ମିଛ ମରୀଚିକା

mirage inspirational moral story in hindi
Reading Time: 7 minutes

ଟେଲିଫୋନ୍‌ର କଥାରୁ ଜଣାପଡୁଛି କବିତା ସୁନ୍ଦରୀ , ସିଏ କବିତା ଲେଖେ । ଏଇ କିଛିଦିନର ପତ୍ରିକାଗୁଡିକରେ ପ୍ରକାଶିତ ଯେଉଁ କେତୋଟି କବିତା ମୋ ନଜରକୁ ଆସିଛି ,ପ୍ରତିଟି ରଚନାରେ କ୍ଷଣିକ ପାଇଁ ଆତ୍ମବିସ୍ମରୁତ କରିଦେବାର ଭାବ ଅଛି । ମୁଁ ଆଗରୁ ତାର କେତୋଟି କବିତା ପଢିଛି । କିନ୍ତୁ ଟେଲିଫୋନ୍ କି ଚିଠି, ସମେତ କିଛି ବି ଯୋଗାଯୋଗ କରିପାରିନି । ତାର କାରଣ ଅବହେଳା ବା ଅନ୍ୟ ଅଣ ଉଲ୍ଳେଖ୍ୟ ଯୋଗ୍ୟ କାରଣରୁ ହୋଇପାରେ ।

ଆଜି ମୋତେ ତା ନମ୍ବର ନ ମିଳେ କି ମୁଁ କଥା ନ ହୁଏ । କିନ୍ତୁ କବିତା ଯେ , କହୁ କହୁ ଏମିତି କଥା କହିବ ମୋ ଧାରଣା ବାହାରେ । ଅବଶ୍ୟ ମୋ ଉଦ୍ଧେଶ୍ୟରେ ଏ ସବୁ କହୁନାହିଁ ବୋଲି ସେ ସ୍ପଷ୍ଟିକରଣ ଦେଇସାରିଚି । ତା ସତ୍ତ୍ୱେ ମଧ୍ୟ ତା କଥାର ନେପଥ୍ୟରେ ଶୁଭୁଥିବା , ଦିଶିଯାଉଥିବା କଥାଟି ସହଜରେ ବୁଝିହେଉଛି କବିତା ସୁନ୍ଦରୀ । ତା ନ ହେଇଥିଲେ ବାରମ୍ବାର ପାଠକେ ତାକୁ ଟେଲିଫୋନ କରନ୍ତେ , ଲେଖାକଥା କମ ଅନ୍ୟ ଅପ୍ରାସଙ୍ଗିକ କଥା କହି ବେଶି ପ୍ରଶଂସା କରନ୍ତେ ! କବିତାରେ କଣ ଭଲ ଲାଗୁଚି , ଲେଖାରେ ଗଢ଼ଣ , ଶବ୍ଦ ବିନ୍ୟାସ କି ଭାବର ସାନ୍ଦ୍ରତା ଏସବୁକୁ ନେଇ କଥା ହୁଅନ୍ତେ ଭଲା ।

ଯେଉଁ କାରଣରୁ ସିଏ ବିରକ୍ତ , ବିବ୍ରତ ବି । ମୋ ସହ କଥା ହେଲାବେଳେ ସିଏ ସୂଚେଇ ଦେଇଛି ତାକୁ ଟେଲିଫୋନ୍ କରିବାର ପ୍ରକୁଷ୍ଠ ସମୟ ହେଉଛି ତା ବାବୁ ଅଫିସ୍‌ ଯିବା ପରେ , ଅଫିସ୍‌ରୁ ଫେରିବା ପୂର୍ବରୁ । ଅର୍ଥାତ ଦଶଟାରୁ ପାଞ୍ଚଟା । ପାଠକମାନେ ଅନ୍ତତଃ ବୁଝିବା ଦରକାର ନୁହଁ କି , ତା ବାବୁ ଘରେ ଥିବାବେଳେ ତା ସହିତ ଅନାବଶ୍ୟକ ଭାବରେ ଘଣ୍ଟା ଘଣ୍ଟା ଧରି ଗପିବା ଠିକ୍‌ ନୁହେଁ , ଏମିତି ଅପରଚିତଙ୍କ ସହିତ କଥା ହେବାକୁ ଘରେ କଣ ଭାବିବେ !

