ସୂର୍ଯ୍ୟ ଦେବତା ନିଜର ରାଗ ରୁଷା ଛାଡି ଘର ବାହୁଡ଼ା ହେଉଥିଲେ। ଧୀରେ ଧୀରେ କାଳ ନାଗୁଣୀ ରାତ୍ରି ସାରା ସଂସାର କୁ ନିଜ ଅକ୍ତିଆରକୁ ନେଇ ଯାଉ ଥିଲା, ଯେମିତି ସେ ଅପେକ୍ଷା ରେ କେତେବେଳେ ସୂର୍ଯ୍ୟାସ୍ତ ହେବ। ଭାରି କଠିଣ ଏ ରାତି, ବେଳକୁ ବେଳ କାଳ ନାଗୁଣୀ ପରି ତାର ଆକାର ବଡ କରିଚାଲେ।
ପ୍ରଶାନ୍ତ ବାବୁ ଆରାମ ଚେୟାର ରେ ବସି ବସି ଗୋଟିଏ ହାତରେ ଖଣ୍ଡେ କାଗଜ ଛାତି ଉପରେ ଭିଡି ଧରିଛନ୍ତି ଏବଂ ଅନ୍ୟ ହାତରେ ଚଷମା ଟି ତଳ କୁ ଓହଳି ରହିଛି. ଆଖି ଦୁଇଟି ମୁଦି ପଡିରହିଛନ୍ତି ସେ। ଏହି ମୁଦ୍ରା ରେ ରହି ଭାବନା ରାଇଜ ରେ କୋଉଠି ହଜି ଯାଇଛନ୍ତି ସେ। ହଠାତ ଚେତନା ରେ ଆସିଲେ ହାତରୁ ଚଷମା ଟି ଖସି ପଡି ଯିବାରୁ। ଖଣ୍ଡେ କାଚ ବାହାରି ଗଲା ସେଥିରୁ।ଅତ୍ୟନ୍ତ ବ୍ଯତିବ୍ଯସ୍ତ ହୋଇ ଚଷମା ଟିକୁ ହାତରେ ନେଇ କାଚ ଟିକୁ ଲଗାଇ ବାକୁ ଲାଗିଲେ ସେ। ସେମତି କାଚ କୁ ଚଷମା ରେ ଲଗାଇ ଚିଠି ଟିକୁ ଉପରୁ ତଳକୁ ବାରମ୍ବାର ଦେଖିବାକୁ ଲାଗିଲେ। ନା କିଛି ଦିଶୁନି। କିନ୍ତୁ ଏ ଚିଠି ଟିର କମା ଓ ପୂର୍ଣ୍ଣଛେଦ ବି ତାଙ୍କର ମୁଖସ୍ଥ ହୋଇ ସାରିଛି। ତେଣୁ ଅନର୍ଗଳ ଭାବେ ପଢି ଗଲେ ସେ।
“ପ୍ରିୟ ବାପା,
ମୋର ପ୍ରଣାମ ନେବେ। ଆଶା ଘରେ ସବୁ ଭଲ ରେ ଥିବେ। ବାପା ମତେ କ୍ଷମା କରିବେ, ଚିକୁଆଉ ଚୁନି ର ଖର୍ଚ୍ଚ ମୁଁ ଆଉ ଉଠାଇ ପାରିବିନି। ତମେ ତ ଜାଣିଛ ନ୍ୟୁୟୋର୍କ ରେ ଟଙ୍କା ର କେତେ ଅସୁବିଧା, ଏବେ ଘର ଖଣ୍ଡେ କିଣୁଛି ଆଉ ପୁଣି ରନି(ନାତି) ର ପାଠପଢା ପାଇଁ ବହୁତ ଟଙ୍କା ଦରକାର ତେଣୁ ମତେ ଭୁଲ ନବୁଝି ଏ ଦାୟିତ୍ବ ରୁ ମତେ ମୁକ୍ତ କରିଦିଅନ୍ତୁ। ଏସବୁ କଥା ଫୋନରେ ବି ହୋଇପାରିଥାଆନ୍ତା କିନ୍ତୁ ମୋର ସେତିକି ସାହାସ ନାହିଁ ବାପା ତେଣୁ ସବୁ ଲେଖିକି ଜଣାଉଛି। ଏଇଟା ଆମର ଶେଷ ବାର୍ତ୍ତାଳାପ ବାପା ୟା ପରେ ମୁଁ ନଜର ଉଠାଇ ଆପଣଙ୍କ ସହ କଥା ହୋଇ ପାରିବି ନାହିଁ କିନ୍ତୁ ସତ କଥା ଟା ହେଲା ଆପଣଙ୍କ ବୋହୂ ଲୋରା ଜମା ଚାହେଁନି ମୁଁ ଆପଣଙ୍କ ସହ ମିଶେ ଆଉ ମୁଁ ଲୋରା କୁ ଛାଡି ପାରିବିନି। ଇତି
ଆପଣଙ୍କ ଅଯୋଗ୍ୟ ପୁଅ
ଅନିମେଶ”
