ବ୍ରହ୍ମ ରହସ୍ୟ (ଧର୍ମ ଚର୍ଚା)

Reading Time: 5 minutes

ତେତିଶକୋଟି ଦେବତାଙ୍କ ମଧ୍ୟରେ ବ୍ରହ୍ମ ସେବା କେଉଁଠି ନାହିଁ । ଅଛି କେବଳ ସେମାନଙ୍କର ସ୍ରଷ୍ଠା ଓ ମାଲିକ ଶ୍ରୀଜଗନ୍ନାଥଙ୍କର ।

ବ୍ରହ୍ମଜ୍ଞାନ ଦେବା ନିମନ୍ତେ ଭଗବାନ ବ୍ୟାସଦେବ ‘ବ୍ରହ୍ମସୂତ୍ର’ ରେ ପ୍ରଥମ ପ୍ରସଙ୍ଗ କହିଛନ୍ତି,’ଅଥତୋ ବ୍ରହ୍ମ ଜିଜ୍ଞାସା’, ‘ବ୍ରହ୍ମ’ ର ଅର୍ଥ ହେଉଛି ବୃଦ୍ଧତମ, ବୃହତ୍ତମ, ଦୀର୍ଘତମ, ବିଶାଳତମ, ପ୍ରାଚୀନତମ, ସୂକ୍ଷ୍ମତମ ଆଦି ସମସ୍ତ ଚରମ ଓ ଅନ୍ତିମ ଭାବୋଦ୍ଦୀପକ ତତ୍ତ୍ଵ ।

ଶ୍ରୀଜଗନ୍ନାଥଙ୍କ ଲୀଳା ମାଧୁର୍ଯ୍ୟର ଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ ହେଉଛି ସ୍କନ୍ଧପୁରାଣ । ଏହାର ଉତ୍କଳଖଣ୍ଡ ଚତୁର୍ଥ ଅଧ୍ୟାୟରେ କୁହାଯାଇଛି, ‘ତସ୍ମାଦ୍ଦାରୁମୟଂ ବ୍ରହ୍ମ ବେଦାନ୍ତେଷୁ ପ୍ରଗୀୟତେ’ । ସେହି ଦାରୁମୟ ବ୍ରହ୍ମଙ୍କ ତତ୍ତ୍ଵ ବେଦାନ୍ତ (ଉପନିଷଦ) ମାନଙ୍କରେ ଗାୟନ କରାଯାଇଛି।

ପୁରାଣମାନଙ୍କରେ ଦାରୁବ୍ରହ୍ମଙ୍କର ଲୀଳା ବର୍ଣ୍ଣନା କରାଯାଇଛି; ମାତ୍ର ତତ୍ତ୍ଵିକ ରହସ୍ୟ ସବୁ ଉପନିଷଦମାନଙ୍କରେ ଗାୟନ କରାଯାଇଛି । ଆତ୍ମା ଶରୀର ତ୍ୟାଗ କଲେ ଶରୀର ଜେଭଳି ମୂଲ୍ୟହୀନ ହୋଇ ମାଟି, ପାଣି, ପବନ, ଅଗ୍ନି ଓ ଆକାଶରେ ମିଶିଯାଏ, ସେହିଭଳି ବେଦାନ୍ତ ବିନା ପୁରାଣମାନଙ୍କର ଅବସ୍ଥା। ପ୍ରାଚୀନ ଯୁଗରେ ବ୍ରହ୍ମ ନିର୍ବାଣ ଲାଭ କରିଥିବା ମୁନିଋଷିମାନଙ୍କର ସ୍ଵ ସ୍ଵ ଅନୁଭୂତିରେ ଲିପିମାଳା ହେଉଛନ୍ତି ବେଦର ଅନ୍ତିମ ଭାଗ ଜ୍ଞାନ, କାଣ୍ଡ ବା ବେଦାନ୍ତ,ଯାହା କେବଳ ବ୍ରହ୍ମଙ୍କର ବ୍ୟାଖ୍ୟାନ ।

