ଇତିହାସ ପୃଷ୍ଠାରେ ଆଲାମପରାଇ ଦୁର୍ଗ

alamparai
Reading Time: 2 minutes

ଗୋଟେ ରାଜକୀୟ ଦୁର୍ଗର କଥା ମନକୁ ଆସିଲେ ଫାଟକ, ତୋରଣ, ସୈନ୍ୟସାମନ୍ତ, ଗୋଳାବନ୍ଧୁକ, କମାଣ ଏମିତି କେତେ କଥା ମନକୁ ଚାଲି ଆସେ। ଚେନ୍ନାଇ ଠାରୁ ଇସିଆର୍‌ ରାଜପଥରେ ୧୦୦ କି.ମି. ଦୂରରେ ସମୁଦ୍ର କୂଳରେ ଅବସ୍ଥିତ, ପଣ୍ଡିଚେରୀ ଠାରୁ ୫୦ କି.ମି. ଦୂରରେ ଏବଂ ବେଦାଲ ଠାରୁ ୫ କି.ମି. ଦୂରରେ ସମୁଦ୍ର କୂଳରେ ଅବସ୍ଥିତ। ଏହାକୁ ଆଲାମପରା ମଧ୍ୟ କୁହାଯାଏ। ଏହାର ନିକଟରେ ଗୋଟିଏ ଛୋଟିଆ ଗ୍ରାମ ରହିଛି, ଏହାର ନାମ କଡ଼ପକମ୍।
ଆଲାମପରାଇ ଦୁର୍ଗ ୧୫ ଏକର ପରିମିତ ଅଂଚଳରେ ଅବସ୍ଥିତ। ଏହାର ସୁଦୀର୍ଘ ଉଚ୍ଚ ପ୍ରାଚୀର ଯାହାର ଧ୍ୱଂସାବଶେଷ ଆଜି ବି ଦେଖିବାକୁ ମିଳେ ତାହା ଇଟା ଏବଂ ଚୂନରେ ନିର୍ମିତ। ଏହି ପ୍ରାଚୀରର ଉପରକୁ ସୋପାନ ଶ୍ରେଣୀ ରହିଛି। ଆଲାମପରାଇ ଦୁର୍ଗର ମଧ୍ୟଭାଗରେ ଗୋଟିଏ ସମାଧି ମନ୍ଦିର ରହିଛି। ଏହି ଦୁର୍ଗ ମଧ୍ୟରୁ ନିକଟସ୍ଥ ସୁଦୀର୍ଘ ନୀଳ ଜଳରାଶିର ସୌନ୍ଦର୍ଯ୍ୟ ଅତୀବ ମନୋରମ ଅଟେ। ପର୍ଯ୍ୟଟକମାନଙ୍କୁ ଏଠାକାର ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକମାନେ ଏହି ଦୁର୍ଗର ଆଖପାଖରେ ନୌବିହାର କରିବାରେ ସାହାଯ୍ୟ କରନ୍ତି।

