🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଦୁରାଶା “🌻

Hopeless stories
Reading Time: 4 minutes

ନାଥିଆ ବଡ ଦରିଦ୍ର ଥିଲା । ଛିଣ୍ଡାକନ୍ଥା ପିନ୍ଧି ଘର ଘର ବୁଲି ସେ ଭିକ ମାଗେ । ତା’ ବେଶ ଦେଖି କୁକୁର ଭୁକନ୍ତି । କ୍ଷେତରେ ଥିବା ଚାଷୀମାନେ ଖାଇବା ପରେ ଯାହା ବଳକା ଥାଏ, ସେତକ ତାକୁ ସେମାନେ ଡାକି ଦେଇ ଦିଅନ୍ତି । ବେଳେବେଳେ ଦିନ ଦିନ ଧରି ତାକୁ କିଛି ଖାଇବାକୁ ମିଳେ ନାହିଁ । ଯେଉଁ ଦିନ ଯାହା ମିଳେ ତାହା ସେ ଖାଏ, ନହେଲେ ସେ ସେମିତି ଉପାସରେ ଶୁଏ ।

ଏଥର ଅନ୍ୟବର୍ଷ ପରି ଫସଲ ଭଲ ନ ହେବାରୁ ଭିକ୍ଷା ମିଳିବା ମଧ୍ୟ କଷ୍ଟ । ସେ ଗୋଟିଏ ଗ୍ରାମରୁ କିଛି ନ ପାଇବାରୁ ସେ ଗ୍ରାମ ଛାଡି ଆଗ ଗ୍ରାମରେ ଯାଇ ଭିକ୍ଷା ମାଗିଲା । ରାସ୍ତାରେ ଯାଉ ଯାଉ ଜଣେ ବୁଢାକୁ ସେ ଭେଟିଲା । ବୁଢା ତାକୁ କହିଲା, “ତୁମକୁ ଦେଖିଲେ ମୋତେ ଭାରି ଦୟା ଲାଗୁଛି । ତୁମ ପେଟ ତ ପିଠିରେ ଲାଗିଯାଇଛି । ଏ ନିଅ ଚଣା ।” ଏତିକି କହି ବୁଢା ଚଣାଟିଏ ତାକୁ ଦେଲା । ନାଥିଆ ପଚାରିଲା ଚଣାଟିଏ ନେଇ ମୁଁ କ’ଣ କରିବି? ଏଥିରେ ମୋ ପେଟ କିପରି ଭରିବ?”

ବୁଢାଟି କହିଲା “ଏଇଟି ଖାଇଦେଲେ ତୁମର ବେଶି କିଛି ଲାଭ ହେବ ନାହିଁ । କିନ୍ତୁ ଏଇଟି ତୁମ ପାଖରେ ଥିଲେ, ତୁମକୁ ସମସ୍ତେ ଅତିଥି ଭାବରେ ସତ୍କାର କରିବେ । ମୋ କଥା ଉପରେ ବିଶ୍ୱାସ ରଖ ।”

ଅନ୍ଧକାର ହେବା ପୂର୍ବରୁ ନାଥିଆ ଗୋଟିଏ ଗ୍ରାମରେ ଯାଇ ପହଁଚିଲା । ଗୋଟିଏ ଘର ପାଖରେ ଠିଆ ହୋଇ ବଡ ପାଟିରେ ସେ କହିଲା, “ଘର ମାଲିକେ, ମୁଁ କ୍ଷୁଧାର୍ତ୍ତ, କିଛି ଖାଇବାକୁ ଦିଅ ।”

ଘରର ମାଲିକ ବାହାରକୁ ଆସି ସେହି ଭିକାରୀକୁ ଦେଖିଲେ । ତା’ପରେ ସେ ତାକୁ ଭିତରକୁ ଡାକିନେଇ ପେଟ ପୂରାଇ ଖାଇବାକୁ ଦେଲେ । “ଆଜି ରାତିକ ପିଣ୍ଡାରେ ଶୋଇଯାଅ । ଏତେବେଳେ ତମେ ଆଉ କୁଆଡେ ବା’ ଯିବ?”