ସର୍ବବେଦାନ୍ତ ସାର ଗ୍ରନ୍ଥ ହେଉଛି ଶ୍ରୀମଦ୍ଭାଗବତମ୍ । ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ୩୦ ରୁ ୩୩ ଶ୍ଳୋକମାନଙ୍କର ମର୍ମ ହେଉଛି, ‘ଚିନ୍ମୟ ଭଗବାନଙ୍କର କୌଣସି ରୂପ ନାହିଁ । ଜୀବମାନଙ୍କ ମଧ୍ୟରେ ବିଶ୍ଵାସ ଜନ୍ମାଇବା ପାଇଁ ମହତ୍ ଆଦି ତତ୍ତ୍ଵ ମାନଙ୍କ ସାହାଯ୍ୟରେ ମାୟା ଗୁଣରେ ଅବତାର ରୂପମାନ ଗ୍ରହଣ କରିଥାନ୍ତି।

ଯେପରି ରୂପହୀନ ଆକାଶ ମେଘଦ୍ଵାରା ଆଚ୍ଛାନ୍ନ ହୋଇ ମେଘୁଆ ହୁଏ ବା ପବନରେ ଧୁଳି ଯୁକ୍ତ ହୋଇ ଧୂଳିର ରୂପ ଗ୍ରହଣ କରେ, ସେହିପରି ଆରୂପ ଭଗବାନ ଅଳ୍ପ ବୁଦ୍ଧି ଲୋକମନଙ୍କ ଆଖିରେ ସ୍ଥୂଳ ରୂପରେ ଦୃଶ୍ୟମାନ ହୁଅନ୍ତି ।

ଏହି ସ୍ଥୂଳ ରୂପ ବ୍ୟତୀତ ଆଉ ଏକ ସୂକ୍ଷ୍ମ ରୂପ ଅଛି, ଯାହାକୁ କେହି ଦେଖିପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । ସେହି ଅବ୍ୟକ୍ତ ତତ୍ତ୍ଵ ଯୋଗୁଁ ଜୀବ ସଂସାରରେ ବାରମ୍ବାର ଜନ୍ମ ଗ୍ରହଣ କରେ । ଯେତେବେଳେ ମନୁଷ୍ୟ ନିଜର ସାଧନା ଲବ୍ଧ ଜ୍ଞାନ ବଳରେ ଏହି ସ୍ଥୂଳ ଓ ସୂକ୍ଷ୍ମ ରୂପର ଆତ୍ମା ସହିତ କୌଣସି ସମ୍ପର୍କ ନାହିଁ ବୋଲି ଅନୁଭବ କରେ ସେତେବେଳେ ତା’ର ପ୍ରକୃତ ଜ୍ଞାନ ଲାଭ ହୁଏ ।’

ଶ୍ଵେତାଶ୍ଵତର ଉପନିଷଦ କହନ୍ତି, ‘ନ ସଂଦୃଶେ ତିଷ୍ଠତି ରୂପମସ୍ୟ ନ ଚକ୍ଷୁଷା ପଶ୍ୟତି କଶ୍ଚନୈନମ ମନୀଷା ମନସାଭିକ୍ଲୃପ୍ତୋ ୟେସ୍ତଦ୍ ବିଦୁରମୃତାସ୍ତେ ଭବନ୍ତି’- ଚକ୍ଷୁରେ ଦେଖିବା ଭଳି ଏହାଙ୍କର ରୂପ ନାହିଁ, ଏହାଙ୍କୁ ଚକ୍ଷୁରେ କେବେ କେହି ଦେଖିପାରନ୍ତି ନାହିଁ। ହୃଦୟ, ମନ ଓ ଚିତ୍ତ ତାଙ୍କ ଭିତରେ ଦ୍ରବୀଭୂତ ହେଲେ ସେ ପ୍ରତିଭାତ ହୁଅନ୍ତି ; ଏହା ଯେ ଅନୁଭବ କରେ ସେ ଅମୃତ ସ୍ୱରୂପ ହୋଇଯାଏ ।

