
ଗୋଟିଏ ଦିନ ଜିଦି କରି ସୀମା ବାହାରିଲା ବାପଘରକୁ।
ଆଉ ତିନିମାସ ପରେ ଡେଲିଭରି ଡେଟ ଦେଇଛନ୍ତି ଡାକ୍ତର।
ବୋହୁ ର ଜିଦି ଦେଖି ମମତା ସ୍ନେହରେ କହିଲେ,”ମା ରେ ! ଏଇଠି ଆମର ତ ଡାକ୍ତରଖାନା ଅଛି ଓ ଡେଲିଭରି କଣ ଏଠି ହେଉନି ? ତା ଛଡ଼ା ମୁଁ ନିଜେ ତୋର ସବୁ ଯତ୍ନ ନିଅନ୍ତି। ଦୁଇଦିନ ଗଲେ ପରା ମାଣ ଓଷା । ଆଉ ତୁ ଘରର ବୋହୂ ହୋଇ ବାପଘରକୁ ଯିବାଟା କଣ ଠିକ ହେବ? ତା ଛଡାଏଇଟା ପରା ଏବେ ତୋ ଘର।”
ନିର୍ବିକାର ଭାବେ ସୀମା କହିଲା, “ବୋଉ ! ଆମ ଘରେ ଏଠିକା ଅପେକ୍ଷା ବେଶୀ ଅଧିକା ସୁବିଧା ହେବ। ମୋ ଭାଉଜଙ୍କର ବଡ଼ ଭାଇଙ୍କ ସେଠାରେ ବଡ଼ ପ୍ରାଇଭେଟ ନର୍ସିଂ ହୋମଟି ଆମ ଘର ପାଖରେ।ମମି,ଭାଇ,ଭାଉଜ ଓ ଚାକର ବାକର ସମସ୍ତେ ଅଛନ୍ତି। ଆଉ ତା ଛଡା ୟାଙ୍କର ତ ସବୁବେଳେ ଟୁର ଆଉ ଟ୍ରେନିଙ୍ଗ।”
“ସେ ସବୁ ଠିକ ଅଛି ଯେ ; କିନ୍ତୁ ସମୁଦୁଣିଙ୍କୁ ମୁଁ ତୋ ଯିବା ବିଷୟରେ କିଛି କହିନି। ତୁ ଏମିତି ହାଠାତ୍ ବାହାରିଲୁ ଯେ ମୋତେ ମାଡି ମାଡି ପଡୁଛି ?”
“ବୋଉ ! ମୁଁ ଆମ ଘରକୁ ଯିବା ପାଇଁ କଣ କାହାକୁ ଆଗୁଆ କହିବା ଦରକାର ?ହଠାତ୍ ପହଁଚି ସମସ୍ତଙ୍କୁ ସରପ୍ରାଇଜ ଦେବି ବୋଲି ଭାବୁଛି।”
ଏଇ କଥା ଶୁଣି ଚୁପ୍ ରହିଲେ ମମତା।
ସୀମାକୁ କଟକରେ ଛାଡି ନିହାର ହାଇଦ୍ରାବାଦ ଟ୍ରେନିଂ ପାଇଁ ଚାଲିଗଲା।
ଘରେ ସମସ୍ତେ ସୀମାକୁ ଦେଖି ଆଶ୍ଚର୍ଯ୍ୟ।
“ତୋର ଜୋଇଁଙ୍କ ସହ କିଛି ଝଗଡା ହୋଇନି ତ ? ହାଠାତ୍ ଏମିତି ଆସିଲୁ ; ତା ଛଡା ଏ ଅବସ୍ଥାରେ ତୋ ଶାଶୁ ତୋତେ ଛାଡ଼ିଲେ କେମିତି ?ସେଇଠି ପରା ଡେଲିଭରୀ ହୋଇଥାନ୍ତା”, ବୋଲି
ସୁଶୀଳା କହିଲେ।
“ଓହୋ ମମି , ଡେଲିଭରି ପାଇଁ ଆଗୁଆ ଚାଲିଆସିଲି।ସେଠା ଅପେକ୍ଷା ଏଇଠିକା ସୁବିଧା ବେଶ୍ ଭଲ। ମୁଁ ଆସିଲି ବୋଲି ତୁ କଣ ଖୁସି ନୁହେଁକି ?”
ବଡ଼ ଭାଉଜ ସରବତ ଗ୍ଲାସ୍ ଦେଇ କହିଲେ, “ଏଠି ଖାଲି ଟଙ୍କା ଲୁଟି ସିଜରିୟାନ କରି ଦେଉଛନ୍ତି। ବରଂ ତମ ଶାଶୁଘର ଆଡ଼େ ଛୋଟ ଜାଗା ବୋଲି ଡାକ୍ତର ଗୁଡା ବହୁତ ଭଲ।”
ସୀମା ଉପର ମହଲାକୁ ନିଜ ରୁମକୁ ଆସି ; ଭାଉଜଙ୍କ ସାନ ଭଉଣୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।
“ମମି ! ମୋ ରୁମ ତାଲା କିଏ ଖୋଲିଲା ? ଡ୍ୟାଡି ମରିଗଲେ ବୋଲି ; ଏ ଘରେ ମୋର ଅଧିକାର ସରିଗଲା ନା କଣ?”
“ମୋ ରୁମରେ ସେ କାହିଁକି ରହିଛି ?
ତା ହେଲେ ମୁଁ ରହିବି କେଉଁଠି ?”
