ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ

Swami Vivekananda ili 96 img 1
Reading Time: 19 minutes

୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ ପ୍ରତ୍ୟୁଷରେ କଲିକତାର ସିମଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୂପେ ଯେଉଁ ଶିଶୁଟି ଜନ୍ମଗ୍ରହଣ କରିଥିଲା, ସେହି ନବଜାତକ ପ୍ରତି ଆମମାନଙ୍କର ପ୍ରଣତି । ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି । ଏହି ନବଜାତକ ନରେନ୍ଦ୍ରନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ହୋଇଥିଲେ ।

ବିଶ୍ୱନାଥ ଦତ୍ତ ଥିଲେ ଜଣେ ଲବ୍ଧପ୍ରତିଷ୍ଠିତ ଆଟର୍ଣ୍ଣି । ତାଙ୍କର ଉଦାରତା, ଚରିତ୍ରର ତେଜସ୍ୱିତା ଓ ପରଦୁଃଖକାତରତା ସମସ୍ତଙ୍କର ଶ୍ରଦ୍ଧା ଆକର୍ଷଣ କରୁଥିଲା । ଭୁବନେଶ୍ୱରୀ ଦେବୀ ଥିଲେ ସୁରୂପା, ତେଜସ୍ୱିନୀ, ଧର୍ମପ୍ରାଣା, ଆଦର୍ଶ ହିନ୍ଦୁ ରମଣୀ । କାଶୀର ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ଏହି ପୁତ୍ର ଲାଭ ହୋଇଥିଲା, ତେଣୁ ନାମ ରଖାହେଲା ବୀରେଶ୍ୱର-ଡାକନାମ ‘ବିଲେ’ । ଅନ୍ନପ୍ରାଶନ ସମୟରେ ନାମ ଦିଆଗଲା ନରେନ୍ଦ୍ରନାଥ ।

ଶୈଶବରେ ବିଲେ ବଡ଼ ଅଶାନ୍ତ ଥିଲେ । ଭୁବନେଶ୍ୱରୀ ଦେବୀ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ ।’ ମା’ ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବାଳକର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା । ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍ ଭଲ ପାଉଥିଲେ । ସଙ୍ଗୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେର ଅନ୍ୟତମ ପ୍ରିୟ ଖେଳ । ଦିନେ ଛାତଘରେ ଏହି ଧ୍ୟାନର ଖେଳ ଚାଲିଛି, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା; ସଙ୍ଗୀମାନେ ସମସ୍ତେ ଦୌଡ଼ି ପଳାଇଲେ; କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ । ଚାରିଆଡ଼େ ଚହଳ ପଡ଼ିଗଲା । ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ କୋଳ କରି ବାହାରକୁ ଅଣାଗଲା । ପରେ ପଚାରିବାରୁ ବିଲେ କହିଲା, ‘ମୁଁ ତ କିଛି ଜାଣିନି ।’ ଶ୍ରୀରାମକୃଷ୍ଣଦେବ କହୁଥିଲେ, ‘ନରେନ୍ ଧ୍ୟାନସିଦ୍ଧ ମହାପୁରୁଷ ।’

ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବାଳକ ନରେନ୍ଦ୍ରର ଖୁବ୍ ଦରଦ ଥିଲା । ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଏ, ତାହା ଆଣିଦିଏ, ଆଉ କିଛି ନ ପାଇଲେ ଖୋଲି ଦିଏ ନିଜର ପିନ୍ଧାଲୁଗା ଖଣ୍ଡିକ । ସର୍ବହରାମାନଙ୍କ ମୁହଁରେ ହସ ଦେଖି ତା’ର ପ୍ରାଣ ଅପରିସୀମ ତୃପ୍ତିରେ ଭରି ଉଠେ । ଜାତିଭେଦ ସମ୍ବନ୍ଧରେ ବାଳକ ନରେନ୍ର ବିଶେଷ କୌତୁହଳ । ବାପାଙ୍କ ବୈଠକଖାନାରେ ବିଭିନ୍ନ ଜାତିର ମହକିଲମାନଙ୍କର ଅଲଗା ଅଲଗା ହୁକ୍କାରେ ମୁହଁ ଲଗାଇ ଟାଣି ଟାଣି ଦେଖେ-ଜାତି କିପରି ଯାଏ । ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନ୍କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ । ମା’ ତାହା ଦେଖି କହିଲେ, ‘ଅନ୍ୟ ଜାତିର ଛୁଆଁ ଖାଇଲେ ଜାତି ଯାଏ ।’ କିନ୍ତୁ ଜାତି କିପରି ଯାଏ, ତାହା ହିଁ ହେଲା ନରେନ୍ର ଚିନ୍ତାର ବିଷୟ ।

ଛ’ ବର୍ଷ ବୟସରେ ସ୍କୁଲରେ ନରେନ୍ଦ୍ରଙ୍କର ନାମ ଲେଖା ହେଲା, କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲା ନାହିଁ । ‘ସେ ତ ବିଦେଶୀ ଭାଷା, କାହିଁକି ପଢ଼ିବି ? ତା’ଠାରୁ ମାତୃଭାଷା ତ ଶିଖିବା ଭଲ ।’-ଏହା ଥିଲା ତାଙ୍କର କଥା । ଅନେକ ବୁଝାଇବା ପରେ କିଛି ମାସ ପରେ ନରେନ୍ଦ୍ର ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍ଜା ତିଆରି ଇତ୍ୟାଦିରେ କଟି ଯାଉଥିଲା । ନରେନ୍ଦ୍ର ଖୁବ୍ ଏକଜିଦିଆ ଓ ଦୁଷ୍ଟ ଥିଲେ । ଭୂତଭୟ, ବ୍ରହ୍ମଦୈତ୍ୟଭୟ, କୋକବାୟାଭୟ ଏସବୁ ହସି ଉଡ଼େଇ ଦେଉଥିଲେ । ଆମେରିକାରୁ ଫେରିବାପରେ ବିବେକାନନ୍ଦ ଦିନେ ଶିଷ୍ୟମାନଙ୍କୁ ହସି ହସି କହିଥିଲେ, ‘ପିଲାଦିନେ ମୁଁ ଖୁବ୍ ଦୁଷ୍ଟ ଥିଲି । ତା ନ ହେଲେ ଏହି ଭାବରେ ଦୁନିଆସାରା ମୁଁ କଅଣ ଘୂରିଆସି ପାରିଥାନ୍ତି କିରେ ?’ ବାଲ୍ୟକାଳରୁ ନରେନ୍ଦ୍ରଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ । ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା । ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ । ତାଙ୍କର ଜ୍ଞାନାର୍ଜନ ସ୍ପୃହା ଓ ଧାରଣାଶକ୍ତି ଅତି ଅଦ୍ଭୁତ ଥିଲା । ଏଣ୍ଟ୍ରାନ୍ସ ପାଶ୍ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ । ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ପ୍ରୀତି ଥିଲା । ୧୭ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କଲେ । ପରେ ବର୍ଷେ ମାତ୍ର ପ୍ରେସିଡ଼େନ୍ସି କଲେଜ୍ରେ ପଢ଼ି ନିକଟବର୍ତ୍ତୀ ଜେନେରାଲ୍ ଆସେମ୍ବ୍ଲିଜ୍ ଇନ୍ଷ୍ଟିଚିଉସନ୍ରେ ସ୍ନାତକ ଜୀବନର ବାକି ତିନିବର୍ଷ ଅଧ୍ୟୟନ କରିଥିଲେ ।

କଲେଜ୍ରେ ପ୍ରବେଶ କରି ନରେନ୍ଦ୍ରଙ୍କର ଜ୍ଞାନସ୍ପୃହା ବଢ଼ିଗଲା । ସେ ପାଶ୍ଚାତ୍ୟ ଦର୍ଶନ, ନ୍ୟାୟଶାସ୍ତ୍ର, ବୈଜ୍ଞାନିକ ଆବିଷ୍କାର ଓ ଦେଶବିଦେଶର ଇତିହାସ ପ୍ରଭୃତି ବିଶେଷ ଆଗ୍ରହ ସହକାରେ ପଢ଼ିବାକୁ ଲାଗିଲେ । ଶରୀରଚର୍ଚ୍ଚା ଏବଂ ସଙ୍ଗୀତରେ ମଧ୍ୟ ତାଙ୍କର ବିଶେଷ ଉତ୍ସାହ ଥିଲା । ଗଳିରେ ନବଗୋପାଳ ମିତ୍ରଙ୍କ ଆଖଡ଼ାରେ ନିୟମିତ କୁସ୍ତି, ଲାଠିଖେଳ ପ୍ରଭୃତି ଅଭ୍ୟାସ କରୁଥିଲେ । ତାଙ୍କର ପିତା ଓସ୍ତାଦ୍ ରଖି ତାଙ୍କୁ ଗୀତବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ । ମୋଟ ଉପରେ ପଢ଼ାପଢ଼ି, ଗାଇବା ବଜାଇବା, କହିବା, ଦେଖିବା, ଶୁଣିବା ସବୁଥିରେ ନରେନ୍ଦ୍ର ଅଦ୍ୱିତୀୟ ଥିଲେ । ଏହି ସୁଦର୍ଶନ ବଳିଷ୍ଠ ଓ ନାନା ଗୁଣାନ୍ୱିତ କିଶୋର କ୍ରମେ ସର୍ବଜନ ପ୍ରିୟ ହୋଇ ଉଠିଲେ ।

କଲେଜ୍ରେ ପ୍ରବେଶ କରିବା ସଂଗେ ସଂଗେ ନରେନ୍ଦ୍ରଙ୍କ ଅନ୍ତରରେ ଧର୍ମଭାବ ପରିଲକ୍ଷିତ ହେଲା । ତାଙ୍କର ତରୁଣ ମନରେ ଶତ ଶତ ଆଲୋଡ଼ନ ସୃଷ୍ଟି ହେଲା । ଈଶ୍ୱର ଅଛନ୍ତି କି ? ଥିଲେ, କେଉଁଠି ସେ ? ତାଙ୍କୁ କଅଣ ଦେଖି ହୁଏ ? ଜଗତରେ ଏତେ ଦୁଃଖ, ଏତେ ଅନ୍ୟାୟ, ଅବିଚାର କାହିଁକି ? ଜଗତ୍ପତି ଭଗବାନ କଣ ଦୟାମୟ, ନା ନିଷ୍ଠୁର ? କଲିକତାର ବ୍ରାହ୍ମସମାଜ ସେତେବେଳେ ଧର୍ମପିପାସୁ ଶିକ୍ଷିତ ସମାଜ ଉପରେ ବିଶେଷ ପ୍ରଭାବ ବିସ୍ତାର କରିଥାଆନ୍ତି । ଯୁବକ ନରେନ୍ଦ୍ର ଏଫ୍. ଏ. ପଢ଼ିବା ସମୟରେ ବ୍ରାହ୍ମସମାଜଭୁକ୍ତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତାଙ୍କ ମଧୁର କଣ୍ଠରେ ପ୍ରାର୍ଥନାସଙ୍ଗୀତ ଶୁଣି ସମସ୍ତେ ମୁଗ୍ଧ ହେଉଥିଲେ । କିନ୍ତୁ ବ୍ରାହ୍ମସମାଜ ତାଙ୍କ ଅନ୍ତରର ଧର୍ମପିପାସା ମେଣ୍ଟାଇ ପାରିଲା ନାହିଁ । କ୍ରମେ ସେ ଦେଖିଲେ ଯେ ବ୍ରାହ୍ମସମାଜ ଗୋଟିଏ ସମାଜ-ସଂସ୍କାରକ ପ୍ରତିଷ୍ଠାନ ମାତ୍ର । ତାଙ୍କର ଏକମାତ୍ର ଆକାଙ୍କ୍ଷା ଭଗବତ୍-ଦର୍ଶନ । ସେ ସବୁ ଧର୍ମଯାଜକଙ୍କୁ ପଚାରନ୍ତି-ଆପଣ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି କି ? କେହି ଏ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ । ନରେନ୍ଦ୍ରନାଥ ଏଥିରେ ଅଧିକ କୌତୁହଳୀ ହୋଇ ଗଭୀରତର ସାଧନାରେ ମଗ୍ନ ହେଲେ । ରାତି ପରେ ରାତି ଧ୍ୟାନରେ ବିତିବାକୁ ଲାଗିଲା ।

ଯେଉଁ ରାମକୃଷ୍ଣଦେବଙ୍କ ସଙ୍ଗେ ତାଙ୍କ ଜୀବନ ଏତେ ନିବିଡ଼ ଭାବରେ ଜଡ଼ିତ, ଯାହାଙ୍କ ସଂସ୍ପର୍ଶରେ ଆସି ସେ ଈଶ୍ୱରଦର୍ଶନ କରିଥିଲେ, ବ୍ରହ୍ମଜ୍ଞାନରେ ପ୍ରତିଷ୍ଠିତ ହୋଇଥିଲେ ଏବଂ ଅନ୍ୟଙ୍କୁ ମଧ୍ୟ ଅଧ୍ୟାତ୍ମରାଜ୍ୟ ବିଷୟରେ ସାହାଯ୍ୟ କରିବାର ଶକ୍ତି ଅର୍ଜନ କରିଥିଲେ, ସେହି ଦେବମାନବଙ୍କ ସହିତ ସେତେବେଳକୁ ତାଙ୍କର ପରିଚୟ ହୋଇ ନ ଥାଏ । ଏହି ସମୟରେ ଦିନେ ଅପ୍ରତ୍ୟାଶିତ ଭାବରେ ନରେନ୍ଦ୍ର ଓ ଶ୍ରୀରାମକୃଷ୍ଣଦେବଙ୍କର ମିଳନ ହେଲା । ଏ ଯେପରି ପ୍ରାଚ୍ୟ ସଙ୍ଗେ ପାଶ୍ଚାତ୍ୟର ଓ ନବୀନ ସଂଗେ ପ୍ରବୀଣର ମିଳନ । ପ୍ରତିବେଶୀ ସୁରେନ୍ଦ୍ରନାଥ ମିତ୍ରଙ୍କ ଘରକୁ ପରମହଂସଦେବ ଆସିଥାଆନ୍ତି, ପରିଚିତ ଭକ୍ତ ମାନଙ୍କୁ ନେଇ ଗୋଟିଏ ଛୋଟ ଉତ୍ସବରେ ଆୟୋଜନ ହୋଇଥାଏ । ଗାୟକ ଅଭାବରୁ ଏହି ଉତ୍ସବରେ ଭଜନ ଗାଇବା ପାଇଁ ସୁରେନ୍ଦ୍ରନାଥ ପଡ଼ୋଶୀ ନରେନ୍ଦ୍ରଙ୍କୁ ଡକାଇ ପଠାଇଲେ । ପ୍ରାଣ ଢାଳି ଗାଇଲେ ନରେନ୍ଦ୍ରନାଥ । ଶ୍ରୀରାମକୃଷ୍ଣ ଗୀତ ଶୁଣି ମୁଗ୍ଧ । ନରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ଚମକି ଉଠିଲେ-‘ଏଇ ଯେ ସେହି ଅଖଣ୍ଡ ଘରର ଋଷି !’ ସାଗ୍ରହରେ ପାଖକୁ ଡାକିଲେ ଏବଂ ଦିନେ ଦକ୍ଷିଣେଶ୍ୱରକୁ ଯିବା ପାଇଁ ନରେନ୍ଦ୍ରଙ୍କୁ ଅନୁରୋଧ କଲେ ।

