ଅମାବାସ୍ୟାର ପିଶାଚ

Story of Pishach
Reading Time: 6 minutes

ସୁଶୀଳା ଓ ସୁକୁମାରଙ୍କର ବିବାହ ଅଳ୍ପ ଦିନ ତଳେ ହୋଇଥାଏ ।

ସୁକୁମାର ବାଲ୍ୟକାଳରୁ ପିତୃମାତୃହୀନ । ତେଣୁ ସେ ତା’ ଜେଜେ ମା’ଙ୍କ ତତ୍ତ୍ୱାବଧାନରେ ବଢିଥାଏ । ବିବାହ ସମୟକୁ ଜେଜେମା ମଧ୍ୟ ଆଖି ବୁଜି ସାରିଥାନ୍ତି ।

ଜେଜେମା’ଙ୍କ ତରଫରୁ ମିଳିଥିବା ଦଶ ଏକର ଜମି ଖୁବ୍ ଉର୍ବର । ସେଥିରୁ ମିଳୁଥିବା ଆୟରେ ବେଶ୍ ଖୁସିରେ ତାଙ୍କ ସଂସାର ଚଳି ଯାଉଥାଏ । ନିଜ ପାରିବାରିକ ଜୀବନରେ ସୁଶୀଳା ସନ୍ତୁଷ୍ଟ ଥାଏ । ତା’ ଉପରେ କାହାର ଦାୟିତ୍ୱ ନ ଥାଏ ।

ବେଶ୍ ସ୍ୱାଧୀନ, ସ୍ୱଚ୍ଛନ୍ଦ ଜୀବନ! ଥରେ ପାଖ ଘରେ ଭଡା ରହୁଥିବା ମନ୍ଥରା ତାଙ୍କ ଘରକୁ ବୁଲିଆସିଲା । ସୁଶୀଳାର ଏହି ହସ ଖୁସିର ସଂସାର ତା’ର ଚକ୍ଷୁଶୂଳ ହେଲା । ପତି ପତ୍ନୀଙ୍କ ମଧ୍ୟରେ ବିଭେଦ ଆଣିବା ପାଇଁ ସେ ଚକ୍ରାନ୍ତ ଆରମ୍ଭ କଲା। “ତୁମ୍ଭର ସ୍ୱାମୀ ତ ଚାକିରୀ କରୁ ନାହାଁନ୍ତି । ଜମିବାଡି କାମ ପାଇଁ ଲୋକ ରଖିଛନ୍ତି । ଅତି କମ୍ରେ ରୋଷେଇରେ ସେ ତୁମକୁ ସାହାଯ୍ୟ କଲେ କ୍ଷତି କ’ଣ?” ମନ୍ଥରା ଏପରି କହେ ।

“ମୁଁ ବୁଝି ପାରୁନାହିଁ ତୁମ ପତି ତୁମ ସହ ଏପରି ଅନ୍ୟାୟ କାହିଁକି କରୁଛନ୍ତି? ବାହାଘର ବର୍ଷଟିଏ ହେଲାଣି ସୁନାର ଚୁଡି କି କାନଫୁଲ ହଳଟିଏ କରି ଦେଲେଣି କି? ମୋତେ ଲାଗୁଛି, ସେ ତୁମକୁ ଆଉ ଯମା ଭଲ ପାଆନ୍ତି ନାହିଁ ।” ପର୍ବ ପର୍ବାଣୀରେ ନୂଆ ସୁନା ଗହଣା କିଛି ପିନ୍ଧି ଆସି ମନ୍ଥରା ସୁଶୀଳାକୁ ଏମିତି କହେ ।

“ତୁମ ବାପାଙ୍କର ଜଉତୁକ ଦେବା ଭଳି ଅବସ୍ଥା ନ ଥିବାରୁ ସେ ତୁମକୁ ସୁକୁମାରଙ୍କୁ ବିବାହ ଦେଇଛନ୍ତି । ନଚେତ୍ ତୁମ ପରି ସୁନ୍ଦରୀକୁ ଜମିଦାର ନ ହେଲେ ବି ସେହି ସ୍ତରର ଧନୀ ଲୋକ ବାହା ହେବାକୁ କ’ଣ ପଛାଇଥା’ନ୍ତେ?” କିଛି ଘର କାମ କି ଲୁଗା ପଟା ଶୁଖାଇବା ବାହାନାରେ ମନ୍ଥରା ସୁଶୀଳାକୁ ଏପରି ମନ୍ତବ୍ୟ ଦିଏ ।

