ମା’ରେ ଆଜି ଭୂବନେଶ୍ଵର ଯିବା,ତୁ ଶିଘ୍ର ବାହାର । ଆମେ ତତେ ତଳେ ଅପେକ୍ଷା କରିଛୁ କହି ସୁଲୋଚନା ଦେବୀ ବାହାରି ଗଲେ । ସ୍ମିତା ସେମିତି ବସି ରହିଥିଲେ ଖଟ ଉପରେ । ତାଙ୍କର ମନେ ଅଛି ଆଜି ଅଭିଙ୍କୁ ରାଜ୍ୟପାଳ ସମ୍ମାନିତ କରିବେ । ହେଲେ ଅଭିଙ୍କ ପୁରସ୍କାର ଗ୍ରହଣ କରିବ ସ୍ମିତା । କିନ୍ତୁ ଅଭି ଏବେ ବି ତାଙ୍କ କଥା ସବୁ ସ୍ମୃତି ହେଇ ତା ହୃଦୟରେ ସାଇତା ହେଇଅଛି । ସେଦିନର ଘଟଣା…।
“ଭାଉଜ,ଭାଉଜ…..ଜଲ୍ଦି ଆସ । ଅଭି ଭାଇର ଫୋନ ଆସିଛି” – ରିନିର ଡାକରେ ସବୁ କାମ ଛାଡି ସ୍ମିତା ଦଉଡିଲେ ଉପର ଘରକୁ । କେଜାଣି କୋଉ ଦିନରୁ ସେ ଅପେକ୍ଷା କରିଥିଲେ ଏ ମୁହୁର୍ତ୍ତକୁ । ରିନିଙ୍କ ହାତରୁ ଫୋନ୍ ନେଇ କହିଲେ- ହେଲୋ ..।
ବାସ୍ ଆଖିରେ ଜକେଇ ଆସିଲା କେଇ ଟୋପା ଲୁହ । ସେପଟୁ ଶୁଭିଲା ଅଭିଙ୍କ କଣ୍ଠ ସ୍ଵର । କେମିତି ଅଛ ସ୍ମିତା?ଖୁବ୍ ଛୋଟ ଉତ୍ତର ଦେଇଥିଲା ସେ ଭଲ ଅଛି । ଆଉ ତମେ?ହଁ ଭଲ ।
ତମକୁ ଜଣେଇବାକୁ ଫୋନ୍ କରିଥିଲି ଯେ ମୋର ଛୁଟି ମଞ୍ଜୁର ହେଇଯାଇଛି । ମୁଁ ଆଉ ଚାରି ଦିନ ପରେ ଗାଁକୁ ଆସୁଛି । ସ୍ମିତା କିଛି କହିପାରିଲେନି । ସତେ ଯେମିତି ସ୍ଵର୍ଗର ପାରିଜାତ ଆଜି ହାତ ପାହାନ୍ତାରେ ମିଳିଯାଇଛି । କେବେ ଠାରୁ ସେ ଅପେକ୍ଷା କରି ରହିଥିଲା ସତେ ଏ କଥା ପଦେ ଶୁଣିବାକୁ ।
କଣ ହେଲା କିଛି କହୁନ ଯେ,କଣ ରାଗିଛ?ଅଭିଙ୍କ ଏ କଥାରେ ପ୍ରକୃତିସ୍ଥ ହେଲା ସ୍ମିତା । ଆରେ ନା ନା ରାଗିନି । ହଉ ତମେ ଆସ । ଅଭି ଟିକେ ହସି କହିଲେ,”ହଉ ରଖୁଛି” ।
ରିନିଙ୍କୁ ଫୋନ୍ ଦେଇ ଫେରି ଆସିଲା ସ୍ମିତା ନିଜ ରୁମ୍ କୁ । କବାଟ ବନ୍ଦ କରି ଆଲମାରି ଖୋଲି ବାହାର କଲା ଆଲବମ୍ । ଯୋଉଥିରେ ସେ ସାଇତି ରଖିଥିଲା ତା ଅତୀତର ସୁନ୍ଦର ସ୍ମୃତି ସବୁକୁ । ଆଲବମ୍ ର ପୃଷ୍ଠାକୁ ଓଲଟେଇ ଦେଖିଲା ବେଳକୁ ତାର ସୁନ୍ଦର ନୀଳ ଆଖିରେ ଭରି ଯାଉଥିଲା ମୁକ୍ତା ପରି ଲୁହ ଟୋପା । ଝାପ୍ସା ଦେଖାଯାଉଥିଲା ମୁହଁ ସବୁ;ହେଲେ ଜୀବନ୍ତ ହେଇଯାଉଥିଲା ସ୍ମୃତି ।
