ସୁରଭି: (….କିଛି ସମ୍ପର୍କର)

the average family adrian neale
Reading Time: 5 minutes

ଶୁଣୁଛ ସୁରଭି ! ସେ ଦିନ ତୁମ କଥା ନ ମାନି ସେ ବାଇଆଚଢ଼େଇର ବସାଟିକୁ ଭାଙ୍ଗି ଦେଲି ବୋଲି ବୋଧହୁଏ ଆଜି ଆମ ବସାଟିକୁ ସମୟର ସୁଅଟା ଭାଙ୍ଗି ଦେଲା । ଆଉ ସେଇ ରାଗରେ ତୁମେ ବି ମୋତେ…”।

ଏତିକି ବେଳେ ଶୀତଳ ପବନର ଏକ କୋମଳ ସ୍ରୋତଟା ନିରୁ ଜେଜେଙ୍କ ଶରୀରକୁ ସ୍ପର୍ଶ କରି ଚାଲିଗଲା । ମୃଦୁ ହସଟିଏ ହସିଦେଇ ନିରୁ ଜେଜେ କହିଲେ “ତୁମେ ମୋ କଥା ଶୁଣୁଛ ନା ସୁରଭି ! ମୁଁ ଜାଣେ ତୁମେ ମୋ ଉପରେ କେବେ ବି ରାଗି ନାହଁ କି ଆଜି ବି ରାଗୁନ । ତୁମେ କ’ଣ ଭାବୁଛ ମୁଁ ଜାଣିପାରିବିନି । ତୁମର ପ୍ରତ୍ୟେକଟି ଉପସ୍ଥିତିକୁ ମୁଁ ଅଚିରେ ବାରିପାରେ । ତୁମେ କେବେ ଅଭିମାନ କରିପାରନା କି ଆଜି ବି କରୁନା । ଆଉ କେହି ନହେଲା ନାହିଁ କିନ୍ତୁ ତୁମ ମନ ଶରୀର ଆତ୍ମାର ସୁରଭିକୁ ମୁଁ ସବୁବେଳେ ଅନୁଭବ କରୁଛି । ତୁମେ ଜାଣ ସୁରଭି, ଆଜି ମୋତେ ପଚସ୍ତରୀ ବର୍ଷ ପୁରିଗଲା । ଆଉ ତୁମେ ମୋତେ ଦେଇଥିବା ରାଣକୁ ଦଶ ବର୍ଷ ।” ଏତିକି କହୁ କହୁ ଅଗଣାରେ ଥିବା ବୁଢ଼ା ଆମ୍ବ ଗଛଟା ମୂଳରେ ପଡ଼ିଥିବା ଦଉଡ଼ିଆ ଖଟଟା ଉପରେ ଏକ ଦୀର୍ଘ ନିଶ୍ୱାସ ଛାଡ଼ି ଲୋଟିପଡ଼ିଲେନିରୁ ଜେଜେ । ଆଖି ପଲକକୁ ଓଦା କରିଦେଇ ବହି ଆସିଲା କେଇ ବୁନ୍ଦା ଅଶ୍ରୁ । ଦିନ ଦ୍ୱିପହରଟାରେ ସେହି ଦଉଡିଆ ଖଟଟା ଉପରେ ପଡ଼ିଥାନ୍ତି ଏକ ଯୁଗାନ୍ତକାରୀ ଚରିତ୍ର ।