ନାଥିଆ ଖୁସି ହେଲା । ଆଜି ପ୍ରଥମ ଥର ପାଇଁ ସେ ଏପରି ଆଦର ଓ ସହାନୁଭୂତି ପାଇଲା । ସେ ଭାବିଲା ଏ ସବୁ ସେଇ ଚଣାରହିଁ ମହିମା ।

ସକାଳୁ ଘରବାଲାର କୁକୁଡା ନାଥିଆ ପାଖକୁ ଆସିଲା । କୁକୁଡା ତା’ର ଚଣାଟି ଖାଇ ଦେଉଛି ନାଥିଆ ଚିତ୍କାର କରି କହିଲା, “ହେ ଭଗବାନ୍, ମୋ ଚଣାକୁ କୁକୁଡା ଖାଇଗଲା ।”

ଘରର ମାଲିକ ବାହାରକୁ ଆସି କହିଲେ, “ଗୋଟିଏ ଚଣା କୁକୁଡା ଖାଇ ଦେଲା ତ ସେଥିପାଇଁ କାହିଁକି ଏତେ ଚିତ୍କାର କରୁଛ? ଯେତେ ଚଣା ଦରକାର ନେଇଯାଅ ।”

ନାଥିଆ କହିଲା “ମୋର ସେହି ଚଣାଟି ହିଁ ଦରକାର । ସେହି ଚଣାଟି ଜଣେ ଦୟାଳୁ ସିଦ୍ଧ ପୁରୁଷ ମୋତେ ଦେଇ ଥିଲେ ।”

ଘରମାଲିକ କହିଲେ “ତେବେ ମୁଁ ଆଉ କ’ଣ କରିବି? ସେହି ଚଣାଟି ତ କୁକୁଡାର ପେଟକୁ ଚାଲିଗଲାଣି । ଚାହଁ ତ ଏହି କୁକୁଡାଟିକୁ ନେଇ ଯାଅ ।”

ନାଥିଆ ଭାବିଲା କୁକୁଡାକୁ ସହରରେ ନେଇ ବିକିଲେ ଭଲ ଦିପଇସା ମିଳିବ । ସେ କୁକୁଡାଟିକୁ ଧରି ସହରକୁ ଗଲା । ସେଦିନ ସେ ଅର୍ଦ୍ଧେକ ରାସ୍ତା ଯିବା ପରେ ସଂଧ୍ୟା ହେଲା । ସେ ବାଟରେ, ଗୋଟିଏ ଗ୍ରାମରେ ଜଣକର ଘରେ ପହଁଚି ରାତିଟି ରହିବାକୁ ଘରବାଲାକୁ ଅନୁରୋଧ କଲା । ଘରବାଲା ତାକୁ ଖାଇବାକୁ ଦେଲା ଓ ଶୋଇବାକୁ ଜାଗା କରି ଦେଲା । ନାଥିଆ କୁକୁଡାଟିକୁ ହାତରେ ଜାକି ଧରି ଶୋଇଗଲା । ତାକୁ ନିଦ ହେବା ମାତ୍ରେ ହାତ ଟିକେ ହୁଗୁଳା ହୋଇଯିବାରୁ କୁକୁଡାଟି ସେଠାରୁ ଖସିଯାଇ ଘରବାଲାର କୁକୁଡାମାନଙ୍କ ସହିତ ଲଢେଇ କଲା । ସମସ୍ତେ ମିଶି ଚିତ୍କାର କଲେ । କୁକୁଡାଟି ସେମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଦୌଡି ପଳାଇ ଆସୁ ଆସୁ ବାଛୁରୀର ଗୋଡ ତଳେ ଦଳି ହୋଇ ସେ ମରିଗଲା ।

