ଅଦ୍ଭୁତ କବଚ

images 5
Reading Time: 4 minutes

ଅନେକ ଦିନ ତଳର କଥା । ରାମଗଡ ରାଜ୍ୟରେ ସେତେବେଳେ ପ୍ରତାପ ସିଂହ ବୋଲି ଗୋଟାଏ ଡାକୁ ଥାଏ । ଦିନବେଳେ ଜଣେ ସାଧାରଣ ଗ୍ରାମବାସୀର ପୋଷାକ ପିନ୍ଧି ରାତି ହେଲେ ସେ କେଉଁ ଘରେ ପଶିବ, ତାହା ଠାବ କରୁଥାଏ ।

ଦିନେ ଦୁଇପହର ବେଳେ ସେ ଗୋଟାଏ ବଡ ଗାଁ ଭିତର ଦେଇ ଯାଉଛି, ଦେଖିଲା ଗୋଟାଏ ଗଛମୂଳରେ ଜଣେ ବାବାଜୀ ଶୋଇଛନ୍ତି । ସାଧୁ ବାବାଜୀଙ୍କ ପାଖରେ ବା କି ସମ୍ପଦ ଥିବ ଯେ ସେ ତାହା ଚୋରି କରିବ? ତଥାପି ଅଭ୍ୟାସ ଅନୁସାରେ ପ୍ରତାପ ସେ ବାବାଜୀଙ୍କୁ ଭଲ କରି ଲକ୍ଷ୍ୟ କଲା ।

ସେ ଏଣେତେଣେ ଅନାଇ ଦେଖିଲା, କେହି ଆଖପାଖରେ ନାହାଁନ୍ତି । ପାଖକୁ ଯାଇ ସେ ଦେଖିଲା ବାବାଜୀଙ୍କ ପାଖରେ କୌଣସି ଥଳି ବା ପୁଟୁଳି ନାହିଁ । ସେ ତା’ ମନେ ମନେ ଖୁବ୍ ବିରକ୍ତ ହୋଇ କହିଲା, “ଏ ବାବାଜୀଗୁଡା କାହିଁକି, ବେକାର ଏ ଦୁନିଆରେ ଥାନ୍ତି?”

ଦେଖିଲା, ବାବାଜୀଙ୍କ ହାତରେ ଗୋଟାଏ କବଚ ବନ୍ଧା ହୋଇଛି । ହୁଏତ ସେଇଟା ସୁନାରେ ତିଆରି ହୋଇଥିବ ବୋଲି ଭାବି ସେ ତାହା ବାବାଜୀଙ୍କ ହାତରୁ ଖୋଲିନେଲା । ନିଜ ହାତରେ ବାନ୍ଧି ସହରକୁ ଗଲେ କେହି ତାହା ଚୋରି ଜିନିଷ ବୋଲି ଆଦୌ ସନ୍ଦେହ କରିବେ ନାହିଁ, ଏଇଆ ଭାବି ସେ ତାକୁ ନିଜ ହାତରେ ବାନ୍ଧି ପକାଇ ତରତର ହୋଇ ସେଠୁ ଚାଲିଗଲା ।

ହଠାତ୍ ସେ ନିଜେ ପାଟି କରିବାକୁ ଆରମ୍ଭ କଲା, “ମୁଁ ଡାକୁ ପ୍ରତାପ ସିଂହ! ହଁ, ହଁ, ମୁଁ ଆଉ କେହି ନୁହେଁ, ଡାକୁ ପ୍ରତାପ ସିଂହ । ମୋତେ ଧରିବା ପାଇଁ ରାଜା ହଜାରେ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି!”

କେତେଜଣ ବାଟୋଇ ତା’ ପାଟି ଶୁଣି ଏକବାରେ କାବା ହୋଇ ରହିଗଲେ । କାହିଁକିନା ସମସ୍ତେ ଜାଣିଥିଲେ ଯେ ଡାକୁ ପ୍ରତାପ ସିଂହକୁ ଧରାଇ ଦେଲେ ରାଜା ପାଞ୍ଚହଜାର ଟଙ୍କା ପୁରସ୍କାର ଦେବେ । କିନ୍ତୁ ଖୋଦ୍ ପ୍ରତାପ ସିଂହ କ’ଣ ନିଜକୁ ଧରାପକାଇବ? ଏ ଲୋକଟା କ’ଣ ପାଗଳ? ସେମାନେ ତାକୁ ଧରିବେ କି ନାହିଁ କିଛି ଠିକ୍ କରିପାରିଲେ ନାହିଁ ।