ନିରୁ ଜେଜେ ! ସମୟର ବିବର୍ତ୍ତନରେ ଏଭଳି ଏକ ସୋପାନରେ ଉପନୀତ ଯେଉଁଠାରେ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ ସମସ୍ତେ ବିଚ୍ଛିନ୍ନ ହେବାକୁ ବ୍ୟଗ୍ର । ଆଉ ବିଚ୍ଛିନ୍ନ ନ ହୋଇ ପାରିବାର ଗୋଟିଏ କାରଣ ନିରୁ ଜେଜେ । ହରିପୁର ଗ୍ରାମରେ ସେ ଜଣେ ବିଶେଷ ବ୍ୟକ୍ତିତ୍ୱ । ଆବାଳବୃଦ୍ଧବନିତା ସମସ୍ତଙ୍କର ସେ ଅତି ଆପଣାର ନିରୁ ଜେଜେ । ସରଳ ନିଷ୍କପଟ ଉଦାରମନା ଚରିତ୍ରଟିଏ ସେ । ନିରଞ୍ଜନ ଦାସ ମହାପାତ୍ର ଓରଫ ନିରୁ ଜେଜେଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ପାଚିଲା ବାଳ ପାକୁଆ ପାଟି କୌତୁକିଆ କଥା ଆଉ ନାତିଆ ସମ୍ବୋଧନଟା ହିଁ ତାଙ୍କର ପରିଚୟ ପାଇଁ ଯଥେଷ୍ଟ । ସୁରଭି ତାଙ୍କର ସହଧର୍ମିଣୀ । ଜୀବନର ଚାଳିଶିଟି ବସନ୍ତ ନିରୁଜେଜେଙ୍କ ସେବାରେ ହସି ହସି ସମର୍ପି ଦେଲେ ସିଏ । ସମ୍ପୂର୍ଣ୍ଣ ହରିପୁର ଗାଁ ଲୋକେ ରାମ-ସୀତା ଯୋଡ଼ି ନୁହେଁ ନିରୁ-ସୁରଭି ଯୋଡ଼ିର ଉଦାହରଣ ଦିଅନ୍ତି । କେହି କେବେ ହେଲେ ସୁରଭି ମା’ ହାତରୁ ନଖାଇ ତାଙ୍କ ଘରୁ ଫେରିବାର ଉଦାହରଣ ନାହିଁ । ଗୌରବର୍ଣ୍ଣ ସାଙ୍ଗକୁ କଥାରେ ଆତ୍ମିୟତା ଆଉ ବ୍ୟବହାରରେ ଶାଳିନତା ସୁରଭି ମା’ଙ୍କ ନା କୁ ଦ୍ୱିଗୁଣିତ କରେ । ଏହି ଦୁଇ ଚରିତ୍ର ସହ ଯୋଡ଼ା ଆଉ କିଛି ଚରିତ୍ର । ସେମାନେ ହେଲେ ତାଙ୍କର ଚାରି ପୁତ୍ର । ଶ୍ରଦ୍ଧାରେ ନାଁ ଦିଆଯାଇଥିଲା ରାମ, ଲକ୍ଷ୍ମଣ, ଭରତ, ଶତୃଘ୍ନ । ଏହି ଚାରି ପୁଅଙ୍କର ଅଳି ଅର୍ଦ୍ଦଳିକୁ ମଥାପାତି ସହିଯାଉଥିଲେ ବାପା ମା ଦୁହେଁ । ପିଲାଙ୍କ ଚରିତ୍ର ଗଠନରେ କୌଣସି କାର୍ପଣ୍ୟତା କରିନଥିଲେ ସେମାନେ । ଏକ ଯୌଥ ପରିବାରର ବ୍ୟସ୍ତତା ଭିତରେ ଗଡ଼ିଚାଲିଥିଲା ନିରୁ ଜେଜେଙ୍କ ସମୟ । ଜଣେ ପରେ ଜଣେ ଦୁଇଭାଇ ଏକା କରି ଛାଡ଼ି ଚାଲିଗଲେ ଆରପାରିକୁ । ନିଜ ଭାଇଙ୍କ ସନ୍ତାନମାନେ କ୍ରମଶଃ ସମ୍ପର୍କରେ ବଢ଼ାଇବାକୁ ଲାଗିଲେ ଦୂରତା । ସମୟକ୍ରମେ ଦାରିଦ୍ରତା ପାଲଟିଗଲା ଦୂରତାର ପ୍ରମୁଖ କାରଣ । ଉଦାରବାଦୀ ନିରୁ ଜେଜେ ଅଳ୍ପ କିଛି ଚାଷଜମି ନେଇ ପୂର୍ବପୁରୁଷର ସେହି ଭଙ୍ଗା ଖପର ଘରଟାରେ ପରିବାର ସହ ରହିଗଲେ ଏକାଏକା । ବିଶ୍ୱାସ ଥିଲା ତାଙ୍କର, ଚାରି ପୁଅ  ଭିତରେ ଥିବା ସମ୍ପର୍କର ସୂତା ଖିଅଟିକୁ ଦୃଢ଼ ଭାବେ ବାନ୍ଧିରଖିବେ । ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଛନ୍ତି ।ଅତୀତର ଯେଉଁ ତିକ୍ତତାକୁ ସେ ନିଜ ଭାତୃତ୍ୱର ସମ୍ପର୍କରେ ଅନୁଭବ କରିଥିଲେ ତାହାକୁ ନିଜ ସନ୍ତାନ ମାନଙ୍କ ମଧ୍ୟରେ ଥିବା ସମ୍ପର୍କରେ ସୃଷ୍ଟି ହେବାକୁ ଚାହୁଁ ନ ଥିଲେ । ଏପଟେ ପତ୍ନୀ ସୁରଭିଙ୍କର ଲାଳନ ପାଳନ ଓ ବାତ୍ସଲ୍ୟ ପ୍ରେମରେ ଭରିରହିଥିଲା ନିଜ ସନ୍ତାନ ମାନଙ୍କ ପ୍ରତି ଅତୁଟ ବିଶ୍ୱାସ । ଯେଉଁ ବିଶ୍ୱାସ ମା’ ପକ୍ଷୀଟିଏ ତା’ର ଖଣ୍ଡିଉଡ଼ା ପାଇଁ ପ୍ରସ୍ତୁତ ଶାବକମାନଙ୍କ ଦୁର୍ବଳ ପକ୍ଷ ଦ୍ୱୟରେ କରିଥାଏ । ସେହି ବିଶ୍ୱାସକୁ ପାଥେୟ କରି ଖଣ୍ଡିଉଡ଼ା ଦେଉଥିବା ଶାବକଟି ଦିନେ ଉଡ଼ିଯାଏ ସୁଦୂର ଗଗନକୁ ବିନା କୌଣସି ଦ୍ୱିଧାରେ । ମା’ ହିଁ ଶିଖାଇଥାଏ ନିଜ ପକ୍ଷ ଦ୍ୱୟର ବଳ ଉପରେ ବିଶ୍ୱାସ ରଖିବା ପାଇଁ । ଠିକ୍ ଏହିପରି ଏକ ବିଶ୍ୱାସ ରହିଥିଲା ବାପାମାଆଙ୍କର ନିଜ ଚାରି ସନ୍ତାନ ମାନଙ୍କ ଯୋଗ୍ୟତା ଆଉ ସମ୍ପର୍କ ଉପରେ ।

