🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ନିଷ୍ଠୁରତାର ପ୍ରତିଫଳ “🌻

Cruelty story
Reading Time: 4 minutes

ନଟବର ତ ପିଲାଦିନେ ଖୁବ୍ ଦୁଷ୍ଟ ଥିଲା । ଚଗଲାମି କରିବାରେ ତା’ର ଦିନଯାଏ । ବେଳେ ବେଳେ ନିଜ ଖୁସି ପାଇଁ ପଶୁମାନଙ୍କ ସହିତ ଲାଗି ତାଙ୍କୁ ସେ ଭାରି ହଇରାଣ କରେ ।

ଦୁର୍ଭାଗ୍ୟକୁ ଥରେ ଛୋଟ କୁକୁରଛୁଆଟିଏ ତା’ ହାବୁଡରେ ପଡିଲା । ନଟର ବାପା ସବୁଦିନେ ଟିକିଏ ରୁଟି ଦେବାରୁ ସେ ସେଠିକି ଆସେ । ନଟ ସୁଯୋଗ ଦେଖି ତାକୁ ବହୁତ ହଇରାଣ କରେ । ଯେତେବେଳେ ଭୋକରେ ସେ ଖାଦ୍ୟ ପାଖକୁ ଦୌଡେ ନଟ ସେହି ଖାଦ୍ୟ ପାତ୍ରଟିକୁ କେଉଁଠି ଲୁଚାଇ ଦିଏ ।

ବେଳେ ବେଳେ ନଟ ସେ କୁକୁରଛୁଆକୁ ନେଇ ଗଛର ଉଚ୍ଚ ଡାଳରେ ବସାଇ ଦିଏ । ଭୟରେ ତା’ର ପ୍ରାଣ ଛଟପଟ ହୁଏ । ସେ କୁଉଁକୁଉଁ କରି ଅନବରତ ବୋବେଇ ଚାଲେ । ଏ କଥା ଦେଖି ନଟ ଖାଲି ହସି ହସି ଗଡେ । ଏପରି ସବୁ ନ କରିବା ପାଇଁ ତାକୁ ତା’ର ବାପା ବହୁତ ବୁଝାନ୍ତି, କିନ୍ତୁ ଫଳ କିଛି ହେଲେବି ହୁଏ ନାହିଁ ।

ନଟବର ଧୀରେ ଧୀରେ ବଡ ହେଲା । ନିଜ ଚଗଲାମି ଯୋଗୁଁ ସେ ଯମାରୁ ବେଶି ପଢି ପାରି ନଥାଏ । ଦେଶରେ ଅକାଳ ପଡିଲା । ତା’ର ବୁଢା ବାପା ରୋଗାକ୍ରାନ୍ତ ହୋଇ ମରିଗଲେ । ଏଣେ ଗ୍ରାମରେ ଫସଲ ନାହିଁ, ଖାଦ୍ୟାଭାବ । ଶେଷରେ ସେ ଅନନ୍ୟୋପାୟ ହୋଇ ସହରକୁ ଚାଲିଗଲା ।

ଭାଗ୍ୟକୁ ସହରରେ ପହଁଚି ତାକୁ ଜଣେ ସେଠଙ୍କ ଘରେ କିଛି କାମ ମିଳିଗଲା । ଖାଇପିଇ ମାସକୁ ଦରମା ପଚିଶ ଟଙ୍କା । ସେଠଜୀ ଖୁବ୍ ଧାର୍ମିକ ଓ ବିଚାରବନ୍ତ ଥିଲେ ।

ସେଠଙ୍କର ଦଶବର୍ଷର ପୁଅ ଶେଖର ନଟଠାରୁ କାହାଣୀ ଶୁଣିବାକୁ ଜିଦ୍ କରେ । ସେଥିରେ କାମରେ ଗୋଳମାଳ ହୋଇ ନଟ ଗାଳି ଶୁଣେ । ଦିନେ ସେ ନଟକୁ କହିଲେ, “ମନେହୁଏ ତୋର ଆଉ କାମ ପାଇଁ ଇଚ୍ଛା ନାହିଁ । ଏପରି କାମରେ ହେଳା କଲେ ତୋତେ କାମ ଛାଡି ଚାଲିଯିବାକୁ ପଡିବ ।”

