ରଚନା :ବିଶ୍ୱ ମାତୃ ଦିବସ

124032487 earth day set of globe and tree sprout watercolor painting
Reading Time: 3 minutes

ମୋ ବାପା.. ସାଧୁ ବେହେରା ମେ ମାସର ଟାଣ ଖରାରେ ବି ଫୁଲ ଗଛର ଯତ୍ନ ନେବାରେ ବ୍ୟସ୍ତ ଥାଏ, ସବୁଦିନ ଭଳି । ପ୍ରିନ୍ସପାଲଙ୍କ ପିଅନର ଚଢା ଗଳା ଶୁଭିଲା “ତୋତେ ମାଡମ୍ ଦେଖା କରିବାକୁ ଡାକିଛନ୍ତି, ସଙ୍ଗେ ସଙ୍ଗେ । ” ସଙ୍ଗେ ସଙ୍ଗେ ଶବ୍ଦ ଶୁଣି ପାଣି ପାଇପ୍ ରେ ହାତ ଧୋଇ, ପାଇପ୍ ବନ୍ଦ କରି ସେ ଉଠିତ ପଡିଲା, ମାତ୍ର ପ୍ରିନସପାଲ ଅଫିସକୁ ରାସ୍ତା ତାକୁ ଯୋଜନ ଦୂରତା ଭଳି ଲାଗୁଥିଲା ।

ସେ ମନେ ପକାଇବାକୁ ଚେଷ୍ଟା କରୁଥାଏ କ’ଣ ଭୁଲ ହେଲା ତା’ର ? କେତେବେଳେ ପ୍ରିନସପାଲଙ୍କ ଦୁଆର ତା ଅଜାଣତରେ ଠକଠକ କରିଛି, ତା’ର ନଜର ନାହିଁ । ଗୋଟାପଣେ ଥରୁଥାଏ, ଚାକିରି ଗଲେ ତା ଅଲିଅଳି ଝିଅର ପାଠରେ ଡୋରି ଲାଗିବ । ମ୍ୟାଡମ୍ ତାଙ୍କର ନିତ୍ୟ ଗମ୍ଭୀର ସ୍ୱରରେ କହିଲେ ଭିତରକୁ ଆସ ଆଉ ଏ କାଗଜକୁ ପଢ । ସାଧୁ ବେହେରା କାନ୍ଦି ପକାଇଲା “ମାମ୍ ମୁଁ କ’ଣ ପଢି ଜାଣେ ?

କିନ୍ତୁ ମୁଁ ଜାଣି ପାରୁଛି ଏ ମୋ ଝିଅର ଅକ୍ଷର । ପିଲାଟା କ’ଣ ଯଦି ଭୁଲରେ ଲେଖି ଦେଇଛି, ମୁଁ କ୍ଷମା ମାଗି ନେଉଛି । ତା ପାଠରେ ଡୋରି ଲଗାନ୍ତୁ ନାହିଁ । ଏ ମାଳିର କ’ଣ ଯୋଗ୍ୟତା ଅଛି ଏଭଳି ସ୍କୁଲରେ ତା ଝିଅକୁ ପାଠ ପଢାଇବାକୁ । ଆପଣଙ୍କ ଦୟାରୁ ସେ ପଢୁଛି ।” ପ୍ରିନସପାଲ ଗଳାକୁ ଅଳ୍ପ ନରମ କରି କହିଲେ “ନିଜେ ନିଜେ ଏତେ ଭାବି ନେଉଛ କାହିଁକି? ତୁମ ଝିଅକୁ ଏଠି ପଢାଇବାକୁ ତୁମେ ଅନୁରୋଧ କରିଥିଲେ ସତ ।

