ପତ୍ରଲେଖକର ପ୍ରେମିକା

images 4
Reading Time: 7 minutes

ସ୍ମୃତିକୁ ନ ଦେଖିଲା ଯାଏ ମୋର ଗୋଟିଏ ଧାରଣା ଥିଲା ଯେ, ରାସ୍ତାଘାଟରେ ଆଖିକୁ ସୁନ୍ଦର ଦିଶୁଥିବା ତଥାକଥିତ ସୁନ୍ଦରୀ ଝିଅମାନଙ୍କ ଭିତରୁ, କାହା ପାଖରେ ବି ମୋ ପ୍ରେମିକା ହେବାର ଯୋଗ୍ୟତା ନାହିଁ୤ ସେମାନଙ୍କ ଠକ୍‌ ଠକ୍‌ ଚାଲି, ଟାଏଁ ଟାଏଁ କଥା, ମୁହଁମୋଡ଼ା ଢଙ୍ଗ ଓ ବେପରୱା ବ୍ୟବହାର ଦେଖିଲେ ମନେ ହେଉଥିଲା ଏମାନେ ଗୋଟାପଣ ନଖରୀ ଆଉ ହଣ୍ଡ୍ରେଡ଼ ପର୍ସେଣ୍ଟ ସ୍ବାର୍ଥପର୤ ଏଇ ଯେମିତି ସେମାନେ ନୂଆ ନୂଆ କଲେଜ ଆସିଲେ ଗୋଟିଏ ଖିଆଲରେ ପଡ଼ି ପ୍ରେମ କରିପକାନ୍ତି କ୍ଲାସ୍‌ର ସବୁଠୁ ହ୍ୟାଣ୍ଡସମ୍‌ ନଚେତ୍‌ ବ୍ରିଲିଆଣ୍ଟ ଟୋକାକୁ୤ ଲାଇବ୍ରେରୀ, ରେଷ୍ଟୁରାଣ୍ଟ ନ ହେଲେ ବଢ଼ି ବଢ଼ି କାଠଯୋଡ଼ି କୂଳ ପର୍ଯ୍ୟନ୍ତ ଏମାନଙ୍କ ଖୁଲମ୍‌ଖୁଲା ପ୍ରେମ ଚାଲେ, ବେଳେବେଳେ ସମ୍ରାଟ ସିନେମା କି ନନ୍ଦନକାନନ ପର୍ଯ୍ୟନ୍ତ ବି ଆଗେଇଯାଏ୤ କିନ୍ତୁ କ୍ୟାମ୍ପସ୍‌ରୁ ବିଦାୟ ନେବା ସମୟ ଆସିଲେ ହଜାରେ ପ୍ରତିଶ୍ରୁତିରେ ଓଦା ଓଦା ହୋଇଯାଏ, ଲେଡ଼ିଜ୍‌ ହଷ୍ଟେଲ୍‌ ଆଗର ଧୁ ଧୁ ପଡ଼ିଆ୤ ମାସ କେତେଟା ପରେ ହୁଏତ ଝିଅଟିର ବାହାଘର ଠିକ୍‌ ହୋଇଯାଏ, ନଚେତ୍‌ ଏତେ ବଡ଼ ରିସ୍କ ନେବା ସମ୍ଭବ ନୁହେଁ ଭାବି ଭାବି ଯାହା ହେଲା ଢେର ନ୍ୟାୟରେ ଝିଅଟି ଏ ଖେଳରୁ ଅବସର ନେଇଯିବା ଉଚିତ୍‌ ମନେ କରେ୤

ତେବେ ସ୍ମୃତି କଥାଟା ଥିଲା ଏ ସବୁଥିରୁ ଏକେବାରେ ଭିନ୍ନ ପ୍ରକାରର୤ ଯେଉଁଦିନ ସ୍ମୃତିକୁ କଲେଜ ସାମ୍ନାରେ ପ୍ରଥମେ ଆବିଷ୍କାର କଲି, ମୋର କାହିଁକି ମନେ ହୋଇଥିଲା ଯେ, ଏଇ ଲମ୍ବାବେଣୀବାଲା ତନୁପାତଳୀ ଝିଅଟା ଅନ୍ୟମାନଙ୍କଠାରୁ ଡିଫେରେଣ୍ଟ ବା ଅଲଗା୤ କଲେଜ୍‌ ସାମ୍ନାର ଗୁପ୍‌ଚୁପ୍‌ ଦୋକାନ ଆଗରେ ହୋଇଥିବା ଅସମ୍ଭବ ଭିଡ଼ ଭିତରୁ ବାହାରି ଆସି ଏକାକୀ ଛିଡ଼ା ହୋଇଥିଲା ଝିଅଟି… କାହିଁକି କେଜାଣି ସେଇ ମୁହୂର୍ତ୍ତରେ ମୁଁ ଝିଅଟିର ନାମକରଣ କରିଦେଲି… ସ୍ମୃତି୤ ସ୍ମୃତିର ସାଙ୍ଗମାନେ ଗୁପ୍‌ଚୁପ୍‌ ଦୋକାନୀର ହାତଚକଟା ଆଳୁ ଆଉ ନଖବୁଡ଼ା ତେନ୍ତୁଳି ପାଣିର ସ୍ବାଦରେ ମସ୍‌ଗୁଲ୍‌ ଥିଲାବେଳେ ସ୍ମୃତି ପରି ମୁଁ ବି ‘ଗୁପ୍‌ଚୁପ୍‌’ ପଦାର୍ଥଟିକୁ ପ୍ରଚଣ୍ଡ ଘୃଣା କରୁଥିଲି ଓ ଗୁପ୍‌ଚୁପ୍‌ ପାଇଁ ପାଗଳ ହୋଇଯାଉଥିବା ଝିଅମାନଙ୍କ ପ୍ରତି ମୋର ଦୟା ଆସୁଥିଲା୤ ପ୍ରବଳ ଉଚ୍ଛ୍ବାସ ମଧ୍ୟରେ ସେହି ଝିଅମାନଙ୍କ ଗୁପ୍‌ଚୁପ୍‌ ଖିଆ ଶେଷ ହେଲାପରେ ସ୍ମୃତି ଚୁପ୍‌ଚାପ୍‌ ମନିପର୍ସରୁ ପଇସା କାଢ଼ି ଦୋକାନୀ ହାତକୁ ବଢ଼ାଇଦେଲା ଏବଂ ଗୋଟିଏ ନର୍ସରୀ ସ୍କୁଲ୍‌ର ‘ମାଡ଼ାମ୍‌’ ପରି ଅନ୍ୟମାନେ ତାକୁ ଅନୁସରଣ କଲେ ନୀରବରେ୤