ଅଭିଙ୍କ ସହ ତାର ପ୍ରଥମ ସାକ୍ଷାତ ହେଇଥିଲା କଲେଜ ଫଙ୍କସନ୍ ରେ । ସେତେବେଳେ ଅଭି ଥିଲେ +୩ ଶେଷ ବର୍ଷର ଛାତ୍ର;ସ୍ମିତା +୩ ପ୍ରଥମ ବର୍ଷରେ । କଲେଜର ସବୁଠାରୁ ଭଲ ଛାତ୍ର ଥିଲେ ସେ । ଆଉ ସେଥିପାଇଁ ସେଦିନ ତାଙ୍କୁ ମିଳିଥିଲା Student of the year ସମ୍ମାନ ।
ଅଭି କିନ୍ତୁ ଆଗରୁ ଜାଣିଥିଲେ ସ୍ମିତାଙ୍କୁ । ସ୍ମିତାଙ୍କ କବିତାର ଦିଓ୍ଵାନା ଥିଲେ ସେ । ସେଦିନ ଖାଲି ଯାହା ଟିକେ କଥା ହେଇଥିଲେ । ତା ପରେ ସେମାନଙ୍କର ଦେଖା ହେଇ ନଥିଲା । ସମସ୍ତେ ବ୍ୟସ୍ତ ହେଇଯାଇଥିଲେ ନିଜ ନିଜ କାମରେ । ସ୍ମିତା ତା ପାଠପଢାରେ ଆଉ ଅଭି ଚାକିରି ଖୋଜିବାରେ ।
ତାର ଠିକ୍ ୪ ବର୍ଷ ପରେ ହଠାତ୍ ଦିନେ ଅଭି ତା ବାପା ମାଙ୍କ ସହ ଆସି ପହଞ୍ଚିଥିଲେ ସ୍ମିତାଙ୍କ ଘରେ ବାହାଘର ପ୍ରସ୍ତାବ ନେଇ । ସେତେବେଳକୁ ଅଭି ପାଲଟି ଯାଇଥିଲେ ଲେଫ୍ଟେନେଣ୍ଟ୍ ଜେନେରାଲ ଅଭିମନ୍ୟୁ ଦାସ । ଶ୍ରୀନଗରରେ ତାଙ୍କ ପୋଷ୍ଟିଙ୍ଗ ହେଇଥିଲା ।
ଏକଥା ଶୁଣି ସମସ୍ତେ ବହୁତ ଖୁସି ହେଇଥିଲେ । ହେଲେ ନିଜକୁ ନିଜେ ବିଶ୍ବାସ କରି ପାରୁନଥିଲେ ସ୍ମିତା । ତଥାପି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟେଇ ଶେଷରେ ସ୍ମିତା ଆଉ ଅଭିର ବାହାଘର ହେଇଥିଲା ।
ବାହାଘରର ୨/୩ ମାସ ଅଭି ଆଉ ସ୍ମିତା ହସଖୁସିରେ ସମୟ ବିତେଇଥିଲେ । ତା ପରେ ଗୋଟେ ମେଲ୍ ପାଇ ସେ ବାହାରିଗଲେ ନିଜ କର୍ମ କ୍ଷେତ୍ରକୁ । ତା ପରର ୨ ବର୍ଷ ଅଭିଙ୍କ ବିନା କେମିତି କଷ୍ଟରେ କଟିଲାଣି ସେ କଥା କେବଳ ସ୍ମିତାଙ୍କୁ ହିଁ ଜଣା ।
