🌹 ଗପଟିଏ….. 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” କଥା କୁହା ଫଳ “🌻

Talking Fruit Story
Reading Time: 4 minutes

ଜଣେ ରାଜାଙ୍କ ପାଖରେ ଅଗଣିତ ଗାଈ ଥିଲେ ।

ପଶୁପାଳକ ପ୍ରତିଦିନ ସେହି ଗାଈଗୁଡିକ ଚରାଇବା ପାଇଁ ପାହାଡ ନିକଟସ୍ଥ ପ୍ରାନ୍ତରକୁ ନେଇ ଯାଆନ୍ତି । କିନ୍ତୁ ସଂନ୍ଧ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା କମି ଯାଇଥାଏ । ଏପରି କିଛିଦିନ ଲଗାତାର ଘଟିବାରୁ ରାଜା ଖୁବ୍ ଚିନ୍ତିତ ହୋଇ ପଡିଲେ ।

ଅନେକ ପ୍ରକାର ସତର୍କତା ଅବଲମ୍ବନ କଲେ । ମାତ୍ର ଗାଈମାନଙ୍କର ଅନ୍ତର୍ଦ୍ଧାନ ବନ୍ଦ ହେଲା ନାହିଁ । ପଶୁପାଳକଙ୍କୁ ରାଜା ଏହାର କାରଣ ବାରମ୍ବାର ପଚାରିଲେ ସେମାନେ ସେହି ଏକା ଉତ୍ତର ଦିଅନ୍ତି ଯେ, “ଆମେ ସର୍ବଦା ସଜାଗ ହୋଇ ପହରା ଦେଉଛୁ । ଆମ ଆଖି ଆଗରୁ ଗାଈମାନଙ୍କୁ କେଉଁଆଡେ ଛାଡି ଦେଉ ନାହୁଁ ।

ଗାଈ ନିକଟକୁ କେହି ଆସୁଥିବାର ମଧ୍ୟ ଆମେ ଦେଖିନାହୁଁ । ଗାଈର ସଂଖ୍ୟା କେମିତି କମି ଯାଉଛି ଆମେ ତାହା ଜାଣି ପାରୁ ନାହୁଁ ।” ରାଜା ଅନୁଭବ କଲେ, ଏହା ପଛରେ ନିଶ୍ଚୟ କୌଣସି ରହସ୍ୟ ରହିଛି । ନିଜର ତିନିପୁତ୍ରଙ୍କୁ ହଜି ଯାଉଥିବା ଗାଈମାନଙ୍କୁ ଠାବ କରିବାର ଦାୟିତ୍ୱ ଦେଇ ରାଜା ସେମାନଙ୍କୁ ଜଙ୍ଗଲକୁ ପଠାଇଲେ ।

ରାଜକୁମାରମାନେ ସାରାଦିନ ଜଙ୍ଗଲରେ ଘୁରି ବୁଲିବା ପରେ ଶେଷରେ ଏକ କୁତ୍ସିତ ରୂପର ସ୍ତ୍ରୀକୁ ଦେଖିବାକୁ ପାଇଲେ । ସେହି ସ୍ତ୍ରୀ ଲୋକ ଜଣକ ସେମାନଙ୍କୁ ପ୍ରଶ୍ନ କଲେ, “ପିଲାଏ, କୁଆଡେ ଯାଉଛ?”

ରାଜକୁମାରମାନେ ଚିଡି ଉଠି କହିଲେ, “ଆମେ କୁଆଡେ ଗଲେ, ତୁମର କ’ଣ ଗଲା? ତୁମେ ତୁମ ବାଟରେ ଯାଅ ।”

