
ଦିନଥିଲା ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ଭାବରେ ବିଜୟ ମାଲ୍ୟାଙ୍କର ପ୍ରସିଦ୍ଧି ଥିଲା। ଅୟସ ଅରାମର ଜୀବନ ଭିତରେ କେବେ ସମୟ ବଦଳିଗଲା, ଆଉ ସେ ଆଜିର ପଳାତକ ବିଜୟ ମାଲ୍ୟା ଭାବରେ ଦେଶରେ ପରିଗଣିତ ହେଉଛନ୍ତି। ସୁରା-ସାକୀ, କାମିନୀ-କାଞ୍ଚନର ଯଥେଷ୍ଟ ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନ ଜିଉଁ ଥିଲେ ସେ। ନିଜର ବ୍ୟକ୍ତିଗତ ୟାଚ୍, ବିମାନ, ଘୋଡ଼ା, ଅନେକ ଶିଳ୍ପ ସଂସ୍ଥା ବହୁତ କିଛି ଥିଲା। ପ୍ରତିଷ୍ଠିତ ମଦ୍ୟ କମ୍ପାନୀ, କିଙ୍ଗଫିସର ବିମାନ କମ୍ପାନୀ, ଅନେକ ହୋଟେଲ ଆଉ ଭୂସମ୍ପତିର ମାଲିକ ଥିଲେ ବିଜୟ ମାଲ୍ୟା। ସମୟ ଆଜି ପଟ ପରିବର୍ତ୍ତନ କରିଛି ଆଉ ସେ ଆଜି ଋଣଗ୍ରସ୍ତ। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ ତାଙ୍କ ଉପରେ ୯,୦୦୦ କୋଟି ଟଙ୍କାର ଠକେଇ ଏବଂ ଋଣ ଖିଲାପୀର ଆରୋପ ଲାଗିଛି। ଅତୀତରେ ଗଣମାଧ୍ୟମକୁ ଦେଇଥିବା ଏକ ରୋଚକ ସାକ୍ଷାତକାରର କିୟଦଂଶ ଆଜି ଏଠାରେ…
ପ୍ରଶ୍ନ- ଆପଣଙ୍କର ନିଜର ୟାଚ୍ ରହିଛି, ବ୍ୟକ୍ତିଗତ ବିମାନ ରହିଛି। ଆପଣ ଗୋଟିଏ କଳ୍ପନାବିଳସୀର ଜୀବନ ବିତାଉଛନ୍ତି। ଏହା ଏକ ପରୀ କାହାଣୀ ଭଳି ନୁହେଁ କି ?
ବିଜୟ ମାଲ୍ୟା-ଆପଣମାନେ ହୁଏ ତ ଏହାକୁ ପରୀ କାହାଣୀ କହିପାରନ୍ତି। ହଁ ମୁଁ ୟାଚ୍ ପସନ୍ଦ କରେ, ଉପଭୋଗ କରେ। ହଁ ଆଉ ଗୋଟିଏ କଥା ହେଲା ମୁଁ ମୋର ବ୍ୟବସାୟକୁ ଆଗକୁ ବଢାଇବା ନିମନ୍ତେ ମୋର ୟାଚ୍କୁ ସଠିକ ଭାବରେ ଉପଯୋଗ କରେ। ମୋର ଗୋଟିଏ ନିଜସ୍ୱ ବିମାନ ରହିଛି। ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ମୁଁ ଏହାକୁ ବ୍ୟବହାର କରେ। ଦରକାର ବେଳେ ମୁଁ ଏହାକୁ ଉପଯୋଗ କରେ ଏବଂ ଉପଭୋଗ କରେ। ଏହାଦ୍ୱାରା ମୁଁ ମୋର ସମୟର ସଦବ୍ୟବହାର କରେ। କେହି କେହି ଏହାକୁ ପରୀ କାହାଣୀ କହିପାରନ୍ତି। କିନ୍ତୁ ଏହା ମୋର ଉପଲବ୍ଧିର ପରିମାପ ବୋଲି ମୁଁ ଭାବେ ଏବଂ ମୋର ଆନନ୍ଦର ତୃପ୍ତି। ଯଦି ମୁଁ କଠିନ ପରିଶ୍ରମ କରୁଛି ତେବେ ଉପଭୋଗ କରିବିନି କାହିଁକି ? ଠିକ ନା !
