ରବିବାର

sundayhabits
Reading Time: 3 minutes

ଶନିବାର ଦିନ ରାତିରେ ସୁମିକୁ ନିଦ ହୁଏନି । ରାତି ଦିଇଟା ଯାଏ ମୋବାଇଲ ସହିତ ଜୋକ ପରି ଲାଗିଥାଏ । ହ୍ଵାଟ୍ସଆପକୁ ଘାଣ୍ଟି ପକାଏ । ସପ୍ତାହଟାଯାକର କଥାବାର୍ତ୍ତା ସବୁ ଚେକ କରେ । ଠିକ୍ ସମୟରେ ଉତ୍ତର ଦେଇପାରିନଥିବାରୁ ସାଙ୍ଗ ସମ୍ବନ୍ଧି ମାନଙ୍କୁ କ୍ଷମା ମାଗିନିଏ । ସଭିଏଁ ଜାଣନ୍ତି ସେ ଚାକିରି କରିଥିବାରୁ ଏସବୁଥିରେ ଏତେ ସକ୍ରିୟ ରହି ପାରେନି । ପୁଅ, ଝିଅ, ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କୁ ନେଇ ତାର ସମ୍ପୂର୍ଣ୍ଣ ପରିବାର । ତାକୁ ଚାକିରି ସହିତ ନିଜ ପରିବାରର ଦାୟିତ୍ୱ ନେବାକୁ ପଡ଼େ । ସବୁଆଡ଼ୁ ସମତୁଲ ନରଖିଲେ ସନ୍ତୁଳନ ବିଗିଡ଼ି ଯାଏ । ସେ ଘରଠାରୁ ୭ କି.ମି ଦୂରରେ ଏକ ସି ବି ଏସ ଇ ଅନୁବନ୍ଧିତ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛି । ପ୍ରାତଃ ୭:୩୦ ରୁ ୧:୩୦ ଯାଏ ସେ ସେଠାରେ କାମ କରେ । ସୁମି ବିଦ୍ୟାଳୟ ବସ୍ ରେ ଯିବା ଆସିବା କରେ । ବସ୍ ପିଲାମାନଙ୍କୁ ନେଇ ଯାଉଥିବାରୁ ୬:୪୫ ରେ ତା ଘର ପାଖକୁ ଆସେ । ତାକୁ ସକାଳ ୪:୩୦ରୁ ସବୁଦିନ ଉଠିବାକୁ ପଡ଼େ । ପୁଅ ଝିଅଙ୍କ ପାଇଁ ତାଙ୍କ ପସନ୍ଦର ଟିଫିନ୍ ବନାଏ । ଶ୍ୱଶୁର ମଧୁମେହ ରୋଗୀ ହେଇଥିବାରୁ ତାଙ୍କ ପାଇଁ ଶନ୍ତୁଳା ସହିତ କେଉଁ ଦିନ କଲରା ଭଜା ତ ଆଉ କେଉଁ ଦିନ କଲରା ଶିଝେଇ ବାଇଗଣ ପୋଡ଼ା ସହିତ ଚକଟି ଭର୍ତ୍ତା ତିଆରି କରେ । ତା ଶାଶୁ ଓ ସ୍ୱାମୀ ଦୁହେଁ ସକାଳୁ ଏ ସିଝା ସିଝି ଖାଇବା ପସନ୍ଦ କରନ୍ତିନି । ତେଣୁ ସେମାନଙ୍କ ପାଇଁ ଆଳୁ ପରଟା ନଚେତ ଦେଶୀ ଘିଅର ପରଟା ଓ ଭଜା ଅଥବା ସରୁ ଚକୁଳି ସାଙ୍ଗକୁ ମଟର ତରକାରି ଏମିତି ନାନା ରକମର ଖାଇବା ବନେଇବାକୁ ପଡ଼େ । ଦ୍ବିପହର ପାଇଁ ତା ଶାଶୁ ଭାତ ଓ ଡାଲି କରି ରଖିଥାନ୍ତି । ସେ ଘରେ ପହଞ୍ଚି ଆଉ ବାକି ରୋଷେଇ କରେ ।

