ମୁଖ୍ୟଅତିଥି

WhatsApp Image 2020 03 01 at 7.27.14 PM
Reading Time: 3 minutes

ମୁଖ୍ୟଅତିଥି ଓ ଅନ୍ୟ ଅତିଥି ମାନଙ୍କ ନାଁ ପଢି ଅରୁଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲା,ଯାହାହେଉ ଗୋଟିଏ ମଞ୍ଚରେ ଏତେ ବଡ଼ ବଡ଼ ସାହିତ୍ୟିକଙ୍କୁ ପ୍ରଥମ ଥର ପାଇଁ ସ୍ଵଚକ୍ଷ୍ୟୁରେ ଦେଖିବ।

ତେବେ ଗୋଟେ କଥା ସେ ଚିନ୍ତା କରୁଥିଲା ,ଏତେ ଅତିଥି ଷ୍ଟେଜରେ କେମିତି ବସିବେ !

ଅରୁଣ ଜାଣିଥିଲା , ସାହିତ୍ୟ ଫେଷ୍ଟିଭାଲ’ର ଆୟୋଜକ ବିଶ୍ବରଞ୍ଜନ ବାବୁଙ୍କ ଛଡ଼ା ତାକୁ କେହି ଚିହ୍ନିବେ ନାହିଁ।

କାରଣ ସେ ନିଜେ ,କୌଣସି ଜଣାଶୁଣାଲେଖକ,ପ୍ରକାଶକ,

ପ୍ରଶାସକ,ନେତା, ଅଭିନେତା,ସୋସିଆଲିଟ କିମ୍ବା ବିଭିନ୍ନ ଲିଟେରାରୀ ଫେଷ୍ଟିଭାଲ/ସାହିତ୍ୟ ମହୋତ୍ସବ ଅତିଥି ଙ୍କ ଭିତରେ ଗଣା ହେଉ ନଥିଲା।

ଜଣେ ଯୁବ ସାହିତ୍ୟିକ ବୋଲି ସେ ନିଜେ ନିଜକୁ ବୁଝାଏ। ଅନେକ ଗପ ସେ ଲେଖିଛି, ଯଦିଓ ଛପା କମ ହୋଇଛି। ପଛୁଆ ଜିଲ୍ଲା ର ଅନାମଧେୟ ସାହିତ୍ୟିକ ! ସେ ପାଇଥିବା କିଛି ଛୋଟମୋଟ ପରସ୍କାର ର ମୂଲ୍ୟ କେତେ ?ଏଠି ତ ସମସ୍ତେ ମହାରଥୀ।

ଅରୁଣ ବହୁତ ଖୁସିଥିଲା ବିଶ୍ବବାବୁଙ୍କ ନିମନ୍ତ୍ରଣ ପାଇ।କେତେ ବିଖ୍ୟାତ ଲୋକଙ୍କୁ ଭେଟିବ,ଫଟ ଉଠାଇବ, ଅଟୋଗ୍ରାଫ ନେବ।ଫେସବୁକ ରେ ପୋଷ୍ଟ ବି କରି ନିଜ ସାଙ୍ଗଙ୍କୁ ଚମକେଇଦେଵ।

ନିଜର ସବୁଠୁ ଭଲ ଡ୍ରେସ ଓ ଜୋତା ପିନ୍ଧିଥିଲା ସେ।ସାଙ୍ଗରେ ନିଜର କିଛି ପ୍ରକାଶିତ ପୁସ୍ତକ ବି ଆଣିଥିଲା।

ସାର୍ ଏଇ ଉତ୍ସବର ,”ସାହିତ୍ୟ ମହୋତ୍ସବ” ନାଁ ନରଖି, “ସାହିତ୍ୟ ଫେଷ୍ଟିଭାଲ ” ବୋଲି କାହିଁକି ରଖିଲେ ?

ଫୋନରେ ବିଶ୍ବରଞ୍ଜନବାବୁ କହିଥିଲେ, ” ଏଇଟା ଫ୍ୟୁଜନ ସାହିତ୍ୟ।ଟିକିଏ ଭିନ୍ନ। ଅର୍ଥାତ୍ ଓଡ଼ିଆ ଓ ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାକୁ ମିଶାଯାଇ ଆୟୋଜିତ ହେଉଛି ବୋଲି ଏମିତି ନାଁ ର ପରିକଳ୍ପନା ହୋଇଛି।ବାହାର ରାଜ୍ୟର ଲେଖକ ସବୁ ବି ଆସୁଛନ୍ତି।କଲଚରାଲ ଏକ୍ସଚେଞ୍ଜ ।”