ଏହି ସମୟରେ ନରେନ୍ଦ୍ର ଏଫ. ଏ. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ପରୀକ୍ଷା ପରେ ବିଶ୍ୱନାଥ ଦତ୍ତ ତାଙ୍କର ବିବାହ ପାଇଁ ଉଦ୍ଯୋଗୀ ହେଲେ । କିନ୍ତୁ ନରେନ୍ଦ୍ରନାଥ ସ୍ପଷ୍ଟ ଜଣାଇ ଦେଲେ ଯେ, ‘ମୁଁ ବିବାହ କରିବି ନାହିଁ ।’ ସେତେବେଳକୁ ସେ ଅନ୍ତର୍ଦ୍ୱନ୍ଦରେ ବିଶେଷ ଜର୍ଜରିତ । ରାମଚନ୍ଦ୍ର ଦତ୍ତ ନରେନ୍ଦ୍ରଙ୍କର ଜ୍ଞାତିଭାଇ । ସେ ନରେନ୍ଦ୍ରଙ୍କର ମାନସିକ ଅବସ୍ଥା ବିଷୟରେ ଜାଣିପାରି କହିଲେ, ‘ଦେଖ ନରେନ୍, ଯଦି ଭଗବତ୍ ଲାଭ ହିଁ ତୁମ ଜୀବନର ଲକ୍ଷ୍ୟ ହୋଇଥାଏ, ତେବେ ଏଣେତେଣେ ନ ବୁଲି ଦକ୍ଷିଣେଶ୍ୱରରେ ଥିବା ପରମହଂସଦେବଙ୍କ ପାଖକୁ ଯାଅ, ଶାନ୍ତି ପାଇବ ।’ ନରେନ୍ଦ୍ରଙ୍କର ମନେପଡ଼ିଲା ପରମହଂସଙ୍କ ଆମନ୍ତ୍ରଣ କଥା । ସେ କେତେଜଣ ବନ୍ଧୁଙ୍କୁ ସଙ୍ଗରେ ନେଇ ଦିନେ ଦକ୍ଷିଣେଶ୍ୱରଠାରେ ଉପସ୍ଥିତ ହେଲେ । ତାଙ୍କୁ ଦେଖି ପରମହଂସଦେବ ଅତ୍ୟନ୍ତ ଆନନ୍ଦିତ ହେଲେ । ଗୀତ ଗାଇବାକୁ ଅନୁରୋଧ କଲେ । ନରେନ୍ ମଧ୍ୟ ଦୁଇଟି ଗୀତ ଗାଇଲେ-‘ମନ ଚାଲ ନିଜ ନିକେତନ’ ଇତ୍ୟାଦି ଏବଂ ‘ଯିବ କି ହେ ଦିନ ମୋର ବିଫଳେ ଚାଲି’ ଇତ୍ୟାଦି ।

ଶ୍ରୀରାମକୃଷ୍ଣ ତାଙ୍କର ଯୋଗଦୃଷ୍ଟି ସହାୟରେ ଜାଣିପାରିଥିଲେ ଯେ ନରେନ୍ଦ୍ରନାଥ ହିଁ ସେହି ଅଖଣ୍ଡ ଘରର ଋଷି-ତାଙ୍କର ଯୁଗବାର୍ତ୍ତା ପ୍ରଚାର ପାଇଁ ଜଗତ ଆସିଛନ୍ତି । ଏହାପରେ ପୁଣି ଯେଉଁଦିନ ନରେନ୍ଦ୍ର ଦକ୍ଷିଣେଶ୍ୱର ଆସିଥିଲେ, ସେଦିନ ପରମହଂସଦେବ ତାଙ୍କୁ ଏକା ପାଇ ଭାବାବସ୍ଥାରେ ସ୍ପର୍ଶ କଲେ । ଏହା ଫଳରେ ନରେନ୍ଦ୍ରଙ୍କର ବାହ୍ୟଜ୍ଞାନ ଲୁପ୍ତ ହୋଇଗଲା । ସେହି ଅବସ୍ଥାରେ ପରମହଂସଦେବ ତାଙ୍କୁ ପଚାରିଲେ, ତୁମେ କିଏ, କେଉଁଠାରୁ ଆସିଛ, କାହିଁକି ଆସିଛ, କେତେଦିନ ରହିବ ?’ ଧ୍ୟାନାବସ୍ଥାରେ ନରେନ୍ଦ୍ର ଯାହା କହିଥିଲେ, ତାହା ଶୁଣି ପରମହଂସଦେବ ତାଙ୍କ ସମ୍ବନ୍ଧରେ ନିଶ୍ଚିନ୍ତ ହେଲେ ।

ସେହିଦିନଠାରୁ ନରେନ୍ଦ୍ରଙ୍କ ଧର୍ମଜୀବନର ଶିକ୍ଷାଦୀକ୍ଷା ଆରମ୍ଭ ହେଲା । ଦକ୍ଷିଣେଶ୍ୱରକୁ ତାଙ୍କର ଯାତାୟାତ କ୍ରମେ ବଢ଼ି ଚାଲିଲା । ନରେନ୍ଦ୍ରଙ୍କ ବିଚାରଶୀଳ ମନ; ସେ ପରମହଂସଦେବଙ୍କର ପ୍ରତ୍ୟେକଟି କଥା ଓ ଆଚରଣ ପରଖି ନେଉଥାନ୍ତି । ତାଙ୍କୁ ମଧ୍ୟ ସେ ଏକ ପ୍ରଶ୍ନ ପଚାରିଥିଲେ, ‘ଆପଣ କଅଣ ଈଶ୍ୱରଙ୍କୁ ଦେଖିଛନ୍ତି ?’ ଶ୍ରୀରାମକୃଷ୍ଣ ତତ୍କ୍ଷଣାତ୍ ଉତ୍ତର ଦେଲେ, ‘ଦେଖିଛି କଅଣ ରେ ! କଥା ମଧ୍ୟ କହିଛି । ଏଇ ତତେ ଯେମିତି ଦେଖୁଛି ତା’ଠାରୁ ବି ଭଲଭାବେ ତାଙ୍କୁ ଦେଖିବାକୁ ପାଏ । ତୁ ଦେଖିବାକୁ ଚାହୁଁ ତ ତତେ ବି ଦେଖାଇଦେବି । କିନ୍ତୁ କେତେଜଣ ବା ଭଗବାନଙ୍କୁ ଦେଖିବାକୁ ଚାହାଁନ୍ତି ?’

ଶ୍ରୀରାମକୃଷ୍ଣଙ୍କର ଶିକ୍ଷା ଫଳରେ ନରେନ୍ଦ୍ର ବୁଝିଲେ ଯେ ପ୍ରତ୍ୟେକ ଧର୍ମ ହିଁ ସତ୍ୟ । ଶିବଜ୍ଞାନରେ ଜୀବସେବା ଭଗବାନଙ୍କର ଶ୍ରେଷ୍ଠ ପୂଜା । ତେଣୁ ସେ ପରବର୍ତ୍ତୀ କାଳରେ ଘୋଷଣା କରିଥିଲେ, ‘ବହୁ ରୂପେ ସମ୍ମୁଖେ ତୁମର, ଛାଡ଼ି କାହିଁ ଖୋଜୁଛ ଈଶ୍ୱର ! ଜୀବେ ପ୍ରେମ କରେ ଯେଉଁ ଜନ, ସେହି ଜନ ସେବଇ ଈଶ୍ୱର ।’ ଶ୍ରୀରାମକୃଷ୍ଣ କହୁଥିଲେ, ‘ନରେନ୍ଦ୍ରର ଖୁବ୍ ଉଚ୍ଚ ଘର । ନିରାକାରର ଘର । ଦିନେ ପ୍ରସିଦ୍ଧ ବ୍ରାହ୍ମନେତା କେଶବଚନ୍ଦ୍ର ସେନ୍ ଓ ବିଜୟକୃଷ୍ଣ ଗୋସ୍ୱାମୀଙ୍କ ସଙ୍ଗେ ତୁଳନା କରି ସେ କହିଥିଲେ, କେଶବ ଓ ବିଜୟ, ଏ ଦୁଇଜଣଙ୍କ ଅନ୍ତରରେ ଈଶ୍ୱରୀୟ ଜ୍ଞାନ ପ୍ରଦୀପ ପରି ଜଳୁଛି, ଆଉ ନରେନ୍ ଭିତରେ ସେ ଜ୍ଞାନର ଦୀପ୍ତି ସୂର୍ଯ୍ୟପରି ତେଜୀୟାନ୍ ।’

୧୮୮୫ ଖ୍ରୀଷ୍ଟାବ୍ଦରେ ବି. ଏ. ପରୀକ୍ଷା ପରେ ନରେନ୍ଦ୍ରଙ୍କ ପିତାଙ୍କର ହଠାତ୍ ମୃତ୍ୟୁ ହେଲା । ପିତା ତ କିଛି ରଖିଯାଇ ନ ଥିଲେ, ବରଂ କିଛି ଋଣ ଥିଲା । ମା’, ଭାଇ, ଭଉଣୀଙ୍କର ଶୁଖିଲା ମୁହଁ ଆଡ଼କୁ ଚାହିଁ, ଆଖିଲୁହ ପୋଛି ନରେନ୍ଦ୍ର ବାହାରନ୍ତି ଚାକିରୀ ଅନୁସନ୍ଧାନରେ । ଅନେକ ଚେଷ୍ଟା ପରେ ସାମାନ୍ୟ ସ୍କୁଲ ଶିକ୍ଷକତା ବା ବହିର ଅନୁବାଦ ଇତ୍ୟାଦି କାମ କରି କୌଣସି ପ୍ରକାର ସଂସାର ଚଳାଇବାକୁ ଲାଗିଲେ । କିନ୍ତୁ ତହିଁରେ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେଲା ନାହିଁ । ନାନା ପ୍ରତିକୂଳ ଅବସ୍ଥା ଭିତରେ ମଧ୍ୟ ନରେନ୍ଦ୍ରଙ୍କ ବିବେକ, ବୈରାଗ୍ୟ, ଭଗବଦ୍ବିଶ୍ୱାସ, ଅନୁରାଗ ତିଳେ ହେଲେ କମି ନ ଥାଏ । ନିରୁପାୟ ହୋଇ ସେ ଦକ୍ଷିଣେଶ୍ୱରକୁ ଶ୍ରୀରାମକୃଷ୍ଣଦେବଙ୍କ ପାଖକୁ ଗଲେ । ପ୍ରାର୍ଥନାସ୍ୱରରେ କହିଲେ, ‘ଆପଣଙ୍କୁ ଏହାର ଗୋଟିଏ ପ୍ରତିକାର କରିଦେବାକୁ ହେବ ।’ ଶ୍ରୀରାମକୃଷ୍ଣଙ୍କ ଆଶୀର୍ବାଦରୁ ସେମାନଙ୍କର ମୋଟା ଭାତ ଓ ଲୁଗାର ସଂସ୍ଥାନ ହେଲା । ଏଣେ ନରେନ୍ଦ୍ରଙ୍କ ଜୀବନରେ ଆସିଲା ବିପୁଳ ପରିବର୍ତ୍ତନ । ଯେଉଁ ନରେନ୍ଦ୍ର ପ୍ରତିମାପୂଜାର ବିରୋଧୀ ଥିଲେ, ସେ ଦର୍ଶନ କଲେ ପାଷାଣପ୍ରତିମା ମଧ୍ୟରେ ଚୈତନ୍ୟରୂପିଣୀ ଭବତାରିଣୀଙ୍କୁ । ସେ ବିଚାର ତର୍କ ସବୁ ଛାଡ଼ି ଶ୍ରୀରାମକୃଷ୍ଣଙ୍କ ଚରଣରେ ଆତ୍ମସମର୍ପଣ କଲେ । ଈଶ୍ୱରଲାଭ ପାଇଁ ତୀବ୍ର ଆକାଙ୍କ୍ଷା ଓ ଶ୍ରୀରାମକୃଷ୍ଣଙ୍କର କୃପାହେତୁ ତାଙ୍କ ମନ କ୍ରମେ ନିର୍ବିକଳ୍ପ ସମାଧିଭୂମିରେ ଅଧିରୂଢ଼ ହେଲା ।

୧୮୮୫ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ପରମହଂସଦେବଙ୍କ ଗଳଦେଶରେ କ୍ୟାନସର୍ ରୋଗର ସୂତ୍ରପାତ ହୁଏ । ଚିକିତ୍ସା ନିମିତ୍ତ ତାଙ୍କୁ ଶ୍ୟାମପୁକୁର ଓ ପରେ କାଶୀପୁରକୁ ଅଣା ହେଲା । ଅନ୍ୟାନ୍ୟ ଗୁରୁଭାଇମାନଙ୍କୁ ନେଇ ନରେନ୍ଦ୍ର ଗୁରୁସେବାରେ ଆତ୍ମନିୟୋଗ କଲେ । ସଂଗେ ସଂଗେ ଚାଲିଲା ଧ୍ୟାନଜପ ଓ ତୀବ୍ର ସାଧନା । ସେ ନିଜେ ଧୁନି ଜଲାଇ ସାରା ରାତି ଧ୍ୟାନ କରୁଥାନ୍ତି । ଆହାରନିଦ୍ରାରେ ଉଦାସୀନ ହୋଇ କଠୋର ସାଧନାରେ ସେ ବୁଡ଼ି ରହିଲେ । କହିଲେ, ‘ଏହି ମହାପୁରୁଷ ଥାଉଁ ଥାଉଁ ଧର୍ମ ଜୀବନରେ ପ୍ରତିଷ୍ଠିତ ହେବାକୁ ହେବ । ଶ୍ରୀରାମକୃଷ୍ଣ ମଧ୍ୟ ବିଭିନ୍ନ ସାଧନାରେ ନରେନ୍ଦ୍ରଙ୍କୁ ସିଦ୍ଧ କଲେ । ତାଙ୍କ ଜୀବନରେ ଅନେକ ଉଚ୍ଚ ଆଧ୍ୟାତ୍ମିକ ଅନୁଭୂତିର ବିକାଶ ହେବାକୁ ଲାଗିଲା । ଦିନେ ସେ ଶ୍ରୀରାମକୃଷ୍ଣଦେବଙ୍କୁ ଧରି ବସିଲେ, କହିଲେ, ‘ମୁଁ ଶୁକଦେବଙ୍କ ପରି ନିର୍ବିକଳ୍ପ ସମାଧି ଦ୍ୱାରା ସଚ୍ଚିଦାନନ୍ଦ ସାଗରରେ ବୁଡ଼ି ଯିବାକୁ ଚାହେଁ ।’ ନରେନ୍ଦ୍ରଙ୍କର ପ୍ରାର୍ଥନା ଶୁଣି ପରମହଂସଦେବ କହି ଉଠିଲେ, ‘ଛି ! ଛି ! ତୁ ଏତେବଡ଼ ଆଧାର ! ତୋ ମୁହଁରେ ଏଇ କଥା ! ତୁ ଖାଲି ନିଜର ମୁକ୍ତି ଚାହୁଁ !‘ ପରେ ଶ୍ରୀରାମକୃଷ୍ଣ କହିଥିଲେ, ଆଚ୍ଛା ଯା’, ମା’ର ଇଚ୍ଛା ହେଲେ ତାହା ହିଁ ହେବ ।’ ଏହାର କିଛିଦିନ ପରେ ଏକ ସନ୍ଧ୍ୟାରେ କାଶୀପୁରଠାରେ ନରେନ୍ଦ୍ର ଧ୍ୟାନରେ ବସିଛନ୍ତି; କ୍ରମେ ତାଙ୍କର ବାହ୍ୟଜ୍ଞାନ ଲୁପ୍ତ ହେଲା । ଦେହରେ ପ୍ରାଣର ଚିହ୍ନମାତ୍ର ରହିଲା ନାହିଁ । ନିର୍ବିକଳ୍ପ ସମାଧିରେ ସେ ସ୍ଥିର ହୋଇଗଲେ । ଅନେକ କ୍ଷଣ ପରେ ଜୀବକଲ୍ୟାଣରୂପକ ଏକମାତ୍ର ଭାବନା ଅବଲମ୍ବନ କରି ନରେନ୍ଦ୍ରଙ୍କର ମନ ନିର୍ବିକଳ୍ପ-ଭୂମିରୂ ଜୀବ-ଭୂମିକୁ ଖସି ଆସିଲା । ‘ବହୁଜନହିତାୟ’ କର୍ମର ବାସନା ତାଙ୍କ ମନରେ ଜାଗି ଉଠିଲା । ନରେନ୍ଦ୍ର ପରମହଂସଦେବଙ୍କ ନିକଟକୁ ଯିବାମାତ୍ରେ ସେ ଆନନ୍ଦରେ ଉଛୁଳି ପଡ଼ିଲେ । କହିଲେ, ‘ଏଥର ତ ମା’ ତୋତେ ସବୁ ଦେଖାଇଦେଲେ, କିନ୍ତୁ ବର୍ତ୍ତମାନ ସେସବୁ ଚାବି ପଡ଼ି ରହିଲା । ତୋତେ ମା’ଙ୍କର ଅନେକ କାମ କରିବାକୁ ହେବ । କାମ ଶେଷ ହେଲେ ପୁଣି ଏହି ଅବସ୍ଥା ଫେରି ପାଇବୁ ।’ ଶ୍ରୀରାମକୃଷ୍ଣ ହିଁ ତାଙ୍କୁ ନିୟୋଜିତ କରିଥିଲେ ଜଗତର ହିତ ସାଧନରେ ।

