🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଉଦାରତା “🌻

Down to earth images
Reading Time: 4 minutes

କୀର୍ତନପୁର ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କ ଜମିରେ ଚାଷ କରୁଥିବା ଶ୍ରମିକମାନଙ୍କ ଉପରେ ସେ ସର୍ବଦା ଅତ୍ୟାଚାର କରୁଥିଲେ । ତାଙ୍କର ଥିଲେ ତିନିଟି ପୁତ୍ର ।

ପ୍ରଥମ ଦୁଇଜଣ ପିତାଙ୍କର ଆଜ୍ଞାକାରୀ ଥିଲେ; କିନ୍ତୁ ତୃତୀୟ ପୁତ୍ର ରାମର ସ୍ୱଭାବ ବିପରୀତ ଥିଲା । ସେ ଖାଲି ବରାବର କହୁଥାଏ, “ଚାକରମାନେ ତାଙ୍କ ପେଟ ପୋଷିବାକୁ ଆମର ସେବାଯତ୍ନ ଓ ଆମ କାମ ମନ ଦେଇ ଖଟି ଖଟି କରୁଛନ୍ତି ।

ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇଲେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ । କିନ୍ତୁ ଆମେ କର୍ତ୍ତା ବା ମାଲିକ ବୋଲି ସବୁବେଳେ ସେମାନଙ୍କୁ କଷ୍ଟ ଦେଲେ ଯଦି ସେମାନେ ଆମ କାମ ଛାଡି ଦିଅନ୍ତି, ତେବେ ଆମକୁ କେତେ କଷ୍ଟ ସହ୍ୟକରିବାକୁ ନହେବ? ଆମେ ସେମାନଙ୍କ ପ୍ରତି ଶ୍ରଦ୍ଧା ଦେଖାଇଲେ, ସେମାନେ ମଧ୍ୟ ଆମକୁ ଭଲ ବ୍ୟବହାର କରିବେ ।”

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କର ଦୁଇ ପୁତ୍ର, ରାମକୁ କୁହନ୍ତି, “ଚାକରମାନଙ୍କୁ ସଦା ସର୍ବଦା କର୍ତୃତ୍ୱର ଅଧୀନ କରି ରଖିବା ଉଚିତ୍ । ସେମାନଙ୍କୁ କଡା ଭାବରେ ଶାସନ ନ କଲେ ସେମାନେ ମୁଣ୍ଡ ଉପରେ ବସିବେ । ଆମ ପାଖରେ ଧନ ଅଛି ବୋଲି ସେମାନେ ଭଲ ବ୍ୟବହାର ଦେଖାଉଛନ୍ତି । ତା’ପରେ ସେମାନଙ୍କୁ ଦୟା ବା ଶ୍ରଦ୍ଧା ଦେଖାଇବା ସମ୍ପୂର୍ଣ୍ଣ ବୋକାମୀ । ତୁ ସେମାନଙ୍କୁ ଦୟା ଦେଖାଇ ନିଜ ବିପଦ ନିଜ ଉପରକୁ ଆଣୁଛୁ ।”

ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ଗୋପୀ ନାମକ ଜଣେ ଚାକର ଥିଲା । ତା’ର ସମ୍ପର୍କୀୟ ବନ୍ଧୁବାନ୍ଧବ ମଧ୍ୟରେ କେହି ଜଣେ ମରିଗଲେ; ତାଙ୍କର କେହି ଉତ୍ତରାଧିକାରୀ ନଥିବାରୁ ଗୋପୀ ଉତ୍ତରାଧିକାର ସୂତ୍ରରେ କିଛି ଜମି ପାଇଲା । ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ସେହି ଖବରଟି ଦେଇ କହିଲା, “ମାଲିକ, ମୁଁ ଆପଣଙ୍କ ପାଖରେ ମଣିଷ ହୋଇଛି । ଏବେ ଆପଣ ମୋତେ ଅନୁମତି ଦେଲେ ମୁଁ ଦୂରଗ୍ରାମରେ ସେହି ଜମିତକ ଚାଷ କରି ପରିବାର ନେଇ ବସବାସ କରନ୍ତି ।”