ସେ ନିଜ ଆଚରଣରେ ନିଜେ ଆଚମ୍ବିତ ହୋଇ ସେ କବଚଟି ଖୋଲି ତୁରନ୍ତ ଫୋପାଡି ଦେଲା । ସଙ୍ଗେ ସଙ୍ଗେ କବଚ ଆପଣା ଛାଏଁ ପୁଣି ଉଡି ଆସି ତା’ ହାତରେ ବାନ୍ଧି ହୋଇଗଲା । ସେତେବେଳକୁ ତା’ ପାଟି ଶୁଣି ସେଠାରେ କେତେଜଣ ସିପାହୀ ଆସି ପହଁଚି ଯାଇଥିଲେ । ଡାକୁ ପ୍ରତାପ ସିଂହର ଯେଉଁ ଭଳି ବର୍ଣ୍ଣନା ସେମାନେ ଶୁଣିଥିଲେ, ତାହା ସହ ଏ ଲୋକର ଚେହେରା ପୁରାପୁରି ମିଶି ଯାଉଥିଲା । ସେମାନେ ତାକୁ ଧରି ନେଲେ ଓ ରାଜାଙ୍କ ପାଖକୁ ନେଇ ଯାଇ ତା’ବିରୁଦ୍ଧରେ ସବୁ କହିଲେ ।

ରାଜା କହିଲେ, “ଡାକୁ ନିଜେ କ’ଣ ପାଇଁ ନିଜକୁ ଧରା ପକାଇବ? ଅବଶ୍ୟ ହଠାତ୍ ମୁଣ୍ଡ ଖରାପ ହୋଇଯାଇଥିବା କିଛିବି ଅସମ୍ଭବ ନୁହେଁ । ଏହାର ଘରକୁ ଯାଇ ଭଲ ଭାବରେ ଖାନ୍ତଲାସ୍ କର ।”

ଏହାପରେ ସେ ପ୍ରତାପ ସିଂହର ଘର ଖାନ୍ତଲାସ୍ ହେଲା । ଅନେକ ସୁନା ରୂପା ଟଙ୍କା ପଇସା ତା’ ଘରୁ ବାହାରିଲା । ସେସବୁ ଚୋରୀମାଲ୍ ବୋଲି ପ୍ରମାଣ ମଧ୍ୟ ମିଳିଲା । ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, “ଏ ଲୋକ ଯେ ପ୍ରତାପ ସିଂହ ତା’ ତ ଠିକ୍, କିନ୍ତୁ ସେ କାହିଁକି ନିଜକୁ ଏମିତି ଧରା ପକାଇଲା, ତାହାର କାରଣ ଆମକୁ ଖୋଜି ବାହାର କରିବାକୁ ହେବ । ବର୍ତ୍ତମାନ ଏହାକୁ କାରାଗାରରେ ରଖ ।”

ପ୍ରତାପ କାରାଗାରରେ ରହିଲା । କାରାଗାରର ପ୍ରହରୀ ସହିତ ସେ ଖୁବ୍ ଶୀଘ୍ର ଗପସପ ଆରମ୍ଭ କରିଦେଲା । ପ୍ରହରୀ ପଚାରିଲା “ଆରେ ଭାଇ, ତୁ ଏଡେ ସହଜରେ ଚୋରି କରି କିପରି ଖସି ଯାଉ?” “ଏଇ କବଚ ବଳରେ । ଏହାକୁ ବାନ୍ଧିଲେ ବୁଦ୍ଧି ବଢିଯାଏ । ତମେ ଦେଖିବ?” ଏହା କହି ଡାକୁ ସେ କବଚ ଦେଖାଇଦେଲା । ପ୍ରହରୀ କାରାଗାରର ଦ୍ୱାର ଖୋଲି ଉକ୍ତ କବଚଟି ନେଲା ଓ ନିଜେ ତାକୁ ପିନ୍ଧିଲା । ସଙ୍ଗେ ସଙ୍ଗେ ତା’ ଭିତରୁ ତା’ ଗୋପନ କଥା ସବୁ ବାହାରି ଆସିଲା । ସେ କହିଲା, “ମୁଁ ନିଦରେ ଶୋଇ ପଡିଲେ ବି ମୋ ଆଖି ସେମିତି ଖୋଲାଥାଏ ।”