ତା’ପରେ ସେ ସ୍ତ୍ରୀ ଲୋକଟି ତା’ ମନକୁ ମନ କ’ଣ ଗୁଣୁଗୁଣୁ ହୋଇ ସେଠାରୁ ଚାଲିଗଲା । ରାଜକୁମାରମାନେ ସେଠାରୁ ଯାଇ ଏକ ଦୁର୍ଗ ପାଖରେ ପହଁଚିଲେ । ସେହି ଦୁର୍ଗରେ ରାଜାଙ୍କ ଗାଈମାନେ ବନ୍ଧା ହୋଇଥିବାର ସେମାନେ ଦେଖିଲେ । ଭିତରେ ଏକ ବୁଢୀ ରାକ୍ଷସୀ ଶୋଇଥାଏ । ଏମାନେ ସେଠାରେ ପହଁଚିବା ମାତ୍ରେ ସେ ଉଠି ପଡିଲା ।

ରାଜକୁମାରମାନେ କହିଲେ, “ବୁଢୀ ମା’, ଆମକୁ କିଛି କାମ ଦିଅ ।” ସେମାନେ ଜାଣିଥିଲେ ବୁଢୀ ରାକ୍ଷସୀ ପାଖରୁ ଗାଈ ମୁକଳେଇ ନେଇଯିବା କିଛି ସହଜ କାମ ନୁହେଁ । ତେଣୁ କାମର ବାହାନା କରି ତା’ପାଖରେ ରହିଲେ ସୁଯୋଗ ଦେଖି ଗାଈଙ୍କୁ ନେଇ ଏଠାରୁ ପଳାଇ ଯିବା ପାଇଁ ଯୋଜନା କରି ହେବ ।

ରାକ୍ଷସୀ ସେତେବେଳକୁ ଜାଣି ସାରିଥାଏ ଯେ, ସେମାନେ ଗାଈ ନେବା ପାଇଁ ଏଠାକୁ ଆସିଛନ୍ତି । ସେ ବୁଢୀ ରାକ୍ଷସୀ ତ ବଡ ଚତୁରୀ । ତା’ର ଦେହର ବଳ କମି ଯିବାରୁ ସେ ଛଳ କପଟରେ ନିଜ ଶତୃମାନଙ୍କୁ ମାରି ପକାଉଥାଏ । ରାଜକୁମାରମାନଙ୍କୁ ମାରିବାକୁ ସ୍ଥିର କରି ସେମାନଙ୍କୁ ସେ କହିଲା, “ଆଚ୍ଛା ପିଲାଏ, ଏବେ ଗାଈକ୍ଷୀର ଦୁହିଁବାର ବେଳ ହୋଇ ଗଲାଣି । ତୁମେମାନେ ଯାଇ ଗାଈ ଦୁହିଁବା କାମ କର ।”

ରାଜକୁମାରମାନେ ପାତ୍ରପୂର୍ଣ୍ଣ କରି କ୍ଷୀର ଆଣି ପହଁଚିବା ପରେ ରାକ୍ଷସୀ ସେମାନଙ୍କୁ ପୁଣି କହିଲା, “ତୁମମାନଙ୍କୁ ତ ଭୋକ ଲାଗୁଥିବ । ନିଅ, ଏହି କ୍ଷୀର ପିଇ ପେଟ ଭର୍ତ୍ତି କରିଦିଅ ।” ସେହି ତିନିଜଣଙ୍କ ହାତରେ ରାକ୍ଷସୀ ବିଷଭର୍ତ୍ତି ପାତ୍ର ଦେଇଥିଲା । ସୁତରାଂ ସେମାନେ କ୍ଷୀର ପାଟିରେ ଲଗାଇବା ମାତ୍ରେ ଟଳି ପଡିଲେ । ରାକ୍ଷସୀ ସେମାନଙ୍କୁ ଏକ ସିନ୍ଧୁକରେ ଲୁଚାଇ ଦେଲା ।

