ମୁଁ ବ୍ରାହ୍ମଣ

brahmin
Reading Time: 6 minutes

ମୁଁ ବ୍ରାହ୍ମଣ। ବ୍ରାହ୍ମଣ ଘରେ ଜନ୍ମ ନେଇଛି। ପୂର୍ବ ଜନ୍ମରେ ବିଶ୍ବାସ କରେ। ପଢ଼ିଛି, ପୂର୍ବ ଜନ୍ମର ସୁକୃତ ଥିଲେ ସେ ପୁଣ୍ୟ ଫଳ ସ୍ଵରୂପ ବ୍ରାହ୍ମଣ ଯୋନିରେ ଜନ୍ମ ନେବାର ସୌଭାଗ୍ୟ ମିଳେ। ତେଣୁ ବ୍ରାହ୍ମଣ ଘରେ ଜନ୍ମ ନେଇଛି ମାନେ ପୂର୍ବ ଜନ୍ମରେ କିଛି ଭଲ କରିଥିଲି ଭାବି ଖୁସି ତ ଲାଗେ, ହେଲେ ଗର୍ବ ଆସେନି। କାରଣ: ପୂର୍ବ ଜନ୍ମରେ ବିଶ୍ବାସ କରେ ମାନେ ପର ଜନ୍ମ ଉପରେ ବି ବିଶ୍ବାସ ଅଛି। ଆଉ ବ୍ରାହ୍ମଣର କର୍ତ୍ତବ୍ଯ ଯାହା ସବୁ ବୋଲି ପଢ଼ିଛି, ଶୁଣିଛି, ସେ ସବୁ କିଛି ବି ମୁଁ କରି ପାରେନି। ତେଣୁ ପର ଜନ୍ମରେ ଯେ ମୋତେ ଆଉ ବ୍ରାହ୍ମଣ ଘରେ ଜନ୍ମ ନେବାର ସୁଯୋଗ ମିଳିବନି, ସେଇଟା ଥୟ । ଓଲଟା ଉଚ୍ଚ କୂଳରେ ଜନ୍ମ ନେବାର, ଆଉ ତାକୁ ବଜାୟ ରଖି ନ ପାରିବାର ଏକ ଅପରାଧ ବୋଧ ରହିଥାଏ ସବୁବେଳେ ମନର କୋଉ ଗୋଟେ ସନ୍ଧିରେ। ତେଣୁ ସବୁବେଳ ପାଇଁ ମୁଣ୍ଡରେ ଗୋଟିଏ ଚିନ୍ତା ଥାଏ, ଏମିତି କିଛି କରିବିନି, ଯାହାକୁ ନେଇ ମଲା ପରେ ଇଶ୍ୱରଙ୍କ ସାମ୍ନାରେ ମୁହଁ ଦେଖେଇବାକୁ ଲାଜ ଲାଗିବ। ବ୍ରାହ୍ମଣର କର୍ତ୍ତବ୍ୟ କରି ନ ପାରେ ହୁଏତ, ଭଲ ମଣିଷ ଅନ୍ତତଃ ହେବା ଚେଷ୍ଟାରେ ଲାଗିଥାଏ। ତେବେ ଏ ଜନ୍ମରେ ମୁଁ ବ୍ରାହ୍ମଣ ବୋଲି ଗର୍ବ ତ କରି ପାରେନି, ତା ସହ ଲାଜ ବି ଆଦୌ କରେନି ।ଲାଜ ଲାଗିବ କାହିଁକି? ବ୍ରାହ୍ମଣ ଘରେ ଜନ୍ମ ନେବା କଣ ଅପରାଧ?

