ସମ୍ଭାବନା

images 1 1
Reading Time: 5 minutes

ଦିନ ପ୍ରାୟ ଦୁଇଟା । ବୈଶାଖ ମାସରେ ସୂର୍ଯ୍ୟଦେବ ଯେମିତି ଅଗ୍ନି ବର୍ଷା କରୁଥାନ୍ତି । ମୁଣ୍ଡ ଝାଇଁ ମାରିଦେଉଥାଏ । ବଜାର ଜନଶୂନ୍ୟ ହୋଇପଡ଼ିଥାଏ । ଅଧା ସଟର ଟାଣି ଦୋକାନୀ ମାନେ ପଙ୍ଖା ତଳେ ଟିକିଏ ବିଶ୍ରାମ ନେଉଥାନ୍ତି । ଚକ୍ରଧର କିନ୍ତୁ ଏଇ ମୁଣ୍ଡ ଫଟା ଖରାରେ ପଚାଶ ମାଇଲି ଦୂର ବଡ଼ ମାର୍କେଟକୁ ଯିବା ପାଇଁ ସ୍କୁଟର ନେଇ ବାହାରି ଆସିଛି ପୁରୁଣା କିଛି ଗାଡି ପାର୍ଟସ୍ ଖରାପ ଥିଲା ତାକୁ ଫେରେଇ ଆଉ କିଛି ନୂଆ ପାର୍ଟସ୍ ଲିଷ୍ଟ ଦେବାକୁ । ଗ୍ୟାରେଜର ମାଲିକ ହେବା ଦିନ ଠାରୁ ତାକୁ ନିଶ୍ୱାସ ନେବା ପାଇଁ ସମୟ ନାହିଁ । ବଜାର ଛୋଟ ହେଲେବି ତାର ଗ୍ୟାରେଜ ବହୁତ ଭଲ ଚାଲେ । ଲୋକ ଗହଳି ସବୁବେଳେ ଥାଏ । କାରଣ ତାର ମାର୍ଜିତ ବ୍ୟବହାର ଏବଂ କାର୍ଯ୍ୟ ପ୍ରତି ନିଷ୍ଠା ଏହାର ବଡ଼ କାରଣ । ଭାରି ପରିଶ୍ରମୀ ମଧ୍ୟ । ବୟସର ଅପରାହ୍ନରେ ପାଦ ଦେଇବି ସେ କେବେ ପଛଘୁଞ୍ଚା ଦେଇନି ତା କର୍ତ୍ତବ୍ୟ ପଥରୁ । ପରିଶ୍ରମୀ ହେବନି ବା କେମିତି । ବୋଝ ଉପରେ ନଳିତା ବିଡ଼ା ଭଳି ଭଗବାନ ତାକୁ ଅନାଥ ଉପାଧି ସାଙ୍ଗକୁ ଦରିଦ୍ରର ସାଙ୍ଗିଆଟେ ଯେ ଦେଇଥଲେ । ତାହାକୁ ନେଇ ସେ କେବେ ପରଘରେ ବାସନ ମାଜିଛି, ବଜାର ହାଟ କରିଛି, ପାଲଟା ଲୁଗା ଧୋଇଛି, ରୋଷେଇ କରିଛି, ଗାଡି ପୋଛିଚି ତ କେବେ ଗାଡି ଚଳେଇଛି । ହେଲେ କେବେ କାହା ପାଖେ ହାତ ପାତିନି।

ଦେହ ମୁଣ୍ଡରୁ ଗମଗମ ଝାଳ ବୋହିଯାଉଥାଏ। ଇଚ୍ଛା ହେଉଥାଏ ଟିକେ ଗଛ ମୂଳେ ବିଶ୍ରାମ ନେବାକୁ। ଏହି ସମୟରେ ସେ ଦେଖିଲା ଅନତି ଦୂରରେ ଏକ ବିଶାଳ ବଟବୃକ୍ଷ ମୂଳରେ କିଛି ଲୋକ ଏକାଠି ରୁଣ୍ଡ ହୋଇଛନ୍ତି । କିଛି ଗୋଟେ ଦୁର୍ଘଟଣାର ଆଶଙ୍କା କରି ସେ ନିକଟକୁ ଯାଇ ଦେଖେତ ସତକୁ ସତ ଏକ ମର୍ମନ୍ତୁଦ ଦୁର୍ଘଟଣା। ରୋଡ ଡିଭାଇଡରରେ ପିଟିହୋଇ ଏକ ବାଇକ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିରହିଛି। ରକ୍ତ ଜୁଡୁବୁଡୁ ହୋଇ ପଡ଼ିରହିଛି ଜଣେ କୋଡ଼ିଏ ବାଇଶି ବର୍ଷ ବୟସର ଯୁବକଟିଏ । ଉପସ୍ଥିତ ଲୋକମାନେ ମୁର୍ମୁଷୁ ଲୋକଟିର ସେବା କରିବା ପରିବର୍ତ୍ତେ ଭିନ୍ନ ଭିନ୍ନ ପୋଜ୍ ରେ ସେଲ୍ଫି ନେବାରେ ବ୍ୟସ୍ତ । ଡାକ୍ତରଖାନା ନେବା ପରିବର୍ତ୍ତେ ବିଭିନ୍ନ ଅବାନ୍ତର କଥାର ଗୁଞ୍ଜରଣ ସୃଷ୍ଟି କରିଥାନ୍ତି:-

“ଏ ଲୋକଟିକୁ କୋଉଠି ଦେଖିଲା ଭଳି ଲାଗୁଛି”, “ଗାଡି ଖୁବ ସ୍ପିଡ଼ରେ ଥିଲା”, “ଆଜି କାଲିର ଟୋକା କଣ ମଣିଷ ମାନୁଛନ୍ତି”, ” ପଛ ଚକ ପୁରା ବଙ୍କା ହୋଇଯାଇଛି”, ” ନୂଆ ଗାଡି ଇନ୍ସୁରାନ୍ସ ଥିବ ସବୁ ଟଙ୍କା ମିଳିଯିବ”,” ଲୋକର ଚେତା ଫେରିଲେ ପଚାରି ବୁଝନ୍ତେ ନାଆଁ କ’ଣ ଗାଁ କଣ” ଇତ୍ୟାଦି।

ଚକ୍ରଧର କିନ୍ତୁ ଏସବୁର ଉର୍ଦ୍ଧ୍ୱରେ। ହାତୁଡି ଆଉ ଗ୍ୟାରେଜ ସହ ପରିଚିତ ଦେହ ହାତ ସିନା ତାର ପଥର ପାଲଟିଯାଇଛି କିନ୍ତୁ ହୃଦୟଟା ଲବଣିଠାରୁ ଆହୁରି କୋମଳ। ଠେଲିପେଲି ଭିଡକୁ ଡେଇଁ ପହଞ୍ଚିଗଲା ସେ ଆହତ ଲୋକଟି ପାଖରେ। ଯେତେବେଳେ ନାଡ଼ିକୁ ଚିପିଧରି ଜାଣିଲା ