ଅଙ୍ଗୁର

grapes 1462601547 835x547
Reading Time: 5 minutes

ସମୟ ସଂଧ୍ୟା ସାତଟା ପାଖା ପାଖି ହେବ । ଷ୍ଟ୍ରିଟ୍ ଲାଇଟସବୁ ଜଳି ସାରିଲାଣି । ଅଫିସ ଫେରନ୍ତା ବାବୁମାନେ ଗୋଟିଗୋଟି ହୋଇ ଘର ବାହୁଡିବାରେ ଲାଗିଲେଣି । କିଏ ଚାଲିଚାଲି ଯାଉଛି ତ କିଏ ସାଇକେଲର ଘଣ୍ଟି ବଜେଇ ବଜେଇ, କିଏ ସ୍କୁଟରରେ ତ କିଏ ବାଇକରେ ସମସ୍ତେ ଘରମୁହାଁ ଛୁଟିଛନ୍ତି । ସମସ୍ତଙ୍କ ଗାଡିର ଗତିରୁ ଘରେ ଶିଘ୍ର ପହଞ୍ଚିବାର ବ୍ୟଗ୍ରତା ସ୍ପଷ୍ଟ ବାରିହୋଇ ଯାଉଥାଏ । ଅଫିସ୍ ଯିବାବେଳର ଧୀରପଣ ଏବେ ଅଫିସ ଫେରନ୍ତା ବେଳରେ ତୀବ୍ରତାରେ ପରିଣତ ହୋଇଯାଇଛି । ସୁନିତାର ଅଫିସ ମଧ୍ୟ ସଂଧ୍ୟା ସାତଟାରେ ବନ୍ଦହୁଏ, ଘରକୁ ଫେରିବାର ରାସ୍ତାରେ ସୁନିତାର ସ୍କୁଟି ସୁକୁଟା ସାହୁର ପାନଦୋକାନ ସାମ୍ନାରେ ଧୂଳି ଉଡେଇ ଚାଲିଗଲା । କେଜାଣି କାହିଁକି କେଉଁଏକ ଅଜଣା ଭୟରେ ଏଇ ପାନଦୋକାନ ସାମ୍ନାରେ ତାର ସ୍କୁଟିର ସ୍ପିଡ୍ ଆପେ ଆପେ ବଢିଯାଏ ।

ସହର ଠାରୁ ଟିକିଏ ଦୂରରେ ଏଇ ଅପରନ୍ତାଟାରେ ବରଗଛମୂଳେ ସୁକୁଟା ସାହୁର ପାନଦୋକାନଟା । ସବୁଦିନ ସନ୍ଧ୍ୟାବେଳେ ତା ପାନଦୋକାନଟା ପଞ୍ଝାଏ ବେକାର ଟୋକାଙ୍କର ଆଡ୍ଡା ବନିଯାଏ । ସେମାନଙ୍କ ଭିତରୁ କିଏ ମାଟ୍ରିକ୍ ଫେଲ୍, କିଏ ପ୍ଲସଟୁ, କାହାକୁ ବି.ଏ କରିବାକୁ କୋଉ କଲେଜରେ ସିଟ୍ ମିଳିନି ତ ଆଉ କିଏ ବି.ଏ ପାଶ କରୁକରୁ ତିନି ଚାରଥର ଝୁଣ୍ଟି ସାରିଲାଣି । ଦରପାଠୁଆ, ଅଧା ପାଠୁଆ ବେକାର ଭେଣ୍ଡିଆସବୁ, କିନ୍ତୁ ଭଲ ଚାକିରୀଟିଏ ଖୋଜିବା ବାହାନାରେ ବୟସ ବଢେଇ ଚାଲିଛନ୍ତି । ଏବେ କିଏ କେଉଁ ରାଜନୈତିକ ଦଳର କେଉଁ ବାହିନୀରେ ମିଶିଛି ତ କିଏ ଭକ୍ତ ସାଜି ଯାଇଛି । ପାର୍ଟିର ରାଲି ହେଉକି, ବନ୍ଦ ଡାକରା ହେଉ ପ୍ରଥମେ ଏମାନଙ୍କୁ ଡକାଯାଏ ହୋ ହାଲ୍ଲା, ଭଙ୍ଗାରୁଜା କରିବା, ରାସ୍ତା ମଝିରେ ଟାୟାର ଜଳେଇ ଗଲା ଆସିଲା ଲୋକଙ୍କ ରାସ୍ତା ଓଗାଳି ଧମକ ଚମକ କରିବା କି ମାରପିଟ କରିବା ପାଇଁ । ଏମାନେ ନଥିଲେ ନେତାଙ୍କ ସଭାରେ ଗହଳି କେଉଁଠୁ ଯୋଗାଡ ହେବ? କାମ ସରିଲେ ଦେହ ଦରଜ ଲାଘବ କରିବାପାଇଁ ମଦ ମାଉଁସ ପାଇଁ ଟଙ୍କା କେଇଟା ଗୁଞ୍ଜି ଦିଆଯାଏ ଏମାନଙ୍କ ହାତରେ । ଆଉ ଏମାନ ହେଉଛନ୍ତି ଏ ଦେଶର ଭବିଷ୍ୟତ ନେତା, କାଲି କିଏ ସରପଞ୍ଚ ହେବ ଆଉ କିଏ କରପୋରେଟର, ନେତାମାନଙ୍କ ପଛେପଛେ ବୁଲି ବୁଲି ଟ୍ରେନିଂ ପୁରା କରୁଛନ୍ତି, ଏବେ ପ୍ରୋବେସନରେ, ଆଗାମୀ କାଲି ବିଧାନ ସଭା ବାହାରେ ନହେଲେ ଭିତରେ ଶୋଭା ପାଇବେ ।