କେତେ ଟା ବର୍ଷ ବିତିଯାଇଛି କେତେବେଳେ । ମୋଟର ଗ୍ଯାରେଜ କୁ ଆଉ ଏକୁଟିଆ ଚଳାଇବା ସମ୍ଭବ ହେଇପାରୁନି, ଚାଲିଛି ଯେମିତି ସେମିତି। ଏବେ ଆଉ କାମ କହିଲେ କିଛି ନାହିଁ। ଚାକିରି ବି ନାହିଁ। ପ୍ରଶାନ୍ତ ବାବୁ ବାରଣ୍ଡା ର ଚେୟାର ଉପରେ ବସି ପୁଅର ସେଇ ଶେଷ ଚିଠି ଧରି ଅପେକ୍ଷା ରେ ଏମିତି କେତେ ରାତି କାଟି ଦେଇଛନ୍ତି। ଚିଠି ଟିକୁ ପକେଟ ପୁରାଇ ଦେଖନ୍ତି ତ ବହୁତ ରାତି ହେଲାଣି।ନିଲୋଫର ନିଜେ ନିଜେ ଉଠି ପାରନ୍ତିନି ତେଣୁ ମୋବାଇଲ୍ ରେ ପ୍ରଶାନ୍ତ ଙ୍କ ପସନ୍ଦ ର ସେଇ ଗୀତ ଟିକୁ ବଜାଇ ଦିଅନ୍ତି ସେ ଓ ପ୍ରଶାନ୍ତ ବାବୁ ବୁଝି ଯାଆନ୍ତି ଯେ ନିଲୋଫର ଡାକୁଛନ୍ତି।ପ୍ରଛଦପଟ ରୁ ଗୀତ ଟି ବାଜି ଉଠିଛି।ନିଲୋଫର ପାଖକୁ ଆସି ପ୍ରଶାନ୍ତ ବାବୁ କହିଲେ ଆରେ ହଁ ହଁ ଜାଣିଛି ଖାଇବା ସମୟ ହୋଇଗଲାଣି। ଝୁନା(ଆୟା) ଛୁଆ ମାନଙ୍କୁ ଖୁଆଇ ଦେଇଛି, ସେଆନେ ବି ଶୋଇବେଣି।ନିଲୋଫର, ପ୍ରଶାନ୍ତ ଙ୍କ ର ହାତ କୁ ନିଜ ହାତ ରେ ନେଇ କହିଲେ ବସ ଟିକେ, ସାରା ଜୀବନ୍ ତମେ ଆମ ପାଇଁ ବହୁତ୍ କରିଛ ଶେଷ ଥର ପାଇଁ କିଛି ମାଗିବି କଣ ଦେବ?
ପ୍ରଶାନ୍ତ ବାବୁ ନୀଲୋଫର ଙ୍କ ହାତକୁ ଜାବୁଡି ଧରି ତାଙ୍କୁ ଉଠାଉ ଉଠାଉ କହିଲେ ଥରେ କହିକି ଦେଖ କଣ ଚାନ୍ଦ ଆଣିଦେବି? କିନ୍ତୁ ପ୍ରଥମେ ଖାଇବା ଠିକ୍ ଅଛି। ନିଲୋଫର ବି ସର୍ତ ରଖି କହିଲେ ଏଥର ନିଜ ସ୍ବପ୍ନ କୁ ଆକାର ଦେବ ତେବେ ଯାଇ ଖାଇବି। ଦେଖ ଏଇଟା ମୋର ଶେଷ ଇଚ୍ଛା, ସାରା ଜୀବନ୍ ତୁମେ ବହୁତ୍ ଲୋକ ଙ୍କ ପସନ୍ଦ ର ଗାଡି ବନେଇଛ। । ମୁଁ ତୁମର ବନାଇଥିବା ସେହି ଗାଡିରେ ଥରେ ବସିବାକୁ ଚାହୁଁଛି ଆମ ସ୍ବପ୍ନ ର କାର୍ ରେ, ଶେଷ ନିଶ୍ଵାସ ଛାଡିବା ପୂର୍ବରୁ। କଣ କରିବ ନା?ଆଖି ରେ ସମ୍ମତି ଜଣାଇଲେ ପ୍ରଶାନ୍ତ। ଗୀତଟି ଏବେବି ବାଜୁଥିଲା, ଦୁହେଁ ରାତି ଖାଇବା ସାରି ଶୋଇବାକୁ ଉଦ୍ଯତ ହେଲେ।
ଶେଜରେ ପଡି ପ୍ରଶାନ୍ତ ବାବୁ ପ୍ରଶ୍ନ ବାଚି ରେ ଚାହିଁ ରହିଲେ ନିଲୋଫର କୁ। ନିଲୋଫର କହିଲା ଏମିତି ଦେଖନି ଏଇଟା ସତ ଯେ ମୋ ପାଖେ ଆଉ ବେଶି ଦିନ ନାହିଁ।
ପ୍ରଶାନ୍ତ ବାବୁ କହିଲେ ତୁମର ମନେ ଅଛି ନିଲୁ ଆମ ଭଲପାଇବା ଆମ ଶପଥ। ତୁମେ ମୋ ହାତ ଧରି ଘର ଛାଡିଲା ବେଳେ ଆମେ ପରସ୍ପର କୁ କଥା ଦେଇଥିଲେ ଶେଷ ଯାଏଁ ଏକାଠି ଜିଇଁବା ଆଉ ଏକାଠି ମରିବା। ଆଉ ଆଜି!
