ନିଦ ଔଷଧ

download
Reading Time: 4 minutes

ତିନିଜଣ ବିଦେଶୀ ଏବଂ ଜଣେ ଭାରତୀୟ ସେଦିନ ରାଜଧାନୀ ଏକ୍ସପ୍ରେସ୍‌ର ଏକ ଏ.ସି. ଫାଷ୍ଟକ୍ଲାସ୍‌ କମ୍ପାର୍ଟମେଣ୍ଟରେ ଏକତ୍ର ଯାତ୍ରା କରୁଥିଲେ୤

ପ୍ରଥମେ କମ୍ପାର୍ଟମେଣ୍ଟକୁ ଆସିଥିଲେ ଭାରତୀୟ ଯାତ୍ରୀ ଜଣକ୤ ଶ୍ୟାମଳ, ଶ୍ମଶ୍ରୁଳ, ମଧ୍ୟବୟସ୍କ ଏବଂ ମଧ୍ୟମ ସ୍ବାସ୍ଥ୍ୟର ଅବୟବଧାରୀ ଏହି ଯାତ୍ରୀ ଜଣକ ନିଜ ବର୍ଥ ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଏକରକମ ଗଳଦ୍‌ଘର୍ମ ହୋଇ ଆସିଥିଲେ୤ ସୁଟ୍‌କେସ୍‌, ବ୍ୟାଗ୍‌, ଝୁଲାମୁଣି ପ୍ରଭୃତି ମିଶାଇ ପାଞ୍ଚୋଟି ଲଗେଜ୍‌ ଧରି ତାଙ୍କର କୁଲି ପହଞ୍ଚିଲା ଏବଂ ବର୍ଥ ତଳେ ସବୁ ଜିନିଷ ସାନ୍ଧିଦେଲା୤ କୁଲି ସହ ମୂଲଚାଲ୍‌ କରି ତା’ର ପ୍ରାପ୍ୟ ଦେଲା ପରେ ସେ ଏକ ସ୍ବସ୍ତିର ସ୍ମିତହାସ୍ୟ ଛାଡ଼ିଲେ ଏବଂ ପଙ୍ଖାକୁ ଜୋର୍‌ରେ ଘୂରାଇ ଲୋୟର ବର୍ଥଟିରେ ଗୋଡ଼ ଲମ୍ବାଇ ଶୋଇଗଲେ୤

କମ୍ପାର୍ଟମେଣ୍ଟର ଦ୍ବିତୀୟ ଯାତ୍ରୀ ହେଲେ ଜଣେ ଚୀନୀୟ ଭଦ୍ରବ୍ୟକ୍ତି୤ ଶୀର୍ଣ୍ଣକାୟ, ତରୁଣ ଏବଂ ମିଞ୍ଜି ମିଞ୍ଜି ଚକ୍ଷୁଧାରୀ ଯାତ୍ରୀଜଣକ ଟୁରିଷ୍ଟ ଭଳି ମନେ ହେଉଥିଲେ୤ ଲଗେଜ୍‌ କମ୍‌ ଥିଲା୤ ବେଲ୍‌ଟ ଭିତରେ ତାଙ୍କର ମୋବାଇଲ ଫୋନ୍‌ ସହ କିଛି ଦରକାରୀ ଚିଜ ସେ ବାନ୍ଧି ରଖିଥିଲେ୤ ଅତି ସଲ୍ଲଜ୍ଜ ଭାବେ କମ୍ପାର୍ଟମେଣ୍ଟରେ ପ୍ରବେଶ କରି ଭାରତୀୟ ସହଯାତ୍ରୀଙ୍କୁ ମଥା ଝୁଙ୍କାଇ ଅଭିବାଦନ କଲେ ଏବଂ ଆସନ ଗ୍ରହଣ କଲେ୤

ପରବର୍ତ୍ତୀ ଯାତ୍ରୀ ଜଣେ ଆଫ୍ରିକୀୟ୤ କୃଷ୍ଣକାୟ, ଦୀର୍ଘ ଅବୟବ, ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ୤ ବୟସ ପ୍ରାୟ ଚାଳିଶି ବର୍ଷ ହେବ୤ ହସ ହସ ଚେହେରା୤ ସେ ଲଗେଜ୍‌ ଠେଲି ଠେଲି ମୋବାଇଲରେ କଥାବାର୍ତ୍ତା କରୁଥିଲାବେଳେ ଏଭଳି ହସୁଥିଲେ ଯେ, ମନେ ହେଉଥିଲା ସେ କେବଳ ମୁହଁରେ ହସୁ ନଥିଲେ-ହାଡ଼େ ହାଡ଼େ ହସୁଥିଲେ୤ ଦିଲ୍ଲୀକୁ କୌଣସି ଆନ୍ତର୍ଜାତିକ ସେମିନାରରେ ଯୋଗଦାନ କରିବା ପାଇଁ ସେ ଆସିଥିଲେ୤