ଉତ୍ସବର ଆୟୋଜନ, ସଜାସଜି ଦେଖି ଆଖି ଖୋସି ହୋଇଗଲା ଅରୁଣ ର।କିଛି ନାମୀ ସାହିତ୍ୟିକଙ୍କୁ ଦେଖି ପାଖକୁ ଯାଇ ନିଜ ପରିଚୟ ଦେଲା ପରେ ସେମାନେ ଗୋଟେ ଶୁଖିଲା ହସ ମୁହଁରେ ଖେଳାଇଦେଲେ ଯାହା।କିନ୍ତୁ ସେମାନଙ୍କ ଆଖି ଓ ଓଠ ଯେମିତି କହୁଥିଲା, “କୁଆଡୁ କୁଆଡୁ ଏସବୁ ନମୁନା ଚାଲି ଆସୁଛନ୍ତି ?”

ଜଣେ ବଡ଼ ସାହିତ୍ୟିକଙ୍କୁ ନିଜ ବହି ଉପହାର ଦେବ ବୋଲି ବାହାର କଲା ବେଳକୁ ସେ କହିଲେ,” ତମ କବିତା ମୁଁ ପଢ଼ିଛି।ବିଦ୍ରୋହ ର ସ୍ୱର ଅଛି ତମ କବିତାରେ।ମୋତେ ବହିଟା ପୋଷ୍ଟରେ ପଠାଇଦେଵ।କାରଣ ଆଜି ଆହୁରି ଦୁଇଟା ସଭାକୁ ଯିବାକୁ ପଡିବ।ସେଠି ମୁଁ ମୁଖ୍ୟଅତିଥି।ବିଶ୍ୱ ମୋତେ ଏଇଠି ମୁଖ୍ୟଅତିଥି କରିବ ବୋଲି ବାଧ୍ୟ କରୁଥିଲା, ହେଲେ ମୁଁ ମନା କଲି।ସବୁଠି ମୁଁ ରହିଲେ ଅନ୍ୟମାନେ ଖରାପ ଭାବିବେ।”ଅରୁଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲା ସେ ତ ଆଜିଯାଏ କେବଳ ଗପ ଲେଖିଛି।ଏ ବାବୁ ତା କବିତା ପଢିଲେ କେଉଁଠୁ ?ତା ପୁଣି ବିଦ୍ରୋହ ର ?

ଆଉଜଣେ ବିଖ୍ୟାତ ସହିତ୍ୟିକଙ୍କ ସହ ସେଲ୍ଫି ନେଉନେଉ ଅରୁଣ ତାଙ୍କୁ ପଚାରିଲା, “ସାର୍ , ଏବର୍ଷ ଆମ ଗାଁ ରେ ସାହିତ୍ୟିସଭାକୁ ଆପଣଙ୍କୁ ଡାକିଲେ ଆସିବେ ତ ?”

ହସିଦେଇ ସାର୍ କହିଲେ, “ଭଲ ଷ୍ଟାର ହୋଟେଲ ରେ ରହିବା,ଯିବା ଆସିବା ଟ୍ୟାକ୍ସି ଭଡା ଆଗୁଆ ଦେବ।ନନ୍ ଭେଜ୍ ଖାଏ ମୁଁ।ତା ଛଡ଼ା ତମ ଅଞ୍ଚଳରେ ପିକନିକ ସ୍ପଟ ଦେଖେଇବ।ମୋର ଗୋଟେ ବହି ବି ସେଦିନ ରିଲିଜ କରିବା। ମୋ ଫୋନ୍ ନମ୍ବର ତ ଜାଣିଥିବ।ତେବେ କଟକ, ଭୁବନେଶ୍ବର ରେ ଆୟୋଜନ କରୁନ ?”

ଅରୁଣ ର କାନ ଝାଏଁ ଝାଏଁ କରୁଥିଲା। ଉତ୍ସବର ମାହୋଲ ତାକୁ କୁତ୍ରିମ,ପ୍ରାଣହୀନ ଲାଗୁଥିଲା।ସବୁଠି ପ୍ଲାଷ୍ଟିକ ହସ ଓ ଖାଲି ସେଲ୍ଫି ନେବାର ପ୍ରତିଯୋଗିତା। କେବଳ ଗର୍ବ,ଅହମିକା,ଦର୍ପ……ସାହିତ୍ୟ,ସୃଜନଶୀଳତା,ନମ୍ରତା କାହିଁ !!!!!

