ରାୟ ବହାଦୁରଙ୍କ ବହାଦୁରି

maxresdefault 2
Reading Time: 6 minutes

କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର୤ ସମସ୍ତ କ୍ଷୁଦ୍ର ଓ ବୃହତ୍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ ଅଧିନସ୍ଥ ହୋଇସାରିଥିଲା୤ କିନ୍ତୁ ସେହି ରାଜା ଓ ଜମିଦାରମାନେ ବଂଶାନୁକ୍ରମିକ ଭାବେ ହସ୍ତଗତ ହୋଇଆସୁଥିବା ପ୍ରତିଷ୍ଠା, ମର୍ଯ୍ୟାଦା ତଥା ରହଣିସହଣିକୁ ସହଜେ ଛାଡ଼ି ପାରୁ ନ ଥିଲେ୤

ସେହିପରି ଜଣେ ଜମିଦାର ଥିଲେ ଜମିଦାର ରାୟବାହାଦୁର ଶକ୍ତି ପ୍ରତାପ ସିଂହ୤ ତା’ଙ୍କ ନାମର ପ୍ରତ୍ୟେକଟି ଶବ୍ଦରୁ ସାହସ ଓ ବୀରତ୍ବ ନିଗିଡ଼ି ପଡ଼ୁଥିଲା୤ ଚେହେରାଟି ମଧ୍ୟ ଅବିକଳ ନାମକୁ ସୁହାଇଲା ଭଳି୤ ଧୋବ ଫରଫର ବସ୍ତ୍ର ବିମଣ୍ଡିତ ଲମ୍ବା ଚଉଡ଼ା ବଳିଷ୍ଠ ଶରୀର୤ ଗୋରା ତକତକ ମୁହଁରେ କଳା ମଚମଚ ପ୍ରଜାପତିଆ ନିଶ୤ ଚାଲିରେ ଏପରି ବୀର ସୁଲଭ ଠାଣି ଯେ ଅରଣା ମଇଁଷି ମଧ୍ୟ ବାଟ ଓଗାଳିବାକୁ ସାହସ କରିବ ନାହିଁ୤ କିନ୍ତୁ ଏ ସବୁ ସହିତ ଖାପ ନ ଖାଇଲା ପରି କେବଳ ଗୋଟିଏ ଚିଜ ଥିଲା; ସେଇଟି ହେଉଛି ଅନାୟାସେ କ୍ଷୁଦ୍ରାତିକ୍ଷୁଦ୍ର ମାମଲାରେ ଭୀତତ୍ରସ୍ତ ହୋଇଯାଉଥିବା ତା’ଙ୍କ ଦୁର୍ବଳ ହୃଦୟଟି୤ ଅବଶ୍ୟ ନିଜ ବ୍ୟକ୍ତିତ୍ବର ଏହି ଦୁର୍ବଳ ପାର୍ଶ୍ବଟିକୁ ସେ ବର୍ଷ ବର୍ଷ ଧରି କଳେବଳେ କୌଶଳେ ଯଥାସମ୍ଭବ ଲୋକଲୋଚନରୁ ଲୁକ୍କାୟିତ ରଖିବାରେ ସମର୍ଥ ହୋଇଥିଲେ୤ ଏଥିରେ ତା’ଙ୍କୁ ସାହାଯ୍ୟ କରିଥିଲା, ତା’ଙ୍କ ଚେହେରା ଏବଂ ତ୍ରିଲୋଚନ ଓରଫ ତିଲୁଆ୤

ତିଲୁଆ ଥିଲା ବାପଦାଦାଙ୍କ ଅମଳରୁ ରାୟବାହାଦୁରଙ୍କ ଘରେ ଗୋତି ଖଟି ଆସୁଥିବା ବଂଶର ଦାୟାଦ୤ ଆଦର୍ଶ ଭୃତ୍ୟ ପରି ସେ ରାୟବାହାଦୁରଙ୍କ ଅର୍ଥ ଓ ସମ୍ମାନ ରକ୍ଷା ଦିଗରେ ସଦା ଚେଷ୍ଟାରତ ଥିଲା୤ ତା’ଙ୍କ ଭୀରୁପଣିଆର ଅନେକ ଦୃଷ୍ଟାନ୍ତକୁ ଚିର ଦିନ ପାଇଁ କିମ୍ବଦନ୍ତୀରେ ପରିଣତ ହେବାର ମଉକା ନ ଦେଇ ସେ ସବୁ ଉପରେ ଘଣ୍ଟ ଘୋଡ଼ାଇ ଚାଲିଥିଲା ତିଲୁଆ୤ ରାୟବାହାଦୁର୍‌ଙ୍କୁ ଏଥି ନିମନ୍ତେ ମଧ୍ୟେ ମଧ୍ୟେ ଖୁବ୍ ସାମାନ୍ୟ ପରିମାଣର ଅର୍ଥ ବିନିଯୋଗ କରି ତିଲୁଆର ମୁହଁରେ ବାଡ଼ ଦେବାକୁ ହେଉଥିଲା, ଅନ୍ୟଥା ତା’ ମୁହଁ ଖୋଲିଲେ ଅନେକ ବର୍ଷର ଉପାର୍ଜିତ ସମ୍ମାନ ପାଣିରେ ପଡ଼ିଯିବାର ଆଶଙ୍କା ଥିଲା୤