କବିତାର ନିଶ୍ଚେ ଘରକାମ ଥିବ । ତା ବାବୁଙ୍କ ପାଣି ସମୟ ପୂର୍ବରୁ ଖାଇବା ପ୍ରସ୍ତୁତ କରିବା , ଟିଫିନ୍‌ ବାକ୍ସ ପ୍ରସ୍ତୁତ କରିବା , ଗେଟ ଯାଏ ବଳେଇ ଦେଇ ଆସିବା , ଏମିତିକି ଅଫିସ୍‌ରୁ ଫେରିଲେ ଟିକେ ଚା ଜଳଖିଆ କରିବା । ୟା ବାଦ ଅନ୍ୟାନ ଘରକରଣା । ପିଲାଟିଏ ଥିବ ତ (ଯଦିଓ ଜଣାପଡିନାହିଁ ) ତା ପାଇଁ ସମୟ ଦେବାକୁ ପଡୁଥିବ । ଏ ସବୁ ପାଠକମାନେ କଣ ବୁଝି ପାରନ୍ତି ନାହିଁ ! ହାଏ !

କବିତା ସୁନ୍ଦରୀ ଏ କଥା ତା ସ୍ୱାମୀ ଯେତିକି ବୁଝିଥିବେ , ତା ଠୁଁ ଅଧିକ ମୁଁ ବୁଝିସାରିଚି । ଯେବେ ସିଏ ମୋତେ କହୁ କହୁ କହିଚି , ତମ କଥା ନିହାତି ଅଲଗା , ତମ ସହ କଥା ହେବାକୁ ମତେ ଭଲଲାଗେ । କାହିଁକି ଯେ ତମେ ବହୁତ କାମ ଟେଲିଫୋନ୍ କର । ସେବେଠୁ ମୁଁ କବିତା ଏବଂ ତା ଲେଖା ପ୍ରେମରେ ଆକ୍ତା ମାକ୍ତା ।

ଏବେ ମୁଁ ପ୍ରାୟ କବିତାର ଲେଖା କଥା ଭାବେନ , ଭାବେ ତା କଥା । ଯଦିଓ ତାର ଲେଖାର ପ୍ରତିଟି ଧାଡି ମୋତେ ଚଇତି ଛୁଆଁ ପରି ସ୍ପନ୍ଦିତ , ଶିହରୀତ କରେ , ତନ୍ମୟ ବିଭୋର କରେ । ଲେଖାର ଛୁଆଁ ବାଦ ମୁଁ ଆଶାତୁର ହୋଇପଡେ କବିତାର ଛୁଆଁ ପାଇଁ । ଇଚ୍ଛା ହୁଏ ଟେଲିଫୋନ୍ କଥା ନୁହଁ ବରଂ ପାଖରେ ପାଇଲେ ଆହୁରି ଅନେକ କଥା ହୋଇପାରନ୍ତା ।

ମୁଁ ଜଣେ କବିତା ଏକ ସୃଜନ । ଗୋଟିଏ ସଂଚାରିତ ଭାବ ଅଛି ସୃଜନରେ । ଯାହା ତା ଆଖପାଖକୁ ସଂଚାର ଯାଏନା କେବଳ , ଆଦ୍ର କରେ , ସିକ୍ତ କରେ । କବିତାକୁ ପାଖରେ ପାଇଲେ ଜାଣେନା ମୋ ମନର ଆଦ୍ର ଭୂଇଁରେ କି କି ଫସଲର ଅଙ୍କୁରୋଗଦମ ହବ ।

ପ୍ରଥମେ ପ୍ରଥମେ କବିତାର ଲେଖାଟିଏ ପଢିଲେ ମୁଁ ଟେଲିଫୋନ୍ କରେ , ତାହା ମାସରେ ଅବା ଦି ମାସରେ । ଏବେ ଲେଖାଭିନ୍ନ ବ୍ୟକ୍ତିଗତ ଆଗ୍ରହରୁ ସେ ବ୍ୟବଧାନ କମିସାରିଛି । ଦିନରେ ଥରେ ଟେ, ଟେଲିଫୋନ୍ ନ କଲେ ଭଲ ଲାଗେନା । ଏବେ ତ ମୁଁ ଭୁଲିସାରିଚି କେବେ ସିଏ କହିଥିଲା ବାରମ୍ବାର ଟେଲିଫୋନ୍ କରି ତାକୁ ବିରକ୍ତ କରାଯାଉଛି ।