କଥା ଉପନିଷଦର ନଚିକେତା ଉପାଖ୍ୟାନ ସମଗ୍ର ମାନବ ଜାତିର ଅଧ୍ୟାତ୍ମ ଚେତନାକୁ ଅତିକ୍ରମ କରୁଛି । ନଚିକେତାଙ୍କ ପିତା ତାଙ୍କୁ ଯଜ୍ଞପରେ ଦାନ ସ୍ୱରୂପ ଯମଙ୍କୁ ଦେଇଛନ୍ତି ବୋଲି କହିବାରୁ ସେ ଯମପୁରୀରେ ପହଞ୍ଚି ଯମଙ୍କ ଅନୁପସ୍ଥିତିରେ ତିନିଦିନ ଦୁଆର ମୁହଁରେ ନଖାଇ ନପିଇ ଦଣ୍ଡାୟମାନ ରହିଲେ । ଯମ ପହଞ୍ଚି କ୍ଷମା ପାର୍ଥନା କରି ତାଙ୍କୁ ତିନିଗୋଟି ବର ଦେବାକୁ କହିଲେ ।

ପ୍ରଥମ ବାର ସ୍ୱରୂପ ନଚିକେତା ନିଜ ପିତାଙ୍କ ଯଜ୍ଞ ସଫଳ ହେବା, ଦ୍ଵିତୀୟ ବାର ସ୍ୱରୂପ ଯଜ୍ଞର ସ୍ଵର୍ଗ ଲାଭ ପଦ୍ଧତି ଓ ତୃତୀୟ ବର ସ୍ୱରୂପ ବ୍ରହ୍ମଙ୍କ ପରିଚୟ ମାଗିଲେ । ଯମ ତୃତୀୟ ବର ନିମନ୍ତେ ବ୍ରହ୍ମଙ୍କ ଜିଜ୍ଞାସା ପ୍ରଶ୍ନ ଛାଡି ସାରା ବ୍ରହ୍ମାଣ୍ଡର ସମ୍ରାଟ ହୋଇ ଚିରକାଳ ରହିବାର ବର ଦେଲେ ମଧ୍ୟ ନଚିକେତା ତାହା ପ୍ରତ୍ୟାଖ୍ୟାନ କରି କେବଳ ବ୍ରହ୍ମ ଜିଜ୍ଞାସାରେ ଅଟଳ ରହିଲେ ।

ବ୍ରହ୍ମ ଜ୍ଞାନର ଉପଯୁକ୍ତ ପାତ୍ର ମନେକରି ଯମ ତାଙ୍କୁ ବ୍ରହ୍ମଙ୍କର ପରିଚୟ ଦେଇଥିଲେ: ‘ଓଁ କାର ଅକ୍ଷର ହିଁ ବ୍ରହ୍ମ, ଓଁ କାର ଅକ୍ଷର ହିଁ ପରମ । ଯେ ଏହି ଓଁ କାରଙ୍କୁ ଜାଣିପାରେ, ସେ ଯାହା ଚାହେଁ ତାହା ପ୍ରାପ୍ତ ହୋଇଯାଏ । ଶ୍ରେଷ୍ଠ ସ୍ୱରୂପ ଓଁ କାରଙ୍କୁ ଓ ପରମ ସ୍ୱରୂପ ଓଁ କାରଙ୍କୁ ସେ ଅବଲମ୍ବନ କରେ ଓ ତାଙ୍କ ସମ୍ପର୍କରେ ଜ୍ଞାନ ଲାଭ କରେ , ସେ ବ୍ରହ୍ମ ଲୋକରେ ମହୀୟାନ ହୁଏ ।’ ଅନୁରୂପ ଶୋଳ୍କମାନ ଗୀତା ଅକ୍ଷର ବ୍ରହ୍ମ ଯୋଗରେ ମହୀୟାନ ଅଛି।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଁ କାର । ସଂପୂର୍ଣ୍ଣ ମାଣ୍ଡୂକ୍ୟ ଉପନିଷଦ ହେଉଛି ଓଁ କାର ତତ୍ତ୍ଵର ବ୍ୟାଖ୍ୟାନ । ଦ୍ଵିତୀୟ ମନ୍ତ୍ର ହେଉଛି,’ସର୍ବଂ ହି ଏତଦ ବ୍ରହ୍ମ ଅୟମାତ୍ମା ବ୍ରହ୍ମ ସୋୟମାତ୍ମା ଚତୁଷ୍ପାତ’- ଏ ଅଖିଳ ବ୍ରହ୍ମାଣ୍ଡ ହେଉଛି ବ୍ରହ୍ମ, ଏହି ଆତ୍ମା ହେଉଛି ବ୍ରହ୍ମ ଏବଂ ଆତ୍ମା ହେଉଛି ଚାରିପାଦ ବାଲା ।