ଭାରତର ଭବିଷ୍ୟତ ଏହି ଉଦୀୟମାନ ଯୁବ ନେତାମାନଙ୍କୁ ବାପା କି ମାଆ ଯଦି ଘରପାଇଁ କାମଟିଏ କରିଦେବାକୁ କହିଦେଲେ, ତେବ ସରିଲା ତାଙ୍କ କଥା । ଆକାଶକୁ ପୁରା ମୁଣ୍ଡରେ ଉଠେଇ ନେବେ । ଘରପାଇଁ ପରିବା କି ରାଶନ ବ୍ୟାଗ ବୋହି ଆଣିଲେ ଦରପାଠ ପଢୁଆ ଏଇ ପିଲାଙ୍କର ଇଜ୍ଜତ ଉପରେ ସତେ କଳଙ୍କ ଲାଗିଯାଏ । କିନ୍ତୁ ସବୁଦିନ ସଂଧ୍ୟାବେଳେ ଏଇଠି ଏକାଠି ହୋଇ ପାନ ଖିଲେ ଖିଲେ ଚୋବାଇ, ଅବା ସଫଳ ପୁଡିଆଟିଏ ପାଟିର ପକେଇ ଗୁଲିଗପ କରିବା, ଯିବା ଆସିବା ଲୋକଙ୍କ ବିଷୟରେ ଜଣା ଅଜଣା କାହାଣୀ ଗଢି ଗପ ମାରିବା, ଏକୁଟିଆ ଝିଅଟିଏ ଦେଖିଲେ ଅସଭ୍ୟ ଭାଷାରେ କମେଟ୍ ମାରିବା ଏତିକି କେବଳ ଏମାନଙ୍କର କାମ । ଟାଇମ୍ ପାଶ କରିବାକୁ ଦୁନିଆ ଯାକର ଗୁଲିଖଟି ଖବର କେଉଁଠୁ କେଜାଣି, କେମିତି ସେମାନଙ୍କୁ ମିଳିଯାଏ । ଏତେ ଖବର ସେମାନେ କେମିତି ଏକାଠି କରନ୍ତି, କେବଳ ସେମାନେହିଁ ଜାଣନ୍ତି । କୋଉ ନିଉଜ ଟିଭି ଚ୍ୟାନେଲରେ ଯଦି ସାମ୍ବାଦିକ ହୋଇଯାଆନ୍ତେ ତେବେ ଦିନ ଦୁଇଟାରେ ସତକହୁଛି ସବୁ ରିପୋର୍ଟରମାନଙ୍କ ଭିତର ଟପ୍ ରେ ପହଞ୍ଚି ଯାଆନ୍ତେ । ଆଉ ଚାନେଲର ଟିଆରପିକୁ କୋଉଠୁ ନେଇ କୋଉଠେ ପହଞ୍ଚେଇ ଦିଅନ୍ତେ ତାର ହିସାବ ନାହିଁ ।

