Reading Time: 3 minutesପିଲାଦିନେ ଆପଣ ଦେଖିଥିବେ ଆମର ଗାଁ ଗହଳିରେ ସାପୁଆ କେଳା, ମାଙ୍କଡ଼ ଖେଳ, ବାଉଁଶ ରାଣୀ ଖେଳ l ସମୟକ୍ରମେ ଏସବୁ ପରିବେଷଣ ବନ୍ଦ ହୋଇଯାଇଛି l ସରକାରଙ୍କର କଡ଼ା ନିୟମ ବ୍ୟବସ୍ଥା ଯୋଗୁଁ ଏ ସମସ୍ତ ନାଟ ତାମସାରେ ରୋକ ଲାଗିଯାଇଛି l ଆମର ପରବର୍ତୀ ପିଢ଼ି ନିମନ୍ତେ ଆଗକୁ ଏହା ଇତିହାସ ହୋଇ ରହିଯିବ l କିନ୍ତୁ ନାଇଜେରିଆରେ ବର୍ତ୍ତମାନ ବି ଏ ସବୁ ଚାଲୁରହିଛି l ଯାଯାବର ସମ୍ପ୍ରଦାୟର ଲୋକମାନେ ବିଦ୍ଧିବଧ ଭାବରେ ଲାଇସେନ୍ସ ଆଣି ଏହି ବନ୍ୟଜନ୍ତୁଙ୍କୁ ସର୍ବସାଧାରଣରେ ପ୍ରଦର୍ଶନ କରିଥାନ୍ତି l ହେଟାବାଘ ଛଡ଼ା ଏମାନେ ମାଙ୍କଡ଼, ନାଗସାପ ଏବଂ ଅଜଗର ସାପକୁ ଆଣି ହଟଚମଟ କରି କ୍ରୀଡ଼ା ପ୍ରଦର୍ଶନ କରିଥାନ୍ତି l ବନ୍ୟଜୀବମାନଙ୍କୁ ଧରି ଏମାନେ ଚିଡ଼ିଆଖାନାକୁ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କୁ ବିକ୍ରି କରିଥାନ୍ତି l କିଛି ବନ୍ୟଜୀବଙ୍କୁ ପାଳନ କରି ପୋଷାମନାଇ ଏମାନେ ବୁଲି ବୁଲି ଖେଳ ପ୍ରଦର୍ଶନ କରାଇଥାନ୍ତି l

ନାଇଜେରିଆ କଥା ଆଲୋଚନା କରିବା ବେଳେ ଗୋଟେ ଦାରିଦ୍ର୍ୟ, ଅନାହାର ଏବଂ ନିଶାଗ୍ରସ୍ତ ସମାଜର ଝାପ୍ସା ଚିତ୍ର ମନକୁ ଆପେ ଆପେ ଚାଲିଆସେ l ନାଇଜେରିଆର ଉତ୍ତର ଭାଗରେ ଏମିତି କିଛି ଯାଯାବର ସମ୍ପ୍ରଦାୟର ଲୋକ ବସବାସ କରନ୍ତି ଯେଉଁମାନେ ନିଜର ପରିବାର ପ୍ରତିପୋଷଣ କରିବା ନିମନ୍ତେ ହାୟେନା ବା ହେଟାବାଘକୁ ଜଙ୍ଗଲରୁ ଆଣି ସର୍ବ ସାଧାରଣରେ ଖେଳ ପ୍ରଦର୍ଶନ କରନ୍ତି l ଏଇମାନେ ହେଲେ ନାଇଜେରିଆର ହାୟେନା ମ୍ୟାନ୍ l