ପ୍ରଶ୍ନ- ନିଶ୍ଚିତ, ନିଶ୍ଚିତ। ଗଣମାଧ୍ୟମ ବିଜୟ ମାଲ୍ୟାଙ୍କର ଏକ ଭିନ୍ନ ପ୍ରକାର ବ୍ୟକ୍ତିତ୍ୱର ପ୍ରଦର୍ଶନ କରେ। କିନ୍ତୁ ବିଜୟ ମାଲ୍ୟାଙ୍କର ବ୍ୟକ୍ତିଗତ ଜୀବନ କିପରି ?
ବିଜୟ ମାଲ୍ୟା- ମୁଁ ଏତିକି କହିବି କି, ମୋର ବ୍ୟକ୍ତିଗତ ଜୀବନ ବହୁତ ବହୁତ ଅଲଗା ପ୍ରକାରର। ମୁଁ ମୋର ପରିବାରକୁ ମୋର ପିଲାମାନଙ୍କୁ ବହୁତ ଭଲ ପାଏ। ଲୋକମାନେ ଯାହା ଭାବନ୍ତି ମୁଁ ସେୟା ନୁହେଁ।
ପ୍ରଶ୍ନ- ଆପଣଙ୍କର ବାଲ୍ୟ ଜୀବନ ବିଷୟରେ କିଛି କହିବେ କି ?
ବିଜୟ ମାଲ୍ୟା- ମୋର ପିଲାଦିନ ବାଙ୍ଗାଲୋରରେ ମୋର ଜେଜେ ବାପା ଆଉ ଜେଜେ ମାଙ୍କ ପାଖରେ କଟିଛି।
ମୁଁ ସେମାନଙ୍କର ବହୁତ ନିକଟତର ଥିଲି। ଷଷ୍ଠ ଦଶକର ପ୍ରଥମ ଭାଗରେ ମୋର ପିତାମାତା ପରସ୍ପର ଠାରୁ ଅଲଗା ହୋଇଯିବା ପରେ ଏହା ଘଟିଥିଲା। ମୋର ମା ଙ୍କ ସହିତ ମୁଁ କୋଲକାତାରେ ରହିବାକୁ ଗଲି। ମୋର ବାପା ବାଙ୍ଗାଲୋର ରେ ରହୁଥିଲେ। ମୋର ମା ମୋତେ ଲାଳନପାଳନ କରିବାରେ କେବେ ଅବହେଳା କରିନଥିଲେ। ମୋର ସୁଖ ସୁବିଧା ନିମନ୍ତେ ସେ ବହୁତ କିଛି ତ୍ୟାଗ କରିଥିଲେ। ପିଲାଦିନେ ମୋର କିଛି ଅସୁବିଧା ନଥିଲା। ମୋର କିଶୋର ସମୟରେ ମୋର ପିତାଙ୍କର ମୋ ପ୍ରତି ସେମିତି କିଛି ବିଶିଷ୍ଟ ଅବଦାନ ମୁଁ ଦେଖିନଥିଲି।
ପ୍ରଶ୍ନ- କାହିଁକି ଏମିତି ହେଲା ?
ବିଜୟ ମାଲ୍ୟା- ମୋର ପିତା ସେତେବେଳେ ଜଣେ ମହିଳାଙ୍କ ସହିତ ବାଙ୍ଗାଲୋରରେ ରହୁଥିଲେ ଏବଂ ସେ ମହିଳାଙ୍କର ଦୁଇଟି ଝିଅ ମଧ୍ୟ ଥିଲେ। ସେ କେବେ କେମିତି କୋଲକାତା ଆସୁଥିଲେ। ମୁଁ ମଧ୍ୟ ମୋର ପିତାଙ୍କ ସହିତ ମିଶିବାକୁ ବହୁତ ଇଚ୍ଛା କରୁଥିଲି। ପରବର୍ତ୍ତୀ ସମୟରେ ମୁଁ ବଡ଼ ହେଲା ପରେ ମୋର ପିତା ଚାହିଁଲେ ଯେ ମୁଁ ତାଙ୍କୁ ଟଙ୍କାର ବ୍ୟବସାୟରେ ସାହାଯ୍ୟ କରେ। ଏହା ପରେ ଆମର ସମ୍ପର୍କ ଧୀରେ ଧୀରେ ଅଧିକ ଦୃଢ ହେଲା। କେବଳ ସେତିକିବେଳେ ମୁଁ ମୋର ପିତାଙ୍କୁ ଭଲ ଭାବରେ ଜାଣିଲି। ସେତେବେଳେ ମୁଁ କଲେଜର ଶେଷ ବର୍ଷରେ ପାଠ ପଢ଼ୁଥିଲି।
ପ୍ରଶ୍ନ-ଆପଣଙ୍କର ପିତାଙ୍କ ବିଷୟରେ କିଛି କହିବେ ?
