ଭଲ ମଣିଷ ଖୋଜା - Utkal Odisha

ଭଲ ମଣିଷ ଖୋଜା

humanity
Reading Time: 3 minutes

କଲେଜରୁ ଫେରୁ ଫେରୁ ରାଗ ତମତମ ହେଇ ବ୍ୟାଗଟାକୁ ଟେବୁଲ୍ ଉପରକୁ ଫିଙ୍ଗି ଦେଇ ସୋଫା ଉପରେ ଦୁଲ୍ କିନା ବସି ପଡ଼ିଲା ମୁନି। ପାଖରେ ଚା କପ୍ ଟା ଧରି ଜେଜେ ବସି ଖବରକାଗଜ ପଢୁଥିଲେ। ମୁନି ନାକ ର ଫଁ ଫଁ ନିଶ୍ଵାସ ଜେଜେ ଙ୍କ କାନରୁ ବାଦ୍ ପଡୁନଥିଲା। ଆଜି ନିଶ୍ଚୟ କୋଉଠି କିଛି ଗୋଟେ ହେଇଛି। ନୂଆ କରି କଲେଜ୍ ରେ ପାଦ ଦେଇଥିବା ଏଇ ନାତୁଣୀଟିର ରାଗ ନାକ ଅଗରେ। କୋଉଠି କିଛି ଭୁଲ୍ ଭାଲ୍ ହେବାର ଦେଖିଲେ ଆଉ ସମ୍ଭାଳି ପାରେନି ସେ। ସ୍କୁଲରେ ଏଇ ଗୁଣ ପାଇଁ ବହୁତ୍ ଥର ଘରକୁ ଢେର୍ କମ୍ପ୍ଲେନ୍ ନେଇକି ଆସିଛି ସେ। ବାପା ମା ଙ୍କ ଠୁ ବହେ ଗାଳି ବି ଶୁଣେ। “ଆରେ ବାବା ତୁ ତ ଯାଉଚୁ ପଢିବା ପାଇଁ, କିଏ କାହାକୁ ବିନା ଦୋଷରେ ମାରିଲା ବା କିଏ କାହାକୁ ହଇରାଣ କଲା ସେଥିରେ ତୋର୍ ଯାଏ ଆସେ କେତେ?” ଜେଜେ କିନ୍ତୁ ଠିକ୍ ଜାଣନ୍ତି ତାଙ୍କର ଏଇ ନାତୁଣୀଟି ଗୋଟିଏ ସୁନାମୁଣ୍ଡା। ସେଇଥି ପାଇଁ ଖାସ୍ ଜେଜେଙ୍କ ଯୋଗୁଁ ସେ ବାପା ମା ଙ୍କ ଗାଳିରୁ ବର୍ତ୍ତୀ ଯାଏ। ଜେଜେ ସବୁବେଳେ ନାତୁଣୀର ପକ୍ଷ ନିଅନ୍ତି। ନାତୁଣୀ ମୋର ବଡ଼ ହେଲେ ସମାଜସେବୀ ହେବ ବୋଲି କହନ୍ତି। ବାପା, ମା ଜେଜେ ନାତୁଣୀଙ୍କ କଥାରେ ଆଉ ହସ୍ତକ୍ଷେପ କରନ୍ତିନି।

ଆଜି କଲେଜରୁ ଫେରୁ ଫେରୁ ନାତୁଣୀର ଏ ହାବଭାବ ଦେଖି ଜେଜେ ଘନଶ୍ୟାମ ବାବୁ ପୂରା ନିଶ୍ଚୟ ଯେ ଆଜି ବି ନାତୁଣୀର ମୁଡ୍ ବହୁତ୍ ଖରାପ ଅଛି। ପୁଅ ବୋହୂ ଅଫିସ୍ ରୁ ଫେରି ନାହାନ୍ତି। ଅତଃ ଜେଜେ ନାତୁଣୀ କୁ ପାଣି ଗ୍ଲାସ୍ ଟା ବଢେଇ ଦେଇ ପ୍ରଶ୍ନ କଲେ, “କଣ ହେଇଛି ରେ ମା? କଲେଜରେ କିଏ କିଛି କହିଲେ କି?” ଯଦିଓ ଜେଜେ ଜାଣିଥିଲେ ତାଙ୍କ ରଣଚଣ୍ଡି ନାତୁଣୀ ଆଗରେ କାହାର ପାଟି ଫିଟି ନଥିବ, ତଥାପି କଥାଟା କଣ ଜାଣିବା ପାଇଁ ଜେଜେ ଏମିତି ଭାବେ କଥାବାର୍ତ୍ତା ଆରମ୍ଭ କଲେ।