ବହୁଦିନ ବିତିଗଲେ ମଧ୍ୟ ରାଜକୁମାରମାନେ ଆଉ ଫେରିଲେ ନାହିଁ । ଏଣେ ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ଉଠିଲେ । ରାଜାଙ୍କର ଗୋବିନ୍ଦ ନାମକ ଜଣେ ପଶୁପାଳକ ଥିଲା । ସେ ସାହସ କରି ରାଜାଙ୍କୁ ଆସି କହିଲା, “ମୁଁ ରାଜକୁମାରମାନଙ୍କୁ ଖୋଜିବା ପାଇଁ ଯିବି ଓ ହଜିଥିବା ଗାଈ ମଧ୍ୟ ଖୋଜି ଆଣିବି ।” ରାଜା ତା’କୁ ଯିବାପାଇଁ ଅନୁମତି ଦେଲେ ।

ଗୋବିନ୍ଦ ମଧ୍ୟ ଅରଣ୍ୟର ସେହି ଦିଗରେ ଯାତ୍ରା କଲା । ବାଟରେ ସେହି କୁତ୍ସିତ ରୂପୀ ସ୍ତ୍ରୀ ସହିତ ତା’ର ଭେଟ ହେଲା । ସ୍ତ୍ରୀ ଲୋକଟି ତାକୁ ପଚାରିଲା, “ପୁଅ କେଉଁଆଡେ ଯାଉଛୁ?”

ରାଜ କୁମାରମାନଙ୍କ ପରି ଗୋବିନ୍ଦ ସେ ସ୍ତ୍ରୀଲୋକ ଉପରେ ମୋଟେ ବିରକ୍ତ ହେଲା ନାହିଁ । ଭାବିଲା, ସମ୍ଭବତଃ ଏହାକୁ ଗାଈ ବା ରାଜକୁମାରମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ ଜଣାଥିବ । ତେଣୁ ସେ ତା’ ନିଜ କାମର ବିବରଣୀ ଜଣାଇଲା ।

ସ୍ତ୍ରୀ ଲୋକଟି କହିଲା, “ଆଉ ଅଳ୍ପବାଟ ଆଗକୁ ଗଲେ ଏକ ଦୁର୍ଗ ପଡିବ । ସେହି ଦୁର୍ଗରେ ଏକ ଧୂର୍ତ୍ତ ରାକ୍ଷସୀ ଥିଲା । ମୋ ଭଉଣୀର ସାହାଯ୍ୟ ନେଇ ସେ ରାଜାଙ୍କର ଗାଈ ଚୋରାଉଥିଲା । ତାର କାମ ପୂର୍ଣ୍ଣ ହେବା ପରେ ମୋ ଭଉଣୀକୁ ସେ ମାରି ପକାଇଛି । ଏବେଯାଏଁ ରାଜକୁମାରମାନେ ମଧ୍ୟ ତା’ ପାଖରେ ବଂଚି ନ ଥିବେ ।”

ଗୋବିନ୍ଦ ପ୍ରଶ୍ନ କଲା, “ତୁମର ଭଉଣୀ କିଏ? ସେହି ରାକ୍ଷସୀର ଆମ ଗାଈ ଚୋରାଇବା କ’ଣ ଦରକାର?”

ସ୍ତ୍ରୀ ଲୋକଟି କହିଲା, “ସେହି ରାକ୍ଷସୀ ଏବେ ବୁଢୀ ହୋଇ ଗଲାଣି । ନିଜର କ୍ଷୁଧା ମେଂଟାଇବା ପାଇଁ ସେ ଅସମର୍ଥ । ତେଣୁ ତାର ଦୃଷ୍ଟି ରାଜାଙ୍କ ଗାଈ ଉପରେ ପଡିଛି । ମୋର ଭଉଣୀ ମନ୍ତ୍ର–ତନ୍ତ୍ର ଜାଣିଥିଲା । ସେହି ରାକ୍ଷସୀ ମୋ ଭଉଣୀ ସହିତ ବନ୍ଧୁତା ସ୍ଥାପନ କଲା । ତାକୁ ଅଧା ଗାଈ ଦେବା ପାଇଁ ପ୍ରତିଶୃତି ଦେଇ, ତା’ଦ୍ୱାରା ଏହି କାମ ସେ କରାଇଲା । କିନ୍ତୁ ତା’ର କାମ ହାସଲ ହେବା ପରେ ମୋ ଭଉଣୀକୁ ଦୁର୍ଗରେ ବନ୍ଦ କରି ସେ ହତ୍ୟା କଲା । ମୁଁ ମୋ ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଚାହେଁ ।”