ତେଣୁ ରବିବାର ଆସିଲେ ତାର ମନ ଭାରି ଖୁସି ହୁଏ । ସକାଳ ୭ ଟାରେ ଉଠିଲେ ଚଳେ । ଟିକିଏ ଡେରି ହେଲେ ବି ତାକୁ କେହି କିଛି କୁହନ୍ତିନି । ହେଲେ ଆଜି ଉଠିଲା ବେଳକୁ ୯ ଟା ବାଜିଗଲାଣି । ତା ସ୍ବାମୀ ସୋମେଶ ଅଫିସ କାମରେ କାଲିଠୁ ଭୁବନେଶ୍ୱର ଯାଇଛନ୍ତି । ପୁଅ, ଝିଅ ଏବେ ଯାଏଁ ଶୋଇଛନ୍ତି । ସୁମିର ମୁଣ୍ଡ କିଛି କାମ କରୁନଥିଲା । କୋଉଠୁ ଆରମ୍ଭ କରି କରି କେଉଁଠି ଶେଷ କରିବ ସେ ଜାଣି ପାରୁନଥିଲା । ଶ୍ୱଶୁରଙ୍କ ଔଷଧ ଖାଇବା ବେଳ ଗଡ଼ି ଗଲାଣି । ଝିଅ ପରି ତାକୁ ଗେହ୍ଲା କରନ୍ତି । ତେଣୁ ଶୋଇଥିବାରୁ ତାକୁ ଉଠେଇ ନାହାନ୍ତି । ସେ ତରତର ହୋଇ କାକ ସ୍ନାନ କରି ରୋଷେଇ ଘରେ ପଶିଲା । ଅମୃତ ଭଣ୍ଡା କାଟି ପ୍ରେସର କୁକରରେ ସିଟି ଦେଲା । ଫ୍ରିଜରୁ ସିଝା ଆଳୁ ବାହାର କରି ଶାଶୁଙ୍କ ପାଇଁ ଆଳୁ ପରଟା କଲା, ଆର ପଟ ଇଣ୍ଡକ୍ସନରେ ଛୁଆଙ୍କ ପାଇଁ ମ୍ୟାଗି ବସେଇଲା ।

ଓଃ ଅଧଘଣ୍ଟାରେ ଜଳଖିଆ ଟେନସନ ସରିଗଲା । ଏବେ ସପ୍ତାହଟାଯାକର ଅସନା ଲୁଗା ପଟା ସଫା କରିବାକୁ ପଡ଼ିବ, ୱାସ୍ ବେସିନ , ଗାଧୁଅଘରଠୁ ଆରମ୍ଭ କରି ଘରର ଅଳନ୍ଧୁ ଝଡ଼ା ଯାଏ ସବୁ କରିବାକୁ ପଡ଼ିବ । ସେ ତା ସ୍ୱାମୀଙ୍କ ଫେବୋରାଇଟ ସାର୍ଟରେ ନୀଳ ଦେଉଛି, ସେ ସମୟରେ ତା ପୁଅ ରୋହନ୍ ତାକୁ କଣ କହିବ ବୋଲି ପଛପାଖୁ ଶାଢ଼ୀ ଟାଣିଦେଲା । ବାସ୍ ଆଉ କଣ? ପୁରା ନୀଳ ବୋତଲ ଟି ଢାଳି ହେଇଗଲା ଧଳା ସାର୍ଟ ଉପରେ । ସାର୍ଟର ଅବସ୍ଥା କହିଲେ ନସରେ ।