ନିଲୋଫର ପ୍ରଶାନ୍ତଙ୍କ ହାତ କୁ ଜାବୁଡି ଧରି କହିଲେ ମୋର ସବୁ ମନେ ଅଛି, ଆଖିରୁ ଝରି ଆସିଛି ଦୁଇ ଧାର୍ ଅଶ୍ରୁ, ପ୍ରଶାନ୍ତ କହିଲେ ଆଜି ବି ତୁମେ ୩୦ବର୍ଷ ତଳ ର ସେହି ନାକ କାନ୍ଦୁରୀ ନିଲୁ ଭଲି ଦିଶୁଛ।
ଏଇ ଶୁଣିଲ କେତେ ସୁନ୍ଦର ଥିଲା ନା ସେ ଦିନ ସବୁ।………….
ସୁନ୍ଦର୍ ଘର ଟିଏ ଥିଲା ପ୍ରଶାନ୍ତ ବାବୁ ଙ୍କ ର। ଇଞ୍ଜିନିୟରିଂ କଲାବେଳେ ନିଲୋଫର ସହ ତାଙ୍କ ଦେଖା, ତା ପରେ ପ୍ରେମ ଆଉ ତା ପରେ ମନ୍ଦିର ରେ ବିବାହ। କିନ୍ତୁ ନିଲୋଫର ଙ୍କ ଧର୍ମ ଅଲଗା ଥିଲା ନୀଲୋଫର ମୁସ୍ଲିମ୍ ଥିଲେ । ପ୍ରଶାନ୍ତ ଓ ନିଲୋଫର ମିଶି ଚାଳ ଝୁପୁଡି କୁ ବି ସ୍ଵର୍ଗ କରି ତୋଳିଲେ।ବହୁ ଚେଷ୍ଟା ପରେ ବି ସେମାନଙ୍କ ଘର ଲୋକେ ଆପଣାଇ ବାକୁ ରାଜି ହେଲେନି। ସେତେବେଳ କୁ ପ୍ରଶାନ୍ତ ଇଞ୍ଜିନିୟରିଂ ପଢୁଥିଲା। ଟଙ୍କା ଅଭାବ ରୁ ପାଠ ଛାଡି ଛୋଟମୋଟ କାମ ରେ ଲାଗିଲେ। ପ୍ରଶାନ୍ତ ଦେହ ରେ କେବେ ଫୁଲ ଟିଏ ବି ପଡି ନଥିଲା କିନ୍ତୁ ପ୍ରେମ ପାଇଁ ତାର ତ୍ୟାଗ ଦେଖି ନୀଲୋଫର ଙ୍କ ଆଖିରୁ ଝରି ଆସେ ଅଶ୍ରୁ, ପ୍ରଶାନ୍ତ କିନ୍ତୁ ନୀଲୋଫର କୁ ବୁଝାଇ ନିଏ ସବୁବେଳେ ସେହି ଗୀତ ଟି ଗାଈ, “କଥା ତ ଏତିକି ତୁମକୁ ପାଇ ମୁଁ ଦୁନିଆ ରେ ଆଜି ବଞ୍ଚିବା ଯାଇଛି ଶିଖି, ଆଉ ଆଖି ରୁ ଲୁହ ପୋଛି ନୀଲମ ବି ତା ପରେ କହି ଉଠେ ଭାରି ଫିଲ୍ମି ତୁମେ। କିନ୍ତୁ ସତ ପ୍ରଶାନ୍ତ ବାବୁ ଙ୍କ ଜୀବନ୍ ଟି ଠିକ୍ ସେଇ ସିନେମା ଭଳି।
ଇଂଜିନିୟରିଂ ସିନା ଅଧାରୁ ସେ ଛାଡି ଥିଲେ କିନ୍ତୁ ମେସିନ୍ ସହ ଦୋସ୍ତି ଛାଡି ନଥିଲେ। ପ୍ରଥମେ ବହୁତ ଦିନ ଯାଏଁ ପ୍ରଶାନ୍ତ ଅନ୍ୟ ର ଗ୍ଯାରେଜ ରେ ରହି କାମ ଶିଖିଲେ କିନ୍ତୁ ସେଥିରେ ଘର ଚଳାଇବା କଷ୍ଟକର ଥିଲା ତେଣୁ ଚ୍ଛୋଟିଆ ଚାକିରି ଟିଏ କରିଲେ ସେ ସମୟ ବିତିଲା ଅନିମେଶ ଓ ମେହେକ୍ ଆସିଲେ ତାଙ୍କ ଜୀବନରେ। ଘରେ ହୁଏତ ଟଙ୍କା ର ଟିକେ ଅଭାବ ଥିଲା କିନ୍ତୁ ଶାନ୍ତି ବହୁତ୍ ଥିଲା। ପ୍ରଶାନ୍ତ ବାବୁନିଜର ସବୁ ଝାଳ ବୁହାଇ ନିଜ ପାଇଁ ଦେଖିଥିବା ସ୍ଵପ୍ନ ଛାଡି ପୁଅ, ଝିଅ ଙ୍କ ଭବିଷ୍ୟତ ସଜାଇଲେ । ହାତରେ ଜାଦୁ ଅଛି ପ୍ରଶାନ୍ତ ଙ୍କ ର।