ଧୀରେ ଧୀରେ ଗଡ଼ିଚାଲିଲା ସମୟର ଚକ ଆଗକୁ ଆଗକୁ । ସେଦିନର ସେହି କୋମଳ ଶିଶୁରୂପି ଚାରାଗଛଗୁଡିକ ମହାଦ୍ରୁମରେ ପରିଣତ ହୋଇସାରିଥିଲେ । କିନ୍ତୁ ଗଛକୁ ଜଗିଥିବା ମାଳୀ ଉପନୀତ ହୋଇସାରିଥିଲେ ବୟସର ଅନ୍ତିମ ସୋପାନରେ । ବୟସର ଅପରାହ୍ନରେ ଏକା ପଡ଼ିଗଲେ ମା ସୁରଭି ଆଉ ନିରୁ ଜେଜେ । ଝାଟିମାଟିର ସେ ନୀଡ଼ଠାରୁ ଦୂରେଇଗଲେ ଚାରିପୁଅ । ଗଢ଼ିତୋଳିଲେ ନିଜ ନିଜର ବାସ । ସ୍ୱାଧୀନତାର ଦ୍ୱାହି ଦେଇ ଛିଣ୍ଡାଇଦେଲେ ସମ୍ପର୍କର ଡୋରୀକୁ । ପରିବାରର ପାରସ୍ପରିକ ସମ୍ପର୍କଟା ହୋଇପଡ଼ିଲା ଅଲୋଡ଼ା । ସମ୍ପର୍କ ହିସାବ କରିବସିଲା ଲାଭକ୍ଷତିର ଅଛିଣ୍ଡା ଗଣିତ । ଗୋଟିଏ ଗର୍ଭରୁ ଜାତ ଚାରି ସନ୍ତାନଙ୍କୁ ଏ ଦୁନିଆ ଶିଖାଇ ଦେଲା   ସମ୍ପର୍କରେ ଅର୍ଥର ମୂଲ୍ୟ । ସ୍ୱାର୍ଥ ପାଦେ ଆଗକୁ ଚାଲିଗଲା ଆଉ ସମ୍ପର୍କ ପାଦଟେ ପଛରେ ପଡ଼ିଗଲା । ସମ୍ପର୍କର ଏହି ଦୁର୍ବଳ ଡୋରୀଟିକୁ ସଜାଡ଼ୁ ସଜାଡ଼ୁ ଅତିଷ୍ଠ ହୋଇପଡ଼ିଲେ ସୁରଭି । ସେଦିନ ସୁରଭି ଏକାନ୍ତରେ ନିରୁ ଜେଜେଙ୍କୁ କହୁକହୁ କହିଦେଲେ “ଏଇ ଯଦି ଉଚ୍ଚଶିକ୍ଷାର ଫଳ ତେବେ ମୁଁ ମୋ ଅପାଠୁଆ ଜୀବନରେ ବୋଧହୁଏ ଶିକ୍ଷାର ଅର୍ଥଟିକୁ ଭୁଲ ଆକଳନ କରିଦେଲି । ଯଦି ଉଚ୍ଚଶିକ୍ଷାର ପ୍ରତିଦାନ ଏଇଆ, ତେବେ ମୁଁ କହିବି ସଂସାରର କୌଣସି ମା’ ଆଉ ତାଙ୍କ ସନ୍ତାନମାନଙ୍କ ପାଇଁ ସ୍ୱପ୍ନରେ ବିଭୋର ହେବାର ଆବଶ୍ୟକତା ନାହିଁ ।“