‘ରାୟବାହାଦୁର’ ଉପାଧିଟି ଅର୍ଜିବାରେ ମଧ୍ୟ ତିଲୁଆର ବିରାଟ ଯୋଗଦାନ ଥିଲା୤ ଘଟଣାଟା ଏପରି ଭାବେ ଘଟିଥିଲା-ତତ୍କାଳୀନ ଜନୈକ ଇଂରେଜ ସାହେବଙ୍କ ଭାବୀ ପତ୍ନୀ ଜିଦ୍ଦି ଧରିଲେ ଯେ, ସାହେବ ଗୋଟାଏ ବାଘ ଶିକାର କରି ତା’ ଛାଲକୁ ତା’ଙ୍କ ଗୃହର ବୈଠକଖାନା ନିମନ୍ତେ ଭେଟି ଦେବା ପରେ ହିଁ ସେ ତା’ଙ୍କୁ ବିବାହ କରିବେ| କିନ୍ତୁ ସାହେବ ଏହା ଆଗରୁ କେବେ ଠେକୁଆଟିଏ ସୁଦ୍ଧା ଶିକାର କରି ନ ଥିଲେ, ବାଘ ତ ସ୍ବପ୍ନ ସଦୃଶ| ଅତଏବ ସେ ସାହାଯ୍ୟ ଲୋଡ଼ିଲେ ନିଜ ଅଧିନସ୍ଥ ଜମିଦାର ଶକ୍ତି ପ୍ରତାପ ସିଂହଙ୍କଠାରୁ| ଜମିଦାର ନିଜ ଭାଳେଣିର ଭାଗୀଦାର ବନାଇଲେ ତିଲୁଆକୁ| ତିଲୁଆ ମୁଣ୍ଡକୁ ଉପାୟଟିଏ ଜୁଟିଲା୤ ନିର୍ଦ୍ଧାରିତ ଦିବସରେ ଜଙ୍ଗଲରେ ଏକ ବିରାଟ ବୃକ୍ଷରେ ଉଚିତ୍ ଉଚ୍ଚତାରେ ବସିରହିବା ପାଇଁ ସ୍ଥାନ ପ୍ରସ୍ତୁତ କରାଗଲା୤ ତା’ ଉପରେ ବସି ରହିଲେ ଇଂରେଜ ସାହେବ, ତା’ଙ୍କ ଭାବୀ ପତ୍ନୀ ଓ ଜମିଦାର୤ ଛାଗଳଟିଏକୁ, ତଳେ ଥୋପ ଭାବେ ବାନ୍ଧି ରଖାଗଲା୤ ବାଘର ଆଗମନ ହୁଅନ୍ତେ ଅବିଳମ୍ବେ ସାହେବଙ୍କ ଆଙ୍ଗୁଠି ଟ୍ରିଗର୍ ଚିପିଲା ଏବଂ ବାଘଟା ଗୋଟାଏ ବିକଟାଳ ଚିତ୍କାର କରି ଟଳି ପଡ଼ିଲା୤ ଭାବୀ ପତ୍ନୀ ସାହେବଙ୍କ ବାହାଦୁରୀରେ ପ୍ରୀତ ହେଲେ୤ ହେଲେ ସେ ଜାଣି ନ ଥିଲେ ଯେ, ସାହେବଙ୍କ ବନ୍ଧୁକରେ ଗୁଳି ହିଁ ନ ଥିଲା୤ ବାଘଟି ଯେଉଁ ଗୁଳିରେ ବୀଦ୍ଧ ହେଲା, ସେଇଟାର ଉଦ୍ଭବ ହୋଇଥିଲା ତା’ଙ୍କ ଦୃଷ୍ଟି ଆଢ଼ୁଆଳରେ ନିକଟସ୍ଥ ଅନ୍ୟ ଏକ ବୃକ୍ଷରେ ବସି ରହିଥିବା ତିଲୁଆର ଜଣେ ଶିକାରୀ ବନ୍ଧୁର ବନ୍ଧୁକରୁ୤ ଫଳତଃ ଅଚିରେ ସାହେବଙ୍କର ତା’ଙ୍କ ଭାବୀ ପତ୍ନୀଙ୍କ ସହିତ ବିବାହ ସମ୍ପନ୍ନ ହେଲା୤ ସାହେବ ଜମିଦାରଙ୍କ ଆନୁଗତ୍ୟରେ ପ୍ରସନ୍ନ ହୋଇ ତା’ଙ୍କୁ କିଛି ଦେବାକୁ ଚାହିଁଲେ୤ ମଉକାର ଉଚିତ ବ୍ୟବହାର କରି ଜମିଦାର ‘ରାୟବାହାଦୁର’ ଉପାଧିଟି ହାତେଇ ନେଲେ୤ ସମସ୍ତ ଭୟକୁ ହୃଦୟରେ ଚାପି ରଖି ସାହେବଙ୍କ ସହିତ ଶିକାରରେ ବସିବାର ଲାଭ ପାଇଲେ୤ ସେବେଠାରୁ ତିଲୁଆ ରାୟବାହାଦୁରଙ୍କର ବିଶ୍ବସ୍ତ ହେଲା୤ ପ୍ରତି କାର୍ଯ୍ୟରେ ସେ ତିଲୁଆକୁ ଛାୟା ପରି ପାଖରେ ପାଖରେ ରଖୁଥିଲେ୤