କବିତା ସୁନ୍ଦରୀ । କବିତା ଚାତୁରୀ ନୁହଁତ ! ଏଇ କେତେଦିନର ତାର ତାଳମେଳ ରହୁନଥିବା କଥାରୁ ମୁଁ ଅନୁଭବ କରୁଚି । ଏଇ ଜୁଲାଇ ଅଠର ତାରିଖରେ କଥା ହେଲା ରବୀନ୍ଦ୍ର ମଣ୍ଡପରେ ଆମର ଦେଖା ହେବ । ସେଇଟା ଆମର ପ୍ରଥମ ଦେଖା ହେଇଥାନ୍ତା । ସେଦିନ ମୁଁ କେମିତି ମୋର ପ୍ରଥମ ଲୁକରେ କବିତାର ପସନ୍ଦ ହେବି ସଜେଇଛି | ଏକ୍ସକ୍ଲୁସିଭ୍‌ଲି ଦାମୀ ଡ୍ରେସ , ପରଫ୍ୟୁମ୍‌ କିଣିଚି । ଉତ୍କଣ୍ଠିତ ଭାବରେ ରବୀନ୍ଦ୍ର ମଣ୍ଡପର ପୋଗ୍ରାମ୍‌କୁ ଛାଡି ହଲ ବାହାରେ ଅପେକ୍ଷା କରିଚି । ବାରମ୍ବାର ଘଡି ଦେଖିଚି | ପୋଗ୍ରାମ ସାରିଚି , ଘରକୁ ଫେରିବା ବିଳମ୍ବ ହେଇଚି , ଅଥଚ ….. କବିତା ଆସିନାହିଁ | । ଆସିଚି ତା ଫୋନ୍ – ସରି , ବାବୁଙ୍କର ଟିକେ ପ୍ରେସର ବଢିଯାଇଛି । ଶହେ ଅଶୀ , କଣ କହିବି କଥା ଦେଇ ଆସିପାରିଲିନି ।

ବାବୁଙ୍କ ପ୍ରେସର ତିନିସ ହେଇଯାଉ । ସେଯାଏ ମୁଁ ଅପେକ୍ଷା କରିବି । ସେତକ ହେଇଗଲେ କେଜାଣି କବିତା ସହିତ ମିଶିବାର ଆଉ ବାଧା ରହିବ ନାହିଁ , ମନେ ମନେ ମୁଁ କହିହେଲି । ମନକୁ ସାନ୍ତ୍ଵାନା ମଧ୍ୟ ଦେଲି କବିତା ଏମିତି ନ ଆସିଲା ନାହିଁ ଏକାଥରେ ନିଃସଙ୍ଗ ହୋଇଆସୁ । ଦ୍ୱିତୀୟ ଭେଟ ପାଇଁ ଥିଲା ଅଗଷ୍ଟ ୯ , କ୍ରାନ୍ତି ଦିବସ (ଏକଥା କବିତା ଜାଣିଥିବା କି ନାହିଁ ) ଇନ୍ଦିରା ପାର୍କର ସିମେଣ୍ଟ୍‌ ବେଞ୍ଚ୍‌ ,କ୍ରୋଟନ ଗଛ ହିଁ କହିବ ମୁଁ କେତେଥର ଝାଳକୁ ଥାପି ଥାପି ମୋ ମୁହଁର ମେକଅପ୍‌କୁ ବଞ୍ଚେଇ ରଖିଚି ଖାସ କବିତା ଆସିବା ଯାଏ । କେତେଥର ପାର୍କରେ ଅନ୍ୟମାନଙ୍କ ନଜରକୁ ଆଡେଇ ପକେଟରୁ କାଗଜରେ ଗୁଡ଼େଇଥିବା ପାଉଡର ବାହାର କରି ମୁହଁରେ ନ ମାଖିଚି । ବିରକ୍ତରେ ସମୟକୁ ପାର କରିବାକୁ ଫୁଲଗଛ , ପ୍ରଜାପତି , ଘାସ ଲନ ଆଡେ ଚାହିଁ ଚାହିଁ ନିଜକୁ ଭୁଲେଇଛି । ଫେରିବା ବେଳେ ମୋତେ ଲକ୍ଷ୍ୟ କରୁଥିବା କେତେଟା ଟୋକାଙ୍କର କଟାକ୍ଷ (ପ୍ରେମିକାର ଅପେକ୍ଷ୍ୟରେ ପ୍ରେମିକ କି ବ୍ୟସ୍ତରେ ବାପ୍ ପା ) ଶୁଣି ଶୁଣି ଫେରିଚି । କବିତାକୁ ଛଳନା ମୟୀ ବୋଲି ଭାବିଚି । ଏସବୁ ପରେ ବି ତାର ପଦେ କଥା – ପ୍ଲିଜ୍‌ ମତେ ଭୁଲ ବୁଝନି , ମୋର ଆଦୌ ମନେ ନାହିଁ ଆଜି ଜଣେ ଡାଏଟିସିଆନ୍‌ଙ୍କର ଘରକୁ ଆସିବାର ଥିଲା ,ପୁଣି ଏଇ ଟାଇମିରେ ।

