Warning: The magic method Vc_Manager::__wakeup() must have public visibility in /home2/utkalodi/public_html/wp-content/plugins/js_composer/include/classes/core/class-vc-manager.php on line 202
Story of ramayan in odia

ରାମାୟଣର ନିଦର୍ଶନ

1507922588 6085
Reading Time: 2 minutes

ଯୁଗେ ଯୁଗେ ରାକ୍ଷସମାନଙ୍କ ସଂହାର ପାଇଁ ଭଗବାନ ଧରିଥାନ୍ତି ଅସ୍ତ୍ର । କେବେ ସେ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ତ କେବେ ତ୍ରେତୟା ଯୁଗର ରାମଚନ୍ଦ୍ର ସାଜି । ଆଉ ଛାଡ଼ିଯାଆନ୍ତି କିଛି ସତ୍ୟ-ଆଦର୍ଶର ଗାଥା ଯାହା ଯୁଗ ଯୁଗକୁ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ବହନ କରେ । ପ୍ରଚଣ୍ଡ ରୌଦ୍ରତାପରେ କରୋନାରୂପୀ ମହାମାରୀ ରାକ୍ଷସର କରାଳ ଛାୟା ତଳେ ଯେତେବେଳେ ମଣିଷ ଜର୍ଜରିତ, ସେତେବେଳେ ସେ ଆସ୍ଥା ପ୍ରକଟ କରିଛି ଧର୍ମମାର୍ଗ ଓ ଇଶ୍ୱରଙ୍କ ଉପରେ ।

ରାମାୟଣର ପୁରୁଷୋତ୍ତମ, ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କର ଜୀବନ ଦର୍ଶନକୁ ଅନୁଧ୍ୟାନ କଲେ ହୁଏତ କରୋନା ଆତଙ୍କରେ ତ୍ରାହି ତ୍ରାହି ଡାକ ଛାଡ଼ୁଥିବା ମନୁଷ୍ୟ ନିଜକୁ ସଚେତନ କରିବ ଓ ନିଜ ଚେତନାକୁ ଜାଗ୍ରତ କରି ସଜାଗ ରହିବ । ଏହି ପରିପ୍ରେକ୍ଷୀରେ ଯଦି ଆମେ ରାମଚନ୍ଦ୍ରଙ୍କ ପିତୃଭକ୍ତିର ନିଦର୍ଶନ ଉପରେ ଦୃଷ୍ଟି ଅବଲୋକନ କରିବା, ପିତୃସତ୍ୟ ରକ୍ଷା କରିବାପାଇଁ ତାଙ୍କର ୧୪ ବର୍ଷ ବନବାସର କଣ୍ଟକିତ ଜୀବନ ଆମକୁ ପଥ ପ୍ରଦର୍ଶନ କରିଛି ୧୪ ଦିନର କ୍ୱାରେଣ୍ଟାଇନ୍ ପାଇଁ ।

‘ବନବାସ’ର ଏକ ସ୍ୱତନ୍ତ୍ର ଅର୍ଥ ରହିଛି । କେବଳ ବଣରେ ଭ୍ରମଣ କରିବାକୁ ବନବାସ କୁହାଯିବା ଯଥାର୍ଥ ନୁହେଁ । ଯେତେବେଳେ କୌଣସି ବ୍ୟକ୍ତି ତା’ର ଦୈନନ୍ଦିନ ଜୀବନର ସୁଖ ସମ୍ଭୋଗ୍ୟରୁ ବାହାରି ଏକ ଅଜଣା ସ୍ଥାନର ନିରସ, ନିଃସଙ୍ଗ ଜୀବନଯାପନ କରେ ତାହାହିଁ ବାସ୍ତବରେ ବନବାସ । ରାମଙ୍କ ବନବାସର କାରଣ ଥିଲା ପିତୃସତ୍ୟ ପାଳନ ଆଉ ଆମ ପାଇଁ ୧୪ ଦିନର ସଙ୍ଗରୋଧ ବା ପୃଥକବାସର ଅର୍ଥ କରୋନା ନିବାରଣ । ବିଶ୍ୱର ୯୭ ପ୍ରତିଶତ ଲୋକ ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ପ୍ରାୟତଃ ୧୧ରୁ ୧୨ ଦିନ ମଧ୍ୟରେ ଲକ୍ଷଣ ଦେଖାଇଥାନ୍ତି ମାତ୍ର ୯୯ ପ୍ରତିଶତ ଲୋକଙ୍କ ପାଇଁ ଏହି ସମୟ ଅବଧି ୧୪ ଦିନ । ତେଣୁ ୧୪ ଦିନ ସଙ୍ଗରୋଧକୁ କରୋନା ନିବାରଣର ଅସ୍ତ୍ର ଭାବେ ପ୍ରୟୋଗ କରାଯାଉଛି । ଏବେ ସଧାରଣ ଲୋକମାନଙ୍କ ମନରେ ପ୍ରଶ୍ନ ଉଠେ, ରାମଚନ୍ଦ୍ରଙ୍କୁ ୧୪ ବର୍ଷ କାହିଁକି? ଏହାର ଯୁକ୍ତି ଉପସ୍ଥାପନ କରିବାକୁ ଯାଇ କେବଳ ଏତିକି କୁହାଯାଇପାରେ, ଯଦି କେହି ନିଜ ରାଜ୍ୟରୁ ୧୪ ବର୍ଷ ପାଇଁ ଅନ୍ତର୍ଦ୍ଧାନ ହୁଏ, ତେବେ ସେ ରାଜା ହେବାର ସୌଭାଗ୍ୟରୁ ନିବୃତ୍ତ ହେବ ।