କୌଣସି କାମ କୁ ଛୋଟ ବୋଲି ଭାବି ନାହାଁନ୍ତି ସେ। ଚାକିରି ରୁ ଫେରି ପ୍ରଶାନ୍ତ ଘରର ସେହି ଚ୍ଛୋଟିଆ ଗ୍ଯାରେଜ ରେ ନିଜର ଏକ୍ ସ୍ଵପ୍ନ କୁ ରୂପ ଦେବାରେ ଲାଗି ଯାଆନ୍ତି। କାମ କଲାବେଳେ ରାତିଦିନ ବି ଦେଖନ୍ତିନି।ନିଲୋଫର ଘରେ ଗୀତ ଶିଖାଏ।ଗାଡି ପ୍ରଶାନ୍ତ ର ବହୁତ ପସନ୍ଦ। ଯେଉଁ କାରର ନମୁନା ସେ ବନାଇଛନ୍ତି ସେଥିରେ ବହୁତ ସମୟ ଓ ଅର୍ଥ ଲାଗିବ, କିନ୍ତୁ ଏ ଦୁନିଆ ର ବିରଳ କାର୍ ମଧ୍ୟରୁ ଗୋଟିଏ ହେଇପାରିବ।ବେଶି କିଛି ଆଶା ରଖି ନାହାଁନ୍ତି ସେ ବାସ୍ ସେହି ସୁନ୍ଦର ଗାଡି ସେ ନିଜେ ତିଆରି କରିବେ ଆଉ ସେଥିରେ ନିଲୋଫର କୁ ବସେଇ ଗୋଟେ ଲମ୍ବା ଯାତ୍ରା ରେ ବାହାରି ଯିବେ।ଏଇ ସ୍ବପ୍ନ ଟି ପ୍ରଶାନ୍ତ ବାବୁଙ୍କ ଆଖିରେ ସବୁ ବେଳେ ଥାଏ କିନ୍ତୁ ପିଲାମାନଙ୍କ ସ୍ବପ୍ନ ସାକାର କରିବା ପାଇଁ ନିଜର ଏଇ ସ୍ବପ୍ନ କୁ ସମାଧି ଦେବାକୁ ସ୍ଥିର କଲେ। ଯେଉଁ ପୁରୁଣା ଗାଡି ଟିରେ ସେ ନିଜର ପ୍ରୟୋଗ କରୁଥିଲେ ତାକୁ ଘର ପାଖରେ ଘୋଡାଇ ଦେଇ ରଖିଦେଲେ କାରଣ ପିଲାଙ୍କ ପାଠପଢା ରେ ବହୁତ୍ ଟଙ୍କା ଆବଶ୍ୟକ।
ସମୟ ଗଡିଲା। ଅନିମେଶ ଗୋଟେ ଇଂଜିନିୟର ହେଲା। ମେହେକ ବି ଆଇଏଏସ ପାଇଥିଲା। ଘର ହସ ଖୁସିରେ ଫାଟି ପଡୁଥିଲା। ଅନିମେଶ ବିଦେଶ ଚାଲିଗଲା କାମ ପାଇଁ।ମେହେକ କୁ ବି ତା ପସନ୍ଦ ରେ ବାହା ଦେଲେ। କିନ୍ତୁ ହଠାତ୍ ଦିନେ ସବୁ ଭାଙ୍ଗି ଚୁରମାର ହୋଇଗଲା। ଅନିମେଶ ଖବର ଦେଲା ସେ ସେଠି ଜଣେ ବିଦେଶିନୀ କୁ ବିବାହ କରିଛି। ପ୍ରଶାନ୍ତ ବାବୁ ପ୍ରଥମେ ବହୁତ ରାଗିଲେ। କହିଲେ ତୁ ଆମକୁ ଜଣାଇଥିଲେ କଣ ଆମେ ମନା କରିଥାନ୍ତୁ! କିନ୍ତୁ ପରେ ନିଜେ ହିଁ ତାକୁ ଘରକୁ ଆସିବାକୁ କହିଲେ। ରନି, ଅନିମେଶ ର ପୁଅ ।ନିଲୋଫର ତାକୁ ଟିକେ ଦେଖିବାକୁ କେତେ କରି କହିଲେ କିନ୍ତୁ ଅନିମେଶ ଆଉ ଘରକୁ ଫେରିଲାନି। ଏମିତିକି ଭଉଣୀ ବାହାଘର ରେ ବି ସେ ମୁହଁ ଦେଖାଇଲାନି।