ସବାଶେଷରେ ଯେଉଁ ଯାତ୍ରୀ ପଦାର୍ପଣ କଲେ ସେ ଜଣେ ଆମେରିକୀୟ୤ ଗାଡ଼ି ଛାଡ଼ିବାର ମାତ୍ର ପାଞ୍ଚ ମିନିଟ୍‌ ପୂର୍ବରୁ ସେ ପ୍ରବେଶ କଲେ୤ ହୃଷ୍ଟପୁଷ୍ଟ ହଲଷ୍ଟିନ ବୃଷଭ ପରି ଦିଶୁଥିବା ଏହି ଯାତ୍ରୀଙ୍କ ପିଠିରେ ତାଙ୍କର ପୃଥୁଳକାୟ ଲଗେଜ୍‌ ବନ୍ଧା ଥିଲା୤ ମୁଣ୍ଡରେ ପର୍ଯ୍ୟାପ୍ତ କେଶରାଶି ନଥିଲା୤ ଯତ୍‌ ସାମାନ୍ୟ ଥିଲା, ଫ୍ୟାନ୍‌ ପବନରେ ଫୁରୁଫୁରୁ ଉଡ଼ୁଥିଲା୤ ସେ ରିଜର୍ଭେସନ୍‌ ଚାର୍ଟରେ ଦେଖିଥିଲେ ଯେ, ତାଙ୍କୁ ଏକ ଅପର ବର୍ଥ ଆଲଟ୍‌ କରାଯାଇଥିଲା୤ କିନ୍ତୁ ସ୍ବଭାବ ସୁଲଭ ପ୍ରଗଳ୍ଭତାବଶତଃ “ହ୍ୟାଲୋ ଏଭ୍ରିବଡ଼ି” ଅଭିବାଦନ କଲାପରେ ସେ ଘୋଷଣା କରି ଦେଲେ- ମୁଁ ଲୋୟାର୍‌ ବର୍ଥ ନେବି୤

ଚୀନୀୟ ଭଦ୍ରବ୍ୟକ୍ତିଙ୍କର ଥିଲା ଲୋୟର୍‌ ବର୍ଥ୤ ସେ ଧଡ଼ପଡ଼ ହୋଇ ଉଠି ନିଜ ବ୍ୟାଗ୍‌ଟିକୁ ଉପର ବର୍ଥକୁ ସ୍ଥାନାନ୍ତର କରିଦେଲେ୤ ସେ ବୋଧେ ଉପର ବର୍ଥକୁ ଯିବାଟା ବୁଦ୍ଧିମାନର କାର୍ଯ୍ୟ ବୋଲି ମଣିଲେ୤ ଏହି ବିଶାଳ ବପୁଧାରୀ ଯାତ୍ରୀଙ୍କ ବର୍ଥ ତଳେ ଶୋଇଲେ କିଛି ଅଘଟଣ ଘଟିପାରେ ବୋଲି ସେ ବୋଧେ ଆଶଙ୍କା କଲେ୤ ମିତଭାଷୀ ମିଞ୍ଜି ମିଞ୍ଜି ଆଖିର ଏ ଯାତ୍ରୀଙ୍କ ମନ ଭିତରେ କ’ଣ ଥିଲା କହିବା ମୁସ୍କିଲ୤ ସେ ସୁନାପିଲା ପରି ଉପରକୁ ଚାଲିଗଲେ୤

ଏହା ଭିତରେ ଏ.ସି. ଆଟେଣ୍ଡାଣ୍ଟ ଗୋଲାପ ଫୁଲର ସ୍ତବକ କମ୍ପାର୍ଟମେଣ୍ଟର କାନ୍ଥରେ ଥିବା ଖୋପରେ ସଜାଇ ଦେଇଥାଏ୤ ତକିଆ ଏବଂ ତଉଲିଆ ଦେଇ ଚାଲି ଯାଇଥାଏ୤ ପ୍ୟାଣ୍ଟ୍ରିକାର ବିୟରର ୱେଲକମ୍‌ ଡ୍ରିଙ୍କ୍ସ ଓ ଚକୋଲେଟ୍‌ ପ୍ରଭୃତି ପରଷି ଚାଲି ଯାଇଥାଏ୤

ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ୤ ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ୤ ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ୤ ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ୤ ଆଫ୍ରିକୀୟ ଭଦ୍ରବ୍ୟକ୍ତି ଜଣେ ଡାକ୍ତର୤ ଏଡସ୍‌ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ୤ ଭାରତୀୟ ଯାତ୍ରୀ ଜଣେ ପ୍ରଫେସର୤ ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ୤

ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ୤ ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ୤ ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ୤ ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ୤ ଆଫ୍ରିକୀୟ ଭଦ୍ରବ୍ୟକ୍ତି ଜଣେ ଡାକ୍ତର୤ ଏଡସ୍‌ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ୤ ଭାରତୀୟ ଯାତ୍ରୀ ଜଣେ ପ୍ରଫେସର୤ ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ୤

ଗାଡ଼ି ଛାଡ଼ି ସାରିଥିଲା୤ ଅଧଘଣ୍ଟାଏ ପରେ ବିୟରର ସେଣ୍ଟର ଟେବୁଲ ସଜାଇ ରଖିଲା ପରେ ଗୋଟିଏ ଗୋଟିଏ ଟ୍ରେରେ ସ୍ନାକ୍ସ ଓ ତା’ର ସରଞ୍ଜାମ ସଜାଇ ଆଣି ପହଞ୍ଚିଲା୤ ସ୍ନାକ୍ସ ଭିତରେ ଗରମ ସିଙ୍ଗଡ଼ା ଠାରୁ ଆରମ୍ଭ କରି କାଜୁବାଦାମ, ଚେନାଚୁର ଏବଂ ମିଠା ପ୍ରଭୃତି ସଜଡ଼ା ହୋଇଥିଲା୤ ଏସବୁ ଦେଖି ଆମେରିକୀୟ ଯାତ୍ରୀ ଭାରତୀୟ ଯାତ୍ରୀଙ୍କୁ ଲକ୍ଷ୍ୟକରି କହିଲେ- ଏଠି ସବୁଆଡ଼େ ବହୁତ ଖାନାପିନା ଦେଇ ଅଭ୍ୟର୍ଥନା କରୁଛନ୍ତି୤ ଆପଣଙ୍କ ଦେଶର ଲୋକେ ଖୁବ୍‌ ‘ହସ୍‌ପିଟେବଲ’୤

ଭାରତୀୟ ଭଦ୍ରବ୍ୟକ୍ତି ସ୍ମିତ ହସି ତାଙ୍କ କଥାକୁ ସମର୍ଥନ କଲେ ଏବଂ ମନେ ମନେ ଭାବିଲେ- ଏହା ନିରାଟ ସତ୍ୟକଥା୤ ସେ ଥରେ ଆମେରିକାକୁ କୌଣସି ସଭାକୁ ଯାଇଥିଲେ୤ ପୁରାଦିନ ବିତିଗଲେ ବି ଆୟୋଜକମାନେ ଚା’ କପେ ବି ଦେଲେ ନାହିଁ, ବରଂ ଘୋଷଣା କଲେ ଯେ, ପାଖ ରୁମ୍‌ରେ ଚା’ କଫି ମେସିନ୍‌ ଅଛି, ଯାହାର ଇଚ୍ଛା ହେବ, ପଇସା ଗଳାଇ ଚା’ କଫି ପିଇପାରିବେ୤ ଭାରତ ହୋଇଥିଲେ ସଭାର ମୂଳରୁ ଶେଷଯାଏ ଚା’ ଜଳଖିଆ କପ୍‌ ପ୍ଲେଟ୍‌ରୁ ଠୁନ୍‌ଠାନ୍‌ ଆୱାଜ୍‌ ଆସୁଥାନ୍ତା୤

ଚା’ପାନ ପରେ ପରେ ବିୟର୍‌ର ରାତିର ଡିନରର ଅର୍ଡ଼ର ନେଇଗଲା୤ ତିନି ବିଦେଶୀ କଣ୍ଟିନେଣ୍ଟାଲ ଖାନାର ଅର୍ଡ଼ର ଦେଲେ୤ ଭାରତୀୟ ଭଦ୍ରବ୍ୟକ୍ତି ଅର୍ଡ଼ର ଦେଲେ ନିରାମିଷ ଭାରତୀୟ ଖାଦ୍ୟ-ରୁଟି ଓ ତରକାରୀ୤

