ସମୟ ର ଶେଷ!

jCcRk 1583414460 159011 blog hypatia h af878fb34a6b3094e556c1b0a7a82057 h a8b6ab125de5f95bb85a075e0c0ff837 300
Reading Time: 4 minutes

ଇଟାଲୀ ର ସାନମାରିନୋ ସହର। ମୋ କମ୍ପାନୀ ଅନସାଇଟ ରେ ମୋତେ ପଠେଇଥାଏ ଛଅମାସ ପାଇଁ। ହଠାତ ଆରମ୍ଭ ହୋଇଗଲା ମହାମାରୀ କରୋନା। ସବୁଆଡେ ଲକ ଡାଉନ, କିଛି ଜାଗାରେ ସଟ ଡାଉନ। ବାହାରକୁ ବାହାରିବାର କୌଣସି ଚାରା ନାହିଁ। ପ୍ରତିଦିନ ଶହ ଶହ ସଂଖ୍ୟା ରେ ଲୋକ ମରୁଥାନ୍ତି। କବାଟ ଖୋଲି ବାହାରକୁ ଆସିବା ସମ୍ଭବ ନୁହେଁ। ଭରଷା କେବଳ ବାଲକୋନି। ପ୍ରାୟ ତିନିସପ୍ତାହ ଘରେ ବସି ବସି ବିରକ୍ତ ହୋଇଯାଇଥିଲି ମୁଁ। ସେଦିନ ଠିକ କଲି ଟିକେ ଛାତ ଉପରୁ ବୁଲି ଆସିବି। ଆପାର୍ଟମେଣ୍ଟ ରେ ଅନ୍ୟ ଲୋକମାନେ ବି ଅଛନ୍ତି। କାଳେ କିଏ ଛାତ ଉପରକୁ ଯାଇଥିବ ବୋଲି ଭାବି ଡର ଲାଗୁଥାଏ, ତଥାପି ସାହସ କରି, ମୁହଁ ନାକ ଘୋଡେଇ ହୋଇ, ଗ୍ଲୋବସ ପିନ୍ଧି, ନିଜକୁ ନିଜେ ସମ୍ପୂର୍ଣ୍ଣ ଭାବେ ଘୋଡେଇ ହୋଇ, କୌଣସି ବି ମେଟାଲ ଜାତୀୟ ଜିନିଷ ଯେମିତି କି କବାଟ ର ହ୍ୟାଣ୍ଡେଲ, ସିଡ଼ି ର ଗ୍ରୀଲ, ଛିଟିକିଣି ଇତ୍ୟାଦି କୁ ନ ଛୁଇଁ ବଡ ସନ୍ତର୍ପଣରେ ଛାତ ଉପରେ ଯାଇ ପହଞ୍ଚିଲି। କେହି ନଥିଲେ, ଟିକେ ଆଶ୍ୱସ୍ଥ ହେଲି। ଅଳ୍ପ ଅଳ୍ପ ଖରା ପଡିଥାଏ। ଖରା ଆଡକୁ ପିଠି ଦେଖେଇ ଛାତ ଉପରେ ପଡିଥିବା ସିମେଣ୍ଟ ବେଞ୍ଚ ରେ ବସି ପଡ଼ିଲି।