ପୂର୍ଣ୍ଣଚନ୍ଦ୍ର ଈର୍ଷା ଓ ରାଗରେ ତାତି ଯାଇ କହିଲେ, “ଭାରି ଗୋଟାଏ କଥା, ଜମି ମାତ୍ର ଏକ ଏକର ମଳିଛି ଯେ ସେଥିରେ ପୁଣି ତୁ ଏତେ ଟାଣ ଦେଖାଉଛୁ । କାଗଜରେ ତୁ ଯେପରି ଲେଖିଛୁ, ସେଥିରୁ ମନେହୁଏ ଆଉ ତିନିମାସ ପରେ ଛୁଟିପାଇବାକୁ ହେବ । ଏବେ କିପରି କାମ ଛାଡି ଯିବୁ? ସେପରି ମୁଁ ଯଦି ତୋତେ ଅନୁମତି ଦିଏ ଗ୍ରାମର ଅନ୍ୟ ଚାଷୀମାନେ ମୋ ଉପରେ ଖୁବ୍ ରାଗିବେ । ଯାହା ନିୟମ ତାହାହିଁ ମାନି ଚଳିବା ଉଚିତ୍ ।”

ଗୋପୀ ମାଲିକଙ୍କ କଥାରେ ରାଜି ହୋଇ କାନମୁଣ୍ଡ ଆଉଁସି ତିନିମାସ କୌଣସିମତେ ସେଠି ଚଳାଇବା ପରେ, ତା’ ପରିବାର ଧରି ଦୂର ଗ୍ରାମକୁ ଯାଇ ଚାଷବାସରେ ଲାଗି ପଡିଲା । ଗୋପୀ ଚାକିରି କରିବା ବେଳେ ଅଧିକା ଟଙ୍କା କିଛି ଜମା କରି ରଖି ନଥିଲା । ଯେତିକି ତାକୁ ମିଳୁଥିଲା ସେତିକିରେ କୌଣସିମତେ ସେ ନିଜ ପରିବାର ଚଳାଉଥିଲା । ସେଥିପାଇଁ ଚାଷବାସ ଆରମ୍ଭ କରିବା ପାଇଁ ସେ କିଛି ଟଙ୍କା କରଜ କରିବାକୁ ଗଲା । ତା’ର ଏ ଅବସ୍ଥା ଦେଖି ଅନ୍ୟ ଜଣେ ଚାଷୀ କହିଲା, “ଗୋପୀ, ଅଧେ ଏକର ତୁମେ ଚାଷ କର, ଆଉ ଅଧେ ମୁଁ କରିବି । ଚାଷ ପାଇଁ ଯାହା ଖର୍ଚ୍ଚ ଲାଗିବ ତାହା ମୁଁ ଦେବି । ଲାଭ ହେଲେ ସେତକ ଆମେ ଅଧା ଅଧା ନେବା । କ୍ରମେ ପଇସା ହୋଇଗଲେ ତୁମେ ଆପେ ଆପେ ସବୁ କରିଯିବ ଯେ ।”

ଗୋପୀ ଏହି ପ୍ରସ୍ତାବରେ ଖୁସି ହୋଇଗଲା । ତାକୁ ଆଉ କରଜ କରିବାକୁ ପଡିଲା ନାହିଁ । ବର୍ଷ ଶେଷରେ ସେ ବେଶ୍ ଲାଭ ପାଇଲା । କିଛି ବର୍ଷ ପରେ ସେ ତା’ର ଏକମାତ୍ର ଝିଅକୁ ବିବାହ ଦେବା ପାଇଁ ମନସ୍ଥ କଲା । ବରଘର ଠିକଣା ହୋଇଯିବା ପରେ, ଗୋପୀ ପୂର୍ଣ୍ଣଚନ୍ଦ୍ରଙ୍କ ପାଖକୁ ନିମନ୍ତ୍ରଣ କରିବାକୁ ଗଲା । ତା’ର ନିମନ୍ତ୍ରଣ କଥା ଶୁଣି ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ଦୁଇପୁଅ କଥାଟାକୁ ହସି ଉଡାଇ ଦେଲେ । କିନ୍ତୁ ରାମ ଗୋପୀକୁ କହିଲା, “ଦେଖ, ତୁମେ ଆମ ଘରେ ତମ ଜୀବନର ଅଧେ କଟାଇଛ ଓ ବଡ ବିଶ୍ୱାସର ସହିତ କାମ କରିଛ । ସେମାନେ ନଗଲେ ମଧ୍ୟ ମୁଁ ନିଶ୍ଚୟ ସେଠାକୁ ଯିବି । କିନ୍ତୁ ମୋର ଧନର ସ୍ୱାଧୀନତା ନାହିଁ; ମୁଁ ମୋ ବାପାଙ୍କ ଉପରେ ନିର୍ଭର କରି ଚଳୁଛି । ତେଣୁ ମୁଁ କୌଣସି ଉପହାର ନେଇ ଯାଇ ପାରିବି ନାହିଁ । ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ।”

