କିଶୋରୀ ପ୍ରେମିକାର ଅଭିମାନ

rail transport train electric locomotive passenger car clip art train
Reading Time: 14 minutes

ଠିକ୍ ସାଢେ ନ’ରେ ରାଜଧାନୀ ଏକ୍ସପ୍ରେସ୍ ଭୂବନେଶ୍ବର ଛାଡିଲା, ଦିଲ୍ଲୀ ଅଭିମୁଖେ।

ଶେଷ ଡିସେମ୍ବରର ଶୀତୁଆ ସକାଳ। ଏ ବର୍ଷ ଭୂବନେଶ୍ବରରେ ବେଶ୍ ଥଣ୍ଡା ପଡିଛି। ଆଜି ସକାଳେ ଘରୁ ବାହାରିବା ବେଳକୁ ସାଢେ ଆଠ ବାଜିଥିଲାଣି। ତଥାପି ବି ସେ ପର୍ଯ୍ୟନ୍ତ ଚାରିଆଡେ କୁହୁଡି ଢାଙ୍କି ରଖିଥିଲା। ଦିଲ୍ଲୀରେ ତ ଆହୁରି ବେଶୀ ଶୀତ ହଉଥିବ।

ସେକେଣ୍ଡ୍ ଏ.ସି, ଭିତର ପଟ, ତଳ ବର୍ଥ କାବ୍ୟା ନାମରେ ସଂରକ୍ଷିତ ହେଇଛି । ଶାଲ୍ ଟିକୁ ଆଉ ଟିକେ ଟାଣି ଆଣି ଭଲ କରି ଘୋଡି ହେଇ ଜାକିଜୁକି ହେଇ ବସିଲା ସେ। ଚାରିଆଡୁ ଆଖି ପହଁରେଇ ଆଣିଲା। ସାମ୍ନା ସିଟ୍ ଖାଲି। ହୁଏତ ଆଗ ଷ୍ଟେସନରେ କିଏ ଉଠି ପାରନ୍ତି। ଉପର ଦୁଇ ବର୍ଥରେ ଦୁଇ ଜଣ ଯୁବକ। ହାତରେ ସେଲ୍ ଫୋନ୍, କାନରେ ଇଅର୍ ପିସ୍। ଏ ଯୁଗର ଟ୍ରେଣ୍ଡ୍! ଟ୍ରେନ୍ ଛାଡୁ ନ ଛାଡୁଣୁ ସେମାନେ ନିଜ ନିଜର ନିଜସ୍ଵ ଦୁନିଆରେ। ଏ ସେଲ୍ ଫୋନ୍ ଜଗତକୁ ଯୋଡୁନାଇଁ ତ – ଜନ ସମ୍ପର୍କକୁ ଛିଡଉଛି!!

ତିରିଶ ବର୍ଗଫୁଟର ଏକ ନିବୁଜ କୋଠରୀ ଭିତରେ ରୁନ୍ଧି ହେଲା ଭଳି ଲାଗୁଥିଲା କାବ୍ୟାକୁ। ଉଠି ପଡି ପାଖ ପରଦାକୁ ଆଡେଇ ଦେଲା। ନାଃ … ସାଇଡ୍ ତଳ, ଉପର ଦୁଇ ସିଟ୍ ସାମ୍ନାରେ ମଧ୍ୟ ମୋଟା ନୀଳ ପରଦା। ତା’ ଭିତରେ ଯୁବକ କି ବୟସ୍କ, ପୁରୁଷ କି ମହିଳା – କିଏ ଅଛନ୍ତି ଜାଣିବାର ବି ଉପାୟ ନାହିଁ। ହେ ଭଗବାନ୍! ଅନ୍ତତଃ କୌଣସି ଜଣେ ମେଳାପୀ ବ୍ୟକ୍ତିଙ୍କୁ ସାମ୍ନା ସିଟ୍ ଆଲଟ୍ ହେଇଥାଉ। ନ ହେଲେ ଏତେ ଲମ୍ବା ଯାତ୍ରା ଏମିତି ଅଖାଡୁଆ ପରିବେଶରେ କଟିବ କେମିତି?

କାବ୍ୟାର ପିଲାବେଳର ଟ୍ରେନ୍ ଯାତ୍ରା କଥା ମନେ ପଡୁଥିଲା। ଇସ୍ … ଟ୍ରେନ୍ ଯାତ୍ରା ନୁହଁ ତ … ରୀତିମତ ମହୋତ୍ସବ ଥିଲା ସିଏ! ସେମାନେ ଥିଲେ ତିନି ଭାଇ ଭଉଣୀ। କେଦାର, କାବ୍ୟା ଓ କବୀର। ପରିବାରର ସମସ୍ତେ ମିଶି ଏକାସଙ୍ଗେ ଯାତ୍ରା କରିବା କମ୍ ଆମୋଦ ଦାୟକ ନ ଥିଲା। ସାଧାରଣ ସେକେଣ୍ଡ କ୍ଲାସ୍ କମ୍ପାର୍ଟମେଣ୍ଟ୍। ଖୋଲା ଝରକା, ମେଲା ପବନ। ମୁକୁଳା ଆକାଶ, ଉଚ୍ଛୁଳା ଉଲ୍ଲାସ। ଝର୍କା ସେପଟେ ଧାବମାନ ଗଛବୃଚ୍ଛ, ସୋରିଷ ଫୁଲିଆ ଧାନକ୍ଷେତ। ତା’ରି ଭିତରେ ମିଳି ମିଶି ବାରମଜା, ଚିନାବାଦାମ୍ ଭଜା ଖାଇବାର ମଜା। ବୋଉର ଅଭ୍ୟସ୍ତ ହାତ ଅବିକଳ ସମାନ ଭାଗ କରି ତିନି ଭାଇ ଭଉଣୀଙ୍କୁ ଧରେଇ ଦିଏ। କେଦାର ଭାଇନା କାହାକୁ ଦିଏ ନାଇଁ କି କାହାଠୁ ନିଏ ନାଇଁ। ସବୁ ଦିନେ ସେ ଲୋଭୀଟା। ତା’ର ତା’ର ଖାଏ। କବୀର ତା’ ଭାଗ ଚଟାପଟ୍ ଖାଇ ଦେଇ ନାନୀ ଆଡକୁ ଅନାଏ। ଛୋଟ କାବ୍ୟା ଛୋଟିଆ ଭାଇର ଚାହାଣୀ ବୁଝେ। ଚୁପ୍ ଚାପ୍ ଭାଇ ଠୁଙ୍ଗାରେ କିଛି ପକେଇଦିଏ। ଆଃ … କେତେ ମିଠା ସତରେ ପିଲାଦିନର ସ୍ମୃତି ସବୁ! କେବଳ ନିରାପତ୍ତା ଆଉ ପରିଚ୍ଛନ୍ନତା ପାଇଁ ଏଇ ଏ.ସି. କମ୍ପାର୍ଟମେଣ୍ଟ୍ ରେ ଯାତ୍ରା କରିବା କଥା। ନ ହେଲେ ଲମ୍ବା ଯାତ୍ରା ଭାରି ବିରକ୍ତିକର ସତରେ।

ଟ୍ରେନ୍ ଅଟକିଲା। କଟକ। ଅଫ୍ ବ୍ଲାକ୍ ରଙ୍ଗର ଟ୍ରଲିଟିଏ ଗଡେଇ ପଶି ଆସିଲା ଝିଅଟିଏ। ସାଙ୍ଗରେ ଜଣେ ପୌଢ ଭଦ୍ରବ୍ୟକ୍ତି। ତାଙ୍କ ହାତରେ ଗୋଟିଏ ବ୍ୟାଗ୍। ତା’କୁ ସେ କୋଳରେ ଧରିଥା’ନ୍ତି।

: ମାମୁଁ ! ବ୍ୟାଗ୍ ଭିତର ଆଡକୁ ରଖିଦେବା। ଟ୍ରଲିଟା ବାହାର ଆଡକୁ ଥାଉ।
: ଠିକ୍ କହୁଛୁ। ଝିଅଟି କହିବା ମୁତାବକ ଭଦ୍ରବ୍ୟକ୍ତି ଲଗେଜ୍ ସେଟ୍ କରି ରଖିଦେଲେ।
: ଦେଖି ଚାହିଁ ଯିବୁ ମା’। ପହଞ୍ଚି ଜଣେଇବୁ।
ଝିଅଟି ଭଦ୍ରବ୍ୟକ୍ତିଙ୍କ ପାଦ ଛୁଇଁଲା। ସେ ତା’କୁ କୋଳେଇ ନେଇ କପାଳରେ ଚୁମା ଦେଲେ ଓ ତରତରରେ ଓହ୍ଲାଇଗଲେ। ଟ୍ରେନ୍ ଷ୍ଟେସନ୍ ଛାଡିଲା।

ଆଖି ଲାଖି ଗଲା ଭଳି ଚେହେରା ଝିଅଟିର। ଦୁଧ ଅଳତା ରଙ୍ଗର ଦେହ। ଛୋଟ ଧାରୁଆ ମୁହଁକୁ ମାନିଲା ଭଳି ସୁନ୍ଦର ହେଆର୍ କଟ୍। ନୀଳ ଡେନିମ୍ ଜିନ୍ସ୍ ଓ ଢିଲା ଫ୍ଲୋରାଲ୍ କୁର୍ତ୍ତା ସହ ଅପୂର୍ବ ଦିଶୁଥିଲା ଝିଅଟି। ପରିଧାନ ବେଶ୍ ଷ୍ଟାଇଲିଶ୍ ଅଥଚ ଖୁବ୍ ଶାଳୀନ। କାବ୍ୟାକୁ ମୁହଁଟା ଚିହ୍ନା ଚିହ୍ନା ଲାଗୁଥିଲା। ହେଲେ ଆଦୌ ମନେ ପଡୁ ନ ଥିଲା କେବେ କେଉଁଠି ଦେଖିଛି। ଅଧ୍ୟାପିକା ଜୀବନରେ ଅନେକ ଛାତ୍ରୀଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସିଛି ସେ। ହୁଏତ ତା’ର କୌଣସି ପୁରାତନ ଛାତ୍ରୀ ହେଇଥିବ। କଥା ଆରମ୍ଭ କଲା କାବ୍ୟା।

