🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଶିବ ପୁରାଣ “🌻

Shiv Puran
Reading Time: 4 minutes

ଶ୍ରୀବିଷ୍ଣୁ ଆଦିଶେଷଙ୍କୁ ଆଦେଶ ଦେଇ କହିଲେ, “ଶେଷ, ମୁଁ ଦେବତାମାନଙ୍କର ସହାୟତା କରିବି । ତୁମେ ଯାଇ ମନ୍ଦର ପର୍ବତକୁ ଉପାଡି ନେଇ ତାହାକୁ କ୍ଷୀରସାଗରରେ ରଖ ।”

ଆଦିଶେଷ ଶ୍ରୀବିଷ୍ଣୁଙ୍କ ଆଜ୍ଞା ପାଳନ କଲେ । କଥା ହେଲା ସାଗରମନ୍ଥନରୁ ଯେଉଁ ଅମୃତ ବାହାରିବ ସେଥିରୁ କିଛି ଅଂଶ କ୍ଷୀରସାଗରକୁ ଦିଆଯିବ ଓ ବାକିତକ ଦେବତାମାନେ ଖାଇବେ । ଅସୁରମାନଙ୍କୁ ଅନ୍ୟ କିଛି ଦେଇ ସନ୍ତୁଷ୍ଟ କରାଯିବ । କିନ୍ତୁ ମନ୍ଦର ପର୍ବତକୁ କ୍ଷୀରସାଗରରେ ପକାଇବା ମାତ୍ରେ ତାହା ଡୁବିଗଲା । ଏ ନୂତନ ସମସ୍ୟା ବିଷୟ ଶ୍ରୀବିଷ୍ଣୁଙ୍କୁ ଜଣାଇବା ମାତ୍ରେ ସେ ମହାକୁର୍ମ ରୂପ ଧରି ମନ୍ଦରାଚଳକୁ ନିଜ ପୃଷ୍ଠରେ ଧାରଣ କଲେ ।

ଏବେ ପର୍ବତ ସ୍ଥିତ ହେବା ପରେ ରଜ୍ଜୁର ଆବଶ୍ୟକତା ପଡିଲା । ସେଥିପାଇଁ ବାସୁକୀ ପୂର୍ବରୁ ପ୍ରସ୍ତୁତ ଥିଲେ । ଏବେ ମନ୍ଥନ କାର୍ଯ୍ୟ ଦେବ ଓ ଦାନବମାନଙ୍କ ଦ୍ୱାରା ସମାହିତ ହେବ । କିନ୍ତୁ ବାସୁକିଙ୍କର ମୁହଁ ଓ ଲାଞ୍ଜ କିଏ ଧରିବ ବୋଲି ଦେବ ଦାନବ ମଧ୍ୟରେ ଝଗଡା ହେଲା । ଶେଷରେ ଦାନବମାନେ ମୁହଁ ଧରିଲେ ଓ ଦେବତାମାନେ ବାସୁକୀଙ୍କର ଲାଞ୍ଜ ଧରିଲେ ।

ସମୁଦ୍ର ମନ୍ଥନ ସମୟରେ ବାସୁକୀ ମୁହଁରୁ ଅନର୍ଗଳ ବିଷାକ୍ତ ଧୂଆଁ ନିର୍ଗତ ହେଲା । ଦାନବମାନଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ସବୁକିଛି ସହ୍ୟ କରିନେଲେ । ଦେବତା ଓ ଦାନବଗଣ ଦୀର୍ଘକାଳ ଧରି ସମୁଦ୍ର ମନ୍ଥନ କଲେ ମଧ୍ୟ ଫଳ ଲାଭ ହେଲା ନାହିଁ । ପୁଣି କିଛିଦିନ ପରେ ସେଥିରୁ ଖାଲି କାଳକୁଟ ବିଷ ବାହାରି ସାରା ବ୍ରହ୍ମାଣ୍ଡ ଆଚ୍ଛାଦିତ କରି ପ୍ରାଣୀମାନଙ୍କୁ ବ୍ୟାକୁଳ କଲା ।