ନରେନ୍ଦ୍ରନାଥ ପ୍ରାୟ ଛଅବର୍ଷକାଳ ଶ୍ରୀରାମକୃଷ୍ଣଙ୍କର ସଙ୍ଗଲାଭ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ କୃପାରୁ ନରେନ୍ଦ୍ରଙ୍କର ଆଧ୍ୟାତ୍ମିକ ଜୀବନର ପୂର୍ଣ୍ଣ ବିକାଶ ହୋଇଥିଲା । ସେ ନିଃସନ୍ଦେହରେ ବୁଝିପାରିଥିଲେ ରାମଚନ୍ଦ୍ର, ଶ୍ରୀକୃଷ୍ଣ, ବୁଦ୍ଧ, ଯୀଶୁଖ୍ରୀଷ୍ଟ ଓ ଶ୍ରୀଚୈତନ୍ୟଙ୍କ ପରି ଶ୍ରୀରାମକୃଷ୍ଣ ମଧ୍ୟ ଭଗବାନଙ୍କର ଅବତାର । ଧର୍ମର ଗ୍ଳାନି ଦୂର କରି ସମଗ୍ର ବିଶ୍ୱରେ ସାର୍ବଜନୀନ ଉଦାର ଆଧ୍ୟାତ୍ମିକ ସତ୍ୟର ଆଲୋକ ଦେଖାଇବାକୁ ହିଁ ତାଙ୍କର ଜନ୍ମ । ଶ୍ରୀରାମକୃଷ୍ଣ ତାଙ୍କର ଅସମାପ୍ତ କାର୍ଯ୍ୟଭାର ନରେନ୍ଦ୍ରଙ୍କ ଉପରେ ଅର୍ପଣ କରି ୧୮୮୬ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୬ ତାରିଖ ସୋମବାର ମହାନିଶାରେ ସମାଧିଯୋଗେ ଶରୀର ତ୍ୟାଗ କରି ସ୍ୱଧାମକୁ ଚାଲିଗଲେ ।

ଦେହତ୍ୟାଗର କିଛିଦିନ ପୂର୍ବରୁ ଶ୍ରୀରାମକୃଷ୍ଣ ନରେନ୍ଦ୍ରାଦି କେତେଜଣ ଯୁବକ ଭକ୍ତଙ୍କୁ ତ୍ୟାଗ-ମନ୍ତ୍ରରେ ଦୀକ୍ଷିତ କରିଥିଲେ । ତାଙ୍କର ତିରୋଧାନ ପରେ ନରେନ୍ଦ୍ର ଯୁବକ ଗୁରୁଭାଇମାନଙ୍କୁ ଏକତ୍ରିତ କରି ବରାହନଗରରେ ଗୋଟିଏ ପରିତ୍ୟକ୍ତ ଭଙ୍ଗା ଘର ଭଡ଼ା ନେଇ ମଠ ସ୍ଥାପନ କଲେ । ଶ୍ରୀରାମକୃଷ୍ଣଦେବଙ୍କର ପୂଜାଦି ପ୍ରବର୍ତ୍ତିତ ହେଲା । ଗୁରୁଦେବଙ୍କର ସାଧନାକୁ ନିଜ ଜୀବନରେ ଫୁଟାଇ ତୋଳିବା ପାଇଁ ସେମାନେ ତୀବ୍ର ତପସ୍ୟା, ଶାସ୍ତ୍ରାନୁଶୀଳନ, ଭଜନ, କୀର୍ତ୍ତନ ଓ ବିଦ୍ୟାଚର୍ଚ୍ଚାରେ ବ୍ରତୀ ହେଲେ । ଶ୍ରୀରାମକୃଷ୍ଣ-ତ୍ୟାଗୀସଂଘର ଭିତ୍ତିସ୍ଥାପନ ହେଲା ସେହି ବରାହନଗର ମଠରେ । ୧୮୮୭ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ନରେନ୍ଦ୍ର ଗୁରୁଭାଇମାନଙ୍କ ମଧ୍ୟରୁ କେତେଜଣଙ୍କ ସହିତ ବିରଜା ହୋମ କରି ସନ୍ନ୍ୟାସ ନେଲେ ଓ ନୂତନ ନାମ ଓ ବେଶରେ ଭୂଷିତ ହେଲେ । ଜୀବନର ନୂତନ ବ୍ରତ ହେଲା ‘ଆତ୍ମନୋ ମୋକ୍ଷାର୍ଥଂ ଜଗଦ୍ଧିତାୟ ଚ’ ।

*ପ୍ରାୟ ଦୁଇ ବର୍ଷ କାଳ ବରାହନଗର ମଠରେ ସାଧନ ଭଜନରେ ଅତିବାହିତ କରିବା ପରେ ମଠକୁ କିଞ୍ଚିତ୍ ସୁପ୍ରତିଷ୍ଠିତ ଦେଖି ସ୍ୱାମୀଜୀ ଦଣ୍ଡ-କମଣ୍ଡଳୁଧାରୀ କପର୍ଦକ ଶୂନ୍ୟ ଅବସ୍ଥାରେ ପ୍ରବ୍ରଜ୍ୟାରେ ବାହାରିଲେ । ବାରାଣସୀ, ଅଯୋଧ୍ୟା, ଲକ୍ଷ୍ନୌ, ଆଗ୍ରା, ବୃନ୍ଦାବନ ଓ ହରିଦ୍ୱାର ପ୍ରଭୃତି ଦର୍ଶନ କଲେ । ଏହି ଭ୍ରମଣ ମାଧ୍ୟମରେ ସେ ଅନେକ କିଛି ଶିଖିଥିଲେ ଏବଂ ତାଙ୍କ ଅନ୍ତର ମଧ୍ୟରେ ଶ୍ରୀରାମକୃଷ୍ଣ-ଅର୍ପିତ ଭବିଷ୍ୟତ କର୍ମପଦ୍ଧତି ଗୋଟିଏ ସକ୍ରିୟ ରୂପ ନେଇଥିଲା । ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସୁସ୍ପଷ୍ଟ ଛବି ଭାସି ଉଠୁଥିଲା ତାଙ୍କର ଯୋଗଜ ଦୃଷ୍ଟି ସମ୍ମୁଖରେ । ଅଶିକ୍ଷା, ଅନାହାର ଓ ନଗ୍ନତାକ୍ଳିଷ୍ଟ କୋଟି କୋଟି ଭାରତବାସୀଙ୍କର ଦୁଃଖଦୁର୍ଦ୍ଦଶା ଦେଖି ତାଙ୍କର ବିଶାଳ ହୃଦୟ ମଥିତ ହେଉଥିଲା ଏବଂ ତାହାର ପ୍ରତିକାର ଚିନ୍ତାରେ ସେ ଅସ୍ଥିର ହେଉଥିଲେ ।
କିଛିଦିନ ପରେ ଶାରୀରିକ ଅସୁସ୍ଥତା ପାଇଁ ସେ ବରାହନଗର ମଠକୁ ଫେରି ଆସିଲେ । ପୁନରାୟ ୧୮୯୦ ଖ୍ରୀଷ୍ଟାବ୍ଦ ଜୁଲାଇ ମାସରେ ସେ ନିଷ୍କ୍ରାନ୍ତ ହେଲେ ପରିବ୍ରଜ୍ୟାରେ । ବୈଦ୍ୟନାଥ, ବାରାଣସୀ, ଅଯୋଧ୍ୟା ହୋଇ ହିମାଳୟସ୍ଥ ଆଲମୋଡ଼ାରେ କିଛି ଦିନ ତପସ୍ୟା କରି କଟାଇଲେ । ପରେ ଅଳକାନନ୍ଦା, ମନ୍ଦାକିନୀ ଓ ଭାଗିରଥି ତୀରରେ ତପସ୍ୟାରେ କିଛିମାସ ଅତିବାହିତ କରି ଆସିଲେ ହୃଷୀକେଶକୁ । ସେଠାରେ କିଛିଦିନ ତୀବ୍ର ତପସ୍ୟା କରି କଟାଇବା ପରେ ସ୍ୱାମୀଜୀ ମରଣାପନ୍ନ ରୋଗରେ ଆକ୍ରାନ୍ତ ହେଲେ । ହିମାଳୟ ପରେ ମିରଟ୍ । ସେତେବେଳକୁ ଦୁଇଜଣ ଗୁରୁଭ୍ରାତା ତାଙ୍କ ସଙ୍ଗେ ମିଳିତ ହୋଇଥାଆନ୍ତି । ତୀବ୍ର ତପସ୍ୟା, ଶାସ୍ତ୍ରାଲୋଚନା ଓ ଜନସାଧାରଣଙ୍କୁ ଧର୍ମୋପଦେଶ ଦେବାରେ ତିନିମାସ କଟି ଗଲା । ସେ ଅନ୍ତର ମଧ୍ୟରେ ବୃହତ୍ତର କର୍ତ୍ତବ୍ୟର ଆହ୍ୱାନ ଶୁଣିବାକୁ ପାଇଲେ । ଗୁରୁଭାଇମାନଙ୍କର ସଙ୍ଗ ତ୍ୟାଗ କରି ଏକାକୀ ବାହାରିପଡ଼ିଲେ । ଭାରତର ସହସ୍ର ସହସ୍ର ସନ୍ନ୍ୟାସୀଙ୍କ ପରି ସେ ଜଣେ ଅଖ୍ୟାତ, ଅଜ୍ଞାତ ପରିବ୍ରାଜକ ସନ୍ନ୍ୟାସୀ ମାତ୍ର । ମିରଟ୍ ପରେ ଦିଲ୍ଲୀ, ରାଜପୁତାନା, ଜୟପୁର, ଖେତଡ଼ି, ଆଜମୀର, ମାଉଣ୍ଟ୍ଆବୁ, ଅହମଦାବାଦ, ଜୁନାଗଡ଼, କାଠିଆବାଡ଼ । ଦେଖିଲେ ରାଜାମାନଙ୍କର ବିଳାସିତା, ପ୍ରଜାମାନଙ୍କର ଦୁଃଖଦାରିଦ୍ର୍ୟ । ସେ ସବୁ ସ୍ତରର ଲୋକଙ୍କ ସଙ୍ଗରେ ମିଶୁଥିଲେ । ପ୍ରଜାମାନଙ୍କର ଦୁର୍ଦ୍ଦଶାର ପ୍ରତିକାର ପାଇଁ ରାଜାମାନଙ୍କୁ ଉଦ୍ବୁଦ୍ଧ କରୁଥିଲେ । ଯୁବକମାନଙ୍କୁ କ୍ଷୁଦ୍ର ସ୍ୱାର୍ଥ ତ୍ୟାଗ କରି ଭାରତମାତାର ସେବାରେ ଆତ୍ମନିୟୋଗ ପାଇଁ ଉତ୍ସାହ ଦେଉଥିଲେ । ସମାଜର ଅବହେଳିତ ଦୀନଦରିଦ୍ରଙ୍କୁ ଶୁଣାଉଥିଲେ ଆତ୍ମବିଶ୍ୱାସ ଓ ଆଶାର ବାଣୀ । ଏହି ତରୁଣ ପରିବ୍ରାଜକଙ୍କ ଭକ୍ତି ବୈରାଗ୍ୟଦୀପ୍ତ ଶାନ୍ତମୂର୍ତ୍ତି, ଅଗାଧ ଶାସ୍ତ୍ରଜ୍ଞାନ, ଉଦାରଭାବ, ବାଗ୍ମିତା ଓ ଉଦ୍ବେଳ ଦେଶପ୍ରେମ ସମସ୍ତଙ୍କୁ ମୁଗ୍ଧ କରୁଥିଲା ।

ସେହି ଭ୍ରମଣର ଦିନଗୁଡ଼ାକ ତାଙ୍କ ପାଇଁ ଥିଲା ମହାଶିକ୍ଷାର ଦିନ । ଧର୍ମଭୂମି ଭାରତର ଯେଉଁ ଚିନ୍ତାଧାରା ଚାରିଦିଗରେ ବିକ୍ଷିପ୍ତ ଥିଲା, ସେଗୁଡ଼ିକ ସେ ସଂଗ୍ରହ କଲେ । ଧର୍ମ ମଧ୍ୟରେ ପାଇଲେ ଶାଶ୍ୱତ ଐକ୍ୟ । ବିଭିନ୍ନ ଧର୍ମର ମୂଳଉତ୍ସର ସନ୍ଧାନ ମଧ୍ୟ ସେ ପାଇଲେ । ଧର୍ମସ୍ରୋତର କର୍ଦ୍ଦମାକ୍ତ ଅବସ୍ଥାକୁ ସେ ବେଦନାଭରା ପ୍ରାଣରେ ଲକ୍ଷ୍ୟ କଲେ । ସେହି ରୁଦ୍ଧ ସ୍ରୋତକୁ ଗତିଶୀଳ ଓ ନିର୍ମଳ କରିବାର ପନ୍ଥା ମଧ୍ୟ ତାଙ୍କ ପ୍ରାଣରେ ରୂପାୟିତ ହେଲା । ସର୍ବୋପରି ଦେଶବାସୀଙ୍କର ଦାରିଦ୍ର୍ୟ ଓ ଅଜ୍ଞତା ତାଙ୍କ ପ୍ରାଣକୁ ଅସ୍ଥିର କରି ତୋଳିଲା । ଏସବୁର ପ୍ରତିକାର ଚିନ୍ତା ତାଙ୍କର ସମଗ୍ର ମନପ୍ରାଣକୁ ଅଧିକାର କଲା ।

ପୋରବନ୍ଦର ଠାରେ ସେ ରାଜାଙ୍କର ଅତିଥି ହୋଇ କେତେମାସ ରହିଥିଲେ । ଦେୱାନ ପଣ୍ଡିତ ଶଙ୍କର ପଣ୍ଡୁରଙ୍ଗାଙ୍କୁ ବେଦର ଅନୁବାଦ କରିବାରେ ସାହାଯ୍ୟ କରୁଥିଲେ । ବିନିମୟରେ ତାଙ୍କଠାରୁ ପତଞ୍ଜଳିଙ୍କର ମହାଭାଷ୍ୟ ପାଠ ସମାପ୍ତ କରି ଫରାସୀ ଭାଷା ଶିକ୍ଷା କଲେ । ପରେ ଦ୍ୱାରକା, ପାଲିତାନା, ବରୋଦା, ଖଣ୍ଡୋଆ ଆଦି ସ୍ଥାନ ଭ୍ରମଣ କଲେ । ଏହିଠାରେ ଚିକାଗୋ ଧର୍ମସଭା ବିଷୟ ପ୍ରଥମେ ଶୁଣି ଏହି ସମ୍ମିଳନୀରେ ଯୋଗଦାନ କରିବା ପାଇଁ ତାଙ୍କର ଇଚ୍ଛା ହେଲା । ବହୁ ବିଶିଷ୍ଟ ଲୋକ ମଧ୍ୟ ତାଙ୍କୁ ପଶ୍ଚାତ୍ୟରେ ବେଦାନ୍ତଧର୍ମ ପ୍ରଚାର କରିବାକୁ ଯିବା ପାଇଁ ଅନୁରୋଧ ଜଣାଇଲେ । ସେ କିନ୍ତୁ ରାମେଶ୍ୱର ଦର୍ଶନ କରିବା ପାଇଁ ଆଗେଇ ଚାଲିଲେ । ବମ୍ବେ, ପୁନା, ବେଲଗାଓଁ, ବାଙ୍ଗାଲୋର, ମହୀଶୂର, କୋଚିନ, ତ୍ରିଭେନ୍ଦ୍ରମ, ମଦୁରା ଓ ରାମେଶ୍ୱର । ଏହି ତରୁଣ ଯତି ସର୍ବତ୍ର ହିଁ ବିଶେଷ ସମାଦୃତ ହେଉଥାନ୍ତି । ଅନନ୍ତର ସେ ଆସିଲେ ଦେବତୀର୍ଥ କନ୍ୟାକୁମାରୀକୁ । ଦେବୀଙ୍କ ଚରଣରେ ଭକ୍ତିଅର୍ଘ୍ୟ ନିବେଦନ କରି ସେ ଭୁଲୁଣ୍ଠିତ ହେଲେ । ଏକ ଅନିର୍ବଚନୀୟ ଆନନ୍ଦରେ ତାଙ୍କର ଅନ୍ତର ଭରିଗଲା । ମନ୍ଦିରର ଅଦୂରରେ ଭାରତର ଶେଷ ଶିଳାଖଣ୍ଡ ଉପରେ ବସି ସେ ଗଭୀର ଧ୍ୟାନମଗ୍ନ ହେଲେ । ପାଇଲେ ନୂତନ ଆଲୋକ । ଲକ୍ଷ ଲକ୍ଷ ଦରିଦ୍ର ଭାରତବାସୀଙ୍କର ପ୍ରତିନିଧିରୂପେ ସେ ପାଶ୍ଚାତ୍ୟ ଦେଶକୁ ଯିବାର ସଂକଳ୍ପ କଲେ । ଅଶ୍ରୁସିକ୍ତ ବିବେକାନନ୍ଦ ଦେଶମାତୃକାଙ୍କ ଚରଣରେ ପ୍ରଣାମ କରି କହିଲେ, ‘ଜନନୀ ! ମୁଁ ମୁକ୍ତି ଚାହୁଁ ନାହିଁ । ତୁମରି ସେବା ହିଁ ମୋ ଜୀବନର ଏକମାତ୍ର ବ୍ରତ ।’

