କାହାଣୀ ଘର ଘରର - Utkal Odisha

କାହାଣୀ ଘର ଘରର

Story of every house
Reading Time: 2 minutes

ସାମ୍ନା ଘର ପଡୋଶୀଙ୍କ ବୋହୂ ଶୋଭା , ସବୁ ଦିନ ତାଙ୍କ ସ୍ଵାମୀ ସୁବୋଧ ଅଫିସ୍ ଗଲାବେଳେ ବାଟୋଇ ଦେବାକୁ ଗେଟ୍ ପାଖକୁ ଆସନ୍ତି। ହସ ହସ ମୁହଁରେ ସ୍ଵାମୀଙ୍କ ହାତକୁ ଅଫିସ୍ ବ୍ୟାଗ୍ ଆଉ ଟିଫିନ୍ ବଢେଇ ଦେଇ ବାଏ କୁହନ୍ତି। ସୁବୋଧ ମଧ୍ୟ ହସି ହସି ବାଏ କହି ଗାଡିରେ ବସନ୍ତି। ଗାଡି ଲୁଚିବା ପର୍ଯ୍ୟନ୍ତ ଶୋଭା ଚାହିଁ ରୁହନ୍ତି ତାପରେ ଘର ଭିତରକୁ ଯାଆନ୍ତି। ମୁଁ ଅନେକ ସମୟରେ ବାଲକୋନୀରୁ ଦେଖି ଭାରି ଖୁସି ହୁଏ। ସତରେ ଏଇତ ସଂସାର ଆଉ ସମ୍ପର୍କ। ଶାଶୁ, ଶଶୁର ସ୍ଵାମୀ ଆଉ ଦିଅରକୁ ନେଇ ଶୋଭାର ସଂସାର। ଭାରି ହସ ଖୁସିଆ ମିଜାଜର ପିଲାଟି। ରୂପରେ ଯେମିତି ଗୁଣରେ ବି ସେମିତି ।ସବୁ ଦିନ ତାକୁ ସକାଳୁ ଦେଖିଲେ ମୋତେ ଭାରି ଭଲ ଲାଗେ।

ଆଜି ସକାଳୁ ତାକୁ ନଦେଖି ମୋତେ କେମିତି କେମିତି ଲାଗୁଥିଲା। ସୁବୋଧ ଅଫିସ୍ ଗଲାବେଳେ ସେ

ଆଜି ବାଟୋଇ ଦେବାକୁ ଆସି ନଥିଲା।

ଦେହ ଭଲ ନାହିଁ ନା କ’ଣ,,। ସାରା ଦିନ ତା କଥା ମୁଁ ଭାବୁଥିଲି। ସନ୍ଧ୍ୟାରେ ଶୋଭା ଗେଟ୍ ପାଖରେ ଠିଆ ହୋଇଥିଲା। ବୋଧେ ସୁବୋଧଙ୍କ ଆସିବାକୁ ଅପେକ୍ଷା କରୁଥିଲା। ମୁଁ ତଳକୁ ଯାଇ ପଚାରିଲି,, ଭଲ ଅଛ ତ ମା’?। ସକାଳୁ ତୁମକୁ ଦେଖି ନଥିଲି ତ,,,ହଁ ସୁବୋଧଙ୍କୁ ବି ଛାଡି ଆସି ନଥିଲ ଆଜି?

ସେ ଛଳ ଛଳ ଆଖିରେ କହିଲା ,,ନାଇଁ ଆଣ୍ଟି ମୁଁ ଭଲ ଅଛି। ତା ଆଖି କିନ୍ତୁ ବହୁତ୍ କିଛି କହୁଥିଲା।

ମୁଁ ପ୍ରଶ୍ନ କଲି କ’ଣ ହୋଇଛି କି ମା’ ଏତେ ଉଦାସ ଆଜି?

ସେ କହିଲା ଆଜି ସୁବୋଧ ସହ ଟିକେ ଝଗଡା ହୋଇଛି। ଦେଖୁନ ସକାଳୁ ମୋ ଫୋନ ଉଠଉ ନାହାଁନ୍ତି।

ମୁଁ କହିଲି କ’ଣ ହେଲା କି ? ,ଝଗଡା କ’ଣ ପାଇଁ?

