Solution or samaadhaan in odia

ସମାଧାନ

samadhaan
Reading Time: 2 minutes

ଆପଣଙ୍କ ବାବା ଜଣେ ଭଦ୍ରଲୋକ ଥିଲେ l ପୁରା ଦଶ ଖଣ୍ଡ ଗାଆଁରେ ଯେତେ ନ୍ୟାୟ ନିଶାପ ହୁଏ, ସେଠି ସେ ଉପସ୍ଥିତ ରହୁଥିଲେ l ଆଉ ଆପଣତ ତାଙ୍କ ପୁଅ l କିଛି ତ କଳା ଥିବ l ମନା କରନ୍ତୁ ନାହିଁ l ଟିକିଏ ସମୟ ବାହାର କରି କାଲି ସନ୍ଧ୍ୟା ବେଳେ ଆମ ଘରକୁ ଆସିବେ l କିଛି ନ କହିଲେ ନାହିଁ l ଟିକେ ବସିବେ l

ବାପାଙ୍କ ପ୍ରତି ଏତେ ସମ୍ମାନ ଓ ଆଦର ଦେଖି ମୁଁ ଆଉ ମନା କରି ପାରିଲି ନାହିଁ l ଯିବା ପାଇଁ ସମ୍ମତି ଜଣେଇଲି l ମୋ କଥାରେ ଆଶ୍ୱସ୍ତ ହୋଇ ରମା ବାବୁ ଗଲେ l ଭୁବନେଶ୍ୱରରେ ଚାକିରି କରିଛନ୍ତି l ଗାଆଁକୁ ଆସିଛନ୍ତି ଜମିବାଡି, ଘର ଡିହ ବଣ୍ଟାବଣ୍ଟି ପାଇଁ l ସେମାନେ ତିନି ଭାଇ ଆଉ ଦୁଇ ଭଉଣୀ l ବାପା ବୋଉଙ୍କ ଦେହାନ୍ତ ପରେ ଏକାଠି ରହିବା ସମସ୍ତଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡିଲା l ତାଙ୍କ ଦେହାନ୍ତକୁ ଯେମିତି ଏମାନେ ଅପେକ୍ଷା କରି

ରହିଥିଲେ l ମଝିଆ ଭାଇ ମଧ୍ୟ କଲିକତାରେ ଚାକିରି କରନ୍ତି l ସାନ ଭାଇ କେବଳ ଗାଆଁରେ ରହେ l ଗାଆଁ ପାଖ ବିଦ୍ୟାଳୟରେ ଶିକ୍ଷକତା କରେ l ଝଗଡା ନ ହେଲେ ବି ଆସ୍ତେ ଆସ୍ତେ ଅସନ୍ତୋଷ ବଢିଚାଲିଛି, ଜମିବାଡି ଓ ଘରଡିହର ଭାଗବଣ୍ଟା ନେଇ l ସେଥିପାଇଁ ସବୁ ଭାଇ ଭଉଣୀ ଏକତ୍ରିତ ହୋଇ ମୋତେ ଘରକୁ ଜଣେ ଭଦ୍ରଲୋକ ହିସାବରେ ଡାକିଛନ୍ତି l ଭାବିଲି ଯିବି, ଯାହା କହିବେ ଧୈର୍ଯ୍ୟ ଧରି ଶୁଣିବି l ଯଦି ଇଚ୍ଛା ହୁଏ କିଛି ମତ ଦେବି l ନହେଲେ ଚୁପ୍

ରହିବି l ତା’ ପର ଦିନ ତାଙ୍କ ଘରକୁ ଗଲି l ପରିସ୍ଥିତି ଟିକେ ଗରମ ଥିବା ଭଳି ଲାଗିଲା l ସମସ୍ତଙ୍କ ମୁହଁ ଫୁଲା ଫୁଲା l ମତେ ନମସ୍କାର କରି ବସେଇଲେ l ଆସ୍ତେ ଆସ୍ତେ ଜାଣିଲି ଯୁକ୍ତିତର୍କ ଚାଲିଛି କିଏ କ’ଣ ଦେଇଛି….. କାହାର କେତେ କ୍ଷମତା, କାହାର କେତେ ଅଧିକ ସ୍ୱଚ୍ଛଳତା, କାହାର କେତେ ଡିପୋଜିଟ୍ ଓ କାହାର କେତେ ବ୍ୟାଙ୍କ୍ ବାଲାନ୍ସ୍ ଇତ୍ୟାଦି ଇତ୍ୟାଦି l କିଛି ସମୟ ପରେ ବଡ ପୁଅ କିଛି କାଗଜ ଆଣି ସମସ୍ତଙ୍କ ସାମ୍ନାରେ ରଖିଲେ l