ଏ ଘଟଣା ଦେଖି ସମସ୍ତେ ଖୁବ୍ ଭୟଭୀତ ହେଲେ । ଚତୁର୍ଦ୍ଦିଗରେ ନୀଳବର୍ଣ୍ଣର ହଳାହଳ ବ୍ୟାପି ରହିଛି । କିଛି ଉପାୟ ନପାଇ ଦେବଦାନବଗଣ କୈଳାସକୁ ଦୌଡିଲେ । ସେଠାରେ ସେମାନେ ପହଁଚି ଶିବଙ୍କୁ ପ୍ରାର୍ଥନା କରି କହିଲେ, “ହେ ଦେବାଧିଦେବ, କାଳକୂଟ ବିଷ ବିଶ୍ୱବ୍ରହ୍ମାଣ୍ଡକୁ ଜାଳି ଦେବାକୁ ବସିଛି । କେବଳ ଆପଣହିଁ ଆମକୁ ଏଥିରୁ ଉଦ୍ଧାର କରି ପାରିବେ ।”

ସେମାନଙ୍କର ଦୀନଦଶା ଦେଖି ଶିବ ଦୟାର୍ଦ୍ଦ ହୋଇଗଲେ । ସେ ପାର୍ବତୀଙ୍କୁ କହିଲେ, “ଦେବୀ, ସାରା ଜଗତ ଏବେ ବିପଦଗ୍ରସ୍ତ । ଦେବ ଦାନବଙ୍କ ସମୁଦ୍ର ମନ୍ଥନରୁ ନିର୍ଗତ ହୋଇଥିବା ହଳାହଳ ନୀଳବର୍ଣ୍ଣ ଅଗ୍ନି ରୂପ ଧାରଣ କରି ବ୍ରହ୍ମାଣ୍ଡ ଧ୍ୱଂସ କରିବାକୁ ବସିଛି । ଏବେ ମୁଁ ଏହାକୁ ପାନ କରି ସେମାନଙ୍କୁ ରକ୍ଷା କରିବି ।”

ଏହା କହି ପାର୍ବତୀଙ୍କଠାରୁ ବିଦାୟ ନେଇ ମହାଦେବ ଧ୍ୟାନସ୍ଥ ହେଲେ ଓ ନୀଳାଗ୍ନି ରୂପ ହଳାହଳକୁ ନିଜ ଶକ୍ତି ଦ୍ୱାରା ଆହରଣ କଲେ । ନିଜ ହାତ ଅଞ୍ଜଳୀରେ ତାହାକୁ ରଖି ଜଳପାନ କରିବା ପରି ସେ ମହାବିଷକୁ ପାନ କଲେ । କଣ୍ଠ ତାଙ୍କର ନୀଳବର୍ଣ୍ଣ ଧାରଣ କଲା । ସେହିଦିନଠାରୁ ସେ ନୀଳକଣ୍ଠ ରୂପରେ ଖ୍ୟାତ ହେଲେ ।

ଏ ଘଟଣା ପରେ ଦେବ ଓ ଦାନବ ଶିବଙ୍କ ଦ୍ୱାରା ବିପଦ ମୁକ୍ତ ହୋଇ ପୁଣି ଯାଇ କ୍ଷୀରସାଗର ମନ୍ଥନ କଲେ । କାମଧେନୁ ବାହାରିଲା । ଯଜ୍ଞର ସାହାଯ୍ୟକାରୀ ବୋଲି ଏହାଙ୍କୁ ଋଷିମାନଙ୍କୁ ଦାନ କରାଗଲା ।

ତା’ପରେ ସେଥିରୁ ଉଚ୍ଚୈଶ୍ରବା ଘୋଡା ବାହାରିଲେ; ତା’ପରେ ଚାରୋଟି ଦାନ୍ତ ଥିବା ଶ୍ୱେତ ହସ୍ତୀ ଐରାବତ ବାହାରିଲେ । ତାହା ଇନ୍ଦ୍ରଙ୍କୁ ଦିଆଗଲା । ତା’ପରେ ପାରାଜାତ ପୁଷ୍ପ ବାହାରିଲା । ତା’ପରେ ଅପ୍ସରାଗଣଙ୍କର ଆର୍ବିଭାବ ହେଲା । ସେମାନେ ଦେବସଭାରେ ଅବସ୍ଥାନ କଲେ । ଲକ୍ଷ୍ମୀଦେବୀଙ୍କର ଆର୍ବିଭାବ ହେବା ମାତ୍ରେ, ସ୍ୱୟଂ ଲକ୍ଷ୍ମୀଦେବୀ ବିଷ୍ଣୁଙ୍କର ସ୍ତ୍ରୀ ରୂପରେ ଅବସ୍ଥାନ କରିବାର ଇଚ୍ଛା ପ୍ରକାଶ କଲେ ଓ ତାହା ପୂର୍ଣ୍ଣ ମଧ୍ୟ ହେଲା । ତା’ପରେ ଅନେକ ଜିନିଷ ବାହାରିଲା । କିନ୍ତୁ ସର୍ବ ଶେଷରେ ଅମୃତ କଳସ ସହିତ ଧନ୍ୱନ୍ତରୀ ନିର୍ଗତ ହେଲେ । ସେ ଚିକିତ୍ସାଶାସ୍ତ୍ର ବିଶାରଦ ଥିଲେ । ସେ ବାହାରିବା ମାତ୍ରେ ଅସୁରମାନେ ତାଙ୍କ ହାତରୁ ଅମୃତ କଳସ ଛଡାଇ ନେଇ ଦୌଡି ପଳାଇଗଲେ । ଦେବତାମାନଙ୍କର ସମସ୍ତ ପରିଶ୍ରମ ବ୍ୟର୍ଥ ହେବା ଦେଖି ବିଷ୍ଣୁ କହିଲେ, “ତମେମାନେ ଚିନ୍ତା କରନାହିଁ, ମୁଁ ଏକ ମାୟାଜାଲ ରଚନା କରିବି । ଯଦ୍ୱାରା ତମେମାନେହିଁ ଅମୃତର ଅଧିକାରୀ ହେବ ।”