ମେହେକର ଦୁଇଟି ଜମଜ ସନ୍ତାନ ଜନ୍ମ ନେଲେ। ନିଲୋଫର ଓ ପ୍ରଶାନ୍ତ ତାଙ୍କୁ ଭାରି ଆଦର କରନ୍ତି। ମେହେକ ଆଉ ତା ସ୍ବାମୀ ଦୁହେଁ ଚାକିରି କରନ୍ତି ତେଣୁ ପିଲାମାନଙ୍କୁ ଅଜା, ଆଇ ପାଖରେ ହିଁ ଛାଡି ଯାଆନ୍ତି। ଦୁଃଖ ଆସିଲେ କାଳେ ଭାଇ ବନ୍ଧୁ କୁଟୁମ୍ବ କୁ ଧରି ଆସେ। ପୁଅ ର ବିରହ ଝିଅ, ଜ୍ୱାଇଁ ଆଉ ନାତି, ନାତୁଣୀ ଙ୍କୁ ଦେଖି କଟି ଯାଉଥିଲା। କିନ୍ତୁ ହଠାତ୍ ଦିନେ ମେହେକ ଆଉ ଫେରିଲାନି। ଖବର ଆସିଲା ଗାଡି ଟି ଘାଇ ରୁ ତଳକୁ ଖସି ଯାଇ ସ୍ଵାମୀ, ସ୍ତ୍ରୀ ଦୁଇ ଜଣ ଯାକ ମରି ଯାଇଛନ୍ତି। ଏତକ କଣ କମ ଥିଲା କି ଏ ଖବର ନୀଲୋଫର କାନରେ ପଡିଛି କି ସେ ଦୁଃଖରେ ଭାଙ୍ଗି ପଡ଼ିଲେ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଚନ୍ତି । ଆଉ ତାଙ୍କର ଅଧା ଅଂଗ ଅପଂଗ ହୋଇଗଲା। କଅଁଳିଆ ଛୁଆ ଦୁଇଟା, ଝିଅ କୁ ହରାଇବାର ଦୁଃଖ ଆଉ ଶେଜରେ ପଡିଥିବା ସ୍ତ୍ରୀ,ପ୍ରଶାନ୍ତ ବାବୁଙ୍କ ଅଣ୍ଟା ଭାଙ୍ଗିଗଲା ଯେତେବେଳେ ଏ ସବୁ ଖବର ପାଇ କିନ୍ତୁ ଅନିମେଶ ଦୌଡି ଆସିବ ବୋଲି ସେ ଭାବିଥିଲେ, ସେଟା ବି ମିଛ ହେଲା କିନ୍ତୁ ଅନିମେଶ ଏତିକି ଭରସା ଦେଇଥିଲା ଯେ ଭଉଣୀ ର ଛୁଆ ଦୁଇଟା ର କଥା ସେ ବୁଝିବ।
ପ୍ରଶାନ୍ତ ଦମ୍ଭ ହୋଇ ଠିଆ ହେଲେ। ପିଲା ଦୁଇଟିକୁ ଆଦରି ନେଲେ ସେ। ଆଗ ଜୀବନ ସବୁ ଏହି ଛୁଆ ଦୁଇ ଜଣଙ୍କୁ ଦେଖି କାଟି ଦେବାକୁ ସ୍ଥିର କଲେ।
ଏବଂ ଠିକ୍ ତାର ମାସେ ପରେ ରେ ଆସିଲା ଅନିମେଶ ର ସେଇ ଶେଷ ଚିଠି ଟି । ସେବେଠୁ ପ୍ରଶାନ୍ତ ଓ ନିଲୋଫର ଅନିମେଶର ଅପେକ୍ଷାରେ ଆଖି ଲଗେଇ ବସିଛନ୍ତି। ଘରର ପୁରୁଣା ନମ୍ବର କୁ ବି ବଦଳାନ୍ତିନି କାଳେ ଅନିମେଶ ର ଫୋନ ଆସିଯିବ ବୋଲି। ନିଲୋଫର ସବୁବେଳେ ଫୋନ ଆଡେ ଚାହିଁ ରୁହନ୍ତି। ପ୍ରଶାନ୍ତ ସବୁବେଳେ ଡାକ ଡବା ଟିକୁ ହାତ ମାରି ଥାଆନ୍ତି କାଳେ ଆଉ କିଛି ଚିଠି ଆସିଥିବ। ମେହେକ୍ ର ଛୁଆ ଦୁଇଜଣ କିଛି ବଡ ହୋଇଗଲେଣି।
ନିଲୋଫରର କଥା ରାତି ସାରା ପ୍ରଶାନ୍ତ କୁ ଶୁଆଇ ଦେଲାନି। ସେହି ପୁରୁଣା ସ୍ବପ୍ନ ସବୁ ପୁଣି ଆଖିରେ ଆସିଲା।