କିଛି ବର୍ଷ ଅତିକ୍ରାନ୍ତ ହୁଅନ୍ତେ ରାୟବାହାଦୁରଙ୍କ କନିଷ୍ଠ କନ୍ୟାର ବିବାହ ନିକଟସ୍ଥ ଜମିଦାରିର ପୂର୍ବତନ ଜମିଦାରଙ୍କ ପୁତ୍ର ସହ ଠିକଣା ହେଲା୤ ରାୟବାହାଦୁର ପରିବାରର ଶେଷ ବିବାହଟିକୁ ଧୁମ୍‍ଧାମ୍‌ରେ କରିବା ଆୟୋଜନରେ ଲାଗିଗଲେ୤ ଶୁଭ ବେଳା ଦେଖି ତିଲୁଆକୁ ସାଥିରେ ଧରି ସହରକୁ ଗସ୍ତ କଲେ ଆବଶ୍ୟକୀୟ ଗହଣାଗାଣ୍ଠି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କ୍ରୟ କରିବା ଉଦ୍ଦେଶ୍ୟରେ୤ ସମସ୍ତ କିଣାକିଣି ସରୁସରୁ ସନ୍ଧ୍ୟା ରତରତ୤ ରାୟବାହାଦୁରଙ୍କ ଦୁର୍ବଳ ହୃଦୟ ଛାନିଆ ହେବାକୁ ଲାଗିଲା-ଏକେ ତ ତିନି କୋଷ ଲମ୍ବା ବାଟ, ମଝିରେ ମଝିରେ ପୁଣି ଜଙ୍ଗଲ ରାସ୍ତା, ଯାହା ହେଲେ ବି ବିଭାଘର ଗହଣାଗାଣ୍ଠି କିଛି ଶସ୍ତା ପଦାର୍ଥ ତ ନୁହଁ, କେତେବେଳେ କୋଉ କଥା୤ ଆଉ ଅଳ୍ପ ସମୟ ଗଲେ ପୂରା ଅନ୍ଧକାର ଘୋଟି ଆସିବ୤ ମେଘୁଆ ଆକାଶ ସକାଶେ ଜହ୍ନ ଆଲୁଅ ବି କାଣିଚାଏ ନାହି୤ ଶଗଡ଼ ଗାଡ଼ିରେ ଝୁଲୁଥିବା ଲଣ୍ଠନଟା ହିଁ ଏକ ମାତ୍ର ସାହା ଭରସା୤ ରାୟବାହାଦୁର ତିଲୁଆକୁ ତାଗିଦ କଲେ, ‘ଆରେ ତିଲୁଆ! ଆଉ ଜମାରୁ ଉଛୁର କରନାଟି୤ ଆକାଶକୁ ନିଘା କର, କିମିତି କଳାହାଣ୍ଡିଆ ଘୋଟି ଆସିଲାଣି’୤

ତିଲୁଆ ତତ୍‍କ୍ଷଣାତ୍ ଶଗଡ଼ଗାଡ଼ି ପ୍ରସ୍ତୁତ କରି ରାୟବାହାଦୁରଙ୍କୁ ସାଥିରେ ଧରି ଗ୍ରାମାଭିମୁଖେ ଯାତ୍ରାରମ୍ଭ କଲା୤ ଦୁଇଟି ଗାଁ, ଦୁଇଟି ଜଙ୍ଗଲ ଅତିକ୍ରମ କଲେ ରାୟବାହାଦୁରଙ୍କ ଗାଁ୤ ପ୍ରଥମ ଗାଁଟି ଅତିକ୍ରମ କଲାବେଳକୁ ଗାଁର ଘରମାନଙ୍କରେ ସନ୍ଧ୍ୟାବତି ଜଳା ସରିଲାଣି୤ ତା’ ପରେ ଆସିଲା ଜଙ୍ଗଲ୤ ସାୟଂକାଳର ଅନ୍ଧକାର ଚତୁର୍ଦିଗକୁ କବଳିତ କରିସାରିଥିଲା୤ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଗଲା୤ ବୃଷ୍ଟି ବିନ୍ଦୁଗୁଡ଼ିକ ବିରାଟ ବିରାଟ ଶାଳ ପିଆଶାଳ ବୃକ୍ଷଗୁଡ଼ିକର ପତ୍ରମାନଙ୍କ ଉପରେ କୁଦିକୁଦି ଜଙ୍ଗଲର ନିସ୍ତବ୍ଧତାକୁ ଚିରି କୋଳାହଳ ସୃଷ୍ଟି କରିବାକୁ ଚେଷ୍ଟା କରୁଥାଆନ୍ତି୤ ତା’ ସାଥିକୁ ଝିଙ୍କାରିମାନଙ୍କର ଅହରହ ଚେଁ ଚେଁ ଶବ୍ଦ କାନକୁ ବିଦାରି ପକାଇଲା ଭଳି ପ୍ରତୀତ ହେଉଥାଏ୤ ବର୍ଷାସାଙ୍ଗକୁ ସୁଲୁସୁଲିଆ ବାଆର ପ୍ରଭାବରେ ଦେହର ଲୋମ ଟାଙ୍କୁରି ଉଠୁଥା୤ ତେଣେ ଶଗଡ଼ଗାଡ଼ିର ବତା ଘେରା ଛାତର ଫାଙ୍କ ଦେଇ ଯେବେ ଟୋପାଟିଏ ବି ବର୍ଷା ପାଣି ଶରୀର ଉପରେ ପଡ଼ିଯାଉଥାଏ, ଡାମ୍ପଣ ଫୋଡ଼ି ହେବା ପରି ଲାଗୁଥାଏ୤ ରାୟବାହାଦୁର ଭାବୁଥିଲେ ଏପରି ସ୍ଥିତିରେ ଯଦି ତା’ଙ୍କର ହୁକାଟା ପାଖରେ ଥାଆନ୍ତା, ଦୁଇ ଚାରି ଦମ୍ ମାରି ଦେଇଥିଲେ, ଶୀତ କବଳରୁ କିଛି ତ ରକ୍ଷା ମିଳିଥାଆନ୍ତା୤