: କୁଆଡେ ଯାଉଛ ମା’? ଦିଲ୍ଳୀ??
: ମୁଁ ଗୟା ଯାଉଛି ମା’ମ୍।
: ଗୟା ପହଞ୍ଚିଲା ବେଳକୁ ବୋଧେ ରାତି ଏଗାର ହବ। ସେଠି କିଏ ରହନ୍ତି?
: ମୋ କାକା, କାକୀ ରହନ୍ତି। କାକା ଷ୍ଟେସନ୍ ଆସିବେ ମୋତେ ନେବା ପାଇଁ।
: ତମ ନାଁ ? କ’ଣ କର ??
: ମୋ ନାଁ’ ଋତୁପର୍ଣ୍ଣା। ମୋତେ ‘ଋତୁ’ ଡାକିପାରନ୍ତି। ମୁଁ ଦିଲ୍ଲୀ ଏମ୍ସ୍ ରେ ପେଡିଆଟ୍ରିକ୍ ସର୍ଜରୀରେ ପି.ଜି କରୁଛି।
: ବାଃ … ବଢିଆ। ଆମ ବେଳେ ଖୁବ୍ କମ୍ ଝିଅ ସର୍ଜରୀ ନିଜ କ୍ୟାରିୟର ରୂପେ ବାଛୁଥିଲେ।
: ଆପଣଙ୍କର ବି ମେଡିକାଲ ପ୍ରଫେସନ୍ ନା କଣ ମା’ମ୍?
: ନାଇଁ ନାଇଁ। ମୁଁ ବାଣୀବିହାରରେ ଓଡିଆ ବିଭାଗର ପ୍ରଫସର ଥିଲି। ଏଇ ଅଳ୍ପ ଦିନ ଆଗରୁ ଅବସର ନେଇଛି।
: ଓଃ ! ଶିକ୍ଷକ ! ଶିକ୍ଷକ ଓ ଶିକ୍ଷକତା ପ୍ରତି ମୋର ସ୍ବତନ୍ତ୍ର ସମ୍ମାନ ଅଛି । ଆପଣ କୁଆଡେ ଯିବେ ?
: ମୁଁ ଦିଲ୍ଲୀ ଯାଉଛି। ମୋ ସାନ ଭାଇ ରହେ ସେଠି। ବହୁତ ଦିନ ହେଲା ଡାକୁଥିଲା। କାମରେ ବ୍ୟସ୍ତ ରହି ଯାଇ ପାରୁ ନ ଥିଲି। ଅବସର ପରେ କାମ କମିଗଲା । ଭାବିଲି ଏବେ ଥରେ ବୁଲି ଆସେ।
: ଖୁବ୍ ଭଲ କଲେ। ମଝି ମଝିରେ ସମୟ ବାହାର କରି ବୁଲାବୁଲି କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକର।
: ଆଚ୍ଛା ତମେ ବାଣୀ ବିହାର ହାଇସ୍କୁଲରେ ପଢୁଥିଲ କି ଋତୁ ? ତମକୁ କେବେ କେଉଁଠି ଦେଖିଲା ଭଳି ଲାଗୁଛି। ଦେଖିଛି ନିଶ୍ଚୟ । କିନ୍ତୁ କେଜାଣି କାହିଁକି ଠିକରେ ମନେ ପଡୁନି ।
: ନାଇଁ ମା’ମ୍। ନର୍ସରୀରୁ ଏ ଯାଏଁ – ସବୁ ଦିଲ୍ଲୀରେ। କିନ୍ତୁ ଆମ ମେଡିକାଲ ପାଠ ବି କହେ ଯେ କୌଣସି ରକ୍ତ ସମ୍ପର୍କ ନ ଥାଇ ସମ୍ପୂର୍ଣ୍ଣ ଏକା ଚେହେରାର ଦୁଇଟି ମଣିଷ ଥାଇପାରନ୍ତି। ଆପଣ ମୋର କୌଣସି ‘ରିପ୍ଲିକା’କୁ ଦେଖିଥିବେ ନିଶ୍ଚୟ ।

ଏହା କହି ଅଳ୍ପ ହସିଲା ଋତୁ। ଆରେ … ଏ ହସ ବି ତ କାବ୍ୟାର ଖୁବ୍ ପରିଚିତ। କିନ୍ତୁ କାହାର ହସ? କାହାର ମୁହଁ?? କିଏ ସେ ମଣିଷ ??? କି ଆଶ୍ଚର୍ଯ୍ୟ ! ବୟସାଧିକ୍ୟ ଯୋଗୁଁ ତା’ର ଆଉ ମତିଭ୍ରମ ହଉନାଇଁ ତ !!

ଶିକ୍ଷାରୁ ନେଇ ସ୍ବାସ୍ଥ୍ୟ, ରାଜନୀତିରୁ ନେଇ ଅର୍ଥନୀତି, ସିନେମାରୁ ନେଇ ସଙ୍ଗୀତ – ଏ ସମସ୍ତ ଚର୍ଚ୍ଚା ମଧ୍ୟରେ କେତେବେଳେ ଯେ ଲଞ୍ଚ୍ ଟାଇମ୍ ହେଇଗଲା – କେହି ଜାଣି ପାରିଲେନି। ପ୍ୟାଣ୍ଟ୍ରି ଲଞ୍ଚ୍ ଖୁବ୍ ଭଲ ନ ହେଲେ ବି ମନ୍ଦ ନ ଥିଲା। ସାଙ୍ଗ ହେଇ ଖାଇନେଲେ ଦି’ଜଣ। ଟିକେ ବିଶ୍ରାମ ଲୋଡା। ନିଜ ନିଜ ବର୍ଥରେ ବିଛଣା ସଜାଡି ଦୁହେଁ ଶୋଇବାର ଉପକ୍ରମ କଲେ।

ପାଞ୍ଚ ମିନିଟ୍ ମଧ୍ୟରେ ଗଭୀର ନିଦରେ ଶୋଇଗଲା ଋତୁ। କାବ୍ୟା ଆଖିରେ ନିଦ ନାହିଁ। ଋତୁକୁ ତା’କୁ ଖୁବ୍ ଭଲ ଲାଗୁଥିଲା। ଆଜିକାଲିକା ପିଲା ଭଳି ନୁହଁ। ବେଶ୍ ମେଳାପୀ। ବୟସ୍କ ମଣିଷଙ୍କ ସହିତ କଥା ହେବାର ବାଗ, ବାଇସ ସବୁ ଜଣା ତା’କୁ। ଆଃ … ଏମିତିକା ସୁନ୍ଦର ଝିଅଟିଏ ତା’ର ଯଦି ଥାଆନ୍ତା ! ନିଜ ଭାବନାରେ ନିଜେ ଫିକ୍ କରି ହସି ପକେଇଲା କାବ୍ୟା। ଜିଦ୍ କରି ବାହା ହେଲାନି – ଏବେ ଭାବୁଚି ନିଜର ଝିଅଟିଏ ଥାନ୍ତା କି !

ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଶାନ୍ତ, ସରଳ, ସୁଧାର, ସୁଶୀଳ ଝିଅଟିଏ ଥିଲା କାବ୍ୟା। ଘରର ପରମ୍ପରା ଅନୁଯାୟୀ କାହିଁକି ବିବାହ କଲାନି ସେ ? କାହିଁକି ବାପାଙ୍କ ଅନୁଶାସନ, ବୋଉର ଅନୁନୟ, କେଦାର ଭାଇନାର ଅନୁରୋଧ ଅଥବା କବୀର ଭାଇର ଅଭିମାନ ଉପରେ ପଥର ଲଦି ଛାତି ତଳେ ଚାପିଦେଲା ?? କାହିଁକି ଏମିତି ଜିଦ୍ କଲା କାବ୍ୟା ???

ଏ ପ୍ରଶ୍ନର ଉତ୍ତର କାବ୍ୟାକୁ ଜଣା। ହେଲେ ଏ ‘ଜଣା କଥା’କୁ ସେ କେବେ ବି କାହାକୁ ଜଣେଇନି। ଜଣେଇଥିଲେ ଅବା ଜୀବନର ଛକି ଶୂନ ଖେଳରେ ସେ ଜିଣି ଯାଇଥାନ୍ତା ! କିନ୍ତୁ ସେ କୋଉଠି ହାରିଛି ଯେ ? କାବ୍ୟା ଭିତରେ ତ ତା’ର କବିତା ଜିଇଛି। ଆଉ କବିତା ଭିତରେ ତା’ ଜୀବନ। ସେଇଟା କ’ଣ ତା’ର ଜିତାପଟ ନୁହଁ ?

ବଗ ପରି ଡେଇଁ ଡେଇଁ ପୌଢା କାବ୍ୟା ଭିତରୁ ବାହାରି ଆସିଲା କୁନି କାବ୍ୟାଟି । କଙ୍କି ପଛରେ ଧାଇଁଲା, ଗୁଡି ଉଡେଇଲା, ଖପରା ଖେଳିଲା, ପଡିଶା ଘରର ପୂଣ୍ୟଶ୍ଳୋକ ସହିତ ମିଶି, ବର୍ଷାରେ ଓଦା ହେଇ, ନାଳର ଗୋଳିଆ ପାଣିରେ ଚବର ଚବର ହେଇ କାଗଜ ଡଙ୍ଗା ଭସେଇଲା। ତା’ପରେ ବାଳିକା କାବ୍ୟା। କେବେ ରାଗିଲା, କେବେ ଋଷିଲା, ମିଠା ମିଠା ହସିଲା, ସହପାଠୀ ପୂଣ୍ୟଶ୍ଳୋକ ସହିତ ସାଙ୍ଗ ହେଇ, ବହି ବସ୍ତାନୀ ଧରି ସ୍କୁଲ୍ ଗଲା।

ପରେ ପରେ କିଶୋରୀ କାବ୍ୟା। ଏବେ ତା’ ଜୀବନକୁ ଅଚାନକ ଆସିଗଲା କବିତା। ସେ କବିତାକୁ ବୁଝିଲା, କବିତାରେ ହଜିଲା, କବିତାରେ ମଜ୍ଜିଲା ଆଉ କବିତାକୁ ହିଁ ଭଲ ପାଇ ବସିଲା ।