ରାତି ଆଠଟାରେ ସୁପ୍‌ ପରିବେଷଣ ହେଲା୤ ତା’ପରେ ତିନି ବିଦେଶୀଙ୍କର କଣ୍ଟିନେଣ୍ଟାଲ ଡିନର ଆସିଲା୤ ଭାରତୀୟଙ୍କ ପାଇଁ ଆସିଲା ବରାଦ ମୁତାବକ ଦୁଇଖଣ୍ଡ ଶୁଖିଲା ରୁଟି, ଡାଲି ଏବଂ ତରକାରୀ୤

ଖାଦ୍ୟ ପଦାର୍ଥ ପାଟିକୁ ନେବା ପୂର୍ବରୁ ଆମେରିକୀୟ ଭଦ୍ରବ୍ୟକ୍ତି ହୁଇସ୍କି ବୋତଲ ଖୋଲିଦେଇଥିଲେ୤ ତାଙ୍କ ନିର୍ଦ୍ଦେଶ ଅନୁସାରେ ଆଟେଣ୍ଡାଣ୍ଟ କେତୋଟି ଗ୍ଲାସ୍‌ ଧରି ପହଞ୍ଚିଗଲା୤ ହୁଇସ୍କି ଢାଳି ସେ ସହଯାତ୍ରୀମାନଙ୍କୁ ଯାଚିଲେ୤ ଲଜ୍ଜାଶୀଳ ଚୀନୀୟଯାତ୍ରୀ ଦୋ ଦୋ ପାଞ୍ଚ ହୋଇ ଗ୍ରହଣ କଲେ୤ ଆଫ୍ରିକୀୟ ଯାତ୍ରୀ ଅତି ଆନନ୍ଦରେ ଗ୍ଲାସ୍‌ ଧରିଲେ୤ ଭାରତୀୟ ଭଦ୍ରବ୍ୟକ୍ତି କହିଲେ-ନୋ, ଥ୍ୟାଙ୍କସ୍‌, ମୁଁ ଟି-ଟୋଟାଲର୤

ତାଙ୍କର ଖାଦ୍ୟର ପରିମାଣ ଓ ସାରଲ୍ୟକୁ ଦେଖି ଆମେରିକୀୟ ମନ୍ତବ୍ୟ ଦେଲେ-ଆରେ, ଆପଣ ତ ରିୟଲି ଗ୍ରେଟ୍‌୤ ସିମ୍ପଲ ଲିଭିଂ, ହାଇ ଥିଙ୍କିଂ୤ ଆପଣ ତ ପ୍ରକୃତରେ ଜଣେ ସାଧୁ, ସନ୍ଥ୤ ମୁଁ ଆପଣଙ୍କୁ ସ୍ବାମିଜୀ ଭାବେ ଡାକିଲେ କିଛି ମନେ କରିବେନି ତ?

ଭାରତୀୟ ଯାତ୍ରୀ ହସିଲେ୤

ଆମେରିକୀୟ ଯାତ୍ରୀଙ୍କ ଖାଦ୍ୟପଦାର୍ଥ ଜଲ୍‌ଦି ଜଲ୍‌ଦି ସରିଗଲା୤ ତେଣୁ ସେ ପୁଣି କଲିଂ ବେଲ୍‌ ଟିପିଲେ୤ ତାଙ୍କ ପାଇଁ ଚିକେନ୍‌, ସାଲାଡ୍‌ ଆସିଲା୤ ମହିଷାକୃତିର ବିରାଟ ଚେହେରା୤ ବଡ଼ ବଡ଼ ନିତମ୍ବ ଓ ପୃଥୁଳ ଜଙ୍ଘ୤ ସେଥିରେ ସେ ବର୍ମୁଡ଼ା ହାଫ୍‌ ପ୍ୟାଣ୍ଟ ପିନ୍ଧି କିମ୍ଭୂତ କିମାକାର ଦିଶୁଥିଲେ୤