ଗୋବିନ୍ଦ ସବୁ କିଛି ଶୁଣିବା ପରେ କହିଲା, “ତେବେ ରାଜକୁମାର ଓ ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ କିଛି ଉପାୟ ଜାଣିଥିଲେ ତାହା ମୋତେ କୁହ ।”

“ମୋ ନିକଟରେ ମନ୍ତ୍ର-ଶକ୍ତି ନ ଥିଲେ ମଧ୍ୟ ଦୁଇଟି ଅପୂର୍ବ ବସ୍ତୁ ଅଛି ।” ଏପରି କହି ସେହି କଦାକାର ସ୍ତ୍ରୀ ଗୋବିନ୍ଦ ହାତରେ ଗୋଟିଏ ଫଳ ଓ ତିନୋଟି ପଥର ରଖି କହିଲା, “ଏହି ଫଳ ତୁମକୁ ଆଗକୁ ଥିବା ବିପଦ ସମ୍ବନ୍ଧରେ ସତର୍କ କରିବ । ଏହା ଏକ କଥାକୁହା ଫଳ । ଏହାର ଆବଶ୍ୟକତା ସରିଗଲେ, ତା’ ଭିତରୁ ମଞ୍ଜି ବାହାର କରି ଜଳରେ ଘୋରି ଦେବ ଓ ସେହି ଜଳ ମୃତ ରାଜ କୁମାର ମାନଙ୍କ ଉପରକୁ ପକାଇ ଦେବ । ସେମାନେ ପୁଣି ଜୀବିତ ହୋଇଯିବେ । ଆଉ ଏହି ପଥରଗୁଡିକୁ ତଳେ ଗଡାଇ ଦେଇ ଯାହା ମାଗିବ, ତାହା ତୁମକୁ ଅବଶ୍ୟ ମିଳିବ । ତିନୋଟି ପଥର ତିନିଥର ମନକଥା ପୂରଣ କରି ପାରିବ । ମୋର ବିଶ୍ୱାସ, ତୁମର କାମ ସଫଳ ହେବ ଓ ମୋର ଲକ୍ଷ୍ୟ ପୂରଣ ହେବ ।” ଗୋବିନ୍ଦ ସେହି ବସ୍ତୁ ଦୁଇଟିକୁ ନିଜ ପାଖରେ ରଖି ଦୁର୍ଗ ଆଡକୁ ଆଗେଇଲା । ଦୁର୍ଗ ଭିତରକୁ ଯାଇ ସେଠାରେ ସେ ବୁଢୀ ରାକ୍ଷସୀକୁ ଦେଖିଲା ଓ ତାକୁ କିଛି କାମ ଦେବା ପାଇଁ ବିନତି କଲା । କିନ୍ତୁ ରାକ୍ଷସୀ ଜାଣି ପାରିଲା ଯେ, ଏହି ଲୋକ ମଧ୍ୟ ଗାଈ ଖୋଜିବାକୁ ଆସିଛି । ତେଣୁ ସେ କହିଲା, “ଠିକ୍ ଅଛି, ମୋ ଗାଈମାନଙ୍କର ଦେଖାଶୁଣା କରିବା ପାଇଁ ତୁ ଏଠାରେ ରହିବୁ ।” ତା’ପରେ ସେ ଭିତରକୁ ଯାଇ ଏକ କ୍ଷୀର ଭର୍ତ୍ତି ପାତ୍ର ଆଣି ଅତି ସ୍ନେହରେ ପିଇବା ପାଇଁ ତାକୁ ସେ ଅନୁରୋଧ କଲା ।