କାମରୁ ବାହାରିଯିବା ଡରରେ ସେ ସେଠଜୀଙ୍କୁ ସବୁ କହିଲା । ସେଠଜୀ ଶେଖରକୁ ଗାଳି ଦେଲେ । ସେଇ ଦିନଠୁ ଶେଖର ନଟକୁ ଆହୁରି ହଇରାଣ କରିବାକୁ ଲାଗିଲା ।

ଥରେ ଖୁବ୍ ଶୀତ ପଡିଥାଏ । ଦିନେ ସକାଳୁ ଶେଖର କିଛି ଗରମ ଲୁଗା ଧରି ନଟ ପାଖକୁ ଆସି କହିଲା, “ଏ ଭୟଙ୍କର ଥଣ୍ଡାରେ ଦେହ କମ୍ପି ଯାଉଛି । ଏସବୁ ଗରମ ଲୁଗା ବ୍ୟବହାର କଲେ ବହୁତ ଆରାମ । ତୁ ତୋ ପୁରୁଣା କୁର୍ତା ସବୁ କାଢିପକା ଏଗୁଡିକ ମୁଁ ତୋତେ ଦେବି ।”

ଗରମ ଲୁଗା ପାଇବା ଲୋଭରେ ନଟବର ତା’ ପୁରୁଣା ଲୁଗାସବୁ କାଢିଦେଲା ଓ ଖାଲି ଗାମୁଛାଟିଏ ପିନ୍ଧି ଠିଆ ହୋଇ ଭାବୁଥାଏ, “ଆଃ ଶେଖରବାବୁ କି ଦୟାଳୁ ।” କିନ୍ତୁ ଏ କ’ଣ? ଶେଖର ତା’ର ବଡ କୁକୁରଟିକୁ ଡାକି ନଟବର ପଛରେ ତାକୁ ଗୋଡାଇବାକୁ ନିର୍ଦେଶ ଦେଲା । ଆଉ କହିଲା, “ତୁ ଶୀଘ୍ର ଏଠୁ ପଳା ନହେଲେ ତୋତେ ଟିକି ଟିକି କରି କାଟିଦେବ ।”

ଥଣ୍ଡାରେ ପୁଣି କୁକୁର ଭୟରେ ନଟର ସାରା ଦେହ ଖାଲି କମ୍ପୁଥାଏ । ଶେଖରର ଏପରି ନିର୍ଦ୍ଦୟ ବ୍ୟବହାରରେ ସେ ଦୁଃଖ କରିବ ନା ଆଶ୍ଚର୍ଯ୍ୟ ହେବ ସେକଥା ଭାବିବାକୁ ତା’ର ଆଉ ସମୟ ନଥିଲା । କୁକୁରର ଗର୍ଜ୍ଜନ ଶୁଣି ସେ ପଟପଟିଆ ହୋଇ ଦୌଡିଲା । କୁକୁର ମଧ୍ୟ ଦୌଡିଲା । ନଟ ଦୌଡି ଦୌଡି ହାମ୍ପି ଯାଇ କାନ୍ଦିବାକୁ ଆରମ୍ଭ କଲା ।

ତା’ପରେ ଶେଖର କୁକୁରକୁ ଡାକି ନେଲା ଓ ନଟକୁ କହିଲା, “ପ୍ରକୃତରେ ଏ ଲୁଗା ଟିକିଏ ଥଣ୍ଡା ଥିଲା, ଏବେ ତ ତୋ ଦେହ ଗରମ ହୋଇ ଯାଇଥିବ । ଏଇ ଲୁଗା ପିନ୍ଧି ଦେ ।”

ଶେଖର ଦେଖିଲା ଦାମୀ ପୋଷାକଗୁଡିକ ସବୁ ଓଦା । ତେଣୁ ସେ ଚୁପ୍ଚାପ୍ ନିଜର ପୁରୁଣା ଲୁଗା ପିନ୍ଧିଲା । ଶେଖରର ଏଇ କ୍ରୁର ଥଟ୍ଟା ତାକୁ ମୋଟେ ଭଲ ଲାଗିଲା ନାହିଁ । ସେ ମନେ ମନେ ସ୍ଥିର କଲା ଏସବୁ କଥା ସେଠଜୀଙ୍କୁ ସେ କହିବ ।