ତା’ପରେ ବିଷ୍ଣୁ ମନୋମୁଗ୍ଧକାରୀ ମୋହିନୀ କନ୍ୟାର ରୂପ ଧାରଣ କରି ଦାନବମାନଙ୍କ ସମୀପରେ ଯାଇ ପହଁଚିଲେ । ଦାନବମାନେ ମୋହିନୀଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଦେଖି ମୋହିତ ହୋଇଗଲେ ଓ ମୋହିନୀଙ୍କ ପାଖକୁ ଆସି ସେମାନେ କହିଲେ, “ଦେଖ, ଏଇ ଅମୃତ ପାଇଁ ଆମେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରୁଛୁ । ତମେ ଏହାକୁ ସମାନ ଭାବରେ ବାଂଟି ଦିଅ ।”

ମୋହିନୀ କହିଲେ “ନିଶ୍ଚୟ ବାଂଟି ଦେବି । କିନ୍ତୁ ତମେମାନେ ମଝିରେ କୌଣସି ବାଧା ବା ଗଣ୍ଡଗୋଳ ଆଉ ସୃଷ୍ଟି କରିବ ନାହିଁ ତ?”

ଦାନବମାନେ ତାଙ୍କ କଥାରେ ରାଜି ହୋଇଗଲେ । ମୋହିନୀ ଦେବତା ଓ ଦାନବଙ୍କୁ ଦୁଇ ଧାଡି କରି ବସାଇଲେ । ତା’ପରେ ସେ ପ୍ରଥମେ ଦେବତାମାନଙ୍କୁ ଅମୃତ ବାଂଟି ଦେଲେ । ଦାନବମାନେ ପୂର୍ବ ସର୍ତ୍ତ ଅନୁସାରେ ଚୁପ୍ଚାପ୍ ବସି ରହିଲେ । ସବୁ ଦେବତାମାନେ ଅମୃତ ପିଇବା ପରେ ମୋହିନୀ କନ୍ୟା ପୁଣି ବିଷ୍ଣୁ ରୂପରେ ପ୍ରକଟ ହେଲେ । ସେତେବେଳେ ଦେବତାଙ୍କ ମଝିରେ ଦାନବ ରାହୁ ବସି କିଛି ଅମୃତ ପିଇଗଲା । ବିଷ୍ଣୁ ଏକଥା ଜାଣିବା ମାତ୍ରେ ତାକୁ ତାଙ୍କ ଚକ୍ରରେ ଦୁଇଖଣ୍ଡ କଲେ । କିନ୍ତୁ ଅମୃତ ପିଇଥିବାରୁ ଦୁଇଖଣ୍ଡଯାକ ରାହୁ ଓ କେତୁ ନାମରେ ବଂଚି ରହିଲେ । ଭଗବାନ ଶିବ ଯେତେବେଳେ ମୋହିନୀ କନ୍ୟା ବିଷୟରେ ଶୁଣିଲେ ତାଙ୍କ ମନରେ ତାଙ୍କୁ ଥରେ ଦେଖିବାକୁ ବଡ କୌତୁହଳ ହେଲା । ତେଣୁ ଥରେ ସେ ପାର୍ବତୀଙ୍କୁ ନେଇ ଶ୍ରୀବିଷ୍ଣୁଙ୍କ ପାଖରେ ଯାଇ ପହଁଚି କହିଲେ, “ମୁଁ ଆପଣଙ୍କର ସବୁ ଅବତାର ଦେଖିଛି । ଏବେ ମୋହିନୀ କନ୍ୟା ରୂପକୁ ମୁଁ ଥରେ ଦେଖିବାକୁ ଚାହେଁ ।”

