ତୁମେ ଜଣେ ଦୁର୍ବଳ ସାହିତ୍ୟିକ ବାପା - Utkal Odisha

ତୁମେ ଜଣେ ଦୁର୍ବଳ ସାହିତ୍ୟିକ ବାପା

images 6
Reading Time: 7 minutes

“ତୁମେ ଜଣେ ଦୁର୍ବଳ ସାହିତ୍ୟିକ ବାପା… ତୁମେ ଜଣେ ଦୁର୍ବଳ ସାହିତ୍ୟିକ”

ଏଇ କେତୋଟି ଶବ୍ଦପୁଞ୍ଜର ଅନାବିଳ ସମ୍ପର୍କରେ ସଂଯୋଜିତ ଦୁଃଖ ନଗର କୀର୍ତ୍ତନ କରୁଥିବା ବାକ୍ୟଟିରେ ବିଷାକ୍ତ ବିଶେଷଣଟି ମୁହୂର୍ତ୍ତକ ଭିତରେ ନାରାୟଣ ବାବୁଙ୍କ ମନରେ ବିଷାଦର ଆଲୋଡନ ତରଙ୍ଗ ସୃଷ୍ଟି କଲା।ବ୍ୟସ୍ତ ଵିବ୍ରତକୁ ନିଜ ଅନ୍ତର ଠାରୁ ବହୁ ଦୂରରେ ରଖି ସେ ସହନଶୀଳତାର ଗାଲିଚାରେ ବସି ଅପେକ୍ଷା କଲେ ଝିଅ ଅନନ୍ୟାର ରୁକ୍ଷ ଟିପ୍ପଣୀର ପ୍ରୀତି ପୂର୍ଣ୍ଣ ବ୍ୟାଖ୍ୟା ସ୍ପର୍ଶକୁ।

ସେଦିନ ଅନନ୍ୟାର ଷ୍ଟଡି ରୁମ୍ ରେ ନାରାୟଣ ବାବୁ ପଚାରୁଥିଲେ ସାହିତ୍ୟର କେଇଟା ପ୍ରଶ୍ନ।ଅଯତ୍ନବାନ ବେପରୁଆ ଭଳି ପଚରା ପ୍ରଶ୍ନର ଉତ୍ତର ନ ଦେଇ ଫି କିନା ହସିଦେଲା ଅନନ୍ୟା।ଝିଅର ଏଭଳି ବ୍ୟବହାରକୁ ସେ ଆଦୌ ଗ୍ରହଣ କରିପାରିଲେ ନାହିଁ,କାରଣ ଏଭଳି ବ୍ୟବହାର ସେ କେବେ ଝିଅଠାରୁ ପାଇନାହାନ୍ତି କି ଆଶା ବି କରିନାହାଁନ୍ତି।ଶୃଙ୍ଖଳା ଓ ସଂସ୍କାରକୁ ଭଲ ପାଉଥିବା ଏ ମଣିଷ ଝିଅ ଉପରେ ବହୁତ ରାଗିଲେ,ପ୍ରବଳ ବର୍ଷିଲେ।ଏ ଗାଳି ବର୍ଷଣ ବି ଝିଅ ଉପରେ କେବେ ପଡି ନ ଥିଲା ଏପରିକି ଅଦିନ ଝଡ଼ ପରି ଏ ଝଡ଼କୁ ସେ କେବେ ବି ଚାହିଁ ନ ଥିଲା।

ନିଜକୁ କ’ଣ ବୋଲି ଭାବୁଛୁ ? ବହୁତ ବଡ଼ ପଣ୍ଡିତ ହୋଇଗଲୁଣି ବୋଧେ ? ହଉ ଦେଉଛି କେତୋଟି ପ୍ରଶ୍ନ,୨୦ମିନିଟ ପରେ ଆସି ଦେଖିବି,ଯଦି ନ କରିଥାଉ,ତେବେ ତୋର ଦିନେ କୁ ମୋର ଦିନେ।ଏତିକି କହି ନାରାୟଣ ବାବୁ ଗୋଟିଏ କାଗଜରେ ୪ଟି ପ୍ରଶ୍ନ ଦେଇ ବାହାରକୁ ଚାଲିଗଲେ।ଅନନ୍ୟା ତରବର ହୋଇ ତାର ଉତ୍ତର ୫ମିନିଟ୍ ଭିତରେ କରିଦେଇ ଅପେକ୍ଷା କଲା ତା ବାପାଙ୍କ ଫେରିବାକୁ।

ଅନନ୍ୟା ମନେ ମନେ ସ୍ମରଣ କରୁଥାଏ ବାପାଙ୍କର ଏଇ କେଇପଦ ଧମକ ପୂର୍ଣ୍ଣ କଥାକୁ।ଆଖିରୁ ଝରି ପଡୁଥାଏ ଲୋତକ କେଇଧାର।ଭାବୁଥାଏ ମୋ ବାପା ମୋତେ କେବେ ବି ଏମିତି ରାଗନ୍ତି ନାହିଁ,କ’ଣ ହୋଇଛି ତାଙ୍କର?ଅଧିକାଂଶ ସମୟ ମୋବାଇଲରେ କବିତା,ଗଳ୍ପ,ପ୍ରବନ୍ଧ…ଏଇମିତି ଅନେକ ଲେଖନ୍ତି,କୁହନ୍ତି ମୁଣ୍ଡ ଥଣ୍ଡା ହେଲେ ସିନା ସବୁ ବାହାରିବ।କିନ୍ତୁ…ଆଜି ଏମିତି ଗରମ ଯେ?ଅବଶ୍ୟ ସେ ନିଜକୁ ଦୋଷୀ ଦୋଷୀ ଭାବୁଥାଏ,କାରଣ ବାପା ପଚାରୁଥିବା ପ୍ରଶ୍ନର ଉତ୍ତର ନ ଦେଇ ସେ ଫି କିନା ହସି ଦେଇଥିଲା।ତାହା ନିଶ୍ଚୟ ତା ବାପାଙ୍କୁ ବାଧିଥିବ।ଅବଶ୍ୟ ତା’ର ଏପରି କରିବାର ନ ଥିଲା।କିନ୍ତୁ ବାପା ଏତେ ସରଳ ପ୍ରଶ୍ନ ପଚାରିଥିଲେ ଯେ ତାହା ଶୁଣି ତାକୁ ହସ ଲାଗିଥିଲା।ଆଉ କିଛି କଥା ନ ଥିଲା।