ସକାଳୁ ସକାଳୁ ନିଦ ଭାଙ୍ଗିଲା ଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲେ ଯେ ଆଜି ସେ ଯେମିତି ହେଲ ଗାଡ଼ିକୁ ସଫା କରିବ। ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡ଼ି ଉପରେ ମଇଳା ପରସ୍ତେ ପଡ଼ିଯାଇଛି।ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲତି ଧରି ଯାଇ ଗାଡ଼ି ଧୋଇବାରେ ଲାଗିଗଲା। ଏହି ସମୟରେ ରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତ ଙ୍କୁ କହିଲା, “ଆଜ୍ଞା ଟଙ୍କା କୋଡ଼ିଏ ଟା ଯଦି ଦେବେ , ମୁଁ ଧୋଇଦେବି” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡ଼ି ଧୋଇଆସେ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା। ଗ୍ଯାରେଜ କୁ ନେଲେ ଅନ୍ତତଃ ଦେଢ଼ଶହ ଟଙ୍କା ଚାଲିଯିବ। ସେ ରାଜି ହୋଇଗଲେ। ଲୋକ ଟାକୁ ବାଲତି ଦେଉ ଦେଉ ପଚାରିଲେ କିରେ ବାବୁ ତୋ ନାଁ କଣ? ଭଲ ଘର ପିଲା ପରି ଦିଶୁଛୁ,କଣ କହିବ ଭାବୁ ଭାବୁ ତା ପାଟିରୁ ବାହାରି ଆସିଲା ବାବୁ ଭାରି ଭୋକ କିଛି ଖାଇବାକୁ ମିଳିବ?
ରହ କହି ପ୍ରଶାନ୍ତ ଭିତରୁ କିଛି ଖାଇବା ନେଇ ଆସି ପିଲାଟିକୁ ଦେଲେ। ପିଲାଟି ଖାଇବା ଦେଖି ତା ଉପରେ ଝପଟି ପଡିଲା ଯେମିତି ଜନ୍ମ ଜନ୍ମାନ୍ତର ର ଭୋକିଲା ସେ।ତାକୁ ପେଟ ଭରି ଖାଇବା ଦେଖି ପ୍ରଶାନ୍ତ ବି ଖୁସିହେଲେ।ତା ହାତ ଧରି ତାକୁ ଚେୟାର ରେ ବସେଇ ଦେଲେ, କହିଲେ ମତେ ତୋ ବିଷୟ ରେ କହ। ପିଲାଟି କହିଲା ମୋ ନା ଚିନ୍ମୟ।ଗାଁ ରୁ ସହର କୁ ଆସିଥିଲା କିଛି କାମ କରି ଘରକୁ ସାହାଯ୍ୟ କରିବା ପାଇଁ କିନ୍ତୁ ଏଠି ଆସି ବଡ ବିପଦରେ ପଡିଗଲି। ଘରୁ ଯେଉଁ ଟଙ୍କା ତକ ଆଣିଥିଲି ସବୁ ଚୋରି ହୋଇଗଲା। ଘରକୁ ଫେରିବ ବା କୋ ମୁହଁରେ। ଘରେ ତ ଦାନା ଦାନା ର ଅଭାବ। ଭିକ ମାଗିବା ଠୁ କିଛି କାମ କରି ଖାଇବା କୁ ଶ୍ରେୟ ମନେକଲି। କିନ୍ତୁ ଏଠି କାମ ମିଳିବା ଏତେ ସହଜ ନଥିଲା. ପ୍ରାୟ ଚାରି ଦିନ ହେବ କିଛି ଖାଇନଥିଲି ମୁଁ। ଆପଣଙ୍କୁ ବହୁତ ଧନ୍ୟବାଦ ଆଜ୍ଞା ମତେ ଖାଇବାକୁ ଦେଲେ। ଗୋଟେ ଉପକାର କରନ୍ତୁ ଆଜ୍ଞା ମତେ କିଛି କାମ ଦେଇ ଦିଅନ୍ତୁ। ମୁଁ କିଛି ବି କାମ କରିବି। ଗାଁ ସ୍କୁଲ ରେ ମୁଁ ଦଶମ ଶ୍ରେଣୀରେ ଆମ ବ୍ଲକ ରେ ପ୍ରଥମ ହୋଇଥିଲି। ସରପଞ୍ଚ ମତେ ପୁରସ୍କାର ବି ଦେଇଥିଲେ। କିନ୍ତୁ ପଇସା ଅଭାବ ରୁ ଆଉ ପଢି ପାରିଲିନି।