କେବେ କେବେ କୌଣସି ଭାବନାରେ ନିମଗ୍ନ ଥିବା କାବ୍ୟା ପାଖରେ ବସି ବସି ଈଷତ୍ ବିରକ୍ତ ହେଇଉଠେ ପୂଣ୍ୟଶ୍ଳୋକ।

: ମୋତେ ଲାଗୁଛି ତୁ ଏଥର ନିଶ୍ଚୟ ଫେଲ୍ ହବୁ। ଏକାଦଶ ଶ୍ରେଣୀ ହେଲା। ପଢିବାର ନାଁ ଧରୁନୁ। ଚବିଶ୍ ଘଣ୍ଟା ସେ ଗୀତ ଖାତା, କବିତା ଖାତା। ରହ, ମୁଁ କହୁଛି ମଉସା, ମାଉସୀଙ୍କୁ।
: ଫେଲ୍ ହେବି ତ ହେବି। ତୋର ସେଥିରେ କ’ଣ ଯାଏ ଆସେ? ତୁ ତ କ୍ଲାସ୍ ରେ ଫାଷ୍ଟ୍ ହଉଛୁ ନା !
: ଆରେ ବୋକୀ, ତୋ ପାଇଁ ତୋତେ ପଢିବାକୁ ପଡିବ। ମୁଁ ଫାଷ୍ଟ ହେଲେ ତୋର କ’ଣ ଲାଭ?
: ଆରେ ତୁ ଫାଷ୍ଟ୍ ହେଲେ ନା ମୋତେ ଫାଷ୍ଟ୍ ହେଲା ଭଳି ଲାଗେ। କାବ୍ୟା ମୁହଁରେ ଦୁଷ୍ଟ ହସ।
: ଠିକ୍ କଥା। ତା’ ହେଲେ ତୁ ଫେଲ୍ ହେଲେ ମୋତେ ବି ଫେଲ୍ ହେଲା ଭଳି ଲାଗିବ ନା ନାହିଁ? ତୋର ସ୍ମୃତି ଶକ୍ତି ଖୁବ୍ ପ୍ରଖର। ତୁ ଟିକେ ମନ ଦେଇ ପଢିଲେ ବହୁତ ଭଲ କରନ୍ତୁ। ମୋତେ ବି ଟପି ଯା’ନ୍ତୁ।
: ପ୍ରଥମ କଥା ହେଲା – ମୁଁ ତୋତେ ଟପିବାକୁ ଚାହେଁନି। ଆଉ ଦ୍ବିତୀୟ କଥା ହେଲା …
: କହ …
: ଶ୍ଳୋକ ! କବିତା ମୋ ଜୀବନ। ତା’କୁ ଛାଡି ମୁଁ ବଞ୍ଚି ପାରିବିନି। ତୋତେ କ’ଣ ମୋ ଲେଖା ଭଲ ଲାଗେନି?
: ବହୁତ ଭଲ ଲାଗେ। ବହୁତ। ମୁଁ ତୋତେ ଲେଖା ଛାଡିବାକୁ କହୁନିରେ। ଖାଲି କହୁଛି – ପଢିବାକୁ ପ୍ରାଥମିକତା ଦେ’। ‘ଲେଖିବା’ କୁ ହବି କର୍।

ହସେ କାବ୍ୟା। ହସିଲେ ଶ୍ୟାମାଙ୍ଗୀ କାବ୍ୟାର ଦୁଇ ଗାଲରେ ଗାଢ ଭଉଁରୀ ଖେଳେ। ପୂଣ୍ୟଶ୍ଳୋକର ଆଖି ଅଟକି ଯାଏ ସେଇଠି।

ସବୁ ଠିକ୍ ଠାକ୍ ଚାଲିଥିଲା ସେଇ ସ୍କୁଲ୍ କୁ ଅରୁନ୍ଧତୀ ଆସିବା ଯାଏଁ। ସେଇ ସହରକୁ ବଦଳି ହେଇ ଆସନ୍ତି ଆସିଷ୍ଟାଣ୍ଟ ଇଂଜିନିୟର୍ ଅରବିନ୍ଦ ପଟ୍ଟନାୟକ। ତାଙ୍କର ଏକମାତ୍ର ଅଲିଅଳୀ ଝିଅ ଅରୁନ୍ଧତୀ ପଟ୍ଟନାୟକ। ଅରୁନ୍ଧତୀ କେବଳ ଅନିନ୍ଦ୍ଯ ସୁନ୍ଦରୀ ନ ଥିଲା, ଖୁବ୍ ଭଲ ପଡୁଥିଲା ମଧ୍ୟ। ଆଡ୍ମିସନ୍ ନେବାର ଜମାରୁ ମାସେ ପରେ ଷାଣ୍ମାସିକ ପରୀକ୍ଷା। ସେଥିରେ ଅପରାଜେୟ ପୂଣ୍ୟଶ୍ଳୋକକୁ ଟପି ସେ ହେଲା ଶ୍ରେଣୀରେ ପ୍ରଥମ। ଅତଏବ୍ ସ୍ବାଭାବିକ ଭାବରେ ଖୁବ୍ ଅଳ୍ପ ଦିନରେ ଅରୁନ୍ଧତୀ ଶିକ୍ଷକ ମାନଙ୍କର ପ୍ରିୟ ଛାତ୍ରୀ ହେଇଗଲା। ଭଲ ପଢୁଥିବା ପିଲା ମାନେ ପ୍ରମାଦ ଗଣିଲେ। ଶ୍ଳୋକ ନିଜ ପରିଶ୍ରମ ଦ୍ବିଗୁଣିତ କରିଦେଲା।

ଅରୁନ୍ଧତୀ ଅତି ମାତ୍ରାରେ ସାହିତ୍ୟ ପ୍ରେମୀ ଥିଲା। କାବ୍ୟାର ଗୀତ ଓ କବିତାର ମୁଗ୍ଧା ପାଠିକା ବି ଥିଲା ସେ। ଅରୁନ୍ଧତୀ ଓ କାବ୍ୟା ମଧ୍ୟରେ କ୍ଷୀର, ନୀର ସମ୍ପର୍କ ଏବେ !

: ତୁ ବହୁତ ଭଲ ଲେଖୁଛୁ କାବ୍ୟା। ପରିଶ୍ରମ କଲେ ସମସ୍ତେ ଭଲ ପଢି ପାରିବେ। ହେଲେ ‘ଭଲ ଲେଖିବା’ ଈଶ୍ବରଦତ୍ତ। ତୁ କେବେ ବି ଲେଖିବା ଛାଡିବୁନି। ତୋତେ ମୋ ରାଣ।
: ଛିଃ … ରାଣ ପକାନା। ହେଲେ ତୁ ସିନା ଏତେ ଭଲ ପାଉଛୁ ମୋ ଲେଖାକୁ … ଶ୍ଳୋକ ଭାରି ଚିଡୁଛି।
: ସେ ବି ତୋ ଲେଖାକୁ ଭଲ ପାଏ। କିନ୍ତୁ ଲେଖାଲେଖିରେ ମଜଗୁଲ ହେଇ ତୁ ପଢାରେ ଯେଉଁ ଢିଲା ମାରୁ – ସେଥିପାଇଁ ହୁଏତ ରାଗୁଥିବ। ତୋତେ ଭାରି ଭଲ ପାଏ କିନା!
: ଛେନାଟା ଭଲ ପାଉଛି। ସବୁବେଳେ ତ ରାଗୁଛି। ମନ ଦେଇ କେବେ ବି ମୋ କବିତା ଶୁଣେନା ସେ।
: କିଏ ଶୁଣୁଛି, ନ ଶୁଣୁଛି – ତା’ ଉପରେ ତୁ ଗୁରୁତ୍ୱ ଦେ’ ନା। ବାସ୍ … ତୁ କେବଳ ଲେଖି ଚାଲ୍।

ସେଦିନ କାବ୍ୟା ଘରକୁ ଆସିଥିଲା ପୂଣ୍ୟଶ୍ଳୋକ।

: ନୂଆ ସାଙ୍ଗ ପାଇ ଯାଇଛୁ ବୋଲି ପୁରୁଣା ସାଙ୍ଗ ଆଉ ମନେ ପଡୁ ନାହାନ୍ତି ତୋ’ର। ନୁହଁ?
: ଅରୁ କଥା କହୁଛୁ?
: ହଁ।
: ଜାଣିଛୁ! ତା’ର ଦିମାଗ୍ ଯେମିତି, ଦିଲ୍ ବି ସେମିତି। ସେ ସୁନ୍ଦର ଯେତିକି, ତା’ର ସୁଗୁଣ ବି ସେତିକି। ସେ ମୋର ସବୁଠାରୁ ଭଲ ସାଙ୍ଗ।
: ହଁ କି? ମୋ ଠୁଁ ବି ଭଲ ସାଙ୍ଗ??
: ହେଃ … ତୁ ପୁଅ ପିଲା, ସେ ଝିଅ ପିଲା। ତମ ଭିତରେ ତୁଳନା କ’ଣ ହୁଏ? ମୁଁ ତ ଆଜି ଯାଏ ତା’ପରି ସର୍ବ ଗୁଣ ସମ୍ପନ୍ନା ଝିଅଟିଏ ଦେଖି ନ ଥିଲି।
: ସତରେ? ମୁଁ କେମିତି ଜାଣିବି ଏତେ କଥା? ତୁ କ’ଣ କେବେ ମୋତେ ତା’ ସହିତ ଭଲ କରି କଥା କରେଇଚୁ??

ଆରେ ସତେ ତ! ତା’ର ସବୁଠାରୁ ଅନ୍ତରଙ୍ଗ ମଣିଷଟିକୁ ତା’ର ପ୍ରିୟ ବାନ୍ଧବୀ ସହିତ ଭଲ ଭାବେ ଏ ଯାଏଁ ପରିଚିତ କରେଇନି କେମିତି ଯେ !! ଶ୍ଳୋକ କ’ଣ ମିଛଟାରେ ତା’କୁ ବୋକୀ କହେ !!!

ଆହା ! ଅଳ୍ପ ଚିହ୍ନା ସାଙ୍ଗକୁ ବେଶୀ ଚିହ୍ନା ସାଙ୍ଗ ସହିତ ଚିହ୍ନା କରେଇ ଦଉ ଦଉ କାବ୍ୟା ନିଜ ପାଖରେ ନିଜେ ଅଚିହ୍ନା ପାଲଟିଗଲା କି ? କେଜାଣି !

ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ନ। ପୂଣ୍ୟ ଶ୍ଳୋକ ଏବଂ ଅରୁନ୍ଧତୀ ଉଭୟଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ବି ସମୟ ମିଳେ, ଶ୍ଳୋକ ଏବଂ ଅରୁ ପଢାପଢି ଚର୍ଚ୍ଚା କରନ୍ତି। ଶ୍ଳୋକ ଅନେକ ସମୟରେ ଅରୁ ପାଖରେ – କେତେବେଳେ ଶ୍ରେଣୀ ଗୃହରେ ତ କେତେବେଳେ ଲାଇବ୍ରେରୀରେ। କାବ୍ୟା ସେଇ ପରିବେଶରେ ନିଜକୁ ଖାପ ଖୁଆଇ ପାରେ ନାହିଁ। ସେ ଚେଷ୍ଟା କରି ବି ବେଶୀ ମନଯୋଗ ଦେଇ ପଢି ପାରେ ନାହିଁ। ଏକାନ୍ତରେ ଚାହିଁଲେ ବି ଏବେ ଶ୍ଳୋକକୁ ପାଏ ନାହିଁ କାବ୍ୟା।

ସେଦିନ ବେଶ୍ ଖୁସି ଥିଲା ପୂଣ୍ୟଶ୍ଳୋକ।

: କାବ୍ୟା! ଅରୁ ଆଜି ମୋତେ ତାଙ୍କ ଘରକୁ ଡାକି ନେଇଥିଲା।
ଛାତିରେ କ’ଣ ଗୋଟାଏ ଅଟକି ଗଲା କାବ୍ୟାର।
: ହଁ କି?
: ହଁ। ତା’ ବାବା, ମାମା ବି ବହୁତ ଭଲ ମଣିଷ। ବହୁତ ଆଦର କଲେ ମୋତେ। କହିଲେ,” ପରୀକ୍ଷା ପାଇଁ ସଂକୀର୍ଣ୍ଣ ମାନସିକତାର ଉପରକୁ ଉଠି ପ୍ରତିଦ୍ବନ୍ଦିତା ମୂଳକ ପ୍ରସ୍ତୁତି କଲେ ଦୁଇ ପ୍ରତିଦ୍ଵନ୍ଦୀଙ୍କର ଲାଭ ହୁଏ। ମଉସା ମୋତେ ଅରୁ ସହିତ ମିଶି ତାଙ୍କ ଘରେ ପଢାପଢି କରିବା ପାଇଁ କହିଛନ୍ତି। ଯାହାର ଯାହା ସନ୍ଦେହ ଥିବ – ଆମେ ଟିପି ରଖିବୁ। ଅରୁର ଟ୍ୟୁସନ୍ ସାର୍ ସନ୍ଧ୍ୟାରେ ଆସି ବୁଝେଇ ଦେବେ।
ଏବେ କାବ୍ୟାର ତଣ୍ଟିରେ କଣ୍ଟା ଲାଗିଲା। ଛେପ ଢୋକିଲା ସେ।
: ମୁଁ ଭାବୁଛି କାଲିଠୁ ପରୀକ୍ଷା ଯାଏ ମୁଁ ତାଙ୍କ ଘରେ ପଢାପଢି କରିବି। ବାପା ବି ‘ହଁ’ କହିଛନ୍ତି। ତୁ ଆମ ସାଙ୍ଗରେ ପଢିବୁ?
: ସେ କ’ଣ ମୋତେ ଡାକିଛି? ତୋତେ କହିଛି, ତୁ ଯିବୁ।
: ତୋତେ ପରା ମୁଁ ଡାକୁଛି। ଏକା କଥା ନୁହଁ?
: ନୁହଁ ଏକା କଥା। ତା’ ଛଡା ମୁଁ କାହା ସାଥିରେ ମିଶି ଆଦୌ ପଢି ପାରିବିନି।

ଶ୍ଳୋକ ଏବଂ ଅରୁ ଏବେ ପଢାରେ ନିମଗ୍ନ। କାବ୍ୟା ଭିତରେ ଏକ ଅକୁହା ଯନ୍ତ୍ରଣାର ଜ୍ବଳନ। ଅତଏବ୍ ଅସ୍ତବ୍ଯସ୍ତ, ଅପରିପକ୍ବ କାବ୍ୟା ପ୍ରଥମେ ସେ ଦୁହିଁଙ୍କ ପାଖରୁ ଟିକେ ପାଖେଇ ଗଲା, ତା’ପରେ ଅଳ୍ପ ଅଳ୍ପ ଆଡେଇ ହେଲା ଏବଂ କ୍ରମଶଃ ବେଶ୍ ଦୂରେଇ ଗଲା।

ଆଖିରେ ପଡିଗଲେ ଅରୁନ୍ଧତୀ ପଛରୁ ପାଟି କରି ଡାକ ଛାଡେ – ଏ କାବ୍ୟା। ତୋର ଦର୍ଶନ ମିଳୁନାଇଁ ଯେ। କେତେ ସାରିଲୁଣି ରିଭିଜନ୍? ଆମ ସାଙ୍ଗରେ ତ ଜମା ପଢିବାକୁ ଚାହୁଁନୁ।

ବାଆଁରେଇ ହେଇ ଖସିଯାଏ କାବ୍ୟା।

ସାମ୍ନା ସାମ୍ନି ହେଇଗଲେ ବାଟ ଓଗାଳେ ଶ୍ଳୋକ। ତୋର କ’ଣ ହେଇଛି କାବ୍ୟା। ସବୁବେଳେ ଉଦାସ, ଅନ୍ୟମନସ୍କ ରହୁଛୁ। ତୁ କୌଣସି କାରଣରୁ ରାଗିଛୁ କି ମୋ ଉପରେ ? ଦେଖ୍, ପରୀକ୍ଷା ମୁଣ୍ଡ ଉପରେ। ଚାହିଁଲେ ବି ମୁଁ ତୋତେ ସମୟ ଦେଇ ପାରୁନି। ପରୀକ୍ଷା ସରିଯାଉ କି ତୋର ନୂଆ ଲେଖା ଯେତେ ଶୁଣେଇବୁ। ଦେଖିବୁ – ମନ ଦେଇ ଗୋଟି ଗୋଟି କରି ସବୁ ଶୁଣିବି।

କାବ୍ୟା ମୁହଁ ତଳକୁ କରେ। ପଦୁଟିଏ ଉତ୍ତର ନ ଦେଇ ବାଟ ଭାଙ୍ଗି ଚାଲିଯାଏ। ଶ୍ଳୋକ ମୁଣ୍ଡ କୁଣ୍ଡାଏ। ଏ ହୁଣ୍ଡୀଟା ବଡ ଦୁର୍ବୋଧ୍ୟ ହେଲାଣି। ସବୁ ଝିଅ କ’ଣ ଏ ବୟସରେ ଏମିତି ହୁଅନ୍ତି ? କେଜାଣି ! ହଉ – ପରୀକ୍ଷା ସରିଲା ପରେ ମନେଇଦବ ଯେ। ଅଳ୍ପ ଆଦର ପାଇଲେ କାବ୍ୟା ପା’ ଶଙ୍ଖୀ ବିଲେଇ !

ସମୟର ସ୍ରୋତ ଗଡିଯାଏ ଆଗକୁ। ପରୀକ୍ଷା ସରିଲା। କିନ୍ତୁ ଶ୍ଳୋକ କାବ୍ୟା ଘରକୁ ଗଲାବେଳକୁ ସେ ତା’ ମାମୁଁ ଘର ଗାଁ’କୁ ଚାଲି ଯାଇଥିଲା। ଆଶ୍ଚର୍ଯ୍ୟ ହେଲା ଶ୍ଳୋକ। ତା’କୁ ପଦେ ହେଲେ ନ କହି କାବ୍ୟା ଚାଲିଗଲା ! ଶ୍ଳୋକର ମୁହଁ ସତରେ ଏଥର ଶୁଖିଗଲା। ଘଟଣା ନିଶ୍ଚୟ ଗୁରୁତର।

ରିଜଲ୍ଟ୍ ବାହାରିଲା ପରେ ହାଇସ୍କୁଲରେ ମହୋତ୍ସବ ଲାଗିଗଲା। ସାରା ରାଜ୍ୟରେ ପୂଣ୍ୟଶ୍ଳୋକ ପ୍ରଥମ ଓ ଅରୁନ୍ଧତୀ ଦ୍ବିତୀୟ। ଶିକ୍ଷକ, ଶିକ୍ଷୟିତ୍ରୀ; ଛାତ୍ର, ଛାତ୍ରୀ – କାହାରି ଆନନ୍ଦର ସୀମା ନ ଥାଏ। ଆହୁରି ଚମକେଇ ଦେଲା ଭଳି ଘଟଣା ହେଲା – ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରି କାବ୍ୟା ଫାଷ୍ଟ ଡିଭିଜନରେ ୬୦ ପ୍ରତିଶତରୁ ଟିକିଏ ଅଧିକ ମାର୍କ ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଲା । ଶ୍ଳୋକ ଧାଇଁଗଲା କାବ୍ୟା ପାଖକୁ। କାବ୍ୟା ମୁହଁ କିନ୍ତୁ ଭାବଶୂନ୍ୟ।