ସୁନିତାର ସ୍କୁଟି ଚାଲିଗଲା ପରେ ବି ଟୋକା ପଞ୍ଝାକ ସେଇ ଧୂଳିଉଡା ରାସ୍ତାଆଡକୁ ସେମିତି ଭୋକିଲା ଆଖିରେ ଅନେଇ ରହିଥାଆନ୍ତି । ଜଣେ କହିଲା, ମାଆ କଶମ୍, ଆବେ କି ମାଲ ହେଇଚି ବେ, ଶଳା ଏମିତି ଗୋଟେ ଝିଅ ମିଳିଯାଆନ୍ତାକି, ଆପନ କା ଲାଇଫ୍ ସେଟ୍ ହୋଇଯାଆନ୍ତା । ଆଉଜଣେ ତା ମୁଣ୍ଡକୁ ପଛରୁ ଠୁକେଇ ଦେଇ କହିଲା, ଆବେ ଏତେ ସପନ ଦେଖେନା, ଏତେ ସପନକୁ ରାତି କାଇଁବା । ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ସୁନିତାର ସ୍କୁଟି ଚାଲିଯିବା ପରେ ଗୋଟେ କିଏ ଟୋକା କହିଲା, ଜାଣିଲ ଭାଇ, ଏ ଝିଅଟାର ଚରିତ୍ର ମୋଟେ ଭଲ ନୁହେଁ । ଆଜି କାଲିକା ପାଠପଢା ଆଧୁନିକ ଝିଅ, ଉପରେ ପୁଣି କମ୍ପାନୀ ଚାକିରୀ । ଦେଖୁନ କେମିତି ଟାଇଟ୍ ଜିନ୍ସ ପିନ୍ଧି ଫେସନ କରୁଛି । କାଲି ସଂଧ୍ୟାବେଳେ ମୁଁ ତା ଅଫିସ ପାଖଦେଇ ଯାଉଥିଲି, ମୋ ନଜର ପଡିଗଲା । ସେ ତାର ଅଫିସରୁ ବାହାରିଲା ଆଉ ତା ପଛେ ପଛେ ଗୋଟେ ଛଫୁଟିଆ ସ୍ମାର୍ଟ ଟୋକା, ତା ଅଫିସରେ ଚାକିରୀ କରୁଥିବ ବୋଧେ । ଦିହେଁ ହାତ ଧରା ଧରିହୋଇ ବୁଲି ବାହାରିଲେ ସେଇଠୁ । ମୁଁ ବି ତାଙ୍କ ପଛ ପଛେ ହୋଇଗଲି, ଦେଖିବାକୁ କି ଘଟଣାଟା କଣ? ଯାହା ଦେଖିଲି, ମାଆ ରାଣ ସତ କହୁଛି, ମୋ ମୁଣ୍ଡ ପୁରା 360ଡିଗ୍ରୀ ଘୁରିଗଲା । ସେ ଟୋକି, ଟୋକାଟା ସାଙ୍ଗରେ ଗପି ଗପି ରେଷ୍ଟୁରାଣ୍ଟରେ ପହଞ୍ଚିଗଲେ । କଣ କଣ ସବୁ ଖାଇଲେ, କଫି ପିଇଲେ । ହସି ହସି ଦିହେଁ ଗପୁଥାଆନ୍ତି, ମତେ ଯାହା ଲାଗୁଛି ସେ ଟୋକାଟା ତାର ବୟଫ୍ରେଣ୍ଡ ହୋଇଥିବ ନିଶ୍ଚୟ । କହିଲ ଦେଖି, ଯୋଉ ଝିଅ ଅଫିସରୁ ବାହାରି ବୟଫ୍ରେଣ୍ଡ ସାଙ୍ଗରେ ବୁଲି ବୁଲି ପ୍ରେମ କରୁଛି ସେ ଝିଅଙ୍କର ଚରିତ୍ର କେମିତି ହୋଇଥିବ । ଏଇଟା ଘୋର କଳିଯୁଗ ସବୁ ଓଲଟା ହୋଇ ଗଲାଣି, ମାଆ ବାପା ସଂସ୍କାର ଟିକିଏବି ଶିଖେଇଲେନି ଝିଅଟାକୁ । ଆଉଗୋଟେ କିଏ କହିଲା ଆରେ ସେମିତି ଝିଅ ଯେତେକ ସବୁ ଚରିତ୍ରହୀନା । କଳିକାଳରେ ପାପ ବଢିବଢି ଯାଉଛି । ଇଜ୍ଜତ ମହତକୁ କାହାର ଖାତିରି ନାହିଁ । ସଂସ୍କୃତି ପରମ୍ପରା ସବୁ ପୋଡି ଖାଇ ଗଲେଣି, ଭୂଲି ଗଲେଣି ଆମ ହିନ୍ଦୁ ପରମ୍ପରା ଆମର ଓଡିଆ ଘରର ଚଳଣୀ ରଙ୍ଗ ଢଙ୍ଗ ସବୁ ।