କେହି ଜଣେ ଛାତ ଉପରକୁ ଆସୁଥିବାର ଶବ୍ଦ ଶୁଭିଲା। ବୁଲି ଚାହିଁଲି, ଜଣେ ସ୍ତ୍ରୀ ଲୋକ, ବୟସ ପାଖାପାଖି 45-50 ଭିତରେ, ତୋଫା ଗୋରା, ଏଠିକାର ବାସିନ୍ଦା। ବୁଲି ବୁଲି ଆସି ମୋ ବସିଥିବା ବେଞ୍ଚ ପାଖରେ ପଡିଥିବା ଆଉ ଏକ ବେଞ୍ଚରେ ବସି ପଡିଲେ ପ୍ରାୟ ଦେଢ଼ ମିଟର ଦୂରରେ। ସୁପ୍ରଭାତ ର ସମ୍ଭାଷଣ ପରେ ମୁହଁ ତଳକୁ କରି ବସି ରହିଲେ ସେ। ମୁହଁ ଅସମ୍ଭବ ଭାବେ ଗମ୍ଭୀର ଦେଖା ଯାଉଥାଏ। ଯେପରି କୌଣସି ଏକ ଚିନ୍ତା ରେ ଗଭୀର ଭାବେ ଚିନ୍ତିତ ଥାଆନ୍ତି ସେ। କିଛି ସମୟ ବିତିଗଲା। ସାମ୍ନା ରେ ଥିବା ଆପର୍ଟମେଣ୍ଟ ରେ କିଛି ହଲଚଲ ଦେଖା ଯାଉଥାଏ। ଭଲରେ ଦେଖିଲି, ବାହାରେ ପୋଲିସ ଗାଡି ଥୁଆ ହୋଇଥାଏ। ଲୋକମାନେ ନିଜ ନିଜ ଘର ଭିତରୁ କିଛି ଏକ ଜିନିଷ ଦେଖିବାକୁ ଚେଷ୍ଟା କରୁଥାନ୍ତି। ପୋଲିସ ମାନେ ଧାଁ ଦଉଡ ଲଗେଇଥାନ୍ତି। ବୁଝି ନପାରି ପାଖରେ ବସିଥିବା ମହିଳା ଙ୍କୁ ପଚାରିଲି ସେଠି କଣ ଚାଲିଛି?

ମୁଣ୍ଡ ଉଠେଇ ମୋତେ ଚାହିଁଲେ ସେ, କହିଲେ,” ଜଣେ ମହିଳା ଙ୍କ ଗଳିତ ଶବ ଉଦ୍ଧାର କରିଛି ପୋଲିସ। ବୋଧେ ଦୁଇ କି ତିନିଦିନ ହେବ ମହିଳା ଜଣଙ୍କ ଘର ଭିତରେ ହିଁ ମରି ଯାଇଛନ୍ତି। ଶବ ପଚି ଗନ୍ଧ ହେବାରୁ ପଡୋଶୀ ମାନେ ପୋଲିସ କୁ ଖବର ଦେଲେ ଆଉ ପୋଲିସ ଆସି ଶବ ଉଦ୍ଧାର କାର୍ଯ୍ୟ ରେ ଲାଗିଛି।