ଏହିପରି କିଛି ରାସ୍ତା ଅତିକ୍ରାନ୍ତ ହୁଅନ୍ତେ, ଅନତିଦୂରରେ ଦୃଶ୍ୟମାନ ହେଲା ଏକ ସାମାନ୍ୟ ଉଜ୍ଜ୍ବଳ ଆଲୋକ୤ ରାୟବାହାଦୁର ଆଲୋକଟିର ଉତ୍ସ ସମ୍ବନ୍ଧରେ ଜାଣିବା ଲାଗି ତିଲୁଆ ନିକଟରେ ଜିଜ୍ଞାସା କଲେ୤ ତିଲୁଆ ସାମାନ୍ୟ ଇତସ୍ତତଃ ହୋଇ ଘୋଷଣା କଲା ଯେ, ଉକ୍ତ ଜଙ୍ଗଲରେ କିଛି ଦିନ ପୂର୍ବେ ତା’ ବନ୍ଧୁ ସନିଆ ଡାହାଣୀ ହାବୁଡ଼ରେ ପଡ଼ିଥିଲା ଏବଂ ସେ ଡାହାଣୀ ବଶୀକରଣ ମନ୍ତ୍ରର ପ୍ରଥମାର୍ଦ୍ଧ ଜାଣିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା; ନିଃସନ୍ଦେହେ ନିକଟରୁ ନିକଟତର ହୋଇଆସୁଥିବା ଆଲୋକଟି ‘ଡାହାଣୀ ଆଲୁଅ’ ।ସୌଜନ୍ୟ – ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ହ୍ଵାଟ୍ସଆପ୍ ଓ ଟେଲିଗ୍ରାମ ଗ୍ରୁପ୍ ।ତିଲୁଆର ଏତାଦୃଶ ଘୋଷଣାରେ ରାୟବାହାଦୁରଙ୍କର ଦୁର୍ବଳ ହୃଦୟଟା ଭୟଭୀତ ହୋଇ ଏତେମାତ୍ରାରେ କମ୍ପିତ ହେବାକୁ ଲାଗିଲା ଯେ, ତା’ର ଶବ୍ଦ ସେ ନିଜେ ଶୁଣି ପାରିଲେ୤ ହୃଦୟକୁ ଦୁଇ ହାତରେ ଚାପି ଧରି ତିଲୁଆକୁ କୌଣସି ଡାହାଣୀ ବଶୀକରଣ ଉପାୟ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ୤ କିନ୍ତୁ ତିଲୁଆ ସଫା ସଫା ଆତ୍ମସମର୍ପଣ କରି ଜଣାଇଦେଲା ଯେ, ବିଗତ ଗାଁ ମେଳାରେ ହିମାଳୟ ଫେରନ୍ତା ସାଧୁବାବାଙ୍କଠାରୁ ଯେଉଁ ପତ୍ନୀ ବଶୀକରଣ ମନ୍ତ୍ର ସେ ଲେଖାଇ ଆଣିଥିଲା, ତା’ର ଦୁଇ ଧାଡ଼ି ମଧ୍ୟ ଏଯାବତ୍ ମୁଖସ୍ଥ କରିପାରି ନାହିଁ, ଡାହାଣୀ ବଶୀକରଣ ମନ୍ତ୍ର ତ ଖୁବ ଦୂରର କଥା୤ ରାୟବାହାଦୁର ଅଗତ୍ୟା ଅନନ୍ୟୋପାୟ ହୋଇ ହନୁମାନ ଚାଳିଶା ପାଠ କରିବାକୁ ଲାଗିଲେ୤