ବର୍ତ୍ତମାନ ଏମିତି ଏକ ସମୟ ଚାଲିଛି ଆମ ସମାଜରେ, ଯେତେବେଳେ ନିଜକୁ ହିନ୍ଦୁ ବା ବ୍ରାହ୍ମଣ ବୋଲି କହିଲେ କିଛି ଆତ୍ମଘୋଷିତ ମାନବବାଦୀ ଘୃଣ୍ୟ ଚକ୍ଷୁରେ ଦେଖିବା ଆରମ୍ଭ କରୁଛନ୍ତି ଆମକୁ । ବ୍ରାହ୍ମଣକୁ ଦଳିତଙ୍କ ଅତ୍ୟାଚାରୀ, ବଳାତ୍କାରୀ ଇତ୍ୟାଦି ଇତ୍ୟାଦି କହି ଗାଳି ଦବା ଆରମ୍ଭ କରୁଛନ୍ତି। ହେଲେ ସେମାନେ ଯାହା ସବୁ କହୁଛନ୍ତି, ସେ ସମୟ କଣ ଆଉ ଅଛି? ହୁଏତ ଆଗରୁ ସେମିତିକା ସମୟ ଥିଲା, ଯେବେ ବ୍ରାହ୍ମଣ ବର୍ଗ ସ୍ଵଚ୍ଛଳ ଥିଲେ। ନିଜକୁ ଉଚ୍ଚ ଶ୍ରେଣୀର ମନେ କରି ଅନ୍ୟମାନଙ୍କୁ ନୀଚ୍ଚ ଦୃଷ୍ଟିରେ ଦେଖୁଥିଲେ କି ସମାଜରେ ତାଙ୍କର ଆଧିପତ୍ୟ ଥିଲା। କିନ୍ତୁ ସେଇ ବ୍ୟବସ୍ଥାକୁ ବଦଳେଇବାକୁ ଯାଇ ଢେର୍ ସାରା ପରିବର୍ତ୍ତନ ଅଣାଗଲା ଆମ ସାମାଜିକ ବ୍ୟବସ୍ଥାରେ। ଆଉ ଜାତି ପ୍ରଥା ଏକ ରକମ ତା’ର ଅସ୍ତିତ୍ଵ ହରେଇ ଲାଣି କହିଲେ ଚଳେ। ଆଉ ସେ ପରିବର୍ତ୍ତନ ସବୁ ଆଣିବାରେ ବ୍ରାହ୍ମଣ ମାନଙ୍କର ହିଁ ବଡ଼ ଯୋଗଦାନ ରହିଛି ନିଶ୍ଚେ। ସମାଜ ସଂସ୍କାରକ କହିଲେ ତ ରାଜା ରାମ ମୋହନ ରାୟ ଙ୍କ ନାଁ ଆସିବ ସବୁଠୁ ଆଗରେ!

ଆଜିର ଏ ସମୟରେ, କୋଉ ଯୁଗରେ ବ୍ରାହ୍ମଣ ମାନେ ଅତ୍ୟାଚାରୀ ଥିଲେ କହି ଯେତେବେଳେ ମୋ ମୁହଁକୁ କିଏ ଘୃଣ୍ୟ ଦୃଷ୍ଟିରେ ଦେଖେ, ବଡ଼ ଆଶ୍ଚର୍ଯ୍ୟ ହୁଏ ମୁଁ! ମୋ ଜାତିର କିଏ କେତେ ବର୍ଷ ତଳେ କଣ ସବୁ କରିଥିଲେ ବୋଲି, ଯାହା ମୁଁ କେବେ ମୋ ଆଖିରେ ଦେଖିନି, ତା ପାଇଁ ଲଜ୍ଜିତ ହେବି ନା କଣ ଆଜି !

ଆଉ ଏବେ ସେମିତିକା ପରିସ୍ଥିତି ନ ଥାଇ ବି, ବହିରୁ ପଢ଼ି, ଅଥବା ସିନେମାରୁ ଦେଖି କିଏ ଯଦି “ତମେ ବ୍ରାହ୍ମଣ ମାନେ ଏମିତିଆ, ସେମିତିଆ” ବୋଲି କହେ, ମତେ ହସ ମାଡ଼େ, ରାଗ ବି ମାଡେ଼। ମୁଁ ଭାବେ, ଏମାନେ ମୋ ଠୁ ଏବେ ଚାହୁଁଛନ୍ତି କଣ? ମୁଁ, ମୋ ଜାତିର ପୂର୍ବରୁ କିଏ କିଛି କରିଥିବା ପାପ ପାଇଁ, ପ୍ରାୟଶ୍ଚିତ କରିବି ବୋଲି ଏବେ ଏମାନେ ଆଶା କରୁଛନ୍ତି ନା କଣ?