ଝିଅ କଥା ଶୁଣି ଚୁପ ରହିଲେ ସୁଶୀଳା।
” ଓହୋ ସୀମା ; ବାହାହେଲା ପରେ ବି ତମ ଜିଦି ଯାଇନି।”
“ମୋ ଭଉଣୀ ପରା ଏଠି ଏମ.ବି.ଏ କରୁଛି।ତା ଛଡା ଏ ବେଳରେ ତମ ପାଇଁ ଉପର ମହଲା ଜମାରୁ ଠିକ୍ ନୁହେଁ। ତେଣୁ ତୁମେ ତଳ ମହଲା ଗେଷ୍ଟ ରୁମରେ ରହିବ।
ତା ଛଡ଼ା ତୁମେ କଣ ଜାଣିନ ଯେ ବାହା ହେଲା ଝିଅ ତ ବାପ ଘରେ କୁଣିଆ ବୋଲି।”
ମନଟା ମରିଗଲା କିନ୍ତୁ ସୀମାର।
ସତରେ କଣ ନିଜ ଘରେ ସେ କୁଣିଆ ?
“ଦେଖେ ରେ ମା, “ଏ ଘରେ ମୋର ଆଉ ଆଗପରି କର୍ତ୍ତୃତ୍ବ ନାହିଁ ; ତା ଛଡା ଏବେ ତୋ ଭାଇ ଆଉ ଭାଉଜ ଘର ସମ୍ଭାଳୁଛନ୍ତି।”
ଧୀର ସ୍ୱରରେ ମମିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲା ସୀମା।
ପରଦିନ ବହୁତ ଏକୁଟିଆ ଲାଗୁଥିଲା ସୀମାକୁ।
ଭାଉଜ ଚିତା ପକାଇ ମାଣ ସଜାଡ଼ିଲା ବେଳେ ; ନିଜ ଶାଶୁଙ୍କ ସ୍ନେହ ବୋଳା କଥା ଆଉ ଘର ଅଗଣା ମନେ ପଡି ଯାଉଥିଲା ସୀମାର।
ତଥାପି ନିଜ ମନକୁ ଦମ୍ଭ କଲା ସୀମା।
ପରଦିନ ଭାଉଜ ମାଣଓଷା କୋଠ ଭୋଗ ସମସ୍ତଙ୍କ ପାଟିରେ ଦେଉଥିଲା ବେଳେ ; ସୀମା ପାଟି ମେଲାଇ ବଡ଼ ଆଁ କରିଦେଲା।ଏ ଭୋଗ ତାର ଭାରି ପସନ୍ଦ।
“ହାଁ, ହାଁ ବୋହୂ, କୋଠ ଭୋଗ ସୀମାକୁ ଦେବୁନି।ସେ ପା ବାହା ହେଲା ଝିଅ।ତା ଗୋତ୍ର ଅଲଗା।”
ମମିଙ୍କ କଥା ଶୁଣି ସୀମାକୁ ଲାଗିଲା: କିଏ ଯେମିତି ତା ଗାଲରେ ଗୋଟିଏ ଶକ୍ତ ଚଟକଣା ମାରିଲା ବୋଲି।
ଆଖିରେ ଆଖିଏ ଲୁହ ଓ ମନରେ ଅଭିମାନ।
ପଣତ କାନିରେ ଆଖିରୁ ଲୁହ ପୋଛି ବେଡ଼- ରୁମକୁ ଚାଲିଗଲା ଏବଂ ମନକୁ ମନ କଣ ଭାବିଲା କେଜାଣି ;ସାଙ୍ଗେ ସାଙ୍ଗେ ଗୋଟିଏ ଟ୍ୟାକ୍ସି ଡାକି ସୀମା କାହା କଥା ନ ଶୁଣି ପହଞ୍ଚିଗଲା ଶାଶୁଘରେ।
ଅବେଳରେ ବୋହୂର ଫେରିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମମତା।
ତାଙ୍କୁ କୁଣ୍ଢାଇ ପକାଇ ବହେ କାନ୍ଦିପକାଇଲା ସୀମା।
“ଆପଣ ଠିକ୍ କହୁଥିଲେ ବୋଉ ; ମାଣ ଓଷାରେ ବୋହୁ ବାପ ଘରକୁ ଯିବା ଠିକ୍ ନୁହେଁ।”
_ମମତା ଜାଣି ପାରିଲେ :ବୋହୂକୁ କିଛି ଶକ୍ତ ଧକ୍କା ଲାଗିଛି। ଠାକୁର ଘରୁ ମାଣଓଷା ଭୋଗ ତା ପାଟିରେ ଦେଇ କହିଲେ,”ମୁଁ ଜାଣେ ; ଏ ଭୋଗ ତୋର କେତେ ପ୍ରିୟ।ସକାଳୁ କେତେ ମନେ ପକାଉଥିଲି।ଆଜିକା ଦିନରେ ଘର ଲଷ୍ମୀ ପ୍ରତିମା ଘରେ ନଥିଲେ କଣ ଭଲ ଲାଗେ ?”
“କ୍ଷୀରି, ଖେଚେଡି, ପିଠା ସବୁ କରିଛି। ମୋ ଲକ୍ଷ୍ମୀ ମା ଭଲ ଦିନରେ ଘରକୁ ଫେରି ଆସିଛି। ସବୁବେଳେ ମନେରଖିଥା : ସେଇଟା ତୋ ବାପଘର ;ହେଲେ ଏଇଟା ତୋ ନିଜ ଘର।”
ଶାଶୁଙ୍କୁ ପୁଣି ଥରେ କୁଣ୍ଢାଇ ପକାଇଲା ସୀମା।
This beautiful story curated from the web.