ଆଲୋକଟି ନିକଟତର ହେବା ସହ କୌଣସି ଧାତୁର ମୃଦୁ ଧ୍ବନି ଶୁଣାଯିବାକୁ ଲାଗିଲା୤ ଆଉ କିଛି କ୍ଷଣ ଅନ୍ତରାଳେ ସମ୍ମୁଖରେ ଯାହା ଦୃଷ୍ଟିଗୋଚର ହେଲା, ତହିଁପରେ ରାୟବାହାଦୁର ଅନୁଭବ କଲେ ଯେ, ହନୁମାନ ଚାଳିଶା ପାଠ କରିବାର ଆବଶ୍ୟକତା ଆଉ ନାହିଁ୤ ଅପର ପାର୍ଶ୍ବରୁ ଅନ୍ୟ ଏକ ଶଗଡ଼ଗାଡ଼ି ଲଣ୍ଠନର ଆଲୋକ ଓ ବଳଦ ବେକର ଘଣ୍ଟିର ଧ୍ବନି ସହିତ ସେମାନଙ୍କ ଆଡ଼କୁ ଅଗ୍ରସର ହେଉଥିଲା୤ ରାୟବାହାଦୁର ଶାନ୍ତିର ନିଃଶ୍ବାସ ମାରିଲେ, ତିଲୁଆକୁ କହିଲେ, ‘ଆରେ ହେ ତିଲୁଆ ! ସାମାନ୍ୟ ଶଗଡ଼ଗାଡ଼ିଟାକୁ ଡାହାଣୀ ଆଲୁଅ ହେଜି ତୁଚ୍ଛାଟାରେ ଛାନିଆ ହେଉଛୁ୤ ତୁଟା ଗୋଟାଏ ନିହାତି ଡରକୁଳାଟା, ବୁଝିଲୁ ?’

ତିଲୁଆ ସମ୍ମତି ଜଣାଇଲା, ‘ଠିକ କହିଲେ ସାଆନ୍ତେ୤’ ସାଆନ୍ତଙ୍କ ସବୁ କଥାରେ ହଁ ଭରିବାର କଳାଟା ତା’ ବାପା, ଜେଜେବାପାଙ୍କଠାରୁ ସେ ଭଲ ରକମ ଶିଖିଥିଲା୤ କିନ୍ତୁ ତା’ର ଆଜିର ‘ହଁ ’ରେ ପୂର୍ବବତ୍ ଆନ୍ତରିକତା ନ ଥିଲା, କାରଣ ତିନି ଦିନ ତଳେ ଯେତେବେଳେ ସେ ନିଜ ଝିଅର ଆସନ୍ନ ବିଭାଘର ପାଇଁ ସାଆନ୍ତଙ୍କୁ କିଛି ଟଙ୍କା ଋଣ ମାଗିଥିଲା, ରାୟବାହାଦୁର ସଫା ସଫା ମନା କରିଦେଇ କହିଲେ, ‘ଆରେ ତୋ ଘରଡିହ, ଜମିବାଡ଼ି, ଗାଈବଳଦ ସବୁ ତ ମୋ ପାଖରେ ବନ୍ଧା ପଡ଼ିଛି୤ ପିଛିଲା ଋଣରୁ କିଛି ସୁଝୁନୁ, କି କିଛି ବି ମୁକୁଳାଇ ପାରୁନୁ୤ ଏବେ ତୋ ପାଖରେ ଆଉ କ’ଣ ଅଛି ଯେ, ମୁଁ ବନ୍ଧା ରଖି ତୋତେ ଧାର ଦେବି ? ନା, ନା, ଆଉ ତୋତେ ଟଙ୍କା ଦେବା ସମ୍ଭବ ନୁହଁ୤’ ତିଲୁଆକୁ ବୁଦ୍ଧିବାଟ ଦିଶୁ ନ ଥିଲା ଝିଅ ବିଭାଘର କିପରି କରିବ୤ ଯଦିଓ ସେ ସୁଧମୂଳର ହିସାବ କିତାବ ଜାଣି ନ ଥିଲା, ହେଲେ ଏତିକି ବୁଝି ପାରୁଥିଲା ଯେ, ତା’ ସାଆନ୍ତଙ୍କୁ ସେ ଆଜି ପର୍ଯ୍ୟନ୍ତ ସୁଧ ବାବଦକୁ ଯେତିକି ଟଙ୍କା ସୁଝି ସାରିଲାଣି ତାହା ସୁଧ ଓ ମୂଳର ସମୁଦାୟ ପରିମାଣଠାରୁ ଯଥେଷ୍ଟ ଅଧିକ ହେବଣି୤