ସେଦିନ ମୁଁ ସ୍ମୃତିକୁ ଚିହ୍ନି ନଥିଲି କି ଜାଣି ନଥିଲି, କିନ୍ତୁ ସେଇ କେଇ ମିନିଟ୍‌ ଭିତରେ ମୋତେ ଭଲ ଲାଗିଥିଲା ଝିଅଟିର ମାର୍ଜିତ ରୁଚି, ନାକ କୁଞ୍ଚାଇବା ଢଙ୍ଗ ଏବଂ ଦୁଇଟି ସ୍ବପ୍ନିଳ ଆଖିର ଭସା ଭସା କାହାଣୀ୤ ହଷ୍ଟେଲ୍‌ ଫେରିଗଲା ପରେ ସେଦିନ ସନ୍ଧ୍ୟାଟି ଖୁବ୍‌ ହାଲୁକା ଲାଗିଥିଲା୤ ପ୍ରଥମ ଥର ପାଇଁ ମଧ୍ୟରାତ୍ରିରେ ମୁଁ ଅନୁଭବ କଲି ଟିକିଏ ଦୂରରେ ଥିବା ଲେଡ଼ିଜ୍‌ ହଷ୍ଟେଲ୍‌ର ଗୋଟିଏ ଅଜଣା ଝରକା ଭିତର ପଟୁ ସ୍ମୃତିକୁ ଆଉଥରେ ଦେଖିନେବାର ଅଦମନୀୟ ଇଚ୍ଛା୤ ତେବେ ଇତିମଧ୍ୟରେ ବେଶ୍‌ କିଛିଦିନ ବିତିଯାଇଥିଲା୤ ଗୁପ୍‌ଚୁପ୍‌ ଦୋକାନ ଓ ଲେଡ଼ିଜ୍‌ ହଷ୍ଟେଲ୍‌ ଆଗରେ ଦୁଇଚାରିଥର ପଇଁତରା ମାରି ମଧ୍ୟ ମୁଁ ସ୍ମୃତିର ପତ୍ତା ଲଗାଇ ପାରି ନଥିଲି ଏବଂ ସ୍ମୃତିର ସ୍ମୃତି ମୋ ଭିତରେ କ୍ରମଶଃ ଦୁର୍ବଳ ହୋଇଆସୁଥିଲା୤

ମୁଁ ସ୍ମୃତିକୁ ଏକପ୍ରକାର ଭୁଲି ଆସୁଥିଲି କହିଲେ ଚଳେ୤ ହେଲେ ତା’ ସହ ଏମିତି ଅକସ୍ମାତ୍‌ ଦେଖା ହୋଇଯିବ ବୋଲି ସ୍ବପ୍ନରେ ବି କଳ୍ପନା କରି ନଥିଲି୤ ସେଦିନ ଚନ୍ଦନ ଦା’ ମୋତେ ତା’ର ତୃତୀୟ ପ୍ରେମିକାକୁ ଦେଖାଇବାକୁ ନେଇଯାଇଥିଲେ୤ ଚନ୍ଦନ ଦା’ ଥିଲା ଆମ ଗାଁ ପାଖର ପିଲା, ଯିଏକି ହାଇସ୍କୁଲରେ ମୋର ଦୁଇଟି ଉପର ଶ୍ରେଣୀରେ ପଢ଼ୁଥିଲେ ବି ପି.ଜି. କଲାବେଳକୁ ମୋର ସାଙ୍ଗ ପାଲଟି ଯାଇଥିଲେ୤ ତେଣୁ ମୋ ଭଳି ହଷ୍ଟେଲରେ ଅନ୍ୟମାନେ ତାକୁ ଚନ୍ଦନ ଦା’ ହିଁ ସମ୍ବୋଧନ କରୁଥିଲେ୤

ତା’ ପାଖରେ ଏମିତି କ’ଣ କଳା ଥିଲା କେଜାଣି; ସେ ଯେଉଁ ଯେଉଁ କଲେଜରେ ପାଦ ଦେଉଥିଲା, ସେ କଲେଜର ସବୁଠାରୁ ସୁନ୍ଦରୀ ଝିଅମାନେ କିଛିଦିନ ପରେ ତା’ ପାଇଁ ଦିୱାନି ପାଲଟି ଯାଉଥିଲେ୤ ଚନ୍ଦନ ଦା’ ଅବଶ୍ୟ ଥିଲା ଓଡ଼ିଆ ସିନେମାର ହିରୋ ପରି ହ୍ୟାଣ୍ଡସମ୍‌, କଥାବାର୍ତ୍ତାରେ ଅସାଧାରଣ ସ୍ମାର୍ଟ ଏବଂ ପ୍ରେମ ବ୍ୟାପାରରେ ଅସମ୍ଭବ ଭାବେ ଅଭିଜ୍ଞ୤ ମାଟ୍ରିକ୍‌ ବେଳେ ସେ ଆମ ସ୍କୁଲ୍‌ର ସଂସ୍କୃତ ପଣ୍ଡିତଙ୍କ ଅଲିଅଳି ଝିଅ ବନ୍ଦନାକୁ କେବଳ ଫସାଇ ଦେଇ ନଥିଲା, ଗୋଟିଏ ଛୁଟିରେ ତା’କୁ ସମୁଦ୍ର କୂଳକୁ ବୁଲାଇ ନେବାଭଳି ଦୁଃସାହସ ମଧ୍ୟ ପ୍ରଦର୍ଶନ କରିପାରିଥିଲା୤ ଆଉ କଲେଜରେ ତ ଝିଅ ଫସାଇବା ଥିଲା ତା’ ପାଇଁ ‘ବାୟେଁ ହାତ କା ଖେଲ୍‌’୤ କାଳକ୍ରମେ କିଛି ଝିଅ ସ୍ଥାୟୀ ଭାବେ ତା’ ପ୍ରେମରେ ପଡ଼ି ଯାଉଥିଲେ ଏବଂ ତା’ ପ୍ରେମର ଗଭୀରତା ନ ପରଖିଲା ଯାଏ ତା’କୁ ଛାଡ଼ି ଯାଉ ନଥିଲେ୤