ରୋହନ୍ ର ସ୍କୁଲରେ ଆଇସକ୍ରିମ କାଠିରେ ବ୍ୟାମ୍ବୋ ହାଉସ୍ ବନେଇବା ପାଇଁ ପ୍ରୋଜେକ୍ଟ ଦେଇଛନ୍ତି । କାଲି ସବମିସନର ଲାଷ୍ଟ ଡେଟ । ତା ସହିତ ମିଶି ପ୍ରୋଜେକ୍ଟ ନକରିଲେ ବିଚରାର ଆକ୍ଟିଭିଟି ରେ ମାର୍କ କଟିଯିବ । ୧୨:୩୦ ହେଲାଣି । ଲଞ୍ଚ ତିଆରି କରିବାକୁ ପଡ଼ିବ । ଏମିତି ଦେଖିଲେ ରୋହନ୍ ର କିଛି ଭୁଲ ନାହିଁ । ସେ ବାରମ୍ବାର ତାକୁ କହିଥିଲା ତା ପ୍ରୋଜେକ୍ଟରେ ସାହାଯ୍ୟ କରିବା ପାଇଁ । ସେ ହିଁ କାମ ଚକ୍କରରେ ଭୁଲି ଯାଇଥିଲା । ରୋହନ୍ ସହ ମିଶି ବ୍ୟାମ୍ବୋ ହାଉସ ବନାଉ ବନାଉ ଗୋଟେ କୋଡ଼ିଏ ହେଇ ଗଲାଣି । ରୋଷେଇ କଣ କରିବ ଭାବୁଛି ଶ୍ୱଶୁର ଶାଳ ପତ୍ରରେ ମେଞ୍ଚେ ଚୁନା ମାଛ ଧରି ଆସିଲେ । ମାଛବାଲି ଘରେ ଦେଇ ଯାଇଛି । ଏବେ ସେ ଚୁନା ମାଛ ବାଛୁ ବାଛୁ ଅତି କମ ରେ ଅଧ ଘଣ୍ଟା ଲାଗିଯିବ । ଭାତ, ଡାଲି, ଚୁନା ମାଛ ଆମ୍ବୁଲ ପକେଇ ରାଇ ଓ କାକୁଡ଼ି ସାଲାଡ଼ । ଆଜି ଆଉ କିଛି ଅଧିକ କରି ପାରିଲାନି । ଶାଶୁ, ଶ୍ୱଶୁର, ପିଲାମାନେ ସବୁ ଖାଉଛନ୍ତି ସୋମେଶ ଆସି ପହଞ୍ଚିଗଲେ । ତାଙ୍କୁ ଦେଖି ସେ ବହୁତ ଖୁସି ହେଇଗଲା । ଚୁନା ମାଛ ବେସର ତାଙ୍କର ପ୍ରିୟ ।

କିନ୍ତୁ ଏ କଣ? ସୋମେଶ ତିନି କେଜିଆ ମାଛ ଗୋଟିଏ ଧରି ଆସିଛନ୍ତି । ସୋମେଶଙ୍କୁ ବଡ଼ ମାଛ ସେତେ ଭଲ ଲାଗେନି । ହେଲେ ଆଜି ଜିଦ କରୁଛନ୍ତି ଏବେ ମାଛ ଭାଜିଲେ ହିଁ ସେ ଖାଇବେ । ଏଇ ମାଛ କୁଆଡ଼େ ମିଠା ମାଛ । ପୋଖରୀରେ ଧରା ହେଉଥିଲା, ସେଠୁ ଡ଼ାଇରେକ୍ଟ ଆଣିଛନ୍ତି ।

ହେଃ ଭଗବାନ! ଏ ବାପା ପୁଅଙ୍କୁ ଆଉ ପାରି ହେବନି । ସୁମି ଆଜି କାମ କରି କରି ଥକି ଯାଇଛି । ସେ ବିକଳ ହେଇ ମାଛଟିକୁ ଅନେଇଲା । ସକାଳୁ ମାଛ ଧରା ହେଇଛି । ଖରାପ ହେଇଯିବ । ସୁମି ଖାଇବା ଭୁଲି ଯାଇ ମାଛ ଭାଜିବାରେ ମନଦେଲା । ସୋମେଶ ଫ୍ରେଶ ହେବାପାଇଁ ଗଲେ । ଡାଇନିଂ ଟେବୁଲରେ ସୋମେଶଙ୍କ ପାଇଁ ଖାଇବା ପରଶି ଦେଲା ସୁମି । ରୋଷେଇ ଘରକୁ ଯାଇ ଘର ସଜାଡ଼ିବାରେ ବ୍ୟସ୍ତ ରହିଲା । ସାଢ଼େ ତିନି ଟା ବାଜିଲାଣି । ଆଉ ଟିକିଏ ଗଲେ ଶ୍ୱଶୁରଙ୍କ ଚା ପିଇବା ସମୟ ହେଇଯିବ । ସେଥିପାଇଁ ସେ ଗ୍ୟାସରେ ଚା ବସେଇଲା ।

