ଗପ କହୁନି

WhatsApp Image 2020 02 27 at 3.06.58 PM
Reading Time: 8 minutes

ଯେତେବେଳେ ଭଗବାନଙ୍କ ଉପରୁ ଭକ୍ତର ଭରଷା ତୁଟେ, ସେତେବେଳେ ଭଗବାନ ନିଜେ ଚମତ୍କାରିତା ଦେଖାନ୍ତି ।

ଏଇ ଯେମିତି….

ଉତ୍ତର ପ୍ରଦେଶର ଗୈାତମ ବୁଦ୍ଧ ନଗର ଅଞ୍ଚଳର ଦାଦରି ଗ୍ରାମରେ, ଜମିଦାର କୃଷ୍ଣ ପ୍ରସାଦ ଯାଦବ ଯେତେବେଳେ ଜୀବନର ଅନ୍ତିମ ପକ୍ଷରେ ବିଛଣାରେ ପଡିରହି ଶେଷ ନିଶ୍ବାସ ନେଉଥିଲେ, ସେତେବେଳେ ଗୋଡପାଖେ ବସି ତାଙ୍କ ପାଦ ଆଉଁସୁଥିବା ହରିପ୍ରସାଦଙ୍କୁ ପାଖକୁ ଡାକି କହିଲେ…

ହରି… ମୋ ପାଖକୁ ଟିକେ ଆସ, ତମେ ମତେ ଅନେକଥର ପଚାରିଛ ! କିଏ ତମେ, କଣ ତମ ପରଚୟ, କୋଉଠି ତୁମ ଘର ।

କିନ୍ତୁ ଆଜି ଜୀବନର ଶେଷ ପାହାଚରେ ପହଞ୍ଚିବା ପରେ, ମୁଁ ଅନୁଭବ କରିପାରୁଛି ଯେ’ ପୁତ୍ର ମୋହରେ ଅନ୍ଧ ହେଇ ତମଠୁ ତୁମର ପରିଚୟକୁ ଲୁଚାଇ ମୁଁ ହୁଏତ ଭୁଲ୍ କରିଛି ।

ହେଲେ ଆଜି ମୋ ପାଖରେ ଆଉ ସମୟ ନାହିଁ, ମୃତ୍ୟୁ ମତେ ହାତଠାରି ଡାକିଲାଣି, ମରିବା ପୂର୍ବରୁ ତମକୁ ସବୁକିଛି କହିଦବାକୁ ଚାହୁଁଛି ।

ଏହାଶୁଣି ହରିପ୍ରସାଦ ବିଚଳିତ ହେଇ କହିଲା, କୁହନ୍ତୁ ! କୁହନ୍ତୁ ବାବୁଜୀ ! କୁହନ୍ତୁ…କିଏ କିଏ ମୁଁ ? କ’ଣ ମୋ ପରିଚୟ ? କୁହନ୍ତୁ ବାବୁଜୀ ! କୁହନ୍ତୁ !

ଧିରେଧିରେ କୃଷ୍ଣ ପ୍ରସାଦଙ୍କ କଣ୍ଠ ରୁଦ୍ଧ ହେଇଆସୁଥାଏ, ଆଉ ରୁଦ୍ଧ ଗଳାରେ ସେ କହିବାକୁ ଚେଷ୍ଟା କରୁଥାନ୍ତି,

ହରି.. ହରି… ମୋ କଥା ଶୁଣିପାରୁଛ! ସେଦିନ.. ସେଦିନ…ମୁଁ.. ତମକୁ ପୁରୀ ରଥଯାତ୍ରାରେ…ବଡଦାଣ୍ଡରୁ ପାଇକି ଆଣିଥିଲି ।

ଓଃ…ଏତିକି କହି ସେଦିନ କୃଷ୍ଣପ୍ରସାଦ ସିନା ଆଖି ବୁଜିଦେଲେ, ହେଲେ ସେହି ଦିନଠୁ ଯେମିତି ହରିପ୍ରସାଦର ନିଦ ହଜିଗଲା । ଖାଇଲେ, ବସିଲେ, ଉଠିଲେ, ଶୋଇଲେ କେବଳ ସେଇକଥା ମନକୁ ତା’ର ଆନ୍ଦୋଳିତ କଲା…

କିଏ ସେ?

କୋଉଠି ତା ଘର?

କିଏ ତା ବାପା ମା?

ଏବେ କଣ ସେମାନେ ବଞ୍ଚିଥିବେ?

କୋଉଠି ଏଇ ପୁରୀ?

ଆଉ କ’ଣ ଏଇ ବଡ଼ଦାଣ୍ଡ ।

ବଡ଼ଦାଣ୍ଡ… ହଁ…ଏଇ ବଡ଼ଦାଣ୍ଡ ! ଇଏ ଏମିତି ଏକ ଦାଣ୍ଡ ଯେଉଁ ଦାଣ୍ଡରେ ଜନ୍ମ ମୃତ୍ୟୁର ପରିକଳ୍ପନା କରାଯାଏ, ଏଇ ଦାଣ୍ଡର ଧୂଳିକୁ ଭକ୍ତ ମଥାରେ ବୋଳିଦେଲେ କୋଟି ଜନ୍ମର ପୁଣ୍ୟ ଲାଭକରେ, ଏଇ ଦାଣ୍ଡର ଧୁଳିକଣାରେ ଛୁଟିଆସେ ମହାପ୍ରସାଦର ବାସ୍ନା, ଏହାର ଶରଧାବାଲି, ବାଲି ନୁହେଁତ ସତେ ଯେମିତି କୈବଲ୍ୟର କଣିକାଟିଏ । ଏଇଠି କୋଟି କୋଟି ଭକ୍ତ ଆଉ ତାର ଅସଂଖ୍ୟ ପାଦ ଚିହ୍ନ, ଏଇ ଦାଣ୍ଡ ସାକ୍ଷୀ, ଅନେକ ଭକ୍ତ ଏଇଠୁ ହଜାଇଥିବା ଅତୀତକୁ ଫେରି ପାଇଛନ୍ତି । ଆଉ କିଛି ନିଜ ବର୍ତ୍ତମାନକୁ ବି ଏଇଠି ହଜେଇଛନ୍ତି । ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ଏମିତି ବଡ଼ଦାଣ୍ଡ ଉଛୁଳିପଡେ, ଭକ୍ତଙ୍କ ଭିଡରେ ରଥଟଣା ବି ହୁଏ, ଆଉ କିଛି ସାଉଁଟା ଅନୁଭୂତିକୁ ନେଇ ଭକ୍ତ ମାନେ ନିଜ ନିଜ ଘରକୁ ଫେରନ୍ତି ।