ମୋରି ଉପସ୍ଥିତିରେ ସମସ୍ତେ ପାଳି ପାଳି କରି ତନଖି ତନଖି ଦେଖୁଥାନ୍ତି l ବୁଝିବାକୁ ଡେରି ହେଲାନି ଯେ ସେଇଟା ଭାଗବଣ୍ଟାର ଏକ ନମୁନା l କୌଣସି ନା କୌଣସି ବିନ୍ଦୁରେ ଜଣଙ୍କର ବିରୋଧ ରହୁଥିଲା l ତିନିଜଣଙ୍କର ରାୟ ତିନି ପ୍ରକାର ଥିଲା l ଦୁଇ ଭଉଣୀ ଭାଇମାନଙ୍କ ଏତାଦୃଶ୍ୟ ହାବଭାବ ଦେଖି ନିରବଦ୍ରଷ୍ଟା ସାଜିଥିଲେ l ମଝିରେ ମଝିରେ କିନ୍ତୁ ସେମାନେ କହୁଥାନ୍ତି, ଆରେ ଆମେ ସମସ୍ତେ ତ ଭାଇ ନା….? କିଏ କ’ଣ ଅଲଗା ଲୋକ ନେଇ ଯିବ କି ?

କାହାର ଟିକେ କମ୍ ହୋଇଯିବ l କାହାର ଟିକେ ବେଶି ହୋଇଯିବ l କିନ୍ତୁ ଯେତେବେଳେ ହିସାବରେ ଇଞ୍ଚେ କମ୍ ପଡୁଛି, ଭୀମ ଭଳି ଅଡି ବସୁଛନ୍ତି l ଦେଖିଲି ତୁଟିବାର ସମ୍ଭାବନା କ୍ଷୀଣ l ଅଣନିଃଶ୍ୱାସୀ ଲାଗିଲା l ପରିସ୍ରା କରିବା ବାହାନାରେ ବାହାରକୁ ଆସିଲି l ବାଟ ଘର କାନ୍ଥରେ ଲଗାଯାଇଥିବା ଫଟୋକୁ ଦୁଇଟି କୁନି ଛୁଆ ଚିହ୍ନା ଚିହ୍ନି ହେଉଛନ୍ତି l

ରମାବାବୁଙ୍କ ମାଆଙ୍କ ବଡ ଫଟୋଟିକୁ ଦେଖି ଗୋଟିଏ କୁନି ଝିଅ କହିଲା, ଏଇଟା ଆଇଙ୍କ ଫଟୋ l ଅନ୍ୟ ଝିଅଟି ବିରକ୍ତ ହୋଇ କହିଲା, ନା……ରେ ଏଇଟା ଜେଜେମାଆଙ୍କ ଫଟୋ l ବୁଝିବାକୁ ଡେରି ଲାଗିଲାନି, ତାଙ୍କ ଭିତରୁ ଜଣେ ଭାଇର ଝିଅ, ଅନ୍ୟଟି ଭଉଣୀର ଝିଅ l ତାଙ୍କ ଝଗଡା ଆସ୍ତେ ଆସ୍ତେ ବଢିବାକୁ ଲାଗିଲା l

ବେଶ୍ କୌତୁହଳର ସହ ମୁଁ ଉପଭୋଗ କରୁଥାଏ l ଦୁହେଁ ଅଡି ବସିଲେ ନିଜ ନିଜ ଜିଦରେ l ଶେଷରେ ଜଣେ ଟିକେ ଚିନ୍ତା କରି କହିଲା, ଆରେ ମୁଁ ଭାବୁଛି ତାଙ୍କ ଡାକ ନାଁ ଜେଜେମାଆ ଆଉ ସ୍କୁଲ୍ ନାଁ ଆଇ ।ଲାଗିଲା ଦୁହେଁ ଏକମତ ହୋଇଗଲେ l ମୁଁ ଭାବିଲି ଏତେ ଛୋଟ ଛୋଟ ଦୁଇଟା ପିଲା l କେତେ ଆରାମରେ ସେମାନଙ୍କ ଝଗଡାର ସମାଧାନ କରିଦେଲେ l ଆଉ ଏମାନେ ଏ ବୟସରେ ଏତେ ପାଠ ଶାଠ ପଢି, ଏତେ ପ୍ରତିପତ୍ତିସମ୍ପନ୍ନ ହୋଇ ମଧ୍ୟ ନିଜ ଛୋଟ ସମସ୍ୟାର ସମାଧାନ କରିପାରୁନାହାନ୍ତି l

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x