କବିତାକୁ ପାଇବା , ଏକାନ୍ତ ନିଜର କରି ପରିବାର ତୀବ୍ର ଇଚ୍ଛା ଆଗରେ ତାର ଏସବୁ ଫାଜିଲାମି ଆପେ ଆପେ କ୍ଷମା ହୋଇଯାଇଚି । ମୋ ଅସଫଳତାର ମାଇଲିଖୁଣ୍ଟ ହୋଇ ସେଇ ଦିନଗୁଡାକ ମୋତେ ପଛକୁ ଠେଲିବ ପରିବର୍ତେ ଆହୁରି ଆଗେଇ ଯିବାକୁ ଟିହାଇଛି । କାମନାର ଅବଦନୀୟ ମନ ମୋତେ ଆଗେଇ ନେଇଛି ସେଇ ନିଦ୍ଧିଷ୍ଟ ବିନ୍ଦୁକୁ ଯେ , ଏସବୁ ଅସଫଳ ଦିନ ଏମିତି ସମୟକୁ ଦିନେ ଡାକି ଆଣିବ ତାହା ଘଣ୍ଟାଏ ଦି ଘଣ୍ଟା ପାଇଁ ନୁହଁ , ସେ ସାରାଜୀବନ ପାଇଁ ମୋର ହୋଇଯିବ । ପୁଣି ବିନା ଫେଲ୍‌ରେ ।

କବିତା ସୁନ୍ଦରୀ ।

ସୁନ୍ଦରୀ ମାନେ ସହଜରେ ଧରା ଦିଅନ୍ତିନି , ସତ କହନ୍ତିନି । ଖାସ୍‌ ଏଇଥିପାଇଁ କି କଣ ଜାଣେନା ଆମର ଥରକୁ ଥର ସ୍ଥିର ହେଇ ମଧ୍ୟ ଏବେଯାଏ ଥରେ ଭେଟ ହୋଇପାରିନି । ସବୁଗୁଡ଼ା ନିଦ୍ଧାରିତ ଦିନ , ସମୟ , ସ୍ଥାନ ମୋର ମନେଅଛି । ଅଗଷ୍ଟ ଶେଷ ରବିବାର ସ୍ଥାନ ଚିଲଡ୍ରେନ୍‌ ପାର୍କ , ଅପରାହ୍ନ ପାଞ୍ଚଟା । ସେପ୍ଟମ୍ବର୍‌ ଷୋହଳ , ଚନ୍ଦ୍ର ଗ୍ରହଣ , ସାନ୍ଧ୍ୟ ଛଅ ପ୍ଲାନେଟୋରିୟମ୍‌ । ଅବଶ୍ୟ ଏସବୁ ଦିନ ଛୁଟିଦିନ । ହୁଏତ କବିତାର ବାବୁ ଚାହିଁଥିବେ ଘରେ ରହି ଦିନଟାକୁ ଏନଜଏ କରିବାକୁ । ବାବୁଙ୍କ କଥାକୁ ଏଡେଇ ନପାରେ …… ।

ଦିନେ ଏମିତି ସମୟ ଆସିବ , ମୁଁ ନୁହେଁ ବରଂ କବିତା ତା ଆଡୁ କହିବ ଆସ ମୁଁ ଏବେ ବୁଦ୍ଧବିହାର ପାଖ ପାର୍କରେ ଏକୁଟିଆ ବସି ବୋର ହେଉଛି ।

