aa bail mujhe maar

ଆ ବୈଲ୍ ମୁଝେ ମାର୍

aabail
Reading Time: 4 minutes

ବ୍ୟାଙ୍କ୍ ଚାକିରୀରେ ଆଜି ଏଠି ତ କାଲି ଆଉ କେଉଁଠିକୁ ବଦଳି ଆଦେଶ ଆସିଯିବ ଆଗରୁ ଜାଣିବା ସହଜ ନୁହେଁ । ବ୍ୟାଙ୍କ୍ ସେବା ଏକ ସର୍ବ ଭାରତୀୟ ସେବା ଶ୍ରେଣୀର ଅନ୍ତର୍ଭୁକ୍ତ ହୋଇଥିବାରୁ ରାଜ୍ୟ ବାହାରକୁ ବି ବଦଳି ହେବାର ସମ୍ଭାବନା କୁ ଏଡେଇ ଦିଆଯାଇ ନ ପାରେ । ଯେଉଁମାନେ ଏକ୍ଜୂକ୍ୟୁଟିଭ୍ ଶ୍ରେଣୀରେ ଅବସ୍ଥାପିତ ସେମାନଙ୍କ କଥା କହିଲେ ନସରେ । ଯେ କୌଣସି ମୂହୂର୍ତ୍ତରେ ଉପର ଅଫିସ୍ ବାଲା ବଦଳି କରିଦେଇ ପାରିବେ । କାଳ ବେଳ କିଛି ଦେଖନ୍ତି ନାହିଁ । ପରିବାରର ଅସୁବିଧା ଥାଉ କି ସ୍ୱାସ୍ଥ୍ୟଗତ କାରଣ ହେଉ ,କେହି ତା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ହଁ ଯେଉଁମାନେ ନିଜର ପାରିବା ପଣିଆ ଦେଖେଇ ପାରନ୍ତି ସେମାନେ ନିଜର ପୋଷ୍ଟିଙ୍ଗ୍ ନିଜର ପସନ୍ଦ ହିସାବରେ ହାସଲ କରିଥାନ୍ତି । ସେପରି ଦକ୍ଷତା ଲେଙ୍କାବାବୁଙ୍କର ନଥିଲା । ମନରେ ତାଙ୍କର ସ୍ୱାଭିମାନ ଥାଏ । କାହାକୁ ତୋଷାମଦ କରିବାକୁ ବୋଧହୁଏ ବିବେକ ତାଙ୍କର ବାଧାଦିଏ । ତଥାପି ଅକାଳେ ନିୟମ ନାସ୍ତି ନ୍ୟାୟରେ ସମୟେ ସମୟେ କୌଣସି ସମସ୍ୟାରୁ ପାର ପାଇବା ପାଇଁ ସେ ୟୁନିୟନ ସେକ୍ରେଟାରୀ କିମ୍ବା ହାୟର୍ ଏକ୍ଜୁକ୍ୟୁଟିଭ୍ ଙ୍କ ସହାୟତା ଲୋଡି ମଧ୍ୟ ଅକୃତକାର୍ଯ୍ୟ ହେବା ତାଙ୍କ ଭାଗ୍ୟରେ ଘଟିଛି । ତେଣୁ ସେ ସର୍ବଦା କର୍ମରେ ବିଶ୍ୱାସ ରଖିଥାନ୍ତି । ନିଜର କାର୍ଯ୍ୟ ଦକ୍ଷତା ପାଇଁ ସେ ବିନା ତୋଷାମଦରେ ଭଲ ପୋଷ୍ଟିଙ୍ଗ୍ ପାଇବାର ନଜିର୍ ଅଛି ।