ତେବେ ମୋ ମନେ ପଡ଼ିଲା ଦିନୁ ମୋ ପୂର୍ବ ପୁରୁଷ ମାନେ କେମିତି କଣ କରୁଥିଲେ ସେ ବିଷୟରେ କିଛି ଘଟଣା କହିବି…

ମୁଁ ଗାଁ ରେ ବଢ଼ିଛି ଅଜା, ଆଈ ପାଖରେ । ଗାଁ ରେ ଛୁଆଁ ଅଛୁଆଁ ଭେଦଭାବ ଟିକେ ଅଧିକା ନିଶ୍ଚେ। କେତେଟା ଜାତିକୁ ଛାଡ଼ିଦେଲେ (ପାଣିଚଳା ଜାତି କୁହଯାଏ ସେମାନଙ୍କୁ), ଅନ୍ୟ ମାନଙ୍କୁ ଛୁଇଁଲେ ଛୁଆଁ ବୋଲି ଡ୍ରେସ୍ ବଦଳେଇବାକୁ ପଡ଼ୁଥିଲା ସେତେବେଳେ।ଏବେ ସେସବୁ ଅଛି ନା ନାହିଁ ମୁଁ କହି ପାରିବିନି। କିନ୍ତୁ ମୋ ପିଲାବେଳେ ଥିଲା।

ଅଜା ଘର ଥିଲେ ଥିଲାବାଲା ଘର। ହଳିଆ, ମୂଲିଆ ହେଇ ବେଶ୍ କିଛି ଜଣ କାମ କରନ୍ତି ଆମ ଘରେ ତଥା ଜମି ବାଡ଼ିରେ।

ଆମ ଘରକୁ ସାହିରେ ଥିବା ଭଣ୍ଡାରୀ ଘର ପାଣି ଦବାକୁ ଆସନ୍ତି। ମୁଁ ତାଙ୍କ ଘରକୁ ଯାଏ। ଥରେ ତାଙ୍କ ଘରେ ସେମାନେ ଛଅ ଭାଇ ଭଉଣୀ ମିଶି ଗୋଟିଏ କଂସାରେ ପଖାଳ ଭାତ ଖାଉଥାନ୍ତି। ନାଲି ଚାଉଳର ମୋଟା ଭାତ। ଆମ ଘରେ ସରୁ ଧୋବ ଫରଫର ଚାଉଳ ଖିଆ ହୁଏ। ତେଣୁ ସେଇ ନାଲି ଭାତର ନାଲି ନାଲି ତୋରାଣି ମୋ ପାଇଁ ନୂଆ ଥିବାରୁ ଲୋଭିଲା ଆଖିରେ ମୁଁ ଚାହିଁଥାଏ ସେ ଆଡ଼େ। ଆମ ଘରକୁ ପାଣି ଦବାକୁ ଆସୁଥିବା ନାନୀ ପଚାରିଲେ: ତୁ ଖାଇବୁ? ମୁଁ ମୁଣ୍ଡ ଟୁଙ୍ଗାରିଲି। ସେ ଟିକେ କୁଣ୍ଠିତ ହେଇ ମୋ ଆଗ୍ରହ ଦେଖି ଡାକିଲେ। ମୁଁ ସପ୍ତମ ଲୋକ ହିସାବରେ ଯାଇ ସେଇ କଂସାରେ ହାତ ବୁଡ଼େଇଚି କି ନାଇଁ ଅଜା ଆସି ପହଁଞ୍ଚିଲେ ମତେ ଡାକିବାକୁ। ସେ ଅବସ୍ଥାରେ ମତେ ଦେଖି ଦେଇ କହିଲେ: ଆ, ଆଜି ଗୋବର ପାଣି ପିଇଲେ ଯାଇ ଘର ଭିତରକୁ ପଶିବୁ। ମୁଁ ସେଇଠୁ କାନ୍ଦି କାନ୍ଦି ଧାଇଁଲି ଘରକୁ। ପଛେ ପଛେ ଧାଇଁଲେ ସେ ନାନୀ ମତେ ବଞ୍ଚେଇବାକୁ ।