ମୋ ଭାବନାଠୁ ଆହୁରି ଅଧିକ ଚମକ୍‌ପ୍ରଦ , ଅବିଶ୍ୱସନୀୟ ଭାବରେ ସତକୁ ସତ କବିତା ଫୋନ୍‌ରେ କହିଲା – ଦେଖ କଉ ପାର୍କ କି ମନ୍ଦିର ଯିବା ଦରକାର ନାହିଁ , ଆଜି ତମେ ଘରକୁ ଆସ । ଏଇଠି ଆମେ ମନଇଚ୍ଛା କଥା ହୋଇପାରିବା । ଝରିବାଣରେ ନିଆଁଝୁଲ ସଂଯୋଗ ହେବାପରେ ଉଛୁଳି ପଡିବ , ବିଛେଇ ହେଇ ପଡିବା ପରି ମୋ ଅବସ୍ଥା । ମୋ ସମ୍ପୂର୍ଣ ସତ୍ତାରେ ହଲ୍‌ଚଲ୍‌ । ଚିନ୍ତାଚେତନା କୋଳାହଳମୟ । କବିତାଠୁ ଆଜି ନିମନ୍ତ୍ରଣ ମିଳିଚି ତା ଘରକୁ ଯିବାକୁ । ସୁତରାଂ ମୁଁ କଣ ଭାବିବି ଯେ ଘରେ ତା ବବୁଥିବେ ଆଉ ସେ ମୋତେ ଡ଼ାକିଥିବ ! ତାର ଅନେକ କାମର ବ୍ୟସ୍ତତା ଥିବା , ଅଥଚ ମୋତେ ଡାକି ପଡେ କଥା ହେବାକୁ ତା ପାଖରେ ଫୁର୍‌ସତ୍‌ ନ ଥିବ ! ସିଏ ଅବଶ୍ୟ ତା ଘର ନୁହଁ , ମନ ହୃଦୟରେ ବି ଫାଙ୍କା ଫାଙ୍କା ଏକଦମ ନିଶୂନ୍ୟ ହିଁ ଥିବ । ଆଉ ସେ ସମୟ କେବଳ ଆମ ପାଇଁ ଥିବ । ଦୁହେଁ ଥିବୁ , ବସିଥିବୁ , ଗପୁଥିବୁ , ହସୁଥିବୁ , ଝୁସି ହଉଥିବୁ ,ପାଖାପାଖି ,ଖୁବ ,ଖୁ ..ଉ ..ବ ।

କବିତା ଘରେ ପାଦଦେଇ , ତା ବୈଠକ ଘରେ ବସି ଅନୁମାନ ଲଗେଇ ସାରିଚି ତା ସ୍ଟାଟସ୍‌ ବାବଦରେ । ମୋ କଳ୍ପନାଠୁ ଅଧିକ ସ୍ୱଚ୍ଛଳ ଚଳଣି । ସମ୍ପୂର୍ଣ ଆଧୁନିକ ସମ୍ଭାରରେ ଘରର ସାଜସଜ୍ଜା , ଏସବୁ ଭିତରେ କବିତା … ଆଃ ! ସୁନ୍ଦର ! ମୋତେ ଘର ଭିତରକୁ ସ୍ୱାଗତ କରି ଆଣିବା ଯାଏ ତା ମୁହଁରେ ଲାଖି ରହିଚି ଅମଳିନ ହସ । ମୋ ସାମ୍ନା ସୋଫା ଉପରେ ସିଏ ବସିଛି । ଯିଏ କେହି ତାକୁ ଝିଅଟିଏ ବି କହିପାରେ । ଯୌବନର ପଲିସ କରା ସୌନ୍ଦଯ୍ୟ ତା ଦେହର ପ୍ରତି ଇଞ୍ଚରେ । ମୁଁ ମୁଗ୍ଧ ,ଚକିତ । ବିସ୍ମୃତିର କେଉଁ ଅତଳ ଖାଇରୁ କେହି ମୋତେ କହୁଚି ଏମିତି ପ୍ରେମିକଟିଏ ପାଇବାକୁ ହେଲେ ବର୍ଷରେ ପାଞ୍ଚଟା ଡେଟ ଫେଲ କରି ତୁ ବେଶୀ କଣ କରିଛୁ ? ଜୀବନଟା ଖାଲି ବିଫଳ ଦିନମାନଙ୍କରେ ଭର୍ତ୍ତିହେଇଯାଉ , କ୍ଷତି କଣ ଏମିତି ଦିନଟିଏ ପାଇବାରେ ?