ଆଫ୍ରିକୀୟ ଯାତ୍ରୀଙ୍କର ଖାଇବା ଜଲ୍‌ଦି ସରିଗଲା୤ ତା’ପରେ ସେ ତାଙ୍କର ସୁଟ୍‌କେଶରୁ ‘ସିଗାର୍‌’ଟିଏ ବାହାରକରି ସେଥିରେ ଅଗ୍ନି ସଂଯୋଗ କଲେ୤ କେହି ନ ପଚାରୁଣୁ ମନ୍ତବ୍ୟ ଦେଲେ-ଶୋଇବା ପୂର୍ବରୁ ଏଥିରୁ ଗୋଟିଏ ନ ଧରାଇଲେ ନିଦ ହେବନି୤

ରେଳାବାଇରେ ଧୂମପାନ ମନା୤ ମଦ୍ୟ ସେବନ ମନା୤ କିନ୍ତୁ ରେଳ କର୍ମଚାରୀମାନେ କେହି ବାରଣ କରୁନଥାନ୍ତି୤ ବରଂ ସେମାନଙ୍କୁ ସହଯୋଗ କରୁଥାନ୍ତି୤ ଅତିଥିବତ୍ସଳ ଦେଶ ତ!

ଭାରତୀୟ ଯାତ୍ରୀ ମନେ ମନେ ଏହାହିଁ ଭାବୁଥିଲେ୤ ତେଣୁ ଏପଟୁ ଧୂଆଁ ଏବଂ ସେପଟୁ ମଦର ଗନ୍ଧ ଆସୁଥିଲେ ବି ଭାରତୀୟ ଜଣକ ସହ୍ୟ କରି ନେଉଥାନ୍ତି୤

ରାତି ଦଶଟା ପାଖାପାଖି ହେଲା୤ ଆମେରିକୀୟଙ୍କର ଖାଦ୍ୟପାନୀୟ ପର୍ବର ଅନ୍ତ ହେଉ ନଥାଏ୤ ଆଫ୍ରିକୀୟ ଯାତ୍ରୀଙ୍କର ସିଗାରଟା ଆଖୁପରି ବଡ଼ ହୋଇଥିବାରୁ ସରିବାର ନାଁ ଧରୁ ନଥିଲା୤ ଧୂଆଁ ସହି ନପାରି ବା ଅନ୍ୟ କୌଣସି କାରଣରୁ ଚୀନୀୟ ଯାତ୍ରୀ ତାଙ୍କର ଛୋଟ ବ୍ୟାଗ୍‌ଟିକୁ ଧରି ଖୁଁ ଖୁଁ କାଶି ବାଥ୍‌ରୁମ୍‌କୁ ଗଲେ୤

ଆମେରିକୀୟ ଯାତ୍ରୀଙ୍କ ଖାଇବା ପ୍ଲେଟ୍‌, କଣ୍ଟା ଚାମଚ୍‌ ହଟିଗଲା ପରେ ବି ପିଇବା ସରିନଥିଲା୤ ସେ ନିଜ ଆଡୁ ସଫେଇ ଦେଉଥିଲେ- ନିଦ ଆସିବା ପାଇଁ ଆଉ ଦୁଇ ପେଗ୍‌୤

କିଛି ସମୟ ପରେ ଚୀନୀୟ ଯାତ୍ରୀ ଫେରିଆସି ଉପର ବର୍ଥକୁ ଗଲେ୤ ଏକ ଆସନ୍ନ ମରଣ ଝିଟିପିଟି ପରି ସେ ଗୋଡ଼ ହାତ ଛାଟିଲେ, ପିଟିଲେ୤ ସେଣ୍ଟର ଟେବୁଲ ଉଠାଇବାକୁ ଆସିଥିବା ବିୟର୍‌ର ଭୟ ପାଇ କହିଲା- ସାର୍‌, ଟ୍ରେନ୍‌ ସୁପରିଣ୍ଟେଣ୍ଡେଣ୍ଟକୁ ଡାକିବି କି?