କଥାକୁହା ଫଳ ଗୋବିନ୍ଦକୁ ସାବଧାନ କରି କହିଲା “ଏଥିରେ ବିଷ ଅଛି । ଏହାକୁ ଆଦୌ ପିଅ ନାହିଁ ।” ରାକ୍ଷସୀ ନ ଜାଣି ପାରିବା ପରି ଗୋବିନ୍ଦ କ୍ଷୀରସବୁ ବାହାରକୁ ଫିଙ୍ଗିଦେଲା । କିଛି ସମୟ ପରେ ଗୋବିନ୍ଦକୁ ଜୀବିତ ଥିବାର ଦେଖି ରାକ୍ଷସୀ ଭାରି ଆଶ୍ଚର୍ଯ୍ୟ ହୋଇଗଲା । ରାକ୍ଷସୀ ଅତି ସ୍ନେହରେ ଗୋବିନ୍ଦକୁ କହିଲା “ଏଠାରେ ଖଟ ଅଛି । ବହୁତ ହାଲିଆ ହୋଇ ଆସିଥିବୁ । ଯା’ ଶୋଇ ପଡିବୁ ।”

ସେ କଥାକୁହା ଫଳ ଗୋବିନ୍ଦକୁ ପୁଣି ସତର୍କ କରିବାକୁ ଯାଇ କହିଲା “ଯମା ଶୁଅ ନାହିଁ । ତଳେ ବଡ ଖାଲ ଅଛି । ପଡିଯିବ ।” ରାକ୍ଷସୀ ସେଠାରୁ ଚାଲିଯିବା ପରେ ଗୋବିନ୍ଦ ଖଟ ଉଠାଇ ତଳକ ଦେଖେ ତ, କଂଟାଝଂଟା ଭର୍ତ୍ତି ଏକ ବିରାଟ ଖାଲ ସେଠାରେ ଅଛି । ଦ୍ୱିତୀୟ ଥର ପାଇଁ ମୃତ୍ୟୁରୁ ବର୍ତ୍ତୀ ଯିବାରୁ ଗୋବିନ୍ଦ ଭଗବାନଙ୍କୁ ପ୍ରଣାମ ଜଣାଇଲା ।

ଗୋବିନ୍ଦ ରାଜକୁମାରମାନଙ୍କୁ ଦୁର୍ଗ ଭିତରେ ଖୋଜିଲା । ଶେଷରେ ଏକ ସିନ୍ଧୁକ ଭିତରେ ମୃତ ରାଜକୁମାରମାନଙ୍କର ଶବ ସେ ଦେଖିଲା । ଫଳରୁ ମଞ୍ଜି ବାହାର କଲା । ସେହି ମଞ୍ଜିକୁ ପାଣିରେ ଘୋରି ରାଜକୁମାରମାନଙ୍କ ଉପରକୁ ତାହା ସେ ଛିଂଚିଲା । ରାଜକୁମାରମାନେ ପୁଣି ଜୀବିତ ହୋଇଗଲେ । ସେମାନେ ଗୋବିନ୍ଦଠାରୁ ସମସ୍ତ ବିଷୟ ଜାଣି ପାରିଲେ ।

ତା’ପରେ ସେ ଚାରିଜଣଯାକ ଗୋଶାଳା ଭିତରେ ପ୍ରବେଶ କଲେ । ଗାଈମାନଙ୍କୁ ଫିଟାଇ ଦୁର୍ଗ ବାହାରକୁ ନେଇ ଆସିଲେ ।

ଏଥି ମଧ୍ୟରେ ରାକ୍ଷସୀ ନିଦରୁ ଉଠି ପଡିଲା । ତାକୁ ସନ୍ଦେହ ଲାଗିବାରୁ ସେ ପ୍ରଥମେ ପଶୁଶାଳାକୁ ଗଲା । ଦେଖିଲା, ସେଠାରେ ଆଉ ଗୋଟେ ହେଲେବି ଗାଈ ନାହାଁନ୍ତି । ସେ ଜାଣି ପାରିଲା, ଏସବୁ ଗୋବିନ୍ଦର କାମ । ଏହାପରେ ସେ ବିକଟ ଚିତ୍କାର କରି ଦୁର୍ଗ ବାହାରକୁ ଧାଇଁଲା ।