ହେଲେ ଚନ୍ଦନ ଦା’ର ସବୁ ପ୍ରେମପତ୍ରର ଡ୍ରାଫଟ୍‌ କରୁଥିଲି ମୁଁ୤ ସେକ୍ସପିୟର୍‌ଠୁ ଆରମ୍ଭ କରି ଉପେନ୍ଦ୍ର ଭଞ୍ଜଙ୍କ କୋଟେସନ୍‌ରେ ଭର୍‌ପୁର ଗୋଟିଏ ଚିଠି ଲେଖା ହେଲା ପରେ, ଚନ୍ଦନ ଦା’ ବସି ବସି ତା’ର ଦୁଇ ତିନିଟି କପି କରୁଥିଲା ଏବଂ ଉପରେ ସମ୍ବୋଧନ ସ୍ଥାନରେ କେବଳ ମାମା, ଦେବୀ, ମିତା କି ଅଳକା… ଏମିତି ଲେଖାଯାଉଥିଲା୤ ପରଦିନ ସବୁଗୁଡ଼ିକ ଚିଠି ଏକା ସାଙ୍ଗରେ ପୋଷ୍ଟ ହେଉଥିଲା ଏବଂ ମାମା, ଦେବୀ, ମିତା ଓ ଅଳକାମାନେ ସେ ଚିଠି ପାଇ ସରାଗରେ ସେମାନଙ୍କ ଭେନିଟି ବ୍ୟାଗ୍‌ମାନଙ୍କରେ ଲୁଚାଇ ରଖୁଥିଲେ୤ ଅବିଳମ୍ବେ ଚିଠିଗୁଡ଼ିକର ଉତ୍ତର ଆସୁଥିଲା, ଯେଉଁଥିରେ ମୋ ଚିଠି ଲେଖିବାର ଶୈଳୀ ଓ ଭାଷାକୁ ଭୂରି ଭୂରି ପ୍ରଶଂସା କରାଯାଇଥିଲା୤

ବେଳେବେଳେ ମୋ ଚିଠିର ଅଭିନବ ବିଶ୍ଳେଷଣରେ ମୁଁ ନିଜେ ବି ହତଚକିତ ହୋଇଉଠୁଥିଲି ଏବଂ ଗୋଟିଏ ଅଲଗା ଅଲଗା ପ୍ରକାରର ଶିହରଣ ଅନୁଭବ କରୁଥିଲି ଭିତରେ ଭିତରେ୤ ସେ ଯାହା ହେଉନା କାହିଁକି ଚନ୍ଦନ ଦା’ର ପତ୍ରଲେଖକ ଭାବରେ ‘ଦେବୀ’ ନାମକ ଯେଉଁ ଝିଅଟିକୁ ମୁଁ ଚିଠି ଲେଖୁଥିଲି… ସେ ଝିଅଟି ଥିଲା… ଅନ୍ୟମାନଙ୍କଠୁ ସ୍ବତନ୍ତ୍ର୤ ସେ ଯେ ଚନ୍ଦନ ଦା’କୁ ଏକାନ୍ତ ଆନ୍ତରିକ ଭାବରେ ଭଲ ପାଉଥିଲା, ତାହା ତା ଚିଠିର ପ୍ରତିଟି ଭାଷାରୁ ବୁଝା ପଡ଼ୁଥିଲା୤ ତା’ର ଆବୁଡ଼ା ଖାବୁଡ଼ା ଅକ୍ଷର ଭିତରେ ଏତେ ଟିକିଏ ବି ଲୋକ ଦେଖାଣିଆ ଭାବ ନ ଥିଲା କି କେଉଁଠୁ ଉଧାର କରା କୋଟେସନ୍‌ ନଥିଲା, ବରଂ ଚିଠିଗୁଡ଼ିକ ରୋମାଣ୍ଟିକ ନ ହୋଇ ଅଧିକାଂଶ କ୍ଷେତ୍ରରେ ହୋଇ ଉଠୁଥିଲା କରୁଣ୤

ତେଣୁ ଚନ୍ଦନ ଦା’ ଦେବୀ ପାଇଁ ଚିଠି ଲେଖିବାକୁ ଅନୁରୋଧ କରିବା ପୂର୍ବରୁ ମୁଁ ଚିଠି ଲେଖି ପକାଉଥିଲି୤ ଆଉ ତା’କୁ ଚିଠି ଲେଖିଲା ବେଳେ ମୋର ମନେ ହେଉଥିଲା ମୁଁ ଯେମିତି ମୋ ନିଜର ପ୍ରେମିକାକୁ ହିଁ ଚିଠି ଲେଖୁଛି୤ ହାୟ, ସେତେବେଳେ ପର୍ଯ୍ୟନ୍ତ ମୁଁ କାହାରି ପ୍ରେମରେ ପଡ଼ି ନଥିଲି କି ମୋର କେହି ପ୍ରେମିକା ନଥିଲେ୤ ମୁଁ ଏକଥା କେବେକେବେ ଚନ୍ଦନ ଦା’ ଆଗରେ ପ୍ରକାଶ ମଧ୍ୟ କରି ଦେଉଥିଲି୤ ମାତ୍ର ଏକା ସାଙ୍ଗରେ ୩/୪ ଟି ଝିଅକୁ ପ୍ରେମ କରୁଥିବା ଚନ୍ଦନ ଦା’ ବେପରୱା ହସ ହସ, ମୋ ପିଠିରେ ବଡ଼ ଭାଇ ସୁଲଭ ହାତ ପିଟି କହୁଥିଲା ‘ହଉ ହେଲା… ମୋ ଦେବୀକୁ ତୋତେ ଦେଇଦେଲି…. ଯାଃ୤