ବିଜୟ ମାଲ୍ୟା- ହଁ ମୋର ପିତା ବହୁତ କଠୋର ଶୃଙ୍ଖଳାବାଦୀ ଥିଲେ। ସେ ଦାୟିତ୍ୱବୋଧତା ଉପରେ ବହୁତ ଆସ୍ଥା ରଖୁଥିଲେ। ଏପରିକି ସେ ନିଜର ଡାଇରୀରେ ପ୍ରତିଦିନର ଖର୍ଚ୍ଚକୁ ଲେଖୁଥିଲେ। ଏମିତି ଦିନେ ମୁଁ ଗୋଟିଏ ପଇସା ଘରେ କେଉଁଠି ହଜାଇଦେଇଥିଲି, ଆଉ ତାକୁ ଖୋଜି ପାଇଲି ନାହିଁ। ଆଉ ସେ କଥାକୁ ସେ ନିଜର ଡାଇରୀରେ ମଧ୍ୟ ଲେଖିଥିଲେ କି “0.01 rupees lost by Bijay”. (ହସି ହସି)
ପ୍ରଶ୍ନ-ହା ହା … ତା ପରେ ଆପଣ କଣ କରିଲେ ?
ବିଜୟ ମାଲ୍ୟା- କଣ କରିବି, କୋଉଠି ହଜିଗଲା ବୋଲି ପୁଣି ଖୋଜିଲି। ତାଙ୍କ ଠାରୁ ରେକର୍ଡକିପିଙ୍ଗର ଏହି ଶିକ୍ଷା ମୁଁ ପାଇଲି। ଯାହାକି ମୋ ପାଇଁ ବହୁତ ମୂଲ୍ୟବାନ ହୋଇପାରିଛି।
ପ୍ରଶ୍ନ- ଆପଣଙ୍କର ପିତା ଆପଣଙ୍କୁ ସବୁକିଛି ପ୍ରତ୍ୟକ୍ଷ ଭାବରେ ହାତଧରି ଶିଖାଇଥିଲେ କି ?
ବିଜୟ ମାଲ୍ୟା- ଯଦିଓ ସେମିତି ନୁହେଁ , ମୋର ପେସାଗତ ଜୀବନର ଆରମ୍ଭରେ ସେ ମୋର କାର୍ଯ୍ୟର ତଦାରଖ କରୁଥିବା ବ୍ୟକ୍ତିବିଶେଷଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖୁଥିଲେ। ମୁଁ ଏମିତି ପ୍ରଶିକ୍ଷଣ ଗ୍ରହଣ କରୁଥିଲି ଯେମିତି କି କୌଣସି ପରିସ୍ଥିତିରେ ମୋ ମନରେ କେବେ ମାଲିକର ପୁଅ ବୋଲି ଭାବନା ଆସିବ ନାହିଁ। ତେଣୁ ସେତେବେଳେ ମୁଁ ଭାବୁଥିଲି ଯେ ଏହା ମୋ ପାଇଁ ଏକ ଦଣ୍ଡ ସଦୃଶ ଥିଲା ବୋଲି। କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଏହାର ମୂଲ୍ୟ ଏବଂ ମହାନତା ବୁଝିପାରିଲି।
ପ୍ରଶ୍ନ- ଆପଣ କିପରି ଭାବରେ ନିଜ ପିଲାମାନଙ୍କୁ ଶିଖାନ୍ତି ?
ବିଜୟ ମାଲ୍ୟା- ମୁଁ ସେମାନଙ୍କୁ ବହୁତ ଗେହ୍ଳା କରିଦେଇଛି। ମୋର ପତ୍ନୀ ସେ ସବୁ ସମ୍ଭାଳନ୍ତି। ମୁଁ ସେମାନଙ୍କୁ କେବେ କୌଣସି କଥାରେ ନାଁ କରିପାରେନ।
ପ୍ରଶ୍ନ- ଆପଣଙ୍କର ପିଲାମାନେ ଉଚ୍ଚ ପ୍ରତିପତିଶାଳୀ ଜୀବନ ବିତାନ୍ତି କି ?