ଗୋଟେ ଢୋକରେ ପାଣି ଗ୍ଲାସ୍ ଟା ପିଇ ଦେଇ ମୁନି ଜେଜେ ଙ୍କୁ ଅନେଇ କହିଲା, “ଜେଜେ ଦୁନିଆରେ ଲୋକ ମାନେ କେତେ ଖରାପ। ସବୁବେଳେ ଦୁର୍ବଳ ଉପରେ ସବଳର ଅତ୍ୟାଚାର। କେହି ବିପଦରେ ପଡିଲେ, ଲୋକ ତାକୁ ସାହାଯ୍ୟ କରନ୍ତି ନାହିଁ, ଓଲଟି ତାର ଫାଇଦା ଉଠାନ୍ତି ଆଉ ଜୀବଜନ୍ତୁ ମାନଙ୍କୁ ତ ମଣିଷ ମାନେ ନିଜର ଭୃତ୍ୟ ପରି ବ୍ୟବହାର କରନ୍ତି।“ କଥାଟା କଣ ଭଲ ଭାବେ ଜାଣିବା ପାଇଁ ଜେଜେ ପଚାରିଲେ, “କାହିଁକିରେ ମା? ଏମିତି କଣ ପାଇଁ ଭାବୁଛୁ? ଦୁନିଆରେ ତ ବହୁତ ଭଲ ଲୋକ ଅଛନ୍ତି। ଭଲ ଲୋକ ଅଛନ୍ତି ବୋଲି ତ ଦୁନିଆ ଚାଲିଛି।“

“ନାହିଁ ଜେଜେ। ଜମା ନୂହେଁ।“କ୍ରୋଧ, ଦୁଃଖ ଆଉ ଅଭିମାନ ମିଶା ସ୍ଵରରେ କହିଲା ମୁନି। “ଜାଣିଛ! ଆଜି କଣ ହେଲା? ଆଜି ମୁଁ ରାସ୍ତାରେ ଆସିବା ବେଳେ ଗୋଟେ ଲୋକ ସାଇକଲ୍ ରୁ ଗଳି ପଡ଼ିଲେ। ତାଙ୍କ ଗୋଡ ହାତ ଖଣ୍ଡିଆ ହେଇଗଲା। ସେଇ ବାଟ ଦେଇ ବହୁତ ପିଲା, ଯୁବକ, ବୃଦ୍ଧ ବିଭିନ୍ନ ବୟସର ଲୋକ ଯାଉଥିଲେ। କେହି ଜଣେ ବି ଯାଇ ତାଙ୍କୁ ସାହାଯ୍ୟ କଲେନି। ବିଚାରା କେତେ ସମୟ ପରେ ନିଜେ ଉଠି ଏକା ଏକା ଘରକୁ ଗଲେ। ମୁଁ ଦୂରରେ ଥାଇ ତାଙ୍କୁ ଦେଖୁଥିଲି। ସେ ଗଲା ପରେ ମୁଁ ଆସିଲି। “ ମୁନି କହିଲା।

