
ଭାରତର ଇତିହାସ ଆଉ ସଂସ୍କୃତିରେ କଳା ଭାସ୍କର୍ଯ୍ୟପୂର୍ଣ୍ଣ ମନ୍ଦିର ଗୁଡ଼ିକର ସ୍ଥାନ ବହୁତ ଉଚ୍ଚରେ। ଅତୀତର ପୂଜ୍ୟପୂଜା ଏବଂ ଆଧ୍ୟାତ୍ମିକତାର ମହାନ ମିଶ୍ରଣରୁ ମନ୍ଦିର ଗୁଡ଼ିକର ସୃଷ୍ଟି ବୋଲି ବିବେଚନା କରାଯାଏ। ଆମରି ଦେଶ ଭାରତର କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଗୁଡ଼ିକର ଅଭାବ ନାହିଁ । ସେ ଦିନର ପରମ୍ପରାର ସାକ୍ଷୀ ରୂପେ ମୁଣ୍ଡ ଟେକି ଆଜି ବି ଜନମାନସରେ ଉଜ୍ଜୀବିତ। କେତେକ ଉଚ୍ଚ ଶିଳ୍ପକଳାର ସ୍ଵାକ୍ଷର ବହନ କରୁଥିବା ମନ୍ଦିର ସବୁ କାଳର କରାଳ ଗତିରେ ନିଜର ସତ୍ତା ହରାଇସାରିଲେଣି। ଆଉ ଆଜି ଯଦି ଆମେ ଟିକେ ଗଭୀର ଭାବରେ ଏହିସବୁ ଶିଳ୍ପକଳା ଗୁଡିକୁ ଅନୁଧ୍ୟାନ କରିବା ସତରେ ଆମର ରୁମଟାଙ୍କୁରୀ ଉଠିବ। ପ୍ରସ୍ତର ଗାତ୍ରରେ ଛୁଞ୍ଚି ମୂନରେ ଚରିତ୍ର ଗୁଡ଼ିକର ନିଖୁଣ ଚିତ୍ରଣ, ତଦାନୀନ୍ତନ ସମାଜର ଆକର୍ଷଣୀୟ ବେଶ ପରିପାଟୀ, ମନଛୁଆଁ ଭଙ୍ଗୀ, ଠାଣି ଆହୁରି କେତେ କଣ। ମଧ୍ୟ ପ୍ରଦେଶ ରାଜ୍ୟର ଖଜୁରାହୋ ମନ୍ଦିର ଏହିପରି ଏକ ମନ୍ଦିର। ଏହାର ଶିଳ୍ପକଳା ବହୁତ ଉଚ୍ଚକୋଟୀର। ଖଜୁରାହୋ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଅବସ୍ଥିତ।
ଏହି ମନ୍ଦିର ଏହାର ଗଠନ ଶୈଳୀ ଏବଂ ଯୌନ ସମ୍ବଳିତ କଳା ସ୍ଥାପତ୍ୟ ନିମନ୍ତେ ଦେଶ ବିଦେଶରେ ବେଶ୍ ପ୍ରସିଦ୍ଧ ଅଟେ। ଏହି ମନ୍ଦିରର ରମଣୀୟ ଏବଂ କମନୀୟ ଯୌନ ଚିତ୍ରକଳା ଏଠାକୁ ଆସୁଥିବା ଦର୍ଶକ ଏବଂ ଯାତ୍ରୀମାନଙ୍କର ମନକୁ ଆକୃଷ୍ଟ କରେ। ଖଜୁରାହୋ ମନ୍ଦିର ଦେଖିବାକୁ ପର୍ଯ୍ୟଟକ ମାନଙ୍କର ବହୁତ ସମାଗମ ହୁଏ। ଏପରିକି ଭାରତରେ ତାଜମହଲକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ସଂଖ୍ୟା ଦେଶରେ ପ୍ରଥମ ଏବଂ ଦ୍ଵିତୀୟ ସ୍ଥାନରେ ରହିଛି ଖଜୁରାହୋ ମନ୍ଦିର ଦେଖିବାକୁ ଆସୁଥିବା ପର୍ଯ୍ୟଟକ ସଂଖ୍ୟା।