ବିଜୟ ମାଲ୍ୟା- ନାଁ। ଅନ୍ୟ ପିଲାମାନଙ୍କ ପରି ସେମାନେ ମଧ୍ୟ ପ୍ରାଇଭେଟ ସ୍କୁଲରେ ପାଠ ପଢ଼ନ୍ତି।
ପ୍ରଶ୍ନ- ଆପଣଙ୍କର ପିଲାମାନେ ସ୍କୁଲକୁ ସ୍କୁଲ ବସରେ ଯାଆନ୍ତି ନା କାରରେ ଯାଆନ୍ତି ?
ବିଜୟ ମାଲ୍ୟା- ଆମର ସହାୟିକା ସେମାନଙ୍କୁ ଗାଡ଼ିରେ ନେଇ ଛାଡ଼ି ଆସନ୍ତି, ଏହା ଏମିତି କିଛି ବଡ଼ କଥା ନୁହେଁ, କିମ୍ବା ତାଙ୍କର ମା ମଧ୍ୟ ନେଇ ଛାଡ଼ି ଆସନ୍ତି। ସେମାନେ ଏ ଭଳିଆ ସାଧାରଣ ଜୀବନ ବିତାନ୍ତି।
ପ୍ରଶ୍ନ- ଆପଣ ଏମିତି ଏକ ମାହୋଲରେ ଥାଆନ୍ତି ଯାହା ସାଧାରଣ ଜୀବନ ଠାରୁ ଅଲଗା ଥାଏ, ଆପଣ କିପରି ଭାବରେ ସାଧାରଣ ଜୀବନ ବିତାନ୍ତି ?
ବିଜୟ ମାଲ୍ୟା- ଦେଖନ୍ତୁ, ମୁଁ ଯେପରି ଜୀବନ ବିତାଉଛି ତାହା ମୋ ପାଇଁ ସାଧାରଣ।
ପ୍ରଶ୍ନ- ଆପଣ କେବେ ସମ୍ପୂର୍ଣ୍ଣ ଭାବରେ ସାଧାରଣ ଜୀବନ ବିତାଇଛନ୍ତି କି ? ଯେମିତିକି, ସିନେମା ଦେଖିବା, ପପକର୍ଣ୍ଣ କିଣିବା, ରାସ୍ତାରେ ଚାଲିକି ଯିବା ଏମିତି କିଛି।
ବିଜୟ ମାଲ୍ୟା- ଏବେ ଦୁଇ ସପ୍ତାହ ପୂର୍ବରୁ ମୁଁ ମୋର ପିଲାମାନଙ୍କୁ ନେଇ କାଲିଫର୍ଣ୍ଣିଆରେ ହିନ୍ଦୀ ସିନେମା ଦେଖିଲି, ପପକର୍ଣ୍ଣ ଖାଇଲି l ଏଟା ସାଧାରଣ ନା ଅସାଧାରଣ ଆପଣ କୁହନ୍ତୁ !
ପ୍ରଶ୍ନ-ଏକଦମ ସାଧାରଣ। ଆପଣ କେତେବେଳେ ଚାପଗ୍ରସ୍ତ ହୁଅନ୍ତି ?
ବିଜୟ ମାଲ୍ୟା- ଏ କଥା ମୋତେ ସମସ୍ତେ ପଚାରନ୍ତି, ହେଲେ ମୁଁ କେବେ ବି ଚାପଗ୍ରସ୍ତ ହୁଏନି। ସତରେ ଚାପଗ୍ରସ୍ତ ହେବା କଣ ମୁଁ ଜାଣେନାହିଁ।
ପ୍ରଶ୍ନ-ଆପଣ ଅନ୍ଧବିଶ୍ୱାସକୁ ମାନନ୍ତି କି ?
ବିଜୟ ମାଲ୍ୟା- ବହୁତ ମାନେ। ଆପଣ ଜାଣନ୍ତି ମୁଁ ମଙ୍ଗଳବାର କିମ୍ବା ଶନିବାର ଦିନ କିଛି ଭଲକାମ କରେନି ଲାମୁଁ “ରାହୁକାଳମ” ଏବଂ “ଯମଗଣ୍ଡମ” ରେ ବିଶ୍ୱାସ କରେ। ମୋର ନିଜର ପୁରୋହିତ ବାଙ୍ଗାଲୋର ରେ ଅଛନ୍ତି l ତାଙ୍କର ପରାମର୍ଶ ଅନୁସାରେ ମୋର ଶୁଭକାମ ଆରମ୍ଭ କରେ।