ସେ ଆମ ଘର ଅଗଣାରେ ବସି ଅଜାଙ୍କ ସାଙ୍ଗରେ କଥା ହେଲା ବେଳକୁ, ଆଇ କୋଳରେ ମୁହଁ ଗୁଞ୍ଜି ଶୁଣୁଥିଲି ମୁଁ ତାଙ୍କ ଆଉ ମୋ ଅଜାଙ୍କ କଥାବାର୍ତ୍ତା। ସେ କହୁଥିଲେ: ସାହୁଏ, ମତେ ଯାହା କହୁଚ କୁହ, କିନ୍ତୁ ଝିଅ ଉପରେ ରାଗିବନି।

ଅଜା ଆଦୌ ନ ରାଗି ଧୀରେ ସୁସ୍ଥେ ତାଙ୍କୁ କହିବାର ଶୁଣିଲି: ସେ ଆମ ଘରେ ଖାଇବାକୁ ଏତେ ହଇରାଣ କରୁଚି। ତମ ଘରେ ତୋ ପିଲାଙ୍କୁ ଦେଖି ଖାଇବାକୁ ବସୁଚି ଯଦି, ନିତି ଖାଉ। ମୋର ଆପତ୍ତି ନାହିଁ। ମୁଁ ବରଂ ମାସକର ଚାଉଳ ଦେବି ତତେ। ହେଲେ ତୁ ତାକୁ ଅଲଗା ଜାଗାରେ ଗୋଟେ ବାଢ଼ିଥିଲେ ହେଇ ନଥାନ୍ତା! ଛଅ ଜଣ ଖାଉଛନ୍ତି, ତୁ ସେଇ ଜାଗାରେ ପୁଣି ତାକୁ ହାତ ବୁଡ଼େଇ ଖାଇବାକୁ କହିଲୁ!

ମାନେ ମୁଁ ବୁଝିଲି ସେ ତାଙ୍କ ଜାତିକୁ ନେଇ ବ୍ୟସ୍ତ ନଥିଲେ ଆଦୌ, infection କୁ ନେଇ ବ୍ୟସ୍ତ ଥିଲେ!

ଆମ ଘରେ କାମ କରୁଥିବା ହଳିଆ ଥିଲେ ତଅଁଳା ସାହିର। ପ୍ରତି ପର୍ବ ପର୍ବାଣୀରେ ମୁଁ ନିଜେ ତାଙ୍କ ମାନଙ୍କ ଘରକୁ ପିଠା ପଣା ନେଇକି ଯାଇ ଦେଇ ଆସେ। ମତେ ଆମ ଘରେ କେବେ ବି ବାରଣ କରନ୍ତିନି ତାଙ୍କ ଘରେ କିଛି ନ ଖାଇବା ପାଇଁ।

ସେଇ ହଳିଆ ଭିତରୁ ଜଣେଙ୍କ ପାଦ ଥରେ ଗେଣ୍ଡା କାଟି ଦେଇଥାଏ। ଦାଣ୍ଡରେ ବେଦୀ ଉପରେ ଅଜା ତାଙ୍କ ପାଦରେ ମଲମ ଲଗେଇ ଦଉଥାନ୍ତି। ମୁଁ ଶୁଣିଲି ସେଠି ବସିଥିବା ଲୋକେ କଥା ହଉ ଥିବାର: ଭରତ ପଣ୍ଡା ହଳିଆ ମୂଲିଆଙ୍କୁ ବି ନିଜ ଘର ଲୋକ ଭଳିଆ ବ୍ୟବହାର ଦେଖାନ୍ତି। ଦେଖୁନ, ବ୍ରାହ୍ମଣ ହେଇ କେମିତି ହଳିଆ ପାଦ ଧରି ଔଷଧ ଲଗେଇ ଦଉଛନ୍ତି!