ସେ ସେଠଙ୍କ ପାଖରେ ପହଁଚି ଦେଖିଲା ଆଉ ଜଣେ ଚାକର ମଧ୍ୟ ସେଠଙ୍କ ପାଖରେ ଶେଖରର ଦୁଷ୍ଟାମୀ ବିଷୟରେ ଅଭିଯୋଗ କରୁଛି । ସେଠ ତାକୁ ବୁଝାଉଥା’ନ୍ତି, “ଶେଖର ଯଦି କାମ ବେଳେ ତୁମ ସହିତ କୌଣସି ପ୍ରକାର ବଦମାସି କରେ ତ ତାକୁ ମୁଁ ଦଣ୍ଡ ଦେବି । କିନ୍ତୁ ଅନ୍ୟ ସମୟରେ ଯଦି ଟିକିଏ କ’ଣ ମଜା କରୁଛି ତ ସେସବୁ ମୋ ପାଖରେ ଅଭିଯୋଗ କରିବାର କୌଣସି ବି କାରଣ ନାହିଁ । ଯେତେ ଯାହାହେଲେ ବି ସେ ପିଲା, ଦୁଷ୍ଟାମୀ ତ କରିବହିଁ । ତେଣୁ ପ୍ରତ୍ୟେକ କଥାରେ ଅଭିଯୋଗ କଲେ ଶୁଣିବାକୁ ମୋପାଖେ ଆଉ ଏତେ ସମୟ ନାହିଁ ।” ସେଠଜୀଙ୍କର ଏଭଳି କଥା ଶୁଣି ନଟବର ମଧ୍ୟ ଆଉ କୌଣସି ଅଭିଯୋଗ ନ କରି ସେଠାରୁ ଫେରି ଆସିଲା ।

ସେଠଜୀଙ୍କ ଘରେ ତ ଅନେକ ଗୁଡିଏ ଚାକର ଥିଲେ । କିନ୍ତୁ ଶେଖର ସବୁଠାରୁ ନଟକୁ ବେଶି ହଇରାଣ କରେ । ଦିନେ ଜଣେ ଚାକର ଶେଖରକୁ ଗୋଟିଏ କୁକୁରଛୁଆ ଆଣି ଦେଲା । ତା’ପରେ ସେ ଯାଇ ନଟବରକୁ କହିଲା, “ଏଣିକି ଶେଖର ଆଉ ତୋତେ ବେଶି ହଇରାଣ କରିବ ନାହିଁ । କାରଣ ତା’ ସହିତ ଖେଳିବାକୁ ମୁଁ ଗୋଟିଏ କୁକୁରଛୁଆ ଆଣି ଦେଇଛି ।” ଏକଥା ଶୁଣି ନଟବର ଅତ୍ୟନ୍ତ ଖୁସି ହେଲା ।

କିନ୍ତୁ କୁକୁରଛୁଆର କଥା ଶୁଣି ତା’ର ପିଲାଦିନର ଘଟଣା ସବୁ ମନେ ପଡିଲା । ସେ ଏତେଦିନେ ଏହା ଉପଲବ୍ଧି କଲା କି ତା’ର ପିଲାଦିନର କୁକର୍ମର ଫଳ ଏବେ ସେ ଭୋଗ କରୁଛି ।

ତା’ପରେ ସେ ଶେଖରର କୁକୁରଛୁଆ କଥା ଭାବିଲା । “ଯଦି ଶେଖର ମୋ ପ୍ରତି ଏତେ ନିଷ୍ଠୁର ହୋଇ ପାରୁଛି, ତେବେ ସେ କୁକୁରଛୁଆକୁ ତ ଆହୁରି ନିଷ୍ଠୁର ବ୍ୟବହାର କରିବ । ତେଣୁ ମୁଁ ଏବେ ଯଦି ସେହି ଛୁଆଟିର ଯତ୍ନ ନେବି ତେବେ ପିଲାଦିନେ କରିଥିବା ପାପର ମୁଁ କିଛିଟା ପ୍ରାୟଶ୍ଚିତ କରି ପାରିବି ।”