ଏହିସବୁ କଥାର ପ୍ରଭାବ ଧିରେ ଧିରେ ସୁଶୀଳା ଉପରେ ପଡିଲା । ମନ୍ଥରାର ମନ୍ଦ ବୁଦ୍ଧିକୁ ବୁଝିବା ପରି ଅକଲ୍ ସୁଶୀଳାର ନ ଥିଲା । ତେଣୁ କଥା କଥାରେ ସେ ସୁକୁମାର ସହିତ ଝଗଡା କରି ବସିଲା । ଯାହା ମନକୁ ଆସେ, ବକି ଯାଏ । ନିଜ ପତିକୁ ନିମ୍ନ ସ୍ତରରେ ବିବେଚନା କରେ ।

ଦିନେ ରାତିରେ ମନ୍ଥରାର କଥା ବାରମ୍ବାର ମନେ ପଡି ସୁଶୀଳାକୁ ନିଦ ଆଦୌ ଆସୁ ନ ଥାଏ । ମାତ୍ର ସୁକୁମାର ଘୁଙ୍ଗୁଡି ମାରି ବେଶ୍ ଗଭୀର ନିଦରେ ଶୋଇଥାଏ ।

ସୁଶୀଳା ବିରକ୍ତ ହୋଇ ସୁକୁମାରଙ୍କୁ ନିଦରୁ ଉଠାଇ କହିଲା, “ଏତେ ଜୋର୍ରେ ଘୁଙ୍ଗୁଡି ମାରୁଛ ଯେ, ମୁଁ ଟିକେ ଶାନ୍ତିରେ ସୁଧା ଶୋଇପାରୁନାହିଁ । କ’ଣ ଏଠି ନ ଶୋଇ ଅନ୍ୟ କେଉଁଠି ଯାଇ ଶୋଇବି?”

ଅଧା ରାତିରେ ପତ୍ନୀର ଏପରି ଅଭିଯୋଗ ସୁକୁମାରଙ୍କୁ ଖୁବ୍ ଆଘାତ ଦେଲା । “ସ୍ତ୍ରୀ ଲୋକ, ରାତି ଅଧରେ କୁଆଡେ ଯିବ? ମୁଁ ନିଜେ ବାହାରି ଚାଲି ଯାଉଛି ।” ଏହା କହି ସେ ଘରୁ ବାହାରି ଆସିଲା ।

ପତ୍ନୀଙ୍କର ଏହି କଳିହୁଡୀ ସ୍ୱଭାବ ସୁକୁମାରଙ୍କୁ ବେଶ୍ ବାଧିଥାଏ । ମନ ଦୁଃଖରେ ସେ ଗ୍ରାମର ସୀମା ପାର ହୋଇ ବେଶ୍ କିଛି ଦୂର ଜଙ୍ଗଲ ଭିତରକୁ ଚାଲି ଗଲେ । ଅମାବାସ୍ୟା ତିଥି ହୋଇଥିବାରୁ ଚାରିଆଡେ ଅନ୍ଧାର ଘୋଟି ରହିଥାଏ । କିନ୍ତୁ କିଛି ଦୂରରେ ଏକ ବରଗଛ ତଳେ ମଶାଲ୍ର ଆଲୁଅ ଦିଶୁଥାଏ । ସେହି ଉଜ୍ଜ୍ୱଳ ଆଲୋକ ଆଡକୁ ସୁକୁମାର ଆଗେଇ ଗଲେ ।

ଦେଖିଲେ ବରଗଛ ତଳେ ମଶାଲ୍ ଆଲୁଅରେ ଚାରୋଟି ପିଶାଚ, ଖୁସି ମଉଜରେ ବ୍ୟସ୍ତ ଅଛନ୍ତି । କଳିହୁଡି ସ୍ତ୍ରୀଠାରୁ ଏ ପିଶାଚଙ୍କର ଦୌରାତ୍ମ୍ୟ କ’ଣ ବେଶି ଅଧିକ, ଏହା ଭାବି ସୁକୁମାର ଭୟଭୀତ ନ ହୋଇ ଆଗକୁ ବଢିଲେ ।