କନ୍ୟାକୁମାରୀଠାରୁ ସ୍ୱାମୀଜୀ ଆସିଲେ ମାନ୍ଦ୍ରାଜ । ଆଗମନ ପୂର୍ବରୁ ହିଁ ତାଙ୍କର ଯଶୋଗାଥା ପହଞ୍ଚି ଯାଇଥିଲା । ସହର ମଧ୍ୟରେ ବିପୁଳ ଉଦ୍ଦୀପନାର ସଞ୍ଚାର ହେଲା । ଦଳେ ଦଳେ ଛାତ୍ର ଓ ଅଧ୍ୟାପକ ଆସୁଥାନ୍ତି । ନବୀନ ସନ୍ୟାସୀଙ୍କ ମୁହଁରେ ନବଜାଗରଣବାଣୀ ଶୁଣି ସମସ୍ତେ ମୁଗ୍ଧ । ମାନ୍ଦ୍ରାଜର ବିଶିଷ୍ଟ ନାଗରିକଗଣ ମଧ୍ୟ ସ୍ୱାମୀଜୀଙ୍କୁ ହିନ୍ଦୁଧର୍ମର ପ୍ରତିନିଧିରୂପେ ଆମେରିକା ପଠାଇବା ନିମିତ୍ତ ମହାଉତ୍ସାହରେ ଟଙ୍କା ଚାନ୍ଦା କରିବାକୁ ଲାଗିଲେ । ଠିକ୍ ଏହି ସମୟରେ ସ୍ୱାମୀଜୀ ଶ୍ରୀରାମକୃଷ୍ଣଙ୍କର ଇଚ୍ଛା ମଧ୍ୟ ଜାଣିପାରିଲେ ଏକ ଅଭାବନୀୟ ଉପାୟରେ । ଦିନେ ରାତ୍ରିରେ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ସେ ସ୍ୱପ୍ନ ଦେଖିଲେ ଯେ ଶ୍ରୀରାମକୃଷ୍ଣ ଜ୍ୟୋତିର୍ମୟ ଦେହରେ ସମୁଦ୍ର ତୀରରୁ ଉତ୍ତାଳ ତରଙ୍ଗ ଉପର ଦେଇ ଚାଲିଛନ୍ତି ଏବଂ ସ୍ୱାମୀଜୀଙ୍କୁ ମଧ୍ୟ ଅନୁସରଣ କରିବା ପାଇଁ ଇଙ୍ଗିତ କରୁଛନ୍ତି । ସଙ୍ଗେ ସଙ୍ଗେ ଦୈବବାଣୀ ଶୁଣିଲେ-‘ଯାଅ’ । ଶ୍ରୀରାମକୃଷ୍ଣଙ୍କର ଇଚ୍ଛା ଜାଣିପାରି ସେ ପାଶ୍ଚାତ୍ୟ ଦେଶକୁ ଯିବା ସ୍ଥିର କଲେ । ଟଙ୍କା ପଇସାର ସବୁ ବ୍ୟବସ୍ଥା ହୋଇଗଲା । ବମ୍ବେରୁ ୧୮୯୩ ଖ୍ରୀଷ୍ଟାବ୍ଦ ମେ ମାସ ୩୧ ତାରିଖରେ ସେ ଆମେରିକା ଅଭିମୁଖେ ଯାତ୍ରା କଲେ ।

ଜଳପଥରେ ଭାରତର ଦକ୍ଷିଣ ଉପକୂଳ ଘୂରି ସିଙ୍ଗାପୁର, ହଂକଂ, ଚୀନ, ଜାପାନ ଓ ପ୍ରଶାନ୍ତ ମହାସାଗର ହୋଇ କାନାଡ଼ାର ଦକ୍ଷିଣ ପଶ୍ଚିମ ଉପକୂଳରେ ଭାଙ୍କୋଭର ବନ୍ଦରରେ ସେ ଜୁଲାଇ ମାସର ମଧ୍ୟଭାଗରେ ଅବତରଣ କଲେ । ତା’ପରେ ଟ୍ରେନ୍ରେ ଚିକାଗୋରେ ପହଞ୍ଚି କେତେଦିନ ଧରି ବିଶ୍ୱମେଳା ଦେଖିଲେ । ସେହିଠାରେ ଖବର ପାଇଲେ ଯେ ଧର୍ମମହାସଭା ଆରମ୍ଭ ହେବାକୁ ସେତେବେଳକୁ ପ୍ରାୟ ୨ ମାସ ବାକି; ତା’ ଛଡ଼ା ପ୍ରତିନିଧି ହେବାର ଶେଷ ତାରିଖ ମଧ୍ୟ ଅତିକ୍ରାନ୍ତ ହୋଇଯାଇଛି । ସହରରେ ବହୁତ ଖର୍ଚ୍ଚ । ପାଖରେ ଯାହା ସମ୍ବଳ ଅଛି, ତା’ ଅଳ୍ପଦିନ ମଧ୍ୟରେ ହିଁ ଶେଷ ହୋଇଯିବ । ସେ ବିଶେଷ ଚିନ୍ତିତ ହୋଇ ପଡ଼ିଲେ । ତାହାହେଲେ କଅଣ ଏହିପରି ଭାବରେ ଫେରିଯିବାକୁ ହେବ ! ନିଶ୍ଚୟ ନୁହେଁ, ସେ ତ ଆସିଛନ୍ତି ଭଗବାନଙ୍କର ନିର୍ଦ୍ଦେଶରେ । ଖର୍ଚ୍ଚ ବଞ୍ଚାଇବା ପାଇଁ ସେ ବୋଷ୍ଟନ ପାଖରେ ଗୋଟିଏ ସହରରେ କିଛିଦିନ କଟାଇ ଆସିଲେ । ଅନେକେ ତାଙ୍କ ପ୍ରତି ଆକୃଷ୍ଟ ହେଲେ । କେତୋଟି ସମିତିରେ ସେ ବକ୍ତୃତା ମଧ୍ୟ ଦେଲେ । ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମି: ରାଇଟ୍ ତିନିଘଣ୍ଟା ବାକ୍ୟାଳାପ ପରେ ସ୍ୱାମୀଜୀଙ୍କର ଗଭୀର ପାଣ୍ଡିତ୍ୟ ଓ ବିରାଟ ବ୍ୟକ୍ତିତ୍ୱ ପ୍ରତି ଏତେଦୂର ଆକୃଷ୍ଟ ହେଲେ ଯେ ସେ ସ୍ୱତଃପ୍ରଣୋଦିତ ହୋଇ ତାଙ୍କର ବିଶ୍ୱଧର୍ମ-ସମ୍ମିଳନୀରେ ଯୋଗଦାନର ସମସ୍ତ ବ୍ୟବସ୍ଥା କରିଦେଲେ । ସମ୍ମିଳନୀର କର୍ତ୍ତୃପକ୍ଷଙ୍କ ପାଖକୁ ସ୍ୱାମୀଜୀଙ୍କର ପରିଚୟ- ପତ୍ରରେ ଲେଖିଲେ, ‘ଏ ଏପରି ଜଣେ ବ୍ୟକ୍ତି ଯାହାଙ୍କର ପାଣ୍ଡିତ୍ୟ ଆମ ସମସ୍ତ ଅଧ୍ୟାପକଙ୍କର ସମ୍ମିଳିତ ପାଣ୍ଡିତ୍ୟଠାରୁ ମଧ୍ୟ ବେଶୀ ।’ ୧୧ ତାରିଖ ସେପେଫମ୍ବର ( ଖ୍ରୀ: ୧୮୯୩) ଚିକାଗୋ ଧର୍ମମହାସଭା ଆରମ୍ଭ ହେଲା । ସ୍ୱାମୀ ବିବେକାନନ୍ଦ ସେଦିନ ସନାତନ ବୈଦିକ ଧର୍ମ ତଥା ଭାରତକୁ ଜଗତସଭାର ଶ୍ରେଷ୍ଠ ଆସନରେ ବସାଇଲେ । ସେଦିନ କେବଳ ନବଯୁଗର ସୂଚନାର ଦିନ ନୁହେଁ, ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନର ଦିନ । ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମର ପ୍ରବୀଣ ପ୍ରତିନିଧିବୃନ୍ଦ ସଭାମଣ୍ଡପରେ ଉପସ୍ଥିତ, ଆଉ ସଭାଗୃହରେ ୬/୭ ହଜାର ବିଶିଷ୍ଟ ନାଗରିକଙ୍କର ସମାବେଶ । କେତେଜଣ ପ୍ରତିନିଧିଙ୍କ ବକ୍ତୃତା ପରେ ତେଜୋଦୀପ୍ତ ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ଦେବୀ ସରସ୍ୱତୀଙ୍କୁ ପ୍ରଣାମ କରି ଦୀପ୍ତ କଣ୍ଠରେ ସଭାକୁ ସମ୍ବୋଧନ କରି କହି ଉଠିଲେ, ‘ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ’-ସଙ୍ଗେ ସଙ୍ଗେ କେତେ ମିନିଟ୍ ଧରି ତୁମୂଳ କରତାଳି ଧ୍ୱନି ତାଙ୍କୁ ଅଭିନନ୍ଦିତ କଲା । ସ୍ୱାମୀଜୀଙ୍କର ସେହି ସମ୍ବୋଧନ ମଧ୍ୟରେ ଥିଲା ଅନ୍ତରର ସ୍ପର୍ଶ-ବିଶ୍ୱମାନବତାର ଝଙ୍କାର ଓ ବିଶ୍ୱଭ୍ରାତୃତ୍ୱର ବୀଜ । ଶ୍ରୋତୃବୃନ୍ଦଙ୍କର ସେହି ସ୍ୱତଃସ୍ପୂର୍ତ୍ତ ଉଲ୍ଲାସର ଅଭିବ୍ୟକ୍ତି ମନ୍ଦୀଭୂତ ହେଲା ପରେ ସେ ଓଜସ୍ୱିନୀ ଭାଷାରେ ଗୋଟିଏ କ୍ଷୁଦ୍ର ଭାଷଣ ଦେଲେ । ତାଙ୍କର ବକ୍ତୃତା ସମସ୍ତଙ୍କ ପ୍ରାଣରେ ଏକ ଅଦ୍ଭୁତ ଉଦ୍ଦୀପନା ସଞ୍ଚାର କଲା । ସେହି ହିନ୍ଦୁ ସନ୍ନ୍ୟାସୀଙ୍କର ପ୍ରଶଂସାରେ ସଭାଗୃହ ମୁଖରିତ ହେଲା । ମହାସଭାରେ ତା’ର ପ୍ରଭାବ ମଧ୍ୟ ସର୍ବାପେକ୍ଷା ଅଧିକ ହୋଇଥିଲା । ପରଦିନ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହେଲା ସ୍ୱାମୀଜୀଙ୍କର ଅଜସ୍ର ସାଧୁବାଦ । ସେ ହେଲେ ଧର୍ମମହାସଭାର ସର୍ବଶ୍ରେଷ୍ଠ ବ୍ୟକ୍ତି । ରାସ୍ତାରେ ରାସ୍ତାରେ ତାଙ୍କର ପୂର୍ଣ୍ଣାବୟବ ରଙ୍ଗୀନ ପ୍ରତିକୃତି ଟଙ୍ଗା ହେଲା !

ଧର୍ମସମ୍ମିଳନୀ ୧୭ ଦିନ ଧରି ଚାଲିଥିଲା । ସବୁ ଧର୍ମର ପ୍ରତିନିଧିମାନଙ୍କର ଶତ ଶତ ବକ୍ତୃତା ଓ ପ୍ରବନ୍ଧ ପାଠ ହେଲା । ସ୍ୱାମୀଜୀ ମଧ୍ୟ ବିଭିନ୍ନ ଦିନରେ ୧୨ଟି ବକ୍ତୃତା ଦେଇଥିଲେ । ସେ ଥିଲେ ସର୍ବାପେକ୍ଷା ଜନପ୍ରିୟ ବକ୍ତା । ଖ୍ରୀଷ୍ଟାନ୍ମାନଙ୍କ ମଧ୍ୟରେ ଯେଉଁମାନେ ଧର୍ମାନ୍ଧ ସେମାନେ ମଧ୍ୟ କହିଲେ, ‘ବାସ୍ତବିକ ଏ ନରକୂଳର ଅଳଙ୍କାର ସ୍ୱରୂପ ।’ ଶ୍ରୀରାମକୃଷ୍ଣଙ୍କର ପଦତଳେ ବସି ଯେଉଁ ଶିକ୍ଷା ସେ ଲାଭ କରିଥିଲେ, ସେହିସବୁ କଥା ହିଁ ସେ ବିଶ୍ୱବାସୀଙ୍କୁ ଶୁଣାଇଲେ-ପ୍ରତ୍ୟେକ ଧର୍ମ ହିଁ ସତ୍ୟ, ମଣିଷ ମଧ୍ୟରେ ହିଁ ଭଗବାନ । ମଣିଷ ପାପୀ ନୁହେଁ । ଅମୃତର ସନ୍ତାନ, ଅନନ୍ତର ଅଧିକାରୀ । ସମସ୍ତେ ହିଁ ବିଶ୍ୱପିତାଙ୍କର ସନ୍ତାନ-ମଣିଷ ମଣିଷର ଭାଇ । ଧର୍ମସମ୍ମିଳନୀରେ ବକ୍ତୃତା ଫଳରେ ସ୍ୱାମୀଜୀ ହେଲେ ବିଶ୍ୱବରେଣ୍ୟ । ବିବେକାନନ୍ଦଙ୍କର ସେହି ବିରାଟ ସମ୍ମାନ ଓ ସାଫଲ୍ୟରେ ସମଗ୍ର ଭାରତ ରୋମାଞ୍ଚିତ ହେଲା । ଭାରତବାସୀଙ୍କ ଅନ୍ତରରେ ଜାଗି ଉଠିଲା ସୁପ୍ତ ଚେତନା ଓ ଆତ୍ମମର୍ଯ୍ୟାଦାବୋଧ ।