ME ସ୍କୁଲ୍ ରେ ପଢ଼ିବା ବେଳେ ଘରେ କହିଲି ମୋର ମୋ ସାଙ୍ଗଟିଏ ସହ ସଙ୍ଗାତ ବସିବାର ଅଛି। ସେ ସାଙ୍ଗ ଥିଲା କେଉଟ ଘରର। ଘରେ ପଦେ କହିଥିଲେ: ଝିଅ ସଙ୍ଗାତ ବସନ୍ତି ନିଜ ସହ ସମସ୍କନ୍ଦ ବା କିଛିଟା ସମାନତା ଥିବା ଜଣେ ସହ।

କହି ରଖେ: ଆମ ଦୁହିଁଙ୍କର କୌଣସି ସମାନତା ନଥିଲା। ମୁଁ ବ୍ରାହ୍ମଣ, ସେ କେଉଟ। ମୁଁ ସଫା ଗୋରା ଥିଲି, ସେ ସମ୍ପୁର୍ଣ୍ଣ ଭାବେ କଳା। ମୁଁ ମହାପାତ୍ର ବଂଶର ଥିଲି, ସେ ନ ଥିଲା ଘରର ଝିଅ।
ତେବେ ମୁଁ ସେଇ ଝିଅଟି ମୋର ଭଲ ସାଙ୍ଗ କହିବା ପରେ ଆମ ଘର ତରଫରୁ ବିନା ଦ୍ୱିଧାରେ, ମାତ୍ର ତାଙ୍କ ଘର ତରଫରୁ ଖୁବ୍ ସଙ୍କୋଚ ସହ ସଙ୍ଗାତ ବସିଲୁ ଆମେ ଦୁହେଁ। ଏଯାଏଁ ମୁଁ ଗାଁ କୁ ଗଲେ ତାଙ୍କ ଘରକୁ ଗଲେ ସେ ତାଙ୍କ ଅଗଣାରେ ସଙ୍କୋଚ ବଶତଃ ଚେୟାର ଗୋଟେ ପକାନ୍ତି। ଆଉ ମୁଁ ତାଙ୍କର ସେ ସଙ୍କୋଚ ଦୂର କରିବାକୁ ପାଣି ଗ୍ଲାସ୍ ଟେ ମାଗି ପିଇକି ଆସେ ପ୍ରତି ଥର। ଏବେ ବି ସେ ମୁଁ ତାଙ୍କ ଘରେ ପାଣି ସ୍ପର୍ଶ କଲେ ତାଙ୍କର ପାପ ହବ ବୋଲି କୁଣ୍ଠାବୋଧ କରନ୍ତି ମାଉସୀ । ଖାସ୍ କରି ମୋ ବାହାଘର ପରେ, ଘରର ଏକ ମାତ୍ର ବୋହୂ ହେତୁ, ନୀଚ୍ଚ ଜାତିରେ ଭକ୍ଷଣ ନିଷେଧ ବୋଲି ଶୁଣାନ୍ତି ମତେ ପ୍ରତି ଥର। ଆଉ ମୁଁ ହସି ହସି ପାଣି ମାଗି, ପିଇ ମୋ ମୁଣ୍ଡକୁ ତାଙ୍କ ପାପ ତକ ନେଇ ଆସେ ସବୁ ଥର।