ଆଃ ମରିଗଲି । ସୋମେଶ ଚିତ୍କାର କରୁଥିଲେ । ମାଛ କଣ୍ଟା ତଂଟିରେ ନିଶ୍ଚୟ ଫସିଛି । ସୋମେଶ ମାଛ ବାଛି କି ଖାଇ ଜାଣନ୍ତିନି । ସୁମି ସଦାବେଳେ କଣ୍ଟା ବାଛି ତାଙ୍କୁ ଦିଏ । ଆଜି କାମ ଥିବାରୁ ସେମିତି ଦେଇ ଦେଇଥିଲା । ସୁମି ସୋମେଶଙ୍କ ପାଖକୁ ପାଣି ଗ୍ଲାସରେ ନେଇ ଦୌଡ଼ି ଗଲା । ତାଙ୍କ ତଣ୍ଟିକୁ ଆଉଁସି ପାଣି ପିଆଇଦେଲା ବେଳେ ସୁମି ପାଟିରେ ମାଛ ଭଜା ଖଣ୍ଡେ ପୁରେଇ ଦେଲେ ସୋମେଶ । ସେ ଆଶ୍ଚର୍ଯ୍ୟ ହେଇ ଅନେଇ ରହିଲା ।

ଆରେ ଆକ୍ଟିଂ କରୁଥିଲି ଆକ୍ଟିଂ । ମୋ ତଂଟିରେ କିଛି କଣ୍ଟା ଫସିନି । ମୁଁ ଜାଣେ କାମ ଥିଲେ ତୁମେ ଖାଇବାକୁ ଭୁଲିଯିବ । ତୁମକୁ ଚୁନା ମାଛ ଭଲ ଲାଗେନି । ମୁଁ ଭୁବନେଶ୍ବରରୁ ଫେରିଲା ବେଳେ ମା ଫୋନ କରିଥିଲା । କହିଲା ବାପା ଚୁନା ମାଛ ଆଣିଛନ୍ତି । ବୋହୂ ତ ଭଲ ପାଏନି ପାରିବୁ ଯଦି ତା ପାଇଁ ବଡ଼ ମାଛ ନେଇ ଆସିବୁ । ଚେୟାର ଟାଣି ଦେଇ ସୁମିକୁ ପାଖରେ ବସେଇଲା ସୋମେଶ । ତା ପାଟିରେ ଭାତ ଗୁଣ୍ଡା ଦେଇ କହିଲା ତୁମେ ସଦାବେଳେ ମୋ ମା ବାପାଙ୍କ କଥା ବୁଝୁଛ ଆଉ ମୁଁ ସ୍ୱାମୀ ହେଇ ତୁମ କଥା ବୁଝିପାରିବିନି?ତମକୁ ଚୁନା ମାଛ ଖାଇବାକୁ ଭଲ ଲାଗେନି ବୋଲି ମୁଁ ଜିଦ୍ଦି କରିଥିଲି ବଡ଼ ମାଛ ଭାଜିବା ପାଇଁ । ସୁମି ଆଖିରୁ ବହୁଥିଲା ଆନନ୍ଦାଶ୍ରୁ । ସେ ଖୁସିରେ ସୋମେଶଙ୍କ କାନ୍ଧରେ ଆଉଜି ପଡ଼ିଲା

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.