ସମ୍ମିଳନୀ ପରେ ବିଭିନ୍ନ ସହର, ପ୍ରତିଷ୍ଠାନ, ସମିତି, ବିଶ୍ୱବିଦ୍ୟାଳୟ, କଲେଜ ଓ କ୍ଳବ କର୍ତ୍ତୃକ ଆହୂତ ହୋଇ ସ୍ୱାମୀଜୀ ପ୍ରାୟ ଦୁଇବର୍ଷ ଆମେରିକାର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଶତ ଶତ ବକ୍ତୃତା ଦେଲେ । ସେଥିରୁ ଆମେରିକାବାସୀମାନେ ଭାରତୀୟ ଧର୍ମ, ସମାଜ ଓ ସଂସ୍କୃତି ସଙ୍ଗେ ସମ୍ୟକ୍ ପରିଚିତ ହେଲେ । ଖ୍ରୀଷ୍ଟାନ୍ ମିଶନାରୀମାନଙ୍କର ଅପପ୍ରଚାର ପଳରେ ପାଶ୍ଚାତ୍ୟର ଜନଗଣଙ୍କ ମନରେ ଭାରତ ତଥା ହିନ୍ଦୁଧର୍ମ ପ୍ରତି ଯେଉଁ କିମ୍ଭୂତକିମାକାର ଧାରଣା ଜନ୍ମିଥିଲା, ତା ମଧ୍ୟ ସ୍ୱାମୀଜୀଙ୍କ ପ୍ରଚାର ଫଳରେ ଅପନୋଦିତ ହେଲା । ଯେଉଁ ଦେଶ ଓ ଯେଉଁ ଜାତି ମଧ୍ୟରେ ବିବେକାନନ୍ଦ ଜନ୍ମିଛନ୍ତି, ସେହି ଭାରତ ଓ ହିନ୍ଦୁଜାତି ପ୍ରତି ଆମେରିକାବାସୀ ଶ୍ରଦ୍ଧାସମ୍ପନ୍ନ ହେଲେ । ସେ ସ୍ଥାନେ ସ୍ଥାନେ ବେଦାନ୍ତ ପ୍ରଚାର ନିମିତ୍ତ ସମିତି ସ୍ଥାପନ କଲେ । ଅନେକ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ଖ୍ୟାତି ସୁପ୍ରତିଷ୍ଠିତ ହେଲା । ତାଙ୍କର ନାମ ହେଲା-‘ସାଇକ୍ଳୋନିକ୍ ମଙ୍କ୍’ । ସେ ସବୁକିଛି ଉଡ଼େଇ ନେଇ ଚାଲିଲେ
୧୮୯୫ ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସରେ ସ୍ୱାମୀଜୀ ପ୍ୟାରିସ୍ ହୋଇ ଲଣ୍ଡନ ଆସିଲେ । ଯଦିଓ ଭାରତ ଇଂରେଜ-ଶାସିତ ଦେଶ, ତଥାପି ଇଂରେଜ ଜାତି ବିବେକାନନ୍ଦଙ୍କୁ ବରଣ କରି ନେଲା । ତାଙ୍କୁ ବୁଦ୍ଧ ଓ ଯୀଶୁଙ୍କ ସଙ୍ଗେ ତୁଳନା କଲେ । ତାଙ୍କର ଉଦାର ଧର୍ମମତର ବିଶେଷ ସମାଦର ହେଲା । ସେ ଜ୍ଞାନଯୋଗ ସମ୍ବନ୍ଧରେ ଅନେକ ବକ୍ତୃତା ଦେଲେ । ବେଦାନ୍ତର ସାର୍ବଭୌମ ତତ୍ତ୍ୱ ବ୍ୟାଖ୍ୟା କଲେ । ସମ୍ବାଦପତ୍ର ସମୂହ ତାଙ୍କର ପ୍ରଶଂସାରେ ମୁଖର ହୋଇଉଠିଲା । ଲେଖିଲେ, ‘ରାଜା ରାମମୋହନ ରାୟଙ୍କ ପରେ ଏକ କେଶବଚନ୍ଦ୍ର ସେନ୍ଙ୍କ ଛଡ଼ା ଇଂଲଣ୍ଣ ବକ୍ତୃତା-ମଞ୍ଚରେ ଭାରତବାସୀଙ୍କ ମଧ୍ୟରେ ବିବେକାନନ୍ଦଙ୍କ ପରି ବକ୍ତା ଦେଖାଯାଇ ନାହିଁ ।’ ଇଂଲଣ୍ଡରେ ତଥା ସମଗ୍ର ୟୁରୋପ ଭୂଖଣ୍ଡରେ କର୍ମର ମୂଳପତ୍ତନ କରି କେତେଜଣ ଇଂରେଜ ଶିଷ୍ୟଙ୍କ ଉପରେ ପ୍ରଚାର କାର୍ଯ୍ୟର ଭାର ଦେଇ ସ୍ୱାମୀଜୀ ପୁନରାୟ ଆମେରିକାକୁ ଆସିଲେ ।

ଏଥର ଆମେରିକାର କାମକୁ ସୁପ୍ରତିଷ୍ଠିତ କଲେ । ସେ ଭାରତବର୍ଷରୁ ତାଙ୍କର ଦୁଇଜଣ ଗୁରୁଭାଇଙ୍କୁ ଡାକି ପଠାଇଲେ ପାଶ୍ଚାତ୍ୟରେ ବେଦାନ୍ତ ପ୍ରଚାର ପାଇଁ । ପାଶ୍ଚାତ୍ୟ ବିଜୟରେ ମତ୍ତ ଥାଇ ସେ ତାଙ୍କ ଭାରତକୁ ଭୁଲିନାହାନ୍ତି । କେବଳ ଭାରତର କଲ୍ୟାଣ ପାଇଁ ସେ ଯାଇଥିଲେ ପାଶ୍ଚାତ୍ୟକୁ । ଗୋଟିଏ ଚିଠିରେ ସେ ଶିଷ୍ୟମାନଙ୍କୁ ଲେଖିଥିଲେ, ‘ଭାରତ ବାହାରେ ଏକ ଆଘାତ, ଭାରତ ଭିତରେ ଲକ୍ଷେ ପାହାର ସଙ୍ଗେ ସମାନ ।’ ସ୍ୱାମୀଜୀଙ୍କର ସାଫଲ୍ୟରେ ଭାରତରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଥିଲା, ତାକୁ ଅବଲମ୍ବନ କରି ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧ ଉଦ୍ବୁଦ୍ଧ କରିବା ନିମନ୍ତେ ସେ ତାଙ୍କର ଗୁରୁଭାଇ ଓ ଶିଷ୍ୟମାନଙ୍କୁ ସଂଘବଦ୍ଧ ହୋଇ କାମ କରିବାକୁ ଲେଖିଲେ । ସେହି ସବୁ ଚିଠିରେ ଥିଲା ସଂଗଠନର ବାଣୀ ଓ ଦେଶାତ୍ମବୋଧରେ ଉଦ୍ବୁଦ୍ଧ କରିବାର ତୂର୍ଯ୍ୟଧ୍ୱନି । ଭାରତକୁ ଫେରିଯିବାର ଆହ୍ୱାନ ମଧ୍ୟରେ ଯେଉଁ ଆନ୍ତରିକତା ଓ କରୁଣସ୍ୱର ଥିଲା ତାହା ସ୍ୱାମୀଜୀଙ୍କର ଅନ୍ତର ସ୍ପର୍ଶ କଲା । ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବାକୁ ମନ ସ୍ଥିର କଲେ ।

କିନ୍ତୁ ତାହା ପୂର୍ବରୁ ୟୁରୋପରେ ଯନ୍ତ୍ରଟିକୁ ସେ ଶେଷଥର ପାଇଁ ସବେଗରେ ଚାଳିତ କରିଦେଲେ । ୧୮୯୬ ଏପ୍ରିଲ ୧୫ ତାରିଖରେ ନ୍ୟୁୟର୍କଠାରୁ ସେ ଇଂଲଣ୍ଡ ଯାତ୍ରା କଲେ । ଏଥର ଇଂଲଣ୍ଡରେ ବହୁ ବକ୍ତୃତା ଦେବା ବ୍ୟତୀତ ୟୁରୋପରେ ଦୁଇଜଣ ଶ୍ରେଷ୍ଠ ମନୀଷୀ ଅଧ୍ୟାପକ ମାକ୍ସମୁଲାର ଓ ଅଧ୍ୟାପିକା ଡୟସନ୍ଙ୍କ ସଙ୍ଗେ ତାଙ୍କର ଘନିଷ୍ଠ ପରିଚୟ ହେଲା । ଅଧ୍ୟାପକ ମାକ୍ସୁମୁଲାରଙ୍କ ଆନ୍ତରିକ ଆମନ୍ତ୍ରଣରେ ସେ ୧୮୯୬ ଖ୍ରୀଷ୍ଟାବ୍ଦ ମେ ମାସ ୨୮ ତାରିଖରେ ଅକ୍ସଫୋର୍ଡ଼ରେ ବୃଦ୍ଧ ପ୍ରଫେସରଙ୍କ ଘରକୁ ଯାଇ ତାଙ୍କୁ ଦେଖା କଲେ । ଦୁଇଜଣଙ୍କ ମିଳନ ଅତ୍ୟନ୍ତ ଆନ୍ତରିକତାପୂର୍ଣ୍ଣ ହେଲା । ଦାର୍ଶନିକ ଆଲୋଚନା ଛଡ଼ା ଅଧ୍ୟାପକ ବିଶେଷ ଶ୍ରଦ୍ଧା ଓ ଉତ୍ସାହ ସହକାରେ ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ ଅନେକ କଥା ଜାଣିବାକୁ ଚାହିଁଲେ । ଉପାଦାନ ପାଇଲେ ଶ୍ରୀରାମକୃଷ୍ଣଙ୍କର ଖଣ୍ଡେ ଜୀବନୀ ଲେଖିବା ପାଇଁ ତାଙ୍କର ଇଚ୍ଛା ମଧ୍ୟ ସେ ପ୍ରକାଶ କଲେ । ରାତ୍ରିରେ ସ୍ୱାମୀଜୀ ଯେତେବେଳେ ଟ୍ରେନ୍ ପାଇଁ ଷ୍ଟେସନରେ ଅପେକ୍ଷା କରୁଛନ୍ତି, ସେତେବେଳେ ବୃଦ୍ଧ ଅଧ୍ୟାପକ ଝଡ଼ବୃଷ୍ଟି ମଧ୍ୟରେ ଷ୍ଟେସନରେ ଆସି ଉପସ୍ଥିତ । ତାଙ୍କୁ ଦେଖି ସ୍ୱାମୀଜୀ କୁଣ୍ଠା ପ୍ରକାଶ କରି କହିଲେ, ‘ଏ ଦୁର୍ଯୋଗ ମଧ୍ୟରେ ଆପଣ ଏତେ କଷ୍ଟ କରି କାହିଁକି ଆସିଲେ !’ ଗଦ୍ଗଦ୍ କଣ୍ଠରେ ଅଧ୍ୟାପକ ଉତ୍ତର ଦେଲେ, ‘ଶ୍ରୀରାମକୃଷ୍ଣଙ୍କର ଜଣେ ଯୋଗ୍ୟତମ ଶିଷ୍ୟଙ୍କର ଦର୍ଶନଲାଭର ସୌଭାଗ୍ୟ ପ୍ରତିଦିନ ଆସେ ନାହିଁ ।’ ଏହି ମର୍ମସ୍ପର୍ଶୀ କଥା କେତୋଟି ସ୍ୱାମୀଜୀଙ୍କୁ ବିଶେଷ ଅଭିଭୂତ କଲା । ବେଦ ବେଦାନ୍ତ ଚର୍ଚ୍ଚା ହିଁ ମାକ୍ସମୁଲାର୍ ଓ ଡୟସନ୍ଙ୍କର ଏକମାତ୍ର ଜୀବନବ୍ରତ । ଦୁଇଜଣ ହିଁ ଭାରତକୁ ଭଲ ପାଉଥିଲେ । ୟୁରୋପ ଭ୍ରମଣ ପରେ ଇଂଲଣ୍ଡର କାମକୁ ସୁପ୍ରତିଷ୍ଠିତ କରି ସ୍ୱାମୀଜୀ ତିନିଜଣ ଇଂରେଜ ଶିଷ୍ୟ-ଶିଷ୍ୟାଙ୍କ ସହ ଡିସେମ୍ବର ୩୦ ତାରିଖରେ ନେପଲ୍ସଠାରୁ ଭାରତ ଅଭିମୁଖେ ଯାତ୍ରା କଲେ ।

ଡେଟ୍ରୟେଟ୍ରେ (ଆମେରିକା) କେତେଜଣ ଶିଷ୍ୟଙ୍କ ନିକଟରେ ସ୍ୱାମୀଜୀ କହିଥିଲେ, ‘ବାସ୍ତବ ପକ୍ଷେ କହିବାକୁ ଗଲେ ମୋର କାମର ପ୍ରକୃତ ଆଦର ହୋଇପାରେ ଭାରତବର୍ଷରେ ।’ କିନ୍ତୁ ସେ କେବେ ଭାବିନାହାନ୍ତି ଯେ ତାଙ୍କୁ ବରଣ କରିନେବା ପାଇଁ ଦେଶବ୍ୟାପୀ ଅଭାବନୀୟ ଅୟୋଜନ ହୋଇଛି ଓ ସମଗ୍ର ଦେଶ ଅଧୀର ଆଗ୍ରହରେ ତାଙ୍କୁ ପ୍ରତୀକ୍ଷା କରିଛି । ଭାରତର ମୁଖଉଜ୍ଜ୍ୱଳକାରୀ ବିବେକାନନ୍ଦ ଫେରି ଆସୁଛନ୍ତି । ଭାରତବ୍ୟାପୀ ବିପୁଳ ଆଲୋଡ଼ନ ସୃଷ୍ଟି ହେଲା । ଗୋଟିଏ ମହାନ୍ ଜାତିର ହଜାର ବର୍ଷର ନିଦ ଭାଙ୍ଗିଯାଇଛି ।

୧୮୯୭ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୫ ତାରିଖରେ ସ୍ୱାମୀଜୀ ସିଂହଳରେ ଓହ୍ଲାଇଲେ । ଆରମ୍ଭ ହେଲା ରାଜୋଚିତ ସମ୍ବର୍ଦ୍ଧନା । ସେହିଠାରୁ ହିଁ ଆରମ୍ଭ ହେଲା ତାଙ୍କର ଅଗ୍ନିମୟୀ ବକ୍ତୃତା । ସେହିସବୁ ବକ୍ତୃତାରେ ଧ୍ୱନିତ ହୋଇଛି ନବଜାଗରଣର ମହାମନ୍ତ୍ର, ଭବିଷ୍ୟତ ଭାରତ ଗଠନର କର୍ମସୂଚୀ । ସେ କମ୍ବୁକଣ୍ଠରେ ଭାରତକୁ ଶୁଣାଇଲେ, ‘ଆଗାମୀ ପଚାଶବର୍ଷ ଧରି ଜନନୀ ଜନ୍ମଭୂମୀ ତୁମର ଏକମାତ୍ର ଆରାଧ୍ୟ ଦେବତା ହୁଅନ୍ତୁ ।’ ଦେଶମାତୃକାର ପୂଜା ହେଉଛି ଦେଶବାସୀଙ୍କର ସେବା, ସେମାନଙ୍କର ଦୁଃଖଦୁର୍ଦ୍ଦଶା ଦୂର କରି ଶିକ୍ଷାବିସ୍ତାର ମାଧ୍ୟମରେ ସେମାନଙ୍କୁ ଜାଗ୍ରତ କରି ତୋଳିବା । ସ୍ୱାମୀଜୀଙ୍କର ‘କଲମ୍ବୋଠାରୁ ଆଲମୋଡ଼ା’ ବକ୍ତୃତାବଳୀ ଯାଦୁମନ୍ତ୍ର ପରି କାମ କଲା । ଦେଶପ୍ରେମିକମାନେ ଦେଶ କାମରେ ଆତ୍ମନିୟୋଗ କଲେ-ଆଶା ଓ ଉତ୍ସାହରେ ଭରି ତୋଳିଲେ ଜନସାଧାରଣଙ୍କର ଅନ୍ତର । ତାଙ୍କର ବାଣୀ ପହଞ୍ଚିଲା ଦୁର୍ଜେୟ ଆବେଦନରୂପରେ-‘ଉଠ, ଜାଗ, ସମସ୍ତେ ଅଣ୍ଟା ଭିଡ଼ ।’