ସେପଟେ ନାରାୟଣ ବାବୁ ଭାବନା ରାଇଜରେ ବୁଲି ଖୋଜୁଥାନ୍ତି ଦୁଇଟି ଉତ୍ତର।ଝିଅ ଉତ୍ତର ନ ଦେଇ କାହିଁକି ଫି କିନା ହସିଲା?ଦ୍ଵିତୀୟତଃ ଏଇ ସାମାନ୍ୟ କଥାରେ ସେ ଏତେ ଉତ୍କ୍ଷିପ୍ତ କାହିଁକି ହେଲେ?ଝିଅ କେବେ ତାଙ୍କୁ ଅସମ୍ମାନ କରିନାହିଁ ଆଜି ଯାଏ।ସେ ବି ବିଚକ୍ଷଣ ବୁଦ୍ଧି ଧୀଶକ୍ତି ସମ୍ପନ୍ନ ପ୍ରତିଭାଟିଏ।ପ୍ରତ୍ୟେକ ପାଠ୍ୟ ବିଷୟ ଓ ସହ ପାଠ୍ୟ ବିଷୟରେ ତାର ଢେର ଦଖଲ ବି ଅଛି।ଯେଉଁ କେଇଟା ପ୍ରଶ୍ନ ପଚାରିଥିଲେ ଅତି ସରଳ,ଯାହାର ଉତ୍ତର ତା ପାଇଁ ମାମୁଲି।ବୋଧେ ଉଚ୍ଚ ପାଠରେ ଧ୍ୟାନ ଦେଇ ଏ ସବୁ ଭୁଲିଯାଇଛି ନା ଏ ସରଳ ପ୍ରଶ୍ନକୁ ହେୟଜ୍ଞାନ କରି ହସିଦେଲା।

ଏସବୁ ଭାବି ଭାବି ଆସି ପହଂଚିଗଲେ ଝିଅ ପାଖରେ।ଆସୁ ଆସୁ ଝିଅ ବଢ଼େଇଦେଲା ବାପାଙ୍କୁ ପ୍ରଶ୍ନର ଉତ୍ତର ଲେଖା ଖାତାଟିକୁ।ବାପା ଏଥର ଅଦ୍ଭୁତ ଉତ୍ତରଗୁଡିକୁ ପଢି ଆଶ୍ଚର୍ଯ୍ୟ କେବଳ ନୁହଁ ବିସ୍ମୟ ବି ହୋଇଗଲେ।କାରଣ ସେ ଆଶା କରିଥିବା ଉତ୍ତର ଝିଅ ଦ୍ୱାରା କଳ୍ପନାତୀତ ଥିଲା।ଏଥର ଆଉ କ୍ରୋଦ୍ଧାନ୍ବିତ ନ ହୋଇ ଝିଅକୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ପଚାରି ଝିଅଦ୍ୱାରା ବ୍ୟାଖ୍ୟା କରାଇଲେ।

ତୁ ଯେଉଁ ଉତ୍ତର ଲେଖିଛୁ ଏସବୁ କଣ ଠିକ?

ଝିଅ କହିଲା ହଁ ବାପା ଶତପ୍ରତିଶତ ଠିକ।କହିବ ଯଦି ପ୍ରମାଣ ସହ ମୁଁ ବୁଝେଇଦେବି।

ପ୍ରଥମ ପ୍ରଶ୍ନ ପଚାରିଲେ ନାରାୟଣ ବାବୁ।ସାହିତ୍ୟ କାହାକୁ କହନ୍ତି?

ଝିଅ କହିଲା,ବାପା ଯାହା ମନ ଭିତରେ ସର୍ବଦା ଆଲୋଡନ ଆଣି ସମାଲୋଚନାର ମାହଲ ସୃଷ୍ଟି କରି ସଭିଙ୍କୁ ବ୍ୟତିବ୍ୟସ୍ତ ବିବ୍ରତ କରେ,ସ୍ୱହିତ ପାଇଁ ଅନ୍ୟର ଅହିତ କରିବାକୁ ପଛାଏ ନାହିଁ,ତାହା ସାହିତ୍ୟ।

ଯିଏ ସଦା ଗର୍ବ ଅହଂକାର ଦୂଷିତ ପୋଖରୀକୁ ଗଙ୍ଗା କହି ସ୍ନାନ କରେ,ନିଜର ଅଶୁଦ୍ଧ ଲେଖାକୁ ଶୁଦ୍ଧ ବୋଲି ଭାବେ,ନିଜର ହଜାର ଭୁଲ ନ ଦେଖି ଅନ୍ୟର ଠିକରୁ ଭୁଲ ବାହାର କରେ, ଲେଖା ଚୋରି କରି-ନକଲ କରି-ଉତ୍ତାରି-ନିକ ନାଁରେ ବାହାର କରି ମାନପତ୍ର,ଉପାଧି ପାଇବାକୁ ମଶା ମାଛି ପରି ୟା ତା ପଛରେ ଧାଏଁ ସେ ହେଲେ ସାହିତ୍ୟିକ।ତୁମ ଦ୍ଵିତୀୟ ପ୍ରଶ୍ନ ସାହିତ୍ୟିକ କାହାକୁ କହନ୍ତିର ଉତ୍ତର।ଆଉ ତୃତୀୟ ଚତୁର୍ଥ ପ୍ରଶ୍ନର ଉତ୍ତର ବି ଶୁଣ।