ହଁ…ଅନୁଭୂତି ! ଏଇ ଅନୁଭୂତିରୁ ମନେପଡିଲା, “ମନକଥା” ରେ ଲେଖିଥିବା ଏକ ଶୀର୍ଷକ “ ମୋ ଅନୁଭୂତିରେ ଜଗନ୍ନାଥ”କୁ ନେଇ, ସେଦିନ ଘଟଣାର ସତ୍ୟତା ବିଷୟରେ କିଛିବନ୍ଧୁ ଜାଣିବାକୁ ଚାହିଁଲେ । ତେଣୁ ମୁଁ ତାଙ୍କୁ ବିସ୍ତୃତ ଭାବରେ ବୁଝେଇବା ସହ ରଘୁ ଅଜାର ମୁସମୁସିଆ ଗରମ ପକୁଡ଼ି ପାଟିରେ ପକଉଥିଲି ।

ସେଦିନ ରବିବାର ହେତୁ ମୁଁ ଗାଁ ରେ ଥାଏ । ସନ୍ଧ୍ୟା ସାଢ଼େ ସାତଟା ହେବ, ମହାଦେବ ଛକରେ ଥିବା ରଘୁସାହୁ ଦୋକାନରେ ବସିଥିଲି । ମୋର ବଡପାଟିରେ କଥାହେବା ଶୁଣି ଧିରେ ଧିରେ ଲୋକମାନଙ୍କ ସଂଖ୍ୟା ବଢୁଥିଲା ଆଉ ଜଗନ୍ନାଥ କାହା ଭକ୍ତିର କେମିତି ଜଣଙ୍କ ପରେ ଜଣେ କହୁଥାନ୍ତି । ସେମାନଙ୍କର ଭିନ୍ନ ଭିନ୍ନ ଅନୁଭୂତି ମତେ ବି ଶୁଣିବାକୁ ମିଳୁଥାଏ । ପ୍ରସଙ୍ଗଟି ଖୁବ୍ ମନଲୋଭା ହୋଇଥିବାରୁ ସମସ୍ତେ ମଜାନେଇ ଶୁଣୁଥାନ୍ତି । ସମସ୍ତଙ୍କୁ ଚା ଦେବାକୁ ମୁଁ ରଘୁଅଜାଙ୍କୁ କହିଲି, ଧୀରେ ଧୀରେ ଆଲୋଚନାର ବେଗ ପ୍ରଖର ହେଉଥାଏ । ରଘୁ ଅଜା ସମସ୍ତଙ୍କୁ ଚାହା ଦେବାପରେ ଶେଷ ଚାହା କପ୍ ଟି ମତେ ଧରେଇ ଦେଇ କହିଲେ, ତୁ ଯେତେ ଯାହା କହ ନାତି, ମୋର କିନ୍ତୁ ସେ କାଳିଆ ଉପରେ ଟିକେ ବି ଭରସା ନାହିଁ ବଡ଼ ହଟିଆ ଠାକୁର ସେ, ଯାହାକୁ ଦଉଥିବ ତ ଦଉଥିବ, ଆଉ ଯାହାଠୁ ନଉଥିବ ତ ନଉଥିବ ।

୩୦ବର୍ଷ ହେଇଯିବ ମୁଁ ତା’ର ମୁହଁ ଦେଖିନି । ଆଉ ଜୀବନ ଯିବା ପର୍ଯ୍ୟନ୍ତ ବି ତା ମୁହଁକୁ କେବେବି ଚାହିଁବିନି ।

ରଘୁଅଜାଙ୍କର ଏଇ କଥାଟା ମତେ ଆଶ୍ଚର୍ଯ୍ୟ କଲା ! କାଳିଆ ଉପରେ ଏତେ ଅଭିମାନ କ’ଣ ପାଇଁ? ମୁହଁ ଖୋଲି ରଘୁଅଜାଙ୍କୁ ପଚାରିଲି, ପ୍ରଥମେ ପ୍ରଥମେ ସେ କହିବାକୁ ଅମଙ୍ଗ ହେଉଥିଲେ ହେଲେ ବହୁତ ବାଧ୍ୟ କରିବାରୁ ସେ କହିଲେ ।

ସେଦିନ ପୁରୀଛାଡି ଆସିବା ପୁର୍ବରୁ ଶେଷଥର ପାଇଁ କାଳିଆ ସାମ୍ନାରେ ଠିଆ ହେଇ ତା ଚକା ଆଖିରେ ଆଖି ମିଶେଇ କହିଥିଲି…କାଳିଆରେ… ବହୁତ ଆଶା ଆଉ ବିଶ୍ବାସ ଥିଲା ତୋ ଉପରେ ହେଲେ ସେତକ ବି ତୁଟାଇଦେଲୁ! କହ କି ଜବାବ ଦବୁ ମତେ? ସବୁ ତ ଛଡେଇ ନେଲୁ…ଆଜି ମୁଁ ଖାଲି ହାତରେ ଘରକୁ ଫେରୁଛି!