ଆମ ଘରେ ହଳିଆ କାମ କରୁଥିବା ଜଣେ ଲୋକଙ୍କୁ ତାଙ୍କ କାଠ କାମରେ ଥିବା ଆଗ୍ରହ ଦେଖି, ଦିନକୁ ଦୁଇ ତିନି ଘଣ୍ଟା ଯାଇ କାଠ କାମ ଶିଖିବାକୁ ପ୍ରବର୍ତ୍ତେଇ ଥିଲେ ଅଜା। ଅଳ୍ପ କିଛି ଦିନ ଭିତରେ ସେ କାମ ଶିଖି ଯିବା ପରେ, ବଢ଼େଇ କାମ କରି ବେଶୀ ରୋଜଗାର କରି ପାରିବେ ସେ ବୋଲି କହି, ନୂଆ ହଳିଆ ରଖି, ଅଜା ତାଙ୍କୁ ଯିବାକୁ ଦେଇଥିଲେ। ମୁଁ ଦେଖିଛି ସେ ମୋ ଅଜାଙ୍କୁ କି ଭଳି ସମ୍ମାନ ଦିଅନ୍ତି ସେଥିପାଇଁ। “ମୋ ବାପା ଇଏ” କହି ପରିଚୟ ଦିଅନ୍ତି ସମସ୍ତଙ୍କ ଆଗରେ।

ହାଇସ୍କୁଲ, ଆମ ସାହି ମଝିରେ ଥିଲା ପାଣ ସାହି। ସ୍କୁଲ୍ ଯିବାକୁ ହେଲେ ଦୁଇଟା ବାଟ। ଗୋଟେ: ସେଇ ପାଣ ସାହି ଦେଇ ଯିବାକୁ ହେବ। ଅନ୍ୟଟି: ବାଡ଼ି ପଟେ ଝାଡ଼ା ପଦା ଦେଇ ଯିବାକୁ ପଡ଼େ। ସମସ୍ତେ ସେଇ ଝାଡ଼ା ପଦା ଦେଇ ଯିବେ ପଛେ ପାଣ ସାହି ଭିତରେ ପଶିଲେ ମାରା ହବ ବୋଲି ଯିବେନି। ମୁଁ ଜିଦ୍ କରି ସେଇ ସାହି ଭିତରେ ପଶି ଯିବା ଆସିବା କରେ।

ଦଶମ ଶ୍ରେଣୀରେ ଆମ ସାଙ୍ଗରେ ପଢୁ ଥାଆନ୍ତି ତିନିଜଣ ପାଣ ଘର ଝିଅ। ପଢ଼ା ସରିବା ପରେ ଗୋଟେ ଫଟୋ ଉଠେଇ ରଖିବା ପ୍ରଥା ଥାଏ। ଆମ ଛାତ ଉପରେ ଭଲ ଫଟୋ ଆସିବ ବୋଲି କହିଲା କ୍ୟାମେରା ମ୍ୟାନ୍। ମୁଁ ସେଇ ତିନିଜଣ ସାଙ୍ଗଙ୍କୁ ଚୁପ୍ କି ଆମ ଘର ଭିତର ଦେଇ ଛାତକୁ ନେଇଗଲି। ଫଟୋ ଉଠା ପର୍ବ ସରିଲା ପରେ, ନିଜ କାମ ହେଇଗଲା ଜାଣି କ୍ୟାମେରା ମ୍ୟାନ୍ ବଦମାସ୍ କହି ଦେଲା ମୋ ଅଜାଙ୍କୁ, ମୋ ସାଙ୍ଗ ମାନଙ୍କ ଭିତରେ କେତେଜଣ ପାଣ ଘର ଝିଅ ଅଛନ୍ତି। ଅଜା ସେଇଠି ସମସ୍ତଙ୍କ ଆଗରେ କହିଲେ: ଆସେ ଆଜି ଘରକୁ, ତୋର ମୋର କଥା ବାର୍ତ୍ତା!