ପ୍ରଶାନ୍ତ ବାବୁ ଭାବୁ ହିଁ ଥିଲେ ତାକୁ କି କାମ କରିବାକୁ କହିବେ, କି ଆଗକୁ ଚିନ୍ମୟ କହିଲା ତାର ଯନ୍ତ୍ର ସବୁ ଭାରି ପ୍ରିୟ, ସବୁବେଳେ କିଛି ନୂଆଁ କରି ବନାଇ ବାକୁ ଚେଷ୍ଟା କରେ। ପ୍ରଶାନ୍ତ ବାବୁ କଂ ଆଖି ଔଜ୍ଜଳ ହୋଇ ଉଠିଲା। ଯେମିତି ଶୋଷିଲା କୁ ପାଣି ମିଳିଗଲା।
ଗରିବ ଲୋକ ଟେ ବି କେମିତି କମ୍ ଦାମରେ କାର୍ ଟେ ରଖି ପାରିବ, ତା ଉପରେ କେବେଠୁ ପ୍ରଶାନ୍ତ ଗବେଷଣା କରୁଥିଲେ. ଗାଡି ତ ଠିକ୍ ଅଛି କିନ୍ତୁ ସେଥିରେ ପକାଇବାକୁ ପେଟ୍ରୋଲ ଏତେ ଟଙ୍କା ତେଣୁ ଏ ସବୁକୁ ଧ୍ୟାନ ରେ ରଖି ଅଳ୍ପ ଖର୍ଚ୍ଚରେ କେମିତି ଜଣେ ସାଧାରଣ ଲୋକ ଚାରି ଚକିଆ ଯାନ ଟି ରଖିପାରିବ ଏକ ନମୁନା ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ। କିନ୍ତୁ ଲୋଡ଼ା ଥିଲା ଖାଲି ଗୋଟିଏ ସାହାଯ୍ୟ ର ହାତ। ସେଇଟା ବର୍ତ୍ତମାନ ଚିନ୍ମୟ ପୁରା କରିଦେବ ବୋଲି ପ୍ରଶାନ୍ତ ଙ୍କ ର ପୁରା ବିଶ୍ବାସ।
ନିଲୋଫର ର ଇଚ୍ଛା କୁ ଯେମିତି ହେଲେ ପୁରା କରିବାକୁ ହେବ। ପ୍ରଶାନ୍ତ ବସିବା ଜାଗାରୁ ଉଠି ଠିଆ ହୋଇ କହିଲେ ଆ ତାହେଲେ। ଆଜିଠୁ ଆମେ ଗୋଟିଏ ସ୍ଵପ୍ନ ତିଆରି କରିବା। ଲକ୍ଷ ଲକ୍ଷ ସାଧାରଣ ଜନତା ଙ୍କ ଅଭିଳାଷ ଆଉ ମୋର ଏତେ ପରିଶ୍ରମ। ଏ କାର୍ ଟିକୁ ଭଲ ଭାବେ ଧୋଇ ପକା। ଦୁହେଁ ମିଶି ଗାଡି ଟିକୁ ଭଲ ଭାବେ ଧୋଇ ସଫା କରିଦେଲେ। ଚିନ୍ମୟ ନିଲୋଫର ର ଭାରି ଯତ୍ନ ନିଏ। ନିଲୋଫର ନିଜର ଦୁଇ ସନ୍ତାନ କୁ ହରାଇ ବହୁତ ଦୁଃଖ ରେ ଥିଲେ କିନ୍ତୁ ଚିନ୍ମୟ ର ସେବା ରେ ତାଙ୍କ ସ୍ବାସ୍ଥ୍ୟ ଭଲ ରହିବାକୁ ଲାଗିଲା। ଚିନ୍ମୟ ଭିତରେ ନିଲୋଫର କୁ ଅନିମେଶ ର ଝଲକ ଦିଶୁଥିଲା।
ଜୋରସୋର ରେ ଗାଡି କାମରେ ଲାଗିଗଲେ ଚିନ୍ମୟ ଓ ପ୍ରଶାନ୍ତ। କେଜାଣି କୋଉଠୁ ପ୍ରଶାନ୍ତ ଭିତରେ ଶହେ ହାତିର ବଳ ଆସିଯାଇଥିଲା। ଚିନ୍ମୟ ପ୍ରଶାନ୍ତଙ୍କ ଚିନ୍ତାଧାରା ବିଷୟରେ ଜାଣି ଅତ୍ୟନ୍ତ ପ୍ରଭାବିତ ହୋଇଛି। ସତରେ କେତେ ଭଲ ହେବ ଯଦି ବାବୁ ଙ୍କ ସ୍ବପ୍ନ ର ଗାଡି ଟି ସତରେ ବନିଯାଏ।
ପ୍ରଶାନ୍ତ ବାବୁ ସବୁ ପରୀକ୍ଷା ନିରୀକ୍ଷା କରୁଥିଲେ, ଚିନ୍ମୟ ଗାଡି ବାହାର୍ ଅଂଶ ଗୁଡିକ ସୁନ୍ଦର ରୂପ ଦେବାରେ ଲାଗିଥିଲା. ଧିରେ ଧିରେ ନିଲୋଫର ୱିଲ୍ ଚେୟାର ରେ ବସି ସବୁ ଦେଖନ୍ତି ଆଉ ଖୁସି ହୁଅନ୍ତି।