ତା’ର ଯୋଗ୍ୟତା ଅନୁସାରେ ତାକୁ ଦାଖଲ ମିଳିଛି ଏବଂ ସେ ଏ ସ୍କୁଲର ଗର୍ବ । ତୁମେ ଯଦି ପଢି ପାରୁନ ଓଡିଆ ମାଡମ୍ ପଢି ଶୁଣାଇ ଦେବେ । ଶୁଣ ।” ଓଡିଆ ମାଡମ୍ କାଗଜଟି ପଢିବା ଆରମ୍ଭ କଲେ, ଧୀରେ ଧୀରେ ବାକି ଶିକ୍ଷୟତ୍ରୀ ମାନେ ମଧ୍ୟ ଆସିଯାଇଥାନ୍ତି ସେତେବେଳକୁ । “ଆଜି ଆମ ସ୍କୁଲରେ ବିଶ୍ଵ ମାତୃ ଦିବସ ପାଇଁ ରଚନା ଲେଖିବାକୁ ଦିଆ ଯାଇଥିଲା । ମୁଁ ମା କ’ଣ ଜାଣିବା ଆଗରୁ ମୋ ମା ଆରପାରିକୁ ଚାଲି ଯାଇଥିଲେ, ହେଲେ ମା’ର ଅଭାବ ଦିନେ ମୁଁ ଜାଣିନି।”

“ଉପାନ୍ତ ଓଡିଶାର ସୁଦୁର କେନ୍ଦୁଝର ଜିଲ୍ଲାରେ ଆମ ଗାଁ, ଯାହା ମୋର ମନେ ନାହିଁ । ଶୁଣିଛି ସେଠି ସ୍କୁଲ, ଡାକ୍ତରଖାନା, ରାସ୍ତାଘାଟ; ଏସବୁ ସାତ ସପନ । ସେଠିକାର ଅନେକ ମା’ଙ୍କ ପରି ମୋ ମା ମତେ ଜନ୍ମ ଦେଇ ଆରପାରିକୁ ଚାଲିଗଲେ । ପରିବାରରେ କେହି ମତେ ସରାଗରେ କୋଳକୁ ନେଇ ନଥିଲେ, କାରଣ ମୁଁ ଝିଅଟିଏ ଥିଲି ପୁଣି ମା’ଖାଇ ।” “ଜଣେ ମତେ ସରାଗରେ କୋଳକୁ ନେଇ ଥିଲେ ଯାହା ଛଡା ମୋ ଜୀବନରେ ଆଉ କେହି ନାହିଁ, ମୋ ବାପା ।

ଜେଜେ, ଠାକୁମା ତାଙ୍କୁ ବହୁତ ବାଧ୍ୟ କଲେ ଦୁତୀୟ ବିବାହ କରିବାକୁ । ମତେ ପାଳିବା ପାଇଁ ନୁହେଁ, ବଂଶ ରକ୍ଷକ ପୁଅଟିଏ ଦରକାର ଥିଲା ବୋଲି, କାରଣ ମୁଁ ତ ଅଲୋଡା ଝିଅଟିଏ ପୁଣି ମା’ଖାଇ !! ମୋ ବାପାଙ୍କୁ ଧମକ ବି ଦିଆଗଲା ବିବାହ ନକଲେ ସମ୍ପତ୍ତିରୁ ବେଦଖଲ୍ କରାଯିବ ବୋଲି ।” “ମୋ ବାପା କାହା କଥା ନମାନି, ଗାଁର ସବୁ ସୁଖ ଛାଡି ମତେ କାନ୍ଧରେ ପକାଇ ଭୁବନେଶ୍ଵର ଚାଲିଆସିଥିଲେ ।