“ଯଦି ତୁ ସେଇଠି ଥିଲୁ, ତାହେଲେ ତୁ ଯାଇ ତାଙ୍କୁ ସାହାଯ୍ୟ କଲୁନି।“ ଜେଜେ ପ୍ରଶ୍ନ କଲେ।

“କିନ୍ତୁ ଜେଜେ, ଆମେ ତ ଏଇ ଏରିଆରେ ନୂଆ। ଦୁଇ ମାସ ହେଲା ଏଠିକୁ ଆସିଛେ। କେମିତି କଣ କରିବି ମୁଁ ଭାବି ପାରିଲିନି।“ ମୁନି ଉତ୍ତର ଦେଲା। “କିନ୍ତୁ ଯାହା କୁହ ଜେଜେ ଲୋକ ମାନଙ୍କର ମାନବିକତା ଲୋପ ପାଇଗଲାଣି।“ ମୁନି ଯୋଡ଼ିଲା । ଜେଜେ କଣ ଗୋଟିଏ ଭାବି ସ୍ମିତହାସ୍ୟ ଟିଏ ଦେଲେ। “ହଉ, ଯାହା ହେଲା ହେଲା। ଆଜି ସନ୍ଧ୍ୟା ରେ ତୋର୍ ମୋର ପାଖ ମାର୍କେଟ୍ କୁ ଯିବା। ଆଜି ତୋତେ ଗୋଟେ ବହୁତ ବଢିଆ ଜିନିଷ ମୁଁ ଉପହାର ଦେବି।“ ଜେଜେ କହିଲେ। ଜେଜେ ଙ୍କ ମୁହଁରୁ ଉପହାର କଥା ଶୁଣି ମୁନି ଟିକେ ଖୁସି ହେଇଗଲା।

ସନ୍ଧ୍ୟାରେ ଜେଜେ ନାତୁଣୀ ବଜାର ବୁଲି ବାହାରିଲେ। ରାସ୍ତା ରେ ଅଳ୍ପ ବାଟ ଯିବା ପରେ ଜେଜେ କହିଲେ, “ଉପହାର ପାଇବା ପୂର୍ବରୁ, ତୋତେ ଗୋଟିଏ କାମ କରିବାକୁ ପଡ଼ିବ। ତୁ କରିବୁ ତ?” ମୁନି ମୁଣ୍ଡ ହଲେଇ ସମ୍ମତି ଜଣାଇଲା । ଜେଜେ ଆରମ୍ଭ କଲେ, “ ଏବେ ମୁଁ ତୋ ଆଗେ ଆଗେ ଯିବି, ଆଉ ତୁ ମୋର ଟିକିଏ ପଛରେ ଆସିବୁ। କିଛି ବାଟ ଗଲା ପରେ ମୁଁ ପଡିଯିବାର ଅଭିନୟ କରିବି। କିଛି ସମୟ ପରେ ତୁ ଅଜଣା ଝିଅ ଭାବେ ଆସି ମୋତେ ସାହାଯ୍ୟ କରିବୁ।“ ମୁନି ହଁ ମାରିଲେ ବି ବୁଝି ପାରୁନଥିଲା ଜେଜେ ଏମିତି କାହିଁକି କହୁଛନ୍ତି।

ଜେଜେଙ୍କ କଥା ମୁତାବକ ମୁନି ଜେଜେଙ୍କଠୁ କିଛି ଦୂରତା ରକ୍ଷାକରି ଚାଲିଲା। ଜେଜେ କିଛି ବାଟ ଗଲା ପରେ ମୁଣ୍ଡ ବୁଲାଇ ପଡିଯିବାର ଅଭିନୟ କଲେ। ଆଖପାଖର ଲୋକ ଘଟଣା ସ୍ଥଳକୁ ଦୌଡ଼ି ଆସିଲେ। କିନ୍ତୁ କେହି ଜଣେ ହେଲେ ବି ଜେଜେଙ୍କ ପାଖକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁନଥାନ୍ତି। ପୂର୍ବ ଯୋଜନା ମୁତାବକ ମୁନି, ଜେଜେଙ୍କ ପାଖକୁ ଦୌଡ଼ି ଯାଇ କହିଲା, “ଆରେ ମଉସା। ଆପଣ କେମିତି ପଡିଗଲେ। ଚାଲନ୍ତୁ ମୁଁ ଆପଣଙ୍କୁ ଆପଣ ଙ୍କ ଘରେ ଛାଡିଦେବି। ମୁନି ପାଟିରୁ ଏତିକି କଥା ନ ସରୁଣୁ ଭିଡ ଭାଙ୍ଗି ଜଣେ ଯୁବକ ଜେଜେଙ୍କ ଆଡକୁ ଧାଇଁ ଆସିଲେ। ଦେଖୁ ଦେଖୁ ଆଉ ଦୁଇ ତିନି ଜଣ ଲୋକ ମଧ୍ୟ ପହଞ୍ଚିଗଲେ। ସମସ୍ତେ ମିଶି, ଜେଜେଙ୍କୁ ତଳୁ ଉଠାଇ ନିକଟରେ ପଡିଥିବା ସିମେଣ୍ଟ ବେଞ୍ଚ୍ ଉପରେ ବସେଇଦେଲେ। ଜଣେ ସ୍ତ୍ରୀ ଲୋକ ବୋତଲରୁ ପାଣି ବାହାର କରି ଜେଜେ ଙ୍କୁ ପିଇବାକୁ ଦେଲେ। ଆଉ ଜଣେ ମହିଳା ଜେଜେଙ୍କୁ ରୁମାଲରେ ବିଞ୍ଚି ଦେଲେ। କେଇଜଣ ଯୁବକ ଜେଜେଙ୍କୁ ଡାକ୍ତରଖାନା କିମ୍ବା ଘରେ ନେଇ ଛାଡି ଦେବାର ପ୍ରସ୍ତାବ ବି ଦେଲେ। ଜେଜେ କିନ୍ତୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଏବଂ ସେ ଏବେ ଏକା ଘରକୁ ଯାଇ ପାରିବେ ବୋଲି କହିଲେ।