ସେଦିନ ଚନ୍ଦନ ଦା’ ତା’ର ୩ ନମ୍ବର ପ୍ରେମିକା ଦେବୀ ସହ ଦେଖା କରିବା ପାଇଁ ମୋତେ ସାଙ୍ଗରେ ନେଇଗଲା୤ ଲେଡ଼ିଜ୍‌ ହଷ୍ଟେଲ ଦରୱାନଟା ବୋଧହୁଏ ଚନ୍ଦନ ଦା’ର ଖାସ୍‌ ଲୋକ ଥିଲା କି କ’ଣ ଗୋଟିଏ ୱିଲ୍‌ସ ଫିଲ୍‌ଟର ପାଇ ଲୋକଟା ଭିତରକୁ ଚାଲିଗଲା ତରତରରେ୤ ଅନ୍ୟ ଗୋଟିଏ ସିଗାରେଟ୍‌ରେ ନିଆଁ ଲଗାଇ ଚନ୍ଦନ ଦା’ ମୋ କାନ ପାଖରେ ଚୁପ୍‌ ଚୁପ୍‌ କରି କହିଲା… ‘ତୋତେ କାହିଁକି ଡାକିଛି, ଜାଣିଛୁ ?’

-କାହିଁକି?

-‘ମୁଁ ଆଜି ଦେବୀକୁ କହିଦେବି… ଯେ, ଆଜିଯାଏ ମୁଁ ତାକୁ ଯେତେ ଚିଠି ଲେଖିଛି, ସେ ସବୁ ଚିଠିର ଲେଖକ ହେଲୁ ତୁ୤’
-ଅଜଣା ଆଶଙ୍କାରେ ମୋ ଛାତି ଧଡ଼ପଡ଼ ହୋଇ ଉଠିଲା ବେଳକୁ ଛାଇ ଅନ୍ଧାର ଭିତରେ ଦେଖିଲି… ଉପର ତାଲାରୁ ଝିଅଟିଏ ତରତର ହୋଇ ତଳକୁ ଓହ୍ଲାଇ ଆସୁଛି୤ ମୁଁ କିଛି କହିବା ପୂର୍ବରୁ… ଚନ୍ଦନ ଦା’ ଚଟ୍‌କିନା ସିଗାରେଟ୍‌ ଫିଙ୍ଗିଦେଇ ମୋତେ ସତର୍କ କରିଦେଲା… ଦେବୀ ଆସୁଛି୤ ଦେବୀ ମୋ ଆଡ଼କୁ ଦୃଷ୍ଟି ନ ଦେଇ ସିଧାସଳଖ ଆସି ଠିଆ ହେଲା ଚନ୍ଦନ ଦା’ ସାମ୍ନାରେ୤ ଦିନର ଶେଷ କିରଣର ରକ୍ତିମ ଛଟାରେ ଦେବୀର ଉଜ୍ଜ୍ବଳ ମୁହଁକୁ ଦେଖି ମୁଁ ଚମକି ପଡ଼ିଲି୤ ଦେବୀ ଆଉ କେହି ନୁହେଁ – ସେଦିନ ଗୁପ୍‌ଚୁପ୍‌ ଦୋକାନ ଆଗରେ ଠିଆ ହୋଇ ନାକ କୁଞ୍ଚଉଥିବା ଲମ୍ବା ବେଣୀବାଲା – ତନୁପାତଳୀ ଝିଅଟା ହିଁ ଦେବୀ- ଯାହାକୁ ମୁଁ ପ୍ରଥମ ଦେଖାରେ ନାଆଁ ଦେଇଥିଲି ସ୍ମୃତି୤

ମୁଁ ଦେବୀ ମୁହଁକୁ ଆଉ ଅନାଇ ପାରିଲି ନାହିଁ୤ ସେ ଦୁହେଁ ମୋ ଠାରୁ କେଇ ଫୁଟ ଦୂରରେ ଠିଆ ହୋଇ ଅଧଘଣ୍ଟାଏ କାଳ କ’ଣ ସବୁ କଥା ହେଲେ – ତାହା ଶୁଣି ପାରୁଥିଲେ ବି ବୁଝିପାରିଲି ନାହିଁ ଜମା୤ କାରଣ ଆଖି ସାମ୍ନାରେ ସ୍ମୃତିକୁ ଦେଖି ମୋତେ ବେଶ୍‌ କିଛି ସମୟ ଲାଗିଲା ପ୍ରକୃତିସ୍ଥ ହେବାକୁ୤ ମୋ ସ୍ବପ୍ନର ପ୍ରେମିକା ସ୍ମୃତିକୁ ନେଇ ଏଇ କେତେଦିନ ହେବ ହୃଦୟରେ ପ୍ରେମର ଯେଉଁ ମୀନାର ଗଢ଼ିଥିଲି, ସେଇ ମୁହୂର୍ତ୍ତରେ ଖଣ୍ଡ ଖଣ୍ଡ ହୋଇ ସେସବୁ ଭାଙ୍ଗିବାକୁ ଆରମ୍ଭ କରିଥିଲା୤ ମୁଁ କ’ଣ କରିବି ଭାବିବା ପୂର୍ବରୁ ଚନ୍ଦନ ଦା’ ଆଡ଼କୁ ଅନାଇ କହିଲି- ‘ମୁଁ ଏଥର ଯାଉଛି୤’ ହେଲେ ଚନ୍ଦନ ଦା’ ମୋତେ ଅଟକାଇ କହିଲା- ‘ରହ କଥାଟା ସାରିଦିଏ’ କିନ୍ତୁ ସେ ଯେଉଁ କଥାଟି ସାରି ଦେବାକୁ ଚାହୁଁଥିଲା… ତାହା ଜାଣି ପାରିଥିଲେ, ମୁଁ ହୁଏତ ସେତିକିବେଳେ ସେଠାରୁ ଦୌଡ଼ି ପଳାଇ ଆସିଥାନ୍ତି୤