ପ୍ରକୃତରେ କାରଣଟି ହେଲା ନିରୁ ଜେଜେଙ୍କ ଚାରିପୁଅ ଉଚ୍ଚଶିକ୍ଷା ଲାଭକରି ରାଜ୍ୟରେ ଉଚ୍ଚ ପଦପଦବୀର ଅଧିକାରୀ ହୋଇଗଲେ । ଅର୍ଥର ପ୍ରାଚୁର୍ଯ୍ୟ ପାଖରେ ବନ୍ଧାପଡ଼ିଗଲେ ସେମାନେ । ମାଆବାପାଙ୍କର ଆଦେଶ ଉପଦେଶ ଅନୁମତି ଯେପରି ମୂଲ୍ୟହୀନ ହୋଇପଡ଼ିଲା ସେମାନଙ୍କ ପାଇଁ । ଜଣଙ୍କ ଇଚ୍ଛା ଅନ୍ୟ ପାଇଁ କୌଣସି ମହତ୍ୱ ରଖିଲା ନାହିଁ । ନିସର୍ତ୍ତ ପ୍ରେମ ବିବାହରେ ପରମୂହୁର୍ତ୍ତରେ ପଡ଼ିଗଲା ସର୍ତ୍ତର ଅନେକ ଲକ୍ଷ୍ମଣ ରେଖା । ଯେଉଁ ରେଖାର ଗୋଟିଏପଟେ ରହିଗଲା ନିରୁ ଜେଜେ ଆଉ ସୁରଭି ମାଙ୍କର ସେ ଝାଟିମାଟିର ନୀଡ଼ ଆଉ ଅନ୍ୟପଟେ ସନ୍ତାନମାନଙ୍କର ଇଚ୍ଛା ଆବଶ୍ୟକତା ଓ ସ୍ୱାଧୀନତା । ମାଆ ସୁରଭିଙ୍କର ଅନୁଶାସନ ପରମ୍ପରା ନୀତିନିୟମରେ ବୋଧହୁଏ ଦୁର୍ବିସହ ହୋଇପଡ଼ିଲା ନବବିବାହିତା ପୁତ୍ରବଧୁମାଙ୍କ ଜୀବନ । ଆଧୁନିକତାର ସ୍ପର୍ଶରେ ଜୀବନକୁ ଉପଭୋଗ କରିବାକୁ ଶିଖିଥିବା ଆଧୁନିକ ଶିକ୍ଷିତା ନାରୀଙ୍କ ପାଇଁ ମା ସୁରଭିଙ୍କର ପରମ୍ପରା ଆଉ ରିତିନୀତି ଥିଲା ବିଜ୍ଞାନସମ୍ମତ ଅନ୍ଧବିଶ୍ୱାସ । ବୋଧହୁଏ ଭୁଲିଗଲେ ସେମାନେ ଏହି ଅନ୍ଧବିଶ୍ୱାସଟା ହିଁ ଗଢ଼ିତୋଳିଛି ତାଙ୍କ ସ୍ୱାମୀଙ୍କ ସଫଳତାକୁ । ଧୀରେଧୀରେ ସ୍ୱାର୍ଥକୈନ୍ଦ୍ରିକ ହୋଇପଡ଼ିଲେ ନିରୁଜେଜେଙ୍କର ପ୍ରତ୍ୟେକଟି ସନ୍ତାନ । ଏପରି ଏକ ସମୟ ଆସି ଉପନିତ ହେଲା, ଯେଉଁଦିନ ବାପାମାଆଙ୍କର ରକ୍ଷଣା ବେକ୍ଷଣ ପାଇଁ ହେଉଥିବା ବ୍ୟୟର ସେ ଅଛିଣ୍ଡା ଗଣିତରେ ଘରେ ଚାଲିଲା ଶୀତଳ ଯୁଦ୍ଧ । ଏହିସବୁ ଭିତରେ ପରସ୍ପରଠାରୁ ଦୂରେଇ ଯିବାର ବାହାନା ଖୋଜାଚାଲିଲା । ମାତ୍ର ଏତେ ଦିନ ନୀରବରେ ଥିବା ନିରୁଜେଜେ ଅତିଷ୍ଠ ହୋଇ ସମ୍ପର୍କ ଛିନ୍ନ କରିବାର କଠୋର ନିଷ୍ପତ୍ତିଟେ ନେଲେ, ଯେଉଁଦିନ ଶତୃଘ୍ନର ଧର୍ମପତ୍ନୀ ସୁରଭିଙ୍କୁ ମୂର୍ଖ କହି ସମ୍ବୋଧନ କଲା । ଦେଖୁ ଦେଖୁ ମା’ ଚଢ଼େଇର ଝାଟିମାଟିର ନୀଡ଼ଟା ଭାଙ୍ଗିଗଲା ଆଉ ପିଲାମାନେ ଉଡ଼ିଗଲେ ପରସ୍ପରର ବିପରୀତ ଦିଗରେ ।