ମନେରଖ ଜୀବନରେ ଯେତେବି ଦୁଃଖ ଆସୁ ବଞ୍ଚିଥିବାଯାଏ ତୋ ସିଂହ ଦୁଆରକୁ କେବେ ଆସିବିନି।

ମୁଁ ଆଗ୍ରହର ସହ ପଚାରିଲି ,କ’ଣ ପାଇଁ? କ’ଣ ହେଲା କି ରଘୁଅଜା ? କାଳିଆ ତୁମର କ’ଣ କଲା ?

ମୋ ଏ ପ୍ରଶ୍ନ ଶୁଣି, ରଘୁଅଜା ମୋ ମୁହଁକୁ ଚାହିଁଲେ, ଆଉ କାହିଁ କୋଉ ପୁରୁଣା ଅତିତର ଗଣ୍ଠିଲି ଖୋଲି ଉଜୁଡ଼ା ମନର ଦଦରା କାହାଣୀଟେ ଶୁଣେଇଲେ ।

୧୯୯୦ ମସିହା, ଠିକ୍ ଏଇ ରଥଯାତ୍ରାର ବେଳ, ସେଦିନ ମୋ ବଡ଼ ଭାଇ ଜଗୁ ଆଉ ତାଙ୍କର ସାତ ବର୍ଷର ପୁଅ ମଦନକୁ ନେଇ ମୁଁ ପୁରୀ ବାହାରିଲି । ଏବେ ତ ଚାରିଆଡ଼େ ପକ୍କା ରାସ୍ତା, ହେଲେ ସେତେବେଳେ ବିଲ ଗହିର ଆଉ ହିଡ ଡେଇଁ ଚିତ୍ରୋତ୍ପଳା ନଦୀ ପାରିହେଲେ ତାରପୁର ଛକରୁ ବସ୍ ମିଳେ । ସେ ପୁଣି ଦିନକୁ ଦିଖଣ୍ଡ । ଆମେ ସେଉଠୁ କଟକ ଯାଉ ପୁଣି କଟକରୁ ପୁରୀ, ଓଃ… ଭାରି ହଇରାଣ ହେବାକୁ ପଡୁଥିଲା ।

ଆଗରୁ ପୁରୀରେ ଗୋଟିଏ ମିଠା ଦୋକାନରେ ମୁଁ କାମକରୁଥିଲି । ସେଦିନ ରାତିରେ ସେଇଠି ରହିଗଲୁ ।

ରାତି ପାହିଲେ ଗୁଣ୍ଡିଚା ଯାତ୍ରା । ବଡ଼ଦାଣ୍ଡ ପୁରିଉଠିଲାଣି, ଭାଇ ଆଖିରେ କ’ଣ ନିଦ ଅଛି, କେତେ କଣ କଥା ଗପୁଥାନ୍ତି।

ବୁଝିଲୁ ରେ ରଘୁ ତୁ ଅଛୁ ବୋଲି ସିନା କାଳିଆର ଟିକେ ଦର୍ଶନ କରିପାରିବି ନହେଲେ ପୁରୀ କୋଉଠି ଆଉ ମୁଁ କୋଉଠି। ଭାବୁଥିଲି ତୋ ଭାଉଜକୁ ସାଙ୍ଗରେ ଆଣିବିବୋଲି ହେଲେ ଘରଦ୍ୱାର ଗୋରୁଗାଈ ଛାଡି ଆସିବାକୁ ସେ କ’ଣ ରାଜି ହେଲା । କହିଲା…ତମେ ମଦନକୁ ନେଇ ଯାଅ, ମୋର ସେ ବସ୍ ରେ ବସିଲେ ବାନ୍ତି ହବ ।

ହଁ…ଏମିତିରେ ତ ବେମାରିଆଟା, ଆଉକଣ ତା ଭାଗ୍ୟରେ ଅଛି ପୁରୀ ଆସିବାକୁ, କେଜାଣି ସବୁ ସେଇ କାଳିଆର ଇଛା ।

ରାତି ପାହିଲା ସକାଳ ହେଲା ନିତ୍ୟକର୍ମ ସାରି ବାହାରିଲୁ ବଡ଼ଦାଣ୍ଡକୁ । ଓଃ କି ଭିଡ, ଶୋରିଷ ପକେଇଲେ ଯେମିତି ତଳେ ପଡିବନି । ସାମ୍ନାରେ ଏତେ ଲୋକ ମଦନ ଆଗରୁ କେବେ ଦେଖିନଥିଲା ! ଛୋଟ ଛୁଆଟା ସେ, ଭିଡଦେଖି ଡରିଯାଉଥିଲା । ମୁଁ ଭାଇଙ୍କୁ କହିଲି… ମଦନର ହାତକୁ କସିକି ଧରିଥା ଭାଇ ଜମା ଛାଡିବିନି, ନହେଲେ ହଜିଯବ ସେ ।

ଆରେ ଦେଖ ଦେଖ…ଭାଇ, ଏପଟେ ରଥ ଦିସିଲାଣି, ଆହା…କେଡେ ସୁନ୍ଦର…ବଡ଼ଦାଣ୍ଡରେ ସଜା ହେଇଥିବା ଏ ତିନିରଥ ।