ଇତିହାସ ବିବରଣୀରୁ ଜଣାପଡ଼େ ଯେ,ଖଜୁରାହୋ ମନ୍ଦିରଗୁଡିକ ହିନ୍ଦୁ ଚାଣ୍ଡେଲ ବଂଶୀୟ ଶାସକମାନଙ୍କ ଦ୍ୱାରା ୯୫୦ ଖ୍ରୀଷ୍ଟାବ୍ଦ ରୁ ୧୦୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ। ଏହି ସମୟରେ କେନ୍ଦ୍ରୀୟ ଭାରତରେ ଚାଣ୍ଡେଲ ବଂଶର ବହୁତ ପ୍ରଭାବ ରହିଥିଲା ଏବଂ ସେଇଥିପାଇଁ ଏହି ସମୟକୁ ଚାଣ୍ଡେଲ ବଂଶର ସୁବର୍ଣ୍ଣ ସମୟ ବୋଲି କୁହାଯାଏ।
ଏହି ମନ୍ଦିର ଗୁଡିକ ୨୦ କି.ମି. ଅଞ୍ଚଳରେ ପରିବ୍ୟାପ୍ତ। ପରବର୍ତୀ ସମୟରେ ମୋଗଲ ଶାସନ ଅଧୀନରେ କେତେକ ମନ୍ଦିରକୁ ଧ୍ବଂସ ବିଧ୍ୱସ୍ତ କରାଗଲା ଏବଂ କେତେକ ଅବହେଳିତ ଭାବରେ ପଡ଼ିରହିଲା। ଐତିହାସିକ ବିବରଣୀ ଅନୁସାରେ ଖଜୁରାହୋରେ ୮୫ଟି ମନ୍ଦିର ଥିଲା ଏବଂ ଏବେ କେବଳ ୨୫ ଗୋଟି ମନ୍ଦିର ରହିଛି। ଆଜି ଆମେ ଯେଉଁସବୁ ମନ୍ଦିର ଦେଖୁଛୁ ତାହା ସେଦିନରୁ ରହିଯାଇଥିବା କେତେକ ପ୍ରତୀକ ମାତ୍ର।
ସ୍ଥାନୀୟ ଅଞ୍ଚଳରେ ଦେଖାଯାଉଥିବା ଖଜୁରୀ ବୃକ୍ଷ ନାମ ଅନୁସାରେ ଏହି ମନ୍ଦିରର ନାମ ଖଜୁରାହୋ ରଖାଯାଇଛି। ଖଜୁରାହୋର ମନ୍ଦିରଗୁଡ଼ିକ ହିନ୍ଦୁ ଏବଂ ଜୈନ ଧର୍ମ ପ୍ରତି ଉତ୍ସର୍ଗୀକୃତ ଅଟେ। ଭାରତୀୟ ସୁକ୍ଷ୍ମ ଚିତ୍ରକଳାରେ ମନ୍ଦିର ଗୁଡ଼ିକର ଭିତର ଏବଂ ବାହାର ପରିପୂର୍ଣ୍ଣ ଅଟେ। ଏହି ମନ୍ଦିର ସବୁ ନାଗର ଶୈଳୀରେ ନିର୍ମିତ। ଅତୀତରେ ପରିବ୍ରାଜକ ଆଲ ବେରୁଣୀ ଏବଂ ଇବନ ବତୁତାଙ୍କର ବିବରଣୀରେ ଏହି ଖଜୁରହୋ ବିଷୟରେ ଉଲ୍ଲେଖ ରହିଛି। ମନ୍ଦିର ଗାତ୍ରରେ ନର୍ତ୍ତକୀ, ଅପ୍ସରୀ, ଜୀବଜନ୍ତୁ, ପଶୁ, ଗୁରୁ ଶିଷ୍ୟ, ସଙ୍ଗୀତଜ୍ଞ, ଲକ୍ଷ୍ମୀ-ନାରାୟଣ, ବଳରାମ-ରେବତୀ, ଅଷ୍ଟ ଦିଗପାଳ, ଅମ୍ବିକା, କାମଦେବ-ରତି, ରାମ-ସୀତାଙ୍କ ସହିତ ହନୁମାନ ପ୍ରଭୃତିଙ୍କର କମନୀୟ କାରୁକାର୍ଯ୍ୟଗୁଡ଼ିକ ଶୋଭା ପାଉଛି। ଏହି ମନ୍ଦିର କାନ୍ଥରେ ଶିଳ୍ପୀର ନିହାଣ ମୁନରେ ମନୁଷ୍ୟ ମନ ଗହନରେ ଥିବା ଅବ୍ୟକ୍ତ କାମନାକୁ ସ୍ପଷ୍ଟ ରୂପେ ପ୍ରତିଫଳିତ କରାଯାଇଛି। ଏହା ଶରୀରର ଜୟଗାନ କରୁଥିବା ଏକ ବେଦୀ ସଦୃଶ ପ୍ରତୀୟମାନ ହୁଏ। କାହିଁକି ଏବଂ କେଉଁ ପରିସ୍ଥିତିରେ ଶିଳ୍ପୀ ଏ ସବୁ ଯୌନ ସମ୍ବଳିତ କାରୁକାର୍ଯ୍ୟକୁ ମନ୍ଦିରରେ ସ୍ଥାପନ କରିବାକୁ ମନ ବଳାଇଲା ତାହା କିଏ କହିବ ? ଖଜୁରାହୋର ମନ୍ଦିରଗୁଡ଼ିକ ହେଉଛନ୍ତି ଚିନ୍ତନ, ସୃଜନଶକ୍ତି ଏବଂ ଚିନ୍ତନର ବାସ୍ତବ ରୂପାୟନର ଜ୍ୱଳନ୍ତ ନିଦର୍ଶନ। ଖଜୁରାହୋରେ ଥିବା ମନ୍ଦିରଗୁଡ଼ିକ ମୁଖ୍ୟତଃ ହିନ୍ଦୁ ଠାକୁର ଶିବ ଏବଂ ବିଷ୍ନୁଙ୍କୁ ଉତ୍ସର୍ଗୀକୃତ ଅଟେ। ଆହୁରି ମଧ୍ୟ କେତେଗୁଡ଼ିଏ ମନ୍ଦିର ଜୈନ ଏବଂ ତନ୍ତ୍ର ପାଇଁ ଉତ୍ସର୍ଗୀକୃତ ଅଟେ। ବିଶ୍ୱର ଏକ ପ୍ରମୁଖ ମନ୍ଦିର ଭାବରେ ଏବଂ ଅଦ୍ଵିତୀୟ କଳା ସ୍ଥାପତ୍ୟ ଏବଂ ଐତିହ୍ୟ ନିମନ୍ତେ ୟୁନେସ୍କୋ ସଂସ୍ଥା ଖଜୁରହୋକୁ ଚିହ୍ନଟ କରିଛି।
ବିଶ୍ୱର ଏକ ପ୍ରମୁଖ ମନ୍ଦିର ଭାବରେ ଏବଂ ଅଦ୍ଵିତୀୟ କଳା ସ୍ଥାପତ୍ୟ ଏବଂ ଐତିହ୍ୟ ନିମନ୍ତେ ୟୁନେସ୍କୋ ସଂସ୍ଥା ଖଜୁରହୋକୁ ବୁଲିଯିବା ନିମନ୍ତେ ଜୁଲାଇ ରୁ ମାର୍ଚ୍ଚ ମଧ୍ୟରେ ଉପଯୁକ୍ତ ହେବ। ଗ୍ରୀଷ୍ମ ଋତୁରେ ଏଠାରେ ଉତ୍ତାପର ମାତ୍ରା ବଢ଼ିଯାଏ। ତେଣୁକରି ଗ୍ରୀଷ୍ମ ଦିନରେ ବୁଲାବୁଲିର ମଜା ନେଇହେବ ନାହିଁ। ବର୍ଷ ଋତୁରେ ଏଠାରେ କମ ବର୍ଷ ହେଉଥିବାରୁ ଆନନ୍ଦରେ ଭୁଲିହେବ। ପ୍ରତିବର୍ଷ ଫେବୃଆରୀ ମାସରେ ଖଜୁରାହୋ ନୃତ୍ୟ ଉତ୍ସବର ଆୟୋଜନ କରାଯାଉଛି। ଏହାର ଆନନ୍ଦ ମଧ୍ୟ ଆପଣ ଉପଭୋଗ କରିପାରିବେ।