ସେତେବେଳେ ପିଶାଚଙ୍କ ସର୍ଦ୍ଦାର ଚିଁ ଚିଁ ସ୍ୱରରେ କହୁଥାଏ, “ସମସ୍ତେ ସାବଧାନ ହୋଇ ଶୁଣ । ଆମ ଚାରିଜଣଙ୍କ ଭିତରୁ ଯିଏ ଅନ୍ୟ ତିନି ଜଣଙ୍କୁ ଖୁବ୍ ହସାଇ ପାରିବ, ତାକୁ ଏକ ଅଦ୍ଭୁତ ପୁରସ୍କାର ମିଳିବ ।”

ସଙ୍ଗେ ସଙ୍ଗେ ଗୋଟିଏ ପିଶାଚ ବେତାଳିଆ ଗୀତ ଗାଇବାକୁ ଆରମ୍ଭ କଲା । ଆଉ ଗୋଟିଏ ପିଶାଚ ଲମ୍ବା ଲମ୍ବା ପାଦ ପକାଇ ଅଙ୍ଗଭଙ୍ଗୀ କଲା । ଅନ୍ୟ ଏକ ପିଶାଚ ହସ କଥା ଗପିଲା ।

ପିଶାଚଙ୍କର ଏହି ହାସ୍ୟ ବିନୋଦ କାର୍ଯ୍ୟକ୍ରମ ସୁକୁମାରଙ୍କୁ ତ ଆଦୌ ସୁଖ ଲାଗୁ ନ ଥାଏ । ନିଦ ମାଡି ଆସୁଥିବାରୁ ତାକୁ ହାଇ ଆସୁଥାଏ । ତେଣୁ ସେ ବରଗଛକୁ ଆଉଜି ଗୋଡ ଲମ୍ବାଇ ଶୋଇ ପଡିଲେ । ଏହାପରେ ତାଙ୍କର ଘୁଙ୍ଗୁଡି ଆରମ୍ଭ ହୋଇଗଲା ।

ଏହାର ଶବ୍ଦରେ ପିଶାଚମାନେ ହଠାତ୍ କିଛି ବୁଝି ନ ପାରି ଚକିତ ହୋଇ ଏଣେତେଣେ ଚାହିଁଲେ । ସୁକୁମାରକୁ ଦେଖି ଧୀରେ ଧୀରେ ତାଙ୍କ ପାଖକୁ ସେମାନେ ଆଗେଇଲେ । ଘୁଙ୍ଗୁଡିର ଧ୍ୱନୀ ସହିତ ତାଳ ଦେଇ ତାଙ୍କର ମୋଟା ନିଶ ହଳକ ଉଠ୍ପଡ୍ ହେଉଥାଏ । ହାଣ୍ଡି ପରି ପେଟ ସହିତ ନିଶ୍ୱାସର ଉଠାପକା ଖେଳ ଦେଖି ପିଶାଚମାନଙ୍କୁ ଜୋର୍ରେ ହସ ଲାଗିଲା ।

ସେମାନଙ୍କର ହାସ୍ୟରୋଳ ସୁକୁମାରଙ୍କ ନିଦ ଭାଙ୍ଗିଦେଲା । ପିଶାଚଙ୍କ ସର୍ଦ୍ଦାର ତାଙ୍କୁ କହିଲା, “ସବୁ ଅମାବାସ୍ୟା ରାତିରେ, ଆମେ ସବୁ ମିଶି ଏଠି ମଉଜ କରୁ । ଆଜିର ଏଇ ହସ-ମଉଜ କାର୍ଯ୍ୟକ୍ରମରେ ତୁମେ ବିଜୟୀ ହେଲ । ଆମ ସମସ୍ତଙ୍କୁ ବେଶ୍ ହସେଇଲ ।” ଏପରି କହି, ସୁକୁମାରଙ୍କ ମୁଣ୍ଡ ଉପରେ ପିଶାଚ ସର୍ଦ୍ଦାର କଳାଟୋପି ଟିଏ ରଖିଦେଲା । ତା’ପରେ ଚାହୁଁଚାହୁଁ ସେ ସବୁ ପିଶାଚ କୁଆଡେ ଉଭେଇ ଗଲେ ।

