ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଜଣେ ଅନ୍ୟ ଜଣଙ୍କର କେତେକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସାମଗ୍ରୀ ବ୍ୟବହାର କରିଥାଉ l ଏପରି କରିବା କେତେଦୂର ଠିକ କିମ୍ବା ଭୁଲ ତାହା ଆମ୍ଭେ ଜାଣି ନଥାଉ l ଆସନ୍ତୁ ଆଜି ଜାଣିବା ଏ ବିଷୟରେ କିଛି ନୂଆ କଥା ….
୧. ଇୟର ଫୋନ:
ଅନ୍ୟ ଜଣଙ୍କର ଇୟର ଫୋନ ବ୍ୟବହାର କରିଲେ କାନରେ ବ୍ୟାକ୍ଟେରିଆ ବୃଦ୍ଧିର ସମ୍ଭାବନା ଅଧିକ ହୋଇଥାଏ l ବ୍ୟାୟାମ କରିବା ସମୟରେ ଅନ୍ୟଜଣଙ୍କର ଇୟର ଫୋନ ବ୍ୟବହାର କରିବା କେବେ ବି ଉଚିତ ନୁହେଁ l ଯଦି ଆପଣ ଅଜାଣତରେ ଅନ୍ୟର ଇୟର ଫୋନ ବ୍ୟବହାର କରନ୍ତି, ତେବେ କାନରେ ସଂକ୍ରମଣ ହେବା, କାନ ପୀଡ଼ା ହେବାର ସମ୍ଭାବନା ରହିଥାଏ l କେବଳ ନିଜର ଇୟର ଫୋନ ବ୍ୟବହାର କରିବା ଉଚିତ ଏବଂ ଏହାକୁ ଅନ୍ୟ କେହି ଯେପରି ବ୍ୟବହାର ନକରନ୍ତି ସେଥି ପ୍ରତି ଯତ୍ନବାନ ହେବା ଆବଶ୍ୟକ l ଯଦି କେବେ ଅନ୍ୟର ଇୟର ଫୋନ ବ୍ୟବହାର କରିବା ନିହାତି ଆବଶ୍ୟକ ହୁଏ, ତେବେ ଏହାକୁ କପଡ଼ାରେ ଭଲରେ ପୋଛିକରି ବ୍ୟବହାର କରନ୍ତୁ l
୨. ଟାୱେଲ:
ସମସ୍ତ ସଂକ୍ରମଣର ଏନ୍ତୁଡ଼ିଶାଳ ହେଉଛି ଟାୱେଲ l ସାଧାରଣତଃ କାଛୁ କୁଣ୍ଡିଆ, ଚର୍ମ ରୋଗ, ଆଖିଧରା ରୋଗ ଇତ୍ୟାଦି ଟାୱେଲର ବ୍ୟବହାର ଦ୍ୱାରା ବହୁଳ ମାତ୍ରାରେ ହୋଇଥାଏ l ତେଣୁ, ଟାୱେଲକୁ ସବୁବେଳେ ଭଲଭାବରେ ପରିସ୍କାର କରି ଶୁଖାଇବା ଦରକାର l ନିଜର ଟାୱେଲ ଯେପରି ଅନ୍ୟ କେହି ବ୍ୟବହାର ନକରନ୍ତି ସେଥି ପ୍ରତି ସଜାଗ ରହିବା ଦରକାର l
୩. ପାନିଆଁ:
କେବେ ବି ନିଜର ପାନିଆଁକୁ ଅନ୍ୟ ଜଣେ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ। ପାନିଆଁ ଦ୍ୱାରା ବହୁତ ପ୍ରକାରର କେଶଜନିତ ରୋଗ ହୋଇଥାଏ। ଯଦି ଦୈବାତ ଅନ୍ୟଜଣେ ଆପଣଙ୍କର ପାନିଆଁ ବ୍ୟବହାର କରିଲେ, ତେବେ ଏହାକୁ ଭଲଭାବରେ ପରିସ୍କାର କରନ୍ତୁ।
୪. ସାବୁନ:
ଆମେମାନେ ସମସ୍ତେ ସାବୁନର ବ୍ୟବହାର ସହିତ ଏକଦମ ଅଭ୍ୟସ୍ତ ହୋଇପଡ଼ିଛେ। ପ୍ରତିଥର ସାବୁନର ବ୍ୟବହାର ପରେ ଏହା ଉପରେ ଅନେକ କ୍ଷୁଦ୍ରାଦିକ୍ଷୁଦ୍ର କୀଟାଣୁ ସବୁ ଜମିଯାଇଥାନ୍ତି। ଏହି ସାବୁନ ହେଉଛି ଅନେକ ସାଙ୍ଘାତିକ ଭୁତାଣୁର ବାହକ। ତେଣୁ, ଏବେ ଆପଣ ଅନ୍ୟର ସାବୁନ ବ୍ୟବହାର କରିବା ପୂର୍ବରୁ ସାବଧାନ ହୋଇଯାନ୍ତୁ ଏବଂ ଅନ୍ୟକୁ ନିଜର ସାବୁନ ବ୍ୟବହାର କରିବାକୁ ବାରଣ କରନ୍ତୁ। ଏହିସବୁ କାରଣରୁ ଲିକ୍ୱିଡ଼ ସୋପ ଏକ ଭଲ ବିକଳ୍ପ ଅଟେ।
୫. ନେଲ୍ କଟର୍:
ଆମର ନଖ କୋଣରେ ହଜାର ହଜାର ସଂଖ୍ୟାରେ ଜୀବାଣୁ ଭର୍ତି ହୋଇ ରହିଥାନ୍ତି, ଯାହାକି ଆମର ଖାଲି ଆଖିକୁ ଦେଖାଯାନ୍ତି ନାହିଁ, ଅନ୍ୟର ନେଲ୍ କଟର୍ ବ୍ୟବହାର କରିବା ଦ୍ୱାରା କେତେକ ସାଙ୍ଘାତିକ ଭୁତାଣୁଜନିତ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ, ଆପଣ ନିଜେ ବ୍ୟକ୍ତିଗତ ଭାବରେ ନିଜର ନେଲ୍ କଟର୍ ବ୍ୟବହାର କରନ୍ତୁ।