ଯିଏ ତାର ଲେଖାରେ ଅଭଦ୍ର,ଚୋର,ଅଣସାହିତ୍ୟିକ,ତୋତେ ଜୋତାରେ ପିଟିବି,ଲେଙ୍ଗଳା କରି ଛକରେ ପିଟିବି,ପର୍ଦ୍ଦା ଫ୍ଲାସ କରିଦେବି,ମୁଁ କାହାକୁ ଡ଼ରେ ନାହିଁ,ପୁନଶ୍ଚ ରାଣ୍ଡୁଆ,ଭାଡୁଆ,ମାଡୁଆ ଆଦି ବେଦ ବା ଦେବ ଭାଷାର ଶବ୍ଦ ପ୍ରୟୋଗ କରି କବିତା କି ସାହିତ୍ୟ ତଥ୍ୟ ଲେଖି ନିଜକୁ ଦାମ୍ଭିକ-ସଚ୍ଚୋଟ ଭାବନ୍ତି ସେ ହେଲେ ସବଳ ସାହିତ୍ୟିକ।

ଯିଏ ନିଜର ଭୁଲ ନ ଥାଇ କ୍ଷମା କରିବେ,ଭୁଲ ଥିଲେ ବଡ଼ପଣରେ ସୁଧାରିଦେବେ,ଯଦି ଲେଖାରେ ତ୍ରୁଟି ଅଛି ମାର୍ଜ୍ଜନା କରିବେ,ଆପଣମାନଙ୍କର ଅମୁଲ୍ୟ ମତ ମୋ ପାଇଁ ପାଥେୟ,ଆପଣମାନେ ବହୁତ ବଡ଼ ମୁଁ ନିମିତ୍ତ ମାତ୍ର ଆଦି କଥା କଥାକେ ଲେଖି ଶୃଙ୍ଖଳା ଚାହାନ୍ତି,ସାହିତ୍ୟର ମର୍ଯ୍ୟାଦା ଲୋଡନ୍ତି ସେ ଦୁର୍ବଳ ସାହିତ୍ୟିକ।ତୁମେ ଜଣେ ଦୁର୍ବଳ ସାହିତ୍ୟିକ ବାପା..ତୁମେ ଜଣେ ଦୁର୍ବଳ ସାହିତ୍ୟିକ।

ନାରାୟଣ ବାବୁ ଝିଅର ଏ ବିବେକାନନ୍ଦଙ୍କ ପରି ବାଗ୍ମୀତା ପୂର୍ଣ୍ଣ ନିର୍ଭୀକ ବକ୍ତବ୍ୟ, ମରୁବାଲି ଜଳ ଶୋଷିଲା ପରି ପି ଯାଉଥାନ୍ତି।କହିଲେ ଝିଅ, ଏସବୁ ଉଦ୍ଭଟ ଉତ୍ତର ତୁ ଉଦାହରଣ ଦେଇ ବୁଝେଇ ପାରିବୁ?

ଅନନ୍ୟା କହିଲା,ବାପା ଏ ତ ସାମାନ୍ୟତମ ଚାହିଁଲେ କେତେ ତଥ୍ୟ ଓ କେତେ ଉଦାହରଣ…. ସବୁ ମୁଁ ଦେଇପାରିବି।ପ୍ରତଦିନ ତୁମେ ଶୋଇବା ପରେ ତୁମ ମୋବାଇଲ ଖୋଲି ଅନେକ ସାହିତ୍ୟ ଗ୍ରୁପରୁ କିଛି ପଢି ଶିଖିବାପାଇଁ ଚେଷ୍ଟା କରେ।ହେଲେ ପାଏ ସ୍ୱଳ୍ପ ଶିକ୍ଷଣୀୟ କିନ୍ତୁ ପାଇଛି ଏଇ ତୁମ ପ୍ରଦତ୍ତ ପ୍ରଶ୍ନର ନିଚ୍ଛକ ଉତ୍ତର।ରାସ୍ତାରେ ଗଲାବେଳେ ତୁମେ ପରା ମୋତେ ପଢ଼ାଇ କୁହ,ଏଇ ଦେଖ,”ବ୍ରହ୍ମା ବିଷ୍ଣୁ ଚିକେନ୍ ସେଣ୍ଟର,ହର ପାର୍ବତୀ ଫରେନ ଲିକର,ମା ବାଗ୍ଦେବୀ ଶୁଖୁଆ ଭଣ୍ଡାର,ଉଦିତ ସୂର୍ଯ୍ୟ ଦେଶୀ ମଦ ଦୋକାନ”କେଉଁ ଜିନିଷ ସହ କେଉଁ ନାଁ ଯୋଡ଼ା ଯାଇଛି।ସେଦିନ ମୋତେ ବହୁତ ଖରାପ ଲାଗୁଥିଲା।କିନ୍ତୁ ତୁମ କେତେକ ସାହିତ୍ୟ ଗ୍ରୁପ୍ କଣ ତାଠୁ କମ୍ କି?ଖାଲି ଆ ବିରୁଦ୍ଧରେ,ତା ବିରୁଦ୍ଧରେ,କିଏ ଦାଦାଗିରି ତ କିଏ ମୂର୍ଖାମୀ।କିଏ ଅହଂକାରରେ କାହା ବିରୁଦ୍ଧରେ ଲେଖି ଡକ୍ଟରେଟ କଲାଣି ତ କିଏ ଧାଡିଏ ଶୁଦ୍ଧ ନ ଥିବା ବ୍ୟାକରଣ ବିହୀନ କୁକୁରିଆ ପ୍ରେମ ଅକବିତା ଲେଖି ସବୁଠୁ ଶ୍ରେଷ୍ଠ ସାହିତ୍ୟିକ ଘୋଷଣା କରି ଚାଲେଞ୍ଜ କଲାଣି।ନାଁ ଦେଲେ କଣ ହେବ,ସୂର୍ଯ୍ୟର ଅସଲ ଗୁଣ,ସରସ୍ୱତୀ କିଏ କଣ, ସାହିତ୍ୟର ଅସଲ ଅର୍ଥ ବୁଝି ତାର ମର୍ଯ୍ୟାଦା ରଖିବା ଦରକାର। ତୁମ୍ଭମାନଙ୍କର ଏଇ ଗ୍ରୁପରେ ଏଇମିତି ସବୁ ହିଁ ଭରପୁର ଅଛି ନା।ଆଜି ଯଦି ବଳଦେବ ରଥ ଥାଆନ୍ତେ ତେବେ ଭଲ ଦି ଧାଡି ଲେଖିଥାନ୍ତେ।ଯଦୁମଣି ବି ଲେଖି ଖୁସି ହେଉଥାନ୍ତେ।ବ୍ୟାସଙ୍କର ପଦେ ଦୁଇପଦ ଲେଖାରେ ସବୁ ମିଳିଥାନ୍ତା।ହେଲେ ଆଜିକାଲି କା ବ୍ୟାସ,ଭଞ୍ଜ,ମେହେର ମାନେ ଯେଉଁ ସ୍ବ ଶବ୍ଦକୋଷରୁ ଶବ୍ଦ ଖଞ୍ଜିଲେଣି ଏହା ଦେଖି ହୁଏତ ପାଣିନୀ ଡରି ପଲାଇଯାଇଥାନ୍ତେ।