ମାତ୍ର ସେ ସୁଯୋଗ ସେ ମୋତେ ଦେଲା ନାହିଁ୤ ମୁଁ ଆଉ ପଦେ ହେଲେ କିଛି କହିବା ପୂର୍ବରୁ ଚନ୍ଦନ ଦା’ ଦେବୀ ଆଡ଼କୁ ଚାହିଁ ଚିରାଚରିତ ବେପରୱା ଢଙ୍ଗରେ କହିଲା… ‘ଦେବୀ… ୟାକୁ ଜାଣିଛ? ଇଏ ହେଉଛି ପୁପୁନ୍‌… ମୋ ସାନଭାଇ ପରି୤ ତମ ପାଖକୁ ମୁଁ ଲେଖିଥିବା ସବୁ ଚିଠିର ଲେଖକ ଏଇ୤’ ଚନ୍ଦନ ଦା’ ତା’ କଥା ଶେଷ କରିବା ବେଳକୁ ବିସ୍ମୟ ଓ ଲଜ୍ଜାରେ ମୁଁ ସ୍ତବ୍ଧ ହୋଇଯାଇଥିଲି୤ ମନେ ହେଲା… ମୋ ପାଦ ତଳରୁ ଯେମିତି ସବୁଯାକ ମାଟି ଏକାବେଳକେ ଖସିଯାଉଛି… ଏବଂ ମୁଁ ଖସି ଚାଲିଛି ତଳକୁ ତଳକୁ୤

ଦେବୀ ବା ଚନ୍ଦନ ଦା’ କାହା ମୁହଁକୁ ଅନାଇବା ପାଇଁ ମୋର ସାହସ ନଥିଲା୤ ଏହାଛଡ଼ା କୌଣସି ଝିଅ ସାମ୍ନାରେ ଏପରି ଅଭାବନୀୟ ପରିସ୍ଥିତିରେ ପଡ଼ିବା ଥିଲା ମୋ ପାଇଁ ପ୍ରଥମ୤ ଦେବୀର ପ୍ରତିକ୍ରିୟା ଦେଖିବା ପାଇଁ ମୁଁ ଯେତେବେଳେ ତା’ ଆଡ଼କୁ ଅନାଇଲି ମୋତେ ସ୍ପଷ୍ଟ ଦେଖାଗଲା ଦେବୀ କାନ୍ଦୁଛି…୤

ତା’ର ଭସା ଭସା ଆଖି ଦ୍ବୟରୁ ଲୁହର ଧାର ଛୁଟି ଆସୁଛି ଅବିରତ ଭାବରେ୤ ଯେମିତି କି ଏ ଲୁହର ଉତ୍ସ ଅନନ୍ତ, କେଇ ମୁହୂର୍ତ୍ତର ପ୍ଳାବନରେ ଏଠି ନଈଟିଏ ନ ହେଲେ ଝରଣାଟିଏ ସୃଷ୍ଟି ହୋଇଯାଇପାରେ୤ ଟିକିଏ ଆଗରୁ ହସି ହସି କଥାଟା ପ୍ରକାଶ କରିଦେଇଥିବା ଚନ୍ଦନ ଦା’ ମଧ୍ୟ ନିର୍ବାକ୍‌ ପାଲଟି ଯାଇଛି ଦେବୀକୁ ଦେଖି୤ ଯେପରି ଆସନ୍ନ ମୃତ୍ୟୁ ଆଶଙ୍କାରେ ଫାଶୀ ଆସାମୀଟିଏ ଛିଡ଼ା ହୋଇଛି କାଠଗଡ଼ା ଭିତରେ୤ ମୋ ଭିତରର ଭୂମିକମ୍ପକୁ ବି ଆଉ ଅଟକାଇବା ସମ୍ଭବ ହେଲା ନାହିଁ୤ ଗୋଟିଏ ଝଟକାରେ ବୁଲିପଡ଼ି କିଛିବାଟ ଏକମୁହାଁ ଚାଲିଲା ପରେ ମୁଁ ଦେଖିଲି କେତେବେଳେ ଆସି ପହଞ୍ଚି ଯାଇଛି ମହାନଦୀ ବାଲିରେ୤

ଆକାଶରେ ଜହ୍ନ ନଥିଲା୤ ନଈକୂଳର ପବନଟା ବି କେମିତି କଣ୍ଟା ଭଳି ଲାଗୁଥିଲା ଦେହକୁ୤ ତଥାପି ସେଦିନ ଅନେକ ସମୟ ଧରି ବସି ରହିଲି ନଈବାଲିରେ ଏକାକୀ୤ ମନ ଭିତରେ ଝଡ଼ ଆରମ୍ଭ ହୋଇଯାଇଥିଲା ମୋର, କ’ଣ ଭାବିଥିବ ଦେବୀ? ଚନ୍ଦନ ଦା’କୁ ଯାହା ଭାବୁନା କାହିଁକି ମୋତେ ମନେ କରିଥିବ ‘ଇଏ ଗୋଟିଏ ଦଲାଲ… ଭଡ଼ାଟିଆ ପତ୍ର ଲେଖକ’ ଆଉ କାନ୍ଦି କାନ୍ଦି ହୁଏତ ଅଭିଶାପ ବି ଦଉଥିବ ମୋତେ୤