ହେଟାବାଘର ନାଁ ଶୁଣିଲେ ଦେହ ଭୟରେ ଶିହରି ଉଠେ l ଏମାନେ ରକ୍ତପିପାସୁ, ଭୟଙ୍କର, ଚାଲାକ ଏବଂ ଦଳବଦ୍ଧ l ଅନ୍ଧକାର ମାଡ଼ିଆସିଲେ ବନ ଜଙ୍ଗଲରେ ଏମାନେ ସକ୍ରିୟ ହୋଇଉଠନ୍ତି l ନିଜ ଆଖି ଆଗରେ ଯାହାବି ପଡ଼େ ତା ଉପରେ ଏମାନେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ l ପଚାଶଢା ମଢ଼, ମୃତ ପ୍ରାଣୀ ଏମାନଙ୍କର ମୁଖ୍ୟ ଖାଦ୍ୟ l ଦଳବଦ୍ଧ ଭାବରେ ଏମାନେ ଅନ୍ୟ ପ୍ରାଣୀଙ୍କ ଉପରେ ଆକ୍ରମଣ କରିବାର ନଜିର ମଧ୍ୟ ରହିଛି l
ନାଇଜେରିଆର ଏହି ଯାଯାବର ମଣିଷମାନେ ନିଜର ଜୀବିକା ନିର୍ବାହ କରିବା ନିମନ୍ତେ, ନିଜର ପରିବାରକୁ ମୁଠେ ଦାନ ଯୋଗାଡ଼ କରିବା ନିମନ୍ତେ ଏହି ବିପଦଜନକ ପନ୍ଥା ଅବଲମ୍ବନ କରନ୍ତି l ଏମାନେ ଦାରିଦ୍ର୍ୟ ଏବଂ ଅନାହାରରେ ପ୍ରପୀଡ଼ିତ l ନିଜର ପେଟ ଚାଖଣ୍ଡକ ପାଇଁ ଏମାନେ କିଛି ବି କରିବାକୁ ପ୍ରସ୍ତୁତ l ଡ୍ରମ ବାଦ୍ୟର ତାଳେ ତାଳେ ସମସ୍ତଙ୍କ ଆଗରେ ହେଟାବାଘର ମୁହଁରୁ ତୁଣ୍ଡି ଖୋଲି ଦିଅନ୍ତି l ଭୟଙ୍କର ହେଟାବାଘର ପାଟିରେ କେତେବେଳେ ହାତ ପୁରାଇ ଆଉ ନିଜର ମୁଣ୍ଡ ପୁରାଇ ସମବେତ ଜନତାଠାରୁ ବାହାବା ଆଉ କରତାଳି ସାଉଁଟିଥାନ୍ତି ଏମାନେ l ଶକ୍ତ ହେଟାବାଘର ମୁହଁରେ ନିଜର ଜୀବନକୁ ବାଜିଲଗାଇଦିଅନ୍ତି ଏମାନେ l ହେଟାବାଘର ମୁହଁରେ ଗଣ୍ଡିରୁ ମୁଣ୍ଡ ଅଲଗା ହେବାକୁ ଗୋଟିଏ କ୍ଷଣର ଅପେକ୍ଷା ରହିଛି ଏବଂ ସମସ୍ତ ସମ୍ଭାବନା ମହଜୁଦ ଅଛି l ଓଃ ! କେତେ ଭୟଙ୍କର, କେତେ ବିପଦଜନକ ! ତଥାପି ଏମାନେ ନିଜର କଳା ଚାତୁରୀ ଦେଖାଇ ଥାଆନ୍ତି l

ହେଟାବାଘକୁ ଜଙ୍ଗଲରୁ ଧରିବା ପ୍ରକ୍ରିୟା ମଧ୍ୟ ଏତେ ସହଜ ନୁହେଁ l ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଗାଁ ଗୁଡ଼ିକରେ ହେଟାବାଘ ଉପଦ୍ରବ କରିଲେ ଏହି ଯାଯାବର ଶ୍ରେଣୀର ଲୋକମାନେ ସେଠାରେ ଯାଇ ଦଳବଦ୍ଧ ଭାବରେ ପହଞ୍ଚନ୍ତି l ସେଠାକାର ଗ୍ରାମବାସୀଙ୍କ ଠାରୁ ସମସ୍ତ ବିବରଣୀ ସଂଗ୍ରହ କରନ୍ତି ଏବଂ ହାଏନାର ଗତିବିଧି ଉପରେ ନଜର ରଖନ୍ତି l ଏମାନଙ୍କର ଲକ୍ଷ୍ୟ ଥାଏ ହେଟା ବାଘର