“ମୋର ସୁନାର କୁକୁଡା ମରିଗଲା । ମୋର ସର୍ବନାଶ ହୋଇଗଲା ।” ଏହା କହି ନାଥିଆ ଜୋର୍ରେ କାନ୍ଦିଲା । ଘରବାଲା ଦୁଇଟି କୁକୁଡା ଦେବ ବୋଲି କହିଲା । କିନ୍ତୁ ନାଥିଆ ସେଥିରେ ଯମାରୁ ମଙ୍ଗିଲା ନାହିଁ । ସେ କହିଲା, “ଯେଉଁ ବାଛୁରୀର ଗୋଡ ତଳେ ଦଳି ହୋଇ ମୋର କୁକୁଡା ମରିଛି ସେହି ବାଛୁରୀକୁ ମୋତେ ଦିଅ ।” ବିଚରା ଘରବାଲା ବାଧ୍ୟ ହୋଇ ତାକୁ ସେହି ବାଛୁରୀଟି ଦେଲା । ବାଛୁରୀଟି ଧରି ନାଥିଆ ପରଦିନ ସହରକୁ ଚାଲିଲା । ସହରରେ ପହଁଚିବା ବେଳକୁ ଆସି ସଂଧ୍ୟା ହେଲାଣି । ସହର ଭିତରକୁ ଯିବା ପୂର୍ବରୁ ସେ ଘରଟିଏ ଦେଖି, ସେଠାକୁ ଯାଇ ଘର ମାଲିକଙ୍କୁ କହିଲା, “ମହାଶୟ, ମୁଁ ଅନେକ ଦୂରରୁ ଆସିଛି । ଆଜି ରାତିକ ମୋତେ ଏଠାରେ ରହିବାର ଅନୁମତି ଦେବେ କି?” ଘରବାଲା ତା’ପ୍ରସ୍ତାବରେ ରାଜି ହେଲେ । ସେଦିନ ତାଙ୍କ ଘରେ କୌଣସି ଶୁଭକାର୍ଯ୍ୟ ସମ୍ପନ୍ନ ହେଉଥାଏ । ଏଣୁ ବଡ ଭୋଜି ମଧ୍ୟ ହେଉଥାଏ । ଅନ୍ୟମାନଙ୍କ ସହିତ ନାଥିଆ ମଧ୍ୟ ପେଟଭରି ଖାଇଲା । ରାତିରେ ବାଛୁରୀ ପଘା ଛିଣ୍ଡାଇ ଘରବାଲାର ଘୋଡା ପାଖକୁ ଦୌଡି ଗଲା ଓ ସେ ତା’ର ଘାସତକ ଖାଇବାକୁ ଲାଗିଲା । ଘୋଡା ଏଥିରେ ରାଗିଯାଇ ତାକୁ କସିକି ଏକ ନାତ ଦେଲା । ସେଥିରେ ସେହି ବାଛୁରୀଟି ମରିଗଲା ।

ସକାଳୁ ଉଠି ନାଥିଆ ଘରମାଲିକଙ୍କ ସହ ଝଗଡା ଆରମ୍ଭ କରିଦେଲା । ସେ ଘରମାଲିକ ତ ଅତ୍ୟନ୍ତ ଶାନ୍ତ ସ୍ୱଭାବର ଥିଲେ । ଅତିଥି ଓ ବନ୍ଧୁବାନ୍ଧବଙ୍କ ଆଗରେ ଏପରି ଗୋଳମାଳ କରିବାକୁ ତାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ସେ ତାକୁ ସେହି ଘୋଡାଟିକୁ ଦେଇଦେଲେ ।

ନାଥିଆ ଘୋଡାରେ ବସି ସହର ଆଡକୁ ଗଲା । ଘୋଡା ଉପରେ ବସି ସେ ଭାବୁଥାଏ, “ଏବେ ସମୟ ମୋ ପାଇଁ ଅନୁକୂଳ; ମୋର ଭାଗ୍ୟ ଜାଣ ଖୋଲିଗଲା । ବୃଦ୍ଧ ଦେଇଥିବା ଚଣା ବହୁତ ମହିମାବାନ୍ । କିନ୍ତୁ ଗଧ ବା ଘୋଡାଟିଏ ରୋଜଗାର କଲେ କ’ଣ ହେବ? ଏଣିକି ଭଲ ଘର ଦରକାର ଓ ସୁନ୍ଦରୀ ସ୍ତ୍ରୀ ପୁଣି କିଛି ଧନ ବି । ଏପରି ବୁଲାବୁଲି ଛାଡି ଘର କରି ରହିବାକୁ ହେବ ।”

ସଂଧ୍ୟା ପୂର୍ବରୁ ସେ ସହରରେ ଯାଇ ପହଁଚିଗଲା । ଗଳି ରାସ୍ତାରେ ବୁଲୁଥିବା ସମୟରେ, ଏକ ବଡ ଅତିଥିଶାଳା ତା’ର ଆଖିରେ ପଡିଲା, ସେଠାରେ ପୁଣି ସୁନ୍ଦରୀ ଝିଅଟିଏ ଠିଆ ହୋଇଥାଏ । ମନେ ମନେ ସେ ଭାବିଲା “ଏମିତିଆ ସୁନ୍ଦରୀ ଝିଅ ମୋର ସ୍ତ୍ରୀ ହେଲେ କେଡେ ଆନନ୍ଦର କଥା ହୁଅନ୍ତା!” ତେଣୁ ସେଠାରେ ସେ ଘୋଡାରୁ ଓହ୍ଲାଇ ଅତିଥିଶାଳା ଭିତରକୁ ଗଲା । ସେଠାରେ ଥିବା କର୍ମଚାରୀ ସହିତ କଥାବାର୍ତ୍ତା କରି ସେ ଗୋଟିଏ ଘର ଭଡା ନେଇ ରହିଲା । ନାଥିଆ ଯେଉଁ ଝିଅକୁ ଦେଖିଥିଲା, ସେ ପୂର୍ବୋକ୍ତ କର୍ମଚାରୀଙ୍କ ଝିଅ ଥିଲା । ନାଥିଆ ଭାବିଲା “ଏହାକୁ ବାହାହୋଇ ଗଲେ ମୋତେ ଅତିଥିଶାଳାରେ ମାଗଣାରେ ରହିବାକୁ ଘର ମିଳିବ । ଖିଆପିଆ ତ ଆହୁରି ସହଜରେ ମିଳିବ । ଏହିଭଳି ଭାବେ ମୋ ଜୀବନଟା ବଡ ସୁଖରେ କଟିବ ।”