କଥାରେ ଅଛି –

ସଂସାର ଭିତରେ ଘର କରିଥିଲେ,
ପଥର ପଡ଼ିଲେ ସହି ।

କୈକେୟୀଙ୍କ ମନ୍ଦ ଉଦ୍ଦେଶ୍ୟର ଚରିତାର୍ଥ କରିବାକୁ ଯାଇ ରାମଙ୍କର ବନବାସ ଗମନ କେଉଁ ଏକ ନିର୍ବାସନ ଦଣ୍ଡରୁ କମ୍ ନଥିଲା । ତଥାପି ଏହି ସମୟରେ ତାଙ୍କର ହାତ ଛାଡ଼ିନଥିଲେ ପତ୍ନୀ ସୀତା ଓ ଆଦରଣୀୟ ଅନୁଜ ଲକ୍ଷ୍ମଣ । ଯେପରି କରୋନା ଭାଇରସ୍ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିବା ବେଳେ ଆମକୁ ସାନ୍ତ୍ୱନା ଦେଇଆସିଛନ୍ତି ଡାକ୍ତର ଓ ନର୍ସମାନେ । ‘ମାନବ ସେବା ହିଁ ମାଧବ ସେବା’କୁ ପାଥେୟ କରି କରୋନା ଆକ୍ରାନ୍ତ ମଣିଷକୁ ନୂଆ ଜୀବନ ଦେବା ଓ ସେଥିପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ସେମାନଙ୍କ ପାଇଁ କୌଣସି ଅଗ୍ନିପରୀକ୍ଷାଠାରୁ କମ୍ ନୁହେଁ ।

ପ୍ରଜାବତ୍ସଳ ରାମଚନ୍ଦ୍ର ରାଜକୀୟ ସୁଖ ସମ୍ଭୋଗରୁ ବାହାରି ଫଳମୂଳ ଆହାର କରିବା, ଝରଣାର ମଧୁର ଜଳ ପାନ କରିବା, ପ୍ରକୃତିର କୋଳରେ ସୁଖ ନିଦ୍ରାଯାପନ କରିବା ବୋଧେ ଆମକୁ ଶିଖାଇ ଦେଇଛି ସାମାଜିକ ଦୂରତ୍ୱର (Social Distancing) ମୂଳ ମନ୍ତ୍ର । ସ୍ୱପୃହ ନିଜ ପରିବେଶରେ ରହିବା, ସୁସ୍ଥ ଖାଦ୍ୟ ଖାଇବା, ଖାଦ୍ୟ ସଞ୍ଚୟ କରିବା, ପରିବାର ସହ ମଧୁର ସମ୍ପର୍କରେ ବାନ୍ଧିହୋଇ ଆନନ୍ଦରେ କାଳାତିପାତ କରିବା ।

