ସେ ଜଣେ ଭିନ୍ନ ବ୍ୟକ୍ତିତ୍ୱ l ତାଙ୍କର ବେଶଭୂଷାରୁ ସେ ଜଣେ ଭାରତୀୟ ପରି ଜଣା ପଡ଼ନ୍ତି ନାହିଁ l ସେ ଜଣେ ବିଦେଶୀ l ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ବାସିନ୍ଦା କାର୍ଲ ରକ l କିନ୍ତୁ ଭାରତ ପ୍ରତି ତାଙ୍କର ଭଲ ପାଇବା ଢେର ବେଶୀ l ଏପରିକି ସେ ଭାରତରୁ ନିଜର ଜୀବନ ସାଥି ବାଛି ବିବାହ କରିଛନ୍ତି l ତାଙ୍କର ପତ୍ନୀ ମନୀଷା ହେଉଛନ୍ତି ହରିୟାଣାର ବାସିନ୍ଦା l ତାଙ୍କର ମନକୁ ଭାରତର ପରମ୍ପରା ଚଳଣୀ ଏତେ ମାତ୍ରାରେ ଛୁଇଁ ଯାଇଛି ଯେ ସେ ସୁଦୂର ନ୍ୟୁଜିଲାଣ୍ଡରୁ ଭାରତକୁ ସବୁଦିନ ପାଇଁ ଚାଲି ଆସିଛନ୍ତି ଏବଂ ନିଷ୍ପତି କରିଛନ୍ତି ଯେ ସେ ଏଠାରେ ନିଜର ସଂସାର ଗଢ଼ିବେ l ସତରେ କେତେ ବିରାଟ ଚିନ୍ତାଧାରା !
କଥା ଏତିକି ନୁହେଁ କାର୍ଲ ଜଣେ ବିଦେଶୀ ହୋଇ ବି ସେ କିଛି ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି ଏବଂ ସେଇଥି ପାଇଁ ସେ ସଦା ତତ୍ପର l ଭାରତକୁ କେହି ବିଦେଶୀ ଆସି କେବେ ହତୋତ୍ସାହିତ ନ ହୁଅନ୍ତୁ, ବିଦେଶରେ ଭାରତର ନାଁ ର ସୁନାମ ରହୁ, ଭାରତର ପର୍ଯ୍ୟଟନର ବିକାଶ ଘଟୁ, ବିଦେଶୀ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଭାରତ ଗୋଟିଏ ନିରାପଦ ସ୍ଥାନ ଭାବରେ ସୁନାମ ଅର୍ଜନ କରୁ ଏହା ତାଙ୍କର ଲକ୍ଷ୍ୟ l ଆପଣ ଟିକେ ଭାବିଲେ ଏ ସବୁ କଥା ଆମେ ସମସ୍ତେ ଜାଣିଛେ ଆଉ ଆମର ସରକାରୀ ଫାଇଲ ଭିତରେ ରହିଯାଇଛି, କିନ୍ତୁ କାର୍ଯ୍ୟରେ କେତେ ଲାଗିଛି l “ଅତୁଲ୍ୟ ଭାରତ” ସ୍ଲୋଗାନ ଆଜି କେବଳ ଏକ ସ୍ଲୋଗାନରେ ହିଁ ଅଟକି ଯାଇଛି l ଆମେ ଜଣେ ଭାରତୀୟ ଭାବରେ ଏକଥା ଟିକେ ଭିତିରେଇ ଚିନ୍ତା କରିଲେ ମନ କଷ୍ଟ ହୁଏ l ଠିକ ନାଁ !