ଏକ୍ଜୁକ୍ୟୁଟିଭ୍ ଶ୍ରେଣୀକୁ ପଦୋନ୍ନତି ହେବା ପୂର୍ବରୁ ଲେଙ୍କାବାବୁଙ୍କୁ ରାଜ୍ୟ ବାହାରେ ସୁଦୂର ଉତ୍ତର ପୂର୍ବାଞ୍ଚଳକୁ ଇନ୍-ଷ୍ପେକ୍ଟିଙ୍ଗ୍ ଅଫିସର ଭାବେ ଦୀର୍ଘ ତିନିବର୍ଷ ପର୍ଯ୍ୟନ୍ତ ଯିବାକୁ ପଡିଥିଲା । ସେଠାରୁ ଫେରିବାର ପ୍ରାୟ ଦେଢ ବର୍ଷ ପରେ ତାଙ୍କର ପଦୋନ୍ନତି ହେଲା ଏକ୍ଜୂକ୍ୟୁଟିଭ୍ ଶ୍ରେଣୀକୁ । ପଦୋନ୍ନତି ପରେ ଏକ ନୂତନ ସ୍ଥାନକୁ ଯିବାକୁ ପଡିବ । ମନ ମଧ୍ୟରେ ତାଙ୍କର ଅନେକ ଆଶା ଓ ଆଶଙ୍କା । ସୁଦୂର ପୂର୍ବାଞ୍ଚଳରୁ ଫେରିବା ପରେ ଯଦିଓ ସେ ନିଜର ପସନ୍ଦ ମୁତାବକ ପୋଷ୍ଟିଙ୍ଗ୍ ପାଇବା କଥା ତାହା ସେ ପାଇ ନଥିଲେ । ଜୋନାଲ ମ୍ୟାନେଜରଙ୍କର ପକ୍ଷପାତିତା କାରଣରୁ ସେ ଭୁବନେଶ୍ୱରରେ ଅବସ୍ଥାପିତ ହୋଇପାରିଲେ ନାହିଁ । ସେଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ହେଲେ ସେଥିରେ ସେ ଭାଙ୍ଗି ପଡି ନଥିଲେ । ମାତ୍ର ଗୋଟିଏ ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଲା । ତାଙ୍କୁ ଭୁବନେଶ୍ୱର ଜୋନାଲ ଅଫିସରେ ସ୍ଥାନିତ କରାଯାଇଥିଲା ।

ଏଣେ ବଡ ଝିଅର ବିବାହ କ୍ରମେ ଡେରି ହେବାକୁ ଲାଗିଥାଏ । ପୂର୍ବାଞ୍ଚଳରେ ପୋଷ୍ଟିଙ୍ଗ୍ କାରଣରୁ ଝିଅ ବିଭାଘର ପାଇଁ ଯୋଗାଯୋଗ କରିବାରେ ସେ ସମର୍ଥ ହୋଇ ପାରି ନଥିଲେ । ସେଠାରୁ ଫେରିବା ପରେ ବି ପୋଷ୍ଟିଙ୍ଗ୍ ଜନିତ ସମସ୍ୟାରେ ପଡି ସେ ଅତ୍ୟନ୍ତ ଭାରାକ୍ରାନ୍ତ ହୋଇଯାଇଥିଲେ ।

ଏକ୍ଜୂକ୍ୟୁଟିଭ୍ ଶ୍ରେଣୀକୁ ପଦୋନ୍ନତି ହେବାର ଫଳାଫଳ ଶୁଣି ଯେତିକି ଖୁସୀ ହୋଇଥିଲେ , ସେ ସବୁ ସ୍ୱଳ୍ପ ସମୟ ପରେ ମଉଳି ଯାଇଥିଲା । ପରିବାରରେ ପତ୍ନୀ ଓ ପିଲାମାନେ ଖୁସୀ ଥିଲେ ମଧ୍ୟ ଲେଙ୍କାବାବୁ ସେପରି ଖୁସି ଥିଲା ପରି ଜଣା ପଡୁ ନଥିଲେ । ସେ ଠିକ୍ ଜାଣିଥିଲେ ଜେ ଏ ପଦୋନ୍ନତି ତାଙ୍କୁ ପୁନଶ୍ଚ ରାଜ୍ୟବାହାରକୁ ନେଇ ଯାଇପାରେ ଏବଂ ସେ ଝିଅର ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ସକ୍ଷମ ହୋଇପାରିବେ ନାହିଁ ।