ରଥ ନୁହେଁ ତ… ଯେମିତି ସୁସଜ୍ଜିତ ତିନୋଟି ମନ୍ଦିର, ଏ ପେଟପୁରା ଦୃଶ୍ୟ ଭାଇଙ୍କ ପାଇଁ ଆଉ ମଦନ ପାଇଁ ମଧ୍ୟ ସେଦିନ ପ୍ରଥମ ଥିଲା, କାଇଁ କେତେ ବର୍ଷର ଇଚ୍ଛା ସତେ ଯେମିତି ପୁରଣ ହେଉଥିଲା।

ପହଣ୍ଡି ଆରମ୍ଭ ହେଲା ଘଣ୍ଟ ଘଣ୍ଟା ମୃଦଙ୍ଗ, ପୁଣି ହରିବୋଲ ହୁଳହୁଳି ରେ କମ୍ପିଉଠିଲା ବଡ଼ଦାଣ୍ଡ, ସିଂହ ଦୂଆରୁ କଣେଇ ଚାହିଁଲା କାଳିଆ । ଆହା କି ରୂପ ତାର ଦେଖୁନ ଦେଖୁନ କେମିତି ଟାହିଆ ହଲେଇ ହଲେଇ ଆସୁଛି ।

ଟାହିଆ ଉପରେ ଟାହିଆ

ଝୁଲି ଝୁଲି ଆସେ କାଳିଆ ହାତୀ ଲୋ

ଦେଖି ମନହେଲା ବାଇଆ..

ଗଳ୍ପ ସଂଗ୍ରହ – ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍

ସେ ତ ଭକତ ଭାବରେ ବନ୍ଧା, ତାକୁ ଦେଖିଦେଲେ ଜୟ ଜଗନ୍ନାଥ କହି ହାତ ନଟେକିଲେ କ’ଣ ରହିହୁଏ,

ମଣିମା ହେ, ଜଗନ୍ନାଥ ହେ, ସାଆନ୍ତେ ହେ…

ଆସ ଆସ..

ଥରୁଟେ ଆସ..

ଏ ହୃଦୟ ଭିତରକୁ ଆସ,

ଏ ମନ ଭିତରକୁ ଆସ…

ଏ ଅଧମକୁ ତୁମ ଚରଣରେ ଟିକେ ଆଶ୍ରାଦିଅ ପ୍ରଭୁ ।

ତୁ’ ତ.. ଭକତ ଭାବରେ ବନ୍ଧା ରେ

ତୁ’ ତ… ଭକତର ପ୍ରାଣଧନ,

ମୋହରି ଭିତରେ ତୁ ହି ରହିଅଛୁ

ତତେ ପାଇବାକୁ ମୋର ମନରେ…

ତୁ’ ତ… ଭକତର ପ୍ରାଣଧନ ।

ଗଗନ ପବନ ପ୍ରକମ୍ପିତ ହୋଇଉଠିଲା । ସମସ୍ତେ ଏକାସ୍ବରରେ ହାତକୁ ଟେକି ଡାକଛାଡିଲେ ଜୟ ଜଗନ୍ନାଥ… ଜୟ ଜଗନ୍ନାଥ…

ହେ କାଳିଆ ଠାକୁର, ହେ ଅଗତିର ଗତି, ହେ ଦୁଃଖ ନାଶନ, ହେ ବଳିଆର ଭୂଜ,…ଆରେ ଦେଖ ଦେଖ ତା’ ରୂପକୁ ଥରେ ଆଖିପୁରେଇ ଭଲସେ ଦେଖ… ଆହା ସତେ ଯେମିତି ମନ ପୁରିଯାଉଛି, ମନ ହଜିଯାଉଛି, ମନ ଭିଜିଯାଉଛି ।

ଏତିକି ବେଳେ ଭାଇ ମୋ’ ପିଠିରେ ହାତବାଡେଇ କହିଲେ, ଆରେ ମଦନକୁ କାନ୍ଧରେ ବସେଇ ଟିକେ ଦେଖେଇ ଦେ କାଳିଆକୁ, ମୁଁ ହଉ କହି ମଦନ ଆଡକୁ ଚାହିଁଲି, ମଦନ.. ମଦନ… ମଦନ କୁଆଡେ ଗଲା, ମଦନ…. ମଦନ, ଭାଇ ତମକୁ କହିଥିଲି ନା ତା’ ହାତକୁ ଧରିବାକୁ, ଛାଡିଦେଲ…

ଏବେ ମୁଁ କୋଉଠି ଖୋଜିବି ତାକୁ, କୁଆଡେ ଗଲା ସେ, ଛୋଟ ଛୁଆଟେ ଏତେ ଭିଡ଼ରେ କ’ଣ ସେ ମତେ ଦେଖାଯିବ।

ଭାଇ ମୁଣ୍ଡରେ ଚଡକ ପଡିଗଲା…

ହେ ଭଗବାନ କ’ଣ କରିବା ଏବେ କୁଆଡେ଼ ଯିବା, କୋଉଠି ଖୋଜିବା, ମଦନ… ମଦନ… ମଦନ ରେ… କୁଆଡେ ଗଲୁରେ ତୁ !!

କେତେ ବିକଳ ହେଇ ଭାଇ ଆଉ ମୁଁ ଖୋଜିଲୁ, କେତେ ମୁଣ୍ଡ ବାଡ଼େଇ ଦିଭାଇ କାନ୍ଦିଲୁ । ବସଷ୍ଟାଣ୍ଡ ଠୁ ଆରମ୍ଭ କରି ଷ୍ଟେସନ୍ ପର୍ଯ୍ୟନ୍ତ ଆଉ ପୁଣି ପୁରୀ ର ପ୍ରତ୍ୟେକ ଗଳିକନ୍ଦି ସବୁଠି ବୁଲିଲୁ, ସବୁଠି ଖୋଜିଲୁ, ହେଲେ… ନା…ମଦନ କୁ ଆଉ ପାଇଲୁନି…।

ହଜିଗଲା ସେ, ହଜିଗଲା ବଡଦାଣ୍ଡର ଜନସମୁଦ୍ରରେ ।

କେତେବେଳେ ଯେ ନଅଦିନ ବିତିସାରିଥିଲା ଆମକୁ ଜଣାନଥିଲା । ବଡ଼ଦାଣ୍ଡ ପୁଣି ଲୋକାରଣ୍ୟ ହେଲା, ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ରେ ପୁଣି ବଡ଼ଦାଣ୍ଡ କମ୍ପିଉଠିଲା । ଆଉ ରଥରେ ବସି କାଳିଆ ବାହୁଡିଲା… ହେଲେ ମଦନ ?