ଇତିହାସ କହେ, ଏହି ଆଲାମପରାଇ ଦୁର୍ଗ କେତେ ସାମୁଦ୍ରିକ ବଣିକମାନଙ୍କୁ ଏହି ସ୍ଥାନକୁ ଟାଣି ଆଣିଥିଲା। ସତରେ ଏଠାରେ ପହଞ୍ଚିଲା ପରେ ଏବଂ ଦୁର୍ଗର ଧ୍ୱଂସାବଶେଷ ଦେଖିଲା ପରେ ଏହି ସ୍ଥାନଟିର ଗୌରବମୟ ଅତୀତ ସ୍ପଷ୍ଟ ଭାବରେ ମନରେ ଛାଇଯାଏ। ପୁରାତତ୍ତ୍ୱବିତମାନେ କହନ୍ତି ଯେ, ଆଲାମପରାଇ ଦୁର୍ଗ ପରବର୍ତ୍ତୀ ସମୟରେ ନିର୍ମିତ କିନ୍ତୁ ଏହା ପୂର୍ବରୁ ଏହା ଏକ ବନ୍ଦର ଭାବରେ ପ୍ରତିଷ୍ଠା ଲାଭ କରିଥିଲା। ଏହି ଦୁର୍ଗଟି ମୋଗଲ ରାଜତ୍ୱ ସମୟରେ ୧୭୩୬ ରୁ ୧୭୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ। ଏଠାରେ ୧୦୦ ମିଟର ଦୈର୍ଘ୍ୟର ଡକୟାର୍ଡ ଥିଲା। ଏଠାରୁ ବାହାର ଦେଶକୁ ଜରି ବସ୍ତ୍ର, ଘିଅ, ଲୁଣ, ମସଲା ପ୍ରଭୃତି ସାମଗ୍ରୀ ବିଦେଶକୁ ରପ୍ତାନି କରାଯାଉଥିଲା। ସେ ସମୟରେ ଏହି ଦୁର୍ଗକୁ ଏକ ପ୍ରାଥମିକ ସାମୁଦ୍ରିକ ବନ୍ଦର ଭାବରେ ବିବେଚନା କରାଯାଉଥିଲା। ଏହି ସାମୁଦ୍ରିକ ବନ୍ଦର ଆର୍କଟ ନବାବଙ୍କ ଅଧୀନରେ ଥିଲା। ଆର୍କଟ ନବାବଙ୍କ ଏକ ଟଙ୍କାଶାଳ ଏହି ବନ୍ଦର ମଧ୍ୟରେ ରହିଥିଲା। ପୁରାତତ୍ତ୍ୱବିତମାନେ ଏଠାରୁ ନବାବଙ୍କ ଶାସନ କାଳର ପ୍ରସ୍ତୁତ ମୋହର ଏବଂ ନବାବ ଏବଂ ଫରାସୀ ମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ପ୍ରଭୃତିର ସନ୍ଧାନ ପାଇଛନ୍ତି।
୧୭୩୫ ଖ୍ରୀଷ୍ଟାବ୍ଦରେ ଏହି ଦୁର୍ଗ ନବାବ୍ ଦୋସ୍ତ ଅଲି ଖାଁ ଙ୍କର ଶାସନାଧୀନ ହେଲା। ୧୭୫୦ ଖ୍ରୀଷ୍ଟାବ୍ଦରେ ଏହି ଦୁର୍ଗକୁ ଫରାସୀ ଶାସକଙ୍କୁ ଅର୍ପଣ କରାଗଲା। ସର୍ବଶେଷରେ ୧୭୬୦ ମସିହାରେ ଫରାସୀମାନେ ଇଂରେଜମାନଙ୍କ ଦ୍ୱାରା ପରାଜିତ ହେଲେ ଏବଂ ଏହି ଦୁର୍ଗ ଇଂରେଜମାନଙ୍କ ଦଖଲକୁ ଚାଲିଗଲା। ଏହି ଦୁର୍ଗଟିକୁ ଇଂରେଜମାନେ ଧ୍ବଂସ କରିଦେଲେ। ଦୁର୍ଗର ଯାହାକିଛି ବାକିଥିଲା ୨୦୦୪ ମସିହାର ମହାସାଗରୀୟ ସୁନାମୀ ନଷ୍ଟ କରିଦେଲା। ଅତୀତରେ ଏହି ଆଲାମପରାଇ ଦୁର୍ଗ ଗୋଟିଏ ସୁବ୍ୟବସ୍ଥିତ ବନ୍ଦରର ସ୍ଵାକ୍ଷର ବହନ କରୁଥିଲା। ଏହା ସହିତ ତତ୍କାଳୀନ ଶାସକ ଗୋଷ୍ଠୀମାନଙ୍କର ଏହା ଏକ ଜଳଦୁର୍ଗ ଭାବରେ ମଧ୍ୟ ବ୍ୟବହୃତ ହେଉଥିଲା। ଏହି ଦୁର୍ଗ ଦିନେ ମୋଗଲ, ଡଚ୍, ଫରାସୀ, ଏବଂ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ଚଳଚଞ୍ଚଳ ଥିଲା। ଆଜି ଏହା ଶୂନଶାନ, ନୀରବ, ନିସ୍ତବ୍ଧ। ସେଦିନର ବିଦୀର୍ଣ୍ଣ ସ୍ଵାକ୍ଷରକୁ ଆଜି ବୁକୁରେ କେବଳ ଯାହା ଧରି ରଖିଛି। କାଳର ପକ୍ଷ ମାଡ଼ରେ ସବୁକିଛି ଶେଷ ହୋଇଯାଇଛି। ଅଳ୍ପ କିଛି ଶେଷ ଚିହ୍ନ ରହିଛି। ଅତୀତର ଇତିହାସକୁ ବହନ କରୁଥିବା ଏହି ଦୁର୍ଗଟି ଆଜି ଚିର ଅବହେଳିତ ହୋଇ ପଡିଛି। ପାଚେରୀ କାନ୍ଥରେ ଅନାବନା ଗୁଳ୍ମରାଜିଙ୍କର ରାଜତ୍ୱ, କାନ୍ଥ ସବୁ ଫଟା ଏବଂ ଜରାଜୀର୍ଣ୍ଣ। ଦେଖିଲେ ଯେମିତି ଲାଗେ, ପ୍ରଶାସନର ଦୃଷ୍ଟି ଆଢୁଆଳରେ ପରିତ୍ୟକ୍ତ ଅବସ୍ଥାରେ ଏକ ଗୌରବମୟ ଅତୀତର ପ୍ରମାଣକୁ ଜାବୁଡ଼ି ଧରି ପଡ଼ିରହିଛି।

Recommended For You

About the Author: Sugyan Nayak

He is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.