: କାବ୍ୟା! ମୁଁ କହୁଥିଲି କି ନାଇଁ – ତୋର ମେଧା ଶକ୍ତି ଖୁବ୍ ଅଧିକ। କେତେ କମ୍ ପରିଶ୍ରମ କରି କେତେ ବଢିଆ ମାର୍କ ରଖିଚୁ କହ ତ! ଆମ ପରିକା ପରିଶ୍ରମ କରିଥିଲେ ତ ତୁ ଅକ୍ଳେଶରେ ସମସ୍ତଙ୍କୁ ଟପି ଯାଇଥାନ୍ତୁ।
: ଶ୍ଳୋକ! କାହାରି ସହିତ ପ୍ରତିଯୋଗିତା ଅଥବା ପ୍ରତିଦ୍ବନ୍ଦିତା କରିବାକୁ ମୁଁ ଚାହେଁ ନାଇଁ। ମୁଁ ମୋର ପ୍ରତିଛବି। ମୁଁ ହିଁ ମୋର ପ୍ରତିଧ୍ବନି। ତୁ ‘ବେଗ ପ୍ରିୟ’ … ମୁଁ ‘ଆବେଗ ପ୍ରିୟ’। ମୋ ଆବେଗ ତୋ ବେଗ ସହିତ ତାଳ ଦେଇ ଧାଇଁ ପାରିବନି। ମୁଁ ମୋ ନିଜସ୍ଵ ଢଙ୍ଗରେ ଜିଇବାକୁ ଚାହେଁ।
: ତୁ ଏବେ ବହୁତ ବଡ ବଡ କଥା କହୁଛୁ କାବ୍ୟା। ତୋ କଥା ମୁଁ ଅଳ୍ପ ବୁଝେ, ବେଶୀ ବୁଝେନି। ଅରୁ ବି ଅବିକଳ ଏଇୟା କହେ। ତୋତେ ସେ ବହୁତ ଭଲ ପାଏ। ତଥାପି ତୁ ତା’କୁ ସବୁବେଳେ ଆଡେଇ ଆଡେଇ ରହୁଛୁ। କାହିଁକି ରେ? ଅରୁନ୍ଧତୀ ଘରକୁ ଯିବା? ତୋତେ ଦେଖିଲେ ସେ ଭାରି ଖୁସି ହବ।
: ତୁ ଯା’। ମୋର ଅନ୍ୟ କାମ ଅଛି।
: କି କାମ ଅଛି? ମିଛ କହୁଛୁ ତୁ।
: ମୁଁ କାହା ଘରକୁ ଯିବି ନ ଯିବି – ସେ ମୋର ଇଛା ଉପରେ ନିର୍ଭର କରେ। ତା’ ଛଡା – ମୋର କି କାମ ଅଛି – ମୁଁ କାହିଁକି ତୋତେ କହିବି?
: ତୁ ତ ଆଗରୁ ଏମିତି ନ ଥିଲୁ କାବ୍ୟା। ସତରେ ମୋତେ ଏମିତି ଲାଗୁଛି – ତୁ ଅରୁକୁ ଆଜିକାଲି ଇର୍ଷା କରୁଛୁ।

ସତ ସବୁବେଳେ ଅପ୍ରିୟ। ଅପମାନ ଆଉ ଅଭିମାନରେ ମାଟିରେ ଅବା ମିଶିଯିବ କାବ୍ୟା! ଆଖିରେ ଆଖି ମିଶେଇ ଚାହିଁଲା ଶ୍ଳୋକକୁ। ତା’ ଆଖିରେ ଟଳମଳ ହଉଥିଲା ଦି’ ବୁନ୍ଦା ଲୁହ। ନା ଢୋକି ପାରୁଥିଲା, ନା ଝରେଇ ପାରୁଥିଲା!!

ଶ୍ଳୋକ ବୁଝିପାରିଲା – ଜାଣତରେ ହଉ କି ଅଜାଣତରେ – କାବ୍ୟାକୁ ସେ କଟୁ କଥା କହିଛି। ତା’ର କୋମଳ ହୃଦୟକୁ ଆଘାତ ଲାଗିଛି।

: ସରି … ସରି କାବ୍ୟା। କିଛି କହିବାକୁ ଚାହୁଁଥିଲି – ଆଉ କିଛି ବାହାରିଗଲା ପାଟିରୁ। ତୁ ଯାହା ବି କର୍, ପ୍ଲିଜ୍ କାନ୍ଦେନା। ତୁ କାନ୍ଦିଲେ ମୋତେ ଆଦୌ ଭଲ ଲାଗିବନି। ମୁଁ ଆଉ କେବେ ବି ତୋତେ କାଟିଲା ପରି କଥା କହିବିନି। ଏଇ ଥରକ ମୋତେ କ୍ଷମା କରିଦେ। ପ୍ଲିଜ୍ …

କାବ୍ୟା ଓଠରେ ଲୁହରେ ଓଦା ଓଦା ଫିକା ହସ। ସେ ଦିନ ରାତିରେ କାବ୍ୟା ତା’ ଗୀତ ଖାତାରେ ଲେଖିଥିଲା –

କହିଥିଲ ହସିବାକୁ
ଦେଖୁଛ ତ ହସୁଛି,
କାନ୍ଦିବନି କହିଥିଲ
ଦେଖ ଲୁହ ପିଉଛି,
ଆଉ ଜମା ପଚାରନା
କେମିତି ମୁଁ ଜିଇଛି ।

ପୂଣ୍ୟଶ୍ଳୋକ ଓ ଅରୁନ୍ଧତୀ ବିଜ୍ଞାନ ପଢିଲେ। କାବ୍ୟା କଳା ପଢିବା ନିର୍ଣ୍ଣୟରେ ଅଟଳ ରହିଲା। କଲେଜ ଏକା; ହେଲେ ବ୍ଲକ୍ ଅଲଗା, କରିଡର୍ ଅଲଗା, କଲେଜ ଯିବା ଆସିବା ସମୟ ଅଲଗା। ଏବକୁ ଏବେ ଶ୍ଳୋକ ଓ ଅରୁ ସହିତ କ୍ବଚିତ୍ ଦେଖା ହୁଏ କାବ୍ୟାର। ଆହୁରି କ୍ବଚିତ୍ କଥାବାର୍ତ୍ତା। ଏ ଭିତରେ କାବ୍ୟା ବାପା ଙ୍କର ବଦଳି ହେଇଯାଏ ଏକ ଦୂରାନ୍ତ ସହରକୁ। ଆଶ୍ବସ୍ତ ହେଲା କାବ୍ୟା। ‘ଦେଖିବା – ହେଲେ ନ ପାଇବା’ ଠାରୁ ‘ନ ଦେଖି ନ ପାଇବା’ ଢେର୍ ଭଲ। ଯିବା ପୂର୍ବରୁ ଉଭୟଙ୍କୁ ଦେଖା କରିଥିଲା କାବ୍ୟା। ଜମା ବର୍ଷକର ପରିଚୟ ଭିତରେ ତା’କୁ କେତେ ବା ଜାଣେ ଅରୁନ୍ଧତୀ! ତଥାପି ବି ଏକ ଅନ୍ତରଙ୍ଗ ବନ୍ଧୁ ହରେଇବାର ଦୁଃଖରେ ଦୁଃଖୀ ହେଲା। ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣେଇଲା। ପୂଣ୍ୟଶ୍ଳୋକ କିନ୍ତୁ କାବ୍ୟାର ସବୁ ଦିନ ପାଇଁ ଚାଲିଯିବାଟାକୁ ଆଦୌ ଗ୍ରହଣ କରିପାରିଲାନି। ନିଜେ ନିଜକୁ ବୁଝିପାରିଲା ନା ବୁଝେଇ ପାରିଲା। ତା’କୁ ଭୀଷଣ କାନ୍ଦ ମାଡୁ ଥାଏ। ହେଲେ କାନ୍ଦିଲାନି। ଓଠ କାମୁଡି ଲୁହ ଟିକକ ଶୋଷି ନେଲା।
: ମୁଁ ଯାଉଛି ଶ୍ଳୋକ।
: ମୋତେ କାହିଁକି କହୁଛୁ? ମୁଁ ତୋର କିଏ କି? ମୁହଁ ବୁଲେଇ ଦୂରାନ୍ତ ପାହାଡକୁ ଅନେଇଲା ଶ୍ଳୋକ।
: କାଳେ ଆଉ ଦେଖା ହବ କି ନ ହବ – ସେଥିପାଇଁ ଭାବିଲି କହିଦେଇ ଯିବା ଉଚିତ୍ ହବ। କିନ୍ତୁ ତୁ ଚାହୁଁନୁ ଯଦି – ଠିକ୍ ଅଛି – ମୁଁ ଆସୁଛି ତେବେ।
ଶ୍ଳୋକ ବ୍ୟତିବ୍ୟସ୍ତ ହେଲା।
: ଏତେ ରାଗ, ଅଭିମାନ ଠିକ୍ ନୁହଁ କାବ୍ୟା। ତୁ କ’ଣ କୋଉ ଆମେରିକା ପଳଉଛୁ? କହିଲା କ’ଣ ନା ଦେଖା ହବନି। ତୁ ଯେଉଁଠି ଥିଲେ ବି ଦେଖିବୁ ତୋତେ ମୁଁ ଖୋଜି ଖୋଜି ଯାଇ ପହଞ୍ଚିବି।

କାବ୍ୟା ହସିଲା। ପୁଣି ସେଇ ବେଦନା ଭରା ଫିକା ହସ। ‘ଆବେଗ’ରେ ଶ୍ଳୋକ କୁ ଖୋଜୁଥିବା କାବ୍ୟାର ଲୁହ ବତୁରା ହସକୁ ‘ବେଗ’ରେ କାବ୍ୟାକୁ ଚାହୁଁଥିବା ଶ୍ଳୋକ ବୁଝିଲା କି ନାହିଁ କେଜାଣି!