ଭାଇ ସେଦିନ ବଡ଼ଦାଣ୍ଡରେ ଠିଆହେଇ କାଳିଆ ମୁହଁକୁ ଚାହିଁ କହୁଥିଲେ…

ତୁ ହସୁଛୁ….ତୁ ହସୁଛୁରେ କାଳିଆ, ତତେ ହସ ଲାଗୁଛି ନା…

ଆରେ…

ସବୁ ଛଡାଇଲୁ, ଅନ୍ତର ଦହିଲୁ,

ମନ୍ତର କରି ତୁ ନେଲୁ,

କହ କାହିଁକି ଏମିତି କଲୁ ।

କାଳିଆରେ କାହିଁକି ଏମିତି କଲୁ ।

ଯେତେ ଖୋଜିଲେ ବି ପାଉନାହିଁ ତାକୁ

କେଣେ ଲୁଚାଇ ରଖିଲୁ ,

କହ କାହିଁକି ଏମିତି କଲୁ।

ଏ ଜନସମୁଦ୍ରେ ପ୍ରାଣ କାନ୍ଦେ ମୋର

କାହିଁ ଛଳରେ ଛଳେଇ ନେଲୁ,

କାଳିଆ ରେ କାହିଁକି ଏମିତି କଲୁ ।

ଖାଲି ହାତେ ମୁହିଁ ଯାଉଅଛି ଫେରି

ଶପଥ ନେଉଛି କେବେ ଆସିବିନି ପୁରୀ,

ଗୋପ ପୁରୀଆରେ, କୋଳ ମୋର ଶୂନ୍ୟ କଲୁ,

କହ କାହିଁକି ଏମିତି କଲୁ ।

କାଳିଆ ରେ ଚିତ୍ତ ରୁ ଅନ୍ତର କଲୁ ।

ହେ… ଦଗାଦିଆ କାଳିଆ, ଏଇ କଣ ତୋର ଭକତ ପଣିଆ, ତୁ’ ତ.. ବାହୁଡିଲୁ ହେଲେ ମୋ ପୁଅ କାହିଁ ? ମତେ କଣ ଖାଲି ହାତେ ଏଇମିତି ଫେରେଇଦବୁ ତୋ ମନରେ କ’ଣ ଏଇଆ ଥିଲା ।

ତେବେ ମନେରଖ..!

ଯେପର୍ଯ୍ୟନ୍ତ ମୋ ପୁଅକୁ ମୁଁ ନ ପାଇଛି !

ସେତେଦିନ ଯାଏ ତୋର ଏଇ ରଥଯାତ୍ରାକୁ ଆସୁଥିବି, ଆଉ ତୋ ସାମ୍ନାରେ ଠିଆହେଇ ତତେ ଜବାବ ମାଗୁଥିବି ।

ହଁ ସେଦିନ ମୁଁ ଦେଖିଛି ! ଭାଇର ସେ ଛଳଛଳ ଆଖି, ଆଉ ସେ ବୁକୁଫଟା କାନ୍ଦ ।

ନା ସବୁ ଆଶା ମଉଳିବା ପରେ, ଭାଇ ପୁରା ଭାଙ୍ଗିପଡ଼ିଥିଲେ ଆଉ ସେ ଭଙ୍ଗା ମନର ଗଣ୍ଠିଲି ରେ ଗଣ୍ଠି ପକେଇ ସେଦିନ ଆମେ ଘରକୁ ଫେରୁଥିଲୁ । ଗାଡ଼ି ତାରପୁର ଠି ଅଟକିଲା । ମୁହଁକୁ ମାଡ଼ି ଭାଇ ସେଇମିତି ବସିଥାନ୍ତି । ମୁଁ ତାଙ୍କୁ ଗାଡିରୁ ଓହ୍ଲେଇବାକୁ କହିଲି, ଭାଇ ମୋ ଆଡ଼କୁ ମୁଣ୍ଡ ଟେକି ଚାହିଁଲେ ଆଉ ଧିରେକି ଗାଡିରୁ ଓହ୍ଲେଇ ପଡ଼ିଲେ । ନା… ତାଙ୍କ ପାଟିରେ କିଛି କଥାଥିଲା ନା ମୋ ମୁହଁରେ, ଚୁପ୍ ଚାପ୍ ହେଇ ବାଟ ଚାଲୁଚାଲୁ ଚିତ୍ରୋତ୍ପଳା ନଦୀକୂଳ ବରଗଛ ମୂଳେ ଦୁଲକିନା ବସିପଡ଼ି କହିଲେ, ରଘୁଆରେ ମୁଁ ଆଉ ଘରକୁ ଯିବିନି, ଘରକୁ ଯାଇ ତୋ ଭାଉଜକୁ କେମିତି ମୁହଁ ଦେଖେଇବି । ତା ପ୍ରଶ୍ନର କି ଉତ୍ତର ଦେବି କ’ଣ କହି ବୁଝେଇବି, କେତେ ବ୍ରତ କେତେ ଓଷା କରି କୋଳକୁ ଗୋଟିଏ ପୁଅଟେ ଆସିଥିଲା ମୁଁ ହତଭାଗା ତାକୁ’ବି ହରେଇଦେଲି ଧିକ ମୋ ଜୀବନ, ଧିକ୍ ମୋ ବାପା ପଣିଆକୁ ।

