ଷ୍ଟୁଲ୍

TabouretAFDB
Reading Time: 2 minutes

ମୋ କଲେଜ ପଢିବାବେଳର ସବୁଠୁ ଭଲ ସାଙ୍ଗ ଥିଲା ମୋ ନନାଙ୍କ ଅଫିସରଙ୍କ ଝିଅ୤ ଦୁହେଁ ମିଶିକରି କଲେଜ, ଟ୍ୟୁସନ ଯିବା ବ୍ୟତୀତ ଜଣେ ଦୁଇଜଣଙ୍କ ଘରେ ମିଶି ପଢ଼ାପଢ଼ି କରୁ। ଏହି ହେତୁ ତାଙ୍କ ଘରେ ଥାଏ ମୋର ଅବାଧ ପ୍ରବେଶ।

ସାଙ୍ଗର ପରିବାର କହିଲେ ତା ବାପା, ମା ଓ ବଡ଼ଭଉଣୀ। ମଉସା (ତା ବାପା)ଙ୍କୁ ମୁଁ କେବେ ଘରେ ଦେଖେନି। ମାଉସୀ, ଦିଦି ଭାରି ଆଦର କରନ୍ତି ଘରକୁ ଗଲେ। ପର୍ବପର୍ବାଣୀରେ ମାଉସୀ ପିଠାପଣା କରି ଡକେଇ ପଠାନ୍ତି ଘରକୁ। ଗଲେ ମା ଝିଅ ତିନିହେଁ ବଳେଇ ବଳେଇ ଖୁଆନ୍ତି ମଧ୍ୟ୤ ଘରର ଜଣେ ଭଳି ବ୍ୟବହାର ଦେଖାନ୍ତି।

ଥରେ ରଜରେ ଡାକିଥାନ୍ତି ମତେ ମଧ୍ୟାହ୍ନ ଭୋଜନ ପାଇଁ। ଟିକେ ଡେରିରେ ପହଞ୍ଚିଲି। ମୋ ସାଙ୍ଗ କବାଟ ଖୋଲିଲା ବେଳୁ ଅଭିଯୋଗ କରିବା ଆରମ୍ଭ କରିଦେଲା ଡେରି ପାଇଁ। ଡାକିନେଲା ସିଧା ଡାଇନିଙ୍ଗ୍ ଟେବୁଲକୁ। ପ୍ରଥମ ଥର ପାଇଁ ମଉସାଙ୍କୁ ଘରେ ଦେଖିଲି। ସମସ୍ତେ ବସି ଖାଇବା ଆରମ୍ଭ କଲୁ। ଭଳିକି ଭଳି ଏକକୁ ଆରେକ ସୁଆଦିଆ ବ୍ୟଞ୍ଜନ। ତା ସାଙ୍ଗରେ ସାଙ୍ଗ ଓ ତା ଦିଦିଙ୍କର ଥଟ୍ଟା ପରିହାସ କଥା। ଖାଲି ମଉସାଙ୍କୁ ଛାଡ଼ିଦେଲେ ଆଉ ସବୁ ହସଖୁସିରେ ଭୋଳ। ଖିଆପିଆ ସରିଲା। ସବୁ ଉଠି ଚାଲିଲେ ତାଙ୍କ ବେଡ୍‌ ରୁମକୁ୤ ମୁଁ ଫେରିବାକୁ ବାହାରିଲା ବେଳକୁ ମତେ ମୋ ସାଙ୍ଗ ଅଟକେଇଲା ଆଉ କିଛି ସମୟ ଓ ମତେ ମଧ୍ୟ ଡାକିନେଲା ତାଙ୍କ ବେଡ଼ରୁମକୁ୤ ସେଠି ବାକି ସମସ୍ତେ ଟିଭି ଲଗାଇ ବେଡ଼ରେ ବସିଥାନ୍ତି। ମୋ ସାଙ୍ଗ ଯାଇ ବସିଗଲା ସେମାନଙ୍କ ପାଖରେ। ମତେ ମଧ୍ୟ ମାଉସୀ ପାଖରେ ବସିବାକୁ ହାତରେ ଇଙ୍ଗିତ କଲେ। ମୁଁ ବସିବାକୁ ଉଦ୍ୟତ ହଉଚି, ମଉସାଙ୍କ ଗମ୍ଭୀର ସ୍ବର ଶୁଣାଗଲା ‘ରହ’। ଆଉ ସେ ତୁରନ୍ତ ଉଠିଯାଇ ଅନ୍ୟ ଏକ ରୁମରୁ ଗୋଟିଏ ଷ୍ଟୁଲ୍ ନେଇ ଆସିଲେ। ବେଡ଼ ପାଖରେ ପକେଇ ଦେଇ ମତେ ସେଠି ବସିବାକୁ ଇଶାରା କଲେ। ମତେ ଲାଗିଲା ଯେମିତି ମୋ ଗାଲରେ ଗୋଟେ ଶକ୍ତ ଚଟକଣା ବାଜିଲା।