ଅତୀତର ସ୍ମୃତିକୁ ରୋମନ୍ଥନ କରୁ କରୁ ସମୟ କେତେ ହେଲାଣି ଜଣା ନାହିଁ । କବାଟରେ କାହାର ମୃଦୁ ଆଘାତର ସ୍ପର୍ଶରେ ଭାବନା ରାଜ୍ୟରୁ ଫେରିଆସିଲେ । ଆଖିର ଲୁହକୁ ନିଜ ଲୁଗା କାନିରେ ପୋଛି ସେ କବାଟ ଖୋଲିଲା । ସାମନାରେ ଠିଆ ହେଇଥିଲେ ଶାଶୁ ସୁଲୋଚନା ଦେବୀ । ତଳକୁ ଆସ ଖାଇବୁ । ଭୋକ ନାହିଁ କହି ସେ ଚୁପ୍ ରହିଲା । ହେଲେ ଶାଶୁଙ୍କ ଜିଦ୍ ଆଗରେ ହାର୍ ମାନି ବାଧ୍ୟ ହେଇ ତଳକୁ ଗଲା ।
ଅଭି ଗଲାଦିନରୁ ରିନି ଓ ସୁଲୋଚନା ଦେବୀ ନଣନ୍ଦ ଓ ଶାଶୁ ନୁହଁନ୍ତି ସ୍ମିତା ପାଇଁ ପାଲଟି ଯାଇଥିଲେ ସାଙ୍ଗ । ସବୁ କଥାରେ ସ୍ମିତା ସହ ସେମାନେ ଥାଆନ୍ତି । ଆଜି ଅଭି ଆସିବାର ଖବର ବି ସେ ଶାଶୁମା’ଙ୍କୁ ଜଣେଇଲା । ସମସ୍ତେ ଆଜି ପୁରା ଖୁସି ।
ସନ୍ଧ୍ୟାରେ ସମସ୍ତେ ମିଶି ନ୍ୟୁଜ୍ ଦେଖୁଥାନ୍ତି । ଅଚାନକ ଗୋଟିଏ ଦୁଃଖଦ ଖବରରେ ସମସ୍ତଙ୍କ ହୃଦ ସ୍ପନ୍ଦନ ବଢି ଯାଇଥିଲା । “ଶ୍ରୀନଗରରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ” । କିଛି ସମୟ ପାଇଁ ନିରବି ଗଲା ପୁରା ଦାସ ପରିବାରର ହସ ଖୁସିର ମାହୋଲ୍ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଭି…!ନା ନା ସେମିତି କିଛି ହେଇନଥାଉ ।
ସ୍ମିତାର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ସାଙ୍ଗେ ସାଙ୍ଗେ ସେ ଦଉଡି ଗଲା ଠାକୁର ଘରକୁ । ଚାହିଁଲା କଳା ଶ୍ରୀମୁଖର ସେ ଦୁଇ ଆଖିକୁ । ଓଠ ଖୋଲି କେବେ କିଛି ମାଗିନି ସେ ତାଙ୍କୁ । କାରଣ ସେ ଜାଣିଛି କଳା ଠାକୁର ପରା ମନର ଭାଷା ବୁଝନ୍ତି । ସେଥିପାଇଁ ସେ ଦୁଇ ବର୍ଷ ହେଲାଣି ସବୁଦିନ ଏଠି ଅଭିଙ୍କ ଶୁଭ ମନାସି କେତେ ଦୀପ ଜାଳିଛି । କେତେ ଓଷାବ୍ରତ କରିଛି ।
ଆଉ ଆଜି…….ହଠାତ୍ ଫୋନ୍ ରିଂ ଟୋନ୍ ଶୁଭିଲା । ସେ ଦଉଡିଗଲା ରିସିଭ୍ କରିବାକୁ । ସେତେବେଳକୁ ରିନି ଫୋନ୍ ଉଠେଇ ସାରିଥିଲା । ହେଲେ କିଛି କହୁନଥିଲା ସେ । ନିର୍ବିକାର ଆଉ ସ୍ଥାଣୁ ପାଲଟିଯାଇଥିଲା ଆଉ ଆଖିରୁ ଝରି ପଡୁଥିଲା ଲୁହର ଧାର । ସ୍ମିତାକୁ ମିଳି ସାରିଥିଲା ରିନିଙ୍କ ନିରବତାର ଉତ୍ତର ।