“ଦାନବମାନଙ୍କ ମନରେ ଭ୍ରମ ସୃଷ୍ଟି କରିବା ପାଇଁ ମୁଁ ଏପରି କରିଥିଲି । ଯଦି ଆପଣଙ୍କର ଇଚ୍ଛା ହୋଇଛି ତେବେ ଏଇ ବର୍ତ୍ତମାନହିଁ ମୁଁ ସେହି ରୂପ ଧାରଣ କରିବି ।” ଏକଥା କହି ବିଷ୍ଣୁ କୁଆଡେ ଅଦୃଶ୍ୟ ହୋଇଗଲେ । ତା’ପରକ୍ଷଣରେହିଁ ଶିବ ଅନୁପମ ସୌନ୍ଦର୍ଯ୍ୟ ନେଇ ଦଣ୍ଡାୟାମାନା ମୋହିନୀଙ୍କୁ ଦେଖିଲେ ।

ତାଙ୍କର ସେଭଳି ରୂପ ଦେଖି ଶିବଙ୍କର ଆଖିରେ ଆଉ ଯମାରୁ ପଲକ ପଡୁନି । ସେ ପାର୍ବତୀ ଓ ଗଣମାନଙ୍କର ଉପସ୍ଥିତି ସବୁ ଭୁଲିଗଲେ ଓ ମୋହିନୀଙ୍କୁ ପାଇବାକୁ ତାଙ୍କ ପଛରେ ସେ ଦୌଡିବାକୁ ଲାଗିଲେ । କିଛି ସମୟ ପରେ ପୁଣି ଧିରେ ଧିରେ ସଚେତନ ହୋଇ ସେ ଆତ୍ମ ସଂଯମ କଲେ । ପରେ ସେ ସନ୍ତୋଷ ଚିତରେ କୈଳାସ ଫେରି ଆସିଲେ ।

ପ୍ରାଚୀନ କାଳରେ ଅଯୋଧ୍ୟାରେ ବାହୁ ନାମକ ଜଣେ ରାଜା ଥିଲେ । ଅନ୍ୟ ଏକ ଦେଶର ରାଜପୁତ୍ରମାନେ ଅଯୋଧ୍ୟା ଆକ୍ରମଣ କରି ତାହା ଦଖଲ କଲେ । ତେଣୁ ଗୁପ୍ତରେ ରାଜା ବାହୁ ରାଣୀମାନଙ୍କୁ ଧରି ଜଙ୍ଗଲକୁ ଚାଲିଗଲେ ।

ବଣରେ ଥିବାବେଳେ ବାହୁଙ୍କର ଜଣେ ରାଣୀ ଗର୍ଭବତୀ ଥିଲେ । ଯେତେବେଳେ ବାହୁଙ୍କର ମୃତ୍ୟୁ ହେଲା, ରାଣୀ ମଧ୍ୟ ତାଙ୍କ ପତିଙ୍କ ସହିତ ଅଗ୍ନିରେ ପ୍ରବେଶ କରିବାକୁ ଚାହିଁଲେ । କିନ୍ତୁ ଔର୍ବୁ ନାମକ ଋଷି ରାଣୀଙ୍କୁ ସେପରି କାମ ନ କରିବାକୁ କହିଲେ । କାରଣ ସେ କହିଲେ ତାଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହେବ । ଯେତେବେଳେ ଅନ୍ୟ ରାଣୀମାନେ ଏକଥା ଜାଣିପାରିଲେ ସେତେବେଳେ ସେମାନେ ସେହି ଗର୍ଭବତୀ ରାଣୀଙ୍କୁ ବିଷ ଦେଇଦେଲେ । ସେହି ବିଷ ବା ଗରଳ ସହିତ ଏକ ପୁତ୍ରସନ୍ତାନ ଜାତ ହେଲା । ସେଥିପାଇଁ ସେ ପିଲାର ନାମ ସଗର ରଖାଗଲା । କାଳକ୍ରମେ ସଗର ଚକ୍ରବର୍ତ୍ତୀ ହେଲେ ଓ ଔର୍ବୁଙ୍କ ସହାୟତାରେ ଅଶ୍ୱମେଧ୍ୟ ଆଦି ଅନେକ ଯଜ୍ଞ କଲେ ।