ବହୁ ଦିନର ପରିଶ୍ରମ ସଫଳ ହେବାକୁ ଯାଉଥିଲା।ଗାଡି ର ସବୁ କାମ ସରିବା ଉପରେ ଥିଲା। ଏକ ସୁନ୍ଦର କାର ବନି କି ପ୍ରସ୍ତୁତ ଥିଲା।କାର୍ ରେ ଗୋଟିଏ ପାଣି ର ଟାଙ୍କି ର ବ୍ୟବସ୍ଥା ଥିଲା ଯାହା ବାହାରୁ ବିଲକୁଲ ଜଣା ପାଉନଥିଲା। ଭଲ କଥା ଏୟା ଥିଲା ଯେ ଏହା ପେଟ୍ରୋଲ ରେ ନୁହଁ ପାଣି ରେ ଚାଲେ ଏଥିରେ ପାଣି ବି ବହୁତ୍ କମ୍ ଖର୍ଚ୍ଚ ହେଉଥିଲା। ଏବଂ ଗାଡିଟିର ଦାମ୍ ବି ଅନ୍ଯ ଆକାରରେ କମ୍। ପ୍ରଶାନ୍ତ ବାବୁ ତ ପୁରୁଣା କାର ଉପରେ ହିଁ ଏ ପ୍ରୟୋଗଟି କଲେ. ପ୍ରଶାନ୍ତ ବାବୁ ନିଜ ସ୍ଵପ୍ନ ସତ ଆକାରରେ ଦେଖି ଖୁସିରେ ଫାଟି ପଡୁଥିଲେ। ଚିନ୍ମୟ, ଗାଡି ଟିକୁ ସରକାରୀ ମଞ୍ଜୁର ପାଇଁ ପ୍ରସ୍ତାବ ଦେଲା। ପ୍ରଶାନ୍ତ ବି ରାଜି ହୋଇଗଲେ. ପ୍ରଶାନ୍ତ ଅପେକ୍ଷା ରେ ରହିଲେ କେତେବେଳେ ସରକାରୀ ମଞ୍ଜୁର ମିଳିବ ସେ ନିଲୋଫର କୁ ଉପହାର ସ୍ଵରୂପ କାର୍ ଟିକୁ ଦେବେ କିନ୍ତୁ ପ୍ରଶାନ୍ତ ବାବୁ ଙ୍କ ଗାଡି ସରକାରୀ ମଞ୍ଜୁରୀ ମିଳିପାରିଲା ନାହିଁ।
ପ୍ରଶାନ୍ତ ସେଦିନ ଘରକୁ ଫେରି ଟିକେ ମନ ଉଣା କରି ନିଜେ ନିଜକୁ କହିଲେ, ନା ମୁଁ ସେ ସ୍ଵପ୍ନ କୁ ପୁରା କରିପାରିଲିନି, ଏ ବୁଢା ହାତରେ ଆଉ ବଳ ନାହିଁ, ବାହାରୁ ଗାଡିର ହର୍ଣ୍ଣ ଜୋର ଜୋର ରେ ବାଜୁଥିଲା। କିଏ ଏମିତି ବଜାଉଛି ବୋଲି ପ୍ରଶାନ୍ତ ବାବୁ ବାହାରକୁ ବାହାରି ଦେଖନ୍ତି ତ ଡ୍ରାଇଭର ସିଟ୍ ରେ ନିଲୋଫର ବସିଛନ୍ତି। ଆଉ ତାଙ୍କ ସହ ଚିନ୍ମୟ ବି। ହସି କି ନିଲୋଫର କହିଲେ ଚାଲ ଯିବା ଆମର ସେଇ ସପନ ର ଗାଁ ଆଡ଼େ ଗୋଟେ ଲମ୍ବା ଯାତ୍ରାରେ। ନିଲୋଫରଙ୍କ ର ସ୍ୱାସ୍ଥ୍ର ଏତେ ଉନ୍ନତି ଦେଖି ପ୍ରଶାନ୍ତ ବୁଝିଗଲେ ଯେ ଗାଡିଟି ପାଇଁ ନିଲୋଫର ବହୁତ୍ ଖୁସି ଆଉ ଏଇଟା ହିଁ ତ ତାଙ୍କ ସ୍ଵପ୍ନ ଥିଲା। ପ୍ରଶାନ୍ତ ବାବୁ ଖୁସିରେ ଯାଇ ବସିଗଲେ ତାଙ୍କ ସ୍ଵପ୍ନ ସବାରୀ ରେ। ଆଉ ସମସ୍ତେ ମିଶି ବାହାରି ଗଲେ ସେହି ଲମ୍ବା ଯାତ୍ରା୍ରେ। ପ୍ରଶାନ୍ତ ବାବୁଙ୍କ ପ୍ରିୟ ଗୀତଟି ବାଜି ଚାଲୁଥିଲା ଗାଡି ଭିତରେ।
କଥା ତ ଏତିକି………