ସେଇଠି ଜଡ ପରି ବସି ପଡିଲେ ସ୍ମିତା । ଦଉଡି ଆସିଲେ ସୁଲୋଚନା ଆଉ ରିନି । ଲୋତକ ପୂର୍ଣ୍ଣ ନୟନରେ ସୁଲୋଚନା କୋଳେଇ ନେଲେ ସ୍ମିତାଙ୍କୁ । କଣ କହି ସାନ୍ତ୍ଵନା ଦେବେ ସେ ତାକୁ । ତାଙ୍କ ମାତୃ ହୃଦୟର କୋହକୁ ରୋକି କେମିତି ବୁଝେଇବେ ସ୍ମିତାକୁ । କିଛି ବୁଝି ପାରୁ ନ ଥିଲେ ସେ । ତାଙ୍କ ହାତର ସ୍ପର୍ଶରେ ହଠାତ୍ ଛୋଟ ପିଲା ପରି କାନ୍ଦି ଉଠିଲେ ସ୍ମିତା । ଘର ସାରା ଖେଳିଗଲା ଶୋକର ବାତାବରଣ । ସାହି ପଡିଶାରେ ଅଗ୍ନି ପରି ବ୍ୟାପିଗଲା ଖବର । ଅଭି ଆତଙ୍କବାଦୀଙ୍କ ଗୁଳିରେ ନିହତ!
ତିନି ଦିନ ପରେ….।
ଗାଁ ସାରା ଗହଳି ଲାଗିଛି । ସମସ୍ତଙ୍କ ଆଖିରେ ଲୁହ ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା “ଶହିଦ୍ ଅଭିମନ୍ୟୁ ଅମର ରହେ” । ତିନ ଦିନ ହେଲାଣି ଦାସ ପରିବାରରେ ନା ଚୁଲି ଜଳିଛି ନା କାହା ଆଖିରୁ ଲୁହ ଶୁଖିଛି । ଆଉ ଆଜି…ମିଲିଟାରି ଗାଡି ଆସି ଅଟକିଲା ଘରର ଦୁଆର ମୁହଁରେ । ସସମ୍ମାନେ ଅଣାଗଲା ଅଭିଙ୍କ ଶବକୁ । ସଭିଙ୍କ ଆଖିରେ ଲୁହ ଆଉ ଛାତିରେ କୋହ । ସ୍ମିତା ପୁରା ସ୍ଥାଣୁ ପରି ବସିଥାନ୍ତି । ପାଖରେ ଥାନ୍ତି ସୁଲୋଚନା ଦେବୀ ଆଉ ରିନି । ଦାସ ବାବୁଙ୍କ କଥା ତ ନ କହିବା ଭଲ ।
ଅଭି ଶରୀରକୁ ସୈନ୍ୟମାନେ ଆଣି ଘର ବାରଣ୍ତାରେ ରଖିଲେ । ଘୋଡା ହୋଇଥିବା ଧଳା ଚାଦରକୁ ଆସ୍ତେ କରି କାଢିଲେ ତାଙ୍କର ଜଣେ ସାଙ୍ଗ । ଖୁବ୍ ଜୋର୍ ରେ କାନ୍ଦି ଉଠିଲେ ସ୍ମିତା,ସୁଲୋଚନା ଦେବୀ ଆଉ ରିନି । କେମିତି ସହି ପାରିଥାନ୍ତେ ସେମାନେ ।
ଜଣେ ମା ଯିଏ ଦଶ ମାସ ଗର୍ଭରେ ଧରି ନିଜେ ମୃତ୍ୟୁର ଦ୍ଵାରରେ ଠିଆ ହେଇ ନୂଆ ଜୀବନକୁ ସାଉଁଟି ଆଣିଥିଲେ ।