କାର୍ଲ ଯେବେ ପ୍ରଥମେ ୨୦୧୩ ମସିହାରେ ଭାରତକୁ ବୁଲି ଆସିଥିଲେ ସେ ବହୁତ ଠକାମୀର ଶିକାର ହୋଇଥିଲେ ଏବଂ ଏହା ତାଙ୍କୁ ବହୁତ ଖରାପ ଲାଗିଥିଲା l ସେବେଠାରୁ ସେ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି l ଏ ସମ୍ବନ୍ଧରେ ସେ “India Survival Guide” ନାମରେ ଗୋଟିଏ ପୁସ୍ତକ ରଚନା କରିଛନ୍ତି l ଭାରତୀୟ ଚଳଣୀ, ପରମ୍ପରା, ରୀତିନୀତି ପ୍ରତି ଯେପରି ଜଣେ ବିଦେଶୀ ପର୍ଯ୍ୟଟକ ମନ୍ଦ ମନୋଭାବ ପୋଷଣ ନ କରୁ ଏବଂ ଏଥି ପ୍ରତି ଆକୃଷ୍ଟ ହେଉ ଏହା କରିବା ପାଇଁ କାର୍ଲ ମନୋନିବେଶ କରିଛନ୍ତି l ଭାରତର କୋଣ ଅନୁକୋଣ ବୁଲିବା ତାଙ୍କର ସଉକ ଏବଂ ଆଗ୍ରହ l ସେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ବୁଲି ସାରିଛନ୍ତି l
କାର୍ଲ କୁହନ୍ତି ଭାରତରେ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ପ୍ରକାରର ହରକତର ସାମ୍ନା କରିବାକୁ ପଡ଼େ ଏବଂ କେତେକ ସ୍ଥଳରେ ବିଦେଶୀମାନେ ଠକେଇର ଶିକାର ମଧ୍ୟ ହୁଅନ୍ତି l ସେ ମଧ୍ୟ ପ୍ରଥମେ ଭାରତରେ ପାଦ ଦେବା ବେଳେ ତାଙ୍କ ସହିତ ଏହା ଘଟିଥିଲା l ଯାହା ଦ୍ୱାରା ସେ ଟିକେ ଚିନ୍ତିତ ଥିଲେ l ନ୍ୟୁ ଦିଲ୍ଲୀର ବିମାନ ବନ୍ଦରରୁ ଟାକ୍ସିଵାଲା କିପରି ତାଙ୍କୁ ଠକିଥିଲା ସେ କଥା କୁହନ୍ତି କାର୍ଲ l ସେ କୁହନ୍ତି ଜୋତା ପଲିସ କରିବା ବ୍ୟକ୍ତି ବି ବିଦେଶୀଙ୍କୁ ଠକିବାକୁ ଚାହିଁବସିଥାଏ ଏଠାରେ l ସେ ଭାରତକୁ ଏତେ ଭଲ ପାଆନ୍ତି ଯେ ତାଙ୍କ ମନକୁ ଏହି ସବୁ ଛୋଟ ଛୋଟ କାର୍ଯ୍ୟଗୁଡ଼ିକ ପସନ୍ଦ ଆସିନଥିଲା l କାର୍ଲ ଚାହାଁନ୍ତି ଭାରତରେ ଏସବୁ ନ ହେଉ l ଏହା ଦ୍ୱାରା ବିଦେଶରେ ଭାରତର ସୁନାମ ଆହୁରି ବ୍ୟାପିଯିବ l ଆମର ସଂସ୍କୃତ ଆପ୍ତ ବାକ୍ୟ “ଅତିଥି ଦେବୋ ଭବ” କୁ ଆମେ କେତେ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରୁଛେ ତାହା ଆମ ସମସ୍ତଙ୍କୁ ଜଣା l
ସେ ହରିୟାନାର ଏକ ଯାଠ ପରିବାର ରେବିବାହ କରିଛନ୍ତି l ତାଙ୍କର ସହଧର୍ମିଣୀଙ୍କ ନାମ ମନୀଷା l ସେ ହିନ୍ଦୀ ଭାଷା ଜାଣିଛନ୍ତି l ଆପଣ ବି ତାଙ୍କର ହିନ୍ଦୀ ଉପସ୍ଥାପନା ଶୈଳୀରେ ଚକିତ ହୋଇଯିବେ l ଭାରତରେ ବିଦେଶୀ ମାନଙ୍କୁ ପରୋକ୍ଷରେ ଏବଂ ପ୍ରତ୍ୟକ୍ଷ ଭାବରେ ଠକୁଥିବା ବ୍ୟକ୍ତିମାନଙ୍କୁ କାର୍ଲ ନିଜେ ସାମ୍ନା କରିବାକୁ ଆଗେଇ ଆସିଛନ୍ତି l ସେ ନିଜେ ହିନ୍ଦୀରେ କଥା କୁହନ୍ତି ଏବଂ ଇଂରାଜୀରେ ବି କଥାବାର୍ତା କରନ୍ତି l ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ ମାଧ୍ୟମରେ ସେ ନିଜର ଚିନ୍ତା ଧାରାକୁ ବ୍ୟକ୍ତ କରିବା ନିମନ୍ତେ ଯଥେଷ୍ଟ ଉଦ୍ୟମ କରିଛନ୍ତି l ସତରେ ତାଙ୍କର ଉଦ୍ୟମ ବହୁତ ମହାନ କିନ୍ତୁ ଅନ୍ୟ ପକ୍ଷରେ ଆମେମାନେ ଭାରତୀୟ ହୋଇ ଏ ବିଷୟରେ କେତେ ସଚେତନ ? ?