ତୁମେ ପରା ମୋତେ ଶିଖାଇଥିଲ କବି,ଲେଖକ,ଗାଳ୍ପିକ,ପ୍ରାବନ୍ଧିକ ସମସ୍ତେ ଗଠନମୂଳକ ଲେଖା ଲେଖନ୍ତି,ଉଦ୍ ବୋଧନ ହେଲେ ବି ଖରାପ ଶବ୍ଦର ବ୍ୟବହାର କରନ୍ତି ନାହିଁ, ଠିକ୍ ସନ୍ତାନ କ୍ରୋଧି ହେଲେ ବି ଯେପରି ମାକୁ ସମ୍ମାନର ସହ କଥା କହିଥାଏ।ଯେପରି ଗୋପବନ୍ଧୁ, ରାଧାନାଥ,ମଧୁସୂଦନ ଦାସ,ବୀରକିଶୋର,କୁନ୍ତଳା କୁମାରୀ ଲେଖିଛନ୍ତି।କିନ୍ତୁ ସେମାନେ ଆଜି ଥିଲେ ତୁମ ଆଧୁନିକ ସାହିତ୍ୟିକଙ୍କ ଠାରୁ ଏ ସବଳ,କଡା,ଶକ୍ତିଶାଳୀ ଶବ୍ଦର ପ୍ରହାର ବହୁତ ଶିଖିଥାନ୍ତେ।

ଖାଲି ସେତିକି ନୁହଁ ବାପା,ତୁମେ ପରା କହୁଥିଲ ବାଳାଦପି ଗୃହିତବ୍ୟ ଯୁକ୍ତିଯୁକ୍ତ ମନିଷୀ ଭି।ମାତ୍ର ଏବେ ତ କିଛି ଯୁବ ପ୍ରତିଭାଙ୍କୁ… ତୋର କେତେ ବର୍ଷ ହୋଇଛି ବେ,ତୋ ବୟସ ଯେତେ.. ମୋ ଅଭିଜ୍ଞତା ତା ଠୁ ଅଧିକ କୁହାଯାଉଛି।କିଏ ବି ସାହିତ୍ୟ ନ ଦେଖି ତା କୁବେର ପଣିଆ,ମନ୍ତ୍ରୀ ସାଥି,ବଡ଼ ଲୋକଙ୍କ ଜୋକ ହୋଇ କହିଲାଣି ମୋ ପରି ସାହିତ୍ୟିକ ବିଶ୍ୱରେ ବିରଳ।କିଏ ବି ସାହିତ୍ୟ କେଉଁ ସ ନ ଜାଣି ସର୍ପରି ଫରଫରାୟେତ ପରି କବି ଲେଖକଙ୍କୁ ପଚାରୁଛି ପ୍ରଶ୍ନ,ଆଉ ସେମାନଙ୍କ ଉତ୍ତର ପାଖରେ ସେ ଅଙ୍ଗନବାଡି ଛୁଆ ହେଲେ ବି ଧିକ୍କାର କରୁଛି।ଖାଲି ସେତିକି ନୁହଁ କିଏ ଯଦି ବଡ଼ ଅନୁଷ୍ଠାନରେ ବଡ଼ ପଦବୀଟେ ପାଇ ଯାଇଛି ସେ ଭାବୁଛି ମୁଁ ସ୍ୱୟଂ ବ୍ରହ୍ମା,ଆଉ କହୁଛି,,ଆଜିର ଅନୁଚିନ୍ତା ଗୁଡାକ କିଏ ପଢେ,ଆଧୁନିକ କବିତା ସବୁ କଣ ସାହିତ୍ୟରେ ଯାଏ,କିଏ ବି ଉପରେ ବାହାସପୋଟ ସଚ୍ଚୋଟ ପ୍ରଚାର କରି ପଛରେ ପଇସା ମାଗିଲାଣି,କିଏ ସାଇବର ନିୟମ ନ ମାନି ଇଚ୍ଛା ଅନୁସାରେ ରିମୁଭ୍ କଲାଣି, କିଏ ତା ଭାଗ କମ୍ ମିଳିବାରୁ ଅନ୍ୟ ମାନଙ୍କ ବିରୁଦ୍ଧରେ ପତ୍ରିକାରେ ଫଟୋ ସହ ଖରାପ ଲେଖିଲାଣି।କିଏ ବି ଅଭିଜ୍ଞତାକୁ ଅପେକ୍ଷା ନ କରି ଆଡ଼ମିନି ହେବାକୁ,ଅନୁଷ୍ଠାନର ପ୍ରତିଷ୍ଠାତା କି ସମ୍ପାଦକ ହେବାକୁ,ନିଜ ବାହାବା ନେବାପାଇଁ,,, ଏନ୍ତୁଡ଼ିଶାଳାରୁ ଆନ୍ତର୍ଜାତିକ ଶ୍ରେଷ୍ଠ ସାହିତ୍ୟିକ ହେବାପାଇଁ ପ୍ରତିଦିନ ଗ୍ରୁପରେ ଶହ ଶହ ଭିଡିଓ ଓ ନବେ ଭୁଲ ଥିବା ନଅ ଶହ ଅନେଶ୍ୱତ ଫଟୋ ଛାଡ଼ିଲାଣି।କହିଲ ବାପା ମୋ ଏ ଉଦାହରଣ କଣ କମ୍ ହେଲା କି?ଅବଶ୍ୟ ତୁମେ ଭୀରୁ,କାପୁରୁଷ ପରି ଯେଉଁମାନେ କଂସ କି ରାବଣ ସାହିତ୍ୟିକ ତାଙ୍କ ଆସ୍ଫାଳନକୁ ଡରି ଗ୍ରୁପ୍ ଛାଡୁଛ କି ଦୁର୍ବଳ ପରି… କ୍ଷମା କରିବେ,ଆପଣ ମହାନ୍,ମୁଁ ଏକ କ୍ଷୁଦ୍ର ମଣିଷ,ସାହିତ୍ୟ ସିନ୍ଧୁରେ ମୁଁ ବିନ୍ଦୁଟିଏ ନୁହଁ ଆଦି କହି ଦୁର୍ବଳତାର ପରିଚୟ ଦେଉଛ।ସତରେ କ’ଣ ତୁମେ ଦୁର୍ବଳ ସାହିତ୍ୟିକ ନୁହଁ?