ସେ କହିଲା ଦେଖନ୍ତୁ ଆଣ୍ଟି , ଆଜି ପରିବା ନଥିଲା। ମୁଁ ତାଙ୍କୁ ଫେରିବା ବେଳେ ପରିବା ଆଣିବାକୁ କହିଲି,,। ସେ ରାଗି କି ମୋତେ କେତେ କ’ଣ କହି ଗଲେ। ମୁଁ କ’ଣ କରିବି କହୁ ନାହାଁନ୍ତି,,ଦିନକୁ ଦୁଇ ଚାରିଟା ତରକାରି ହେବ। ଶାଶୁଙ୍କର ବିନା ପିଆଜ ରଶୁଣର, ଶଶୂରଙ୍କର ସିଝା ସନ୍ତୁଳା। ଦିଅର ଆଉ ସୁବୋଧଙ୍କ ପାଇଁ ମସଲା ଦିଆ ।ମୋର ଯାହା ହେଲେ ବି ଚଳେ। ପରିବା ତ ସରିବ। ଏଥିରେ ମୁଁ କ’ଣ କରିବି ଯେ,,ମୋ ଉପରେ ଏତେ ରାଗ।

ମୁଁ ହସି ହସି କହିଲି ଏଇ ଗୋଟେ କଥା …ତୁମେ ଏଥିରେ ରାଗି କି ସୁବୋଧକୁ ଛାଡିବାକୁ ଆସିଲନି।

ଆରେ ଏ ପରିବା ରେଟ୍ ଯାହା ଚାଲିଛି ଆଛା ଖାସା ବଜେଟକୁ ବି ବିଗାଡି ଦେଉଛି..ତେଣୁ ସେ ତୁମ ଉପରେ ନୁହେଁ ମ ସେ ରେଟ୍ ଉପରେ ରାଗି କିଛି କହିଥିବେ ।

ଯଦି ବା ସେ ତୁମ ଉପରେ ରାଗିଥିବେ….ତୁମେ ଓଲଟା ରାଗିବା ର ନଥିଲା,,।ଆଛା କହିଲ ଦେଖି ମଣିଷ କାହା ଉପରେ ରାଗେ? ସେ ଯାହାକୁ ଅଧିକ ନିଜର ଭାବେ ବା ଯାହାକୁ ଅଧିକ ଭଲ ପାଏ। ଜଣେ ପୁରୁଷ ସବୁଠୁ ନିଜର ଭାବେ ନିଜ ମା’ କୁ ଆଉ ତା ପତ୍ନୀ କୁ। ମା ଉପରେ ଏ ବୟସରେ କ’ଣ ରାଗି ହେବ? ତେଣୁ ସେ ତୁମଉପରେ ରାଗିଲେ। ତୁମେ ବୁଝିବା କଥା ନା…?

ସେ ତୁମକୁ କେତେ ଭଲ ପାଆନ୍ତି ଥରୁଟିଏ ରାଗିବାର ଅଧିକାର ବି ତାଙ୍କର ନାହିଁ?

ଶୋଭା ଛଳ ଛଳ ଆଖିରେ କହିଲା ,,ଆପଣ ଠିକ୍  କହିଛନ୍ତି ଆଣ୍ଟି…..

ମୁଁ କହିଲି ଏଥିପାଇଁ ତ ଆମେ ସମ୍ପର୍କରେ ଯୋଡି ହୋଇ ଥାଉ। ନିଜର ସୁଖ,ଦୁଃଖ,ହସ,ଖୁସି ମାନଅଭିମାନକୁ ବାଣ୍ଟି ଥାଉ। ନହେଲେ ଜୀବନର ମାନେ କିଛି ରହିବ କି,,,?

ଏତିକି ବେଳକୁ ସୁବୋଧ ପହଞ୍ଚି ଯାଇଥିଲେ। ଶୋଭା ଅଭିମାନ ମିଶା ହସରେ ତାଙ୍କୁ ଘରକୁ ପାଛୋଟି ନେଇଥିଲେ। ମୁଁ ଖୁସିରେ ତାଙ୍କୁ ଚାହିଁ ରହିଥିଲି।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x