ସୁକୁଟା ପାନଦୋକାନୀ ସବୁ ଦେଖୁଥିଲା, ସବୁ ଶୁଣୁଥିଲା, ଏମିତିକା କଥା ଶୁଣି ସେ ଆଉ ଥୟଧରି ରହିପାରିଲାନି । ଗୁଆକାତିରେ ଗୁଆ କାଟୁ କାଟୁ ଟୋକାପଞ୍ଝାଙ୍କୁ ଥରେ ଦେଖିଲା, ପୁଣି କହିଲା, ଆରେ ହେ ବାବୁମାନେ, ସେ ଝିଅକୁ ତ ତାର ବାପାମାଆ ସଂସ୍କାର ଶିଖେଇ ପାରିଲେନି, ସେଇଟା ବଡ ଦୁଃଖର କଥା ହେଲେ ତୁମେ ସବୁ ଏତେ ସୁନ୍ଦର ସୁନ୍ଦର ସଂସ୍କାର କେଉଁଠୁ ଶିଖିଲ ? ତୁମକୁ ହିନ୍ଦୁ ସଂସ୍କୃତି, ଓଡିଆ ପରମ୍ପରା ଜଣା ଅଛିଟି? ଯୋଉଁ ସଂସ୍କୃତି ପରମ୍ପରାରେ ନାରୀକୁ ଦେବୀ ବୋଲି କୁହାଯାଏ ସେଇ ସଂସ୍କୃତି କଥା କହୁଛଟି? ପରଝିଅ ବୋହୁଙ୍କୁ କିପରି ସମ୍ମାନ ଦେବାକୁ ହୁଏ ସେ ସଂସ୍କାର ଟିକକ ତୁମକୁ ତୁମ ବାପା ମାଆ ଟିକିଏବି ଶିଖେଇ ନାହାନ୍ତି ?

ତମେ ଜାଣିଛ ସେ ଝିଅଟି କିଏ? ସେ ଆମରି ଗାଆଁର ଇଞ୍ଜିନିୟର ବାବୁଙ୍କ ଝିଅ । ପୁନାରୁ ସଫ୍ଟଓୟାର ଇଞ୍ଜିନିୟରିଂ ପଢି ଏବେ ଇଞ୍ଜିନିୟର ହୋଇ ଫେରିଛି । ନାଆ ତାର ସୁନିତା । ମୁଁ ଶୁଣିଥିଲି ସେ ତାଙ୍କ କଲେଜରେ ଟପ୍ କରିଥିଲା, ଆଉ ସେଇଠୁ ତାକୁ ବିଦେଶ ଯିବାପାଇଁ ଚାକିରୀ ମଧ୍ୟ ମିଳି ଯାଇଥିଲା । ବିଦେଶ ଯାଇଥିଲେ ବହୁତ ଟଙ୍କା ମିଳିଥାଆନ୍ତା ତାକୁ, ହେଲେ ସେ ଗଲାନି । ଏଇ ସଂସ୍କାର ତାକୁ ତାର ବାପ ମାଆ ଦେଇଛନ୍ତି । ତୁମପରି ଫେଲଫାଲ ହେଇ ଛତରାମି କରିବାକୁ ଶିଖେଇ ନାହାନ୍ତି ।

