ବିଭତ୍ସ ଶବ ଖୋଜୁଥିବା ଜଣେ ଭିନ୍ନ ମଣିଷ - Utkal Odisha

ବିଭତ୍ସ ଶବ ଖୋଜୁଥିବା ଜଣେ ଭିନ୍ନ ମଣିଷ

WhatsApp Image 2020 02 26 at 12.43.53 PM
Reading Time: 3 minutes

ମାୟାନଗରୀ ମୁମ୍ବାଇ! ଏଠି ଜୀବନ ଜୀବିକାର ଧାଁ ଦୌଡ଼ରେ ବ୍ୟସ୍ତ ମଣିଷ। ଦିନ ଆଉ ରାତି ସବୁ ସମାନ। ଭାରତର ବିଭିନ୍ନ ପ୍ରାନ୍ତରୁ କିଛି ରୋଜଗାରର ଆଶା ନେଇ ଏଠାରେ ମଣିଷମାନେ ପଡ଼ିରହିଛନ୍ତି। ଦିନ ଦ୍ବିପହରରେ ଆଉ ରାତି ଆଲୁଅର ଚିକମିକ ଭିତରେ ଏଠି ଘଟିଯାଏ ଅନେକ କଥା। ଏଠାରେ ଶିଳ୍ପପତି, ସିନେ ତାରକା, ବହୁତ ନାମୀଦାମୀ ଲୋକମାନଙ୍କର ଖଚାଖଚ ଭିଡ଼। ସେହି ଅନୁସାରେ ମୁମ୍ବାଇରେ ଅପରାଧ ସବୁ ଘଟିଥାଏ। ବୋମା ବିସ୍ଫୋରଣ, ରାହାଜାନୀ, ହତ୍ୟା, ଆତ୍ମହତ୍ୟା ଆହୁରି କେତେ କଣ। ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଯାହା ଥରାଇ ଦିଏ ପୋଲିସ ବିଭାଗର ହୃଦୟ ତନ୍ତ୍ରୀକୁ। ବିଭତ୍ସ ଅମାନୁଷିକ ହତ୍ୟା ଘଟଣା ଗୁଡ଼ିକର ତଦନ୍ତରେ ନିଜେ ମୁମ୍ବାଇ ପୋଲିସ ବି ହାର ମାନିଯାଏ। ଘଟଣା ସ୍ଥଳରେ ପହଞ୍ଚିବାକୁ ଆଗପଛ ହୁଏ।ଏ ସବୁ ଘଟଣାର ଗୁରୁ ଦାୟିତ୍ୱ ବହନ କରି ସବୁବେଳେ ମୁମ୍ବାଇ ପୋଲିସକୁ ସହଯୋଗ କରିଆସୁଛନ୍ତି ମହମ୍ମଦ କାଲୁ ସରାଫ ହୁସେନ ଓରଫ କାଲୁ। ଅନେକ ଅନେକ ବିଭତ୍ସ ଭୟାନକ ଘଟଣାରେ ସେ ଶବ ଚିହ୍ନଟ କରିବା, ଶବ ଉଦ୍ଧାର କରିବାରେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ସେଇଥିପାଇଁ କେଉଁଠି କିଛି ଅଘଟଣ ଘଟିଲେ ପୋଲିସ ତରଫରୁ ଏବଂ ଅଗ୍ନିଶମ ବିଭାଗ ତରଫରୁ ତାଙ୍କୁ ପ୍ରଥମେ ଖବର ଦିଆଯାଏ। ଅଖା ପାଖରେ ଘଟୁଥିବା ହତ୍ୟା ଆତ୍ମହତ୍ୟା ଘଟଣାରେ ଶବ ଉଦ୍ଧାର ନିମନ୍ତେ ସେ ଯାଇ ଆଗରେ ଛିଡ଼ା ହୁଅନ୍ତି। କାଲୁ ମହମ୍ମଦ ପୋକ ସାଲୁବାଲୁ ଅଗଣିତ ଶବ କେତେ ଉଦ୍ଧାର କରିଛନ୍ତି ତାହା ହିସାବର ବାହାରେ।

vop water l

ଖଣ୍ଡ ବିଖଣ୍ଡିତ ବିଭତ୍ସ ଶବର ନାଁ ଶୁଣିଲେ ଆମର ଦେହ ଶୀତେଇ ଉଠେ। ଦେହ କମ୍ପି ଉଠେ। କିନ୍ତୁ ଏହି ଭୟାନକ ମୃତଦେହ ଗୁଡ଼ିକ ଉଦ୍ଧାର କରିବା ଜଣକ ପାଇଁ ଜୀବିକାର ମାଧ୍ୟମ ହୋଇଯାଇଛି। ସେ ହେଉଛନ୍ତି ମହମ୍ମଦ ସରାଫ ଓରଫ କାଲୁ। ୪୦-ବର୍ଷ ବୟସ୍କ କାଲୁ ମୁମ୍ବାଇର ବସ୍ତିରେ ନିଜର ତିନିପିଲା ଏବଂ ପତ୍ନୀଙ୍କ ସହିତ ରୁହନ୍ତି। ସେ ପଶ୍ଚିମବଙ୍ଗ, ୨୪ ପ୍ରଗଣା ଅନ୍ତର୍ଗତ ମୋତୀଝୀଲର ମୂଳ ବାସିନ୍ଦା। ସେ କୁହନ୍ତି ଯେ ୧୯୯୨ର ମୁମ୍ବାଇ ଦଙ୍ଗା ସେ ଦେଖିଛନ୍ତି। ତାଙ୍କର ବାପା ମା ବି ଏହି ଦଙ୍ଗାରେ ପ୍ରାଣ ହରାଇଲେ। ତା ପରେ ସେ କେତେ ଦିନ ରାସ୍ତା ପାର୍ଶ୍ୱରେ ଗୀତ ଗାଇ ମାଗି ଯାଚି ଜୀବନ ଜିଇଁଲେ। ଏମିତି କିଛି ବର୍ଷ ଚାଲିଗଲା ପରେ ସେ ପ୍ରଥମେ ଜଣେ ବାସ କଣ୍ଡକ୍ଟରର ମୃତ ଦେହ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ତା ପରେ ଶବ ଉଦ୍ଧାର କରିବାରେ ତାଙ୍କର ନାଁ ହୋଇଗଲା। ମୁମ୍ବାଇର ପ୍ରଦୂଷିତ ମୀଠୀ ନଦୀରେ ସେ ଗୋଟିଏ ଅସ୍ଥାୟୀ ଡଙ୍ଗା ପ୍ରସ୍ତୁତ କରି ସେଥିରେ ବସି ଅଳିଆ ଆବର୍ଜନା ଭିତରୁ ଶବର ଖଣ୍ଡ ବିଖଣ୍ଡିତ ଅଂଶ ବିଶେଷ ଉଦ୍ଧାର କରନ୍ତି। ଆଉ ହାତରେ ଥାଏ ତାଙ୍କର ଲମ୍ବା ବାଉଁଶ ଖଣ୍ଡେ। ଏତିକିରେ ସେ ତାଙ୍କର ଶବ ସାଉଁଟା କାମ ଚାଲୁରଖନ୍ତି। କେବେ କେଉଁଠୁ ଶବର ହାତ ଗୋଡ଼ ଆଉ ମୁଣ୍ଡ ଗଣ୍ଡି ମିଳିଯାଏ। ଏହା ହୋଇଯାଏ ତାଙ୍କ ପରିଶ୍ରମର ଫଳ ଆଉ ପୋଲିସ ବିଭାଗ ପାଇଁ ବିରାଟ ପ୍ରମାଣ। ତାଙ୍କ ମନରେ ଏପରି କାମ ପାଇଁ ଭୟ ଭ୍ରାନ୍ତିର କିଛି ପ୍ରଶ୍ନ ବି ନାହିଁ। ମୃତଦେହ ଖୋଜିବା ନିମନ୍ତେ ପୋଲିସ ବିଭାଗ ଏବଂ ଅଗ୍ନିଶମ ବିଭାଗରୁ ଯାହା ବି ପାରିଶ୍ରମିକ ମିଳେ ସେଥିରେ ସେ ସନ୍ତୁଷ୍ଟ।

Shahnawaz Ansari b

ମୁର୍ଦ୍ଦାର ସହିତ ତାଙ୍କର ରୋଜ ରୋଜ ଭେଟ ହୁଏ। ସେ କୁହନ୍ତି ଶବ ଖୋଜିବା ମୋର ଅଭ୍ୟାସ ହୋଇଗଲାଣି। ସେ ବିନା ଦ୍ବିଧାରେ କୁହନ୍ତି ଯେ ପୋଲିସ ବିଭାଗକୁ ସେ ବହୁତ ଶୀଘ୍ର ସେବା ପ୍ରଦାନ କରନ୍ତି। ତାଙ୍କର ଜୀବିକା ବିଷୟରେ ସେ କୁହନ୍ତି, ଯଦି ଆମେ ସବୁ ମୁର୍ଦ୍ଦାର ଦେଖି କି ଭୟଭୀତ ହୋଇଯିବା ତେବେ ଏହାର ଉଦ୍ଧାର କରିବ କିଏ ? ସାରା ଭାରତରେ କେହି ତ ଜଣେ ସେ କାମ କରିବା ଦରକାର, ନାଁ କଣ ! ମୃତଦେହ ଯେତେ ଖଣ୍ଡ ବିଖଣ୍ଡିତ ହେଉ, ଜଳି ପୋଡ଼ିଯାଇଥାଉ ତାଙ୍କର କିଛି ଦ୍ଵିଧା ନଥାଏ।