ଅଷ୍ଟମ ମନ୍ତ୍ର କହନ୍ତି, ସୋୟମାତ୍ମାଧ୍ୟକ୍ଷରମୋଙ୍କାରଅଧିମାତ୍ର ପାଦାମାତ୍ରା ମାତ୍ରଶ୍ଚ ପାଦା ‘ଅ’ କାର, ‘ଉ’ କାର, ‘ମ’ କାର ଇତି– ଓଁ କାର ହେଉଛନ୍ତି ତିନି ମାତ୍ରା ‘ଅ’, ‘ଉ’, ‘ମ’ । ‘ଅ’ ହେଉଛି ସମଗ୍ର ଜାଗରିତ ବିଶ୍ଵ ବ୍ରହ୍ମାଣ୍ଡ, ‘ଉ’ ହେଉଛି ବିଶ୍ଵ ବ୍ରହ୍ମାଣ୍ଡ ସୃଷ୍ଟି ପୂର୍ବରୁ ସ୍ଵପ୍ନ ସ୍ୱରୂପ ହିରଣ୍ୟ ଗର୍ଭ ରୂପ ଏବଂ ‘ମ’ ହେଉଛି ସୁଷୁପ୍ତି ଅର୍ଥାତ ପରମ ତତ୍ତ୍ଵ ମଧ୍ୟକୁ ହିରଣ୍ୟଗର୍ଭଙ୍କ ପ୍ରତ୍ୟାବର୍ତ୍ତନ ଅବସ୍ଥା ।

ଚାରିପାଦବାଲା ଆତ୍ମାଙ୍କର ଚତୁର୍ଥ ପାଦ ହେଉଛି ମାତ୍ରା ରହିତ ତୁରୀୟ ତତ୍ତ୍ଵ ବ୍ରହ୍ମ ଯାହାର କି ରୂପ, କଳ୍ପ, ଆକାର ପ୍ରକାର ଅବା କୋଣସି ଚେତନା ବା ଜ୍ଞାନ ସମ୍ପନ୍ନତା କିଛି ନାହିଁ। ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହରେ ଏ ସମସ୍ତ ଲକ୍ଷଣ ଅଛି । ଶ୍ରୀବିଗ୍ରହ ହେଉଛନ୍ତି ବେଦାନ୍ତ ତତ୍ତ୍ଵର ରୂପାୟନ । ମହୋଦଧିରୂ ଦାରୁ ଉଦ୍ଧାର କରି ଇନ୍ଦ୍ରଦ୍ୟୁମ୍ନ କିଭଳି ବିଗ୍ରହ ନିର୍ମାଣ ହେବ ପ୍ରଶ୍ନ କରିଥିଲେ ।

ନାରଦ ଉତ୍ତର ଦେଇଥିଲେ,’ଭଗବାନଙ୍କ ମୃର୍ତ୍ତିର ଅନ୍ତନାହିଁ, ଚେଷ୍ଟା କଲେ ମଧ୍ୟ ଅଗୋଚର’ । ସେତେବେଳେ ଶୂନ୍ୟ ବାଣୀ ହେଲା, ‘ଶୂନ୍ୟାୟାଂ ଜଗତମୀଶ ସ୍ଵେଚ୍ଛାୟାବତରିଷ୍ୟତି- ଶୂନ୍ୟରୁ ଜଗଦୀଶ୍ଵର ତାଙ୍କ ଇଚ୍ଛାରେ ଅବତୀର୍ଣ୍ଣ ହେବେ । ଏହାପରେ ପରମାତ୍ମା ଏକ ମହାରଣା ବେଶରେ ଆବିର୍ଭୂତ ହୋଇଥିଲେ। ତାଙ୍କ ରୂପ କଳ୍ପର ଅନ୍ତ ନଥିବାରୁ ତାଙ୍କୁ ପୁରାଣରେ ‘ଅନନ୍ତ ମହାରଣା’ କୁହାଯାଇଛି ।

ବୃହଦାରଣ୍ୟକ ଉପନିଷଦ ୨ୟ ଅଧ୍ୟାୟ ତୃତୀୟ ବ୍ରହ୍ମାଣ୍ଡରେ ତାଙ୍କ ରୂପର ଅନ୍ତ ନାହିଁ ବୋଲି ‘ନେତ ନେତି'(ନଇତ ନଇତି) କୁହାଯାଇଛି। ବ୍ରହ୍ମର ଏକ ଅର୍ଥ ବୃଦ୍ଧତମ । ଯେଉଁ ଶରୀର ଧାରଣ କରି ଅନନ୍ତ ମହାରଣା ଆସିଥିଲେ ତାହା ଅଣ୍ଟା ନଇଁ ଯାଇଥିବା ଜୀର୍ଣ୍ଣ ଶୀର୍ଣ୍ଣ ମରଣୋନ୍ମୁଖୀ ଥିଲା, ଯେଉଁଥିପାଇଁ ରୁଦ୍ଧ ମନ୍ଦିରରେ ପନ୍ଦର ଦିନ ଅନ୍ତେ ଶବ୍ଦ ବନ୍ଦ ହେବାରୁ ରାଣୀ ଗୁଣ୍ଡିଚା ତାଙ୍କ ମୃତ୍ୟୁ ଆଶଙ୍କା କରିଥିଲେ।

ମନ୍ଦିର ଖୋଲାଯିବା ପରେ ଅନନ୍ତ ମହାରଣାଙ୍କ ଅନ୍ତର୍ଦ୍ଧାନ କଥା ପୁରାଣରେ ବର୍ଣ୍ଣିତ ଅଛି । ମାତ୍ର ବିଗ୍ରହରେ ବ୍ରହ୍ମ ରନ୍ଧ୍ର ଖୋଲି ତନ୍ମଧ୍ୟରେ ପ୍ରବେଶ କରିଛନ୍ତି ବୋଲି ଐତରେୟ ଉପନିଷଦରେ ମଣିଷ ଶରୀର ରଚନା ତତ୍ତ୍ଵରେ ସୂଚନା ଅଛି-‘ସ ଏତମେବ ସୀମାକଂ ବିଦାଯ୍ୟୈତୟ ଦ୍ଵାରା ପ୍ରାପଦ୍ୟତେ ।

ସମସ୍ତ ପୁରାଣ ଶାସ୍ତ୍ର ଗ୍ରନ୍ଥରେ ଜଗଦୀଶ୍ଵର ଅନାଦି ଅନନ୍ତ ଅଣାକାର ଅଣାଧାର ଅଦୃଷ୍ଟ ଅଚିନ୍ତ୍ୟ ଆବିଜ୍ଞେୟ ଅପ୍ରମେୟ ଅପ୍ରତର୍କ୍ୟ ଅପ୍ରଜ୍ଞାତ ଅଖଣ୍ଡମଣ୍ଡଳାକାର ରୂପେ ବର୍ଣ୍ଣିତ ଥିବା ବେଳେ ରତ୍ନ ସିଂହାସନରେ ଏ ଦାରୁ ବିଗ୍ରହ କିଏ ଯାହାକୁ ଅନନ୍ତ ମହାରଣା ନିର୍ମାଣ କରିଛନ୍ତି ?

ଉତ୍ତର ହେଉଛି, ଓଁ କାର ବ୍ରହ୍ମ ସ୍ୱରୂପଙ୍କ ତିନି ପାଦ ମଧ୍ୟରୁ ପ୍ରଥମ ପାଦ ହେଉଛି ଅ ( (ମାଣ୍ଡୁକ୍ୟ ଉପନିଷଦ-ତୃତୀୟ ମନ୍ତ୍ର), ଯାହା ହେଉଛି ଜାଗରିତ ସ୍ଥାନ ଦୃଶ୍ୟମାନ ବିଶ୍ଵବ୍ରହ୍ମାଣ୍ଡ । ଏହାକୁ ଶ୍ରୀମଦ୍ଭାଗବତ ଅଷ୍ଟମ ସ୍କନ୍ଦରେ ଓଡିଆ ନବାକ୍ଷରୀ ଛନ୍ଦରେ ଲେଖାଯାଇଛି-‘ଗଗନ ସମୀରଣ ଜ୍ୟୋତି,ଯେ ଅବା ସଲିଳ ଧରିତ୍ରୀ । ନଦୀ ସରିତ ତରୁ ଗଣ, ପର୍ବତ ସ୍ଥାବର ଜଙ୍ଗମ । କୁଣ୍ଡଳ ଶଶୀ ଦିନକର, ନକ୍ଷତ୍ର ମାଳ ହୃଦେହାର ।