ସେ କର୍ମଚାରୀଙ୍କ କକ୍ଷକୁ ପ୍ରବେଶ କରି କହିଲା, “ମହାଶୟ, ମୋ ଘୋଡାକୁ ଯତ୍ନର ସହିତ ରଖିବେ । ଏହା ବଡ ମୂଲ୍ୟବାନ୍ ଘୋଡା । ଯେତେବେଳେ ଅତିଥି ନିଜେ ଘୋଡା ବିଷୟରେ ଏତେ କହିଲେ, ତେଣୁ ସେ ନିଜେ ପାଣି ନେଇ ଘୋଡାକୁ ପିଆଇବାକୁ ଗଲେ । ଘୋଡା ପାଣି ପିଉଥିଲା, ହଠାତ୍ ପଘା ଛିଣ୍ଡାଇ ଦୌଡି ପଳାଇଲା । କର୍ମଚାରୀ ବିଚରା କାନମୁଣ୍ଡ ଆଉଁସି ଏ ଖବର ଯାଇ ନାଥିଆକୁ କହିଲେ । ଖବର ଶୁଣି ନାଥିଆ ରାଗିଯାଇ କହିଲା, “ମୂଳରୁ ମୁଁ କେତେବାର କହିଛି ଘୋଡା ଉପରେ ଟିକିଏ ନଜର ରଖିବ, ତମେ ମୋ କଥାକୁ ଟିକିଏ ହେଲେବି ଖାତିର କଲ ନାହିଁ? ଶୀଘ୍ର ମୋ ଘୋଡା ମୋତେ ଫେରାଇ ଦିଅ ।”

କର୍ମଚାରୀ ବଡ ଦୀନ ଭାବରେ କହିଲେ “ଆପଣ ଶାନ୍ତ ଭାବରେ ରହିଥାନ୍ତୁ । ସକାଳ ହେବା ମାତ୍ରେ ଆପଣଙ୍କ ଘୋଡା ଖୋଜି ଆଣି ଦେବି ।” ନାଥିଆ ଭାବିଲା ସମୟ ଦେଲେ ସେମାନେ ସକାଳୁ ଯେମିତି ହେଲେ ମଧ୍ୟ ଘୋଡା ଖୋଜି ଆଣି ଦେବେ । ତାଙ୍କୁ ଟିକିଏ ଧମକାଇବା ଦରକାର । ସେଥିପାଇଁ ମୁହଁରେ କ୍ରୋଧଭାବ ପ୍ରକାଶ କରି ସେ କହିଲା, “ତୁମର ଝିଅ ହଜିଯାଇଥିଲେ ତୁମେ କ’ଣ ସକାଳ ପର୍ଯ୍ୟନ୍ତ କେବେବି ଅପେକ୍ଷା କରିଥା’ନ୍ତ? ଅବଶ୍ୟ ଏ ଘୋଡା ମୋ ପାଇଁ ଅଧିକ ମୂଲ୍ୟବାନ୍ ।”

କର୍ମଚାରୀ କହିଲେ “ଆପଣହିଁ କୁହନ୍ତୁ ଏବେ ଅଧରାତି ସମୟରେ ମୁଁ କ’ଣ କରିପାରେ?”