ରାମାୟଣ କେବଳ ଏତିକିରେ ସୀମିତ ନୁହେଁ, ଏହାର ପରିସର ଆହୁରି ବ୍ୟାପ୍ତ । ଏବେ ଆସିବା ତାଲାବନ୍ଦ (Lockdown) ପାଖକୁ । ପ୍ରଧାନମନ୍ତ୍ରୀଙ୍କ ଆଦେଶକ୍ରମେ ସମଗ୍ର ଦେଶରେ ତାଲାବନ୍ଦ କେତେଦୂର ସମୀଚୀନ? ଅନେକ ଲୋକ ଏହାକୁ ସମର୍ଥନ କରିଥିବା ବେଳେ କେତେ ଲୋକ ଏହା ବିପକ୍ଷରେ ସ୍ୱର ଉତ୍ତୋଳନ କରୁଛନ୍ତି । ବିଭିନ୍ନ ଗୁଜବର ବଶବର୍ତ୍ତୀ ହୋଇ ନିଜକୁ ଭୁଲ୍ ମାର୍ଗରେ ପରିଚାଳିତ କରାଉଛନ୍ତି । ନିଆଁରେ ଘିଅ ପକାଇଲା ପରି ଏହି ସବୁକୁ ଇନ୍ଧନ ଯୋଗାଉଛି ଗଣମାଧ୍ୟମ । ଠିକ୍ ଯେପରି ଛଦ୍ମବେଶୀ ରାବଣର ଛଳନା ମାତା ସୀତାଙ୍କୁ ଲକ୍ଷ୍ମଣରେଖା ପାରିହେବା ପାଇଁ ବାଧ୍ୟ କରିଥିଲା । ସେଦିନର ସୀତା ଲକ୍ଷ୍ମଣରେଖା ପାରିହୋଇ ମହାବିପଦର ସାମ୍ନା କରିଥିଲେ ଓ ଆଜିର ମଣିଷ ତାଲାବନ୍ଦକୁ ଅମାନ୍ୟ କରି କରୋନାକୁ ଆମନ୍ତ୍ରଣ କରିବା କେବେବି ଯଥାର୍ଥ ନୁହଁ । ତାଲାବନ୍ଦ ଆମ ପାଇଁ ହୋଇଛି ଓ ଆମେ ଏହାର ପାଳନ କରିବା ଦରକାର ।

ରାମଭକ୍ତ ହନୁମାନ ନିଜ କର୍ତ୍ତବ୍ୟର ପରାକାଷ୍ଠା ଦେଖାଇ ଅପୂର୍ବ ସୌନ୍ଦର୍ଯ୍ୟ ଶୋଭିତ ସ୍ୱର୍ଣ୍ଣପୁରୀ ଲଙ୍କାକୁ ଭଷ୍ମ କରିଦେବା ସହ ମାତା ସୀତାଙ୍କୁ ଉଦ୍ଧାର କରିବାରେ ରକ୍ଷକ ସାଜି ଯୁଗଯୁଗକୁ ନମସ୍ୟ ହୋଇ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱର ସଙ୍କଟମୟ ପରିସ୍ଥିତିରେ ପୋଲିସ୍ ପ୍ରଶାସନ ତା’ର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରୁଥିବା ବେଳେ ଆମ୍ଭେମାନେ ତାଙ୍କୁ ସହଯୋଗର ହାତ ବଢ଼ାଇବା ନାହିଁ କାହିଁକି? ଭାରତୀୟ ନାଗରିକ ହିସାବରେ ଏହା ଆମର ନୈତିକ ଦୃଢ଼ତା, ଐକବଦ୍ଧ ଓ ଜାତୀୟ ମହାଭାବନାକୁ ସୂଚାଇଥାଏ । ସେମାନଙ୍କ ପ୍ରତି ଅସଦାଚରଣ ହେବ ଇଶ୍ୱରଙ୍କ ପ୍ରତି ଅସଦାଚରଣ, ଅନର୍ଥ ।

ଦେବତା ଓ ଅସୁରର ଲଢ଼େଇ ଭିତରେ ସୁବୁବେଳେ ଅସୁରର ପରାଜୟ ସନିଶ୍ଚିତ । “କରୋନା ହାରିବ, ମଣିଷ ଜିତିବ ।” ଜାତିଗତ, ଧର୍ମଗତ, ରାଜନୈତିକ, ସମସ୍ତପ୍ରକାର ବୈଷମ୍ୟ ନିର୍ବିଶେଷରେ ଆମ୍ଭମାନଙ୍କୁ ଏକ ହୋଇ ଦଣ୍ଡାୟମାନ ହେବାକୁ ପଡ଼ିବ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Oldest
Newest Most Voted
0
Would love your thoughts, please comment.x
()
x