ସେଦିନ ମୁଁ ତାଙ୍କୁ ବହୁ କଷ୍ଟରେ ବୁଝେଇ ବାଝେଇ ଘରକୁ ଆଣିଲି, ପୁଅ ହଜିବା ଦୁଃଖରେ ଭାଉଜ ବି ଦିନକେଇଟାରେ ଆରପାରିକୁ ଚାଲିଗଲେ । ସେବେଠାରୁ ପ୍ରତିବର୍ଷ ରଥଯାତ୍ରାରେ ଭାଇ ପୁରୀ ଯାଆନ୍ତି ଆଉ କାଳିଆକୁ ଜବାବ ମାଗନ୍ତି । କାଳେ ମଦନ ମିଳିଯିବ, ହେଲେ ସେ ତ ହଟିଆ ଠାକୁର ତା’ର ବା କଣ ଯାଉଛି, ଖାଲି ହାତରେ ଯାହା ଘରକୁ ଫେରନ୍ତି ।

ତିରିଶି ବର୍ଷ ହେଇଯିବ ପୁଅ ଫେରିବା ଆଶାରେ ଅନବରତ ଧାଉଁଥିଲେ କାଳିଆ ପାଖକୁ କିନ୍ତୁ ଏ ସନ… ପାଦରେ ଆଉ ଜୁ ନାହିଁ । ଅଣ୍ଟା ଭାଙ୍ଗି ଗଲାଣି, ବିଛଣାରେ ପଡିଗଲେଣି, ଗଲା ତିନିଦିନ ତଳେ ମତେ ଯିବାକୁ କହୁଥିଲେ, ମୁଁ କିନ୍ତୁ ସଫା ସଫା ମନାକରିଦେଲି । ମୋର ତା ପାଖକୁ ଯିବାର ନାହିଁ, ମୁଁ ପରା କାଳିଆକୁ ସେହିଦିନ କହିଦେଇ ଆସିଥିଲି, ଜୀବନରେ ତୋ ଦୁଆରକୁ କେବେ ଆସିବିନି ।

ଏତିକି କହି ରଘୁଅଜା ତାଙ୍କ ଅଣ୍ଟାରେ ବାନ୍ଧିଥିବା ମଳିଛିଆ ଗାମୁଛା ଖୋଲି ଲୁହରେ ଜକେଇଆସିଥିବା ଆଖିକୁ ପୋଛିଲେ ।

ରଘୁଅଜା କଥାଶୁଣି ଆମେ ସମସ୍ତେ ଅବାକ୍ ହେଇ ଚାହିଁଥାଉ, ରଘୁଅଜା କିନ୍ତୁ ଅଇଁଠା ଚାକପ୍ ଗୁଡିକ ନେଇ ଧୋଇବାକୁ ଲାଗିଲେ ।

ମୁଁ କିନ୍ତୁ ମନେ ମନେ ଭାବୁଥିଲି… କାଳିଆରେ ସତରେ କ’ଣ ତୁ ହଟିଆ ଠାକୁର, ତୁ ପରା ଭକ୍ତ ଭାବରେ ବନ୍ଧା ବୋଲି ଡିଣ୍ଡିମ ପିଟୁଛୁ । ଦାସିଆ ଠୁ ହାତବଢେଇ ନଡ଼ିଆ ନେଇଛୁ, ସାଲବେଗର ଡାକ ଶୁଣିଛୁ, ବିଦୁର ଠୁ ଶାଗଭଜା ଖାଇଛୁ, ବନ୍ଧୁ ମହାନ୍ତି କୁ ଭୋଗଥାଳି ଦେଇଛୁ, ତୁ ପରା ଭାବବିନୋଦିଆ ଠାକୁର, ଗୋଟେ ବୁଢ଼ା ବାପର ଡାକ ତୋ କାନକୁ କ’ଣ ଶୁଭୁନି ତା ଆଖିର ଲୁହ ତୋ ଚକା ଆଖିକୁ କଣ ଦେଖାଯାଉନି।

ବାଃ..ବାଃ..ରେ କାଳିଆ, ଏଇ କଣ ତୋର ପ୍ରଭୁପଣ, ମନେ ମନେ ମୁଁ ଏମିତି କହିଚାଲିଥାଏ କାଳିଆକୁ । ଆଉ ଠିକ୍ ଏତିକିବେଳେ ଜଣେ ଭଦ୍ରଲୋକ ଦୋକାନ ଭିତରକୁ ପଶି ଆସିଲେ, ଆଉ ପଚାରିଲେ… ରଘୁ ସାହୁ କିଏ?

ରଘୁଅଜା ବୁଲିପଡ଼ି ଉତ୍ତର ଦେଲେ..

ହଁ କ’ଣ ହେଲା.., ମୁଁ ରଘୁ ସାହୁ ,

ଆଛା…ବହୁତ ବର୍ଷ ତଳେ ଆପଣଙ୍କର ଗୋଟେ ପୁଅ ହଜିଯାଇଥିଲା ନା !

ରଘୁଅଜା ରାଗିଗଲେ ଆଉ ବିରକ୍ତ ହେଇ କହିଲେ…ହଁ… ହଜିଥିଲା ତ କ’ଣ ହେଲା ସେଉଠୁ? କିଏ ତମେ ?