ନାରାୟଣ ବାବୁଙ୍କୁ ଯେତିକି ହସ ଲାଗୁଥାଏ ସେତିକି ଗର୍ବ ଲାଗୁଥାଏ ଝିଅର ମାର୍ମିକ ଅଭିବ୍ୟକ୍ତି ଓ ତାତ୍ତ୍ଵିକ ପୁଙ୍ଖାନୁପୁଙ୍ଖ ସାଂପ୍ରତିକ ସମ୍ପର୍କିତ ବିଶ୍ଳେଷଣ କୁ ନେଇ।ହେଲେ ଏ ସବୁ କାହିଁକି ହେଉଛି ସେସବୁ ଶୁଣିବାକୁ କଣ ତାର ଧୈର୍ଯ୍ୟ ଅଛି।

ସେ କହିଲେ ଆରେ ଝିଅ,ଅବଶ୍ୟ କିଛି ଅପ୍ରିୟ ସତ କଥା କହୁଛୁ,ହେଲେ ସାହିତ୍ୟ ସମୁଦ୍ର ଭିତରେ ତୁ ପଶିନାହୁଁ।ତେଣୁ ସମୟ,ଅବସ୍ଥା,ପାରିପାର୍ଶ୍ବିକ ସ୍ଥିତିକୁ ଆକଳନ କରି ପାରୁନାହୁଁ।ତୁ ମୋର ବାଲ୍ୟ ଶିକ୍ଷକ ମହାନ୍ ଗୁରୁ ସୁସାହିତ୍ୟିକ ଲମ୍ବୋଦର ସାରଙ୍କ ପାଖକୁ ଯାଆ।ସେ ତୋତେ ଏଇ ପ୍ରଶ୍ନ ଚାରିଟିର ସଠିକ ଉତ୍ତର ଦେଇ ବ୍ୟାଖ୍ୟା ସହ ବୁଝାଇ ଦେବେ।

ଅନନ୍ୟା କହିଲା ହଁ ବାପା,ତୁମ ପରି ଦୁର୍ବଳ ସାହିତ୍ୟିକଙ୍କ ଠାରୁ ମୁଁ ବୁଝିବା ଅବୋଧ୍ୟ ହୋଇଯିବ।ମୁଁ ଚାଲିଲି ସାର୍ ଙ୍କ ପାଖକୁ।ଏହା କହି ଝିଅ ଚାଲିଲା ପାଇବାକୁ ପ୍ରଶ୍ନର ଉତ୍ତର,ବାପା ମୁରୁକି ମୁରୁକି ହସି ଚାହିଁ ରହିଲେ ଝିଅର ଫେରନ୍ତା ବାଟକୁ।