ଜଙ୍ଗଲ ପାର ହେବା ଭିତରେ ଭୟରେ ରାୟବାହାଦୁର ଝାଳରେ ଗାଧୋଇ ପଡ଼ିଥିଲେ୤ ପାଟି ଶୁଖି ଯାଇଥିଲା୤ ଦି ଢୋକ ପାଣି ପିଇ ଏବେ ପ୍ରକୃତିସ୍ଥ ହେବାରୁ ପୁଣି ଶୀତର ପ୍ରକୋପ ଜଣାପଡ଼ିଲା୤ ଜଙ୍ଗଲ ଅତିକ୍ରମ କରି ଦ୍ବିତୀୟ ଗାଁଟିରେ ପ୍ରବେଶ କଲାବେଳକୁ ବର୍ଷା କିଛିଟା କମି ଆସିଥାଏ୤ ଗାଁଟିକୁ ପଛରେ ଛାଡ଼ି ଦ୍ବତୀୟ ଜଙ୍ଗଲ ମଧ୍ୟରେ ପ୍ରବେଶ କଲାବେଳକୁ ରାୟବାହାଦୁର ଇଷ୍ଟଦେବତାଙ୍କୁ ସ୍ମରଣ କରି ହାତ ଯୋଡ଼ି ଉତ୍କୋଚ ଦେଲେ, ‘ଏ ଜଙ୍ଗଲଟା କେମିତି ଭଲରେ ଭଲରେ ପାରି କରେଇଦିଅ, କାଲି ହିଁ ତୁମ ପାଖରେ ଦଶଟା ନଡ଼ିଆ ଭାଙ୍ଗିବି୤’ ଅବଶ୍ୟ ଇଷ୍ଟଦେବ ତା’ଙ୍କ ଉତ୍କୋଚ ଗ୍ରହଣ କରି ତା’ଙ୍କ କାର୍ଯ୍ୟ କରାଇ ଦେବାର ପ୍ରତିଶ୍ରୁତି ଦେଲେ କି ନାହିଁ ତାହା ଜାଣିବାର ଉପାୟ ନ ଥିଲା୤

ଜଙ୍ଗଲ ରାସ୍ତା ଯେତେ ଯେତେ ସରି ଆସୁଥାଏ ରାୟବାହାଦୁର ସେତେ ସେତେ ଆଶ୍ବସ୍ତ ଅନୁଭବ କରୁଥାନ୍ତି୤ କିଛି ସମୟ ଅତିବାହିତ ହେବା ପରେ ଦିନ ଯାକର ଯାତ୍ରା ତଥା ପରିଶ୍ରମଜନିତ କ୍ଳାନ୍ତି ଯୋଗୁଁ ବସି ବସି ସେ ସାମାନ୍ୟ ନିଦ୍ରା ଗଲେ୤ କିନ୍ତୁ ହଠାତ୍ କାହାର ସ୍ପର୍ଶରେ ତା’ଙ୍କର ନିଦ୍ରା ଭଙ୍ଗ ହେଲା୤ ଆଖି ମଳି ମଳି ଜାଣିବାକୁ ଚେଷ୍ଟା କଲେ ଘଟଣା କ’ଣ୤ ଲଣ୍ଠନର ଅସ୍ପଷ୍ଟ ଆଲୋକରେ ଯାହା ଦେଖିଲେ, ତା’ ପରେ ତା’ଙ୍କ ପାଟିରୁ ଆଉ କଥା ସ୍ଫୁରିଲା ନାହିଁ୤ ମୁଖମଣ୍ଡଳର ଅନେକାଂଶ କଳା କନାରେ ଆବୃତ କରି ସମ୍ମୁଖରେ ଛିଡ଼ା ହୋଇଥିଲା ଜଣେ ଦୀର୍ଘକାୟ ବ୍ୟକ୍ତି୤ ହାତରେ ଥିବା ବଡ଼ ଧାରୁଆ ଛୁରୀଟା ସିଧା ରାୟବାହାଦୁରଙ୍କ ଛାତି ଆଡ଼କୁ ନିଦ୍ଦେର୍ଶ କରୁଥିଲା୤ ବର୍ଷା ରାତିର ଜଙ୍ଗଲସ୍ଥ ଅନ୍ଧକାରରେ ବ୍ୟକ୍ତିଟି ତା’ଙ୍କୁ ସାଖ୍ୟାତ ଯମଦୂତ ସଦୃଶ ପ୍ରତୀତ ହେଉଥିଲା୤ ତେଣେ ତିଲୁଆକୁ ନିଜ ଛୁରୀର ଧାରରେ ଭୟଭୀତ କରାଇ କବଳିତ କରି ରଖିଥିଲା ଅନ୍ୟ ଏକ କଳାକନା ଆବୃତ ମୁଖଧାରୀ ବ୍ୟକ୍ତି୤