ସେ ଯାଇ ଶେଖର ପାଖରେ ପହଁଚି ଦେଖିଲା ଶେଖର କୁକୁରଛୁଆକୁ ତା’ର ବଡ ଶିକାରୀ କୁକୁର ପାଖରେ ଛାଡିଛି । ସେ ଭୟରେ କୁଉଁକୁଉଁ କରି ବୋବାଉଛି, ଏବେ ସେ ତା’ର ପିଲାବେଳର ଦୁଷ୍ଟାମୀ ଠିକ୍ ଉପଲବ୍ଧି କଲା । ସେ ଶେଖରକୁ ଗାଳିଦେଇ କହିଲା, “ତୋର ଯଦି ଏପରି ନିର୍ମମ ନିର୍ଯ୍ୟାତନା ଦେବାରେ ମଜା ହେଉଛି ତେବେ ବରଂ ମୋତେ ଦେ; ମାତ୍ର ଏଇ ଅସହାୟ ପ୍ରାଣୀକୁ କାହିଁକି ଏତେ କଷ୍ଟ ଦେଉଛୁ? ତାକୁ ଛାଡି ଦେ ।”

“ମୋତେ ଏକଥା କହିବାକୁ ତୁ କିଏ? ଏଠୁ ଚାଲି ଯା କହୁଛି ।” ଏହା କହି ଶେଖର ଛୁଆକୁ ଜାବୁଡି ଧରିଲା । ନଟ ମଧ୍ୟ ରାଗିଗଲା ଓ ସମସ୍ତ ଶକ୍ତି ଖର୍ଚ୍ଚ କରି କୁକୁରଛୁଆକୁ ତା’ଠାରୁ ଛଡାଇଲା; ଯେତେବେଳେ ନ ପାରିଲା ରାଗରେ ଶେଖରକୁ ସେ ଗୋଟାଏ ଚାପଡ ମାରି କୁକୁରଛୁଆକୁ ତା’ଠାରୁ ନେଇ ଚାଲିଗଲା ।

ସେଠଙ୍କ ପାଖରେ ଯାଇ ଏ ଖବର ପହଁଚିଲା । ସେ ରାଗିଯାଇ କହିଲେ, “ଚାକରଙ୍କ ମୁହଁ ଦେଖ! ମୋ ପୁଅ ଉପରେ ସେ ପୁଣି ହାତ ଉଠାଇଲା? ସୁତରାଂ ସେ ସଙ୍ଗେ ସଙ୍ଗେ ନଟକୁ ଡାକି ଏହାର କାରଣ ପଚାରିଲେ ।”

ନଟବର ଶାନ୍ତ ହୋଇ ଓ ନିର୍ଭୟ ଭାବରେ ସେମିତି ଠିଆ ହୋଇଥାଏ । ସେ ଉତ୍ତର ଦେଲା, “ମାଲିକ୍, ଶେଖର ଏହି ଅସହାୟ କୁକୁରଛୁଆକୁ ଖୁବ୍ ନିର୍ଯ୍ୟାତନା ଦେଉଥିଲା । ସେ ମୋତେ ମଧ୍ୟ ଅତ୍ୟନ୍ତ ନିର୍ମମ ଭାବରେ ନିର୍ଯ୍ୟାତନା ଦେଇଛି । ମୁଁ କିନ୍ତୁ ସବୁ ସହ୍ୟ କରିଛି ଏବଂ ଆପଣଙ୍କ ପାଖରେ ତା’ ବିରୁଦ୍ଧରେ କିଛି ହେଲେବି ଅଭିଯୋଗ କରିନାହିଁ । କିନ୍ତୁ ଏ ଅସହାୟ ପ୍ରାଣୀ ପ୍ରତି ତା’ର ନିଷ୍ଠୁରତା ମୁଁ ଆଦୌ ସହ୍ୟ କରି ପାରିଲି ନାହିଁ । ମୋ ମନରେ କ୍ରୋଧ ଆସିଲା ।” ଏକଥା କହୁ କହୁ ତା’ ଆଖିରେ ହଠାତ୍ ଲୁହ ଭରିଗଲା । ତା’ପରେ ସେ ତା’ ପିଲାବେଳର ଘଟଣା କଥା ଶୁଣାଇ କହିଲା, “ମୁଁ ମୋ ପିଲାବେଳର କରିଥିବା ପାପ ଯୋଗୁଁ ଅନେକ ଭୋଗୁଛି । ମୋର ସେଇ ପାପର ସମ୍ପୂର୍ଣ୍ଣ କ୍ଷାଳନ ପାଇଁ ମୁଁ ଏବେ ସେହି କୁକୁରଛୁଆଟିକୁ ଯତ୍ନରେ ପାଳିବାକୁ ଚାହେଁ । ତେବେ ଯାଇ ମୋତେ କିଛି ସୁଖ ଶାନ୍ତି ମିଳିବ ।”

