ମର୍ଣ୍ଣିଂଙ୍ଗ ୱାକିଙ୍ଗରୁ ଫେରି ରୋଷେଇ ଘରେ ଖଡ଼ ଖାଡ଼ ଶବ୍ଦ ଶୁଣି ଗୌତମ ,ସ୍ତ୍ରୀଙ୍କ ପାଖକୁ ଆସି ପଚାରିଲା,
- ଆଜି ସକାଳୁ ସକାଳୁ କଣ ସବୁ ସ୍ପେଶାଲ ବନା ହେଉଛି କି ?
ହସିଦେଇ ସ୍ମିତା କହିଲା,”ଆଜି ତମ ପୁତ୍ରମଣିଙ୍କ ବରାଦ।ମମି ହାତ ତିଆରି ଫ୍ରାଇଡ଼ ରାଇସ,ଚିଲି ଚିକେନ ,କଡାଇ ପନିର ଓ ଭେଜ୍ ମାଂଚୁରିଆନ ଖାଇବାପାଇଁ।ହଷ୍ଟେଲରେ ରହି ବିଚରା କିଛି ଭଲ ଖାଇପାରୁନି।” - ପୁଅ ଆସିଛି ବୋଲି ଆଜି ତା ହେଲେ ଗ୍ରାଣ୍ଡ ପାର୍ଟି !
- ଆଛା ?ଅନ୍ୟ ଦିନମାନଙ୍କରେ ମୁଁ ଯେମିତି ଭଲ ଜିନିଷ ରାନ୍ଧୁନି ;ଖାଲିଟାରେ ତମର ପେଟ ବାହାରିଛି ?ଯାଅ ଦେଖିବ,ତମ ସାଙ୍ଗ ମାନଙ୍କ ଘରେ,ଦହି ଭାତ ଭଜା ନହେଲେ ଭାତ କି ରୁଟି ଡାଲମା।ସପ୍ତାହରେ ଦୁଇ ତିନି ଦିନ ହୋଟେଲ ନହେଲେ ଅନଲାଇନରୁ ଅର୍ଡର କରି ଖାଇବା ମଗାଉଛନ୍ତି।ଘରେ ମୁଁ ସବୁ ବନାଇ ଦେଉଛି ବୋଲି ବାବୁଙ୍କୁ ଜଣା ପଡୁନି।ସେଥିରେ ପୁଣି ହଜାରେ କଥା କମେଣ୍ଟ ଶୁଣିବାକୁ ପଡୁଛି, ତମଠୁ ଆଉ ତୁମ…ହାଠାତ୍ ସାମ୍ନାରେ ଶାଶୁ ଗାୟତ୍ରୀଙ୍କୁ ଦେଖି ଚୁପ୍ ହୋଇଗଲା।
-ଆଜି କିଛି ଫଙ୍କସନ ଅଛି କି ?କିଏ ଆସିବକି ?
ହସିଦେଇ ଗୌତମ କହିଲା, “ମିକୁ’ର ବରାଦ ଅଛି ପରା ତା ମାମା ପାଖରେ।ଚିକେନ,ପନିର,ଫ୍ରାଇଡ଼ ରାଇସ,ମାଂଚୁରିଆନ।ତେଣୁ ଆମର ବି ପାର୍ଟି। - କାହିଁକି ବୋଉ ମୁଁ କଣ ଭଲ ଜିନିଷ ଅନ୍ୟ ଦିନରେ ଭଲମନ୍ଦ ଜିନିଷ ରାନ୍ଧେନା କି ?ବିରକ୍ତିରେ ମୁହଁକୁ ବୁଲାଇ ଦେଲା ସ୍ମିତା।
ୱା କିଙ୍ଗ ଷ୍ଟିକ ଟା ଠୁକ ଠୁକ କରି ଚାଲିଗଲାବେଳେ ଶୁଣେଇ ଶୁଣେଇ କହିଲେ ଗାୟତ୍ରୀ,”ପାଟି ଲାଳସା ଆଉ ନାହିଁ। ଖାଅ ତମେମାନେ ଭଲମନ୍ଦ ଜିନିଷ।ମୋ ଦେହରେ କେଉ ଯାଉଛି ନା ହଜମ ହେଉଛି ?ଡାକ୍ତର କଣ ସବୁ ବାରଣ କରିଛି ପରା ?ପ୍ରେସକ୍ରିପସନ କଣ ମୁଁ ପଢି ପାରୁଛି ?ଦହି ପାଣି,ସଂତୁଳା ଟିକେ ଆଳୁ ଭର୍ତା ଟିକେ ମୋର ହେଲେ ଚଳିଲା।କେତେଦିନ ଆଉ ବଞ୍ଚିବ ମଣିଷ।”
ମନଟା ଟିକେ ଖରାପ ହୋଇଗଲା ଗୌତମଙ୍କର। ସ୍ମିତା ଆଡ଼କୁ ବୁଲିପଡ଼ି କହିଲା, “ବୋଉ ପାଇଁ ସାଦା ଭାତ, ସଂତୁଳା,ବଡ଼ି ଚୁରା,ଆଳୁ ଭର୍ତ୍ତା ଓ ଦହି ଟିକେ ବଘାରି ଦେବ।ମସଲା ଜିନିଷ ବୋଉ ଖାଇବନି ପରା।”
