ବର୍ତ୍ତମାନ ସମୟରେ ଭାରତରେ କ୍ରୀଡ଼ା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି କହିଲେ ଚଳେ। ତୁଳନାତ୍ମକ ଭାବରେ ଅତୀତରେ କ୍ରୀଡ଼ାକୁ ଯେତିକି ଗୁରୁତ୍ୱ ପ୍ରଦାନ କରାଯାଉଥିଲା ତାହା ଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଭାରତରେ କ୍ରୀଡ଼ାକୁ ଆଉ ଗୋଟେ ପାଦ ଆଗକୁ ବଢ଼େଇ ନେବାରେ “ଖେଲୋ ଇଣ୍ଡିଆ” ହେଉଛି ଏକ ପ୍ରେରଣାଦାୟୀ ପଦକ୍ଷେପ। ଆଜି ସମୟ ଏମିତି ହୋଇଛି ଯେ, ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତାରେ ସାରା ଭାରତ ଗୋଟେ ପ୍ରକାରର ହୁଲସ୍ତୁଲ ହୋଇଯାଉଛି। ଏପରିକି ବ୍ୟକ୍ତିଗତ ସ୍ତରରେ ଲୋକମାନେ ଖେଳକୁ ଉପଭୋଗ କରିବା ନିମନ୍ତେ କାର୍ଯ୍ୟକ୍ଷେତ୍ରକୁ ଯିବା ବି ବାତିଲ କରିଦିଅନ୍ତି। ଇଏ ହେଉଛି ଆମର ଭାରତ, ଯେଉଁଠି କ୍ରୀଡ଼ାବିତଙ୍କୁ ଦ୍ଵିତୀୟ ଈଶ୍ୱର ଭଳି ସମ୍ମାନ ଦିଆଯିବାର ନଜିର ବି ରହିଛି। ଆହୁରି ମଧ୍ୟ କେତେକ ପ୍ରତିଯୋଗିତାରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନରେ ପ୍ରଶଂସକମାନଙ୍କର ଲଙ୍କାକାଣ୍ଡର ଅଭାବ ନାହିଁ।
ଇଏ ତ ଗଲା ଭାରତରେ କ୍ରୀଡ଼ା ପ୍ରତି ରହିଥିବା ଆନୁଗତ୍ୟର ଅଳ୍ପ ଟିକେ ଝଲକ। ଆସନ୍ତୁ ଆଲୋଚନା କରିବା ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ନୂତନ ପଦକ୍ଷେପ “ଖେଲୋ ଇଣ୍ଡିଆ” ବିଷୟରେ। ଏ ବର୍ଷର ଖେଲୋ ଇଣ୍ଡିଆର ଆୟୋଜକ ହେଉଛି ଆସାମ ରାଜ୍ୟ। ଖେଲୋ ଇଣ୍ଡିଆର ଏହା ତୃତୀୟ ବାର୍ଷିକ ପ୍ରତିଯୋଗିତା ହେବ। ଏହା ଜାନୁଆରୀ ୧୦ ରୁ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଗୌହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ପ୍ରାରମ୍ଭିକ ଭାବରେ ଏହାର ନାମ ଥିଲା “ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ”। ଏହାର ଉଦ୍ଦେଶ୍ୟ ଥିଲା ତୃଣମୂଳ ସ୍ତରରେ ସ୍ପୋର୍ଟ୍ସ ଏବଂ ଫିଟନେସକୁ ପ୍ରୋତ୍ସାହନ ପ୍ରଦାନକରିବା ଏବଂ ଯୁବ ପ୍ରତିଭା ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ପ୍ରତିବର୍ଷ ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗ ଦ୍ୱାରା “ଖେଲୋ ଇଣ୍ଡିଆ”ର ଆୟୋଜନ କରାଯାଏ। ଯୁବ କ୍ରୀଡ଼ାବିତମାନଙ୍କ ନିମନ୍ତେ ଏହା ଏକ ଆକର୍ଷଣୀୟ ଆୟୋଜନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଦୁଇଟି ବିଭାଗରେ କରାଯାଏ। ଗୋଟିଏ ୧୭ ବର୍ଷ ବୟସରୁ କମ ଏବଂ ଅନ୍ୟଟି ୨୧ ବର୍ଷ ବୟସରୁ କମ। ଏହାକୁ ପ୍ରଧାନ ମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ୨୦୧୮ ମସିହା ଜାନୁଆରୀ ୩୧ ତାରିଖରେ ଶୁଭାରମ୍ଭ କରିଥିଲେ। ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଭାବରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହାର ନୂତନ ନାମକରଣ କରାଗଲା। ୨୦୧୯ ମସିହା ଫେବୃଆରୀ ମାସରେ ନୂଆଦିଲ୍ଲୀର ୟୁଥ ପାର୍ଲିଆମେଣ୍ଟରେ ଖେଲୋ ଇଣ୍ଡିଆ ଆପ୍ ର ଶୁଭ ଉଦଘାଟନ କରାଗଲା। ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତା ରହୁଥିବା ପ୍ରମୁଖ ଭାଗଗୁଡ଼ିକ ହେଉଛି; ବ୍ୟାଡମିଣ୍ଟନ, ଜିମ୍ନାଷ୍ଟିକସ, ବକ୍ସିଂଗ, ଯୁଡୋ, କବାଡ଼ି, ହକି, ବାସ୍କେଟବଲ, ରେସଲିଙ୍ଗ, ଆଥଲେଟିକ୍ସ, ଫୁଟବଲ, ସୁଇମିଙ୍ଗ, ୱେଟ ଲିଫଟିଙ୍ଗ, ଭଲିବଲ, ଏବଂ ଖୋ ଖୋ। ଖେଲୋ ଇଣ୍ଡିଆ ର ମୂଳ ଉଦ୍ଦେଶ୍ୟ ହେଉଛି, ଆମ ଦେଶରେ ଖେଳାଯାଉଥିବା ସମସ୍ତ କ୍ରୀଡ଼ାଗୁଡ଼ିକ ନିମନ୍ତେ ମଜବୁତ ଢାଞ୍ଚା ପ୍ରସ୍ତୁତ କରି ସାରା ଭାରତରେ ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଭାରତକୁ କ୍ରୀଡ଼ାର ଏକ ମହାନ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା।
ପୁନଶ୍ଚ, ଏହି “ଖେଲୋ ଇଣ୍ଡିଆ” ପଦକ୍ଷେପ ଏହାର ଶପଥପତ୍ରରେ ଉଲ୍ଲେଖ କରିଛି ଯେ, “ଆମେ ଖେଳକୁ ଆମର ଜୀବନର ଏକ ଅଂଶ ଭାବରେ ନେବାକୁ, ଖେଳିବାକୁ, କିପରି କ୍ରୀଡ଼ା ପ୍ରଦର୍ଶନ କରାଯିବ ତାହାର ଶିକ୍ଷା ପ୍ରଦାନ କରାଯିବ ସେଥିପାଇଁ ଶପଥ କରୁ। ସ୍ପୋର୍ଟ୍ସ ମାଧ୍ୟମରେ ଆମେ ଗୋଟିଏ ସୁସ୍ଥ ଭାରତ ଗଢ଼ିପାରିବା। ଆମେ ସ୍ପୋର୍ଟ୍ସ କୁ ପ୍ରୋତ୍ସାହନ ଦେବୁ ଏବଂ ଖେଳାଳୀମାନଙ୍କୁ ସାହସ ଦେବୁ। ଆମେ ଶପଥ କରୁ ଯେ, ହାରିବା ଏବଂ ଜିତିବାର ବାହାରେ ଆମେ ସବୁ ଏକାଠି ହେବୁ ଏବଂ ସ୍ପୋର୍ଟ୍ସ ମାଧ୍ୟମରେ ଆମର ଦେଶ ପାଇଁ ସମ୍ମାନ ଆଣିବୁ। ଦୃଢ଼ ସଂକଳ୍ପ ମାଧ୍ୟମରେ ଆମେ ସମୃଦ୍ଧି ଆଣିବୁ ଏବଂ ଗୋଟିଏ ନୂତନ ଭାରତ ସୃଷ୍ଟି କରିବୁ…”
ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସାରା ଭାରତର କ୍ରୀଡ଼ାବିତମାନେ କ୍ରୀଡ଼ାର ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରନ୍ତି। ପ୍ରତ୍ୟେକ କ୍ରୀଡ଼ା ନିମନ୍ତେ ଗୋଟିଏ ପ୍ରତିଭା ଚୟନ କମିଟି ରହିଥାଏ ଯାହା ନିର୍ଦ୍ଧିଷ୍ଟ ବିଭାଗରେ ଦୁଇଜଣ ସର୍ବଶ୍ରେଷ୍ଠ କୃତି ବିଜୟୀଙ୍କୁ ଚୟନ କରେ। କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରିଥିବା ଅନ୍ୟ କ୍ରୀଡ଼ାବିତମାନେ ବାର୍ଷିକ ସ୍କଲାରସିପ ପାଇଥାନ୍ତି। ଏହି ଭଳି ପ୍ରତିଭାସମ୍ପର୍ଣ୍ଣ ଯୁବବର୍ଗର ୧୦୦୦ କ୍ରୀଡ଼ାବିତଙ୍କ ନିମନ୍ତେ ବାର୍ଷିକ ସ୍କଲାରସିପ ଭାବରେ ୫ ଲକ୍ଷ ଟଙ୍କା ୮ ବର୍ଷ ପାଇଁ ପ୍ରଦାନ କରାଯାଏ। ସରକାରୀ ସ୍ତରରେ ଏହି ପ୍ରକାର ପ୍ରସ୍ତୁତି ସେମାନଙ୍କୁ ଆନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଅଂଶ ଗ୍ରହଣ କରିବାରେ ସାହାଯ୍ୟ କରିବ।