ଇତି ମଧ୍ୟରେ ଅନନ୍ୟା ପହଂଚିଗଲା ଲମ୍ବୋଦର ସାର୍ ଙ୍କ ଘରେ। ପରିଚୟ ଜାଣି ଆଦରରେ ବସାଇ କେତେ କଣ ଗପିଗଲେ ନାରାୟଣ ବାବୁଙ୍କ ସମ୍ବନ୍ଧରେ। ହେଲେ ଏସବୁ ଶୁଣି ତାକୁ ଯେତିକି ଖୁସି ଲାଗୁଥାଏ ସେତିକି ବ୍ୟସ୍ତ ଓ ବ୍ୟଗ୍ର ହେଉଥାଏ ଉତ୍ତର ପାଇବାକୁ। ଆସିବାର ଅଭିପ୍ରାୟ ଜାଣିସାରି ସାର୍ କହିଲେ ଆରେ ମାଆ, ତୋ ଘରେ ତୋ ବାପା ପରା ଖୋଦ ଉତ୍ତର,ତୁ ଏତେ କଷ୍ଟ କରି ଆସିଲୁ କାହିଁକି? ଅନନ୍ୟା କହିଲା ନାଁ ଆଜ୍ଞା,ବାପା ଆପଣଙ୍କ ପାଖକୁ ପଠାଇଲେ।ମୃଦୁ ହସି ସାର୍ ସବୁ ପ୍ରଶ୍ନ ଶୁଣିଲେ ଓ ସେ ତା ବାପାଙ୍କୁ ଦେଇଥିବା ଉତ୍ତର ସବୁ ଶୁଣି ଆହୁରି ହସିଲେ।ଅନନ୍ୟା କହିଲା,ଆଜ୍ଞା ମୋ ଉତ୍ତର ଗୁଡାକ ମୋ ବାପାଙ୍କ ପସନ୍ଦ ହେଲାନି।ମୁଁ କଣ ଭୁଲ କହିଥିଲି କି ?ସାର୍ ଆହୁରି ହସି କହିଲେ,ବାପ ସେ ଜାଦା ବେଟି।କିଏ କହିଲା ମା, ତୁ ଭୁଲ କହିଛୁ ବୋଲି,ମୋ ଆଗରେ ତୋ ବାପା ଯଦି ଏସବୁ ଭୁଲ କହିଥାନ୍ତା ତା କାନ ଦୁଇଟାକୁ ମୁଁ ମୋଡ଼ି ଦେଇଥାନ୍ତି।ଏତିକି କହିବା ମାତ୍ରେ ସାର୍ ଙ୍କ ଆଖିରୁ ଦୁଇ ଧାର ଲୁହ ବହିଗଲା।ନିଜ ରୁମାଲରେ ଅନନ୍ୟା ତା ବାପାଙ୍କର ଗୁରୁଙ୍କ ଆଖିରୁ ଲୁହ ପୋଛୁ ପୋଛୁ ସାର୍ ଙ୍କ ଆହୁରି ଲୁହ ଆହୁରି ଅଧିକ ବୋହିଗଲା।ଆଶ୍ଚର୍ଯ୍ୟ ହୋଇ ଅନନ୍ୟାର ଭାବନାକୁ ଦୂର କରିବାକୁ ଯାଇ ସାର୍ କହିଲେ,ବୁଝିଲୁ ଝିଅ ତୋ ବାପାଙ୍କୁ ମୁଁ କେବଳ ଛାତ୍ର ନୁହଁ ମୋ ନିଜ ପୁଅଠୁ ବି ଅଧିକ ଭଲପାଏ।କାରଣ କଣ ଜାଣୁ,ସେ ମୋ ପାଖରେ ପଢିବା ଅବଧି ଭିତରେ ତାର ସାମାନ୍ୟତମ ଭୂଲଟିଏ ମୁଁ ଖୋଜି ପାଇନାହିଁ। ଶୁଣ ଆଉ ଏକ ଘଟଣା।ମୋତେ ଘସିବାକୁ ଜିଦ୍ କରେ ଅନ୍ୟ ପିଲାଙ୍କ ସାଙ୍ଗରେ,ତୁ ବ୍ରାହ୍ମଣ ପିଲା ମୋ ପାଦ ଛୁଇଁବୁ,ମୋତେ ଘସିଦେବୁ,ନାଁ କହି ମୁଁ ମନାକଲେ ବି କେତେବେଳେ ଚୁପ୍ ଚୁପ୍ କୋଉ ପିଲାକୁ ପଠାଇ ଦେଇ ମୋତେ ଘସିଦିଏ,ଆଉ କହେ ସାର୍ ଆପଣଙ୍କ ସେବା ନ କଲେ ଆଶୀର୍ବାଦ ତ କମ୍ ପାଇବି,ଭବିଷ୍ୟତ କେମିତି ଉଜ୍ହ୍ୱଳ ହେବ ଯେ?ଆମର ଆଦେଶ ନ ପାଇଲେ ଦିନ ତମାମ ଏମିତିକି ରାତି ସାରାବି ସେଇ ଜାଗାରୁ ଇଞ୍ଚେ ଘୁଂଚିବ ନାହିଁ।ତା ବାପା ମାଆ ବି ସେଇମିତି ସଂସ୍କାରୀ,ଶୃଙ୍ଖଳ ଓ ଭଦ୍ର।ତୋର ଏଇ ସାମାନ୍ୟ ଲୁହ ପୋଛାରୁ ମୁଁ ପାଇଗଲି ମୋ ଶିଷ୍ୟ, ମାନେ ତୋ ବାପାର ସ୍ପର୍ଶ।ସେଥିପାଇଁ ଆଉଥରେ କାନ୍ଦି ପକାଇଲି ପରା।ଜାଣିଛୁ ଏଇ ସାହିତ୍ୟ ବିଷୟରେ ଯାହା ପଚାରୁଛୁ,ସେ ମାନେ ତୋ ବାପା ଶିଶୁବେଳେ ତା ଠାରୁ ସାହିତ୍ୟର ଗନ୍ଧ ଆମେ ପାଖରୁ ପାଇଥିଲୁ।ତୃତୀୟ ବେଳୁ ଗୀତ ଗାଇବା,ଭାଷଣ ଦେବା,ଅଭିନୟ କରିବା,ନାଚ କରିବା ସବୁଥିରେ ସେ ପରା ଧୁରନ୍ଧର ଥିଲା।ଏସବୁ ଶୁଣି ଅନନ୍ୟାର ମନ ଉତ୍ଫୁଲ୍ଲତାରେ ପୁରି ଉଠୁଥାଏ।ବାସ୍ତବିକ ଏଇତ ଭଲପାଇବା।ଗୁରୁ ଶିଷ୍ୟ ପରମ୍ପରାର ବଳିଷ୍ଠ ପ୍ରତୀକ।ସତରେ ମୁଁ ବି ଆଜି ଉଭୟଙ୍କୁ ପାଇ ଧନ୍ୟ।

ସାର୍ କହିଲେ,ଛାଡ଼ ସେ କଥା,

“ଆରେ ଯେଉଁ ଶାସ୍ତ୍ର ସଭିଙ୍କ ହିତ ସାଧନ ପାଇଁ ଉଦ୍ଦିଷ୍ଟ ତାହା ପରା ସାହିତ୍ୟ।”