ପରିବା କଟା ଛୁରୀଟାକୁ ସ୍ଲାବ ଉପରେ ଫୋପାଡ଼ିଦେଇ ସ୍ମିତା କହିଲା, “ମୁଁ କଣ ମଣିଷ ନା ମେସିନ ?ବାପ, ପୁଅ,ମା ସମସ୍ତଙ୍କ ପାଇଁ ଅଲଗା ଅଲଗା ରୋଷେଇ କରୁଥିବି ?ଲୋକଙ୍କ ଆଗରେ ବୋଉ ଏମିତି କୁହନ୍ତି।ହେଲେ ଛଣା ଛଣି, ମସଲା ତରକାରୀ, ଆଇଁଷ ,କିଣା ସ୍ନାକ୍ସ ଖସିବାରେ ବୋଉଙ୍କର ଲୋଭ।ନାଇଁ ନାଇଁ କହି ସବୁ ଖାଆନ୍ତି।ତମେ ଥିଲେ ଟିକେ ଅଧିକ ଫୁଲେଇ ହୁଅନ୍ତି।” - ଦେଖ,ସ୍ମିତା ,ବୁଢ଼ୀ ମଣିଷ ମିଛ କାହିଁକି କହିବ ସେ ? ତାର ଏସବୁ ଖାଇବାର ଲୋଭ ଥିଲେ ,ସାଦା ଜିନିଷ ପାଇଁ କାହିଁକି କହିଥାନ୍ତା ?ଅପ୍ରିୟ ସତ୍ୟ ହେଲା,ଆଜିକାଲି ଅନ୍ୟ ବୋହୁମାନଙ୍କ ଭଳି ତମେ ବି ଚାହୁଁନ ଶାଶୁଙ୍କ ମନ ମୁତାବକ କିଛି କରିବା ପାଇଁ।”
ସ୍ମିତା ନିରବ ରହିବାର ଦେଖି ,ଗୌତମ ପୁଣି କହିଲା, “ମୋତେ ବି ରୋଷେଇ ଆସେ।କାହା ଦୟା ଉପରେ ମୋ ବୋଉ କାହିଁକି ନିର୍ଭର କରିବ ?ଆଜି ବୋଉ ପାଇଁ ଅଲଗା ଜିନିଷ ସବୁ ମୁଁ ରାନ୍ଧିବି।”
ନିଜ ହାତରେ ଗୌତମ ବନାଇଲା, ଭାତ,ସଂତୁଳା,ଆଳୁ କଲରା ଭର୍ତ୍ତା, ଦହି ପାଣି ବଘରା ଓ ସ୍ମିତାକୁ କହିଲା,”ଏସବୁ କେଵଳ ବୋଉକୁ ପାଇଁ ଓ ଆଜି ବୋଉପାଇଁ ମୁଁ ଖାଇବା ବାଢ଼ିବି।” - ସବୁଦିନ ହେଲେ ବୋଉଙ୍କ ପାଇଁ ରାନ୍ଧି ବାଢି ଦିଅନ୍ତ।”ଛିଗୁଲେଇ କହିଲା ସ୍ମିତା।
ଖାଇବା ଟେବୁଲ ଉପରେ ଗାୟତ୍ରୀଙ୍କ ସାମ୍ନାରେ ଗୌତମ ନିଜେ ତିଆରି କରିଥିବା ଜିନିଷ ସବୁ ବାଢ଼ିଦେଲା ।ପାଖ ଚେୟାରରେ ବସି ଗର୍ବର ସହ ଅନାଇଥିଲା ଗୌତମ ପ୍ରଶଂସା ଶୁଣିବାକୁ। - ଖାଇବା ଆରମ୍ଭ କରୁନୁ ବୋଉ ?
- ନଖାଇ କୁଆଡେ ଯିବି ?ତୋ ସ୍ତ୍ରୀ କୁ ଦେଖେ।ଆଜି ଏତେ ସବୁ ଭଲ ଭଲ ଜିନିଷ ରାନ୍ଧି ମୋତେ କଣ ସବୁ ଅଖାଦ୍ୟ ଦେଇଛି ।ଧର୍ମ ସହିବ ?ଘୋର କଳିଯୁଗ।
- ତୋ ଦେହ ପାଇଁ ବୋଉ…..
ଗୌତମ ନିଜ କଥା ସମ୍ପୁର୍ଣ୍ଣ କରିବା ପୂର୍ବରୁ ଗାୟତ୍ରୀ କହିଲେ, “ପାଟି ଚୁପ କର।ମୁଁ କଣ କିଲେ ନା କଡେ଼ଇ ଭର୍ତ୍ତି ଜିନିଷ ଖାଏ ଯେ ଦେହ ଝରାପ ହେବ ?”
ଗୋଟେ ପ୍ଲେଟରେ ଫ୍ରାଇଡ଼ ରାଇସ,ମାଂଚୁରିଆନ,କଡାଇ ପନିର,ଚିଲି ଚିକେନ ଗାୟତ୍ରୀଙ୍କ ଆଗରେ ରଖି ସ୍ମିତା କହିଲା, “ଏଇଟା ଆପଣ ଖାଆନ୍ତୁ ବୋଉ।ସେଇ ସଂତୁଳା,କଲରା ଭର୍ତ୍ତା,ଦହି ପ୍ଲେଟ ଆପଣଙ୍କ ପୁଅ ଖାଇବେ ତାଙ୍କ ପେଟ ଭଲ ନାହିଁ ବୋଲି।”
ଏକ ରହସ୍ୟମୟ ହସ ହସି ସେଇ ପ୍ଲେଟ ଟା ଗୌତମ ଆଡ଼କୁ ଠେଲିଦେଇ ସ୍ମିତା କହିଲା, “ହଜମ କର ଏବେ ଅପ୍ରିୟ ସତ୍ୟକୁ ।”
☺ ଅରବିନ୍ଦ ଦାସ