ମୋଛଡା ତାଙ୍କ ପାଖରେ କିଛି ବି ନଥିଲା, ମୁଠେ ଚାଉଳବି ନୁହେଁ । ମତେ ଯେବେ ସାଙ୍ଗ ମାନେ ମାଳିର ଝିଅ ବୋଲି ହୀନ ଦୃଷ୍ଟିରେ ଦେଖନ୍ତି, ମୁଁ ସ୍କୁଲ କର୍ତୁପକ୍ଷଙ୍କୁ ମନେ ମନେ ଦୁଇଥର ଧନ୍ୟବାଦ ଦିଏ; ମୋ ବାପାଙ୍କୁ ମାଳି ଚାକିରିଟିଏ ଦେଇଥିବାରୁ ପୁଣି ମତେ ଏତେ ବଡ ନାମୀ ଦାମୀ ସ୍କୁଲରେ ପାଠ ପଢିବାର ସୁଯୋଗ ଦେଇଥିବାରୁ ।” “ମା ଯଦି ତ୍ୟାଗ, ସ୍ନେହ, ମମତା ଓ କର୍ତ୍ତବ୍ୟ ବୋଧର ମୂର୍ତିଟିଏ ହୁଏ, ମୋ ବାପା କେଉଁଥିରେ ପଛରେ ନୁହନ୍ତି । ସେ ମୋ ପାଇଁ ବାପାବି ମା’ବି ।

ମୁ ଏବେ ବଡ ହେଲାରୁ ଜାଣି ପାରୁଛି, ମୋ ବାପାଙ୍କ ପେଟ ଦୁଇଟା ରୁଟିରେ ପୁରିଯାଏ କେମିତି ? ପୁଣି ମତେ ଯାହା ସୁଆଦିଆ ଲାଗେ ତାଙ୍କ ପାଇଁ ସେଇଟା ଅରୁଚିକର କେମିତି ? ଦିନସାରା ଖରାରେ ଖଟିଲା ପରେ ପୁଣି କେଉଁଠୁ ଦେହରେ ବଳ ଆସେ ବୋଲ ପାଇଟି କରି ଦୁଇ ପଇସା ଅଧିକ ରୋଜଗାର କରିବାକୁ ? ମତେ ଭଳି ଭଳି ପୋଷାକ କେଉଁଠାରୁ ଆଣିଦିଅନ୍ତି ଆଉ ପାଞ୍ଚ ଜଣଙ୍କ ସଙ୍ଗେ ସମାନ କରି ? ତାଙ୍କ ମୁଣ୍ଡ ସଦା ତଳକୁ ଥାଏ କ’ଣ ମୁଁ ମୁଣ୍ଡ ଉଠାଇ ପାରିବି ବୋଲି ?” “ଆଜି ମାତୃ ଦିବସରେ ମୋ ବାପାଙ୍କ ଠାରୁ ଭଲ ମା ମୁଁ କାହୁଁ ଜାଣିବି ? ମୋ ବିଚାରରେ ମୋ ବାପା ଖାଲି ଶ୍ରେଷ୍ଠ ବାପା ନୁହଁନ୍ତି, ଶ୍ରେଷ୍ଠ ମା ମଧ୍ୟ ।

ମୋ ବାପା ମୋ ଜୀବନର ପ୍ରଥମ ପୁରୁଷ ଆଉ ଶେଷ ପୁରୁଷ, କାରଣ ମୁଁ ବାହାହୋଇ ଚାଲିଗଲେ ମୋ ବାପାଙ୍କ ଯତ୍ନ କିଏ ନେବ ? ମୋ ଛଡା ତାଙ୍କର ଆଉ କିଏ ଅଛି ??” “ମାତୃ ଦିବସରେ ବାପାଙ୍କ କଥା ଲେଖି ଶୃଂଖଳା ଭଙ୍ଗ କରିଥିବାରୁ ଆଉଥରେ କ୍ଷମା ଚାହୁଁଛି । କିନ୍ତୁ ମୋ ବାପା ଦୁନିଆଁର ସର୍ବଶ୍ରେଷ୍ଠ ମା । ମୁଁ ଯାହା ଲେଖିଛି ସେଥିରେ ମାର୍କ ତ ମିଳିବନି । ମାଡମ୍ ରାଗିବେ ନିଶ୍ଚିତ । କିନ୍ତୁ ମିଛ କିପରି ଲେଖିବି ?” ଖରାର ତାତି ସାଧୁ ବେହେରା ଦେହରୁ ଝାଳ ନିଗାଡି ପାରେ ନା ।