ସାଙ୍ଗ ମାନେ ଢେର୍ ମନ ଦୁଃଖ କଲେ ତାଙ୍କ ଲାଗି ମୁଁ ପଛରେ ଗାଳି ଖାଇବି ବୋଲି। ମୁଁ ବି ଡରି ଡରି ଥାଏ। ହେଲେ ପଛରେ କିଛି କଥା ବାର୍ତ୍ତା ହିଁ ହେଲାନି ଆମ ଘରେ ।

ନନାଙ୍କ ଷ୍ଟାଫ୍ ମାନଙ୍କ ଭିତରୁ ଜଣେ ଷ୍ଟାଫ୍, ପିଅନ, ଥିଲେ ହାଡ଼ି। ନନା ରିଟାୟାର୍ଡ କଲା ଯାଏଁ ସେ ଥିଲେ ତାଙ୍କର ସବୁଠୁ ବେଶୀ ଘନିଷ୍ଠ। ଅତଏବ୍ ଭୋଜି ଭାତ ହେଲେ କି କୁଆଡ଼େ ଭୋଜି ଖାଇବାକୁ ଗଲେ ସେ ଦୁହେଁ ପାଖା ପାଖି ବସି ଖାଆନ୍ତି ବୋଲି ଅନ୍ୟ ଷ୍ଟାଫ୍ ମାନେ ଖୁବ୍ ନାକ ଟେକନ୍ତି।

ମୋ ଅଷ୍ଟମ ଶ୍ରେଣୀ ବେଳକୁ ସବା ସାନ ଭାଇକୁ ଆଣିଲୁ hospital ରୁ। ସମସ୍ତେ ନାକ ଟେକିଲେ ବଂଶ କୂଳ ଜାଣି ନଥିବା ପିଲାଟେକୁ ବ୍ରାହ୍ମଣ ହେଇ କେମିତି ଘରେ ଭର୍ତ୍ତି କଲୁ ବୋଲି! ଗତ ବର୍ଷ ତା’ର ବ୍ରତଘର ହେଲା ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଚନ୍ତି । 

ମୋ ତଳ ଭାଇ ଅଲଗା ଜାତିର ଝିଅକୁ ଭଲ ପାଉଚି ଜାଣି ବୋଉ ଜିଦ୍ ଧରି ବସିଲା ଘରେ ପୂରେଇ ଦବନି ବୋଲି। ସେ ଆସିଲେ ଆତ୍ମହତ୍ୟା କରିବାକୁ ଧମକ ଦେଲା ସୁଦ୍ଧା। ଭାଇ ମୋ ଉପରେ ଘର ଲୋକଙ୍କୁ ବୁଝେଇବା ଦାୟିତ୍ଵ ଛାଡ଼ି ଦେଇ ବସିଗଲା ଆରାମ୍ ରେ । ଦୁଇ ବର୍ଷରୁ ଅଧିକ ସମୟ ଲାଗିଗଲା ବୋଉକୁ ବୁଝେଇବାକୁ। ମୁଁ ଲକ୍ଷ୍ମୀ ପୁରାଣ ଠୁ ଆରମ୍ଭ କରି ବଶିଷ୍ଠ, ଅରୁନ୍ଧତୀ ଯାଏଁ ମୋ ସମସ୍ତ ବିଦ୍ୟା ବୁଦ୍ଧି ପ୍ରୟୋଗ କରି ସାରିଥାଏ ତାକୁ ବୁଝେଇବାରେ । ସେ ଟିକେ ନରମିଚି ଜାଣିବା ପରେ ଝିଅଟି ଚାଲି ଆସିଲା ଦିନେ ଆମ ଘରକୁ। ବିନା ଦ୍ୱିଧାରେ ବର ପକ୍ଷ କନ୍ୟା ପକ୍ଷ ଉଭୟ ସାଜି ବାହାଘର କରିବାକୁ ସଜ ହେଲେ ନନା, ବୋଉ ।
ବାହାଘରର ଅଳ୍ପ ଦିନ ପରେ ସୁଦଶା ବ୍ରତ କରି ବୋଉ ବ୍ରତ ପିନ୍ଧିଲା ମୋ ଭାଉଜ। ଦେଖୁଥିଲି ବୋଉର ବିନା ଦ୍ୱିଧାରେ ମାଣ, ଇଶାଣ ଠୁ ଆରମ୍ଭ କରି ସବୁକିଛି ଗୋଟେ ପରେ ଗୋଟେ ବୋହୂ ହାତରେ ସଅଁପି ଦବା ।