ଛୁଆଗୁଡ଼ିକୁ ସଂଗ୍ରହ କରିବା l ଭୟଙ୍କର ମା ହେଟାବାଘ ପାଖରୁ ତାର ଛୁଆଙ୍କୁ ଆଣିବା ଏକଦମ କାଠିକର ପାଠ l କୌଣସି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଆଶଙ୍କା ରହିଛି l ସେମାନଙ୍କର ଆଦିମ ବିଶ୍ୱାସ ଅନୁଯାୟୀ ସେମାନେ ହେଟାବାଘର କୋରଡ଼ ପାଖରେ ମନ୍ତ୍ରତନ୍ତ୍ର ପାଠ କରନ୍ତି ଏବଂ ଝୁଣା ଦୀପ ପ୍ରଦାନ କରନ୍ତି ଏବଂ ଏହା ଦ୍ୱାରା ମା ହେଟାବାଘ ସେମାନଙ୍କର ବସ୍ତା ସ୍ୱୀକାର କରେ ବୋଲି ସେମାନେ ବିଶ୍ୱାସ କରନ୍ତି l ଏହା ମଧ୍ୟ ଠିକ ହୁଏ ଏବଂ ସେମାନେ କୌଣସି ପ୍ରକାରେ ହେଟାବାଘର ଛୁଆଙ୍କୁ ଧରିବାରେ ସକ୍ଷମ ହୁଅନ୍ତି l ଛୋଟବେଳୁ ହେଟା ବାଘର ଛୁଆଗୁଡ଼ିକୁ ଲାଳନ ପାଳନ କରି ଏମାନେ ବଡ଼ କରାନ୍ତି ଏବଂ ସେଗୁଡ଼ିକୁ ବିଭିନ୍ନ ପ୍ରକାରର କ୍ରୀଡ଼ା କୌଶଳର ତାଲିମ ପ୍ରଦାନ କରାନ୍ତି l
ଏହି ହେଟାବାଘ ଖେଳ ଦେଖାଇ ନିଜର ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ବର୍ତ୍ତମାନ ଆଶା ଏବଂ ଆଶଙ୍କା ଭିତରେ ଗତି କରୁଛନ୍ତି l ସେମାନେ କୁହନ୍ତି ଯେ, ହାଏନା ମୁହଁରେ କେବେ ଜୀବନ ଚାଲିଯିବ ସେ ସମ୍ପର୍କରେ ସେମାନେ ଚିନ୍ତିତ ନୁହଁନ୍ତି l ସେମାନଙ୍କର ବଡ଼ ଚିନ୍ତା ହେଉଛି ଯଦି ଦେଶର ସରକାର ବଦଳିଯାଏ ସେମାନଙ୍କର ଖେଳ ଉପରେ ଅଙ୍କୁଶ ଲାଗିଯିବାର ସମ୍ଭାବନା ରହିଛି l ତେଣୁ ସେମାନେ ଅତୀତରୁ ଚାଲି ଆସୁଥିବା ଏହି ଆଦିମ କ୍ରୀଡ଼ା କୌଶଳ ଉପରେ ସେମାନଙ୍କର ଆଶଙ୍କା ବ୍ୟକ୍ତ କରନ୍ତି l ଯଦି ସେମାନଙ୍କର ଲାଇସେନ୍ସ ଉପରେ କଟକଣା ଲାଗୁ ହୁଏ ବା ଲାଇସେନ୍ସ ବାତିଲ ହୋଇଯାଏ ତେବେ କ୍ଷୁଧା ଏବଂ ଦାରିଦ୍ର୍ୟରେ ପ୍ରପୀଡ଼ିତ ଗୋଟିଏ ଦେଶରେ ସେମାନେ ନିଜର ପରିବାରକୁ କିପରି ପୋଷିବେ ଏହା ଏବେ ବି ଗୋଟିଏ ବିରାଟ ପ୍ରଶ୍ନ ହୋଇ ରହିଯାଇଛି ସେମାନଙ୍କ ପାଇଁ l