ସବୁଦିନ ସମାନ ଯାଏନା । ଯେତେବେଳେ ମଣିଷ ଜୀବନରେ ଦୁଃଖ ଆସେ ତା ସହିତ ଅନ୍ୟାନ୍ୟ ସମସ୍ୟା ସବୁ ସହଚର ଭାବେ ଆସିଥାନ୍ତି । ସେହିପରି ଶୁଭବେଳା ଆସିଲେ ସବୁ ପ୍ରକାର ଶୁଭ ଓ ମଙ୍ଗଳ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥାଏ । ପଦୋନ୍ନତି ପର ପୋଷ୍ଟିଙ୍ଗ୍ କୁ ନେଇ ଲେଙ୍କାବାବୁ ଯେତିକି ଚିନ୍ତିତ ଥିଲେ , ପୋଷ୍ଟିଙ୍ଗ ଆଦେଶ ଦେଖିବା ପରେ ତାହାର ଅବସାନ ଘଟିଲା । କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ ରେ ରିଜିଓନାଲ୍ ମ୍ୟାନେଜର ଭାବେ ସେ କଟକରେ ଅବସ୍ଥାପିତ ହେଲେ । ତାଙ୍କ ସହିତ ପଦୋନ୍ନତି ପାଇଥିବା ଓଡିଶାର ପ୍ରାୟ ସମସ୍ତ ସାଥୀ ମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିଲା । ବୋଧ ହୁଏ ପ୍ରଧାନ କାର୍ଯ୍ୟାଳୟ ଲେଙ୍କାବାବୁଙ୍କର ନିକଟ ଅତୀତରେ ସୁଦୂର ପୂର୍ବାଞ୍ଚଳରେ କାର୍ଯ୍ୟ କରି ଫେରିଥିବାର ବିଷୟକୁ ବିଚାରକୁ ନେଇ ତାଙ୍କୁ ପୁନଶ୍ଚ ରାଜ୍ୟ ବାହାରକୁ ପଠାଇ ନାହାନ୍ତି ବୋଲି ମନେ ମନେ ଭାବି ପରମ କାରୁଣିକ ସେହି ମହାପ୍ରଭୁ ଜଗନ୍ନାଥ ଉଦ୍ଦେଶ୍ୟରେ ସେ ହାତ ଯୋଡି ପ୍ରଣାମ ଜଣେଇଲେ ।

ନୂତନ ସ୍ଥାନରେ ଏକ ନୂଆ କାର୍ଯ୍ୟଭାର ଗ୍ରହଣ କରି ସେ ପୁଣି କାମରେ ମଜ୍ଜିଗଲେ । ଅଳ୍ପ କେତୋଟି ମାସ ଅନ୍ତରାଳରେ ଭଗବାନଙ୍କ ଅସୀମ କୃପାରୁ ବଡ ଝିଅର ବିଭାଘର ସ୍ଥିର ହୋଇ ସୁରୁଖୁରୁରେ ସମ୍ପନ୍ନ ହୋଇଗଲା । ମୁଣ୍ଡରୁ ଏକ ବିରାଟ ବୋଝ ଖସିଗଲା ପରି ସେ ଅନୁଭବ କଲେ ।

କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ କୁ ସେ ୟୁକୋ ବ୍ୟାଙ୍କ୍ ରୁ ଡେପୁଟେସନରେ ଆସି ରିଜୋଓନାଲ ମ୍ୟାନେଜର ଭାବେ ଅବସ୍ଥାପିତ ହୋଇଥିଲେ । ମାତ୍ର ଗୋଟିଏ ବର୍ଷ ପରେ ତାଙ୍କୁ ତାଙ୍କର ମୂଳ ବ୍ୟାଙ୍କ୍ କୁ ଫେରାଇ ନିଆଯାଇ ପାରାଦୀପ ପରି ଏକ ଗୁରୁତ୍ୱପୂର୍ଣ୍ଣ ଶାଖାର ଚିଫ୍ ମ୍ୟାନେଜର ରୂପେ ଅବସ୍ଥାପିତ କରାଗଲା । ସେଠାରେ ସେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଉଭୟ ଗ୍ରାହକ, ସହକର୍ମୀ ଓ ଉପରିସ୍ଥ କାର୍ଯ୍ୟାଳୟର ପ୍ରିୟ ଭାଜନ ହେଲେ । ସାନ ଝିଅର ବିବାହ ମଧ୍ୟ ତାଙ୍କର ଏହି ପାରାଦୀପ ଅବସ୍ଥାନ କାଳରେ ସୁରୁଖୁରୁରେ ସମ୍ପନ୍ନ ହୋଇଗଲା । କ୍ରମେ ପାରାଦୀପରେ ତାଙ୍କର କାର୍ଯ୍ୟକାଳ ସମୟ ତିନି ବର୍ଷ ପୂର୍ଣ୍ଣ ହେବାର ନିକଟ ହୋଇ ଆସିଲା ।

