ବନ୍ଧୁ ଭାବଗ୍ରାହୀ ବାବୁଙ୍କୁ ଏତେ ବର୍ଷ ପରେ, ସେଦିନ ରାସ୍ତାରେ ଦେଖି ପବିତ୍ର ବାବୁ ଖୁସିହୋଇ କହିଲେ,
- ରିଟାୟାରମେଣ୍ଟ ପରେ ଖବର ଅନ୍ତର ନାହିଁ ;ଗାଁରେ ଥିଲୁ ନା କଣ ?ଏତେ ବର୍ଷ ଚାକିରୀ କରି ଘର ଖଣ୍ଡେ ଏଠି କଲୁନି। କେଉଁଠି ରହୁଛୁ ?”
ପବିତ୍ର ବାବୁଙ୍କୁ କୁଣ୍ଢାଇ ପକାଇ ଭାବଗ୍ରହୀ ବାବୁ କହିଲେ, - ମୋ ପୁଅ ଅନିମେଶ ଏଇଠିକୁ ଟ୍ରାନ୍ସଫର ହୋଇ ଆସିଛି। ଏଇ କଲୋନୀରେ ହେଇ ସେଇ ଯେଉଁ ଶାଗୁଆ ରଙ୍ଗର ଆପାର୍ଟମେଣ୍ଟ ,ସେଇଠି ତିନିମହଲାରେ ପରା ଫ୍ଲାଟ କିଣିଛି ।ମିସେସ ଚାଲିଗଲା ପରେ ଏକୁଟିଆ କାହିଁକି ଗାଁରେ ରହିବି ତଥା ଦେହ ଭଲ ରହିଲାନି ବୋଲି ପୁଅ ,ବୋହୁ ଜବରଦସ୍ତି ମୋତେ ଏଠାକୁ ନେଇ ଆସିଲେ।ନାତି ଟୋକା ହଷ୍ଟେଲରେ।ଘରେ ପୁଅ,ବୋହୁ ଓ ମୁଁ।ଚାଲ ଆମ ଘରକୁ।
- ଭାଉଜ ଚାଲିଗଲେ ?ମୁଁ କିଛି ବି ଜାଣିନି ?କଣ ହୋଇଥିଲା ?”
-ରାତିରେ ଭଲ ଲୋକ ଭଳି ଶୋଇଥିଲା,ସକାଳୁ ଉଠିଲାନି। ଛାଡ଼ ସେସବୁ।ସପ୍ତାହେ ହେଲା ଆସିଲିଣି,ଦେହ ଭଲ ନଥିଲା,ମୁଣ୍ଡ ବୁଲାଉଥିଲା; ଆଜି ଟିକେ ବାହାରୁଛି।” - ଭଲ ହେଲା,ଏବେ ସବୁଦିନ ଦେଖାହେବ।ଆମ ଅଫିସ ର ମୁରଲୀ ବାବୁ ଓ ଧରଣୀ ବାବୁ ଏଇ ପାଖରେ ରହୁଥିଲେ।ଉଭୟେ ହାର୍ଟ ଆଟାକରେ ଗଲା ବର୍ଷ…….।”
ଦୁଇ ବନ୍ଧୁ ମୁହାଁଇଲେ ଏଥର ଭାବଗ୍ରାହୀ ବାବୁଙ୍କ ଫ୍ଲାଟ ଆଡ଼କୁ।ବୋହୁ କବାଟ ଖୋଲିଲା ପରେ ଭାବଗ୍ରହୀ ବାବୁ ପରିଚୟ କରାଇଦେଲେ ପବିତ୍ର ବାବୁଙ୍କ ସହ।
ମୁଣ୍ଡିଆ ମାରି ବୋହୁ ଗଲା ଚାହା ଆଣିବାକୁ।ଫ୍ଲାଟ ଘର ଭିତରେ ଆଖି ବୁଲାଇ ଆଣି କହିଲେ,”କେତେ ସ୍କୋୟାର ଫିଟ ଫ୍ଲାଟ ?ତୋତେ ବାରମ୍ବାର କହିଥିଲି ଜାଗା ଖଣ୍ଡେ କିଣି ଘର କରିବାକୁ;କଲୁନି।ଫ୍ଲାଟ ଘର କଣ ଘର ?ପାରାଭାଡ଼ି ବୋଲି ମୁଁ କହେ।ଏବେ ଦେଖେ ପାରାଭାଡ଼ିରେ ରହିବୁ ଅବଶିଷ୍ଟ ଜୀବନ।ନିଜ ଚାକିରୀ କାଳର ଅର୍ଜନ ସିନା ଠିକରେ ଇନଭେଷ୍ଟମେଣ୍ଟ କରିଥାନ୍ତୁ ।