କାବ୍ୟା ନୂଆ ସହରକୁ ଗଲା। ନିଜ ଠିକଣା କିନ୍ତୁ କାହାକୁ ଦେଲା ନାହିଁ। କଲେଜ ଠିକଣାରେ ଅରୁ ଏବମ୍ ଶ୍ଳୋକ ଚିଠି ଦେଇଥିଲେ। ଖୋଲି ପଢିଥିଲା କାବ୍ୟା। ଅରୁନ୍ଧତୀ ଭଲ, ମନ୍ଦ ଜିଜ୍ଞାସା କରିଥିଲା। ଛୁଟି ଦେଖି ତା’ ପାଖକୁ ଯିବାକୁ ଅନୁରୋଧ କରିଥିଲା। ପ୍ରତ୍ୟୁତ୍ତର ନ ପାଇ ଆଉ ଚିଠି ଦେଲାନାହିଁ। ଶ୍ଳୋକ ଦୁଇଟି ଚିଠି ଦେଇଥିଲା। ପ୍ରଥମ ଚିଠି – ଏଠି ତୁ ଥିଲା ବେଳେ ଆଦୌ ଜଣା ପଡୁ ନ ଥିଲା। ହେଲେ ତୁ ଗଲା ପରେ ବହୁତ ମନେ ପଡୁଛୁ କାବ୍ୟା। ମନ ଦେଇ ପଢିବୁ। ତୋ ଘର ଠିକଣା ଦବୁ। କଲେଜ ଠିକଣାରେ ପଠେଇଲେ ଚିଠି ପାଇବାର ଠିକଣା ନ ଥାଏ। ଦ୍ବିତୀୟ ଚିଠି – ଦେଖା ହେଲେ ବହୁତ ଗାଳି ଦବୁ କାବ୍ୟା – ତୋ ରାଗ କମିବା ଯାଏଁ। କିନ୍ତୁ ଚିଠିର ଉତ୍ତର ଦବୁ। ନ ହେଲେ ଜାଣି ହଉନାଇଁ, ତୁ ଚିଠି ପାଉଛୁ କି ନାହିଁ। ଜାଣିଥା’ – ଉତ୍ତର ନ ଦେଲେ ଏଇଟି ମୋର ଶେଷ ଚିଠି।

ଉଷୁମ୍ ଲୁହ ଦି’ ଟୋପାରେ ଲେସି ହେଇଗଲା କେତୋଟି ଅକ୍ଷର। ତଳ ଓଠକୁ ଦାନ୍ତରେ ଚାପି ଚିଠିକୁ କିଛି ସମୟ ମୁଠେଇ ଧରିଲା କାବ୍ୟା। ଥରୁଟିଏ ଥରିଲା ଓଠରେ ଛୁଇଁଲା। ତା’ ପରେ କ’ଣ ଭାବି ଟିକ୍ ଟିକ୍ କରି ଚିରି ଚିଠିଟି ପବନରେ ଉଡେଇ ଦେଲା। ମନେ ମନେ ଗୁଣୁଗୁଣେଇଲା – ତୋତେ ଠିକଣା ଦେବାର ଥିଲେ ନିଜ ପାଇଁ ଅଠିକଣା ବାଟ କାହିଁକି ବାଛିଥା’ନ୍ତି ଶ୍ଳୋକ!

ସେ ଦିନ ରାତିରେ କାବ୍ୟା ଲେଖିଥିବା ଗୀତର ମୁଖଡା ଏମିତି କିଛି ଥିଲା।

ଠିକଣା ତୁମର ଅଜଣା ମୋ ପାଇଁ
ତଥାପି ଲେଖୁଛି ଚିଠି,
ବିତି ଯାଏ ରାତି ଅନିଦରେ ନିତି
ନିଜେ ପଢି ନିଜ ଚିଠି ।

ଓଡିଆ ଭାଷା ସାହିତ୍ୟରେ ବି.ଏ, ଏମ୍.ଏ ପରେ ପି.ଏଚ୍.ଡି କଲା କାବ୍ୟା। ଦୂରାନ୍ତ ଅଞ୍ଚଳକୁ କର୍ମକ୍ଷେତ୍ର ରୂପେ ବାଛିଲା। ଗଭୀର ମନଯୋଗ ସହକାରେ ଅଧ୍ୟାପନା କଲା। ଅସମର୍ଥ ବିଦ୍ୟାର୍ଥୀ ମାନଙ୍କୁ ସାଧ୍ୟ ମତେ ସାହାଯ୍ୟ, ସହଯୋଗ ଯୋଗାଇ ଦେଲା। କିନ୍ତୁ ବିବାହ କରିବାକୁ ଆଦୌ ମନସ୍ଥ କଲା ନାହିଁ। ବାପା, ବୋଉଙ୍କ ସକଳ ଅନୁରୋଧକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କଲା।

କୁହାଯାଏ କିଶୋର ବୟସର ପ୍ରେମ ଏକ ନିଚ୍ଛକ୍ ପ୍ରବଣତା ବ୍ୟତିରେକ ଅନ୍ୟ କିଛି ନୁହଁ। ତା’ହେଲେ କିଶୋରୀ କାବ୍ୟା ହୃଦୟରେ ଅଙ୍କୁରି ଥିବା ପ୍ରେମର ଏକ ଛୋଟିଆ ଚାରା ଗଛ ଏମିତି ମହାଦ୍ରୁମ ହେଲା କେମିତି? ସେ ମହାଦ୍ରୁମର ପଲ୍ଲବନରେ ସେ ପଲ୍ଲବିତ। ତା’ର ମହମହ ବାସ୍ନାରେ ସେ ବାସ୍ନାୟିତ। ତା’ର ଶ୍ଲୋକମୟ ପୃଥିବୀରେ ଅନ୍ୟ ଏକ ପୁରୁଷ ପାଇଁ ଏତେ ଟିକିଏ ବି ଜାଗା ନ ଥିଲା। ଅତଏବ୍ ସେ ବିବେଚନା କଲା – ବିବାହ ତା’ପାଇଁ ଏକ ‘ଆତ୍ମ ପ୍ରବଞ୍ଚନା’ ସାବ୍ଯସ୍ତ ହେବ।

କାଳେ କାଳେ ପ୍ରତ୍ୟୟ ହିଁ ପ୍ରେମକୁ ପରିପୁଷ୍ଟ କରେ। ପ୍ରଚଣ୍ଡ ଅଭିମାନ ସର୍ବଦା ପ୍ରେମର ପ୍ରତିକୂଳ। ଅଭିମାନିନୀ କାବ୍ୟା, ଶ୍ଳୋକ ସହିତ ଯୋଡି ହେଇ ନ ପାରିବାର ଅଭିମାନରେ ତା’କୁ ଛାଡି ଆସିଲା ସିନା, ତା’ କବିତାରୁ ଶ୍ଳୋକକୁ ତଡି ପାରିଲା ନାହିଁ। ପ୍ରଚୁର ଲେଖିଲା। କେତେବେଳେ ହସରେ ତ କେତେବେଳେ ଲୁହରେ। କେତେବେଳେ ଉଚ୍ଛ୍ବାସରେ ତ ଆଉ କେତେବେଳେ ଦୀର୍ଘଶ୍ବାସରେ। କାବ୍ୟାର ପ୍ରକାଶିତ ବହିରେ ତା’ ନିଜର ଫୋଟଟିଏ ନ ଥାଏ କିମ୍ବା ନିଜ ପରିଚୟ ନ ଥାଏ। ପ୍ରକାଶକଙ୍କ ମାଧ୍ୟମରେ ସେ ନିଜ ପ୍ରଶଂସକ ଓ ସମାଲୋଚକ ମାନଙ୍କ ସହିତ ଭାବ ବିନିମୟ କରେ।

ଏଇ ତ, ଅଳ୍ପ କେଇ ବର୍ଷ ତଳର କଥା। ପ୍ରକାଶନୀ ସଂସ୍ଥାକୁ ସେ ଯିବା ଅବସରରେ ପ୍ରକାଶକ ମହୋଦୟ ଅଲଗା କରି ସାଇତି ରଖିଥିବା ଚିଠିଟିଏ ତା’ ହାତରେ ଧରେଇ ଦେଲେ।

: ମାଡାମ୍! ଦିଲ୍ଲୀରୁ ଏକ ଡାକ୍ତର ଦମ୍ପତି ଆସିଥିଲେ। ଆପଣଙ୍କ ଠିକଣା, ଫୋନ୍ ନମ୍ବର ପାଇଁ ଅନେକ ଅନୁରୋଧ କଲେ। ଆପଣଙ୍କ କହିବା ମୁତାବକ ମୁଁ ନିଜ ଅସହାୟତା ପ୍ରକାଶ କଲି। ଏଇ ଚିଠିଟି ବ୍ୟକ୍ତିଗତ ଭାବରେ ଆପଣଙ୍କୁ ହସ୍ତାନ୍ତର କରିବାକୁ ସେମାନେ ମୋତେ ବିଶେଷ ଅନୁରୋଧ କରିଛନ୍ତି।

ଲଫାପା ଉପରର ହସ୍ତାକ୍ଷର ଦେଖି ଚମକି ପଡିଲା କାବ୍ୟା। ସେଇ ଚିହ୍ନା ଚିହ୍ନା ପ୍ରିୟ ଅକ୍ଷର! ଯତ୍ନ ସହକାରେ ଲଫାପାଟି ଭ୍ୟାନିଟି ବ୍ୟାଗ୍ ରେ ରଖିଦେଲା। ଘରେ ନିରୋଳାରେ, ନିଶ୍ଚିନ୍ତରେ ପଢିବ।

ଲଫାପା ଉପରେ ପୂଣ୍ୟଶ୍ଳୋକର ଅକ୍ଷର! ଚିଠିର ଲେଖା ଅରୁନ୍ଧତୀର!!

ଆଦରର କାବ୍ୟା,

ପ୍ରକାଶକ ମହୋଦୟ ଭାରି ଭଲ ମଣିଷ। ତେଣୁ ତୋ ହାତକୁ ଚିଠି ନିଶ୍ଚୟ ଯିବ। କିନ୍ତୁ ତୁ ପଢିବୁ ତ ! କେଜାଣି !! ତେଣୁ ଅନିଶ୍ଚିତତାର ଚିଠି ଇଏ। ତଥାପି ପଢିବୁ ଭାବି ବିଶ୍ବାସ ଓ ଭରସା ରଖି ଲେଖୁଛି।

କାବ୍ୟା ଲୋ ! ତୁ ତ ମାନରେ ମାନିନୀ ରାଧାଙ୍କୁ ବଳିଗଲୁ। ତୋ ନାଁ’ “କାବ୍ୟା କାଦମ୍ବିନୀ” ନ ହେଇ “କାବ୍ୟା ପ୍ରଣୟିନୀ” ହବାର ଥିଲା। ତୋ ପ୍ରେମରେ ପ୍ରଚୁର ପ୍ରାଣ ଥିଲା। ହେଲେ ପରିପକ୍ୱତା ଅଭାବରୁ ହୁଏତ ପୂର୍ଣ୍ଣତା ପ୍ରାପ୍ତ ହେଲାନାଇଁ। ବାୟାଣୀ! କେମିତି ଜାଣି ପାରିଲୁନି ଲୋ – ପ୍ରଚଣ୍ଡ ଅଭିମାନ ପ୍ରେମରେ ପ୍ରାଚୀର ଠିଆ କରିଦିଏ, ‘ଅହଂ ସର୍ବସ୍ଵ’ କରିଦିଏ!! ସେଇ ପ୍ରାଚୀର ଭେଦି ‘ମୁଁ’ କେବେ ବି ‘ଆମେ’ ହେଇ ପାରେ ନାଇଁ!!!