ରାମ କଥା ଶୁଣି ତା’ ବାପ ଓ ଭାଇମାନେ ହସି ଥଟ୍ଟା କଲେ । ସବୁ ଶୁଣିବା ପରେ ମଧ୍ୟ ରାମ ସେ ବିବାହକୁ ଗଲା । ବିବାହର ପୂର୍ବଦିନ ହଠାତ୍ ଗୋପୀର ଭାଗୀଦାର ଚାଷୀ ମରିଗଲା । ସେ ଆଗରୁ କହିଥିଲା କି ଗୋପୀର ଯାହା ଦରକାର ହେବ ସେ ତାକୁ ତାହା ଦେବ । ଏପରି ଅବସ୍ଥାରେ ଗୋପୀ ଆଉ କାହାକୁ ବା ଟଙ୍କା ମାଗିବ । ଏଣୁ ସେ ନୀରବ ରହିଲା ।

ବର ଓ ବରଯାତ୍ରୀ ଆସି ପହଁଚିଲେ । ବିବାହ ପୂର୍ବରୁ ବରପିତା ଯୌତୁକ ପାଇଁ ଦାବି କରି ବସିଲେ । ରାମ ଗୋପୀର ପରିସ୍ଥିତି ଓ ବନ୍ଧୁର ମୃତ୍ୟୁ କଥା କହି ଯେତେ ବୁଝାଇଲା, ବରପିତା ଆଦୌ ମାନିଲେ ନାହିଁ । ଓଲଟା ସେ କହିଲେ, “ମରିବା ପୂର୍ବରୁ ତା’ଠାରୁ ଟଙ୍କା ଆଦାୟ ହୋଇଛି ନା ନାହିଁ ସେ କଥା କିଏ କହିବ । ତେବେ ଅନ୍ୟ ଏକ ଉପାୟ ଅଛି । ଭାଗୀଦାର ଚାଷ କରୁଥିବା ଅଧ ଏକର, ମୋ ପୁଅ ନାମରେ ଲେଖିଦେଲେ ଯାଇ ପୁଅ ବେଦୀକୁ ଯିବ ।”

ଗୋପୀ କିଂକର୍ତ୍ତବ୍ୟବିମୂଢ ହୋଇ ପଡିଲା ଓ ଶେଷକୁ ସେ ବରପିତାଙ୍କ କଥାରେ ରାଜି ହୋଇ ଜମି ଲେଖିଦେବାକୁ ଯାଉଛି ଝିଅ ମନୋରମା ଉଠିଆସି କହିଲା, “ବାବା, ତୁମେ ପରା ତାଙ୍କ ସମୁଧି ହେବାକୁ ଯାଉଛ, ଅଥଚ ସେ ତୁମକୁ ମୋଟେ ବିଶ୍ୱାସ କରୁ ନାହାଁନ୍ତି । ମୁଁ ସେପରି ଲୋକଙ୍କ ଘରେ କିମିତି ବିବାହ ହେବି । ଏ ବିବାହ ଅସମ୍ଭବ । ଏମାନେ ପଇସା ପଛରେ ପାଗଳ ।”