ମୁଁ ସେଇ… ଆପଣଙ୍କର ହଜିଥିବା ପୁଅ ! ଭଦ୍ରବ୍ୟକ୍ତିଙ୍କ ଏଭଳି ଉତ୍ତରରେ କେବଳ ରଘୁଅଜା ନୁହନ୍ତି, ଆମେ ସମସ୍ତେ ଅବାକ୍ !

ରଘୁଅଜା କିନ୍ତୁ ବଡ ଦମ୍ଭରେ କହିଲେ, କ’ଣ… ମତେ ଥଟ୍ଟା କରୁଛ !

ହେଲେ ସେ ଭଦ୍ରବ୍ୟକ୍ତି ବାରମ୍ବାର ସେଇ ଗୋଟିଏ କଥା କହୁଥାନ୍ତି, ମୋ ଉପରେ ବିଶ୍ବାସ କରନ୍ତୁ ମୁଁ ସେଇ, ଆପଣଙ୍କର ହଜିଥିବା ପୁଅ ।

ଆଛା… ଆପଣ କେମିତି ଏତେ ଦୃଢ଼ ଭାବରେ କହୁଛନ୍ତି ଯେ ସେଇ ହଜିଥିବା ପୁଅ ବୋଲି ? କ’ଣ ପ୍ରମାଣ ଅଛି? କିଏ ଆପଣ? କୋଉଠୁ ଆସିଛନ୍ତି ? ଆଉ ରଘୁଅଜାଙ୍କୁ କେମିତି ଚିହ୍ନିଲେ? ହଠାତ୍ ମୋ ପାଟିରୁ ଏତେଗୁଡେ ପ୍ରଶ୍ନ ଏକାବେଳେ ବାହାରି ଆସିଲା ।

ବ୍ୟକ୍ତି ଜଣକ ଆସି ମୋ ପାଖରେ ବସିଲେ ଆଉ ମୋ ହାତକୁ ଧରି କହିଲେ…

ଦେଖନ୍ତୁ ଭାଇ… ପ୍ରମାଣ ଦେବାକୁ ମୋ ପାଖରେ କିଛି ବି ନାହିଁ, ନା’ ମୁଁ ମୋ’ ଗାଁର ନାଁ ଜାଣିଛି, ନାଁ ବାପାଙ୍କ ନାଁ, ଏଇମିତି ଦୁଇଦିନ ହେଲାଣି ମୁଁ କେବଳ ଖୋଜିବୁଲୁଛି ।

ସେଦିନ ମୃତ୍ୟୁ ପୁର୍ବରୁ ବାବୁଜୀ କହିଥିଲେ, ମତେ କୁଆଡେ ପୁରୀ ରଥଯାତ୍ରାରୁ ସେମାନେ ପାଇକି ନେଇଥିଲେ । ଏକଥା ଜାଣିବାପରେ ମୁଁ ବହୁତ ଭାବିଲି ! ବହୁତ ଭାବିଲି ! ବାସ୍ ଗୋଟିଏ କଥା ମନକୁ ଆସିଲା… ତାରପୁର ଛକ, ଯୋଉଠୁ ମୁଁ ବସ୍ ରେ ବସି ବାପାଙ୍କ ସହ ପୁରୀ ଯାଇଥିଲି, ଆଉ ମୋ ଗାଁ ର ମହାଦେବ ମନ୍ଦିର, ତାପରେ କାହାକୁ କିଛି ନ କହି ସିଧା ଆସି ପୁରୀରେ ପହଁଚିଲି ।

ପ୍ରଥମେ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲି, ଆଉ ତାପରେ ବସଷ୍ଟାଣ୍ଡକୁ ଧାଇଁଲି । ଭାଇ କିଏ କହିପାରିବେ କି ତାରପୁର୍ କୋଉଠି? ତାରପୁର ବସ୍ କୋଉଠୁ ମିଳିବ? ଏମିତି ଜଣକପରେ ଜଣଙ୍କୁ ପଚାରିଚାଲିଲି ହେଲେ ନା କେହିବି କହିପାରିଲେନି । ଆଶା ଯେମିତି ମଉଳିଗଲା ପରି ଲାଗୁଥାଏ । ବସଷ୍ଟାଣ୍ଡ ରେ ଗୋଟେ କାନ୍ଥକୁ ଡେରି ହୋଇ ବସିଥାଏ । ଆଉ ଭାବୁଥାଏ କ’ଣ କରିବି କେମିତି ଖୋଜିବି, ମୁଁ କ’ଣ ପାଇବିନି ମୋ ଗାଁ, ମୋ ଘର, ମୋ ବାପା ମାଆଙ୍କୁ । ଏତିକିବେଳେ ଜଣେ ବ୍ୟକ୍ତି ମୋ ପାଖରେ ଆସି ବସିଲେ ଆଉ ମୋ ମୁଣ୍ଡକୁ ଆଉଁସି ଦେଇ କହିଲେ ବ୍ୟସ୍ତ ହୁଅନି ପୁଅ, ତାରପୁର ଯିବ? ମୋ ସହ ଆସ ମୁଁ ତାରପୁର ଯାଉଛି ।