ସେତେବେଳକୁ ସୁକୁମାରଙ୍କ ରାଗ ବି ଶାନ୍ତ ପଡି ଆସିଥାଏ । ତେଣୁ ତାଙ୍କ ଘରକୁ ଫେରିବା ପାଇଁ ସେ ମନସ୍ଥ କଲେ । ଘରେ ପହଁଚିଲାବେଳକୁ ସକାଳ ହୋଇଗଲାଣି । ସୁଶୀଳା, ଦ୍ୱାର ଓଳାଉଥାଏ । ସୁକୁମାରଙ୍କୁ ଦେଖି, ସେ ମନ ଦୁଃଖରେ କିଛି କହି ନ ପାରି ଚୁପ୍ ରହିଲା । ମନେ ମନେ ଭାବୁଥାଏ, କାଲି ରାତିର ଦୁର୍ବ୍ୟବହାର ପାଇଁ କିପରି କ୍ଷମା ମାଗିବି ।

“ଆରେ ପାଗଳୀ! ଶତୃ କିମ୍ବା ବନ୍ଧୁ ମଧ୍ୟରେ, କ୍ଷମା ଭିକ୍ଷାର ପ୍ରସଙ୍ଗ ରହିଛି । କିନ୍ତୁ ପତି-ପତ୍ନୀ ଭିତରେ ତା’ର ସ୍ଥାନ ବା କାହିଁ?”

ସୁଶୀଳା ଆଶ୍ଚର୍ଯ୍ୟ ହୋଇଗଲା ଯେ, ସ୍ୱାମୀ କିପରି ତା’ର ମନକଥା ଜାଣି ପାରିଲେ ।

ସୁକୁମାର ମଧ୍ୟ ବିସ୍ମିତ ହୋଇ କହିଲେ, “ତୁମ ମନର କଥା ମୁଁ କିପରି ବୁଝି ପାରୁଚି?”

ସୁଶୀଳା, ପତିଙ୍କ ମୁଣ୍ଡରେ କଳା ଟୋପିଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଭାବିଲା, ଏଇଟି କେଉଁଠୁ ଆସିଲା? ସୁକୁମାର ତତ୍କ୍ଷଣାତ୍ ତା’ର ମନ କଥା ଜାଣି ପାରି ମୁଣ୍ଡରୁ ଟୋପି କାଢି ଦେଲେ । ଟୋପି କାଢି ଦେବା ପରେ ସେ ଆଉ ତାଙ୍କ ପତ୍ନୀଙ୍କର ମନକଥା ଜାଣି ପାରିଲେ ନାହିଁ । ଏବେ ତାଙ୍କର ଆଉ ଅବୁଝା ରହିଲା ନାହିଁ ଯେ, ପିଶାଚମାନେ ଦେଇଥିବା ଏହି ଉପହାରଟି ଗୋଟିଏ ଅଦ୍ଭୁତ ଜିନିଷ! ବହୁତ ଖୁସି ହୋଇ ପତ୍ନୀକୁ ଜଙ୍ଗଲରେ ଘଟିଥିବା ସମସ୍ତ ଘଟଣା ସେ ବର୍ଣ୍ଣନା କଲେ ।

ସ୍ୱାମୀଙ୍କ ସବୁକଥା ଶୁଣି ସୁଶୀଳା ସାମାନ୍ୟ ଚିନ୍ତା କରି କହିଲା, “ଦେଖ, ଏପରି ଅଦ୍ଭୁତ ଟୋପି ବା ଆମର କ’ଣ ହେବ? ଏହା ରାଜାଙ୍କୁ ଭେଟି ସ୍ୱରୂପ ଦେଇଦେବା । ଲୋକେ କହୁଛନ୍ତି ରାଜା ଏତେ ବୁଦ୍ଧିହୀନ ଯେ, କିଏ ମିତ୍ର କିଏ ଶତ୍ରୁ ତାହା ସେ ଆଦୌ ବାରି ପାରୁ ନାହାଁନ୍ତି । ଏହି ଟୋପି ତାଙ୍କୁ ଅନେକ ସାହାଯ୍ୟ କରିବ ।”