ସିଂହଳବାସୀଙ୍କ ଅଭ୍ୟର୍ଥନା ସ୍ୱାମୀଜୀଙ୍କୁ ଅଭିଭୂତ କରିଥିଲା । କେତୋଟି ସ୍ଥାନରେ ବକ୍ତୃତା ଦେଇ ସେ ଦକ୍ଷିଣ ଭାରତର ରାମେଶ୍ୱର, ରାମନାଦ, ପରମକୁଡ଼ି, ମଦୁରା, ତ୍ରିଚିନାପଲ୍ଲୀ ଓ କୁମ୍ଭକୋନମ୍ ପ୍ରଭୃତି ସ୍ଥାନରେ ଉଦ୍ଦୀପନାମୟୀ ବକ୍ତୃତା ଦେଇ ଆସିଲେ ମାନ୍ଦ୍ରାଜକୁ । ପ୍ରତ୍ୟେକ ସ୍ଥାନରେ ହିଁ ସହସ୍ର ସହସ୍ର ନରନାରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ, ତାଙ୍କର ବାଣୀ ଶୁଣିଲେ ପରମ ଆଗ୍ରହରେ । ଶିବତୀର୍ଥ ରାମେଶ୍ୱରଠାରେ ସେ ଶୁଣାଇଲେ-‘ଦରିଦ୍ର, ପ୍ରପ୍ରୀଡ଼ିତ ଓ ଆର୍ତ୍ତ ମଧ୍ୟରେ ଶିବଙ୍କର ପୂଜା କର ।’ ମାନ୍ଦ୍ରାଜଠାରେ ମହୋସିବ ଲାଗିଗଲା । ପଥେ ପଥେ ୧୭ଟି ତୋରଣ, ଯୁବକମାନେ ତାଙ୍କ ଗାଡ଼ି ଟାଣି ନେବାକୁ ଲାଗିଲେ; ପୁରଙ୍ଗନାମାନେ ଦ୍ୱାରେ ଦ୍ୱାରେ ତାଙ୍କର ଆରତି କଲେ-ନଅଦିନ ଧରି ଏହି ଆନନ୍ଦଉତ୍ସବ ଚାଲିଥିଲା । ବିଭିନ୍ନ ଭାଷାରେ ଛବିଶ ଖଣ୍ଡ ମାନପତ୍ର ତାଙ୍କୁ ଦିଆଗଲା । ସର୍ବତ୍ର ବିପୁଳ ଜନତାର ସମାଗମ । ପ୍ରତିଦିନ ତାଙ୍କୁ ବକ୍ତୃତା ଦେବାକୁ ହୁଏ । ସେ ଭାରତର ଅତୀତ ମହିମା ଶୁଣାଇଲେ; ଭାରତର ମହାବାଣୀ-ସମଗ୍ର ବିଶ୍ୱର ଏକତ୍ୱ ସେ ନୂତନ ଭାବେ ବୁଝାଇଲେ ।

ଦକ୍ଷିଣ ଭାରତରେ ତାଙ୍କୁ ପ୍ରାୟ ଏକମାସ ରହିବାକୁ ହେଲା । ଭାରତର ନାନା ସ୍ଥାନରୁ ତାଙ୍କୁ ନେଇଯିବା ପାଇଁ ବହୁ ଆବେଦନ ଆସିଲା; କିନ୍ତୁ ତାଙ୍କ ଶରୀର ଏତେ କ୍ଳାନ୍ତ ହୋଇପଡ଼ିଥିଲା ଯେ ଟିକିଏ ବିଶ୍ରାମ ବିଶେଷ ପ୍ରୟୋଜନ । ତେଣୁ ସେ କେଉଁଆଡ଼େ ଯାଇପାରିଲେ ନାହିଁ । ସ୍ଥଳପଥରେ ନ ଯାଇ ମାନ୍ଦ୍ରାଜଠାରୁ ଷ୍ଟିମରଯୋଗେ ଆସିଲେ ଖିଦିରପୁର ଏବଂ କଲିକତାରେ ପଦାର୍ପଣ କଲେ । ଫେବୃଆରୀ ୨୮ ତାରିଖ କଲିକତାର ନାଗରିକମାନଙ୍କ ପକ୍ଷରୁ ତାଙ୍କୁ ବିରାଟ ଅଭିନନ୍ଦନ ଦିଆଗଲା । ତା’ର ଉତ୍ତରରେ ସେ ଶ୍ରୀରାମକୃଷ୍ଣଙ୍କୁ ଧରି ରଖିଲେ ସମସ୍ତଙ୍କ ସମ୍ମୁଖରେ-ରାମକୃଷ୍ଣଙ୍କ ପାଦତଳେ ବସି ଶିକ୍ଷାଲାଭ କଲେ ହିଁ ଭାରତ ପୁଣି ଜାଗିଉଠିବ-ତାହା ମଧ୍ୟ କହିଲେ । ବଙ୍ଗଳାର ଯୁବକମାନଙ୍କ ପାଖରେ ଆବେଦନ ଜଣାଇଲେ, ‘ମୁଁ ବର୍ତ୍ତମାନ ସୁଦ୍ଧା କିଛି କରିପାରି ନାହିଁ; ତୁମମାନଙ୍କୁ ସବୁ କରିବାକୁ ହେବ । ଦେଶ ଉପରେ ମୋର ବିଶ୍ୱାସ ଅଛି, ବିଶେଷ କରି ଦେଶର ଯୁବକମାନଙ୍କ ଉପରେ ।’ ଦେଶର ଯୁବକଗଣ ବିବେକାନନ୍ଦଙ୍କର ଆହ୍ୱାନର ପ୍ରତ୍ୟୁତ୍ତର ଦେଇଛନ୍ତି; ତାଙ୍କ ପ୍ରତି ସମ୍ମାନ ଦେଖାଇଛନ୍ତି-ଭବିଷ୍ୟତରେ ମଧ୍ୟ ଦେଖାଇବେ । କେତେଦିନ ପରେ ଷ୍ଟାର ଥିଏଟରରେ ବେଦାନ୍ତ ସମ୍ବନ୍ଧରେ ବକ୍ତୃତା ଦେଇ ସ୍ୱାମୀଜୀ ଆପାତତଃ ବକ୍ତୃତା ପର୍ବ ଶେଷ କଲେ । ଲାଗିଗଲେ ଗଠନମୂଳକ କାର୍ଯ୍ୟରେ । ତାଙ୍କର ଗୁରୁଭାଇମାନେ, ଶ୍ରୀରାମକୃଷ୍ଣଙ୍କର ଭକ୍ତବୃନ୍ଦ ଓ ଦେଶବାସୀ ତାଙ୍କ ପାଖରେ ଆସି ଠିଆ ହେଲେ । ମାନ୍ଦ୍ରାଜରେ ବେଦାନ୍ତ ପ୍ରଚାର ପାଇଁ ସ୍ୱାମୀ ରାମକୃଷ୍ଣାନନ୍ଦଙ୍କୁ ସେ ପଠାଇଲେ । ମୁର୍ଶିଦାବାଦରେ ବ୍ୟାପକ ଦୁର୍ଭିକ୍ଷର କରାଳ ଗ୍ରାସରୁ ସର୍ବହରା ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଅଖଣ୍ଡାନନ୍ଦ ସେବାକାର୍ଯ୍ୟରେ ଲାଗିପଡ଼ିଲେ । ସେହି ବର୍ଷ ଦିନାଜପୁରଠାରେ ଦୁର୍ଭିକ୍ଷ । ସେଠାରେ ସେବା କେନ୍ଦ୍ର ସ୍ଥାପନ କରି ସ୍ୱାମୀ ତ୍ରିଗୁଣାତୀତାନନ୍ଦ ବହୁ ଗ୍ରାମର ନରନାରୀଙ୍କର ପ୍ରାଣ ବଞ୍ଚାଇଲେ । ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେବାକାର୍ଯ୍ୟ ପ୍ରବର୍ତ୍ତିତ ହେଲା । ବେଦାନ୍ତ ପ୍ରଚାର ପାଇଁ ସ୍ୱାମୀ ଶିବାନନ୍ଦ ସିଂହଳକୁ ପ୍ରେରିତ ହେଲେ । ବିଭିନ୍ନ ସ୍ଥାନରେ ଗ୍ରାମଉନ୍ନୟନ, ନାରୀକଲ୍ୟାଣ, ଶ୍ରମିକ ଓ ଅନୁନ୍ନତ ଶ୍ରେଣୀଙ୍କ ମଧ୍ୟରେ ସେବାକାର୍ଯ୍ୟ, ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାବିସ୍ତାର ପ୍ରଭୃତି ବ୍ୟାପକ ଭାବରେ ଚାଲିଲା । ହିମାଳୟରେ ଗୋଟିଏ ମଠ ସ୍ଥାପନ ଏବଂ ଗଙ୍ଗାତୀରବର୍ତ୍ତୀ କୌଣସି ପ୍ରଶସ୍ତ ସ୍ଥାନରେ ବରାହନଗରର ମଠକୁ ସ୍ଥାୟୀ ଭାବରେ ପ୍ରତିଷ୍ଠିତ କରିବା ପ୍ରଭୃତି ଅନେକଗୁଡ଼ିଏ ପରିକଳ୍ପନାକୁ କାର୍ଯ୍ୟରେ ରୂପାୟିତ କରିବା ପାଇଁ ସ୍ୱାମୀଜୀ ବିଶେଷ ବ୍ୟସ୍ତ ହୋଇପଡ଼ିଲେ ।

ପାଶ୍ଚାତ୍ୟର ସଂହତିଶକ୍ତି ସ୍ୱାମୀଜୀଙ୍କୁ ମୁଗ୍ଧ କରିଥିଲା । ସଂହତି ବ୍ୟତୀତ କୌଣସି ସ୍ଥାୟୀ କାମ ସମ୍ଭବ ନୁହେଁ । ୧୮୯୭ ଖ୍ରୀଷ୍ଟାବ୍ଦ ମେ ୧ ତାରିଖ ଗୋଟିଏ ସ୍ମରଣୀୟ ଦିବସ । ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଗୃହୀ ଶିଷ୍ୟମାନଙ୍କୁ ଆହ୍ୱାନ କରି ସେହିଦିନ ସେ ‘ରାମକୃଷ୍ଣ ମିଶନ’ ସଂଘର ପ୍ରତିଷ୍ଠା କଲେ । ସେହି ସଂଘର ଉଦ୍ଦେଶ୍ୟ-ଜନଗଣଙ୍କର ଲୌକିକ ଓ ଆଧ୍ୟାତ୍ମିକ ସେବା, ଶ୍ରୀରାମକୃଷ୍ଣଦେବ ମାନବଜାତିର କଲ୍ୟାଣ ପାଇଁ ଯେଉଁ ସକଳ ସତ୍ୟ ନିଜ ଜୀବନରେ ଅନୁଷ୍ଠାନ କରିଥିଲେ ତାହାର ପ୍ରଚାର । ରାଜନୀତି ସହିତ ଏହି ପ୍ରତିଷ୍ଠାନର କୌଣସି ସମ୍ବନ୍ଧ ରହିବ ନାହିଁ । ଭାରତବର୍ଷର ନାନା ସ୍ଥାନରେ ମୂଳ ପ୍ରତିଷ୍ଠାନର ଶାଖା ସ୍ଥାପନ ମଧ୍ୟ ‘ରାମକୃଷ୍ଣ ମିଶନ’ ର ଅନ୍ୟତମ କର୍ମସୂଚୀ । ରାମକୃଷ୍ଣ ମିଶନ୍କୁ ଯନ୍ତ୍ର କରି ସ୍ୱାମୀଜୀ ବିରାଟର ପୂଜା ପ୍ରବର୍ତ୍ତନ କଲେ ।
ସ୍ୱାମୀଜୀଙ୍କ ପ୍ରତିଷ୍ଠିତ ମଠ ସଙ୍ଗେ ‘ରାମକୃଷ୍ଣ ମିଶନ’ ମିଳିତ ହୋଇ ବର୍ତ୍ତମାନ ମଠର ସନ୍ନ୍ୟାସୀବୃନ୍ଦଙ୍କ ପରିଚାଳିତ ‘ରାମକୃଷ୍ଣ ମଠ ଓ ମିଶନ’ ରୂପେ ଯୁଗ୍ମ ପ୍ରତିଷ୍ଠାନ ଧୀରେ ଧୀରେ ଦେଶବିଦେଶରେ ପ୍ରସାର ଲାଭ କରି ବିଶାଳ ସଂଘରେ ପରିଣତ ହୋଇଛି । ବେଲୁଡ଼ ମଠରୁ ଜେନେରାଲ ସେକ୍ରେଟାରୀ କର୍ତ୍ତୃକ ୧୯୯୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପ୍ରକାଶିତ ୧୯୯୫-୯୬ ମସିହାର କାର୍ଯ୍ୟବିବରଣୀରେ ଦେଖାଯାଏ ଯେ ବର୍ତ୍ତମାନ ଭାରତ ଓ ଭାରତବହିର୍ଭୂତ ଦେଶରେ ରାମକୃଷ୍ଣ ମଠ ଓ ମିଶନ୍ର ୧୩୫ଟି ସ୍ଥାୟୀ କେନ୍ଦ୍ର ଓ ୨୭ଟି ଉପକେନ୍ଦ୍ର ଅଛି । ଉପକେନ୍ଦ୍ରଗୁଡ଼ିକ ମଧ୍ୟ ରାମକୃଷ୍ଣ ସଂଘର ସନ୍ନ୍ୟାସୀମାନଙ୍କ ଦ୍ୱାରା ପରିଚାଳିତ । ସେହି ସକଳ କେନ୍ଦ୍ରରୁ ସେହି ବର୍ଷ ଚିକିତ୍ସା ବିଭାଗରେ ୧୪ଟି ହସ୍ପିଟାଲର ଅନ୍ତର୍ବିଭାଗରେ ୨୦୬୧ଟି ଶଯ୍ୟାରେ ୭୫,୨୮୪ ଜଣ ରୋଗୀଙ୍କର ଚିକିତ୍ସାର ବ୍ୟବସ୍ଥା ହୋଇଛି । ପୁନଶ୍ଚ ୯୫ଟି ଡିସ୍ପେନ୍ସାରିରେ ୫୮,୨୦,୩୪୮ ଜଣ ରୋଗୀଙ୍କୁ ଔଷଧ ଦିଆହୁଏ । ଶିକ୍ଷା ବିଭାଗରେ ବିଭିନ୍ନ ଶିକ୍ଷା କେନ୍ଦ୍ରରୁ ୧,୧୫,୧୭୩ଜଣ ଛାତ୍ରଛାତ୍ରୀ ଭାରତବର୍ଷ, ବାଂଲାଦେଶ୍, ସିଂହଳ, ସିଙ୍ଗାପୁର, ଫିଜି ଓ ମରିସସ୍ ଦ୍ୱୀପରେ ଶିକ୍ଷାଲାଭ କରୁଛନ୍ତି । ପାଶ୍ଚାତ୍ୟ ଦେଶରେ ବକ୍ତୃତା, କ୍ଳାସ, ଆଲୋଚନା ଓ ଗ୍ରନ୍ଥପ୍ରଣୟନ ମାଧ୍ୟମରେ ଧର୍ମ ଓ ସାଂସ୍କୃତିକ ଭାବଧାରା ପ୍ରଚାର ହେଲା ବିଶେଷ କାର୍ଯ୍ୟ । ଏହି ଭାବରେ ସ୍ୱାମୀଜୀ ମାନବଜାତିର କଲ୍ୟାଣ ପାଇଁ ଯେଉଁ ଯେଉଁ ରାମକୃଷ୍ଣ ମଠ ଓ ମିଶନ୍ରୂପେ ସଂଘ ପ୍ରତିଷ୍ଠା କରିଥିଲେ, ତାହା ଦିଗେ ଦିଗେ ପ୍ରସାର ଲାଭ କରୁଛି । ସେ କହିଥିଲେ, ‘ଏ ଯନ୍ତ୍ରକୁ କେହି ଆଉ ବନ୍ଦ କରିପାରିବେ ନାହିଁ ।’ ତାଙ୍କର ପରିକଳ୍ପନା ଗୁଡ଼ିକୁ ଧୀରେ ଧୀରେ ରୂପାୟିତ ହେବାର ଦେଖି ସେ ଖୁସୀ ହେଲେ । ଉତ୍ତର ଭାରତର ନାନା ସ୍ଥାନରୁ କ୍ରମାଗତ ଆମନ୍ତ୍ରଣ ଆସୁଥିଲା । ରାମକୃଷ୍ଣ ମିଶନ ପ୍ରତିଷ୍ଠା ପରେ ସ୍ୱାମୀଜୀ ଉତ୍ତର ଭାରତ ଭ୍ରମଣରେ ବାହରିଲେ । କେତେଜଣ ଶିଷ୍ୟ ଓ ଗୁରୁଭାଇଙ୍କୁ ନେଇ ପ୍ରଥମେ ଆସିଲେ ଆଲମୋଡ଼ା । ହିମାଳୟରେ ଗୋଟିଏ ଆଶ୍ରମ ସ୍ଥାପନ ମଧ୍ୟ ତାଙ୍କର ଅନ୍ୟତମ ଉଦ୍ଦେଶ୍ୟ । ଆଲମୋଡ଼ାବାସୀମାନେ ବହୁ ସମ୍ମାନ ସହକାରେ ତାଙ୍କୁ ଅଭିନନ୍ଦନ ଜଣାଇଲେ । ଆଲମୋଡ଼ାରେ କେତେଗୁଡ଼ିଏ ବକ୍ତୃତା ତାଙ୍କୁ ଦେବାକୁ ହେଲା, ଅଧିକାଂଶ ହିନ୍ଦୀ ଭାଷାରେ । ଉତ୍ତରଭାରତ ଭ୍ରମଣ ବେଳେ ସ୍ୱାମୀଜୀ ପ୍ରାୟ ବକ୍ତୃତାଗୁଡ଼ିକ ହିନ୍ଦୀରେ ଦେଉଥିଲେ । ସେଭିୟର ଦମ୍ପତିଙ୍କ ଉପରେ ଆଶ୍ରମ ସ୍ଥାପନର ଭାର ଦେଇ ସେ ବାହାରିଲେ ପଞ୍ଜାବ ଓ କାଶ୍ମୀର ଭ୍ରମଣରେ । ବେରେଲି, ଅମ୍ବାଲା, ଅମୃତସର, ରାଓଲପିଣ୍ଡି ଓ ମାରି ହୋଇ ଶ୍ରୀନଗରରେ ପହଞ୍ଚିଲେ । ପ୍ରତ୍ୟେକ ସ୍ଥାନରେ ସହସ୍ର ସହସ୍ର ଉତ୍ସାହୀ ଓ ଶ୍ରଦ୍ଧାଳୁ ଶ୍ରୋତାଙ୍କ ସଭାରେ ତାଙ୍କୁ ବକ୍ତୃତା ଦେବାକୁ ହେଲା । କାଶ୍ମୀରରେ ସେ ରାଜଅତିଥି ରୂପେ ରହିଲେ । ସର୍ବତ୍ର ସେ ବହୁ ଭାବରେ ସମ୍ମାନିତ ହେଲେ । ତାଙ୍କର ଦର୍ଶନ ଓ ବକ୍ତୃତା ଶୁଣିବା ପାଇଁ ଏତେ ଲୋକଙ୍କର ସମାଗମ ହୁଏ ଯେ ସମ୍ଭାଳିବା କଷ୍ଟକର ହୋଇପଡ଼େ ।