ଗୋଟିଏ ଝିଅର ହୃଦୟ ସହିତ ଏମିତି ଖେଳ ଖେଳିଥିବା ଅପରାଧ ମୋତେ ଖାଇ ଗୋଡ଼ାଇବାକୁ ଆରମ୍ଭ କରିଥିଲା୤ ଏମିତି ଅନୁତାପାନଳରେ ଦଗ୍ଧ ହେଉଥିବା ବେଳେ, କେତେ ରାତିରେ କେଜାଣି ହଠାତ୍‌ ମୋ କାନ୍ଧରେ ଅନୁଭବ କଲି… ଏକ ପରିଚିତ ହାତର ସ୍ପର୍ଶ୤ ପଛକୁ ଅନାଇ ଦେଖିଲି… ୱିଲ୍‌ସ ଫିଲ୍‌ଟର୍‌ରୁ ଧୂଆଁ ଛାଡ଼ି ମୁରୁକି ମୁରୁକି ହସୁଚି ଚନ୍ଦନ ଦା’୤ ଅନ୍ୟ ଦିନ ପରି ବେପରୱା ହସ ନୁହେଁ… ବେଶ୍‌ ଓଜନିଆ… ବଡ଼ଭାଇ ସୁଲଭ ଗମ୍ଭୀର ହସ୤

ମୁଁ ଚନ୍ଦନ ଦା’କୁ କିଛି କହିବା ପୂର୍ବରୁ… ସେ ମୋ ଦୁଇ ହାତକୁ ଧରି ନେଇ କହିଲା- ‘ସରି ପୁପୁନ୍‌୤ ତୁ ଯାହା ଭାବନା କାହିଁକି, ମୁଁ ଦେବୀ ଆଗରେ ମୋ ମନକଥା ହିଁ କହିଛି୤ ତୁ ତ ଜାଣୁ… କୌଣସି ଝିଅକୁ ହୃଦୟ ଦେଇ ଭଲ ପାଇବା ମୋ ଜାତକରେ ନାହିଁ୤ ସେଇଥିପାଇଁ ତ ଦେବୀ ଭଳି ସରଳ ଝିଅଟାକୁ ବେଶୀଦିନ ଏମିତି ଠକାଇବାକୁ ଇଚ୍ଛା ହେଲା ନାହିଁ୤ ତା’ଛଡ଼ା ମୁଁ ବି ଜାଣେ- ଝିଅଟା ମୋ ଅପେକ୍ଷା ମୋ ଚିଠିକୁ ହିଁ ଭଲ ପାଉଥିଲା ବେଶୀ୤ ତେଣୁ ଦେଲି- ଏକାଥରେ ଛିଣ୍ଡେଇ ଦେଲି ସବୁ୤ ହେଲେ ଝିଅଟା ଯେ ଏମିତି ରିଆକ୍ଟ କରିବ- କିଏ ଜାଣିଥିଲା ?’

ଚନ୍ଦନ ଦା’କୁ ମୋର ଅଉ କିଛି କହିବାର ନଥିଲା୤ ପ୍ରକୃତରେ ସେ ଯାହା କରିଥିଲା ଖୋଲା ହୃଦୟରେ ହିଁ କରିଥିଲା୤ କିନ୍ତୁ ଶତଚେଷ୍ଟା ସତ୍ତ୍ବେ ବି ମୁଁ ନିଜକୁ ଅପରାଧୀ ଆସନରୁ ହଟାଇ ପାରିଲି ନାହିଁ୤ ଠିକ୍‌ କଲି ଦେବୀକୁ ଯାଇ କ୍ଷମା ମାଗିନେବି୤ ହେଲେ ଦେବୀର ସେଇ କରୁଣ ଅଥଚ ଉଜ୍ଜ୍ବଳ ମୁହଁଟା ମନେ ପଡ଼ିଗଲେ ଭୟରେ ଜଡ଼ସଡ଼ ହୋଇ ଯାଉଥିଲି ମୁଁ୤ ମୋତେ ଲାଗୁଥିଲା ସତେ ଯେପରି… ନର୍ସରୀ ସ୍କୁଲ୍‌ର ଦିଦି ଜଣେ ମୋତେ କାନ ଧରି ଉଠ୍‌ବସ ହେବା ପାଇଁ କହୁଛନ୍ତି୤ ୪/୫ ଦିନ ବିତିଗଲା, ହେଲେ କଲେଜରେ ଖୋଜି ପାଇଲି ନାହିଁ ଦେବୀକୁ୤ ଶେଷରେ ଦିନେ ଉପରଓଳି କାହାକୁ କିଛି ନକହି ଜୀବନରେ ଦ୍ବିତୀୟ ଥର ପାଇଁ ଲେଡ଼ିଜ୍‌ ହଷ୍ଟେଲ୍‌ ଗେଟ୍‌ ନିକଟରେ ପହଞ୍ଚିଗଲି୤ ଦରୱାନ୍‌କୁ ସିଧା ସିଧା କହିଲି- ‘ପ୍ଲସ୍‌ ଥ୍ରୀ ସେକେଣ୍ଡ ଇଅରର ଦେବୀ ପଟ୍ଟନାୟକକୁ ଡାକିଲ୤’ ହଷ୍ଟେଲ୍‌ ଆଡ଼କୁ ପଛ କରି ଠିଆ ହୋଇ ଦେବୀକୁ କ’ଣ କହିବି… କେମିତି କହିବି ବୋଲି ଭାବୁଛି- ହଠାତ୍‌ ଗୋଟିଏ କଅଁଳ କଣ୍ଠର ‘ନମସ୍କାର’ ଶୁଣି ପଛକୁ ଅନାଇ ଦେଖିଲି ଦେବୀ ଠିଆ ହୋଇଛି୤ ସୂତା ଶାଢ଼ୀଟିଏ ପିନ୍ଧି ମୁକୁଳା କେଶରେ ଦେବୀ ଦେଖାଯାଉଛି ସାକ୍ଷାତ ଦେବୀଟିଏ ପରି୤ କ’ଣ କହି କଥା ଆରମ୍ଭ କରିବି ଠିକ୍‌ କରିପାରିଲି ନାହିଁ୤ ଦୀର୍ଘ ସମୟର ନିରବତା ପରେ ସାହସ ସଞ୍ଚୟ କରି କେବଳ ଏତିକି କହିଲି- ‘ଆଇ ଆମ୍‌ ସରି ଦେବୀ’ ମୋତେ କ୍ଷମା କରିଦିଅ୤ ଦେବଦାରୁ ଗଛ ସାମ୍ନାରେ ମୁହାଁମୁହିଁ ଠିଆ ହୋଇଥିଲେ ବି, ଦେବୀ ମୁହଁକୁ ଆଉଥରେ ଚାହିଁବା ମୋ ପକ୍ଷରେ ସମ୍ଭବ ନଥିଲା୤ ପୁଣି ବେଶ୍‌ କିଛି ସମୟ ନୀରବରେ କଟିଯିବା ପରେ ଦେବୀ ଆଡ଼ୁ କିଛି ଉତ୍ତର ନ ପାଇ ତା’ ମୁହଁକୁ ଅନାଇ ଦେଖିଲି- ଦେବୀ କାନ୍ଦୁଛି, ଠିକ୍‌ ଯେମିତି କାନ୍ଦିଥିଲା ଚାରିଦିନ ପୂର୍ବରୁ୤