“ବାଃ! ବାଃ ସୁଶୀଳା! ତମର ରାଜଭକ୍ତିର କୌଣସି ତୁଳନା ନାହିଁ । ଗୁପ୍ତଚର ଦେହରକ୍ଷୀ ଆଜି ବାବଦରେ ରାଜାଙ୍କର ଖର୍ଚ୍ଚ ମଧ୍ୟ ଅନେକ କମିଯିବ ।” ପତ୍ନୀଙ୍କୁ ଏପରି ପ୍ରଶଂସା କରି ସୁକୁମାର ରାଜାଙ୍କୁ ଭେଟିବାକୁ ବାହାରିଲେ ।

ଟୋପିଟି ପାଇ ସେ ରାଜା ବହୁତ ଖୁସି ହୋଇଗଲେ, ତା’ପରେ ସେ ରାଜା କହିଲେ “ସାବାସ୍, ସୁକୁମାର! ତୁମର ଏହି ଭେଟି ଅମୂଲ୍ୟ ଅଟେ । ତା’ର ପ୍ରତିବଦଳରେ ମୋ ଠାରୁ ତୁମେ କିଛି ଉପହାର ଗ୍ରହଣ କର ।” କୋଷାଧ୍ୟକ୍ଷଙ୍କୁ ଡକାଇ ରାଜା ସୁକୁମାରକୁ ଏକ ଥଳୀ ସୁନାମୋହର ଦେବାକୁ ଆଦେଶ ଦେଲେ ।

ଘରକୁ ଫେରି, ସୁନାମୋହର ଥଳୀଟି ପତ୍ନୀଙ୍କୁ ଦେଇ ସୁକୁମାର କହିଲେ, “ଏବେ କୁହ ଏତେ ଧନ ଆମେ କଣ କରିବା?”

ସୁଶୀଳା ଅତ୍ୟନ୍ତ ଖୁସିରେ ସ୍ୱାମୀଙ୍କୁ କୌତୁକ କରି କହିଲେ, “ବ୍ୟବସାୟ କରୁଥିବା ତୁମ ବନ୍ଧୁଙ୍କ ସହ ପରାମର୍ଶ କରି କିଛି ଗୋଟାଏ ବେପାର ଆରମ୍ଭ କର । କାମରେ ବ୍ୟସ୍ତ ରହିଲେ, ତୁମର ଏଇ ହାଣ୍ଡି ପରି ପେଟ ଆଉ ଘୁଙ୍ଗୁଡିର ଅଭ୍ୟାସ କୁଆଡେ ଉଭେଇ ଯିବ ।”

ଏହି କଥାକୁ ନେଇ ପତି ପତ୍ନୀ ମନ ଭରି ହସିଲେ ।

ଏହା ଭିତରେ, ମାସଟିଏ ପୂର୍ବରୁ ଭଉଣୀର ବିଭା ଘର ପାଇଁ ଅନୁପସ୍ଥିତ ଥିବା ମନ୍ଥରା ଆସି ପହଁଚିଲା । ସୁଶୀଳାର ଭାଗ୍ୟର ଏପରି ପରିବର୍ତ୍ତନରେ ସେ ଚକିତ ହୋଇଗଲା । କଳ କୌଶଳ କରି, ତା’ଠାରୁ ଏଇ ଅମାବାସ୍ୟାର ପିଶାଚଙ୍କର ଘଟଣାଟି ସେ ବୁଝିନେଲା ।

ଦିନେ ରାତିରେ ନିଜ ପତି ବୀରକୁ ସୁକୁମାରଙ୍କ ଭାଗ୍ୟ-ପରିବର୍ତ୍ତନର କାହାଣୀଟି ଶୁଣେଇ ସେ କହିଲା, “ଆଜି ତ ଅମାବାସ୍ୟା, ତୁମେ ମଧ୍ୟ ଆଜି ଜଙ୍ଗଲକୁ ଯାଇ, ସୁକୁମାର ପରି ଘୁଙ୍ଗୁଡି ମାରି ପିଶାଚମାନଙ୍କୁ ସନ୍ତୁଷ୍ଟ କର । ହଁ, ତାଙ୍କ ପରି ମନକଥା ଜାଣି ହେଉଥିବା ଟୋପି ନ ମାଗି, ଏପରି ଟୋପି ମାଗିବ, ଯାହା ପିନ୍ଧିଲେ, ଜଣେ ଅଦୃଶ୍ୟ ହୋଇଯିବ । ତାକୁ ପିନ୍ଧି ସିଧା ରାଜଧାନୀ ଯିବ ଓ ଅଦୃଶ୍ୟ ଭାବରେ ରାଜକୋଷରୁ ମନ ଇଚ୍ଛା ଧନ ଆଣିବ । ମନେରଖ, ରାଣୀଙ୍କର ସପ୍ତାହକୁ ଯେଉଁ ସାତ ପ୍ରକାରର ଗହଣା, ତାକୁ ଆଣିବାକୁ ମୋଟେ ଭୁଲିବ ନାହିଁ ।”