ପୁନରାୟ ମାରି, ରାଓଲପିଣ୍ଡି, ଜମ୍ବୁ, ଶିଆଲକୋଟ୍, ଲାହୋର, ଡେରାଡୁନ୍, ସାହାରାନ୍ପୁର, ଦିଲ୍ଲୀ, ଆଲୋଆର୍, ଜୟପୁର, ଖେତଡ଼ି, ଆଜମିର ଓ ଖଣ୍ଡୁଆ ପ୍ରଭୃତି ସ୍ଥାନ ହୋଇ ୧୮୯୮ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସର ମଧ୍ୟଭାଗରେ ଭଗ୍ନ ସ୍ୱାସ୍ଥ୍ୟ ନେଇ ସେ କଲିକତା ପ୍ରତ୍ୟାବର୍ତ୍ତନ କଲେ । ସମଗ୍ର ଗୁଜରାଟ ଓ ମୁମ୍ବାଇର ବହୁ ସ୍ଥାନରୁ ପୁନଃ ପୁନଃ ଆହ୍ୱାନ ସତ୍ତ୍ୱେ ଶାରୀରିକ ଅସୁସ୍ଥତା ଯୋଗୁଁ ସେ ସେହିସବୁ ସ୍ଥାନକୁ ଯାଇପାରି ନାହାନ୍ତି ।

ସ୍ୱାମୀଜୀ ପ୍ରାୟ ପାଞ୍ଚମାସ ଉତ୍ତର ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ । ସେ ସମସ୍ତଙ୍କ ନିକଟରେ ସାମ୍ପ୍ରଦାୟିକ ସଂକୀର୍ଣ୍ଣତାରୁ ମୁକ୍ତ ହେବା ପାଇଁ ଆବେଦନ ଜଣାନ୍ତି, ମାନବାତ୍ମାର ମହିମା କୀର୍ତ୍ତନ କରନ୍ତି । ଛୁତ୍ମାର୍ଗ ପରିହାର, ନାରୀଶିକ୍ଷାର ପ୍ରୟୋଜନୀୟତା, ଜାତିଭେଦ, ଖାଦ୍ୟାଖାଦ୍ୟ ବିଚାର, ପୁଣ୍ୟଭୂମିର ମହିମା ଓ ହିନ୍ଦୁଧର୍ମର ସାଧାରଣ ଭିତ୍ତି ପ୍ରଭୃତି ମଧ୍ୟ ତାଙ୍କ ଆଲୋଚନାର ବିଷୟ ଥିଲା ।

ଅସୁସ୍ଥ ଶରୀର ନେଇ ସେ ଫେବୃଆରୀ ୩ ତାରିଖରେ (ଖ୍ରୀ: ୧୮୯୮) କଲିକତାକୁ ଫେରିଲେ । ପଶ୍ଚିମ ଗଙ୍ଗାତୀରରେ ଗୋଟିଏ ପୁରୁଣା ଘର ସମେତ ପ୍ରାୟ ୬ ଏକର ଜମି କିଣିଲେ । ନୂତନ ଜମିରେ ଶ୍ରୀଠାକୁରଘର ଓ ମଠବାଡ଼ି ନିର୍ମାଣକାର୍ଯ୍ୟ ଆରମ୍ଭ ହେଲା । ନୂତନ କିଣା ଜମି ପାଖରେ ଗୋଟିଏ ଭଡ଼ା ଘରକୁ ଆଲାମବଜାରରୁ ମଠ ସାମୟିକ ଭାବରେ ସ୍ଥାନାନ୍ତରିତ ହେଲା ।

ପାଶ୍ଚାତ୍ୟ ଶିଷ୍ୟଶିଷ୍ୟାମାନେ ଭାରତର ସେବାରେ ଆତ୍ମନିୟୋଗ କରିବାକୁ ଭାରତ ଆସିଥାଆନ୍ତି । ସେ ସମସ୍ତଙ୍କୁ କହିଲେ-‘ଭାରତକୁ ଭଲପାଅ’ । ଏହା ପୂର୍ବରୁ ସେଭିୟର ଦମ୍ପତି ଓ ଗୁଡ୍ଉଇନ ସ୍ୱାମୀଜୀଙ୍କ ସଙ୍ଗରେ ଆସିଥିଲେ । ପରେ ମିସେସ୍ ଓଲିବୁଲ, ମିସ୍ ମୁଲାର୍, ମିସ୍ ମ୍ୟାକ୍ଲାଉଡ, ମିସ୍ ନୋବେଲ୍ ପ୍ରଭୃତି ଶିଷ୍ୟାମାନେ ମଧ୍ୟ ସ୍ୱାମୀଜୀଙ୍କ ନିକଟରେ ସମବେତ ହେଲେ । ଶିକ୍ଷାଦୀକ୍ଷା ମାଧ୍ୟମରେ ସେମାନଙ୍କର ଧର୍ମଜୀବନ ଗଢ଼ି ତୋଳିବା କାର୍ଯ୍ୟରେ ସେ ମନ ଦେଲେ ।

ମାର୍ଚ୍ଚ ୨୫ ତାରିଖ ମିସ୍ ମାର୍ଗାରେଟ୍ ନୋବେଲଙ୍କୁ ବ୍ରହ୍ମଚାରିଣୀ ବ୍ରତରେ ଦୀକ୍ଷିତ କରି ନାମ ଦେଲେ ‘ନିବେଦିତା’ । ତାଙ୍କ ସମ୍ବନ୍ଧରେ ସ୍ୱାମୀଜୀ କହିଥିଲେ ଯେ ନିବେଦିତା ଭାରତ ପ୍ରତି ଇଂଲଣ୍ଡର ଗୋଟିଏ ଶ୍ରେଷ୍ଠ ଉପହାର । ନିବେଦିତା ପ୍ରାଣ ଦେବାକୁ ଆସିଛନ୍ତି; ଗୁରୁଗିରି କରିବାକୁ ନୁହେଁ । ମିସ୍ ମୁଲାର୍ ଓ ମିସେସ୍ ଓଲିବୁଲ୍ ବେଲୁଡ଼ ମଠର ଜମି କିଣିବା ପାଇଁ ପ୍ରଚୁର ଅର୍ଥ ସାହାଯ୍ୟ କରିଥିଲେ । ମିସ୍ ମ୍ୟାକ୍ଲାଉଡ଼୍ ଭାରତର ନାନା ଗଠନମୂଳକ କାର୍ଯ୍ୟରେ ଜୀବନପାତ କରିଛନ୍ତି । ଶ୍ରୀରାମକୃଷ୍ଣ ମଠ ଓ ମିଶନ୍ର ମୁଖପାତ୍ରରୂପେ ବଙ୍ଗଳା ଭାଷାରେ ‘ଉଦ୍ବୋଧନ’ ପତ୍ରିକା ପ୍ରକାଶନର ବ୍ୟବସ୍ଥା କରି ସ୍ୱାମୀଜୀ ସେହି କାର୍ଯ୍ୟର ଭାର ଦେଲେ ଗୁରୁଭାଇ ସ୍ୱାମୀ ତ୍ରିଗୁଣାତୀତାନନ୍ଦଙ୍କ ଉପରେ ।

ଏପ୍ରିଲ ମାସ ଶେଷରେ କଲିକତାରେ ପ୍ଲେଗ ମହାମାରୀର ଆବିର୍ଭାବ ହେଲା । ଶହ ଶହ ଲୋକ ମରିଗଲେ-ସହସ୍ର ସହସ୍ର ଲୋକ ପ୍ରାଣଭୟରେ ପଳାଇବାକୁ ଲାଗିଲେ । ସ୍ୱାମୀଜୀ ସଙ୍ଗେ ସଙ୍ଗେ ପ୍ଳେଗ ନିବାରଣ କାର୍ଯ୍ୟରେ ଲାଗି ପଡ଼ିଲେ । ଜନୈକ ଗୁରୁଭାଇ ତାଙ୍କୁ ପଚାରିଲେ, ‘ଏତେ ଟଙ୍କା କେଉଁଠୁ ଆସିବ ?’ ସଙ୍ଗେ ସଙ୍ଗେ ସ୍ୱାମୀଜୀ ଜବାବ ଦେଲେ, ‘କାହିଁକି, ଦରକାର ହେଲେ ମଠର ନୂତନ ଜମି ବିକ୍ରି କରିବି ।’

କିନ୍ତୁ ତା’ କରିବାକୁ ହୋଇ ନାହିଁ । ରାମକୃଷ୍ଣ ମିଶନ୍ର ଏହି କଲ୍ୟାଣକର କର୍ମ ପାଇଁ ପ୍ରଚୁର ଅର୍ଥସାହାଯ୍ୟ ଆସିଗଲା । ପ୍ଳେଗ ଉପଶମିତ ହେଲା । ସ୍ୱାମୀଜୀ ତାଙ୍କର ପାଶ୍ଚାତ୍ୟ ଶିଷ୍ୟମାନଙ୍କୁ ଭାରତର ଧର୍ମ, କୃଷି ଓ ସଂସ୍କୃତି ସହିତ ସମ୍ୟକ୍ଭାବରେ ପରିଚିତ କରାଇବା ପାଇଁ ସମସ୍ତଙ୍କୁ ନେଇ ଦ୍ୱିତୀୟଥର ଆଲମୋଡ଼ା ଆସିଲେ । ସେଭିୟର ଦମ୍ପତିଙ୍କ ଚେଷ୍ଟାରେ ହିମାଳୟର ମାୟାବତୀଠାରେ ଗୋଟିଏ ଆଶ୍ରମ ପ୍ରତିଷ୍ଠିତ ହୋଇଛି । ସ୍ୱମାଜୀ ସେଠାରୁ ଇଂରାଜୀ ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ’ ପ୍ରକାଶନର ବ୍ୟବସ୍ଥା କଲେ । ଅନନ୍ତର ପାଶ୍ଚାତ୍ୟ ଶିଷ୍ୟମାନଙ୍କୁ ନେଇ ଜୁନ୍ ୧୦ ତାରିଖ ଆଲମୋଡ଼ାଠାରୁ କାଶ୍ମୀର ଯାତ୍ରା କଲେ । ନିବେଦିତାଙ୍କୁ ନେଇ ଅମରନାଥ ଦର୍ଶନ କରିବାକୁ ଗଲେ । ସଦାଶିବ ଅମରନାଥ ସ୍ୱାମୀଜୀଙ୍କୁ ଦର୍ଶନ ଦେଇ ଇଚ୍ଛାମୃତ୍ୟୁ ବର ଦେଲେ । ଅମରନାଥ ପରେ କ୍ଷୀରଭବାନୀ । ସେଠାରେ ସ୍ୱାମୀଜୀ ଦୈବବାଣୀ ଶୁଣି ଏକ ଅଲୌକିକ ଅନୁଭୂତି ଲାଭ କଲେ-ଫଳରେ କାମ କରିବାର ଉତ୍ସାହ ତାଙ୍କର କମିଗଲା । ଯୁଗାଚାର୍ଯ୍ୟ, ବାଗ୍ମୀ, କର୍ମୀ, ନେତା, ଗୁରୁ, ଜନସେବକ, ଦେଶପ୍ରେମୀ ବିବେକାନନ୍ଦ ଆଉ ନାହାନ୍ତି । ଆଦ୍ୟାଶକ୍ତି ଜଗଜ୍ଜନନୀ ହିଁ ତ ସବୁ କରୁଛନ୍ତି; ସେ’ତ ତାଙ୍କ ହାତର କଣ୍ଢେଇ ମାତ୍ର ।

ସ୍ୱାମୀଜୀଙ୍କ ଶରୀର ଭାଙ୍ଗିପଡ଼ିଛି । କାଶ୍ମୀରରୁ ଫେରି ଗୋଟିଏ ଶୁଭ ଦିନରେ ବାଗବଜାରରେ ‘ନିବେଦିତା ବାଳିକା ବିଦ୍ୟାଳୟ’ ପ୍ରତିଷ୍ଠା କଲେ । ନିବେଦିତାଙ୍କ ଉପରେ ସ୍ତ୍ରୀ-ଶିକ୍ଷାର ଭାର ଅର୍ପିତ ହେଲା । ପରବର୍ତ୍ତୀ ଡିସେମ୍ବର ୯ ତାରିଖ ଦିନ ବେଲୁଡ଼ର ନୂତନ ଜମିରେ ବିଶେଷ ପୂଜାନୁଷ୍ଠାନ ପରେ ଶ୍ରୀରାମକୃଷ୍ଣଦେବଙ୍କୁ ପ୍ରତିଷ୍ଠିତ କଲେ । ତାଙ୍କ ମୁଣ୍ଡରୁ ଗୋଟିଏ ବଡ଼ ବୋଝ ଖସିଗଲା । ସେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ‘ଆଜି ଆପଣମାନେ କାୟମନୋବାକ୍ୟରେ ଶ୍ରୀଠାକୁରଙ୍କର ପାଦପଦ୍ମରେ ପ୍ରାର୍ଥନା କରନ୍ତୁ-ଯେପରି ମହାଯୁଗାବତାର ଶ୍ରୀଠାକୁର ‘ବହୁଜନହିତାୟ ବହୁଜନସୁଖାୟ’ ଏହି ପୁଣ୍ୟକ୍ଷେତ୍ରରେ ଦୀର୍ଘକାଳ ବିରାଜମାନ ହୋଇ ଏହି ସ୍ଥାନକୁ ସର୍ବଧର୍ମର ଅପୂର୍ବ ସମନ୍ୱୟ କେନ୍ଦ୍ର କରି ରଖନ୍ତୁ ।’ ବେଲୁଡ଼ମଠ ସ୍ଥାପିତ ହେଲା ଶତଯୁଗର ସ୍ଥାୟିତ୍ୱ ନେଇ ।