ମୋର ମନେ ହେଲା- ଚାରିଦିନ ତଳେ ଦେବୀ ଯେଉଁ କାନ୍ଦ ଆରମ୍ଭ କରିଥିଲା, ସେ କାନ୍ଦ ଯେମିତି ସରିନାହିଁ୤ ଦେବୀକୁ କେମିତି ବୁଝେଇବି ଭାବିଲା ବେଳକୁ… ମୋତେ ଲାଗିଲା… ମୁଁ ବି କାନ୍ଦି ପକାଇବି ସେଇଠି୤ ତଥାପି ନିଜକୁ ସଞ୍ଜତ କରିନେଇ ବହୁ କଷ୍ଟରେ ଏବଂ ଦୁଇ ଚାରିଟି ବାକ୍ୟରେ ଯାହା କହିଲି ତା’ର ସାର ମର୍ମ ହେଲା :
‘ଏପରି ହେବ ବୋଲି ମୁଁ ଜାଣି ନଥିଲି ଦେବୀ୤ ତୁମେ କ’ଣ ମୋତେ କ୍ଷମା କରିବ ନାହିଁ? ମୋ କଣ୍ଠସ୍ବରଟା ମୋତେ କାନ୍ଦୁରା ଶୁଭିଲା ବୋଧହୁଏ୤ ଦେବୀ ଏଥର ପାଟି ଖୋଲିଲା :
‘ଆପଣଙ୍କର କିଛି ଦୋଷ ନାହିଁ୤’
ଆଶ୍ଚର୍ଯ୍ୟ ହୋଇ ପଚାରିଲି: କେମିତି?
ଦେବୀ କାନ୍ଦୁ କାନ୍ଦୁ କହିଲା: ‘ମୋ ଭଳି ଝିଅମାନେ ହିଁ ତ ଜୀବନର ପ୍ରଥମରୁ ଏଇମିତି ଠକିବା ଆରମ୍ଭ କରନ୍ତି୤’

ଛେପଢ଼ୋକି ଆଉ ଥରେ ଦେହରାଇଲି- ‘ମୋର ଭୁଲ୍‌ ହୋଇଯାଇଛି ଦେବୀ !’
ଦେବୀ ଆଖିରୁ ଲୁହ ପୋଛି କହିଲା- ‘ଗୋଟିଏ କଥା କହିବି, ଖରାପ ଭାବିବେ ନାହିଁ ତ ?’
-କୁହ
-ପ୍ରତିଜ୍ଞା କରନ୍ତୁ- ଜୀବନରେ ଆଉ କୌଣସି ଝିଅକୁ କାହାର ହୋଇ ଚିଠି ଲେଖିବେ ନାହିଁ କି ଏମିତି ଠକିବେ ନାହିଁ୤
ଦେବୀର କଥା ପଦକରେ ମୋ ଛାତି କୋରି ହୋଇଗଲା ଯେମିତି୤ ଜୀବନରେ କାହାକୁ ପ୍ରେମ କରି ନଥିଲେ ବି- ପ୍ରେମଚିଠି ଲେଖିବାରେ ସାଙ୍ଗମାନେ ମୋତେ ଓସ୍ତାଦ ବୋଲି ମାନୁଥିଲେ୤ ଭାବିଲି- ସେଇ ପ୍ରଶଂସା, ସେଇ ମୁହୂର୍ତ୍ତକର ମଜା, ଦେବୀର କଥା ପଦକ ଆଗରେ ଆଜି କେଡ଼େ ମୂଲ୍ୟହୀନ୤ ଦେବୀକୁ ଅନାଇ ପାରିଲି ନାହିଁ ଲାଜରେ୤ ଖାଲି ଏତିକି କହିଲି: ପ୍ରତିଜ୍ଞା କରୁଛି୤

-ମୋ ରାଣ ଖାଇ କହୁଛନ୍ତି?
-ହଁ, ତମ ରାଣ ଖାଇ କହୁଛି! କହିଲି ଆହୁରି ଦୃଢ଼ତାର ସହିତ୤
କିନ୍ତୁ ଦେବୀର ମନ ମାନିଲା ନାହିଁ ବୋଧହୁଏ୤ ଚଟ୍‌କିନା ମୋ ହାତଟା ଟାଣିନେଇ ତା’ ମୁଣ୍ଡ ଉପରେ ରଖି କହିଲା- ଆଉ ଥରେ କୁହନ୍ତୁ୤
ମୋ ମନରେ କୌଣସି ଆବିଳତା ନ ଥିଲା୤ ମୁଁ ଅନୁତାପ କରିସାରିଥିଲି ଇତିମଧ୍ୟରେ୤ ତେଣୁ ବାଧ୍ୟ ଶିଶୁଟିଏ ପରି ଦେବୀ ମୁଣ୍ଡରେ ହାତ ରଖି ଶପଥ କରିବା ପାଇଁ ସଙ୍କୋଚ କଲି ନାହିଁ ଜମାରୁ୤ ଶପଥ କଲାପରେ-ମୋ ମୁଣ୍ଡରୁ ବି ଅପରାଧ ବୋଧର ବୋଝ ଓହ୍ଲାଇଗଲା ଗୋଟାପଣ୤ ବେଶ୍‌ ହାଲୁକା ଲାଗିଲା ମୋତେ୤ ଆଉ ଅଧିକ ସମୟ ଦେବୀ ସହିତ କଥା ହେବା ଉଚିତ୍‌ ମନେ ନକରି ବିଦାୟ ନେବା ପାଇଁ କହିଲି: ‘ମୁଁ: ତା’ ହେଲେ ଆସୁଛି ଏଥର୤’
ଦେବୀର ଅସ୍ପଷ୍ଟ ଉତ୍ତର ଶୁଭିଲା: ଆସନ୍ତୁ୤