ଜାଣିଛ, ସେ ବିଦେଶ ଯିବାକୁ କାହିଁକି ରାଜିହେଉନି ବୋଲି ବାପା ପଚାରିଲାରୁ ସେ ଝିଅଟି କଣ କହିଲା ? କହିଲା ଏଇ ଦେଶର ପାଣି ପବନରେ ମୁଁ ବଡ ହୋଇଛି, ଏଇଠି ପାଠପଢି ଯୋଗ୍ୟ ହୋଇଛି, ମୋ ଦେଶ, ମୋ ମାତୃଭୂମୀ ମୋତେ ଏତେ କିଛି ଦେଇଛି, ସେଇଥି ପାଇଁ ମୁଁ ମୋ ବୁଦ୍ଧିବିଦ୍ୟା ମୋ ଦେଶ କାମରେ ଲଗେଇବି, ବିଦେଶ ଅପେକ୍ଷା ମୋ ଦେଶପାଇଁ ମୁଁ ଅଧିକ ଜରୁରୀ, ମୁଁ ମୋ ମାଟି ମାଆର କରଜ ଶୁଝିବି । କମ୍ ଟଙ୍କା ମିଳୁ ପଛେ, ନିଜ ଦେଶରେ ରହିବି । ଆଉ ଏଇ ଯୋଉ କମ୍ପାନୀରେ ସେ ଏବେ ଚାକିରୀ କରୁଛି, ସେଇଠାରୁ ତାକୁ ମାସକୁ ଲକ୍ଷେଟଙ୍କା ଦରମା ମିଳୁଛି । ଆଉ ଯୋଉ ଟୋକା କଥା କହୁଛନା, ସିଏ ବି ଗୋଟେ ଇଞ୍ଜିନିୟର, ସେ ଦୁଇଜଣଙ୍କର ବାହାଘର ବି ଠିକ୍ ହୋଇସାରିଛି । ଏଇମାସରେ ତାଙ୍କର ନିର୍ବନ୍ଧ ହେବ ।

କିଛି ନଜାଣି ଏମିତି ଗୁଲିଗପ କରିବା ତୁମ ମାନଙ୍କର ଗୋଟେ ବଡ ଖରାପ ଅଭ୍ୟାସ । ତାଛଡା ଆଉ ଗୋଟିଏ କଥା ମୋତେ କହିଲ, ଯଦି ସେ ଝିଅଟି ତୁମର ଭଉଣୀ ହେଇଥାଆନ୍ତା ଆଉ କେହି ଟୋକା ତା ବିଷୟରେ ଏମିତି କିଛି କହନ୍ତା, ତେବେ ତୁମେ କଣ କରିଥାନ୍ତ? ମରିବା ମାରିବା ଯାଏ କଥା ଯାଆନ୍ତା, କିନ୍ତୁ ପରଝିଅ, ପର ଭଉଣୀ ତୁମପାଇଁ ଥଟ୍ଟା ମଜ୍ଜା ଗୁଲିଗପର କାହାଣୀ ହୋଇଯାଏ । ଏମିତି କିଛି ଅଭଦ୍ର କମେଣ୍ଟ କରିବା ପୂର୍ବରୁ ସେ ଝିଅ ଭିତରେ ତୁମମାନଙ୍କୁ ନିଜ ଭଉଣୀର ମୁହଁ ଦିଶେନା । ତୁମ ନିଜ ଭଉଣୀ ହୋଇଥିଲେ ଏମିତି କମେଣ୍ଟ କରିଥାଆନ୍ତ ? ମୁହଁ ଖୋଲିବା ଆଗରୁ ଟିକିଏ ବି ଲାଜକି ସରମ ଆସେନି ତୁମ ମନରେ?