ନାଥିଆ ଦାବି କରି କହିଲା “ତୁମର ଅଯତ୍ନ ଯୋଗୁଁ ମୋ ଘୋଡା ପଳେଇଲା । ତାର ବଦଳରେ ତୁମେ ତୁମ ଝିଅକୁ ମୋତେ ଦିଅ ।”

କର୍ମଚାରୀ ଏକଥା ଶୁଣି ଖୁବ୍ ବ୍ୟସ୍ତ ହେଲେ । ସେ କିଛି କହି ପାରୁ ନାହାଁନ୍ତି । ଏତିକିବେଳେ ତାଙ୍କ ସ୍ତ୍ରୀ ସେଠାକୁ ଆସିଲେ । ସେ ତାଙ୍କ ସ୍ୱାମୀଙ୍କୁ କହିଲେ, “ତୁମର ତ ଭୁଲ୍ ହୋଇଛି । ତେଣୁ ତୁମେ ଚୁପ୍ ରହିଯାଅ । ଯଦି ଝିଅ ପସନ୍ଦ କରିବ ତାହେଲେ ଯାଇ ହେବ । ସେଥିରେ କ’ଣ ଅଛି? କେବେ ହେଲେ ତ ତୁମେ ତୁମ ଝିଅକୁ ବାହା ଦେଇ ଥା’ନ୍ତ ନା ନାହିଁ? ଆମେ ଚାହିଁଲେ ମଧ୍ୟ ଏତେ ଭଲ ଜ୍ୱାଇଁ ଆଉ କେଉଁଠୁ ପାଇବା? ଏବେ ମୁଁ ଝିଅର ମତ ବୁଝିଆସେ ।” ଏକଥା ଶୁଣି ନାଥିଆ ଭାବିଲା ଏବେ ତା’ର ସେ ସ୍ୱପ୍ନ ସତ୍ୟ ହେବାକୁ ଯାଉଛି ।

କିଛି ସମୟ ପରେ କର୍ମଚାରୀଙ୍କ ସ୍ତ୍ରୀ ଦୌଡି ଦୌଡି ଆସି କହିଲେ, “ମୋ ଝିଅ ବାହାହେବାକୁ ଆଦୌ ରାଜି ନୁହେଁ । ସେଥିପାଇଁ ମୁଁ ରାଗିଯାଇ ତାକୁ ଗୋଟିଏ ବସ୍ତାରେ ବାନ୍ଧି ରଖିଛି । ଆପଣ ଏହି ବସ୍ତାଟି ନେଇ ଚାଲିଯା’ନ୍ତୁ ସକାଳ ହେବା ବେଳକୁ ବସ୍ତାଟି ଖୋଲି ତାକୁ ବାହାର କରିବେ ।” ନାଥିଆ ଭାବି ପାରିଲା ନାହିଁ ଯେ ଏସବୁ କ’ଣ ଘଟୁଛି । ତଥାପି ତାକୁ ଏକଥା ବହୁତ ଭଲ ଲାଗିଲା ।

ବସ୍ତାଟିକୁ ମୁଣ୍ଡେଇ ଅଧରାତିରେ ସହରରୁ ସେ ବାହାରି ପଡିଲା ଓ ଅନେକ ଦୂରକୁ ଚାଲିଗଲା । ସେହି ବସ୍ତାର ଓଜନ ଏତେ ବେଶି ନଥିଲା । କିନ୍ତୁ ସେଥିରେ ଥିବା ଝିଅ ବୋଧହୁଏ ଛଟପଟ କରୁଛି ସେହିଭଳି ତାକୁ ଲାଗୁଥିଲା । ତେଣୁ ତାକୁ ମୁଣ୍ଡାଇ ଯିବା ନାଥିଆ ପକ୍ଷେ ବଡ କଷ୍ଟକର ବ୍ୟାପାର ହୋଇ ପଡୁଥାଏ । ବହୁକଷ୍ଟରେ ସେ ଯାଇ ଏକ ଜଙ୍ଗଲ ପାଖରେ ପହଁଚିଲା ।

ମନରେ ବହୁତ ଆଶା ରଖି ସେ ବସ୍ତା ଖୋଲିଲା; ସେଥିରୁ ଗୋଟିଏ କୁକୁର ଡେଇଁ ପଡି ତା’ ନାକକୁ କାମୁଡି ଦେଇ ଦୌଡି ପଳାଇଲା । ଯେଉଁ ଭାଗ୍ୟ ଚଣା ତା’ ପାଇଁ ଆଣି ଦେଇଥିଲା, ତାହା ଏବେ ଭାଙ୍ଗି ଚୁର୍ମାର୍ ହୋଇଗଲା । ଏବେ ଭିକମାଗିବା ଛଡା ତା’ର ଅନ୍ୟ କୌଣସି ମଧ୍ୟ ଉପାୟ ନଥିଲା ।

 

ନିଷ୍ପତ୍ତି

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x