କିଛି ସମୟ ଆଗରୁ ପେଟ ଭରି ଖାଇଥିବା ଖାଦ୍ୟଗୁଡ଼ାକ ବାନ୍ତି ହେଇ ବାହାରକୁ ବାହାରି ଆସିବାକୁ ଛାଟିପିଟି ହବାକୁ ଲାଗିଲା ଯେମିତି। କିଛି ନକହି ଚୁପ୍ଚାପ୍ ବାହାରି ଆସିଲି ସେଇଠୁ।

ସେଠି ପୁରା ପରିବାର ଚୁପ୍ ରହି ତାମସା ଦେଖିବାଟା ଯେତିକି ନ ବାଧିଲା, ବେଶୀ ବାଧିଲା ମୋ ସାଙ୍ଗ ପଛରେ ସୁଦ୍ଧା ଗୋଟେ ପଦ କିଛି ନ କହିବା ସେ ପ୍ରସଙ୍ଗରେ।

କେମିତି ଏକ ଜିଦ୍ ମନରେ ଆସିଗଲା ତା’ପର ଠାରୁ। ପଢ଼ାପଢ଼ିରେ ଜୋର୍ ଦେଲି। ସେହି ବର୍ଷ +୨ ପରୀକ୍ଷାରେ ମୁଁ ମୋ କଲେଜର ଟପ୍ପର ହେଲି ଓ ମୋ ସାଙ୍ଗ ଦ୍ବିତୀୟ ଡିଭିଜନରେ ପାସ୍ କଲା୤ ସମୟକ୍ରମେ ଦୁଇଜଣ ରାଙ୍କିଙ୍ଗ ଭିତ୍ତିରେ ଦୁଇଟି ଅଲଗା କଲେଜ ଇଂଜିନିୟରିଂ ପଢ଼ିଲୁ। ମୁଁ କ୍ୟାମ୍ପସରେ ହିଁ ମନୋନୀତ ହେଲି ଏକ ନାମୀ କମ୍ପାନୀପାଇଁ। ସେ କୌଣସି ଚାକିରି ନ ପାଇ ପଢ଼ାସାରି ଘରେ କିଛି ବର୍ଷ ବସିଲା ଓ ପରେ ବାହା ହେଇଗଲା।

ଗତକାଲି ମୋ ନମ୍ବର କୋଉଠୁ ପାଇ ଫୋନ କରିଥିଲା। ବହୁଦିନ ପରେ ବହୁ ସମୟ ଧରି କଥା ହେଲୁ। ମୋ ସହରକୁ ଆସିଲେ ମତେ ଦେଖା ନିଶ୍ଚୟ କରିବ ବୋଲି କହିଲା।

ମନଟା ଥରେ ଭାଙ୍ଗିଗଲେ ଯୋଡ଼ିବା ତ କାଠିକର। ତେବେ ପଙ୍ଖା ଥୋଇବା ପାଇଁ ମୋ ଘରେ ବ୍ୟବହୃତ ହେଉଥିବା ଏକମାତ୍ର ଷ୍ଟୁଲ୍‌ ଟିକୁ ମୋ ଘରର ୱାଚମ୍ୟାନକୁ ଡାକି ଦେଇଦେଲି୤ ଏଇ ଡରରେ କି କେଜାଣି କାଳେ ମୋ ଘରର କିଏ ସେ ବୁଲି ଆସିଲା ବେଳେ ତା ଛୁଆକୁ ସେ ଷ୍ଟୁଲଟିକୁ ବସିବାକୁ ବଢ଼େଇ ଦବ!!

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.