“ଯାହାର ପ୍ରତିଟି ଭାବନା,ଚିନ୍ତା,ଚେତନା,ରଚନାର ପରିଭାଷା କୋମଳ,ବାସ ଚନ୍ଦନ,ମାର ମମତାପୂର୍ଣ୍ଣ ଆଉଁସା ସଦୃଶ ସେ ହିଁ ସାହିତ୍ୟିକ।”

“ଯିଏ ତାର ଭାଷା,ଭାବବିନିମୟ,ନିବିଡ଼ତା ଦ୍ୱାରା ବନ୍ଧୁ ସୃଷ୍ଟି କରେ,ଶତ୍ରୁତା କୁ ପ୍ରତିହତ କରେ ସେ ହିଁ ସାହିତ୍ୟିକ।”

“ଜଣେ ସାହିତ୍ୟିକ ଆସ୍ତିକ,ଗଠନମୂଳକ,ଦେଶପ୍ରେମୀ, ଜାତିପ୍ରେମୀ ଓ ସମାଜ ସଂସ୍କାରକ।ସେ ନିଃସ୍ୱାର୍ଥପର, ଉଚ୍ଚମନା,ଭଦ୍ର,ଶିଷ୍ଟ,ଧୈର୍ଯ୍ୟବାନ ଓ ସହନଶୀଳ ହେବା ଉଚିତ।ପରଶ୍ରୀକାତର,ପ୍ରତିହିଂସାପରାୟଣ,ହିଂସୁକ,ଇର୍ଷାପରାୟଣ,କପଟୀ,ମାୟାବୀ,ମିଥ୍ୟାବାଦୀ,ଛଳନାପ୍ରେମୀ,ଗର୍ବୀ,ଅହଙ୍କାରୀ ବ୍ୟକ୍ତି ସାହିତ୍ୟିକ ହେବା ତ ଦୂରର କଥା ସାହିତ୍ୟ ସମାଜର ଏକ ଦୂଷିତ କୀଟ ସଦୃଶ ଅର୍ଥାତ ଏକ ମସ୍ତବଡ଼ ଅଣସାହିତ୍ୟିକ।”

ଆରେ ମାଆ ସବଳ କି ଦୁର୍ବଳ ସାହିତ୍ୟିକ କିଛି ନାହିଁ।ଯାହାର ସାହିତ୍ୟିକ ଗୁଣ ଅଧିକ ଥାଏ ସେ ସୁସାହିତ୍ୟିକ।

ଜଣେ ସୁସାହିତ୍ୟିକ ହେବାପାଇଁ ଶାନ୍ତ,ସରଳ,ନିର୍ମଳ,ନିଷ୍କପଟ ମନଟିଏ ଦରକାର।ପର-ଆପଣା,ଛୋଟ-ବଡ଼ ସବୁକିଛି ଭୁଲି ସଭିଙ୍କୁ ଭଲପାଇବା ଦରକାର।କାହାର ବିରୁଦ୍ଧ ଆଚରଣ କରି ମସ୍ତିଷ୍କକୁ ସଂକୀର୍ଣ୍ଣ କିମ୍ବା କାହା ଅଳଣା କଥାରେ ପ୍ରତିକ୍ରିୟାଶୀଳ ହୋଇ ହୃଦୟକୁ ଇତର ହୀନ ନିକୃଷ୍ଟ କରି ସାହିତ୍ୟର ମର୍ଯ୍ୟାଦା ନଷ୍ଟ କରିବା କେବଳ ଦୁର୍ବଳ ହୃଦୟୀଙ୍କ ପାଖରେ ସମ୍ଭବ।

କଥାରେ ପରା ଅଛି ନମ୍ରନ୍ତି ଫଳୀନ ବୃକ୍ଷା। ଯିଏ ବିଦ୍ୱାନ,ଭଦ୍ର,ପ୍ରତିଭାଧାରୀ ସେ ନଇଁଯାଏ,ଅଭଦ୍ର,ଅସାମାଜିକ,ଅସଭ୍ୟଙ୍କ ବୃଥା ଚିତ୍କାର କି ଶ୍ବାନ ଭୁକାକୁ ଖାତିର ବା କର୍ଣ୍ଣପାତ କରନ୍ତି ନାହିଁ। ନିଜ ସମୟକୁ ଅଯଥା ଅନାଵଶ୍ୟକ ଚର୍ଚ୍ଚା କି ସମାଲୋଚନାରେ ନଷ୍ଟ କରନ୍ତି ନାହିଁ। ନିଜର ବିଶାଳ ମହାନ୍ ମସ୍ତିଷ୍କକୁ ଏଇ ଦଣ୍ଡକିରୀ ମାନଙ୍କ କନକନିଆ ସୁନ ଫଟକା କି ଲଙ୍କାବାଣ ପରି ଶବ୍ଦରେ ପ୍ରଭାବିତ ହୋଇ ବିଚଳିତ କରନ୍ତି ନାହିଁ।

ବର୍ଣ୍ଣବୋଧରେ ପରା ଅଛି,ଅରଣା ମଇଁଷି ରହିଛି ଅନାଇଁ, ମଇଁଷିର ପାଶ ନ ଯାଅ ଦନେଇ। ତେଣୁ କାହା ସହ ଯୁକ୍ତି ନ କରି ନିଜକୁ ବା ନିଜ ମୁଣ୍ଡକୁ ନୂଆଁଇ ଦେଲେ ମନ ଅସ୍ଥିର ହୁଏନା। କାହାର କୁମନ୍ତବ୍ୟ,କୁଭାଷା,ଅସଙ୍ଗତ ଟିପ୍ପଣୀରେ ପ୍ରଭାବିତ ହୋଇ ନିଜର ମାନ ସମ୍ମାନ ଇଜ୍ଜତ ହରାଇବାକୁ ପ୍ରକୃତ ସାହିତ୍ୟିକ ଚାହେଁନା।