ନଟବରର କଥାରେ ସେଠଜୀ ବହୁତ ପ୍ରଭାବିତ ହୋଇ ତାକୁ ଶହେ ଟଙ୍କା ଦେଇ କହିଲେ, “ଠିକ୍ ଅଛି । ତୁ ଏ କୁକୁରଛୁଆଟିକୁ ଯତ୍ନରେ ପାଳିବୁ; ଆଉ ଯଦି କେବେ ତୋ ସହିତ ଲଗାଏ ତ ତେବେ ମୋତେ କହିବୁ ।”

ସେଠଜୀ ନଟକୁ ନ ମାରି ଅଧିକନ୍ତୁ ପୁରସ୍କାର ଦେବାରୁ ତାଙ୍କ ସ୍ତ୍ରୀ ଏଥିରେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେ ସେଠଙ୍କୁ କହିଲେ, “ନିଜ ପିଲାକୁ ମାରିଥିବା ଚାକରକୁ ଆପଣଙ୍କର ପୁରସ୍କାର ଦେବାଟା କିଭଳି ନ୍ୟାୟ ହେଲା?”

ସେଠଜୀ ଶାନ୍ତ ଭାବରେ କହିଲେ “ହଁ, ମୁଁ ଯାହା କରିଛି ନ୍ୟାୟ କରିଛି । ନଟ ବି ତା’ ପିଲାବେଳେ ଶେଖର ପରି ଚଗଲା ଥିଲା । ଏବେ ସେଥିପାଇଁ ସେ ଭୋଗୁଛି, ଶେଖରର କୁକାର୍ଯ୍ୟ ପାଇଁ ତାକୁ ମଧ୍ୟ ଭବିଷ୍ୟତରେ ଫଳ ଭୋଗିବାକୁ ପଡିବ । ତେଣୁ ନଟ ଯାହା କରିଛି ତଦ୍ୱାରା ସେ ଯେ ଖାଲି କୁକୁରଛୁଆକୁ ରକ୍ଷା କରିଛି ତାହା ନୁହେଁ ଆହୁରି ମଧ୍ୟ ଶେଖରକୁ ସେ ରକ୍ଷା କରିଛି । ତେଣୁ ତା’ର ପୁଣ୍ୟ କାର୍ଯ୍ୟ ପାଇଁ ତାକୁ ମୁଁ ଏହି ପୁରସ୍କାର ଦେଲି ।”

ସେ ଛୁଆଟିକୁ ପାଳିବା ପରେ ନଟ ଜୀବନରେ ବହୁତ ପରିବର୍ତ୍ତନ ଆସିଲା । ତା’ପରେ ତା’ ଗ୍ରାମରେ ବର୍ଷା ହେଲା; ଜମିରେ ଫସଲ ହେଲା । ସେ ତା’ ଗାଁକୁ ଫେରି ଆସିଲା । କ୍ରମେ ତା’ର ସଦଗୁଣ ସବୁ ପ୍ରକାଶ ପାଇବାକୁ ଲାଗିଲା । ତା’ର ଗୁଣରେ ପ୍ରଭାବିତ ହୋଇ ଜଣେ ଧନୀ ଚାଷୀ ତା’ର ଏକମାତ୍ର ଝିଅକୁ ନଟ ସହିତ ବିବାହ ଦେଲା । ତା’ପରଠାରୁ ନଟର ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଆହୁରି ବେଶି ବଢିଗଲା । ଏହିପରି ଭାବେ ସେ ସୁଖପୂର୍ବକ ନିଜର ଜୀବନ ବିତାଇଲା ।

 

🌹 ଗପଟିଏ….. 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ସହନ ଶକ୍ତିର ରହସ୍ୟ “🌻

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.