ଏ କଥାରେ ବୀରର ଚେହେରା ଫିକା ପଡିଗଲା । ଏଣୁ ଡରି ଯାଇ ସେ କହିଲା, “ମୋତେ ତ ଘୁଙ୍ଗୁଡି ମାରି ଆସେ ନାହିଁ ।”

ମନ୍ଥରା ବିରକ୍ତ ହୋଇ କହିଲା, “କେଉଁ କଥା ମଣିଷ ପାଇଁ ଅସମ୍ଭବ କହିଲ? ଚେଷ୍ଟା କଲେ ସବୁ ହେଲା । ଶୀଘ୍ର ଯାଇ, ଚେଷ୍ଟା କରିବା ଆରମ୍ଭ କଲ । ମୋ ମନ କହୁଛି ତୁମେ ଏଥିରେ ନିଶ୍ଚୟ ସଫଳ ହେବ ।”

ଏହାପରେ ସେ ବୀର, ଜଙ୍ଗଲ ଅଭିମୁଖେ ବାହାରିଲା । ବରଗଛ ପାଖରେ ଚାରି ପିଶାଚଙ୍କୁ ସେ ଦେଖିଲା । ଭୟରେ ଥରି ଥରି ସେ ଚିତ୍କାର କରିବାକୁ ଆରମ୍ଭ କଲା । ଚାରିଜଣଯାକ ପିଶାଚ ଏ ଶବ୍ଦ ଶୁଣି ସେଠିକୁ ଆସିଲେ । ବୀରକୁ ଘେରି ଯାଇ ଧମକେଇଲେ, “ଆରେ ହାରାମ୍ଜାଦା, ଏଠି ଆସି ଚିଲ୍ଲେଇ ଆମର ହସ କୌତୁକ ନଷ୍ଟ କରୁଛୁ?”

ବୀର ଡରି ଡରି କହିଲା, “ନା, ଚିତ୍କାର ନୁହେଁ । ମୁଁ ଘୁଙ୍ଗୁଡି ମାରୁଥିଲି ।” ଏପରି ଜବାବ୍ରେ ପିଶାଚମାନେ ଠୋ ଠୋ ହୋଇ ଖାଲି ହସିଲେ । ପିଶାଚଙ୍କ ସର୍ଦ୍ଦାର ବୀରଙ୍କୁ ପ୍ରଶଂସା କରି କହିଲା, “ତୁ ତ ବଡ କୌତୁକିଆ ଲୋକ! ଆଚ୍ଛା କହିଲୁ, ଏ ଅମାବାସ୍ୟା ଅନ୍ଧାର ରାତିରେ, ତୁ ଏଠାରେ କ’ଣ କରୁଛୁ?”

ବୀର ସେଇପରି ଭୟରେ ହଡବଡେଇ କହିଲା, “ଅଦୃଶ୍ୟ ପାଟି ପାଇବା ପାଇଁ ।”

ହଠାତ୍ ପିଶାଚମାନେ ତା’ କଥାରୁ କିଛି ବୁଝି ପାରିଲେ ନାହିଁ । ପରେ ପୁଣି ସେମାନେ ଠୋ ଠୋ ହୋଇ ଖାଲି ହସିଲେ । ତାଙ୍କର ସର୍ଦ୍ଦାର ବୀରର ପିଠି ଥାପୁଡେଇ କହିଲା, “ବାଃ, କି ବାକ୍ ଚାତୁରୀ । ତୁ ତ ଜନ୍ମରୁ ହସକୁରିଆ ମନେ ହେଉଛୁ । ମାନବ, ଏବେ କହିଲୁ, ଏଇ ପାଟି ଜିନିଷଟି କ’ଣ?”