ବାପାମାଆଙ୍କ ଠାରୁ ଦୂରତାଟା ଏହାଭିତରେ ଅନେକ ବଢ଼ିଯାଇଥିଲା ପିଲାମାନଙ୍କର । ସେମାନେ ମଧ୍ୟ ନିଜନିଜର ସାଂସାରିକ ଜୀବନରେ ବ୍ୟସ୍ତ ହୋଇପଡ଼ିଥିଲେ । ମାଆବାପାଙ୍କର ଇଚ୍ଛା, ସ୍ୱପ୍ନ ମନର କୌଣସି ସ୍ଥାନ ନଥିଲା ସେମାନଙ୍କ ବ୍ୟସ୍ତବହୁଳ ଦିନଚର୍ଯ୍ୟା ଭିତରେ । ଯେଉଁ ମୁକ୍ତ ପବନର ଅନ୍ୱେଷଣରେ ଚାରି ପୁତ୍ର ମା’ର ନୀଡ଼ଟାକୁ ପଛ କରି ଚାଲିଆସିଲେ; ସେହି ପୁଅମାନଙ୍କର କର୍ମମୟ ଜୀବନରେ ମୁକ୍ତ ପବନଟା ମରୁର ମରିଚୀକା ପାଲଟି ଯାଇଥିଲା । ଅର୍ଥର ପ୍ରାଚୁର୍ଯ୍ୟ ସମ୍ମୁଖରେ ସ୍ନେହ ପ୍ରେମର ମୂଲ୍ୟ ହୋଇପଡ଼ିଥିଲା ନଗଣ୍ୟ । ସେଦିନ ସିନା ସୁଦାମାର ପ୍ରେମରସରେ ପୂର୍ଣ୍ଣ ଖୁଦ ମୁଠାଏ ହୋଇପଡ଼ିଥିଲା ସଂସାରର ସବୁଠାରୁ ଅମୂଲ୍ୟ ଦ୍ରବ୍ୟ ଏବେ କିନ୍ତୁ ମା’ର ପ୍ରେମକୁ ଆକଳନ କରାଯାଉଛି ଅର୍ଥର କଷଟିରେ । ଦୁଃଖର ବିଷୟ, ମମତା ଆଜି ପ୍ରାଚୁର୍ଯ୍ୟ ପାଖରେ ମୂଲ୍ୟହୀନ ।

ତଥାପି ମା’ ମନ ତ’ ଟିକିଏ ବ୍ୟାକୁଳ ହୋଇପଡ଼ିଲା ପୁତ୍ର ପୌତ୍ର ମୋହରେ । ଦିନେ ମା’ ସୁରଭି ନିରୁଜେଜେଙ୍କୁ କହିଲେ “ହେଇଟି ଶୁଣୁଛ ଟିକିଏ ରାମ ପାଖକୁ ଯାଆନ୍ତେ ନି ! ବହୁତ ଦିନ ହେଲା ନାତିଟୋକାଟାକୁ ଦେଖିନାହିଁ ।” ସୁରଭିଙ୍କର ସରଳ ମୁହଁଟିକୁ ଚାହିଁ ମନାକରିପାରିଲେ ନାହିଁ ନିରୁଜେଜେ । ହାତଧରି ନେଇଗଲେ ପୁଅ ପାଖକୁ । lପୁଅ ତାଙ୍କର ରାଜ୍ୟ ସଚିବାଳୟର ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ବୋଧହୁଏ ରାଜ୍ୟ ସାରାର ଲୋକଙ୍କୁ ସମୟ ଦେଉ ଦେଉ ନିଜ ପିତାମାତାଙ୍କୁ ସମୟଟା ଅଭାବ ପଡ଼ିଯାଉଛି । ସେଠାରେ ପହ‌ଞ୍ଚି ରହିବା ଭିତରେ ସୁରଭିଙ୍କ ଅସୁସ୍ଥ ଶରୀର ଯେମିତି ଅଧୈର୍ଯ୍ୟ କରିପକାଇଲା ପୁତ୍ରବଧୂଙ୍କୁ । ଅନିଚ୍ଛାକୃତ ସେବାଟା ଯେମିତି ବାରି ହୋଇପଡ଼ୁଥିଲା ସେଠାରେ । ଦିନେ କାହାରିକୁ କିଛି ନ କହି ନିରୁଜେଜେ ଆଉ ସୁରଭି ମା’ ଫେରିଗଲେ ତାଙ୍କର ସେହି ପୁରୁଣା ନୀଡ଼କୁ । ପୁଅ ମଧ୍ୟ ଜାଣିବାକୁ ଚେଷ୍ଟା କଲାନାହିଁ ବାପାମାଆଙ୍କର ଏଭଳି ହଠାତ୍ ଚାଲିଯିବାର କାରଣ ।