ରାଜକୁମାର ଓ ଗୋବିନ୍ଦ ରାକ୍ଷସୀର ବିକଟାଳ ରଡି ଶୁଣିବାକୁ ପାଇଲେ । ଲମ୍ବା ଲମ୍ବା ପାଦ ପକାଇ ତାଙ୍କ ଆଡକୁ ରାକ୍ଷସୀକୁ ମାଡି ଆସୁଥିବାର ଦେଖି ଗୋବିନ୍ଦର ହଠାତ୍ ସେ ପଥର ତିନୋଟି କଥା ମନେ ପଡିଗଲା । ସେଥିରୁ ଗୋଟିଏ ପଥର ଫିଙ୍ଗି ଦେଇ ସେ କହିଲା – ଏକ କଂଟାର ଘେର ହୋଇଯାଉ ।

ଚାହୁଁ ଚାହୁଁ କଂଟାର ଘେର ଭିତରେ ସେ ରାକ୍ଷସୀଟି ପଡିଗଲା । ମାତ୍ର ଅତି କଷ୍ଟରେ ସେଥିରୁ ମୁକୁଳି ସେ ପୁଣି ସେମାନଙ୍କୁ ଗୋଡାଇଲା । ଗୋବିନ୍ଦ ଆଉ ଏକ ପଥର ଫିଙ୍ଗି ଦେଲା । ଏଥରକ ସେ ବୁଢୀ ରାକ୍ଷସୀ ନିଆଁ ଘେରରେ ପଡିଗଲା । ନିଆଁ ନ ଲିଭିବା ଯାଏଁ ବୁଢୀ ଆଉ ଗୋଟିଏ ପାଦ ମଧ୍ୟ ଆଗକୁ ଆଗେଇ ପାରିଲା ନାହିଁ । ସେତିକି ସମୟ ମଧ୍ୟରେ ଗୋବିନ୍ଦ ଓ ରାଜକୁମାରମାନେ ବହୁତ ବାଟ ଆଗେଇ ଯାଇଥିଲେ ।

ପୁଣି ଥରେ ରାକ୍ଷସୀ ସେମାନଙ୍କର ପିଛା କରି ନିକଟକୁ ଚାଲି ଆସୁଥିବାର ଦେଖି ଗୋବିନ୍ଦ ତୃତୀୟ ପଥରଟି ଫିଙ୍ଗି ଦେଲା । ରାକ୍ଷସୀ ନିକଟରେ ଥିବା ନଦୀର ସ୍ରୋତରେ ପଡିଗଲା । ରାକ୍ଷସୀ ସେହି ପାଣି ଭିତରୁ ବାହାରି ଆସିବା ପାଇଁ ଅନେକ ଚେଷ୍ଟା କଲା । ମାତ୍ର ସୁଅ ମୁହଁରୁ ସେ ନିଜକୁ ଆଉ ବଂଚାଇ ପାରିଲା ନାହିଁ । ସୁଅରେ ପଡି ସେ କୁଆଡେ ଭାସିଗଲା ।

ସଂନ୍ଧ୍ୟା ବେଳକୁ ରାଜକୁମାର ଓ ଗାଈମାନଙ୍କୁ ସଂଗରେ ଧରି ଗୋବିନ୍ଦ ରାଜଭବନ ଠାରେ ଆସି ପହଁଚିଲା । ରାଜା ତା’ର ଏଭଳି ସାହସିକତାରେ ଅତ୍ୟନ୍ତ ଖୁସି ହୋଇ ତାକୁ ଅନେକ ପୁରସ୍କାର ଦେଲେ ।

 

 

ରାୟ ବହାଦୁରଙ୍କ ବହାଦୁରି

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.