ମୋତେ ଦେଖ,ଚାରିହଜାର ସ୍କୋୟାରଫିଟ ଜାଗାରେ ତିନିହଜାର ସ୍କୋୟାରଫିଟ ବିଲ୍ଡିଙ୍ଗ।ମୋର ସବୁ ଜମାପୁଞ୍ଜି ସେଇ ଘରେ ଲଗାଇଦେଇଥିଲି ବୋଲି ଆଜି ନିଶ୍ଚିନ୍ତ।ତଳ ମହଲାଟା ବ୍ୟାଙ୍କକୁ ଭଡା ଦେଇଛୁ।ଦୁଇ ପୁଅ ବୋହୁ ସବୁ ଏକାଠି ରହୁଛୁ।”
ପବିତ୍ର ବାବୁଙ୍କ କାନ୍ଧରେ ହାତ ପକାଇ ଭାବଗ୍ରହୀ କହିଲେ,”ତୁ ଅସଲରେ ଭାଗ୍ୟବାନ।ତେବେ ମୋ ଜମାପୁଞ୍ଜି ମୋ ପୁଅ ଓ ଦୁଇ ଝିଅଙ୍କ ପାଠପଢ଼ା,ବାହାଘରରେ ଖର୍ଚ୍ଚ କରିଦେଲି।ପିଲାଙ୍କୁ କେବେ କୌଣସି କଥାରେ ଅଭିଯୋଗର ମଉକା ନଦେବାକୁ ତୋ ଭାଉଜ କହୁଥିଲା।ଘର ବାଡ଼ି ,ବ୍ୟାଙ୍କ ବାଲାନ୍ସ ନାହିଁ,ହେଲେ ମୋର ଅସଲ ଜମାପୁଞ୍ଜି ହେଲେ ମୋ ତିନି ପିଲେ।ଭଲ ମଣିଷ କରି ଗଢିବାକୁ ଚେଷ୍ଟା କରିଛି।”
ଘର ଭିତର ଦେଖିବାକୁ ଉଠିଲେ ପବିତ୍ର ବାବୁ।ଦୁଇ ବେଡ଼ରୁମ ବାଲା ଫ୍ଲାଟ।ଗୋଟାଏ ଟିକେ ବଡ଼ ରୁମ,ଅନ୍ୟଟି ମାଧ୍ୟମ ଧରଣର।ଦ୍ବିତୀୟ ବେଡ଼ ରୁମ କୁ ଭଲ କରି ଦେଖିଲେ ପବିତ୍ର ବାବୁ।ଗୋଟେ ଖଟ ଓ ଖଟ ତଳକୁ ଚଟାଣରେ ଗୋଟେ ସପ ,କନ୍ଥା ଗୁଡାହୋଇ ପଡିଛି।ଗୋଟେ ଆଲଣାରେ କିଛି ଲୁଗା ଓ ଅସନା ଗାମୁଛା,ଲୁଙ୍ଗି ଝୁଲୁଥିଲା।ଦୀର୍ଘନିଶ୍ବାସ ନେଇ ସେ ଅନାଇଲେ ଭାବଗ୍ରହୀ ବାବୁଙ୍କୁ।
ବୋହୁ ଚାହା ଆଣି ରଖି କହିଲା,”ମଉସା,ଆଜିି ଆପଣ ଏଇଠି ଆମ ସହ ଲଞ୍ଚ କରିବେ।ବାପାଙ୍କୁ ଭଲ ଲାଗିବ।
ଇଲିଶି ମାଛ ତରକାରୀ କରିଛି।ବାପା ଆପଣ କୁହନ୍ତୁ ମଉସାଙ୍କୁ।” - ସିଏ ବଡ଼ ଲୋକ।ଘରେ ତା ଦୁଇ ବୋହୁ ,ସ୍ତ୍ରୀ କେତେ କଣ ରାନ୍ଧିକି ପରଶୁଥିବେ।ଆମ ଗରିବ ଘରେ ଖାଇବାକୁ ସେ ରାଜି ହେବକି ନାହିଁ ।”
- ନିଶ୍ଚେ ଖାଇବି ମା।ତୁ ଏତେ ସ୍ନେହରେ କହୁଛୁ ଯେତେବେଳେ,ଆଉ ଇଲିଶି ମୋର ଭାରି ପ୍ରିୟ… କହି ଚା କପଟା ଧରି ବାଲକୋନିକୁ ଉଠିଗଲେ ପବିତ୍ର।ପଛେ ପଛେ ଭାବଗ୍ରହୀ ବାବୁ।
ଚା ପିଉ ପିଉ ଆଖି ପୋଛୁଥିଲେ ପବିତ୍ର। - କଣ ହେଲା ?ଆଖିରେ କିଛି ପଡ଼ିଗଲା କି ?