ଏହାଭିତରେ ବିତିଯାଇଛି ଅନେକ ବର୍ଷ । ହଠାତ ଆଜି ଦିନ‌ଦ୍ୱିପ୍ରହରରେ ଘରେ ପହଞ୍ଚିଛନ୍ତି ସମ୍ପୂର୍ଣ୍ଣ ପରିବାର । କାରଣଟା ଥିଲା ନାତିନାତୁଣୀଙ୍କ ଜିଦ୍ ଏଥର ଜେଜେଙ୍କ ଜନ୍ମଦିନ ପାଳନ ହେବ ଗାଁରେ । ସେଇଥିପାଇଁ ଏକାଠି ହୋଇ ଆସିଛନ୍ତି ସମସ୍ତ ପରିବାର । ସମସ୍ତ ନାତିନାତୁଣୀ ଦଉଡ଼ିଯାଇ ଘେରିଯାଇଛନ୍ତି ନିରୁ ଜେଜେ ଶୋଇଥିବା ଖଟ ଚାରିପଟେ । କିନ୍ତୁ ନିରୁ ଜେଜେ ବୋଧହୁଏ ଜାଣିପାରିଲେନି; କାହିଁ କିଛି ଶବ୍ଦ ତ’ କଲେନାହିଁ । ଏଥର ସମସ୍ତେ ମିଶି ଖୁବ ଜୋରରେ ପାଟିକଲେ । କିନ୍ତୁ ତଥାପି ନିରୁ ଜେଜେ ନୀରବ । ଦଉଡ଼ି ଆସିଲେ ପୁତ୍ର ଆଉ ପୁତ୍ରବଧୂ । ଖୁବ ଜୋରରେ ହଲାଇଦେଲେ ଦଉଡ଼ିଆ ଖଟଟାକୁ । ଲାଗିଲା ଜେଜେ ବୋଧହୁଏ ଆଜି ଖୁବ ଅଭିମାନ କରିଛନ୍ତି ସମସ୍ତଙ୍କ ଉପରେ । ମିଳିତ ଭାବେ ଏକ ଉଚ୍ଚସ୍ୱର ଖେଳିଗଲା ସମସ୍ତ ଅଗଣାରେ ।

ସଭିଏଁ ଉଚ୍ଚ ସ୍ୱରରେ ଡାକଟିଏ ଦେଲେ “ମା’ ! ତୁ କୋଉଠି ଅଛୁ ଶୀଘ୍ର ଚାଲିଆ ।” ହେଲେ ଘର ଭିତରଟା ଥିଲା ଶୁନ୍‌ଶାନ୍ । କେହି ହେଲେ ଆସିଲେ ନାହିଁ ବାହାରକୁ । ଆଶ୍ଚର୍ଯ୍ୟଭରା ନୟନରେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଦେଖୁଥିଲେ । ଆଉ ଦେଖୁ ଦେଖୁ ଖବରଟା ପ୍ରଚାର ହୋଇଗଲା, ନିରୁଜେଜେ ଆଉ ନାହାନ୍ତି । ସମସ୍ତ ହରିପୁର ଗାଁ ଆଜି କାନ୍ଦି ଉଠିଲା । ସଭିଁଙ୍କ ଆଖିରେ ଧାର ଧାର ଲୁହ ଆଉ ହୃଦୟରେ ଅସୁମାରୀ କୋହ । ସମସ୍ତେ ଧାଇଁଗଲେ ସେହି ଝାଟିମାଟିର ଖପର ଘର ଦିଗକୁ । ଏହା ଭିତରେ ନିରୁ ଜେଜେଙ୍କ ଦେହାନ୍ତ ଖବରଟା ପହ‌ଞ୍ଚି ଯାଇଥିଲା ହରିପୁର ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ମିଶ୍ରଙ୍କ ପାଖରେ । ଖବର ପାଇ ପହଞ୍ଚି ଗଲେ ଡଃ ମିଶ୍ର ନିରୁ ଜେଜେଙ୍କ ଘରେ । ଘରେ ପୁତ୍ର ଆଉ ପୁତ୍ରବଧୂମାନଙ୍କ ଉପସ୍ଥିତିଟାକୁ ଦେଖି ଏକ ତାଚ୍ଛଲ୍ୟ ଭରା ହସଟିଏ ହସିଦେଲେ ଡଃ ମିଶ୍ର । କହିଲେ “ଏତେ ଶୀଘ୍ର ମନେପଡିଲା ଗାଁ କଥା।” ବ୍ୟସ୍ତ ହୋଇ ରାମ ପଚାରି ପକାଇଲା “ମାଆଙ୍କର କ’ଣ ହୋଇଥିଲା?”

ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ଡଃ ମିଶ୍ର କହିଲେ “ସେ ଦିନ ଯେତେବେଳେ ତାଙ୍କର ବ୍ଲଡ୍ ରିପୋର୍ଟ‌ଟି ଦେଖିଥିଲି, ମୁଁ ଦୁଃଖରେ ଭାଙ୍ଗି ପଡ଼ିଥିଲି । କାରଣ ମୁଁ ଜାଣିଲି ଖୁବ ଶୀଘ୍ର ମୁଁ ଆଉ ଜଣେ ମାଆଙ୍କୁ ହରାଇବାକୁ ଯାଉଥିଲି, ଯେହେତୁ ତାଙ୍କର ବ୍ଲଡ୍‌ କ୍ୟାନସର ହୋଇଥିଲା । ହାତରେ ସମୟ ବି ଥିଲା ବହୁତ କମ୍ । ତେବେ ତୁମ ମାଆଙ୍କୁ ଏ ରୋଗର ଭୟାଭୟତା ଥିଲା ଅଜଣା । ତେଣୁ ଯେଉଁଦିନ ତୁମ ପାଖକୁ ତୁମ ବାପାମାଆ ଯିବାକୁ ବାହାରିଲେ ସେଦିନ ତାଙ୍କର ଦେଖାହୋଇଥିଲା ମୋ ସାଙ୍ଗରେ । ସେ ମୋତେ କହିଲେ “ବୁଝିଲୁ ପୁଅ ମୋ’ ବଡ ପୁଅ ପାଖକୁ ଯାଉଛି ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଛନ୍ତି । ବଡ଼ ଚାକାରୀ କରିଛି ସିଏ । ସେ ମୋତେ ସଙ୍ଗ ସଙ୍ଗେ ଭଲ କରିଦେବ । ତୁ ଦେଖିବୁନି ଦିନ କେଇଟାରେ ମୁଁ ପୁଣି ଠିକ୍ ହୋଇ ଚାଲିଆସିବି ।” ସୁରଭି ମାଆଙ୍କର ସେଇ କେଇପଦ କଥା ଶୁଣି ମୁଁ ହସ୍ପାତାଳରେ ଯାଇ ଖୁବ କାନ୍ଦିଲି । ସତରେ କ’ଣ ଠାକୁରେ ତୁମେ ସୁରଭି ମା’ର ଭରସାଟିକୁ ଭାଙ୍ଗିଦେବ ! ଶେଷରେ ମୁଁ ହାରିଗଲି ଆଉ ମା’ର ଭରସାଟା ବି ହାରିଗଲା । କିନ୍ତୁ ତୁମ୍ଭମାନଙ୍କୁ କହି କ’ଣ ହେବ? ତୁମ୍ଭ ମାନଙ୍କ ପାଇଁ ବାପାମାଆ ତ’ ଖଣ୍ଡିଏ ଅଦରକାରୀ କାଗଜଠୁ ଅଧିକ ନୁହେଁ । ଅନେକଥର ମୁଁ ପୁଅ ମାନଙ୍କୁ ଜଣାଇବାକୁ କହିଛି । କିନ୍ତୁ ପ୍ରତି ଥର ସେ କହନ୍ତି, ଆଉ ସେ ଅଛିଣ୍ଡା ଗଣିତଟା କଷିବାକୁ ମୋର ବଳ ନାହିଁ ବାପା । କ’ଣ କରିବି ଏପଟେ ପାଗେଳିଟା ମୋତେ ରାଣ ଦେଇଛି ପରା ତା’ ପିଲା ମାନଙ୍କୁ ହଇରାଣ ହରକତ ନ କରିବାକୁ ।“

ଆଉ ଅଧିକ କିଛି କହିପାରିଲେନି ଡାକ୍ତର ମିଶ୍ର । କଣ୍ଠ ତାଙ୍କର ବାଷ୍ପରୁଦ୍ଧ ହୋଇଆସିଲା । ଭରିଗଲା ପ୍ରତ୍ୟେକଟି ଜନମାନସର ଆଖିରେ ଲୋତକ । ଅନ୍ତିମ ବିଦାୟ ଜଣାଉଥିଲେ ସଭିଏଁ ନିରୁ ଜେଜେଙ୍କୁ । ରାମ ନିର୍ବାକ ହୋଇ ଚାହିଁଥାଏ ବାପାଙ୍କ ମୁଖ ମଣ୍ଡଳକୁ ଆଉ ଲକ୍ଷ୍ମଣ ଅଗଣାରେ ଥବା ସେ ଖଜୁରୀ ଗଛର ଗଣ୍ଡିକୁ, ଯାହାକୁ ନିରୁ ଜେଜେ ସେଦିନ କାଟିଦେଇଥିଲେ ଲକ୍ଷ୍ମଣ ପାଇଁ । ଦୁଷ୍ଟାମି ଆଳରେ ଖଜୁରୀ ଗଛରେ ଥିବା ବାଇଆ ଚଢେଇର ବସାଟିକୁ ଭାଙ୍ଗିବାକୁ ଯାଇ ଗଛରୁ ପଡ଼ି ହାତ ଭାଙ୍ଗି ପକାଇଥିଲା ଲକ୍ଷ୍ମଣ । ସେହି ରାଗରେ ମା’ ସୁରଭିଙ୍କ ବାରଣସତ୍ତ୍ୱେ ନିରୁଜେଜେ କାଟିଦେଇଥିଲେ ଖଜୁରୀ ଗଛଟା । କଥାଟା ଭାବୁ ଭାବୁ ଲକ୍ଷ୍ମଣର ନୟନ ଯୁଗଳରେ ଭରିଗଲା ପଶ୍ଚାତାପର ଅଶ୍ରୁ । ଏପଟେ ଭରତ ଆଉ ଶତୃଘ୍ନ ବାହାରିଲେ ଦାହ ସଂସ୍କାର ପାଇଁ ବାଡ଼ିପଟ ଆମ୍ବ ତୋଟାରୁ ଗଛଟିଏ କାଟିବାକୁ ।