ବ୍ରହ୍ମାଣ୍ଡ ମାଳମାଳ ହୋଇ, ତୋ ଲୋମ ମୂଳେ ବିରାଜାଇ । ନମସ୍ତେ ପ୍ରଭୁ ଜଗନ୍ନାଥ,ତୋର ଶରୀର ଏ ଜଗତ ।’ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁ ବୋଲି ଆମେ ଯାହା କହୁଛୁ, ସେ ଦାରୁ ଶରୀର ହେଉଛି ସମଗ୍ର ଦୃଶ୍ୟମାନ ଅନାଦି ଅନନ୍ତ ବିଶ୍ଵ ବ୍ରହ୍ମାଣ୍ଡ । ମହୋଦଧି ତଟରୁ ପ୍ରାପ୍ତ ଦାରୁ ଥିଲେ, ‘ଉର୍ଦ୍ଧ୍ଵମୂଳଂ ଅଧଃଶାଖମଶ୍ଚତଥଂ ପ୍ରାହୁରବ୍ୟାୟମ’ (ଗୀତା-୧୫:୧)-ସେହି ଅଧ୍ୟାୟ ପରମାତ୍ମାଙ୍କ ଦାରୁ ରୂପ ହେଉଛି ଉର୍ଦ୍ଧ୍ଵକୁ ମୂଳ ଓ ନିମ୍ନକୁ ଶାଖାପ୍ରଶାଖାମାନ ।

ଏହି ମନ୍ତ୍ର କଠ ଉପନିଷଦ ତଥା ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ନବମ ଅଧ୍ୟାୟରେ ଅଛି। ପରେମେଶ୍ଵର ହେଉଛନ୍ତି ଆଦିମୂଳ ଏବଂ ସେ ଉର୍ଦ୍ଧ୍ଵରେ ଅଛନ୍ତି । ଓଁ କାର ସ୍ୱରୂପଙ୍କ ଦ୍ଵିତୀୟ ପାଦ ଉ ଏବଂ ତୃତୀୟ ପାଦ ହେଉଛି ମ (ଏହି ଦୁଇ ମାତ୍ରାଙ୍କ ବୋଧଗମ୍ୟତା ଏ ସଂକ୍ଷିପ୍ତ ପ୍ରବନ୍ଧରେ ସର୍ବାଦୌ ଦୁରୁହ ବ୍ୟାପାର) ।

ତେବେ ତତ୍ତ୍ଵଜ୍ଞାନୀ ପୁରୁଷମାନେ ଶ୍ରୀବିଗ୍ରହଙ୍କୁ ଦର୍ଶନ ବେଳେ ଓଁ କାର ସ୍ୱରୂପଙ୍କୁ ଜ୍ଞାନ ଚକ୍ଷୁରେ ଦେଖିପାରନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମ ଦର୍ଶନରେ ଉଚ୍ଚାରଣ କରିଥିଲେ, ‘ବିଜ୍ଞାନମୟ ଆତ୍ମା’ ! ଏହାର ଅର୍ଥ ହେଉଛି ଆତ୍ମା(ବ୍ରହ୍ମ) ନିଜକୁ ମଣିଷ ଚକ୍ଷୁ ସାମନାରେ ପଞ୍ଚଭୂତୀୟ ବିଜ୍ଞପ୍ତି କରିଛନ୍ତି ।

ଚଳିତ ମହା ଅଣସର କାଳରେ ଅଣବାଡଗ୍ରାହୀ ସେବକମାନଙ୍କ ବ୍ରହ୍ମ ଦର୍ଶନ ଉତ୍କଣ୍ଠା ସାରା ସନାତନ ଜଗତକୁ ହତଚକିତ କରିଛି । ଇଣ୍ଟରନେଟ ରେ ବ୍ରହ୍ମଙ୍କ ଛବି ପ୍ରସାରିତ ହେଉଛି- ହଳଦିଆ କପଡା ଉପରେ କଳାରଙ୍ଗର ବସ୍ତୁରୁ ବୃତ୍ତାକାର ନିଲାଜୟତି ବିଚ୍ଛୁରଣ ତଥା ନିମ୍ନରେ ହଳଦିଆ ଆଲୁଅ ବାହାରୁଛି ।