ତଳକୁ ଅନାଇ ବେଶ୍‌ କେଇପାଦ ଆଗେଇ ଗଲାପରେ ଆଉ ଥରେ ପଛକୁ ଫେରି ଦେଖିବାକୁ ମନ ହେଲା ଦେବୀକୁ, ଅନାଇଲି ମଧ୍ୟ୤ ଦେଖିଲି… ଦେବୀ ସେମିତି ମୋର ଯିବା ପଥକୁ ଚାହିଁ ପଥର ମୂର୍ତ୍ତିଟିଏ ପରି ଛିଡ଼ା ହୋଇଛି୤ ତା’ ଦୁଇ ଆଖିରେ ପୁଣିଥରେ ଲୁହର ବନ୍ୟା୤ ନା, ଆଉ ପଛକୁ ଫେରି ଚାହିଁବା ମୋ ପକ୍ଷରେ ସମ୍ଭବ ନଥିଲା୤ ବୁଲିପଡ଼ି ପାଦ ପକାଇବାକୁ ଆରମ୍ଭ କରୁଛି- ଦେବୀ କରୁଣ କଣ୍ଠରରେ ଡାକିଲା :

-‘ଟିକିଏ ଶୁଣିବେ ନାହିଁ ?’
‘ସଙ୍ଗେ ସଙ୍ଗେ ଯିବାଟା କ’ଣ ଏମିତି ଜରୁରୀ ?’
ତା’ ଠିଆ ହେବା ଜାଗାରୁ ପାଦେ ହେଲେ ଘୁଞ୍ଚି ନ ଥିଲା ଦେବୀ୤
ଫେରି ଆସି କହିଲି- ‘କୁହ’୤
ସେମିତି କାନ୍ଦୁ କାନ୍ଦୁ ଦେବୀ ରୋକ୍‌ ଠୋକ୍‌ କହିଲା- ‘ଏତେ ସୁନ୍ଦର ଚିଠି ଲେଖୁଥିବା ଲୋକଟା ଏତେ ହୃଦୟହୀନ ହୋଇପାରେ ବୋଲି ଭାବି ନଥିଲି୤’

ଦେବୀର ଏପରି ଭର୍ତ୍ସନାରେ ସାମନ୍ୟ ଅପ୍ରସ୍ତୁତ ହୋଇ ପଡ଼ିଲି ବୋଧହୁଏ୤ ତେଣୁ ନ ବୁଝିପାରିଲା ଭଳି ପଚାରି ଦେଲି- ‘ମାନେ ?’ ଦେବୀ ଏଥର ଏକରକମ ଚିତ୍କାର କରି କହିଲା- ଆପଣଙ୍କୁ କ’ଣ ଆହୁରି ଖୋଲି କହିବାକୁ ହବ ଯେ – ଦେବୀ ପଟ୍ଟନାୟକ ପତ୍ର ବାହକ ନୁହେଁ, ପତ୍ର ଲେଖକକୁ ପ୍ରେମ କରୁଥିଲା୤

ଦେବୀର ଚିତ୍କାର ଶୁଣି କେଇ ଫର୍ଲଙ୍ଗ ଦୂରରେ ଗେଟ୍‌କୁ ଆଉଜି ଢୁଳାଉଥିବା ଦରୱାନ୍‌ଟା ଧଡ଼ପଡ଼ ହୋଇଉଠି ବସିଲା୤ ବାଟକାଟି ଚାଲିଯାଉଥିବା ବଦମାସ୍‌ ଗୁପ୍‌ଚୁପ୍‌ ବାଲାଟା ପଛକୁ ଫେରି ଆସି କହିଲା- କ’ଣ ସାର୍‌ ଗୁପ୍‌ଚୁପ୍‌ ଦେବି? ରାଗ ଥଣ୍ଡା ହୋଇଯିବ ମାଡ଼ାମ୍‌ଙ୍କର୤

ମୋ ପାଦତଳୁ ପୁଣିଥରେ ଖସିଯାଉଥିଲା ପୃଥିବୀ, ଭିତରେ ଆରମ୍ଭ ହୋଇଯାଇଥିଲା ଆଉ ଏକ ଭୂମିକମ୍ପ, କିନ୍ତୁ ବେଶ୍‌ ଛଳ ଛଳ ମଧୁର ଭୂମିକମ୍ପଟାଏ୤ ଦେବୀ ତଳକୁ ମୁହଁ ପୋତି ତଥାପି କାନ୍ଦୁଥିଲା୤ ଦେବୀର ତୁଳାପରି ନରମ ଦୁଇହାତକୁ ହାତ ମୁଠାରେ ରଖି ମୁଁ ଡାକିଲି; ସ୍ମୃତି, ଗୁପ୍‌ଚୁପ୍‌ ଖାଇବ?
ଦେବୀ ଚମକି ପଡ଼ି ଚଟ୍‌କିନା ହାତ ଖସାଇ ନେଲା ମୋ ହାତରୁ ଏବଂ ସନ୍ଦେହଭରା ଆଖିରେ ପ୍ରଶ୍ନ କଲା: ସ୍ମୃତି ପୁଣି କିଏ?

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.