ଟିକେ ରହି ପବିତ୍ର କହିଲେ,”ନାଇଁରେ,ଏତେ ଦିନ ପରେ ଶ୍ରଦ୍ଧାରେ ତୋ ବୋହୁ ଖାଇବାକୁ ଡ଼ାକିଲା ବୋଲି ମନ ଓ ଆଖି ଭରିଗଲା। - ଘରକୁ ଫୋନ କରି କହିଦେ ତୁ ଏଠି ଲଞ୍ଚ କରିବୁ ବୋଲି।ନହେଲେ ସମସ୍ତେ ତୋତେ ଅପେକ୍ଷା କରିଥିବେ।”
ଶୁଖିଲା ହସଟିଏ ମୁହଁରେ ଖେଳାଇ ପବିତ୍ର କହିଲେ,”କିଏ ଅନେଇବ ?ତୋ ଭାଉଜ ଚାଲିଗଲା ଦିନୁ ସେ ଘରେ ମୋତେ କେହି ଅପେକ୍ଷା କରିନଥାନ୍ତି।ଅପେକ୍ଷା କରିଥାନ୍ତି କେବଳ ଚେକରେ ମୋ ଦସ୍ତଖତ କୁ।ଦୁଇପୁଅଙ୍କ ଚାକିରୀ ନାହିଁ।ଘର ଭଡା ଓ ମୋ ପେନସନ ଟଙ୍କାରେ ଚଳୁଛୁ।ଥାଳିରେ ବାଢ଼ିଦେଇ ଟେବୁଲ ଉପରେ ଘୋଡାଇ ଥୋଇଦିଅନ୍ତି ଖାଇବାଟା ଦୟା କଲା ଭଳି।”
ମୁହଁ ପୋଛି ଭାବଗ୍ରାହୀଙ୍କୁ ଅନାଇ ପୁଣି କହିଲେ,”ତୋ କଥା ବି ସେମିତି।ସେଇ ରୁମ ଦେଖି ତୋ ଅବସ୍ଥା ବି ଜାଣୁଛି।ସପ ପକେଇ ତଳେ ଶୋଉଛୁ,ମୋ ଭଳି।”
ହୋ ହୋ ହୋଇ ହସି ଭାବଗ୍ରାହୀ କହିଲେ,”ମୁଣ୍ଡ ବୁଲାଉଥିଲା ବୋଲି ଓ ରାତିରେ ବାଥରୁମ ଗଲେ କାଳେ ଅସୁବିଧା ହେବ ବୋଲି ପୁଅବୋହୁଙ୍କ ବେଡ଼ ସହ ଗୋଟେ ଫୋଲଡିଙ୍ଗ ବେଡ଼ ଯୋଡି ମୋତେ ତାଙ୍କ ରୁମରେ ଜବରଦସ୍ତି ଶୁଆଉଛନ୍ତି।ମୁଁ ବି ମୋ ବାପାଙ୍କୁ ଏଭଳି ମୋ ପାଖରେ ରଖି ଯତ୍ନ ନେଉଥିଲି,ପୁଅ ବୋହୁ ଦେଖିଛନ୍ତି।ଏବେ ସେମାନେ ତାଙ୍କ କର୍ତ୍ତବ୍ୟ କରୁଛନ୍ତି।ମୋ ଇନଭେଷ୍ଟମେଣ୍ଟ’ର ସୁଧମୂଳ ଏବେ ଫେରିପାଉଛି।ହଁ,ଅନ୍ୟ ରୁମରେ ସପରେ ଘର ଚାକର ମକରା ଶୁଏ।ସପ୍ତାହେ ହେଲା ତା ବାପା ମରିଗଲେ ବୋଲି ଛୁଟିରେ ଯାଇଛି ସେ।”
ଆବାକାବା ହୋଇ ଅନାଇଥିଲେ ପବିତ୍ର ବାବୁ।ବନ୍ଧୁଙ୍କୁ କୁଣ୍ଢାଇ ପକାଇ କହିଲେ, - ତୁ ହିଁ ସତରେ ଭାଗ୍ୟବାନ ବାପା।