ବ୍ରହ୍ମଙ୍କର ଏରୂପ ବର୍ଣ୍ଣନା କୌଣସି ଶାସ୍ତ୍ର ଗ୍ରନ୍ଥରେ ନାହିଁ । ନକଲି ଛବି ପ୍ରସ୍ତୁତକାରୀ ଭୁଲି ଯାଇଛନ୍ତି ଯେ, ଖଟୁଲି ଉପରେ ରୂପାଗିନାରେ ବ୍ରହ୍ମ ପଦାର୍ଥଙ୍କୁ ରଖାଯାଇଛି। ଛବିରେ ଏସବୁ ନାହିଁ ।

ବ୍ରହ୍ମ କ’ଣ ଏକ ଛୁଇଁହେବା ଦେଖିହେବା ଭଳି ପଦାର୍ଥ ? କେନ ଉପନିଷଦ(୧:୩) କହନ୍ତି, ‘ନତତ୍ର ଚକ୍ଷୁର୍ଗଚ୍ଛତି ନ ମନୋ ନ ବିଦ୍ମୋ ନ ବିଦାକିମୋ’- ତାଙ୍କ ନିକଟରେ ଚକ୍ଷୁ ପହଞ୍ଚିପାରେ ନାହିଁ, ବାକ୍ ଶକ୍ତି ପହଞ୍ଚିପାରେ ନାହିଁ, ମନ ବା ବୁଦ୍ଧି ଅବା ଜ୍ଞାନ କେହି ପହଞ୍ଚିପାରେ ନାହିଁ । ସେ ଚକ୍ଷୁ, ଚର୍ମ, ମନ, ବୁଦ୍ଧି, ବାକ୍ୟ ଓ ଜ୍ଞାନର ଅଗୋଚର । ସମସ୍ତ ବେଦାନ୍ତ ଶାସ୍ତ୍ରଗଣ ସମସ୍ଵରରେ ଏକଥା କହନ୍ତି ।

ଶ୍ଵେତାଶ୍ଵତର ଉପନିଷଦ ଏକଥା କହନ୍ତି,’ତଦ୍ ବେଦ ଗୁହ୍ୟ ଉପନିଷତଷ୍ପୁ ଗୂଢଂ ତଦ୍ ବ୍ରହ୍ମା ବେଦତେ ବ୍ରହ୍ମା ଯୋନିଂ’– ବେଦମାନଙ୍କର ଗୋପନୀୟ ଗୂଢତମ ତତ୍ତ୍ଵ ଉପନିଷଦମାନଙ୍କରେ ଛପି ରହିଛନ୍ତି । ବ୍ରହ୍ମା ଜାଣନ୍ତି ଯେ ବ୍ରହ୍ମଙ୍କର ଉତ୍ପତ୍ତି ଉପନିଷଦ ମନ୍ତ୍ର ମାନଙ୍କ ମଧ୍ୟରୁ ।

ବ୍ରହ୍ମ ସଗୁଣ ଓ ନିର୍ଗୁଣ- ଏ ଦୁଇ ପ୍ରକାର । ନିର୍ଗୁଣ ହେଉଛନ୍ତୁ ଅରୂପ ନିରାକାର । ସଗୁଣ ହେଉଛନ୍ତି ସତ୍ତ୍ଵ, ରଜ ଓ ତମ ଗୁଣର ସମାହାରରୁ ସ୍ପଷ୍ଟ ଦୃଶ୍ୟମାନ ସମଗ୍ର ବିଶ୍ଵବ୍ରହ୍ମାଣ୍ଡ- ପଞ୍ଚଭୂତୀୟ ପଦାର୍ଥ ।

ସଗୁଣ ବ୍ରହ୍ମ ହେଉଛନ୍ତି ଆକାଶ, ମାଟି, ପାଣି, ପବନ, ଗୋଡି, ମାଟି ଅବା ପଥର ଇତ୍ୟାଦି । ଯାହାକୁ ଦେଖି ହେଉଛି, ଛୁଇଁ ହେଉଛି ସେ ହେଉଛନ୍ତି ସଗୁଣ ବ୍ରହ୍ମ । ମଣିଷ ଭିତରେ ଆତ୍ମା ଯେମିତି, ଜଗନ୍ନାଥଙ୍କ ମଧ୍ୟରେ ବ୍ରହ୍ମ ସେମିତି । ଛୁଇଁବ କେମିତି, ଦେଖିବ କେମିତି ?