ମୁଁ ଏଯାବତ୍ ଲେଖିଥିବା ଅଳ୍ପ କେତେଟା ଗପ ଭିତରୁ ପ୍ରଥମ ବିବାଦୀୟ ଗଳ୍ପ ଥିଲା “କର୍ମଫଳ”, ଯେଉଁଥିରେ ଜଣେ ରକ୍ଷଣଶୀଳା ବ୍ରାହ୍ମଣ ସ୍ତ୍ରୀ ଲୋକ ପାଇଖାନା ଟାଙ୍କିରେ ବୁଡ଼ି ଯାଉଥିବା ବେଳେ ତାଙ୍କ ଅଛୁଆଁ ହଳିଆ ହାତରେ ଉଦ୍ଧାର ହେଇ କେମିତି ଜୀବନ ଫେରି ପାଇଥିଲେ।

ତା ପରେ “ଗରୀବି, ଏକ ମାନସିକତା” ବୋଲି ଗୋଟିଏ ଲେଖାରେ ସେଇ ଗାଁ ର ସାହି ପାଖ ପାଣ ସାହିର ଲୋକଙ୍କ ଦ୍ୱାରା ଆମ ବ୍ରାହ୍ମଣ ମାନଙ୍କୁ ଥଟ୍ଟା ପରିହାସ କରିବା ଘଟଣାଟିଏ ବିଷୟରେ ଲେଖି କିଛି ବନ୍ଧୁ ତଥା ପାଠକଙ୍କ ଦ୍ଵାରା “ସାମନ୍ତବାଦୀ”, “ଜାତିବାଦୀ” ଇତ୍ୟାଦି ଭାବରେ ଚିତ୍ରିତ ହେଲି 

“ମୁଁ ଜାତିପ୍ରଥା ମାନେନି” କହି ବ୍ରାହ୍ମଣ ଘର ଝିଅକୁ ପ୍ରେମ ଜାଲରେ ଫସେଇ ବାହା ହେଇଥିବା ଜଣେ ଦୋମୁହାଁ ଲୋକ ମତେ ପ୍ରଚଣ୍ଡ ଜାତିବାଦୀ ବୋଲି କହିବା ଶୁଣିଲା ପରେ ଏ ଲେଖାଟି ଲେଖିବା ଜରୁରୀ ବୋଲି ମନେ କଲି। କାହା ବିଷୟରେ ବିଶେଷ କିଛି ନ ଜାଣି ଲୋକେ କେତେ ସହଜରେ ନିଜ ରାୟ ଶୁଣେଇ ଦିଅନ୍ତି ସତରେ!!!

“ଛଅ ମାଣ ଆଠ ଗୁଣ୍ଠ” ରେ ସେ ସାଆନ୍ତେ ଅତ୍ୟାଚାରୀ ଥିଲେ କି ଆମେ ଦେଖିଥିବା ନବେ ଭାଗ ସିନେମାର ବ୍ରାହ୍ମଣ ସାହୁକାର ଗରୀବ, ଦଳିତ ଗ୍ରାମବାସୀର ଜମି ହଡ଼ପ କରି ନଉଥିଲେ ବୋଲି ଦେଖି ମୁଁ ମୋ ପୂର୍ବ ପୁରୁଷଙ୍କୁ କେମିତି ଘୃଣା କରିବି ଓ କାହିଁକି, ଯିଏ ମୋ ପିଲାଟି ଦିନୁ ସେ ଜାତିପ୍ରଥାକୁ ନେଇ କେବେ କାହାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଶିଖେଇ ନାହାଁନ୍ତି!

ଶେଷରେ ପୁଣି ଥରେ କହିବି: ବ୍ରାହ୍ମଣ ବୋଲି ଗର୍ବ ତ କରେନି, ତେବେ ଲାଜ ବି କରେନି । ମୁଁ ଯାହା, ତାକୁ ନେଇ ମୁଁ ଖୁବ୍ ଖୁସି ।

Recommended For You

About the Author: Utkal Odisha

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.