କିଛି ସମୟ ପରେ ଝିଅଟିଏ ଆଣି ଥଣ୍ଡା ପାନୀୟ ଥୋଇଦେଲା । ବୟସ କୋଡିଏ ପାଖାପାଖି । ଶ୍ୟାମଳ ରଙ୍ଗ , ପିନ୍ଧିଚି ଶାଲ୍‌ୱାର ପଞ୍ଜାବୀ , ମୋ ଆଡକୁ ସମ୍ଭ୍ରମତାରେ ହସଧାରେ ଫିଙ୍ଗିଦେଇ ନମସ୍କାର କଲା ଏବଂ ମୋ ପ୍ରତି ନମସ୍କାରକୁ ଅପେକ୍ଷ୍ୟ ନ କରି ଭିତରକୁ ଚାଲିଗଲା ।

ଭିତର ଘରୁ ଶୁଭୁଚି ଟୁଙ୍ଗ -ଟାଙ୍ଗ ଶବ୍ଦ । ବୋଧହୁଏ ଜଳଖିଆ ପ୍ରସ୍ତୁତ କରୁଚି ଚାକରାଣୀ ଝିଅଟା । ତାକୁ ଦେଖିବା ପରଠୁ ମୋ ପ୍ଳାନିଙ୍ଗ୍‌ରେ ସାମାନ୍ୟ ପରିବର୍ତ୍ତନ ହୋଇସାରିଚି । ଭାବିଥିଲି ଘର ଭିତରେ କବିତା ଏକୁଟିଆ ହିଁ ଥିବ । କଥାବାର୍ତ୍ତାରେ ଯେତେ ମନ ଖୋଲି ଦେଇ ବି ଶୁଣିବାକୁ କେହି ନ ଥିବେ । ଅଥଚ ଝିଅଟା ଉପସ୍ଥିତିରେ …. ତେବେ ଚଲିବ । ପ୍ରଥମେ ତ ଦେଖିବାକୁ ହେବ କବିତାର ମନୋଭାବ କଣ । କଥା ଆରମ୍ଭ ହେଲେ ଜଣାପଡିବ ଯେ ।

ବାରମ୍ବାର କବିତାର ଚାହାଣି ମୋ ସାମ୍ନା ସୋଫାରେ ବସି ମଧ୍ୟ ଚାଲିଯାଉଚି ଭିତର ଘର ଆଡକୁ । ଲାଗୁଚି ଝିଅଟା ଉପସ୍ଥିତିରେ ସିଏ ମଧ୍ୟ କଥା ହେବାକୁ ସଂକୋଚ କରୁଚି । ନା – ଏମିତି ହେଇପାରେ ଝିଅଟାର ଉପସ୍ଥିତିକୁ ଦେଖିଚାହିଁ ମୋ ସହ କଥା ହେବ ବୋଲି ଭାବୁଚି ।

ଧେତ୍‌ ଯଦି ଏମିତି କିଛି ହେବାର ଥିଲା ତା ହେଲେ ମୋତେ ଘରକୁ ଡାକିବାର ମାନେ କଣ ? କହିଥିଲେତ ସହରର ଅନେକ ଭଲ ଜାଗାରେ ଆମେ ମିଶି ପାରିଥାନ୍ତେ । ୟା ଭିତରେ ଔପଚାରିକ ଭାବରେ ପଦେ ଅଧେ କଥା ସରିଚି । ମୋ ଭିତରେ ଅଧୀର ଭାବ , ମୁଁ ଚେୟାର ଛାଡି କବିତା ବସିଥିବା ସୋଫା ଉପରକୁ ଯିବାକୁ ଭାବୁଚି କିନ୍ତୁ ତା’ର ଏମିତି ହାବଭାବ ଦେଖି ମୁଁ ନଯଯୌ ନତସ୍ତୌ ଅବସ୍ଥାରେ ।

ମୋ ଭିତରେ ଅଥୟ ସମୁଦ୍ରଟେ ଲହଡି ଭାଙ୍ଗୁଚି କୂଳ ଲଙ୍ଘିବାକୁ , କବିତାକୁ ଛୁଇଁବାକୁ । କିନ୍ତୁ …..