ତୃତୀୟ ବ୍ୟକ୍ତିଟିଏ ବିନା ବାକ୍ୟ ବିନିମୟରେ ଶଗଡ଼ରେ ରଖାଯାଇଥିବା ଦ୍ରବ୍ୟଗୁଡ଼ିକୁ ତନ୍ନ ତନ୍ନ କରି ଖେଳେଇବାକୁ ଲାଗିଲ୤ ବାଛି ବାଛି ସମସ୍ତ ଗହଣାଗାଣ୍ଠି ଗୋଟାଏ ମୁଣାରେ ପୁରାଇଲା୤ ରାୟବାହାଦୁର ମୃତବତ୍ କେବଳ ଆଁ ମେଲା କରି ଦେଖୁଥାନ୍ତି୤ ଝିଅ ବିବାହର ସମସ୍ତ ମୂଲ୍ୟବାନ୍ ସାମଗ୍ରୀ ସ୍ବଚକ୍ଷୁରେ ଲୁଣ୍ଠିତ ହେବାର ଦେଖି ମଧ୍ୟ କିଛି କରିବାର ସାହସ ଠୁଳ କରିପାରୁ ନ ଥାନ୍ତି୤ ଜାଣି ସାରିଥାନ୍ତି ଯେ, ଏହିକ୍ଷଣି ତିଲୁଆ ମଧ୍ୟ କିଛି କରିପାରିବ ନାହିଁ୤ ସମସ୍ତ ଲୁଣ୍ଠିତ ଦ୍ରବ୍ୟ ମୁଣାରେ ଭରି ତିନି ବ୍ୟକ୍ତି ଆଖି ପିଛୁଳାକେ ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇଗଲେ୤

ରାୟବାହାଦୁର ଓ ତିଲୁଆ ଉଭୟ ଶଗଡ଼ରୁ ଅବତରଣ କରି ଆସି ହତଚକିତ ହୋଇ ଡକାୟତମାନେ ଚାଲିଯାଇଥିବା ରାସ୍ତାକୁ ଚାହିଁ ରହିଥାନ୍ତି୤ କିଛି କ୍ଷଣ ଏହିପରି ବିତିଯିବା ପରେ ତିଲୁଆ ରାୟବାହାଦୁରଙ୍କ ଧ୍ୟାନ ଆକର୍ଷଣ କଲା, ‘ସାଆନ୍ତେ ! ଆଉ କିଛି ଅନର୍ଥ ହେବା ଆଗରୁ ଚାଲନ୍ତୁ ଏଠାରୁ ଚାଲିଯିବା୤’

ରାୟବାହାଦୁର ଲଥ୍ କରି ଛିଡ଼ା ହୋଇଥିବା ସ୍ଥାନରେ ବସିପଡ଼ିଲେ, ମୁଣ୍ଡରେ ହାତ ଦେଇ କହିଲେ, ‘ଆଉ ଅଧିକ ଅନର୍ଥ ହେବାକୁ ରହିଲା କ’ଣ ରେ ତିଲୁଆ ? ସବୁ ସରିଗଲା ରେ୤’ ତିଲୁଆ ତା’ଙ୍କୁ ପାଣି ପିଆଇ ବୁଝାସୁଝା କରି ପ୍ରକୃତିସ୍ଥ କରାଇଲା, ଶଗଡ଼ରେ ବସାଇ ଗାଡ଼ି ଚଲାଇବାକୁ ଆରମ୍ଭ କଲା୤

କିଛି ରାସ୍ତା ଚୁପ୍‌ଚାପ୍ ଅତିକ୍ରମ ହେବା ପରେ ରାୟବାହାଦୁର କହିଲେ, ‘ତିଲୁଆ ! ଗାଁକୁ ଗଲା ପରେ ଘରକୁ ନ ଯାଇ ଆଗ ଦାରୋଗା ବାବୁଙ୍କ ପାଖକୁ ଯିବା|’ ତିଲୁଆ ‘ହଁ’ରେ ମୁଣ୍ଡ ଟୁଙ୍ଗାରିଲା୤ ରାୟବାହାଦୁର କହି ତ ଦେଲେ, ହେଲେ ପର କ୍ଷଣରେ ଭାବିଲେ, ଦାରୋଗା କ’ଣ ସତରେ ଡକାୟତଙ୍କ ସନ୍ଧାନ କରିପାରିବେ, ନା ତା’ଙ୍କୁ ତା’ଙ୍କ ଲୁଣ୍ଠିତ ଧନ ମିଳିପାରିବ ? ଅଯଥାରେ ଚାରିଆଡ଼େ କଥା ପ୍ରଘଟ ହେବ୤ ଦଶ ଖଣ୍ଡ ଜମିଦାରୀରେ ତା’ଙ୍କ ଭୀରୁତାର ଉପାଖ୍ୟାନ ପ୍ରଚାର ହେବ୤ ଧନ ତ ଗଲା ଗଲା, ଯାହା ଟିକିଏ ମାନସମ୍ମାନ ଅଛି ତା’ ବି ଯିବ୤

ଏପରି ଚିନ୍ତନ କରି ତିଲୁଆକୁ କହିଲେ, ‘ନା’ ଥାଉ, ଦାରୋଗା ବାବୁଙ୍କ ପାଖକୁ ଯିବା ଦରକାର ନାହିଁ୤ ଆଉ ଯାହା କିଛି ହେଲା ସେ କଥା ବି ତୋ ଛଡ଼ା କେହି ଯିମିତି ନ ଜାଣନ୍ତି୤ କ’ଣ ବୁଝୁଛୁ ତ ଯାହା କହୁଛି ?’