— ଆପଣ ଜାଣନ୍ତି ତାଙ୍କୁ? ମୁଁ ପଚାରିଲି।।
— ହଁ, ଜାଣେ। ଇସାବେଲ୍ଲା। ତାଙ୍କ ସ୍ୱାମୀଙ୍କର ଗୋଟେ ଫ୍ୟାକ୍ଟ୍ରି ଅଛି ଏଠୁ ପ୍ରାୟ ପନ୍ଦର ଶହ କିଲୋମିଟର ଦୂରରେ। ତାଙ୍କ ସ୍ୱାମୀ ସେଠି ରୁହନ୍ତି ଓ ସପ୍ତାହରେ ଥରେ କିମ୍ବା ପନ୍ଦର ଦିନରେ ଥରେ ଘରକୁ ଆସନ୍ତି। ଏଠି ଇସାବେଲ୍ଲା, ତାଙ୍କ ଶାଶୁ, ଶ୍ୱଶୁର, ଓ ଦୁଇ ଛୁଆଙ୍କ ସହ ରୁହନ୍ତି। ଏବେ କିନ୍ତୁ ଘରେ କେହି ନଥିଲେ କାରଣ କରୋନା ରେ ଆକ୍ରାନ୍ତ ହୋଇ ଗୋଟେ ପରିବାର ର ପାଞ୍ଚଜଣ ମରି ସାରିଥିଲେ। ଇସାବେଲ୍ଲା ଥିଲେ ପରିବାର ର ଶେଷ ସଦସ୍ୟ। ସେ ବି ଚାଲିଗଲେ।
— କଣ ଏମିତି? ଏସବୁ କେମିତି ହେଲା? ଜିଜ୍ଞାସା ର ସହ ମୁଁ ପଚାରିଲି।
— ସେ କହିଲେ,” ଲକ ଡାଉନ ଘୋଷଣା ହେଉ ହେଉ ଇସାବେଲ୍ଲା ଙ୍କ ସ୍ୱାମୀ ଘରକୁ ଫେରି ଆସିଲେ। ଘରେ ରହିବାର, ଛୁଆଙ୍କ ପାଖେ ରହିବାର ସୌଭାଗ୍ୟ ତ କେବେ ଜୁଟୁନି, ତେଣୁ ଏ ସମୟର ସଦୁପଯୋଗ କରିବା ପାଇଁ ସେ ଚାଲି ଆସିଲେ। ସେ ଚିନ୍ତା କରୁଥିଲେ, ଏ ଲକ ଡାଉନ ସରିବା ଯାଏଁ ପୁରା ପରିବାର ଏକାଠି ରହିବେ ଓ ଖୁସି ମଜା କରିବେ। ରାତିରେ ଟ୍ରେନ ରେ ବସି, ସକାଳୁ ସକାଳୁ ଆସି ପହଞ୍ଚିଯାଇଥିଲେ ସେ। ଟିଭି, ମାଇକ ରେ ଘନ ଘନ ଘୋଷଣା ହେଉଥାଏ, “ଯଦି ଆପଣ ବାହାର ଜାଗାରୁ ଆସିଛନ୍ତି, ତେବେ ନିକଟସ୍ଥ ଡାକ୍ତରଖାନା ରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରେଇ ନିଅନ୍ତୁ। ହୋଇପାରେ ଆପଣଙ୍କୁ ନିଜ ଘରେ 14 ଦିନ ପାଇଁ ହୋମ କ୍ୱାରେଣ୍ଟାଇନ ରେ ରଖା ଯାଇପାରେ କିମ୍ବା ଆପଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ରେ ରଖା ଯିବାର ସବୁ ବନ୍ଦୋବସ୍ତ କରା ଯାଇ ପାରେ।”
ଛୁଆଙ୍କ ସହ ରହିବାର ଆଶା ମିଳେଇବାକୁ ଲାଗିଥିଲା ତାଙ୍କର। ତେଣୁ ଜାଣି ଜାଣି ସେ ଏକଥା କାହାକୁ ଇନଫର୍ମ କରି ନଥିଲେ ଓ ଲୁଚି କି ରହି ଯାଇଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ କରୋନା କେବଳ ବୁଢା ବୁଢ଼ୀଙ୍କୁ ହୁଏ। ଦିନ ଗଡି ଚାଲିଥିଲା। ପ୍ରାୟ ଛଅ ସାତଦିନ ପରେ ତାଙ୍କ ବାପା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ, ଡାକ୍ତର ଦେଖେଇବାରୁ ଜଣା ଗଲା ସେ କରୋନା ରେ ଆକ୍ରାନ୍ତ। ପରେ ପରେ ଘର ର ସବୁ ସଦସ୍ୟ ଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଗଲା। ସମସ୍ତଙ୍କ ଠାରେ କରୋନା ପଜିଟିଭ ଆସିଲା। ତୁରନ୍ତ, ସମସ୍ତଙ୍କୁ ଡାକ୍ତରଖାନା ନିଆ ଯାଇ ଚିକିତ୍ସା ଆରମ୍ଭ ହେଲା। ସେଠି ସମସ୍ତେ ଅଲଗା ଅଲଗା ରୁମ ରେ ରହୁଥିଲେ। କେହି କାହା ସହ ମିଶିବାର କି କେହି କାହାକୁ ଦେଖିବାର ସୁଯୋଗ ନଥିଲା। କେବଳ ଡାକ୍ତର, ନର୍ସ ଙ୍କ ଠାରୁ ଶୁଣିବାକୁ ମିଳୁଥିଲା ଯେ ସମସ୍ତେ ଭଲ ଅଛନ୍ତି। ପ୍ରାୟ ପଚିଶ ଦିନ ପରେ ଇସାବେଲ୍ଲା ଭଲ ହେଲେ। ବାହାରକୁ ଆସି ଶୁଣିଲେ ପରିବାର ର କେବଳ ତାଙ୍କୁ ଛାଡି ବାକି ସମସ୍ତେ ଜଣେ ପରେ ଜଣେ ଜୀବନ ଛାଡି ସାରିଛନ୍ତି। ଶାଶୁ, ଶ୍ୱଶୁର, ସ୍ୱାମୀଙ୍କ ସହ ପିଲା ଦୁଇଟି ବି ତାଙ୍କୁ ଛାଡି ଯାଇ ସାରିଛନ୍ତି। ଏବେ ସେ ଏକା। ମୁଣ୍ଡରେ ବଜ୍ର ପଡିଲା ତାଙ୍କର। ସେମାନଙ୍କ ଶବ ଦେଖେଇବାକୁ ଅନୁରୋଧ କଲେ ସେ। କିନ୍ତୁ ନା, ଶେଷ ସମୟରେ କେହି ବି କାହାର ମୁହଁ ଦେଖି ପାରିଲେନି। ଜଣେ ପରେ ଜଣେ, ସମସ୍ତଙ୍କୁ ମାଟିତଳେ ପୋତି ସାରିଥିଲେ ସେମାନେ।