କେତେ ସମୟ ପରେ ଝିଅଟା ପୁଣି ଆସିଲା । ହାତରେ ଜଳଖିଆ ପ୍ଲେଟ୍‌, ଭରା ପ୍ଲେଟ ପରି ତା ମୁହଁର ପୁରନ୍ତା ହସ ଅନତିଦୀର୍ଘ ଉପତ୍ୟକାଟେ ପରି ଲମ୍ବି ଆସୁଚି ମୋ ଆଡକୁ । ମୋ ଅଭ୍ୟନ୍ତରକୁ । ଏକଥା କବିତା ନଜରରେ ନ ଆସୁ …. ଚଟାପଟ ଆଖି ଫେରାଇ ଆଣିଲି ।

ଝିଅଟା ଟି ପୟ ଉପରେ ଜଳଖିଆ ରଖିଲା । ଚାଲିଯିବା କଥାତ , ଅଥଚ ଠିଆ ହୋଇ ରହିଲା ଯେ !

କବିତା କହନ୍ତାନି – ଯା ଭିତରକୁ ଯା , ଅବା ଆଜି ତୋର ଛୁଟି, ତୁ ଘରକୁ ଯାଇପାରୁ , ନା ଏମିତି କିଛି ହଉନିତ ! ଝିଅଟା ବି ସେମିତି ଛିଡା ହୋଇଛି ,ଓଃ …….

କବିତା ମୋତେ ଖାଇବାକୁ ଇସାରା କରି ଝିଅଟାକୁ ମଧ୍ୟ ବସିବାକୁ କହିଲା , ମୁଁ ପାଟିକୁ ନେଉଥିବା ବରଫି ଟୁକୁଡା ମୋ ହାତରେ ହିଁ ଅଟକି ଗଲା । ଝିଅଟା ମଧ୍ୟ ସଂକୋଚରେ ବସି ସାରିଚି ସୋଫା ଉପରେ ।

ଯାଃ , ଆଜି ସୁଯୋଗ ଦୁଯୋଗ୍‌ରେ ପରିଣତ ହେଇ ଯାଉନି ତ !

କବିତା କହିଲା – ଆରେ ଆରେ ଆପଣ ଅଟକି ଗଲେଯେ ! ନିଅନ୍ତୁ ନିଅନ୍ତୁ । ଅଗତ୍ୟା ମୁଁ ବରଫି ଟୁକୁଡାକୁ ପାଟିରେ ପୁରେଇଛି , ସିଏ ପୁଣି ଆରମ୍ଭ କଲେ – ଯିଏ ସାହିତ୍ୟ ପାଇଁ ସହୃଦୟ ପାଠକଟିଏ ହୋଇପାରିଚି ଭାବୁଚି ସେ ମଣିଷଟି ସମସ୍ତଙ୍କ ପାଇଁ ଜଣେ ଉତ୍ତମ ମଣିଷ ହୋଇପାରିବେ ।

ମୋ ମୁହଁ ରେ କୃତଜ୍ଞତାର ହସ ।

କବିତା ଝିଅଟିକୁ ଇଙ୍ଗିତ କରି କହିଲା – ଇଏ ଏଇଠି ମୋ ବାହାହେବା ଠାରୁ ରହିଆସିଛି । ୟାଙ୍କ ଗାଁ ର ଝିଅ । ବାପା ମାଆ ଭାରି ଗରିବ କିନ୍ତୁ ସଚୋଟ ପରୋପକାରୀ । ସେଇଥିପାଇଁ ବାବୁ ତାକୁ ସାଙ୍ଗରେ ଆଣିଛନ୍ତି ଭୁବନେଶ୍ୱର ।

ଧେତ୍‌ , କବିତା କଣ ଆମ ସମୟ ଗୁଡା ଏଇ ଝିଅଟା ବିଷୟରେ କହି କହି ବରବାଦ କରିବେ ନା କଣ ! ଝିଅଟା ବି କେତେ ବୋକୀ , କିଛି ବି ବୁଝିପାରୁନି , ବସିକି ରହିଚି ଚାଲିଯାନ୍ତାନି !