ତିଲୁଆ ସମ୍ମତି ଜଣାଇଲା୤ ଏପରି ମାମଲାଗୁଡ଼ିକ ସମ୍ବନ୍ଧରେ ଚିର ମୌନ ରହିବା ତା ଦାୟିତ୍ବ ବୋଲି ସେ ଜାଣଥିଲା୤ ରାୟବାହାଦୁର ମଧ୍ୟ ଏପରି କ୍ଷେତ୍ରରେ ତା’ଙ୍କ ଦାୟିତ୍ବ କ’ଣ ତାହା ଭଲ ଭାବେ ଜାଣିଥିଲେ୤ ସେ ତୁରନ୍ତ ତିଲୁଆକୁ କହିଲେ,‘ତୁ କହୁଥିଲୁ ପରା ତୋ ଝିଅ ବିଭାଘର ପାଇଁ କିଛି ଟଙ୍କା ଦରକାର୤ କାଲି ସକାଳେ ଆସି ନେଇଯିବୁ୤ ତୋ ଝିଅ କ’ଣ ମୋ ଝିଅ ନୁହଁ?’ ତିଲୁଆ କୃତଜ୍ଞତାପୂର୍ବକ ରାୟବାହାଦୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲା୤ ପରିଶେଷରେ ଯାତ୍ରା ଶେଷ ହେଲା ଏବଂ ରାୟବାହାଦୁର ହତାଶାରେ ଭାରାକ୍ରାନ୍ତ ହୃଦୟ ନେଇ ସ୍ବଗୃହରେ ପଦାର୍ପଣ କଲେ୤ ତିଲୁଆ ନିଜ ଘରକୁ ବାହୁଡ଼ି ଗଲା୤ ଝିଅ ପଖାଳ ଓ ସଜନା ଶାଗ ରାଇ ଆଣି ପରଷି ଦେଲା ବେଳକୁ ତିଲୁଆ ସ୍ନେହରେ ତା’ ମୁଣ୍ଡରେ ହାତ ବୁଲାଇ ଆଣି କହିଲା, ‘ତୋ ବିଭାଘର ହବ ଲୋ ଝିଅ୤’

ରାୟବାହାଦୁରଙ୍କୁ ଆଜି ନିଦ ନ ହେବା ସ୍ବାଭାବିକ ଥିଲା୤ କିନ୍ତୁ କୌଣସି କାରଣବଶତଃ ତିଲୁଆ ଆଖିକୁ ବି ଆଜି ନିଦ ନ ଥିଲା୤ ରାତି ଅଧ ବେଳକୁ ଯେବେ ଅନ୍ଧକାରର କୋଳରେ ସମଗ୍ର ଗ୍ରାମ ସୁଖନିଦ୍ରାରେ ଥିଲା, ତିଲୁଆର କବାଟରେ କାହାର ମୃଦୁ କରାଘାତ ହେଲା୤ ତିଲୁଆ ଦେଖିଲା ଝିଅ ଗାଢ଼ ନିଦରେ ଅଛି୤ ସେ ତତ୍‍କ୍ଷଣାତ୍ ପଦାକୁ ବାହାରି ଆସିଲା୤ ବାହାରେ କମ୍ବଳ ଘୋଡ଼ି ହୋଇ ଛିଡ଼ା ହୋଇଥିବା ତିନି ବ୍ୟକ୍ତିଙ୍କ ସହିତ ନିକଟସ୍ଥ ଆମ୍ବ ତୋଟାକୁ ଦ୍ରୁତ ପଦକ୍ଷେପରେ ପ୍ରସ୍ଥାନ କଲା୤ ତୋଟାରେ ପ୍ରବେଶ କଲା ପରେ ସମୟ ନଷ୍ଟ ନ କରି ତିନି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଗୋଟାଏ ମୁଣା ଖୋଲି ତହିଁରୁ ରାୟବାହାଦୁରଙ୍କଠାରୁ ଲୁଣ୍ଠିତ ଯାବତୀୟ ଗହଣାଗାଣ୍ଠି ବାହାର କଲା୤ ବିନା ଦ୍ବନ୍ଦ୍ବରେ ତିଲୁଆ ସମେତ ଚାରି ଜଣଙ୍କ ମଧ୍ୟରେ ଯଥାଶୀଘ୍ର ଭାଗବଣ୍ଟା ସମ୍ପନ୍ନ ହୋଇଗଲା୤

ଚାରି ଜଣଯାକ ସ୍ବ ସ୍ବ ଗୃହକୁ ବାହୁଡ଼ିବାର ଉପକ୍ରମ କଲାବେଳକୁ ତିଲୁଆ କହିଲା, ‘ଜାଣିଛ ! ସାଆନ୍ତେ ମୋ ପାଟି ବନ୍ଦ କରିବାକୁ ମୋତେ ଝିଅ ବିଭାଘର ସକାଶେ କାଲି ଟଙ୍କା ଦେବେ ବୋଲି କହିଛନ୍ତି୤ ଯଦି ତିନି ଦିନ ତଳେ ସେତକ ଦେଇ ଦେଇଥାନ୍ତେ ମୋତେ ତମମାନଙ୍କ ସହ ମିଶି ଏ ପାପ କରିବାକୁ ପଡ଼ି ନ ଥାଆନ୍ତା୤’

ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.