ଅନନ୍ତ କୋଟି ବିଶ୍ଵ ବ୍ରହ୍ମାଣ୍ଡକୁ ଧାରଣ କରିଥିବା ନିରାକାର ବ୍ରହ୍ମଙ୍କୁ ଯଦି ଖଟୁଳିରେ ଦେଖିବା, ଛୁଇଁବା ସମ୍ଭବପର, ତେବେ ସମସ୍ତ ବେଦାନ୍ତ ଗୁଡିକୁ ସମୁଦ୍ରରେ ଫିଙ୍ଗିଦିଆଯିବ ଅବା ମାଟିରେ ପୋଟୋଇ ଦିଆଯିବ ଓ ସ୍କନ୍ଦ ପୁରାଣରୁ “ବେଦାନ୍ତେଷୁ ପ୍ରଚୀୟତେ” ଧାଡିଟି କାଟି ଦେବାକୁ ହେବା।

କଳିଯୁଗର ଅଜ୍ଞ ମଣିଷମାନେ ବେଦାନ୍ତ ତତ୍ତ୍ଵ ଗୁଡିକୁ ବୁଝିବାକୁ ସମର୍ଥ ହେବେ ନାହିଁ ବୋଲି ଶ୍ଵେତଶ୍ଵତର ଉପନିଷଦ (୬:୨୨) କହିଛନ୍ତି । ‘ବେଦାନ୍ତେ ପରମ ଗୁହ୍ୟଂ ପୁରାକଳ୍ପେ ପ୍ରଚେଦିତମ୍ , ନାପ୍ରଶାନ୍ତାୟ ଦାତବ୍ୟଂ ନାପୁତ୍ରାୟାଶିଷ୍ୟାୟ ବା ପୁନଃ’- ପ୍ରାଚୀନ କାଳରେ ରଚିତ ବେଦାନ୍ତରେ ପରମ ଗୋପନୀୟ ତତ୍ତ୍ଵ ଗୁଡିକ କାମ, କ୍ରୋଧ, ଲୋଭ, ମୋହରୁ, ପ୍ରଶାନ୍ତ ହୋଇଥିବା ବ୍ୟକ୍ତିକୁ ଆବ ଯେ ପୁତ୍ର ନୁହେଁ ବା ଶିଷ୍ୟ ନୁହେଁ ତାକୁ ଦେବ ନାହିଁ ।

ଏ ପ୍ରକାର ଉପଦେଶ ଶ୍ରୀମଦ୍ଭାଗବତ (୩:୩୨:୩୯ ଓ ୪୦), ମୁଣ୍ଡକ ଉପନିଷଦ (୧:୨:୧୩) ଛାନ୍ଦୋଗ୍ୟ ଉପନିଷଦ (୩:୧୧:୫ ଓ ୬) ତଥା ହରିବଂଶ ପୁରାଣ ଓ ଅନ୍ୟ ଗ୍ରନ୍ଥମାନଙ୍କରେ ଦିଆଯାଇଛି। ବ୍ରହ୍ମ ପରିବର୍ତ୍ତନ ମହାବିଭ୍ରାଟରୁ ସ୍ପଷ୍ଟ ହୋଇଛି, ହୁଏତ ଜଗଦୀଶ୍ଵର କରୁଣା କରି ପାରନ୍ତି ସେମାନଙ୍କ ମଧ୍ୟରେ ଚେତନା ଜାଗ୍ରତ କରିବା ପାଇଁ- “ଯମୈବୈଷ ବୃଣୁତେ ତେନ ଲଭ୍ୟଃ”- ଯାହାଙ୍କୁ ସେ କରୁଣା କରନ୍ତି ସେ ଏ ଜ୍ଞାନ ଲାଭ କରନ୍ତି । ସେ ହିଁ ବ୍ରହ୍ମ ରହସ୍ୟ ଭେଦ କରନ୍ତି।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.