ଲେଙ୍କାବାବୁଙ୍କର ମନରେ ପୁଣି ସ୍ଥାନାନ୍ତର ହେବାର ଭୂତ ସବାର ହେବାକୁ ଲାଗିଲା । ଚାକିରୀ ଜୀବନର ଶେଷ ଅଢେଇ ବର୍ଷ କଟେଇବାକୁ ବାକୀ । ଠିକ୍ ଟ୍ରାନ୍ସଫର ଚେନ୍ ହେଲାବେଳକୁ ତାଙ୍କର ଏକ ଟ୍ରେନିଙ୍ଗ୍ ରେ ଯୋଗଦେବାଚୁ କଲିକତା ଯିବାକୁ ପଡିଲା । ପ୍ରଥମ ଟ୍ରାନ୍ସଫର୍ ଲିଷ୍ଟ୍ ବାହାରି ଯାଇଥାଏ । ସେଥିରେ ତାଙ୍କର ନାମ ନଥାଏ । ଦ୍ୱିତୀୟ ଲିଷ୍ଟ୍ ବାହାରିବାର ଥାଏ । ପ୍ରଧାନ କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କର ଜଣେ ଘନିଷ୍ଟ ସହକମୀ ବନ୍ଧୁଙ୍କୁ ସେ ସେହି ସମୟରେ ଭେଟିବାକୁ ଯାଇଥାନ୍ତି । କଥା ପ୍ରସଙ୍ଗରେ ଟ୍ରାନ୍ସଫର୍ ସମ୍ବନ୍ଧରେ ତାଙ୍କ ସହ ଆଲୋଚନା ହେଲା । ବନ୍ଧୁ ଜଣକ ତାଙ୍କୁ କହିଲେ, ” ଆପଣ କାର୍ମିକ ପ୍ରଶାସନ ବିଭାଗର ମହାପ୍ରବନ୍ଧକ, ଶୁକ୍ଳା ସାହେବଙ୍କୁ ଟିକିଏ ଭେଟ ହେଉ ନାହାନ୍ତି ? ଆପଣ ତ ତାଙ୍କ ସହିତ କାମ କରିଛନ୍ତି ଆଉ ସେ ମଧ୍ୟ ଆପଣଙ୍କୁ ଭଲ ଭାବେ ଜାଣିଛନ୍ତି । କାଳେ ଦ୍ୱିତୀୟ ଲିଷ୍ଟରେ ନାମ ଆସିଯିବ ସେ ବିଷୟରେ ତାଙ୍କୁ ଜଣେଇବେ। ଯଦି ଆପଣଙ୍କ ନାମକୁ ବାଦ ଦେଇ ହେବନି ବୋଲି ସେ କହନ୍ତି ତେବେ ନିଜର ଚଏସ୍ ପ୍ଳେସ୍ କେତୋଟି ତାଙ୍କୁ ଜଣେଇଲେ ସେ ହୁଏତ ବିଚାରକୁ ନେଇ ପାରନ୍ତି ।” ଲେଙ୍କାବାବୁଙ୍କ ମନରେ ସେହି ବିଷୟରେ ବାରମ୍ବାର ଆନ୍ଦୋଳିତ ହେଲା । ପରଦିନ ସକାଳେ ସେ ଶୁକ୍ଳା ସାହେବଙ୍କୁ

ସାକ୍ଷାତ କରି ସବୁ ବାଷୟ ଜଣେଇଲେ । ସେ ଏ ବିଷୟରେ ଦେଖିବେ ବୋଲି ମଧ୍ୟ କହିଥିଲେ । ଲେଙ୍କାବାବୁ ମନେ ମନେ ଆଶ୍ୱସ୍ଥ ହେଲେ ।