ଭାରତରେ ତାଙ୍କର କାର୍ଯ୍ୟକୁ ଦ୍ରୁତଗତି ପ୍ରଦାନ କରି ସ୍ୱାମୀଜୀ ଆଉ ଥରେ ୟୁରୋପ, ଆମେରିକା ଯାତ୍ରା ପାଇଁ ପ୍ରସ୍ତୁତ ହେଲେ । ସଙ୍ଗରେ ନେଇଗଲେ ଗୁରୁଭାଇ ତୁରୀୟାନନ୍ଦଙ୍କୁ । ଭାରତରେ ନାରୀଶିକ୍ଷା ଉଦ୍ଦେଶ୍ୟରେ ଅର୍ଥସଂଗ୍ରହ ପାଇଁ ନିବେଦିତା ମଧ୍ୟ ତାଙ୍କ ସହିତ ଗଲେ । ଖ୍ରୀ. ୧୮୯୯ ଜୁନ୍ ୨୦ ତାରିଖରେ କଲିକତାଠାରୁ ଜାହାଜରେ ଯାତ୍ରା କରି ସେ ଜୁଲାଇ ୩୧ ତାରିଖରେ ଲଣ୍ଡନରେ ଅବତରଣ କଲେ ଏବଂ କିଛି ଦିନ କଟାଇ ଅଗଷ୍ଟ ୧୭ ତାରିଖରେ ଆମେରିକାରେ ପଦାର୍ପଣ କଲେ । ଏଥର ଆମେରିକାରେ ସେ ପ୍ରାୟ ଏକ ବର୍ଷ ରହିଲେ । ପଶ୍ଚିମ ଉପକୂଳରେ ଥିବା କାଲିଫର୍ଣ୍ଣିଆର ଚାରୋଟି ପ୍ରଧାନ ସହରରେ ପ୍ରାୟ ୬ ମାସର ପ୍ରଚାର ଫଳରେ ସେହି ଅଞ୍ଚଳରେ ବେଦାନ୍ତର ସ୍ଥାୟୀ ପ୍ରଭାବ ସଞ୍ଚାରିତ ହୋଇଥିଲା । ସାନଫ୍ରାନ୍ସିସ୍କୋରେ ଗୋଟିଏ ବେଦାନ୍ତ-ସମିତି ସ୍ଥାପନ ମଧ୍ୟ ଅନ୍ୟତମ କାର୍ଯ୍ୟ । ୨୦ ତାରିଖ ଜୁଲାଇ ୧୯୦୦ ଖ୍ରୀଷ୍ଟାବ୍ଦରେ ଆମେରିକା ତ୍ୟାଗ କରି ସେ ୟୁରୋପ ଯାତ୍ରା କଲେ ଏବଂ ପ୍ୟାରିସରେ ବୃହତ୍ ଧର୍ମଇତିହାସ ସମ୍ମିଳନୀରେ ଯୋଗଦାନ କରି ପାଶ୍ଚାତ୍ୟ ଦାର୍ଶନିକ ଓ ପଣ୍ଡିତଗଣଙ୍କ ସଙ୍ଗେ ବିତର୍କଦ୍ୱାରା ସନାତନ ବୈଦିକ ଧର୍ମକୁ ପ୍ରତିଷ୍ଠିତ କଲେ । ଅନନ୍ତର ୟୁରୋପର ବିଭିନ୍ନ ସ୍ଥାନ ଦର୍ଶନାନ୍ତର ଭାରତଯାତ୍ରା-୧୯୦୦ ମସିହା ଡିସେମ୍ବର ୯ ତାରିଖ ରାତିରେ ବେଲୁଡ଼ ମଠକୁ ପ୍ରତ୍ୟାବର୍ତ୍ତନ ।

ଆସିବାମାତ୍ରେ ଶୁଣିଲେ କ୍ୟାପ୍ଟେନ୍ ସେଭିୟରଙ୍କର ଆକସ୍ମିକ ମୃତ୍ୟୁ ସମ୍ବାଦ । ସେଭିୟରଦମ୍ପତି ଭାରତର ସେବାରେ ପ୍ରାଣ ଦେବାକୁ ଆସିଥଲେ । ମିସେସ୍ ସେଭିୟରଙ୍କୁ ଏହି ଦୁର୍ବହ ଶୋକରେ ସାନ୍ତ୍ୱନା ଦେବା ଲାଗି ସଙ୍ଗେ ସଙ୍ଗେ ସେ ମାୟାବତୀ ଯାତ୍ରା କଲେ । ୧୫ ଦିନ ମାୟାବତୀରେ କଟାଇ ବେଲୁଡ଼ ମଠକୁ ଫେରି ଆସିଲେ ।

କର୍ମରୁ ସ୍ୱାମୀଜୀଙ୍କ ମନ କ୍ରମେ କ୍ରମେ ଦୂରେଇ ଯାଉଛି । ସେ ଅଧିକତର ଅନ୍ତର୍ମୁଖୀ ହେବାକୁ ଲାଗିଲେ । ପୂର୍ବବଙ୍ଗରୁ କ୍ରମାଗତ ଡାକରା ଆସୁଥିଲା, ତେଣୁ ସେ ପୂର୍ବବଙ୍ଗ ଗଲେ । ଢାକାରେ ବିପୁଳ ସମ୍ବର୍ଦ୍ଧନା ହେଲା । ସେଠାରେ ସେ କେତୋଟି ଉଦ୍ଦୀପନାମୟୀ ବକ୍ତୃତା ଦେଲେ । ତା’ପରେ ଚନ୍ଦ୍ରନାଥ ତୀର୍ଥ, କାମାକ୍ଷା ଓ ଶିଲଂ ଭ୍ରମଣ ଶେଷ କରି ମେ ମାସର ମଧ୍ୟଭାଗରେ ସେ ବେଲୁଡ଼ ମଠକୁ ଫେରି ଆସିଲେ । ତାଙ୍କର ଦେହ ଦିନକୁ ଦିନ ଶୀର୍ଣ୍ଣ ହେବାକୁ ଲାଗିଲା । ସେହି ଭଗ୍ନ ସ୍ୱାସ୍ଥ୍ୟ ନେଇ ସେ ବେଲୁଡ଼ ମଠର ଦ୍ୱିତଳର ଗଙ୍ଗାକୂଳରେ ଆଲୋକ ଓ ପବନଯୁକ୍ତ ଗୋଟିଏ ଘରେ ପ୍ରାୟ ସାତମାସ ରହିଥିଲେ । ବେଶୀ ବୁଲାଚଲା କରିପାରୁ ନ ଥିଲେ । ତେବେ ବି ସେ କାହାରିକୁ ଫେରାଇ ଦେଉ ନ ଥିଲେ । ଭାରତର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକ ତାଙ୍କ ସଙ୍ଗେ ଦେଖା କରିବାକୁ ଆସନ୍ତି । ସମସ୍ତଙ୍କୁ କହୁଥିଲେ, ‘ଏଥର କେନ୍ଦ୍ର ଭାରତବର୍ଷ ।’

ସେହି ବର୍ଷ ସେ ବେଲୁଡ଼ ମଠରେ ପ୍ରତିମାରେ ଦୁର୍ଗାଦେବୀଙ୍କ ଆରାଧନା, ଲକ୍ଷ୍ମୀପୂଜା ଓ କାଳୀପୂଜା କଲେ । ପରେ ଦିନେ ତାଙ୍କ ମା’ଙ୍କ ସହିତ କାଳୀଘାଟରେ ଶ୍ୟାମାଙ୍କୁ ଦର୍ଶନ କରିବାକୁ ଯାଇଥଲେ ।*

ମଠ ଓ ମିଶନ୍ର ସମସ୍ତ ଦାୟିତ୍ୱ ଗୁରୁଭାଇମାନଙ୍କ ଉପରେ ଛାଡ଼ିଦେଲେ । କାମ ପାଇଁ ପରାମର୍ଶ ମାଗିଲେ ସେ ଉଦାସୀନ ପରି କହୁଥିଲେ, ‘ଏସବୁ ବିଷୟରେ ମୁଁ ଆଉ ମୁଣ୍ଡ ଖେଳାଇବାକୁ ଚାହେଁ ନାହିଁ ।’ କେବେ କେବେ ସେ ଛୋଟ ପିଲା ପରି ପଶୁପକ୍ଷୀମାନଙ୍କୁ ନେଇ ଖେଳୁଥିଲେ । କେବେ କେବେ ସାନ୍ତାଳ ଶ୍ରମିକମାନଙ୍କ ସଙ୍ଗେ ଗଳ୍ପ କରି ସମୟ କଟାଉଥାଆନ୍ତି । ସେମାନଙ୍କର ସୁଖଦୁଃଖର କଥା ସବୁ ଶୁଣନ୍ତି । ଦିନେ ସେମାନଙ୍କୁ ଖୁବ୍ ଭଲ କରି ଖୁଆଇଲେ । ପରେ କହିଥିଲେ, ‘ଏମାନେ ଯେ ସାକ୍ଷାତ୍ ନାରାୟଣ । ଆଜି ନାରାୟଣଙ୍କୁ ଭୋଗ ଦେଲି ।’

ତାଙ୍କର ଅନ୍ତର୍ମୁଖଭାବ ଦେଖି ଗୁରୁଭାଇମାନେ ଶଙ୍କିତ ହେଲେ । ଶ୍ରୀରାମକୃଷ୍ଣଦେବଙ୍କର କଥା ସେମାନଙ୍କର ମନେ ପଡ଼ିଲା-‘ସେ ଯେତେବେଳେ ନିଜର ସ୍ୱରୂପ ଜାଣିପାରିବ, ସେତେବେଳେ ଆଉ ଦେହ ରଖିବ ନାହିଁ ।’ ଦିନେ ଜଣେ ଗୁରୁଭ୍ରାତା ପଚାରିଲେ, ସ୍ୱାମୀଜୀ ! ଆପଣ କିଏ, ତା କଅଣ ବୁଝିପାରିଛନ୍ତି ? ସେ ତତ୍କ୍ଷଣାତ୍ ଗମ୍ଭୀରଭାବେ ଉତ୍ତର ଦେଲେ ‘ହଁ ପାରିଛି !’ ଯେଉଁ ଅନୁଭୂତିର ଦ୍ୱାରରେ ଶ୍ରୀଠାକୁର ଚାବି ଦେଇ ରଖିଥିଲେ, ଏତେବେଳେ ସମୟ ବୁଝି ତାହା ଖୋଲି ଦେଇଛନ୍ତି; କିନ୍ତୁ କେହି ବୁଝିପାରି ନାହିଁ ଯେ ଶେଷ ଦିନଟି ଏତେ ନିକଟରେ !

ଶେଷ କେତେ ଦିନ ତାଙ୍କୁ ଖୁବ୍ ସୁସ୍ଥ ମନେ ହେଉଥିଲା । ସଦା ପ୍ରଫୁଲ୍ଲ, ଉଚ୍ଛ୍ୱସିତ ଓ ପ୍ରାଣବନ୍ତ । ତାଙ୍କ ଦେହ ମଧ୍ୟ ଯେପରି ଜ୍ୟୋତିର୍ମୟ ହୋଇ ଯାଇଥିଲା । ଦେହତ୍ୟାଗର ତିନିଦିନ ପୂର୍ବରୁ ଗଙ୍ଗାକୂଳରେ ତାଙ୍କର ସମାଧି ମନ୍ଦିର ସ୍ଥାନଟି ଦେଖାଇ କହିଥିଲେ, ‘ମୋର ଶରୀର ଗଲେ ଏହିଠାରେ ସତ୍କାର କରିବ ।’ ଜୁଲାଇ ୪ ତାରିଖ ଶୁକ୍ରବାର ୧୯୦୨ ମସିହା-ସେ ଖୁବ୍ ଭୋରରୁ ଉଠିଛନ୍ତି; ସମସ୍ତଙ୍କ ସଙ୍ଗେ ଚା ଖାଉ ଖାଉ କେତେ ମଜା ଗପ କଲେ । -କେତେ ପୁରୁଣା କଥା । ହସର ରୋଳ ଉଠିଲା । ସେ ପ୍ରଫୁଲ୍ଲ ଥିଲେ । ପରେ ଠାକୁର ଘରକୁ ଯାଇ କବାଟ ବନ୍ଦ କରି ଅନେକ ସମୟ ଧ୍ୟାନ କଲେ । ଗୋଟିଏ ଶ୍ୟାମାସଙ୍ଗୀତ ଗାଇ ଗାଇ ଠାକୁରଘରୁ ଓହ୍ଲାଇ ଆସିଲେ । ବାରଣ୍ଡାରେ ବୁଲୁ ବୁଲୁ ନିଜ ମନକୁ ମନ କହି ଉଠିଲେ, ‘ଯଦି ଆଉ ଗୋଟିଏ ବିବେକାନନ୍ଦ ଥାଆନ୍ତା, ତେବେ ବୁଝିପାରନ୍ତା ବିବେକାନନ୍ଦ କଅଣ କରିଗଲା ।’

ଦ୍ୱିପ୍ରହର ବେଳେ ସମସ୍ତଙ୍କ ସଙ୍ଗେ ଆନନ୍ଦରେ ଖାଇଲେ । ଉପରଓଳି ଏକାବେଳକେ ତିନି ଘଣ୍ଟା ଶାସ୍ତ୍ର ଅଧ୍ୟାପନା ପରେ ସ୍ୱାମୀ ପ୍ରେମାନନ୍ଦଙ୍କ ସଙ୍ଗେ ଗପ କରି ଚାଲି ଆସିଲେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼୍ ପର୍ଯ୍ୟନ୍ତ । ମନ୍ଦିରରେ ସାନ୍ଧ୍ୟ ଆରତ୍ରିକ ଆରମ୍ଭ ହେଲା । ସେ ନିଜ ଘରେ ଧ୍ୟାନରେ ବସିଲେ ଏବଂ ମହାସମାଧି ଯୋଗେ ସ୍ୱ-ସ୍ୱରୂପରେ ମିଳିତ ହେଲେ । ଅଖଣ୍ଡ ଘରର ଋଷି ଫେରିଗଲେ ଅଖଣ୍ଡ ଘରକୁ । ସେ କିନ୍ତୁ ଖଣ୍ଡେ ଚିଠିରେ ଲେଖିଥିଲେ, ‘ମୃତ୍ୟୁ ପରେ ମଧ୍ୟ ଜଗତର କଲ୍ୟାଣ ପାଇଁ କାମ କରୁଥିବି ।’ ତାଙ୍କର ଏହି ବାଣୀ ସାର୍ଥକ ହେଉ !

ଭାରତର ବିବେକାନନ୍ଦ, ବିଶ୍ୱର ବିବେକାନନ୍ଦଙ୍କ ଚରଣରେ ପ୍ରଣତି !

ସ୍ୱାମୀ ବିବେକାନନ୍ଦ ଥିଲେ ସର୍ବତ୍ୟାଗୀ ସନ୍ନ୍ୟାସୀ; କିନ୍ତୁ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ସେ ଥିଲେ ବିରାଟର ପୂଜାରୀ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ; ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ ମନ୍ଦିରରେ । ଦେଶସେବା, ମାନବକଲ୍ୟାଣ ଓ ଭଗବତ୍ସାଧନା-ସେ ଏକ କରି ଦେଖିଥିଲେ । ଭାରତର ସମୂହ କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ ଶୁଣାଇଲେ-ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା । ଦେଶସେବା ଓ ଦେଶାତ୍ମବୋଧ ଶତ ଶତ ପ୍ରାଣରେ ଉଦ୍ବୁଦ୍ଧ ହୋଇ ଆତ୍ମପ୍ରକାଶ କରିଥିଲା ନାନା ଛନ୍ଦରେ ଏବଂ ତାହାର ଫଳ ସ୍ୱରୂପ ଠିକ୍ ପଚାଶ ବର୍ଷ ମଧ୍ୟରେ ଭାରତ ଲାଭ କରିଛି ରାଜନୈତିକ ସ୍ୱାଧୀନତା । କିନ୍ତୁ ଭାରତର ଜନଗଣ ଏ ପର୍ଯ୍ୟନ୍ତ ତନ୍ଦ୍ରାଚ୍ଛନ୍ନତା କଟାଇ ଉଠିପାରି ନାହାନ୍ତି-ଦୁଃଖଦୁର୍ଦ୍ଦଶା, ଅଶିକ୍ଷା ଓ ଅସ୍ୱାସ୍ଥ୍ୟ ଏବେ ବି ତାଙ୍କୁ ଘେରି ରହିଛି । ଏମାନଙ୍କର ସେବା ହିଁ ଯୁଗଧର୍ମ । ଏମାନେ ଉନ୍ନତ ହେଲେ ଭାରତର ପ୍ରକୃତ ଜାଗରଣ ହେବ । ଏ ଜାଗରଣର ପ୍ରଧାନ ପୁରୋଧା ସ୍ୱାମୀ ବିବେକାନନ୍ଦ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.