ଜଣେ ଭଉଣୀ ଯିଏ ନିଜ ସୁରକ୍ଷାର ଭାର ଭାଇ ହାତରେ ଦେଇ ସବୁ ରାକ୍ଷୀ ପୂର୍ଣ୍ଣିମା ରେ ବାନ୍ଧି ଦେଉଥିଲା ରେଶମୀ ସୂତାର ଡୋର ଟିଏ । ଜଣେ ସ୍ତ୍ରୀ ଯାହାକୁ ସେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସାଥି ହେଇ ଚାଲିବାର ପ୍ରତିଶୃତି ଦେଇ ନେଇ ଆସିଥିଲେ ନିଜ ଘରକୁ ।
ଆଉ ବାପା…..ତାଙ୍କ କଥା ନ କହିବା ଭଲ । ଯୋଉ ବାପା ଦିନେ ସ୍ଵପ୍ନ ଦେଖିଥିଲେ ନିଜ ପୁଅ କାନ୍ଧରେ ଶ୍ମଶାନକୁ ଯିବେ ବୋଲି ଆଜି ସେଇ ବାପା କାନ୍ଧରେ ଯାତ୍ରା କଲା ପୁଅ । ଅଦିନରେ ସମସ୍ତଙ୍କୁ ପର କରି ଚାଲିଗଲା କୋଉ ଏକ ଅଜଣା ଦୁନିଆଁକୁ ।
ଖୁବ୍ ଶାନ୍ତ ଭାବେ ଶୋଇଯାଇଥିଲେ ଅଭିମନ୍ୟୁ । ଭାରତ ମାଆ ପାଇଁ ସହିଦ ହେଇଥିବାରୁ ତାଙ୍କ ମନରେ ଥିଲା ଆନନ୍ଦ । କିନ୍ତୁ ସେଇଟା ଥିଲା ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ । ବାସ୍ କେଇ ଘଣ୍ଟାର ଶେଷ ଦର୍ଶନ ପରେ ଅଭିଙ୍କ ନିଷ୍ପାଣ ଶରୀରକୁ ନିଆଗଲା ଗାଁ ଶ୍ମଶାନକୁ । ରାଷ୍ଟ୍ରିୟ ମର୍ଯ୍ଯାଦା ପରେ ଅଗ୍ନି ସଂଯୋଗ କରାଗଲା ତାଙ୍କ ପାର୍ଥିବ ଶରୀରରେ । କିଛି ସମୟର ପ୍ରତୀକ୍ଷା ଆଉ ଶେଷରେ ପଞ୍ଚଭୂତରେ ବିଲୀନ ହେଇ ଗଲେ ଅଭିମନ୍ୟୁ ।
ଏ ସବୁ ଚଳଚ୍ଚିତ୍ର ପରି ଭାସି ଉଠୁଥିଲା ସ୍ମିତାଙ୍କ ସମ୍ମୁଖରେ । ଆଖିରୁ ବହି ଚାଲିଥିଲା ଅମାନିଆ ଲୁହର ଧାର ଆଉ ଓଦା କରି ଚାଲିଥିଲା ପଣତ କାନିକୁ ।
ଆଜି ବି ଜୀବନ୍ତ ହେଇ ରହିଛି ଏ ସ୍ମୃତି ସବୁ ତାଙ୍କ ହୃଦ କନ୍ଦରରେ । ଆଜି ବି ଅଭିଙ୍କ ଫଟୋ ଦେଖିଲେ ଲାଗେ ସେ ଯେମିତି କହୁଛନ୍ତି କାନ୍ଦୁଛ କାହିଁକି?କଥା ଦେଇଥିଲି ଫେରିବାକୁ ଫେରିଲି;ହେଇପାରେ ଜୀବନ୍ତ ନୁହଁ ତଥାପି ଫେରିଛି ନା ତୁମ ପାଖକୁ । ତୁମ ସ୍ମୃତି ହେଇ…ଭାଉଜ ଆସ ଯିବା । ରିନିର ଡାକରେ ଚେତନା ଫେରି ପାଇ ସ୍ମିତା ଫେରି ଆସିଲା ତା ଭାବନାରୁ । ବାଧ୍ୟ ଶିଶୁଟି ପରି ରିନି ପଛେ ପଛେ ତଳକୁ ଆସି ଗାଡିରେ ବସିଲା ସେ ।