: ବୁଝିଲେ ପିଲାଟା ଖୁବ ଭଲ । ପାଠଶାଠ ବି ପଢିଛି । ଏ ଘରେ ତ ଜଣେ ସଦସ୍ୟ ପରି ଆମକୁ ସାହାଯ୍ୟ କରୁଚି । କେବେ ତା ବାହାଘର ହେବ ଗୋଟେ ବଡ ଚିନ୍ତା । ଭଲ ବରଟିଏ ମିଳିଗଲେ ନା – ଆମେ ସବୁଠୁ ଭାଗ୍ୟବାନ ମାନେ କରନ୍ତୁ । ଦେଖାଯାଉ ତା ଭାଗ୍ୟରେ କଣ ଅଛି । ବିଶ୍ୱାସ କରିବେ , ଗାଁ ହାଇସ୍କୁଲ ରେ ସିଏ ନବେ ପ୍ରତିଶତ ନମ୍ବର ରଖି ପାସ କରିଚି । ଏଠି ପ୍ରାଇଭେଟ୍‌ରେ ପ୍ଲସ ଟୁ , ପ୍ଲସ ଥ୍ରୀ କରିଚି । ପାଠରେ ଯେତେ ଭଲ ଲେଖାଲେଖିରେ ତା ଠୁ ଭଲ ! ମୁଁ ଚମକି ପଡିଲି । ଲେଖାଲେଖି ! କଣ କବିତା ସାଙ୍ଗରେ ଗୋଟିଏ ଘରେ ରହି ଲେଖାଲେଖି ମଧ୍ୟ ଶିଖିଚି ଏ ଚାକରାଣୀ ଝିଅଟା !!

କବିତା କହିଲା – ଏଇ ଲେଖାଲେଖି ପାଇଁ ମୁଁ ବି ତାକୁ ସ୍ୱାଧୀନତା ଦେଇଛି । କେତେ ବଡ଼ ଈଶ୍ୱରୀୟ ଉପଲବ୍ଧି ତା ଠାରେ ଅଛି । ବରଂ ମୋତେ ଟିକେ କାମ କରିବାକୁ ପଡୁ ପିଲାଟିର ସେ ଶକ୍ତି ନଷ୍ଟ ନ ହେଉ ।

ମୁଁ ମନେ ମନେ କବିତାକୁ ତାରିଫ କରୁଚି । ବାସ୍ତବରେ କବି ମଣିଷ ଟିଏ ଅନ୍ୟର ହୃଦୟ କୁ ବୁଝିପାରେ । ସେ ଚାକରାଣୀ ହେଉ କି ଯେ କେହି ।

: ବୁଝିଲେ ମୋହିତ ବାବୁ ଓଡ଼ିଆ ସାହିତ୍ୟରେ ଅନେକ କବିତା ଲେଖୁଛନ୍ତି । ହେଲେ ମୋତେ ୟା କବିତା ବହୁତ ଭଲ ଲାଗେ । ତା ପ୍ରତିଟି ଲେଖାରେ ମୁଁ ହିଁ ପ୍ରଥମ ପାଠିକା । ଏବେ ବୁଝୁଚି ଆପଣ ହିଁ ମୋ ସ୍ଥାନ ନେଇ ସାରିଛନ୍ତି । ଏମିତିରେ ତାକୁ ଅନେକ ପାଠକ ଟେଲିଫୋନ୍ କରି ପ୍ରଶଂସା କରନ୍ତି । କେଜାଣି କାହିଁକି ଆପଣଙ୍କ କଥାବାର୍ତ୍ତା ତାକୁ ବହୁତ ଭଲଲାଗେ । ଆପଣଙ୍କ କବିତା ଚର୍ଚ୍ଚା ଏବଂ ଆପଣ ବି । ବିଶ୍ୱାସ କରନ୍ତୁ ଏକଥା ଆପଣଙ୍କ ମୁହଁଦେଖି କହୁନାହିଁ ବରଂ କବିତା ନିଜେ ଏକଥା ମତେ କହିଛି ।

କବିତା ନିଜେ ଏ କଥା କହିଚି !!!

ତା ମାନେ ଏତେବେଳ ଯାଏ ମୁଁ ଯାହାକୁ କବିତା ଭାବିଚି …. । ସୋଫା ଉପରେ ତଳକୁ ମୁହଁ ପୋତି ବସିଚି ଯେଉଁ ଶ୍ୟାମଳୀ ଝିଅଟା ! ସରମୀଲତା ପରି ଝାଉଁଳି ପଡିଚି ଲାଜରେ ।

ହେ ଭଗବାନ ! ଘରୁ ବାହାରି ଆସିବା ବେଳେ ମନକୁ ବୁଝେଇଚି କବିତା ଆଉ ପ୍ରେମିକା ବରଂ ଭଲ ସବୁଦିନ ମୋ ଭାବନାରେ ସୁନ୍ଦର ହେଇ ରହିଥାନ୍ତୁ । ଟୋପାଏ ପାଣି ନ ହେଉ ପଛେ ମିଛ ମରୀଚିକା ସୁନ୍ଦର ହେଇଥାଉ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.