ତା ଅଞ୍ଚଳ ନାଁ ଶୁଣି କେତେକ ତାକୁ ଭୁଲରେ ଦଳିତ ସାହିତ୍ୟିକ ବୋଲି ସମ୍ବୋଧନ କରିବା ଆରମ୍ଭ କରିଦେଇଥିଲେ।ଅରୁଣ ଭାବୁଥିଲା ସାହିତ୍ୟରେ ଦଳିତ ପୁଣି କଣ ?ତା ଗାଁରେ କବିତାପାଠ ଉତ୍ସବ ଆୟୋଜନ କରିବାକୁ କାହାକୁ ମୁଖ୍ୟଅତିଥି ଭାବେ ଡକାଯିବ ସେ ପ୍ରସ୍ତାବ ବି ଅରୁଣ କୁ ଦିଆଗଲା।ତାକୁ ଲାଗିଲା ଏଠି ମୁଖ୍ୟଅତିଥି ହେବାର ନିଶା ଯେମିତି ସମସ୍ତଙ୍କୁ ଘାରିଛି।

ବିଶ୍ଵବାବୁଙ୍କୁ ଭେଟି,ନିଜ ନାଁ ପଞ୍ଜୀକରଣ କରି ପଛପଟ ବଗିଚାକୁ ଆସିଲା ଅରୁଣ।କିଛି ଯୋଡି ଗପରେ ମସଗୁଲ ଥିଲେ।ହାଠାତ୍ ଜଣେ ମହିଳାଙ୍କୁ ଦେଖି ସମସ୍ତେ ଟିକେ ଆଡ଼େଇହୋଇ ଚାଲିବାକୁ ଆରମ୍ଭ କଲେ।ଭଦ୍ରମହିଳା ପାଖକୁ ଆସି ଅରୁଣକୁ ପଚାରିଲେ, “ଆପଣଙ୍କୁ ଆଗରୁ ଦେଖିନି ତ ?ଗପ ନା କବିତା ଲେଖନ୍ତି ?”

‘ଗପ ଲେଖେ।’

“ଭଲ,ବହୁତ ପଢନ୍ତୁ ଓ ବହୁତ ଲେଖନ୍ତୁ।ମୁଁ କାମିନୀ । ମୋର ୨୪ ଟା ବହି ଛପା ହୋଇଛି। ମୁଁ ଆଜି ଏଇଠି ମୁଖ୍ୟଅତିଥି।”

ଅନେକ ସାହିତ୍ୟ ଚର୍ଚ୍ଚା ଆରମ୍ଭ ହେଲା।

ଗଳ୍ପ ସଂଗ୍ରହ – ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ।

“ଆଛା ଆପଣ କିଛି ନିଜ ଗପ ମୋତେ ପଢି ଶୁଣାନ୍ତୁ।”କାମିନୀ କହିଲେ।

ବୋକାଙ୍କ ପରି ଚାରିଆଡକୁ ଅନାଇ,ଅରୁଣ ନିଜ ବହି ବାହାର କରି ଗୋଟାଏ କ୍ଷୁଦ୍ରଗଳ୍ପ ଶୁଣାଇଲା।

ଅରୁଣକୁ ଆଶୀର୍ବାଦ କଲା ଢଙ୍ଗରେ କାମିନୀ ମ୍ୟାଡମ କହିଲେ,”ବହୁତ ସୁନ୍ଦର।ଆପଣ ନିଶ୍ଚେ ବହୁତ ଆଗକୁ ବଢ଼ିବେ। ଦୁଇଜଣଙ୍କ ଭିତରେ ସାହିତ୍ୟ ଅଲୋଚନା ଆରମ୍ଭ ହୋଇଗଲା।

ହାଠାତ୍ ଜଣେ ଭଦ୍ରବ୍ୟକ୍ତି ପଛପଟୁ ଆସି କାମିନୀଙ୍କୁ ଡାକି ଅନ୍ୟଆଡ଼େ ନେଇଯିବା ପୂର୍ବରୁ ଅରୁଣ କାନରେ କହିଲେ,” ଦୟା କରି ଖରାପ ଭାବିବେନି।ମୁଁ ନୀଳାମ୍ବର ମିଶ୍ର । ମୋ ମିସେସ୍ ଙ୍କ ସାମାନ୍ୟ ମୁଣ୍ଡଦୋଷ ଅଛି। କାମିନୀ ଯାହାକୁ ଦେଖିଲେ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରନ୍ତି।”ଭଦ୍ରବ୍ୟକ୍ତି ଜଣଙ୍କ କାମିନୀଦେବୀଙ୍କ ହାତ ଧରି ଚାଲିବା ଆରମ୍ଭ କରିଦେଇଥିଲେ।