ବୀର ଟିକିଏ ସାହସ ବାନ୍ଧି କହିଲା, “ମୋ କହିବା ଉଦ୍ଧେଶ୍ୟ ଟୋପି । ଟୋପି ମାନେ ଅଦୃଶ୍ୟ ଟୋପି ।”

“ଆଚ୍ଛା, ଏଇ କଥା ।” ଏପରି କହି ପିଶାଚସର୍ଦ୍ଦାର ଶୂନ୍ୟରେ ହାତ ବୁଲାଇ ଏକ ଧଳା ରଙ୍ଗର ଟୋପି ଆଣିଲା । ସେହି ଟୋପିଟି ବୀର ମୁଣ୍ଡରେ ଥୋଇ ଦେଇ ସେ କହିଲା, “ଆରେ ଏ ମାନବ! ତୁ ଆମକୁ ବହୁତ ହସେଇଲୁ । ଆର ଅମାବାସ୍ୟା ରାତିରେ ତୁ ପୁଣି ଏଠିକୁ ଆସିବୁ ।” ଏପରି କହି ସେ ଚାରି ଜଣ ଯାକ ପିଶାଚ ଶୂନ୍ୟରେ କୁଆଡେ ମିଳେଇ ଗଲେ ।

ଏଥର ବୀର ବହୁତ ଖୁସି ହୋଇ ସେଠାରୁ ବାହାରିଲା । ଟୋପିର ମହିମାରୁ ସେ ଅଦୃଶ୍ୟ ଥାଏ । ତେଣୁ ସେ ବେଶ୍ ସ୍ୱଚ୍ଛନ୍ଦରେ ସିପାହୀମାନଙ୍କ ନଜରରୁ ଖସି ସେଠିକା ରାଜ କୋଷରେ ପ୍ରବେଶ କଲା । ସେଠାରୁ ମନ ଇଚ୍ଛା ଧନ ରତ୍ନ, ମଣି ମାଣିକ, ସୁନାମୋହର ଆଣି ଏକ ବସ୍ତାରେ ଭରି ଅନ୍ତଃପୁରରେ ପହଁଚିଲା ।

ସେଠାରେ ରାଜା, ରାଣୀ ପୃଥକ ବିଛଣାରେ ଶୋଇଥିଲେ । ସେମାନଙ୍କୁ ଗାଢ ନିଦ ଲାଗିଥାଏ । ଗୃହର ଏକ କୋଣରେ ରାଣୀଙ୍କ ସାତ ଦିନର ସୁନାଗହଣା ଥାଏ । ତା’ ପାଖରେ ରାଜମୁକୁଟ ବି ଥାଏ । ବୀର ସେ ଗହଣାଗୁଡିକ ଆଣି ବସ୍ତାରେ ଭରି, ବାହାରି ଆସୁ ଆସୁ ଭାବିଲା, “ମନ୍ଥରାର ବୁଦ୍ଧିରୁ ସିନା ଆମକୁ ଆଜି ଏତେ ଧନ ମିଳିଲା । ହେଲେ ଯେତେବେଳେ ସେ ରାଣୀଙ୍କ ଗହଣା ସବୁ ପିନ୍ଧିବ, ତା ସାଙ୍ଗକୁ ମୋ ମଥାରେ ଏଇ ମୁକୁଟଟି ନ ଥିଲେ, ଆମ ଯୋଡି କ’ଣ ସୁନ୍ଦର ଦିଶିବ!” ଏପରି ଭାବି ମୁକୁଟଟି ଆଣି ଅଦୃଶ୍ୟ ଟୋପି ଉପରେ ରଖି ସେ ବାହାରକୁ ବଡ ଦର୍ପରେ ବାହାରି ଆସିଲା ।