ଆରେ ଝିଅ ମଲ୍ଲୀ ଫୁଲ ଯେଉଁଠି ଥିଲେ ବି ବାସ ଚହଟିବ। ଅମରୀ ଫୁଲ ଧରି ତାର ଯେତେ ପ୍ରଚାର ପ୍ରସାର କଲେ ସେଇ ଘୋଷଣାକୁ ଲୋକ ଆଦରିବେ, ହେଲେ ଏ ଅମରୀ ଫୁଲର ପ୍ରଶଂସା କେହି କରିବେ ନାହିଁ। ଜଣେ ଅକାଳ କୁଷ୍ମାଣ୍ଡ, ନାମଜାଦା ଲୋକଙ୍କୁ ଆଣି ଉତ୍ସବ କଲେ ଲୋକ ଗହଳି ବହୁତ ହେବ। ଲୋକ ଆସିବେ ନାମଜାଦା ଲୋକଙ୍କୁ ଦେଖିବାକୁ,ଶୁଣିବାକୁ ମାତ୍ର ଏ ଅକର୍ମାର କଣ କିଛି ଉନ୍ନତି ହୁଏ କି?

ଜ୍ଞାନୀ,ମହତ,ବିଚାରବନ୍ତ ମଣିଷ କାହାର ପ୍ରଚାର,ଅପପ୍ରଚାର, ଧମକ କି ତୋଷମତ ରେ ପ୍ରଭାବିତ ହୁଅନ୍ତି ନାହିଁ। ସେମାନେ ହେଲେ ସ୍ଥିତପ୍ରଜ୍ଞ। କେବଳ ଅଜ୍ଞାନ,ଦୁର୍ବଳ ମସ୍ତିଷ୍କ, ବିକାରଗ୍ରସ୍ତ ବ୍ୟକ୍ତିର ମନ ଚହଲିଯାଏ। ସେମାନଙ୍କୁ ଜ୍ଞାନୀ ଦେଖି ହସନ୍ତି,କିନ୍ତୁ ଅଜ୍ଞାନ ଭାବେ ଏ ହସ ଏକ ଉଚ୍ଚ ପ୍ରଶଂସା କିନ୍ତୁ ଏହା ପ୍ରକୃତରେ ତାହା ନୁହଁ,ତାହା ହିଁ ବିଦ୍ରୁପ ତାକୁ କଣ ଜଣା ଥାଏ?

ଆରେ ମାଆ, ଏଥର ତୁ ତୋ ବାପାଙ୍କୁ କଣ କହିବୁ,ଦୁର୍ବଳ ସାହିତ୍ୟିକ ନାଁ… ଅତି ଦୁର୍ବଳ ତାହା ତୋ ଉପରେ ନିର୍ଭର କରେ। ଏହା କହି ସାର୍ ହସିଦେଲେ। ତୁ ଏଥର ତ ବୁଝିପାରିଥିବୁ ତୋ ପ୍ରଶ୍ନର ଉତ୍ତର। ମୁଁ ଆଗକାଳିକା ଲୋକ,ମୋ ଜ୍ଞାନ ଯେତିକି, ସେତିକିକୁ ପାଥେୟ କରି ଉତ୍ତର ରଖିଲି। ତୋତେ ପସନ୍ଦ ଲାଗିଲେ ଗ୍ରହଣ କରିବୁ।

ଅନନ୍ୟାର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା। ସାରଙ୍କୁ ବିନୟ ଭାବେ କହିଲା ସାର୍ ଆପଣ ମହାନ୍। ସାହିତ୍ୟ ଓ ସାହିତ୍ୟିକ ସମ୍ବନ୍ଧରେ ଯେଉଁ ଜ୍ଞାନ ଦେଲେ ତାହା ମୋ ପାଇଁ ଉପାଦେୟ ନିଶ୍ଚୟ ହେବ। ସତରେ ମୁଁ ଆଜି ଜାଣିପାରିଲି ଜଣେ ସାହିତ୍ୟିକ ହେବା ପାଇଁ କ’ଣ କ’ଣ ଆବଶ୍ୟକ। ସାରଙ୍କୁ ଭୂମିଷ୍ଠ ପ୍ରଣାମ କରି ଏକ ଲୟରେ ଫେରି ଆସିଲା ଅନନ୍ୟା କେମିତି ସେ ଦେଖା କରି ତୁରନ୍ତ ଜଣାଇବ ତା ବାପାଙ୍କୁ।

ଡ୍ରଇଂ ରୁମ୍ ରେ କ’ଣ ଲେଖି ପକାଉଥାନ୍ତି ନାରାୟଣ ବାବୁ। ଅନନ୍ୟା ଆଖି ଛଳ ଛଳ କରି କିଛି କହିବାକୁ ଚାହୁଁଥାଏ, ହେଲେ ତା ପାଟିରୁ କିଛି ବାହାରୁ ନ ଥାଏ। ନାରାୟଣ ବାବୁ କହିଲେ ଆରେ ମା, ଏ ଦୁର୍ବଳ ସାହିତ୍ୟିକକୁ କିଛି କହିବୁ କି? ଏହା କହି ଝିଅର ମୁଣ୍ଡକୁ ନୁଆଇଁ ଆଣିଲେ ଛାତି ପାଖକୁ ଓ ପିଠିଟି ଆଉଁସି ଦେଲେ। ଭୋ ଭୋ ହୋଇ କାନ୍ଦି କହିଲା,ବାପା,ତୁମ ସାର୍ ତୁମକୁଏତେ ଭଲ ପାଆନ୍ତି ! ତୁମ ଉପରେ ଏତେ ବିଶ୍ୱାସ !

ନାରାୟଣ ବାବୁ କହିଲେ ହଁ ରେ ଝିଅ,କାରଣ ମୁଁ ପରା ଏକ ଦୁର୍ବଳ ସାହିତ୍ୟିକ।

ଏହାପରେ ବାପ ଝିଅ ଦୁହେଁ ଫି କିନା ହସି ଦେଲେ,ଯେମିତି ଅନନ୍ୟା ବାପାଙ୍କ ପ୍ରଶ୍ନରେ ଆଗରୁ ହସି ଦେଇଥିଲା।

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x