ଆଉ ଗୋଟିଏ କଥା କହିଲ ବାବୁମାନେ, ଯଦି ସେମିତି ଗୋଟିଏ ଝିଅ ତୁମ ଭିତରୁ କାହାକୁ ପ୍ରେମ କରୁଥାଆନ୍ତା, ତେବେ ବି କଣ ତୁମେ ସେ ଝିଅଟିକୁ ଚରିତ୍ରହୀନା କହିଥାଆନ୍ତ? ତୁମର ଯଦି ପ୍ରେମିକାଟିଏ ଥାଆନ୍ତା ତେବେ ସେଇ ଝିଅଟିବି କଣ ଚରିତ୍ରହୀନା ହୋଇଥାଆନ୍ତା, ନାହିଁ, ତୁମ ପ୍ରେମିକା ତୁମପାଇଁ ସୁନ୍ଦରୀ, ଚରିତ୍ରବତୀ, ଭଲ ପ୍ରେମିକାଟିଏ ହୋଇଥାନ୍ତା ? ସିଏତ ତୁମ ପାଇଁ ଲାସ୍ୟମୟୀ, ହାସ୍ୟମୟୀ ଲଇଲା ବା ଜୁଲିୟଟ ପରି ପ୍ରେମର ଦେବୀଟିଏ ହୋଇଥାଆନ୍ତା, ନା କଣ କହୁଛ ? ନିଜକୁ ଥରେ ଦେଖ, ତୁମ ଆଜି କଣ ଆଉ ସିଏ କଣ ? ତୁମେ କେଉଁଠି ଆଉ ସିଏ କେଉଁଠି ? ସେ ଅଙ୍ଗୁର ପରି ଆକାଶରେ ଝୁଲୁଛି, ଆଉ ତୁମେ ନିରାଶ ଶିଆଳଟି ଗଛ ମୂଳରେ ବସି ଅଙ୍ଗୁର ଖଟା କହି ମୁହଁ ଆମ୍ବିଳା କରୁଛ । ମୁଁ ବୁଝି ପାରେନି, ଏମିତି କାହିଁକି ହୁଏ ? ନିଜ ମାଆ, ନିଜ ଭଉଣୀର ଇଜ୍ଜତ ବହୁତ ମୂଲ୍ୟବାନ ଲାଗେ କିନ୍ତୁ ଆଉ କାହାର ମାଆ ଭଉଣୀ ଆମ ପାଇଁ ଶସ୍ତା ଖେଳଣା କିମ୍ବା ଗୁଲିଗପ ପାଇଁ ମସଲା ପରି ଲାଗେ ?

ତୁମ ପାଇଁ ତ ସବୁଝିଅ ଖରାପ, କାରଣ ତୁମେ ସେଇ ପୁରୁଣା ମାନଧାତା ଯୁଗରେ ଅଟକି ରହିଛ । ତୁମେ ଭାବୁଛ ଆଜି ଯୁଗରେ ବି ଝିଅମାନେ ପୁରୁଣାକାଳର ଝିଅଙ୍କପରି ବାରହାତି ଶାଢିରେ ଗୁଡେଇହୋଇ ମୁହଁ ତଳକୁ କରି ଚାଲନ୍ତା । ତମେ ବସ୍ କହିଲେ ବସନ୍ତା, ଉଠ୍ କହିଲେ ଉଠନ୍ତା, ହସ୍ କହିଲେ ହସନ୍ତା । ଦୁଇ ଚାପୁଡା ମରିଲେ ବି ଉଁ କି ଚୁଁ କରନ୍ତାନି । ବୁଝିଲ ବାବୁମାନେ ତୁମେ ସେଇ ଆକବରଙ୍କ ଜମାନାରେ ଅଟକିଗଲ । ଆଖିଖୋଲ, ଆଗକୁ ଦେଖ, ଆଜି ଝିଅମାନେ ପୁଅମାନଙ୍କୁ ପଛରେ ପକେଇ କେଉଁଠି ଯାଇ ପହଞ୍ଚିଲେଣି । ତୁମେ ଫଟା ଜିନ୍ସ ପିନ୍ଧିଲେ ଷ୍ଟାଇଲ ହୋଇଯାଉଛି, ଆଉ ଝିଅଟିଏ ଜିନ୍ସ ପିନ୍ଧିଦେଲେ ଶାସ୍ତ୍ର ଅଶୁଦ୍ଧ ହୋଇଯାଉଛି । ଝିଅଙ୍କ ଡ୍ରେସ ଦେଖିଲେ ତୁମର ପରମ୍ପରା କଥା ମନ ପଡୁଛି । କହିଲ ଦେଖି ଆମ ପରମ୍ପରାରେ ପୁରଷମାନଙ୍କର ପାରମ୍ପରିକ ପୋଷାକ କଣ ? ଜଣା ଅଛି ତୁମକୁ ? ଜାଣିନ ଯଦି କହୁଛି ଶୁଣ, ଆମ ଓଡିଆ ମାନଙ୍କର ପାରମ୍ପରିକ ପୋଷାକ ହେଉଛି ଧୋତି, କୁର୍ତ୍ତା ଆଉ ଖଣ୍ଡେ ଗାମୁଛା, ତମେ କେତେଜଣ ଧୋତି ପିନ୍ଧିଛ ଦେଖି !