ଅଭ୍ୟାସ ନ ଥିବାରୁ, ମୁକୁଟଟି ତାକୁ ବେଶ୍ ଓଜନ ଲାଗିଲା । ତେଣୁ ପୁଣି ସେ ମୁକୁଟଟି ବାହାର କରି ହାତରେ ଧରିଲା । ରାଜପ୍ରାସାଦରୁ ବାହାରିଲାବେଳକୁ ଦ୍ୱାର ରକ୍ଷୀ ତାକୁ ଦେଖି ପାରି ଚିତ୍କାର କଲା, “ତୋର ଏତେ ସାହସ! ରାଜାଙ୍କ ମୁକୁଟ ଚୋରୀ କରି ପଳାଉଛୁ!”  ତା’ପରେ ସେ ତାକୁ ଧରି ରାଜାଙ୍କ ପାଖକୁ ନେଇଗଲା ।

ବୀର ଭୟରେ କମ୍ପୁଥାଏ । ସେତେବେଳକୁ ସେ ଜାଣି ସାରିଥାଏ ଯେ, ଯେତେବେଳେ ମୁକୁଟ ମଥାରୁ କାଢିଥିଲା, ତା’ ସହିତ ଅଦୃଶ୍ୟ ଟୋପି ମଧ୍ୟ ବାହାରି ଆସିଛି । ବଡ ପାଟିରେ ସେ କାନ୍ଦୁଥାଏ ଓ ମନ ଭିତରେ ନିଜ ସ୍ତ୍ରୀ ମନ୍ଥରାକୁ ସେ ଅନେକ ଗାଳି ବର୍ଷଣ କରୁଥାଏ ।

ରାଜା ସୁକୁମାରଙ୍କ ପ୍ରଦତ୍ତ ଟୋପି ମୁଣ୍ଡରେ ରଖି, ତା’ର ଏ ଦୁଃସାହସ ପଛରେ କାହାର ହାତ ଅଛି, ତାହା ସେ ଜାଣିବାକୁ ଚାହିଁଲେ । ଅସଲ ରହସ୍ୟ ତାଙ୍କୁ ମାଲୁମ୍ ହେଲା । ବୀର ତା’ର ପତ୍ନୀଙ୍କୁ ମନେ ମନେ ଗାଳି ଦେଉଛି । ରାଜା ତୁରନ୍ତ ସୈନିକ ପଠାଇ ମନ୍ଥରାକୁ ଡକେଇଲେ । ତା’ର ଦୁର୍ବୁଦ୍ଧି ଓ ଦୁରାଚାର ଷଡଯନ୍ତ୍ର ପଦାରେ ପଡିଗଲା । ସେହି ଅବସ୍ଥାରେ ସେ ଦୁଇଜଣଙ୍କୁ ରାଜ୍ୟରୁ ତଡି ଦେବା ପାଇଁ ରାଜା ତୁରନ୍ତ ଆଦେଶ ଦେଲେ ।

ଏଇ ଘଟଣା ଜାଣିବା ପରେ ସୁଶୀଳା ସୁକୁମାରଙ୍କୁ କହିଲା, “ସେହି ଅମାବାସ୍ୟାରେ ପିଶାଚମାନଙ୍କର ଦୟାରୁ ଆମେ ଭଲରେ ରହିଲୁ । ଯେଉଁ ମନ୍ଥରା ତୁମ ଆଉ ମୋ’ ଭିତରେ କଳହର ମଞ୍ଜି ପୋତିଥିଲା, ତା’ର ସର୍ବନାଶ ହେଲା ।”

ସୁକୁମାର ପତ୍ନୀଙ୍କୁ ବୁଝେଇ କହିଲେ, “ଦେଖ, ସୁଶୀଳା, ଅନ୍ୟ କଥାରେ ବିଶ୍ୱାସ କରି, ନିଜର ପରିବାରରେ ଅଶାନ୍ତି ସୃଷ୍ଟି କରିବା ଅନୁଚିତ୍ । ମନରେ ଅବିଶ୍ୱାସର ଭୂତକୁ ଆଶ୍ରୟ ଦେଲେ, ତାହା ମନ୍ଥରା ନ ହେଲେ ବି ଅନ୍ୟ କେଉଁ ରୂପରେ ଆମର ଅନିଷ୍ଟ ନିଶ୍ଚୟ କରିବ । ଏ ବିଷୟରେ ସର୍ବଦା ସତର୍କ ରହିବା ଆବଶ୍ୟକ ।”

 

ମନୁଆର କୀର୍ତ୍ତି-ଯମପୁରରେ ମନୁଆ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.