛନ୍ତି। ବିଶିଷ୍ଟ ରାଜନୀତିଜ୍ଞ ଶଶୀ ଥରୁର ଶ୍ରୀନିବାସ ଗୌଡ଼ାଙ୍କ ବିଷୟରେ ଟ୍ୱିଟର କିଛି ମତ ପ୍ରଦାନ କରିବା ପରେ ହିଁ ଆଜି ଏ ସବୁର ଚର୍ଚ୍ଚା ବେଶ ଜୋର ଧରିଛି। ନିଜର ମତ ପ୍ରକାଶ କରି ଶ୍ରୀଯୁକ୍ତ ଶଶୀ ଥରୁର କହିଛନ୍ତି ଯେ, ଭାରତରେ ପ୍ରତିଭାର ଅଭାବ ନାହିଁ।
ପାରମ୍ପରିକ ମଇଁଷି ଦୌଡ଼ରେ ସେ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ଦୌଡ଼ରେ ଗୋଟିଏ କାଦୁଅପୂର୍ଣ୍ଣ ଜମିରେ ମଇଁଷିର ପଛେ ପଛେ ଦୌଡିବାକୁ ହୁଏ। ଏହି ଦୌଡ଼ କର୍ଣ୍ଣାଟକରେ କାମ୍ବଲା ନାମରେ ପରିଚିତ। ଦୈନନ୍ଦିନ ଜୀବନର କାମରୁ ଟିକେ ବିଶ୍ରାମ ନେଇ ଅବସର ବିନୋଦନ ନିମନ୍ତେ ଏହି ପାରମ୍ପରିକ କାମ୍ବାଲା ମଇଁଷି ଦୌଡ଼ର ଆୟୋଜନ କରାଯାଏ। ପାରମ୍ପରିକ କାମ୍ବାଲା ମଇଁଷି ଦୌଡ଼ରେ ମଇଁଷିମାନଙ୍କୁ ଭଲ ଭାବରେ ସଜା ଯାଇଥାଏ। ସାଧାରଣତଃ ଅତୀତରେ ବିଜୟୀଙ୍କୁ ନଡ଼ିଆ, କଦଳୀ ପ୍ରଭୃତି ପ୍ରଦାନ କରାଯାଉଥିଲା। ଏବେ କାମ୍ବାଲା ମଇଁଷି ଦୌଡ଼ର ବିଜୟୀଙ୍କ ରୁପା, ସୁନାର ପଦକ ଏବଂ ଅର୍ଥ ରାଶିରେ ସମ୍ମାନିତ କରାଯାଉଛି।
ଏ ସବୁର ଆଲୋଚନା ଆଜି ଜୋର ଧରିଥିବା ବେଳେ, ନିଜର ମନ୍ତବ୍ୟରେ ଶ୍ରୀନିବାସ ପ୍ରକାଶ କରିଛନ୍ତି ଯେ, “ଲୋକମାନେ ମୋର ପ୍ରଶଂସା କରି ମୋତେ ଆଜି ଉସେନ୍ ବୋଲ୍ଟ ଙ୍କ ସହିତ ତୁଳନା କରୁଛନ୍ତି। ଉସେନ୍ ବୋଲ୍ଟ ହେଉଛନ୍ତି ଜଣେ ବିଶ୍ୱର ପ୍ରସିଦ୍ଧ ଧାବକ। ମୁଁ ତ ଏମିତି କାଦୁଅ ଜମିରେ ଦୌଡ଼ିଥିଲି।”
କେହି କେହି ପ୍ରଶଂସକ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ବିନା କୌଣସି ପ୍ରଶିକ୍ଷଣ ଦ୍ୱାରା ଶ୍ରୀନିବାସ ଗୌଡ଼ାଙ୍କର ଏପରି କୃତିତ୍ୱରେ ସମସ୍ତେ ଶତମୁଖ ହୋଇଉଠିଛନ୍ତି। କେହି କେହି ମନ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଯଦି ଶ୍ରୀନିବାସ ଗୌଡ଼ାଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଏ ସେ ହୁଏ ତ ଭବିଷ୍ୟତରେ ଭାରତ ପାଇଁ ଅଲିମ୍ପିକରେ ପଦକ ଜିତି ପାରନ୍ତି। ସେ ହୋଇପାରିବେ ଭାରତର ଉସେନ୍ଉ ବୋଲ୍ଟ।
କିଛି ପାଠକ ସୋସିଆଲ ମେଡିଆରେ ଏହାର ନକାରାତ୍ମକ ଦିଗ ମଧ୍ୟ ଦର୍ଶାଇଛନ୍ତି। ମଇଁଷି ସହିତ ପିଛାକରି ଦୌଡ଼ିବା ବାସ୍ତବ ଦୌଡ଼ ନୁହେଁ। ମଇଁଷିକୁ ପିଛା କରିବା ସମୟରେ ସେ ହୁଏତ କିଛି ପାହୁଣ୍ଡ ମଧ୍ୟ ଛାଡ଼ି ଦେଇପାରିଥାନ୍ତି। ଏମିତି ବି ଘଟିପାରେ। ବାସ୍ତବ ଦୌଡ଼ରେ କଠିନ ପୃଷ୍ଠରେ ଦୌଡ଼ିବା ଭିନ୍ନ ପ୍ରକାରର ହେବ। ଆମେ ମାନିବା ଯେ, ସେ ଜଣେ ଦ୍ରୁତ ଧାବକ ହୋଇପାରନ୍ତି, କିନ୍ତୁ ଆମେ ତାଙ୍କୁ ବିଶ୍ୱର ଦ୍ରୁତ ଧାବକ ଉସେନ୍ ବୋଲ୍ଟ ଙ୍କ ସହିତ ତୁଳନା କରିବା ଠିକ ନୁହେଁ। ଭାରତ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡ଼ିକରେ ପଦକ ଜିତିବାର ସମ୍ଭାବନା ଶ୍ରୀନିବାସ ଗୌଡ଼ାଙ୍କ ଠାରେ ଭରିରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି।
ପରିଶେଷରେ ଏତିକି କୁହାଯାଇପାରିବ ଯେ, ଶ୍ରୀନିବାସ ଗୌଡ଼ା ଆଜି ଭାରତର ବଣମଲ୍ଲୀ ସଦୃଶ। ଏଠି ପ୍ରତିଭା ଅଛି କିନ୍ତୁ ତାର ଯତ୍ନ ନାହିଁ। ଆଢ଼ୁଆଳରେ ଅଣଦେଖା ଯେମିତି ପ୍ରତିଭା।
ଉସେନ ବୋଲ୍ଟଙ୍କର ବର୍ତ୍ତମାନର ରେକର୍ଡ ହେଉଛି ୯.୫୮ ସେକେଣ୍ଡରେ ୧୦୦ ମିଟର ଏବଂ ୧୯.୧୯ ସେକେଣ୍ଡରେ ୨୦୦ ମିଟର।