ପଥର ପରି ଛାତି ଭିତରୁ ତା’ର ଆଜି ଜମାଟ ବନ୍ଧା ଲୁହ ବହୁ ଥିଲା, ଆଖି ଥିଲା ଶୁଖିଲା । ମାଡମଙ୍କ ଠାରୁ କାଗଜଟି ନେଇ ଛାତିରେ ଚାପି ଧରିଲା ସେ । ସବୁ ମାଡମ୍ ମାନଙ୍କ ଆଖିରେ ଲୁହ ଜକେଇ ଆସୁଥାଏ । ପ୍ରିନସପାଲ ସାଧୁ ବେହେରାକୁ ସ୍ନେହରେ ହାତ ଧରି ଚଉକିରେ ବସାଇ କହିଲେ “ତୁମ ଝିଅ ଏ ରଚନାରେ ଦଶରୁ ଦଶ ନମ୍ବର ପାଇଛି । କାଲି ତୁମ ଝିଅର ଏ ଲେଖା ସମସ୍ତ ଖବର କାଗଜରେ ପ୍ରକାଶ କରିବାକୁ ଆମେ ସ୍ଥିର କରିଛୁ ।

ମାଳି ଭାବରେ ତୁମେ ଗଛଲତାର ଯେତିକି ଯତ୍ନ ନିଅ, ଜୀବନ ବଗିଚାର ଶ୍ରେଷ୍ଠ ଫୁଲକୁ ଠିକ ସେହିପରି ଯତ୍ନ ନେଇଛ, ଏକଥା ଦୁନିଆଁ ଜାଣୁ । କାଲିଠାରୁ ତୁମେ ମାଳି ନୁହେଁ ହଷ୍ଟେଲ ୱାର୍ଡେନ ଭାବେ କାମ କରିବ । ବଗିଚାର ଫୁଲ ଠାରୁ ମହତ୍ତର ଫୁଲ ମାନଙ୍କର ତୁମେ ଯତ୍ନ ନେବ । ଆମ ସ୍କୁଲର ଗର୍ବ ତୁମ ଝିଅବି ଅନୁଭବ କରିବ ଯେ ମାଳି କାମ ପାଇଁ ତା ବାପା ଜନ୍ମ ନେଇ ନଥିଲେ, ଏ ହଷ୍ଟେଲର ପିଲା ମାନଙ୍କୁ ମଣିଷ କରିବାକୁ ତାଙ୍କ ମଣିଷ ପଣିଆ ପୂର୍ଣ ବିନିଯୋଗ ହେଉ ।

ତୁମେ ମାତୃ ଦିବସରେ ପୂଜାର ଯୋଗ୍ୟ, କାରଣ ଝିଅ ନ ବଞ୍ଚିଲେ ମା ଆସିବେ କେଉଁଠାରୁ ? ସେତବେଳକୁ ଶିକ୍ଷୟତ୍ରୀ ମାନଙ୍କ ଈସାରାରେ ଧୂପ ଦୀପ ଧରି ଝିଅମାନେ ସାଧୁ ବେହେରାକୁ ବନ୍ଦାଉ ଥିଲେ ଆଉ ମଝିରେ ତା ପାଦ ତଳେ କେହି ଜଣେ ଖୁସିରେ ମୁର୍ଛା ଯାଇଥିଲା । ଆଜି ତାକୁ ସବୁ ଝିଅ ତା ଝିଅ ପରି ଲାଗୁଥିଲେ, ତେଣୁ ସେ ତାକୁ ଉଠାଇବାକୁ ଯାଇ ଦେଖୁଥିଲା ତା କୁନି ମା’କୁ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.