ପ୍ରଥମ ଲିଷ୍ଟରେ ଜଣେ ଓଡିଆ ବନ୍ଧୁ ଯେକି ରାଞ୍ଚି ଜୋନ୍ ର ଦେଓଘର ଶାଖାରେ ଚିଫ୍ ମ୍ୟାନେଜର ଭାବେ ଅବସ୍ଥାପିତ ଥିଲେ ତାଙ୍କର ପୁରୀ ଶାଖାକୁ ସ୍ଥାନାନ୍ତର ହୋଇଥାଏ କିନ୍ତୁ ତାଙ୍କ ସ୍ଥାନରେ କାହାକୁ ପୋଷ୍ଟଟିଙ୍ଗ୍ ଦିଆ ନଯାଇ ସେହି ଶାଖାର ଦ୍ୱିତୀୟ ଅଧିକାରୀ ଦାୟିତ୍ୱରେ ରହିବେ ବୋଲି ସ୍ଥିର ହୋଇଥାଏ । ଦ୍ୱିତୀୟ ଟ୍ରାନ୍ସଫର୍ ଲିଷ୍ଟ୍ ପ୍ରାୟ ପ୍ରସ୍ତୁତ ହୋଇ ସାରିଥିଲା, ଯେଉଁଥିରେ ଲେଙ୍କାବାବୁଙ୍କର ନାମ ସ୍ଥାନ ପାଇ ନଥିଲା । ଏହି ସମୟରେ ରାଞ୍ଚି ଜୋନାଲ ମ୍ୟାନେଜର ମହାପ୍ରବନ୍ଧକଙ୍କୁ ଫୋନ୍ ମାଧ୍ୟମରେ ଦେଓଘର ଶାଖାର ଚିଫ୍ ମ୍ୟାନେଜର ପଦବୀକୁ ଖାଲି ନରଖିବାକୁବାକୁ ଅନୁରୋଧ କରିଥିଲେ କାରଣ ସେ ଶାଖାର ବିଜିନେସ୍ ଭଲ୍ୟୁମ୍ ଓ ଅନ୍ୟାନ୍ୟ ସମସ୍ୟାକୁ ସେ ଶାଖାର ଦ୍ୱିତୀୟ ଅଧିକାରୀ ତୁଲେଇ ପାରିବେ ନାହିଁ । ଲେଙ୍କାବାବୁ ମହାପ୍ରବନ୍ଧକଙ୍କୁ ଭେଟିଥିବାରୁ ତାଙ୍କ ନାମଟି ତାଙ୍କ ମନ ଭିତରେ ତାଜା ଥାଏ । ସେ ତାଙ୍କର ଚଏସ୍ ପ୍ଳେସ୍ ବିଷୟକୁ ବିଚାରକୁ ନନେଇ ଲେଙ୍କାବାବୁଙ୍କୁ ଦେଓଘର ଶାଖାର ଚିଫ୍ ମ୍ୟାନେଜର ଭାବେ ପୋଷ୍ଟିଙ୍ଗ୍ ଦେଇ ଦ୍ୱିତୀୟ ଲିଷ୍ଟ୍ ପ୍ରକାଶ କରିଦେଲେ ।

ଲେଙ୍କାବାବୁ ଲିଷ୍ଟ୍ ଦେଖିଲେ । କାହାକୁ ନିଜର ଦୁଃଖ ଜଣେଇବେ । ଚାକିରୀ ଜୀବନର ଶେଷ ଅଢେଇ ବର୍ଷ ପାଇଁ ତାଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିବ ବୋଲି ସେ ଆଶା କରି ନଥିଲେ । ଅକାଳରେ ବଜ୍ରପାତ ପରି ତାଙ୍କୁ ଅନୁଭବ ହେଲା । କାହାକୁ ବା କହିବେ ସେ ? ସେ ନିଜେ ଏ ସବୁର କାରଣ । ଗୋଟିଏ ଅଲଗା ଦିଗରେ ଗତି କରୁଥିବା ଧୁମକେତୁର ଦିଗ ପରିବର୍ତ୍ତନ କରାଇ ସେ ନିଜ ଆଡକୁ ମୁହାଁଇଦେଲେ । ଫଳାଫଳ ତ ଭୋଗିବାକୁ ପଡିବ । ହିନ୍ଦୀ ଭାଷାରେ ଏକ ଲୋକ ଉକ୍ତି ଅଛି ” ଆ ବୈଲ୍ ମୁଝେ ମାର୍” । ତାଙ୍କ ପାଇଁ ଉକ୍ତିଟି ପ୍ରଜୁଜ୍ୟ ନୁହେଁକି ? ନା ଆପଣ କଣ କହୁଛନ୍ତି କୁହନ୍ତୁ ନା ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x