ପାଗଳ ପ୍ରାୟ ଅବସ୍ଥା ରେ ଘରକୁ ଆସିଲେ ସେ। ଘର ର ପ୍ରତି କୋଣ ରେ ତାଙ୍କୁ ଶାଶୁ, ଶ୍ୱଶୁର, ସ୍ୱାମୀ, ପୁଅ, ଝିଅ ଦେଖା ଯାଉଥିଲେ। ଅଳ୍ପ କିମ୍ବା ବିନା ଆହାର, ବିନା ନିଦ୍ରା ରେ ଛଅ ଦିନ ବିତି ସାରିଥିଲା। କଣ କରିବେ, କୁଆଡେ ଯିବେ, କିଏ ଅଛି ତାଙ୍କର ଏ ସମୟ ରେ ସାହାଯ୍ୟ କରିବାକୁ? କରୋନା ଯେମିତି ମାଡି ଚାଲିଛି ନିଜ ସମ୍ପର୍କୀୟ ବି କେହି ଆସି ନଥିଲେ ଡାକ୍ତରଖାନା ରେ ଥିବା ବେଳେ। ଆଉ ଏବେ କଣ?

ଅପର୍ଯ୍ୟାପ୍ତ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫ୍ୟାକ୍ଟ୍ରି, ଘର, ଗାଡି ଏସବୁ କଣ ଖୁସି ଦେଇ ପାରିବ ତାଙ୍କୁ? ଯେଉଁଠି ପରିବାର ରେ ସେ ଏକା ଜୀବିତ, ସେଠି ଏସବୁ ର କାମ କଣ? ଏସବୁ କଣ କେବେ ପରିବାର ର ସୁଖ ଦେଇ ପାରିବ?

ଅତ୍ୟଧିକ ଟେନସନ, ରକ୍ତଚାପ, ବିନା ଖାଦ୍ୟ, ବିନା ନିଦ୍ରା ରେ ଚୌକି ରେ ବସିଥିବା ଅବସ୍ଥା ରେ ତାଙ୍କର ହୃଦଘାତ ହେଲା ଓ ସେଇଠି ଟଳି ପଡିଲେ ସେ।