ଲୋକଙ୍କ ଗହଳି ଭାଙ୍ଗି ଯାଇଥିଲା। ମୁନି ଆଉ ଜେଜେ ଫେରିବା ବାଟରେ, ଜେଜେ କହିଲେ, “ଦେଖିଲୁ। କିଛି ସମୟ ଆଗରୁ ନୀରବ ଦେଖଣାହାରୀ ସାଜିଥିବା ଲୋକେ କେମିତି ସଙ୍ଗେ ସଙ୍ଗେ ଆସି ଏତେ ମାତ୍ରାରେ ସାହାଯ୍ୟର ହାତ ବଢ଼ାଇଲେ।“ମୁନି ଆଶ୍ଚର୍ଯ୍ୟ ହେଇ କହିଲା, “ହଁ ତ ଜେଜେ। କିନ୍ତୁ ଏମିତି କେମିତି ହେଲା?”

ମୁନି ର ମୁଣ୍ଡ ଆଉଁସି ଦେଇ ଜେଜେ କହିଲେ, “ସବୁ ଲୋକଙ୍କ ମଧ୍ୟରେ ଭଲ ଗୁଣ ଲୁଚି ରହିଛି। ବାସ୍ ତାକୁ ପ୍ରକାଶ କରିବା ପାଇଁ ଗୋଟିଏ ପ୍ରେରଣା କିମ୍ବା ଉତ୍ସାହ ଦରକାର। ଯେତେବଳେ ତୁ ଆସି ମୋତେ ସାହାଯ୍ୟ କରିବାକୁ ଲାଗିଲୁ, ସେତେବଳେ ସମସ୍ତଙ୍କ ମଧ୍ୟରେ ଥିବା ଭଲ ପଣିଆ ବି ଜାଗି ଉଠିଲା। ବାସ୍। ତା ପରେ ତ ତୁ ସବୁ ଦେଖିଲୁ।“

“ହଁ ତ ଜେଜେ। ମୁଁ କେବେ ଏମିତି ଭାବି ନଥିଲି। ଆଜିଠୁ ମୁଁ ପ୍ରଥମେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆରମ୍ଭ କରିବି, ତାହେଲେ ଯାଇ ସିନା ଅନ୍ୟ ଲୋକ ମାନେ ଉତ୍ସାହିତ ହେବେ। ସତରେ ଦୁନିଆ ରେ ବହୁତ ଭଲ ଲୋକ ଅଛନ୍ତି।। ଖାଲି ଯାହା ଲୋଡ଼ା ତା ହେଉଛି ସଠିକ ମାର୍ଗଦର୍ଶନ। ଆଜି ତୁମର ଏ ଉପହାର ମୋତେ ବହୁତ କିଛି ଶିକ୍ଷା ଦେଲା ଜେଜେ।“ ଆନନ୍ଦରେ ଗଦଗଦ୍ ହେଇ କହିଲା ମୁନି।

“ଆରେ ବାଃ। ମୋ ନାତୁଣୀ ର କେତେ ବୁଦ୍ଧି।“ ମୁନିର ପିଠି ଥାପୁଡେଇ କହିଲେ ଜେଜେ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x