ଏହିଭଳି ଭାବେ ସେ ଦୁହେଁ ଗପ କରୁ କରୁ ପ୍ରହରୀକୁ ନିଦ ଲାଗିଲା । ତା’ ଆଖି କିନ୍ତୁ ପୂର୍ବବତ ସେମିତି ଖୋଲାଥାଏ । ପ୍ରତାପ ଚୁପ୍ ଚାପ୍ କାରାଗାରରୁ ବାହାରି ଚାଲିଗଲା । ପ୍ରହରୀର ନିଦ ଭାଙ୍ଗିଲା ବେଳକୁ ସେ ବନ୍ଦୀ ସେଠାରେ ଆଉ ନାହିଁ । ଏଣୁ ସେ ସିଧା ରାଜାଙ୍କ ପାଖରେ ଯାଇ ପହଁଚିଲା ଓ ତାଙ୍କୁ ସବୁ କଥା କହିଲା ।

ରାଜା ବର୍ତ୍ତମାନ ବୁଝିପାରିଲେ କି ସେହି କବଚଟି ଯିଏ ପିନ୍ଧିବ, ସିଏ ଆଉ ତା’ ନିଜ ପେଟରେ କୌଣସି କଥା ମଧ୍ୟ ଲୁଚାଇ ରଖିପାରିବ ନାହିଁ । ସେ ରାଗରେ କବଚଟି ପ୍ରହରୀ ହାତରୁ ଝିଙ୍କି ଆଣିଲେ ଓ ତାକୁ ଫୋପାଡି ଦେଲେ । ସଙ୍ଗେ ସଙ୍ଗେ କବଚ ଆସି ପୁଣି ତାଙ୍କରି ହାତରେ ଲାଗିଗଲା । ଏଥିରୁ ସେ ଏହା ବୁଝିଲେ ଯେ, କେହି ସ୍ୱେଚ୍ଛାପୂର୍ବକ ତାଙ୍କଠାରୁ କବଚ ନ ନେଲେ ତାହା କବଳରୁ ଆଉ ମୁକ୍ତି ନାହିଁ ।

ସେ କବଚ ଦ୍ୱାରା ରାଜା ତାଙ୍କ ସଭାସଦମାନଙ୍କ ବିଷୟରେ କିଛି ଜ୍ଞାନ ଅର୍ଜନ କରିବାକୁ ମନ କଲେ । ପରଦିନ ସେ ଜଣେ ଅମାତ୍ୟଙ୍କୁ ସେହି କବଚ ଯାଚିଲେ । ସେ ନେଇ ତାକୁ ପିନ୍ଧି ପକାଇ କହିଲେ, “ମହାରାଜ ମୋତେ ମନ୍ତ୍ରୀ କଲେ ରାଜ୍ୟରେ ବହୁତ ଉନ୍ନତି ହୁଅନ୍ତା ।” ଦ୍ୱିତୀୟ ଦିନ ଜଣେ କର୍ମଚାରୀ ସେହି କବଚ ଗ୍ରହଣ କରି କହି ପକାଇଲେ, “ରାଜା ତ ଭଲ ଦରମା ଦିଅନ୍ତି, କିନ୍ତୁ କାମ ବି ସେମିତି ଆଦାୟ କରି ନିଅନ୍ତି । ତୃତୀୟ ଦିନ ସେନାପତିଙ୍କୁ ରାଜା କବଚଟି ଦେଲେ । ସେ ତାହା ପିନ୍ଧି ଗମ୍ଭୀର ଭାବରେ କହିଲେ, “ମୁଁ ଯଦି ସିଂହାସନରେ ବସନ୍ତି, ତେବେ ରାଜା ହୋଇ କିପରି ରାଜ୍ୟ ଶାସନ କରିବାକୁ ହୁଏ, ତାହା ମୁଁ ଠିକ୍ ଦେଖାଇ ଦିଅନ୍ତି!”

ରାଜା ତାଙ୍କଠୁ ସେ କବଚ ଫେରାଇ ନେଲେ, କିନ୍ତୁ ଏଥିରେ ତାଙ୍କ ମନ ଭୀଷଣ ମାତ୍ରାରେ ଖରାପ ହୋଇଗଲା । କାହିଁକିନା ତାଙ୍କ ସେନାପତିଙ୍କୁ ସେ ବହୁତ ବିଶ୍ୱାସ କରୁଥିଲେ । ଅଥଚ ସେ ଲୋକ ମନରେ ପୁଣି ଏହିଭଳି ଉଚ୍ଚାକାଂକ୍ଷା ରହିଛି!