ତାରପୁରରେ ପହଞ୍ଚିବାପରେ କିଛି କିଛି ମନେପଡୁଥାଏ, ମୋ ଗାଁ, ନଦୀକୂଳ, ଆଉ ମହାଦେବ ମନ୍ଦିର….ବିଶ୍ବାସ କରନ୍ତୁ କାଲିଠୁ ମୁଁ ଖୋଜିବୁଲୁଛି । ଯାହାକୁ ଦେଖୁଛି ପଚାରୁଛି, ଆଜ୍ଞା କହିପାରିବେ କିତିରିଶି ବର୍ଷ ତଳେ ପୁରୀ ବୁଲିବାକୁଯାଇ କାହାର ପୁଅଟେ ହଜିଯାଇଥିଲା । ମୁଁ ସେଇ ପୁଅ ମୋ ଘର ପାଖରେ ବଡ଼ ମହାଦେବ ମନ୍ଦିର ଥିଲା । ଆମେ ନଦୀ ପାରିହେଇ ତାରପୁର ଆସୁ । ଆରେ କେହିତ କୁହ… କେହିତ କୁହ… ଜଣେ ବୁଢା ମଉସା କହିଲେ….ଶୁଣ ପୁଅ, ଏଇ ରାସ୍ତାରେ ଯାଅ, ଆଗରେ ଚିତ୍ରୋତ୍ପଳା ନଦୀ ପଡିବ, ଆଉ ନଦୀ ଆରପଟେ ଜଗନ୍ନାଥପୁର ଗାଁ ସେଇ ଗାଁ ଛକରେ ରଘୁ ସାହୁ ଦୋକାନ ଅଛି ତା’ରି ପୁଅ ହଜିଥିଲା ତମେ ସେଇଠିକି ଯାଇ ପଚାର। ଆଉ ତାପରେ ମୁଁ ସିଧା ଏଇଠିକୁ ଆସିଛି ।

ରଘୁଅଜାଙ୍କ ର କୋହଗୁଡାକ ସତେ ଯେମିତି ଉଛୁଳି ପଡୁଥିଲା, ସେ ଆଉ ନିଜ ଆୟତରେ ନଥିଲେଦୋଉଡି ଆସି ପୁଅକୁ କୁଣ୍ଢେଇ ପକେଇଲେ ।

ମଦନ ରେ ମୋ ମଦନ ରେ, ଏତେ ବର୍ଷ ହେଲାଣି କୋଉଠି ଥିଲୁ । ବାପା ତୋର କେତେ ଆଡେ ଖୋଜିଛି, କେତେ ମୁଣ୍ଡ ବାଡ଼େଇ କାନ୍ଦିଛି, ପ୍ରତିବର୍ଷ ରଥଯାତ୍ରାରେ ତତେ ମାଗିବାକୁ କାଳିଆ ପାଖକୁ ଧାଇଁଛି, ହେଲେ ଏଥର କିନ୍ତୁ ଆଉ ଯାଇପାରିଲେନି, ବିଛଣାରେ ପଡିଗଲେଣି।

ଜାଣିଛୁ ତୋ ଫେରିବା ବାଟକୁ ଚାହିଁ ଚାହିଁ ତୋ ମାଆ କେବେଠୁ ଆରପାରିକୁ ଚାଲିଗଲାଣି । ତୋର ଏତେଦିନେ ଆମକଥା ମନେପଡିଲା । ହଉ ହେଲା ଚାଲ୍ ଘରକୁ ଯିବା, ଭାଇ ତତେ ଦେଖିଲେ କେତେ ଖୁସିହେବେ । ତୋ ଆସିବା ବାଟକୁ ଚାହିଁ ଚାହିଁ ତାଙ୍କ ଆଖିରୁ ପାଣି ମରିଗଲାଣି, ଚାଲ୍ ଯିବା….

ଚାହୁଁ ଚାହୁଁ ମୂହୁର୍ତ୍ତକ ମଧ୍ୟରେ ଖବରଟା ସାରା ଗାଁ ରେ ବ୍ଯାପିଗଲା । ମଦନ ଫେରିଛି, ମଦନ ଫେରିଛି ହୁରି ପଡ଼ିଲା, ମଦନକୁ ଦେଖିବାକୁ ରଘୁଅଜା ଦାଣ୍ଡରେ ଲୋକଙ୍କ ଭିଡ ଲାଗିଲା…

ଆଉ ମୁଁ….ଧେତ୍ ! ଭିଡ ଠୁ ବହୁତ ଦୂରରେ ଥିଲି ଆଉ ଗୋଟିଏ କଥା ହିଁ ଭାବୁଥିଲି, ସତରେ କାଳିଆ’ ତୁ ଗୋଟେ ହଟିଆ ଠାକୁର ।  ଆଜି ମଦନର ବାପା ତୋ ପାଖକୁ ଯାଇପାରିଲାନି ବୋଲି ତୁ ମଦନକୁ ତା ପାଖକୁ ପଠେଇଦେଲୁ । ତେବେ ତିରିଶି ବର୍ଷ ଧରି କଣ…ଗୋଟେ ବାପର ଧର୍ଯ୍ୟ ପରିକ୍ଷା କରୁଥିଲୁ ? ମୁଁ ତ କହିବି, ତୁ ଆଜି ଗୋଟେ ଭକ୍ତପାଖରେ ହାରିଯାଇଛୁ ! ତୋ ପାଖରେ ଆଉ କିଛି ବାଟ ନଥିଲା ତୁ ପରା ଭଗବାନ, ଭାବବିନୋଦିଆ ଠାକୁର, ଭକତ ଭାବରେ ବନ୍ଧା..

ଓଃ….ବୁଝିଲି ଜଣେ ଭକ୍ତ ଯେତେବେଳେ ତୋ ଉପରୁ ଆସ୍ଥା ବିଶ୍ବାସ ଭରଷା ହରାଏ ତୁ ସେତେବେଳେ ଏମିତି ଚମତ୍କାର କରୁ, ବାଃ..ବାଃ…ରେ କାଳିଆ ଆଉ ଧନ୍ୟ ତୋର ଲୀଳା ।

ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।

(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି …..ଅପେକ୍ଷା କରିଥାଅ ସମସ୍ତେ!)

☘🌸🌼🙏🏻ଶୁଭ ରାତ୍ରୀ🙏🏻🌼🌸☘

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.