ଦୁଇଜଣ ସାହିତ୍ୟିକ ପାଖକୁ ଆସି କହିଲେ, “ପୁରା ପାଗିଳୀ ସ୍ତ୍ରୀ ଲୋକଟା। ଅନେକ ସଭାକୁ ଆସି କହେ ମୁଁ ମୁଖ୍ୟଅତିଥି। ତା ସ୍ୱାମୀ ଟା ବି ଅଜବ ମଣିଷ।”

ହାଠାତ୍ ଟିକେ ହୋହାଲ୍ଲା ଶୁଣାଗଲା। “ହେଇ, ମୁଖ୍ୟଅତିଥି ଆସିଗଲେ।”

ଦାମୀ କାର ଗୋଟେ ଅଟକିଲା।ଭିଡ଼ ଜମିଗଲା।ଡ୍ରାଇଭର ଗାଡ଼ିରୁ ବାହାରି ଆୟୋଜକଙ୍କୁ ଚିଠିଟିଏ ବଢ଼ାଇ କହିଲା, “ସାରଙ୍କ ଦେହ ହାଠାତ୍ ଖରାପ ହେଲା।ଗତ ଦୁଇଦିନ ସାହିତ୍ୟ ସଭାରେ ଭୋଜି ଖାଇ ଆଜି ଅବସ୍ଥା ଅସମ୍ଭାଳ।ବସିବାକୁ ଅସମର୍ଥ।ଫୋନରେ ନେଟୱାର୍କ ନାହିଁ ବୋଲି ମୋତେ ପଠାଇଲେ।”ପଛପଟ ସିଟ ରେ ବସି ଭୁକୁଥିବା ମୁଖ୍ୟଅତିଥିଙ୍କ ପୋଷା କୁକୁର ସହିତ କେତେଜଣ ସେଲ୍ଫି ନେବା ଆରମ୍ଭ କରିଦେଇଥିଲେ।

ସାହିତ୍ୟସଭାରେ ପୁଣି ଆଲୋଚନା ହେଉଥିଲା ଅତିଥିମାନଙ୍କ ଭିତରୁ କିଏ ମୁଖ୍ୟଅତିଥି ହେବ ?

ଅରୁଣ ହଠାତ୍ ଦୌଡ଼ି ଯାଇ ନିଳାମ୍ବର ବାବୁଙ୍କୁ କହିଲା , ” ସାର୍, ଗୋଟେ କଥା କହିବି। ପ୍ରତିଟି ସାହିତ୍ୟମନସ୍କ ବ୍ୟକ୍ତି ,ଟିକେ ଭାବପ୍ରବଣ ହୋଇଥାଏ।ତା ଅନ୍ତଭାବନାକୁ ଚିହ୍ନି ନପାରି ଆମେ ତାହାକୁ ପାଗାଳାମୀ ବୋଲି କହୁ। ଜଣେ ନିଷ୍ଠାପର ବ୍ୟକ୍ତି, ସାହିତ୍ୟ ପାଇଁ ପାଗଳ ନହେଲେ ସାହିତ୍ୟ ର ଅକାଳ ମୃତ୍ୟୁ ହୋଇଯିବ।ଅସଲ କଥା ଆପଣଙ୍କୁ କହିବି , ଆଜି ଏଠାରେ ମୁଁ ଭେଟିଥିବା ସମସ୍ତ ଲୋକଙ୍କ ଭିତରେ କାମିନୀ ମ୍ୟାଡମ ହିଁ ମୋତେ ଅସଲ ସାହିତ୍ୟପ୍ରେମୀ ବୋଲି ଲାଗିଲେ।ଆପଣଙ୍କ ଅନୁମତି ନେଇ ମ୍ୟାଡମଙ୍କ ସହ ଗୋଟେ ସେଲ୍ଫି ନେଇପାରିବି ?

ଆବାକାବା ହୋଇ ଅନେଇଥିଲେ ସେ ଭଦ୍ରବ୍ୟକ୍ତି ; ଅରୁଣ ,କାମିନୀ ଦେବୀଙ୍କ ସହ ସେଲ୍ଫି ନେଉନେଉ କହୁଥିଲା, ” ମୋ ପାଇଁ ଆପଣ ହିଁ ଆଜି’ର ମୁଖ୍ୟଅତିଥି ।”

ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।

(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି …..ଅପେକ୍ଷା କରିଥାଅ ସମସ୍ତେ!)

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.