ଆଫ୍ରିକୀୟ ଯାତ୍ରୀ କହିଲେ- ନାଁ ନାଁ ବ୍ୟସ୍ତ ହୁଅନା୤ ଏଇଟା ତାଙ୍କର ନିଦ୍ରା ଯିବାର ପ୍ରସ୍ତୁତି ପର୍ବ୤ ସେ ଡ୍ରଗ୍‌ସ ସେବନ କରିଆସିଛନ୍ତି୤ ଭାରତୀୟ ଯାତ୍ରୀ ବିଛଣାରେ ପଡ଼ି ଏକଡ଼ ସେକଡ଼ ହେଉଥିଲେ୤ ଭାବୁଥିଲେ- ଧନ୍ୟ ଏହି ସର୍ବଂସହା ଟ୍ରେନ୍‌୤ ଗଞ୍ଜୋଡ଼, ନିଶାଖୋର, ଜୁଆଚୋର, ଚାଲବାଜ, ଧପାବାଜ, ଦୁଃଖୀରଙ୍କି, ରୋଗୀ, ରାଗୀ, ବୈରାଗୀ- ସମସ୍ତଙ୍କୁ ଆବହମାନ କାଳରୁ ସେ ବୋହି ଧରି ଚାଲିଛି୤ କାହାପ୍ରତି ଅସୂୟା ନାହିଁ୤ କାହା ପାଇଁ ଭେଦଭାବ ନାହିଁ, ଦ୍ବେଷ ନାହିଁ, ବିଦ୍ବେଷ ନାହିଁ୤ କାହା ପ୍ରତି ଭ୍ରୁକୁଞ୍ଚନ ଅବା ନାସିକା କୁଞ୍ଚନ ନାହିଁ୤ ଆମେରିକୀୟ ଯାତ୍ରୀ ଏଥର ଭାରତୀୟଙ୍କୁ ତୋଷାମଦ କରିବାକୁ କହିଲେ- ସ୍ବାମିଜୀ! ଆପଣଙ୍କର କ’ଣ କିଛି ନିଦ ଔଷଧ ଦରକାର ହୁଏନି?

ସ୍ବାମିଜୀ ହସିଲେ ଏକ ରହସ୍ୟମୟ ହସ୤ ସେ ଉଠି ବସିଲେ୤ ବର୍ଥ ତଳୁ ତାଙ୍କର ସୁଟ୍‌କେଶ ଖୋଲିଲେ୤ ସୁଟ୍‌କେଶ ଭିତରୁ ବାହାର କଲେ ଏକ ଛୋଟ ପେଡ଼ି୤

ପ୍ରଥମେ ପେଡ଼ି ଉପରେ ଗୋଟିଏ ସରୁ ଚାପଡ଼ ଦେଲେ୤ ପେଡ଼ିରେ ମୁହଁ ଖୋଲି କହିଲେ- ଉଠ୍‌ ବେଟା, ଆ, ଚୁମାଟେ ଦେ୤ ନିଦ ଆସୁନି୤

ତାଙ୍କ ପୋଷା ଜୀବଟି ଗହନ ନିଦରେ ଶୋଇ ଯାଇଥିଲା୤ ସେ ତା’ର ଲାଞ୍ଜରେ ଚାପୁଡ଼ାଟିଏ ଦେଲେ୤ ସେ ଫଁ ଶବ୍ଦକରି ମୁଣ୍ଡ ହଲାଇଲା୤ ସ୍ବାମୀଜୀଙ୍କର ଦୋଳାୟମାନ ପାପୁଲିକୁ ଦୁଇଥର ଦଂଶିଲା୤ ପୋଷା ଜୀବଟିର ଝାଉଁଳି ଯାଉଥିବା ଫଣାରେ ସ୍ବାମିଜୀ ଗୋଟିଏ ସରୁ ଚୁମ୍ବନ ଦେଇ ତାକୁ ପେଡ଼ି ଭିତରେ ପୂରାଇ କହିଲେ- ଯା, ବେଟା ଶୋଇଯା୤

ଆମେରିକୀୟ ଯାତ୍ରୀ ମୁହଁରେ ମଦ ଗ୍ଲାସ୍‌ ସହ ଏକ ‘ଷ୍ଟାଚ୍ୟୁ’ ବନିଗଲେ୤ ଆଫ୍ରିକୀୟ ଯାତ୍ରୀଙ୍କ ମୁହଁରୁ ଅର୍ଦ୍ଧଦଗ୍ଧ ସିଗାର ଟି ତଳେ ଖସିପଡ଼ିଲା୤ ଚୀନୀୟ ଯାତ୍ରୀଙ୍କ ଛଟପଟ ହେବା ବନ୍ଦ ହୋଇଗଲା୤

କହିବା ବାହୁଲ୍ୟ ଯେ, ଏଥୁ ଅନ୍ତେ ଜଣକ ପରେ ଜଣେ ଏମିତି ତିନି ବିଦେଶୀ ବେଙ୍ଗପରି ଫକ୍‌ ଫକ୍‌ ଡେଇଁ କମ୍ପାଟମେଣ୍ଟରୁ ନିଷ୍କ୍ରାନ୍ତ ହୋଇଗଲେ୤

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.