Shahnawaz Ansari a

୨୦୦୫ ମସିହାର ମୁମ୍ବାଇ ବନ୍ୟାରେ ସେ ମୁମ୍ବାଇରେ ଅଗଣିତ ଭୟାନକ ମୃତଦେହ ଉଦ୍ଧାର କରିଛନ୍ତି। ଖଣ୍ଡ ବିଖଣ୍ଡିତ ମୃତଦେହ ଦେହକୁ ଖୋଜିବାରେ ସେ ଦିନରାତି ଏକ କରିଦିଅନ୍ତି। ନାଳ ନର୍ଦମାରୁ ଗଳିତ ମୃତ ଦେହକୁ ଉଦ୍ଧାର କରିବାର ସାହସ ତାଙ୍କରି। ମୁମ୍ବାଇର ମୀଠୀ ନଦୀରେ ସେ ବିଭିନ୍ନ ସମୟରେ ଅନେକ ବିଭତ୍ସ ଶବ ଉଦ୍ଧାର କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଆଉ ସମୟକ୍ରମେ ଏହା ତାଙ୍କର ଜୀବିକା ହୋଇଯାଇଛି। ଏ ସବୁ ପାଇଁ ତାଙ୍କ ମନରେ କିଛି ଭୟ ଭ୍ରାନ୍ତି ନାହିଁ। କାଲୁ ନିଜର ଜୀବନର ଏକ ଅଂଶ ଭାବେ ଏହି କାର୍ଯ୍ୟକୁ ଗ୍ରହଣ କରିଛନ୍ତି।

ଏ କାମ ପାଇଁ ସେ ବହୁତ ପ୍ରଶଂସା ପାଇଛନ୍ତି। ଶବ ଖୋଜାଖୋଜି କରିବା ସହିତ ତାଙ୍କ ପାଖରେ ଶବ ବାହକ ଆମ୍ବୁଲାନ୍ସ ଚାଳକ ଭାବରେ ଗୋଟିଏ ଲାଇସେନ୍ସ ଅଛି। ଯଦିଓ ସେମିତି କିଛି ସ୍ଥାୟୀ ରୋଜଗାର ନାହିଁ ସେଥିରେ ବି ତାଙ୍କୁ ଦୁଇ ପଇସା ମିଳେ। ଏ କାମ କରି ସେ ନିଜେ ଗର୍ବିତ ଅନୁଭବ କରନ୍ତି। କାଲୁ କୁହନ୍ତି ଯେ ଜଣେ ବ୍ୟକ୍ତି ମରିଗଲା ପରେ ତାର ଶେଷ ଅବସ୍ଥାରେ ମୁଁ ହାତ ଲଗାଉଛି ଏବଂ ଠିକଠାକ ଭାବରେ ସବୁକିଛି ସମ୍ପାଦନ କରୁଛି ଏଇଟା ବଡ଼ ମହାନ କଥା। କେହି ତାଙ୍କୁ ଜୋର ଜବରଦସ୍ତି ଏଥିରେ ନିୟୋଜିତ କରିନାହାନ୍ତି ବୋଲି ସେ ସ୍ପଷ୍ଟୋକ୍ତି ବ୍ୟକ୍ତ କରନ୍ତି।

ସେ କୁହନ୍ତି ” ସେବା କରିବା ପାଇଁ ଆଲ୍ଲା ସ୍ୱର୍ଗ ଦେଲେ ବି ତାହା ଠିକ, ମୁଁ ଲୋକଙ୍କର ସେବା କରିବି କାରଣ ମୃତ୍ୟୁ ପରେ ସେ ଧନ ସମ୍ପତ୍ତି ନେଇଯିବି ନାହିଁ। ଲଙ୍ଗଳା ଆସିଛି ଲଙ୍ଗଳା ହୋଇ ଦୁନିଆରୁ ଚାଲିବି। ଜୀବନରେ ମୃତ୍ୟୁ ଅନିବାର୍ଯ୍ୟ। ଆଜି ହେଉ ବା କଲି ହେଉ। ଜୀବନରେ ଭଲ କାମ କରିଚାଲିବି, ଫଳ ପାଇଁ ଆଶା କରିବିନି। ଫଳ ଆପେ ଆପେ ମିଳିବ। ଏ ମୋର ଜୀବିକା, ଏ ମୋର ସମ୍ପତ୍ତି। ଈଶ୍ୱରଙ୍କ ଆଶୀର୍ବାଦରେ ଆଗକୁ ଏମିତି କରିଚାଲିବି।”

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x