ତୁ ସତେ ଯେପରି ପବନରେ ମିଳେଇଗଲୁ! ବିଶ୍ବାସ କର୍, ତୋତେ ଆମେ ବହୁତ ଖୋଜିଲୁ – ବିଶେଷ କରି ଶ୍ଳୋକ। ତୁ ତ ତାଙ୍କୁ ମୋ ଠାରୁ ବେଶୀ ଜାଣିଥିଲୁ, ବେଶୀ ବୁଝିଥିଲୁ, ବେଶୀ ଭଲ ପାଉଥିଲୁ। ପାଗଳୀ! ସମସ୍ତେ କ’ଣ କଥାରେ କହି ପାରନ୍ତି ନିଜ ଭଲ ପାଇବା? କଥାରେ, ଆଖିରେ, ଓଠରେ ନ କହି ସେ ହୁଏତ ନିଃଶବ୍ଦ ଶବ୍ଦରେ କହୁଥିଲେ। ତା’ଛଡା ତୁ ତାଙ୍କୁ କହିବାକୁ ସମୟ, ସୁଯୋଗ ଦେଲୁ କେଉଁଠି ଯେ!

ତୁ ପଚାରି ପାରୁ – କାବ୍ୟା ପ୍ରତି ଯଦି ଏତେ ଆସକ୍ତି ଥିଲା ପୂଣ୍ୟଶ୍ଳୋକର – ସେ ଅରୁନ୍ଧତୀକୁ କେମିତି ବିବାହ କଲା ? ଭଗବାନଙ୍କ ଦ୍ଵାହି ଦେଇ କହୁଛି ଲୋ – କେବଳ ମୋ ବାଧ୍ୟବାଧକତାରେ। ତୁ ଗଲାପରେ – ବିଶେଷ କରି ତୁ ନିଜକୁ ସମ୍ପୂର୍ଣ୍ଣ ଅଜ୍ଞାତବାସରେ ରଖିବା ପରେ – ସେ ଅସମ୍ଭବ ଭାବରେ ଉଦାସ ହେଇଗଲେ। ଆମେ ଏକା ସହ ମେଡିକାଲ୍ ପଢିଲୁ, ପି.ଜି କଲୁ – ଖୁବ୍ ଅନ୍ତରଙ୍ଗ ହେଲୁ – ତଥାପି ବି ତାଙ୍କର ଉଦାସୀ ଗଲା ନାହିଁ। କ୍ରମଶଃ ସେ ଅବସାଦ ଆଡକୁ ଗତି କଲେ। ଏଡେ ସୁନ୍ଦର ମଣିଷକୁ ମୁଁ ହରେଇବାକୁ ଚାହୁଁ ନ ଥିଲି। ତୋ ପରେ ତାଙ୍କର ଦ୍ବିତୀୟ ଶ୍ରେଷ୍ଠ ବାନ୍ଧବୀ ମୁଁ ହିଁ ତ ଥିଲି। ଅବଶ୍ୟ ତାଙ୍କୁ ମନେଇବାକୁ ମୋତେ କମ୍ ପରିଶ୍ରମ କରିବାକୁ ପଡିନାହିଁ। ସ୍ବାମୀ ହିସାବରେ ଶ୍ଳୋକ ସର୍ବୋତ୍ତମ। ମୂହୁର୍ତ୍ତକ ପାଇଁ ବି ସେ ମୋତେ ଅନୁଭବ କରିବା ପାଇଁ ଦେଇନାହାନ୍ତି କି ମୁଁ ତାଙ୍କର ପ୍ରଥମ ପ୍ରେମ ନୁହଁ। ଏକଥା ବି ମୋତେ ଭଲ ଭାବେ ଜଣାଥିଲା ।

ଗୋଟିଏ କଥା ଅହରହ ମୋତେ ବ୍ୟଥିତ କରେ। ମୋତେ ଅନୁତପ୍ତ କରେ। ଏବେ ବି ବେଳେ ବେଳେ ମୋତେ ଲାଗୁଛି – ସତେ ଯେପରି ଶ୍ଳୋକଙ୍କୁ ମୁଁ ତୋ ପାଖରୁ ଛଡେଇ ନେଇଛି। ତମ ଜୀବନରେ ମୋର ଆବିର୍ଭାବ ନ ହେଇଥିଲେ ହୁଏତ ଆଜି ଶ୍ଳୋକ ତୋ’ର ହେଇଥା’ନ୍ତେ। ତୋତେ କେମିତି ବୁଝେଇବି କାବ୍ୟା – ଏଇଟା ମୋର ଇଚ୍ଛାକୃତ ଅପରାଧ ନ ଥିଲା। ତୋରି ନିଜ ମଣିଷଟାକୁ ଅମଣିଷ ପଣିଆ ରୁ ରକ୍ଷା କରିବାକୁ ଯାଇ ଏପରି କଠୋର ନିଷ୍ପତି ନେବାକୁ ବାଧ୍ୟ ହେଇ ଥିଲି ।

ଶେଷରେ … ତୁ ତ ତୋ ଠିକଣା ନ ଦେବାକୁ ପଣ କରିଛୁ। ମୁଁ କିନ୍ତୁ ଦଉଛି ମୋ ଠିକଣା। ଥରୁଟିଏ ଆସିବୁ କାବ୍ୟା। ସୁନାଟା ପରା। ତୋ ଶ୍ଳୋକକୁ ଦେଖିଯିବୁ। ଜାଣୁ, ତୋ ଗାଲର ଭଉଁରୀକୁ ସେ ଏବେ ବି ମନେ ପକାନ୍ତି। ମୋ ଗାଲରେ ଖୋଜନ୍ତି ।
ଭଲରେ ଥା’। ତୋ ପାଇଁ ବହୁତ ସାରା ଭଲ ପାଇବା ସହିତ ।
ଇତି ।
ତୋର ‘ଅରୁ’

କାବ୍ୟା ଜାଣି ପାରୁ ନ ଥିଲା – ତା’ ଲୁହରେ ଅରୁର ଚିଠିଟା ଭିଜୁ ଥିଲା ନା ଚିଠିର ଓଦାପଣରେ ସେ ନିଜେ ବତୁରି ଯାଉଥିଲା!!!
× × ×
ଦୋଳିଟିଏ ଭଳି ଝୁଲି ଝୁଲି ଟ୍ରେନ୍ ଚାଲିଛି। ବାଁ’ କଡ ମାଡି ଶୋଇଥିବା ପୌଢା କାବ୍ୟାର ବାଁ’ ପାପୁଲି ସହ ଫାଳେ ଗାଲ ଲୁହରେ ଓଦା।

ଶାଢୀ କାନିରେ ଲୁହ ପୋଛିଲା କାବ୍ୟା। ହାତ ଘଣ୍ଟାକୁ ଚାହିଁଲା। ପାଞ୍ଚଟା ବାଜିବ। ବେକ ବୁଲେଇ ପାଖ ବର୍ଥ୍ କୁ ଅନେଇଲା। ଗଭୀର ନିଦରେ ଋତୁ। ଦୀର୍ଘଶ୍ବାସ ଛାଡି, କଡ ମୋଡି, ଆଖି ବୁଜି ଶୋଇବାକୁ ଚେଷ୍ଟା କଲା।

‘ଭାତ ନିଦ’ ପରି ‘ଲୁହ ନିଦ’ ବୋଲି କିଛି ଥିବ ବୋଧେ। ଗୁଡାଏ ଲୁହ ଗଡିଗଲା ପରେ ଆଖି ଜୋରରେ ଲାଗିଗଲା କାବ୍ୟାର। ନିଦ ଭାଙ୍ଗିବା ବେଳକୁ ସନ୍ଧ୍ୟା ପାର ହେଇ ରାତି ଆଠ। ଉପର ବର୍ଥ୍ ର ଯୁବକ ଦୁଇ ଜଣ ଏ ଭିତରେ ଓହ୍ଲେଇ ଗଲେଣି। ନୂଆ ଯାତ୍ରୀ କେହି ଆସି ନାହାନ୍ତି ତ! ଋତୁକୁ ଅନେଇଲା କାବ୍ୟା। ଗଭୀର ମନଯୋଗ ଦେଇ ବହିଟିଏ ପଢୁଛି।

ମୁଣ୍ଡଟା ବିନ୍ଧୁଛି। କଡା ଚା’ କପେ ଦରକାର। କାବ୍ୟା ଉଠି ବସିଲା। ପରଦା ଆଡେଇ ଚା’ ପାଇଁ ନିଘା କଲା। ଏଇ ତ … ଚା’ ବାଲା।
: ଚା’ ପିଇବ ଋତୁ?
କୌଣସି ଉତ୍ତର ନ ପାଇ କାବ୍ୟା ନିଜ କଥା ଦୋହରାଇଲା।
: ଓଃ … ସରି ମା’ମ୍। ଏଇ ଟିକେ ଆଗରୁ ମୁଁ ପିଇଛି। ଆପଣ ନିଅନ୍ତୁ। ପ୍ଲିଜ୍।

ଚା’ ପିଉ ପିଉ କାବ୍ୟାର ଆଖି ଋତୁ ପଢୁଥିବା ବହି ଉପରେ ସ୍ଥିର ହେଇ ରହିଗଲା। ନାଃ … ସେ ଭୁଲ୍ ଦେଖୁନି। ଆରେ ଇଏ ତ ତା ନିଜ ଲେଖା ବହିଟିଏ ।

: ଆଜିକାଲି ଖୁବ୍ କମ୍ ପିଲା ଓଡିଆ ବହି ପଢୁଛନ୍ତି। ତମକୁ ପଢିବା ଦେଖି ଖୁବ୍ ଭଲ ଲାଗିଲା ଋତୁ।

ବହି ବନ୍ଦ କରି କୋଳରେ ରଖିଲା ଋତୁ।

: ଆମ ଘରେ ସମସ୍ତେ ପଠନ ପ୍ରିୟ। ବିଶେଷ କରି ମାଉସୀଙ୍କ ବହିର ଆଦର ଆମ ଘରେ ଖୁବ୍ ବେଶୀ। ଇଏ ମୋ ମାଉସୀଙ୍କ ଲେଖା ବହି।