କନ୍ୟାର ଏପରି କଥା ଶୁଣି ବରପକ୍ଷ ରାଗିଉଠି କହିଲେ, “ଏପରି ଗର୍ବୀ ଓ ମୁହଁଖୋର ଝିଅକୁ କିଏ ବୋହୂ କରି ନେବ? ଆମେ ଯାଉଛୁ । ତୁମେ ଯୌତୁକ ନନେବା ବର ଠିକ୍ କରି ଝିଅ ଦିଅ ।” ଏତିକି କହି ସେମାନେ ସମସ୍ତେ ତମତମ ହୋଇ ଚାଲିଗଲେ । ତାର ଏପରି ଅବସ୍ଥା ଦେଖି ରାମ କହିଲା, “ମୁଁ ପିଲାଦିନରୁହିଁ ମଣିଷର ଗୁଣକୁ ସମ୍ମାନ ଦେଇ ଆସିଛି । ମୁଁ କେବେବି ଗରିବ ଓ ଧନୀ ମଧ୍ୟରେ ପାର୍ଥକ୍ୟ ଦେଖେ ନାହିଁ । ତୁମ ଝିଅ ମନୋରମାକୁ ମୁଁ ପିଲାବେଳରୁହିଁ ଦେଖି ଆସିଛି । ସେ ଜଣେ ସ୍ୱାଧୀନଚେତା ଝିଅ । ନିଜର ଆତ୍ମ ସମ୍ମାନ ବିଷୟରେ ସେ ଯଥେଷ୍ଟ ସଚେତନ । ତୁମର କୌଣସି ଆପତ୍ତି ନଥିଲେ ମୁଁ ମନୋରମାକୁ ବିବାହ କରିବି । କାରଣ ମଙ୍ଗୁଳା ଝିଅ ହୋଇ ସେ ବସିଛି; ଏଣେ ଶୁଭ ମୁହୂର୍ତ୍ତ ଶେଷ ହୋଇଯିବ । ବିବାହ ପରେ ଯେଉଁ ସବୁ ଅସୁବିଧା ଉପୁଜିବ ସେସବୁର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ।”

ଗୋପୀ ତ ଜାଣିଥିଲା ଯେ ରାମର ପିତା ଧନୀ, ପୁଣି ସେ ଦିନେ ତା’ର ମାଲିକ ମଧ୍ୟ ଥିଲେ । ତେଣୁ ଭୟରେ ସେ ମନା କରିଦେଲା । ରାମ କହିଲା, “ବିବାହ ହୋଇଯାଉ, ତୁମେ ଭୟ କରନାହିଁ ମୋ ପରିବାରର ଲୋକଙ୍କୁ ବୁଝାଇବାର ଦାୟିତ୍ୱ ମୋର ।” ଗୋପୀ ଭୟରେ ନାହିଁ କରୁଥିଲା । କିନ୍ତୁ ମନ ଭିତରେ ତ ସେ ଭାରି ଖୁସି । ବିବାହ ବଡ ଆନନ୍ଦ ଉତ୍ସବ ମଧ୍ୟରେ ସମ୍ପନ୍ନ ହେଲା । ରାମ ନବବିବାହିତା ପତ୍ନୀ ମନୋରମାକୁ ନେଇ ଘରକୁ ଫେରିଲା । ତା’ ବାପା ରାଗି ମାଗି ମୁସ୍ତେଜ । ଭାଇମାନେ ତା’ର ହସି ଉଡାଇଲେ । ତା’ପରେ ଭଲ କରି ଭତ୍ସର୍ନା କଲେ । ଶେଷକୁ ପୂର୍ଣ୍ଣଚନ୍ଦ୍ର ଭାବିଚିନ୍ତି ତାଙ୍କ ପୁଅକୁ କହିଲେ, “ତୋ ପାଇଁ ମୁଁ ଏ ଗାଁରେ ଆଉ କାହାରିକୁ ମଧ୍ୟ ମୁହଁ ଦେଖାଇ ପାରିବି ନାହିଁ । ତୋର ଭାଗ ସମ୍ପତ୍ତିରୁ କିଛି ଦେଉଛି ସେତକ ନେଇ ତୁ ଏଠାରୁ ବରଂ ପଳାଇ ଯାଇ ଗୋପୀ ସହିତ ରହ ।”