ଭଲ ହେଲା, ବଞ୍ଚି ବି କଣ କରିଥାନ୍ତେ ସେ? ଜୀବନ ସାରା ଜଳି ଜଳି ମରିଥାନ୍ତେ ଯାହା। ଭଲହେଲା କି ଏକାଥରେ ଜୀବନ ଚାଲିଗଲା।
— ଆଖିରେ ଲୁହ ଆସି ସାରିଥିଲା ମୋର। ଭାବୁଥିଲି, “ଯଦି ତାଙ୍କ ସ୍ୱାମୀ ଆସୁ ଆସୁ କ୍ୱାରେଣ୍ଟାଇନ ରେ ରହିଥାନ୍ତେ ତେବେ ଚଉଦ ଦିନ ପରେ ପୁରା ପରିବାର ଏବେ ହସ ଖୁସି ରେ ଜୀବନ ବିତାଉଥାନ୍ତେ। ଗୋଟିଏ ଛୋଟିଆ ଭୁଲ, ମାତ୍ର କେତୋଟି ଦିନ ପରିବାର ପାଖରେ ରହିବାର ଲୋଭ ହିଁ ପୁରା ପରିବାର ର ମୃତ୍ୟୁ ର କାରଣ ହେଲା।”

ହେଲେ, ଇସାବେଲ୍ଲା ଙ୍କ ମୃତ୍ୟୁ ବିଷୟରେ ଏତେ ଖବର ଏ ମହିଳା ଜଣଙ୍କ ଜାଣିଲେ କିପରି? ଇସାବେଲ୍ଲା ତ ଘର ଭିତରେ ଥାଇ ମୃତ୍ୟୁ ବରଣ କଲେ, ତିନି କି ଚାରିଦିନ ପରେ ଗଳିତ ଶବ ଉଦ୍ଧାର ଚାଲିଛି ଏବେ। ସେ କିପରି ମରିଛନ୍ତି, ପୋଷ୍ଟମର୍ଟମ ପରେ ଜଣା ପଡିବ। ତେବେ….

ହଠାତ ମୋ ମୋବାଇଲ ରେ ଭ୍ରୁମ, ଭ୍ରୁମ କରି ଏକ ନୋଟିଫିକେସନ ଆସିଲା। ମୋବାଇଲ ଖୋଲି ଦେଖିଲା ବେଳକୁ କୌଣସି ଏକ ନିଉଜ ଚ୍ୟାନେଲ ର ନୋଟିଫିକେସନ ଯାହା ଏ ଏରିଆ ରେ ମରିଥିବା ମହିଳା ଙ୍କ ବିଷୟରେ ଥିଲା। ଲିଙ୍କ ଓପେନ କରି ଭିତରକୁ ଯାଇ ଫୋଟୋ ଦେଖିଲି, ମରିଥିବା ମହିଳା ଜଣଙ୍କ ମୁହଁ ମୋ ପାଖରେ ବସିଥିବା ମହିଳା ଙ୍କ ମୁହଁ ସହ ସମାନ ଥିଲା।

ହଠାତ ମୋବାଇଲ ରୁ ମୁହଁ ଉଠେଇ ମହିଳା ଙ୍କ ଆଡେ ଚାହିଁଲି। ପାଖରେ କେହି ନଥିଲେ।

କାନ ପାଖରେ ଏକ ଶୀତଳ ପବନ କହି କହି ଯାଉଥିଲା….ଦୁନିଆଁ କୁ ଏ ବିଷୟରେ ଟିକେ ଅବଗତ କରେଇ ଦେବେ…ଆମ ପରି ଭୁଲ ଆଉ କେହି ନ କରନ୍ତୁ, ଆଉ କାହାର ବି ଜୀବନ ନ ଯାଉ….

ଖରା ପାଇଁ କି ଭୟରେ ଜାଣିନି….ମୋ ଦେହରୁ ଝାଳ ବୋହିବାକୁ ଲାଗିଥିଲା…

ଅତର୍ଚ୍ଛା ମୁଁ ମୋ ରୁମ ଆଡେ ଧାଇଁବାକୁ ଲାଗିଲି….

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x