: ମାଉସୀ? କାବ୍ୟାର ଜିଭ ଅଠା ଅଠା ହୋଇଗଲା।
: ହଁ। ମାମା ମୋତେ ସେଇ ସମ୍ବୋଧନ ଶିଖେଇଛି। ସେ ମୋ ମାମାର ସବୁଠାରୁ ପ୍ରିୟ ସାଙ୍ଗ। ଅସଲରେ ମୁଁ ତାଙ୍କୁ କେବେ ବି ଦେଖିନି କି ପ୍ରତ୍ୟକ୍ଷ ଭାବରେ ଜାଣିନି। ବାବା ଓ ମାମାଙ୍କଠୁ ତାଙ୍କ ଲେଖା ସମ୍ବନ୍ଧରେ ଅନେକ କଥା ଶୁଣିଛି। ମାଉସୀ ବି ଜଣେ ଅଦ୍ଭୁତ ମଣିଷ। ତାଙ୍କର କୌଣସି ବହିରେ ତାଙ୍କର ଫଟୋ କିମ୍ବା ଠିକଣା ନ ଥାଏ। ସେ କାଳେ ଖୁବ୍ ବେଶୀ ସ୍ବାଭିମାନୀ। ମାମା କହେ – ଅଭିମାନ କରି ସେ ଏବେ ଅଜ୍ଞାତବାସରେ ଅଛନ୍ତି।

କାବ୍ୟା କପାଳରେ ବିନ୍ଦୁ ବିନ୍ଦୁ ଝାଳ।

: ମାମାର ଭାରି ଇଚ୍ଛା ଥିଲା – ଯିବା ଆଗରୁ ଥରୁଟିଏ ଅନ୍ତତଃ ମାଉସୀଙ୍କୁ ଦେଖନ୍ତା ବୋଲି । ବହୁତ ଚେଷ୍ଟା ବି ସେ କରିଥିଲା। ହେଲେ ତା’ର କିଛି ଉପାୟ ନ ଥିଲା । ଯୋଗ ମଧ୍ୟ ନ ଥିଲା।

: ଯିବା ଆଗରୁ ମାନେ ? ତମ ମାମା କେଉଁଠି ଏବେ ଋତୁ ??
: ମୋ ମାମା ଆଉ ନାହିଁ ମା’ମ୍। ସେ ଯାଇ ପାଞ୍ଚ ବର୍ଷ ହେଲାଣି। ତା’ର ଜନ୍ମରୁ ଦୁଇଟି ଯାକ କିଡନୀ ଖରାପ ଥିଲା। ପଲିସିଷ୍ଟିକ୍ କିଡନୀ। ଉତ୍ତୀର୍ଣ୍ଣ ବୟସରେ କିଡନୀ ଅଚଳ ହେବା ଆରମ୍ଭ ହେଲା। ଶେଷ ଦୁଇ ବର୍ଷ କେବଳ ଡାଇଲିସିସ୍ ରେ ଜିଇଲା ସେ। ମୋତେ ଲାଗେ ବାବାଙ୍କ ଆନ୍ତରିକ ଭଲ ପାଇବା, ସେବା ଓ ଯତ୍ନ ଯୋଗୁଁ ହିଁ ମାମା ଏତେ ବର୍ଷ ବଞ୍ଚି ପାରିଲା।

କାବ୍ୟା ନିଜକୁ ଆଉ ଆୟତ୍ତରେ ରଖିପାରିଲା ନାହିଁ। ଦୁଇ ପାପୁଲିରେ ମୁହଁ ଢାଙ୍କି କଇଁ କଇଁ ହେଇ କାନ୍ଦି ପକେଇଲା।

: ତୁ ଅରୁର ଝିଅ! ତା’ରି ମୁହଁ, ତା’ରି ହସ – ସବୁ ଆଖି ସାମ୍ନାରେ ଦେଖି ବି ମୁଁ ଚିହ୍ନି ପାରିଲିନି। ଧିକ୍ ମୋତେ।

: ମା’ମ୍ ! ଆପଣ କଣ ସେଇ କାବ୍ୟା କାଦମ୍ବିନୀ !! ମୋ ପ୍ରିୟ କବି !!! ମୋ ମାମା ବାବାଙ୍କର ପ୍ରିୟ ବାନ୍ଧବୀ !!! ମୋ କାବ୍ୟା ମାଉସୀ ???

xxxxxxxxxxxxxxxxx

ଋତୁ କାବ୍ୟା ପାଖକୁ ଉଠି ଯାଇ କୁଣ୍ଢେଇ ପକେଇଲା। ଋତୁର ଗାଲ, ମୁହଁ, ବେକ, ପାପୁଲି – ସବୁଆଡେ ଲୁହ ବୋଳା ଚୁମା ଦେଇ ଚାଲିଥିଲା କାବ୍ୟା।

ଗୟା ଷ୍ଟେସନ ପହଞ୍ଚିବ। ଆଉ ମାତ୍ର ପନ୍ଦର ମିନିଟ୍ ବାକି । କାବ୍ୟା ହାତରେ ନିଜ ଭିଜିଟିଂ କାର୍ଡ୍ ଦେଇ ପାଦ ଛୁଇଁଲା ଋତୁ। କହିଲା,
: ମାମା ଯିବା ସହିତ ଆପଣଙ୍କ ଅବୁଝାମଣା ବି ସରିଗଲା ଭାବିବେ ମାଉସୀ। ଦୁଇଦିନ ପରେ ଦିଲ୍ଲୀ ଫେରିଯିବି ମୁଁ। ନିଶ୍ଚୟ ଆସିବେ ମୋ ପାଖକୁ। ମାମାର ଅଭାବ ବୋଧ କିଛିଟା କମିବ ମୋର।

ଟ୍ରଲିକୁ ଟାଣି ସିଟ୍ ତଳୁ ବାହାରକଲା ଋତୁ। ତା’ପାଖରେ ରଖି ଥିବା ବ୍ୟାଗ୍ ଟିକୁ ଅତି ସନ୍ତର୍ପଣରେ ଆସ୍ତେ କରି ଆଣି କୋଳରେ ଧରିଲା।

: ମାଉସୀ !
: ହଁ ମା’ !
ସେ ଯାଏଁ କାବ୍ୟାର ଲୁହ, କୋହ କମି ନ ଥାଏ।

: କଥାଟିଏ ନ କହି ରହିପାରୁନି।
: କହ ଋତୁ !
: ଏତେ ଅଭିମାନ? ଥରୁଟିଏ ବି ବାବାଙ୍କ କଥା ପଚାରିବେନି ?? ଆପଣଙ୍କ ଶ୍ଳୋକଙ୍କ ବିଷୟରେ କିଛି ବି ଜାଣିବାକୁ ଇଚ୍ଛା କରିବେନି ??? ମାମା ମୋତେ ସବୁ କଥା କହିଛି ମାଉସୀ ।

କାବ୍ୟା ସତେ କି ମାଟିରେ ମିଶିଯିବ ! କାଲିକା ପିଲାଟି ମଞ୍ଜ କଥାଟା କହି ତା’ର ସକଳ ଗର୍ବ ନିମିଷକରେ ଭାଙ୍ଗି ଦେଲା । ମୁଣ୍ଡ ତଳକୁ କରି ଧୀର ସ୍ବରରେ ପଚାରିଲା କାଵ୍ୟା
: ଶ୍ଳୋକ ଏବେ କେଉଁଠି ଋତୁ ? କେମିତି ଅଛନ୍ତି ସେ ??

ଋତୁର ଆଖିରେ ଲୁହ ଜକେଇ ଆସିଲା। କୋଳରେ ଧରିଥିବା ବ୍ୟାଗ୍ ର ମୁହଁ ଖୋଲି ଦେଖେଇ ଦେଲା କାବ୍ୟାକୁ।

ଲାଲ୍ କନାରେ ମୁହଁ ବନ୍ଧା ହେଇଥିବା ମାଟିର କଳସଟିଏ ! ଅସ୍ଥି କଳସ !! ଆଃ … ଶ୍ଳୋକ !!!

ଛାତି ଚିରି ଏକ ଅସ୍ଫୁଟ ଚିତ୍କାର ବାହାରି ଆସିଲା କାବ୍ୟା ମୁହଁରୁ।ତା’ର ହୃତ୍ ସ୍ପନ୍ଦନ ସତେ ଯେମିତି ବନ୍ଦ ହେଇଯିବ। ଦୁଇ ପାପୁଲିରେ ନିଜ ପାଟିକୁ ବୁଜି ଧରିଲା।

: ମାଉସୀ ! ଗତ କାଲି ବାବାଙ୍କର ପ୍ରଥମ ପୂଣ୍ୟ ତିଥି ଥିଲା । ମୁଁ ବାବା, ମାମାଙ୍କର ଏକମାତ୍ର ସନ୍ତାନ। ପରମ୍ପରା ଅନୁଯାୟୀ ଅସ୍ଥି ବିସର୍ଜନ ପାଇଁ ଗୟା ଯାଉଛି।

କାବ୍ୟା ନିର୍ବାକ୍, ନିସ୍ପନ୍ଦ। ନିସ୍ପଲକ ଆଖି ତା’ର ନିବଦ୍ଧ ଅସ୍ଥି କଳସ ଉପରେ। ଆଖିରୁ ଲୁହ ଟପ୍ ଟପ୍ ଖସି ପଡୁଛି। କଳସ ମୁହଁରେ ବନ୍ଧା ନାଲି ଜାଲି କନା ଭେଦି, ଅଭିମାନର ପ୍ରାଚୀର ଭେଦି ଶ୍ଳୋକର ଚିତାଭସ୍ମ, ଶ୍ଳୋକର ଶେଷାଂଶ ସହ କାବ୍ୟାର ଅନୁତାପର ଲୁହଧାର ମିଶି ସତେ ଅବା ଏକାକାର, ଏକାତ୍ମ ହେଇ ଯାଉଛି !!!
*****

 

ବେଦବତୀ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.