ସଗରଙ୍କର ସୁମତି ଓ କେଶିନୀ ନାମକ ଦୁଇ ରାଣୀ ଥିଲେ । କିନ୍ତୁ ସେମାନେ ନିଃସନ୍ତାନ ଥିଲେ । ସଗର ବନକୁ ଯାଇ ଋଷି ଔର୍ବୁଙ୍କ ସହିତ ଦେଖା କଲେ । ଔର୍ବୁ ସଗରଙ୍କୁ କହିଲେ, “ଆପଣ ଦୁଇ ରାଣୀଙ୍କ ସହିତ କୈଳାସକୁ ଯାଇ ଶିବଙ୍କୁ ପ୍ରାର୍ଥନା କରନ୍ତୁ; ମନୋକାମନା ନିଶ୍ଚୟ ପୂର୍ଣ୍ଣ ହେବ ।”

ଋଷିଙ୍କ କଥା ଅନୁସାରେ ରାଜା ରାଣୀମାନଙ୍କ ସହିତ କୈଳାସକୁ ଯାଇ ସେଠାରେ ଶିବଙ୍କୁ ତପସ୍ୟା କରି ବରପ୍ରାପ୍ତ କଲେ । ତା’ପରେ ସଗର ରାଜଧାନୀକୁ ଫେରି ଆସିଲେ । କାଳକ୍ରମେ ଦୁଇ ରାଣୀ ଗର୍ଭବତୀ ହେଲେ । କେଶିନୀଙ୍କ ଗର୍ଭଜାତ ପୁତ୍ର ଅସମଞ୍ଜସ ରୂପରେ ଖ୍ୟାତ ହେଲେ । ସୁମତିଙ୍କ ଗର୍ଭରୁ ଉତ୍ପନ୍ନ ହୋଇଥିବା ଏକ ମାଂସ ପିଣ୍ଡୁଳାକୁ ଋଷି ଔର୍ବୁ ଷାଠିଏ ହଜାର ଖଣ୍ଡ କରି ପ୍ରତ୍ୟେକକୁ ଭିନ୍ନ ଭିନ୍ନ ପାତ୍ରରେ ରଖିଲେ । ସମୟ ଅନୁସାରେ ସେମାନେ ଷାଠିଏ ହଜାର ପୁତ୍ର ରୂପେ ଜନ୍ମ ନେଲେ ।

କେଶିନୀଙ୍କ ପୁତ୍ର ଅସମଞ୍ଜସ ବଡ ଅତ୍ୟାଚାରୀ ଥିଲେ । ତେଣୁ ପ୍ରଜାଙ୍କ ମଙ୍ଗଳ ପାଇଁ ଓ ଅନ୍ୟ ରାଜପୁତ୍ରଙ୍କ ମଙ୍ଗଳ ପାଇଁ ସଗର ଅସମଞ୍ଜସଙ୍କୁ ରାଜ୍ୟରୁ ବିତାଡିତ କଲେ ।

ସଗର ଅଶ୍ୱମେଧ ଯଜ୍ଞ ଆରମ୍ଭ କଲେ । ଯଜ୍ଞ ଅଶ୍ୱକୁ ରକ୍ଷା କରିବା ପାଇଁ ସେ ନିଜର ଷାଠିଏ ହଜାର ପୁତ୍ରଙ୍କୁ ଅଶ୍ୱ ସହିତ ପଠାଇଲେ ।

ସଗରଙ୍କ ଯଜ୍ଞ ଅଶ୍ୱ ଅନେକ ଦେଶ ଭ୍ରମଣ କରିବା ପରେ ହଠାତ୍ ସେ କୁଆଡେ ଅଦୃଶ୍ୟ ହୋଇଗଲା । ଅଶ୍ୱକୁ ନପାଇ ରାଜକୁମାରମାନେ ରାଜଧାନୀକୁ ଫେରି ଆସିଲେ । କିନ୍ତୁ ସଗର ସେମାନଙ୍କୁ କହିଲେ, “ତମେମାନେ ଅଶ୍ୱ ନ ପାଇଲେ ରାଜଧାନୀକୁ ଆଉ ଫେରିବ ନାହିଁ । ଏବେ ଯାଅ । ଅଶ୍ୱର ସନ୍ଧାନ କର ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

 

🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ବନଦେବୀଙ୍କ କୃପା “🌻

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x