ପ୍ରଥମେ ନିଜକୁ ଯୋଗ୍ୟକର, ତାପରେ ହାତ ବଢାଅ, ଜହ୍ନ ବି ହାତରେ ମିଳିଯିବ । ମୁଁ ବି ପାଠ ପଢିଲି, ଇକୋନୋମିକ୍ସରେ ଟପର ଥିଲି, ୟୁନିଭରସିଟିରେ । ଚାକିରୀ କେବେ ମିଳିବ ବୋଲି ଅପେକ୍ଷା କରି ଘରେ ବସି ରହିବାକୁ ଇଚ୍ଛା ହେଲାନି । ସେଥିପାଇଁ ଏଇଠି ପାନ ଦୋକାନ ଖୋଲିଦେଲି, 500 ଟଙ୍କାରେ ଆରମ୍ଭ କରିଥିଲି ଏ ଦୋକାନ । ଆଉ ଜାଣିଛ, ରାତିରେ ଯେତେବେଳେ ଦୋକାନ ବନ୍ଦକରି ମୁଁ ଘରକୁ ଯାଏ, ଏଇ ଦୋକାନରୁ ପାଞ୍ଚହଜାର ଟଙ୍କା, ମୋର ଗୋଟିଏ ଦିନର ପରିଶ୍ରମର ପାଉଣା ଗର୍ବର ସହିତ ଘରକୁ ନେଇଯାଏ । ଦିନଯାକର ନିଜ ପରିଶ୍ରମର ଫଳ । ଆଜି ଯଦି ମୋତେ ଚାକିରୀଖଣ୍ଡେ ମିଳିଯାଏ ହୁଏତ ମୁଁ ମୋ ଦୋକାନ ଛାଡି କେବେବି ଯିବିନି ।

ସବୁକିଛି ସରକାର ଯୋଗାଇ ଦେବେ ଭାବି ଘରେ ଶୋଇ ରହିଲେ, କି ବଜାରରେ ବୁଲି ବାଳୁଙ୍ଗାଗିରୀ କଲେ ଲୋକଙ୍କ ଦୃଷ୍ଟିରେ ଛୋଟ ହୋଇଯିବ ସିନା କିନ୍ତୁ ହାତକୁ କିଛି ଆସିବନି, ନା ଧନ ନା ସମ୍ମାନ । କେତେଦିନ ଆଉ ନିଜର ଭାଗ୍ୟ, ଭଗବାନ ଆଉ ସରକାରଙ୍କୁ ଗାଳି ଦେଇ ଦେଇ ବୟସ ଗଡେଇ ଚାଲିବ ? ଏବେ ବି ସମୟ ଅଛି, ନିଜକୁ ସୁଧାର ନିଜକୁ ଯୋଗ୍ୟ କର । ଯେତେବେଳ ଯାଏ ଅଙ୍ଗୁର ପର୍ଯ୍ୟନ୍ତ ମୁହଁ ପହଞ୍ଚି ନପାରୁଛି ସେତେବେଳ ଯାଏ ଅଙ୍ଗୁର ସବୁ ବେଳେ ଖଟା ବୋଲି ମନେହୁଏ ! ନିଜର ଯୋଗ୍ୟତା ବଢିଗଲେ ଅଙ୍ଗୁର ଆପଣାଛାଏଁ ହାତ ପାହାନ୍ତାରେ ପହଞ୍ଚି ଯିବ । ନା କଣ କହୁଛ ବାବୁମାନେ ? ଟୋକାପଞ୍ଜାକ ଜଣେ ଆଉଜଣଙ୍କ ମୁହଁକୁ ଚାହିଁଲେ, ଆଉ ଧୀରେ ଧୀରେ ଗୋଟିଏ ଗୋଟିଏ ହୋଇ ସବୁ ସେଇଠୁ ବାଟକାଟି ଚାଲିଗଲେ । ସେଇ ଦିନଠାରୁ ସୁକୁଟା ପାନ ଦୋକାନ ସାମ୍ନାରେ ବାଳୁଙ୍ଗା ଟୋକାଙ୍କର ଆଉ ଖଟି ଜମେନା ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.