କିନ୍ତୁ ଏ କଣ? ହଠାତ ସେ ଦୁହିଁଙ୍କ କରୁଣ ବିଳାପରେ ଧ୍ୟାନ ଭାଙ୍ଗିଗଲା ରାମ ଆଉ ଲକ୍ଷ୍ମଣର । ସମସ୍ତେ ଧାଇଁଗଲେ ବାଡ଼ିପଟ ଆମ୍ବତୋଟାକୁ । ଦେଖିଲେ, ଦୁହେଁ ଆମ୍ବଗଛକୁ ଧରି ବିଳାପ କରିଚାଲିଛନ୍ତି । ସମସ୍ତେ ପାଖକୁ ଯାଇ ଦେଖିଲେ ଆମ୍ବ ଗଛରେ ଖୋଦେଇ ହୋଇଛି ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ନାମ । ରାମ ଦଉଡ଼ିଗଲା ଆଉ ଗୋଟିଏ ଗଛପାଖକୁ; ଆଉ ଏହିପରି ଦଉଡ଼ିବୁଲିଲା ସଂମ୍ପୂର୍ଣ ଆମ୍ବତୋଟାରେ । ତୋଟାର ପ୍ରତ୍ୟେକଟି ଗଛରେ ଖୋଦେଇ ହୋଇଥିଲା ପ୍ରତ୍ୟେକ ସଦସ୍ୟଙ୍କ ନାମ । ଲାଗୁଥିଲା, ପୁରା ଆମ୍ବ ତୋଟାଟି ଏକ ସମ୍ପୂର୍ଣ ପରିବାର । କାହାକୁ କାଟିବେ ସେମାନେ?

ଏପରି ଏକ ପରିସ୍ଥିତି ଯାହା ରଚିଦେଲା ହାହାକାର । ଆଉ ଧୈର୍ଯ୍ୟ ନଥିଲା କାହାରି । ଚାରିପୁଅ ଯାଇ ବସିପଡ଼ିଲେ ସେଇ ବୁଢ଼ା ଆମ୍ୱଗଛ ତଳେ, ନିରୁଜେଜେଙ୍କ ମୁଣ୍ଡ ପାଖରେ । ବୋଧହୁଏ ଆଜି କଥା କହୁଥିଲା ମା’ ସୁରଭିଙ୍କ ଦିଆ ସଂସ୍କାର ଆଉ ଅନୁଶାସନ ।

ସମସ୍ତେ ନିର୍ବିକାର । ହଠାତ୍ ସାନ ନାତୁଣୀଟି କହିଉଠିଲା “ବାବା ଦେଖ ! ସେଇଠି କଣ ଲେଖା ହୋଇଛି?

ସମସ୍ତେ ସେ ଦିଗକୁ ଧ୍ୟାନ କେନ୍ଦ୍ରିତ କଲେ । ଦେଖିଲେ ବୁଢା ଆମ୍ବଗଛରେ ଖୋଦିତ ହୋଇଛି କେବଳ ଗୋଟିଏ ନାଁ, ‘ସୁରଭି’ । ଆଉ ସେହି ନାଁକୁ କୁଣ୍ଢାଇ ଧରି ବିଳାପ କରିଉଠିଲା ସମସ୍ତ ପରିବାର । ସେଦିନ ସେହି ଆମ୍ବ ଗଛର କାଠରେ ସମାପ୍ତ ହେଲା ନିରୁ ଜେଜେଙ୍କ ଦାହ ସଂସ୍କାର ଆଉ ଯବନିକା ପଡ଼ିଗଲା ଏକ ଯୁଗର । ଆଜି ଅନେକ ନିରୁ ଜେଜେ ଆଉ ସୁରଭିମା’ ଏକାନ୍ତ ଆଉ ନିଃସଙ୍ଗ । ତାଙ୍କର ନିଃସଙ୍ଗତା ପ୍ରଶ୍ନବାଚୀ ସୃଷ୍ଟି କରୁଛି ମଣିଷକୁ ସାମାଜିକପ୍ରାଣୀ ବୋଲି କହିବାରେ । ତେବେ ପ୍ରକୃତରେ ଆଜିର ସମାଜରେ ପରିବାର ର ସ୍ଥିତିଟା କଣ????

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.