ପରଦିନ ସେ ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ, “ମୋ ମନରେ ସୁଖ ନାହିଁ । ରାଜକାର୍ଯ୍ୟରେ ମୋଟେ ମନ ଲାଗୁ ନାହିଁ ।”

ମନ୍ତ୍ରୀ କହିଲେ, “ମୁଁ ମଧ୍ୟ ଠିକ୍ ସେଇକଥାହିଁ ଲକ୍ଷ କରି ପାରୁଛି । ମୋ ମତରେ ଏ କବଚହିଁ ସେସବୁପାଇଁ ଦାୟୀ । ଯେତେ ଚଂଚଳ ହେବ ଏହାକୁ ଏଠୁ ବିଦାୟ କରନ୍ତୁ ।”

ରାଜା ଚିନ୍ତିତ ହୋଇ କହିଲେ “ମନ୍ତ୍ରୀ! ମୁଁ ବି ତାହାହିଁ ଚାହେଁ । କାରଣ ଏହା ପାଖରେ ଥିଲେ ମୁଁ କେତେବେଳେ ହୁଏତ ଶାସନର ଗୋପନ କଥା ଆଉ କାହା ପାଖରେ କହିଦେବି । ହୁଏତ ଆମର ବଳ କେତେ, ଦୁର୍ବଳତା କ’ଣ, ସେକଥା ପଡୋଶୀ ରାଜ୍ୟମାନେ ଅଚୀରେ ଜାଣିଯିବେ । କିନ୍ତୁ ଏବେ ଏ କବଚ ନେବ କିଏ?”

ଏହାପରେ ସେ ମନ୍ତ୍ରୀ ଏପରି ଏକ ଲୋକଟିଏ ଖୋଜିଲେ ଯିଏ କି ସେ କବଚ ଗ୍ରହଣ କରିବ । ମାତ୍ର ସେତେବେଳକୁ ସେ କବଚ ଗୋଟାଏ ଭୟଙ୍କର ଚିଜ ବୋଲି ପ୍ରାୟ ସମସ୍ତେ ଜାଣିଗଲେଣି । ଏପରିକି ପୁରସ୍କାର ସହ କବଚ ଦେବା କଥା ମଧ୍ୟ ଘୋଷଣା ହେବା ସତ୍ତ୍ୱେ ତାକୁ ଗ୍ରହଣ କରିବାକୁ କେହିବି ଆଗଭର ହେଲେ ନାହିଁ ।

ମନ୍ତ୍ରୀ ଅବଶେଷରେ ଦିନେ ଜଣେ ଯୁବକଙ୍କୁ ଆଣି ରାଜାଙ୍କ ଆଗରେ ଠିଆ କରାଇଦେଲେ ଓ କହିଲେ, “ମହାରାଜ, ଏ ଯୁବକ ଆପଣଙ୍କଠୁଁ କବଚ ନେବାକୁ ପ୍ରସ୍ତୁତ । ଅତଏବ ତାଙ୍କୁ ସଙ୍ଗେ ସଙ୍ଗେ ଉପଯୁକ୍ତ ପୁରସ୍କାର ବି ଦେବା ଉଚିତ୍ ।”

ରାଜା ତତ୍କ୍ଷଣି ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ଥଳି ସହ ସେ ଯୁବକକୁ କବଚ ଦେଲେ । ଯୁବକ କବଚ ପିନ୍ଧିଲା, କିନ୍ତୁ ସେ ପଦେ ବି ହେଲେ କିଛି କହିଲା ନାହିଁ । ରାଜା ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀଙ୍କୁ ପଚାରିଲେ, “ଏଭଳି ସଂଯତ ବ୍ୟକ୍ତି ଯେ ଆମ ରାଜ୍ୟରେ ଅଛନ୍ତି ବୋଲି ମୁଁ ତ କାହିଁ ସେକଥା ଜାଣି ନଥିଲି ।”

ଯୁବକ ସେଠାରୁ ଚାଲିଯିବା ପରେ ମନ୍ତ୍ରୀ ହସି ହସି କହିଲେ, “ମହାରାଜ, ସେ ଯୁବକଟି ଏକ ମୂକ । ତେଣୁ କବଚ ପିନ୍ଧି ମଧ୍ୟ ସେ ନିରାପଦ ।”

 

This beautiful story curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.