ରାମ ବାପା ଦେଇଥିବା ଧନତକ ଧରି ସ୍ତ୍ରୀକୁ ନେଇ ପୁଣି ଗୋପୀ ପାଖରେ ପହଁଚିଲା । ସେଠାରେ ସେ ଘର ତୋଳିଲା, ଜମିବାଡିରେ ଫସଲ କଲା । ଦୁଇ ତିନିବର୍ଷ ମଧ୍ୟରେ ପାଞ୍ଚ ଏକର ଜମି ସେ କିଣିଲା । କ୍ରମେ ସେ ବି ଧନୀ ହୋଇଗଲା । ଥରେ ବର୍ଷାଋତୁରେ ତୋଫାନ ହୋଇ ସମୁଦ୍ରର ଲୁଣଜଳ ପୂର୍ଣ୍ଣଚନ୍ଦ୍ରଙ୍କ ଗ୍ରାମର ଜମି ଉପରେ ମାଡିଗଲା । ଆସନ୍ତା ଦୁଇବର୍ଷ ଧରି ଫସଲ ହେବାର ଆଉ କୌଣସି ସମ୍ଭାବନା ନାହିଁ । ଫଳରେ ସବୁ ଧନୀ ଲୋକେ ଗରିବ ହୋଇଗଲେ । ଗ୍ରାମର ଲୋକମାନେ ଦୂର ସହରକୁ ବା ଅନ୍ୟ ଗ୍ରାମକୁ ପଳାଇଗଲେ । ତାଙ୍କ ଗ୍ରାମରୁ କେତେକ ଲୋକ ଆସି ରାମ ପାଖରେ ଆଶ୍ରୟ ନେଲେ । ରାମ ତା’ର ଘର ଓ ଗାଁ ବିଷୟରେ ଖବର ପାଇ ବାପା ଓ ଭାଇମାନଙ୍କୁ ଖୋଜିବାକୁ ବାହାରି ପଡିଲା । ସାଙ୍ଗରେ ସ୍ତ୍ରୀ ମନୋରମା ଓ ଶଶୁର ଗୋପୀ ।

ଖୋଜି ଖୋଜି ଶେଷରେ ଦେଖିଲେ ଗ୍ରାମ ଶେଷରେ ନିରାଶ ହୋଇ ଗୋଟିଏ ଗଛ ତଳେ ତିନିଜଣ ଭୋକ ଉପାସରେ ବସିଛନ୍ତି । ପୁଅ ବୋହୂଙ୍କୁ ଦେଖି ପୂର୍ଣ୍ଣଚନ୍ଦ୍ରଙ୍କ ଆଖି ଲୁହରେ ଭରିଗଲା ।

ରାମ ବାପାଙ୍କର ହାତ ଧରି ଉଠାଇଲା ଓ କହିଲା, “ଚିନ୍ତା କରିବାର କିଛି କାରଣ ନାହିଁ । ଏବେ ତ ଦୁଇବର୍ଷ ପର୍ଯ୍ୟନ୍ତ ଏହି ଜମିରେ କିଛି ବି ଫସଲ ହେବ ନାହିଁ । ସେ ପର୍ଯ୍ୟନ୍ତ ମୋ ପାଖରେ ରହିବ ଆସ । ଏକାଠି ଆମ ଜମିରେ ଚାଷ କରି ଭଲରେ ରହିବା । ଆମ ମଧ୍ୟରେ କେହି ବି ମାଲିକ ନୁହେଁ ବା କେହି ଚାକର ମଧ୍ୟ ନୁହେଁ ।”

ଗୋପୀ ଓ ମନୋରମା ମଧ୍ୟ ତାଙ୍କ ଘରକୁ ଯିବାକୁ ବଡ ନମ୍ର ଭାବରେ ଅନୁରୋଧ କଲେ । ରାମର ଏଭଳି ଉଦାର ଗୁଣ ଦେଖି ତା’ର ବାପା ଓ ଭାଇମାନେ ବଡ ଖୁସି ହେଲେ । ସେହି ମୁହୂର୍ତ୍ତରେ ସେମାନଙ୍କ ମନରୁ ଧନୀ ଗରିବର ଭାବ ଦୂର ହୋଇଗଲା । ଏଥିରୁ ସେମାନେ ଏହା ଉପଲବ୍ଧି କଲେ ଯେ ଖାଲି ଧନହିଁ ଏ ଦୁନିଆରେ ସବୁକିଛି ନାହିଁ । ଉଦାରତା, ଶ୍ରଦ୍ଧା, ଦୟା, ସହୃଦୟତା ଇତ୍ୟାଦି ଭଲ ଗୁଣ ଯୋଗୁଁ ମଣିଷ ନିଜେ ସୁଖୀ ହୁଏ ଓ ଅନ୍ୟକୁ ବି ସୁଖୀ କରାଏ । ରାମ ସହିତ ବାସ କରି ସମସ୍ତେ ବହୁତ ଭଲରେ ରହିଲେ ।

 

🌹 ଗପଟିଏ….. 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ସହନ ଶକ୍ତିର ରହସ୍ୟ “🌻

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x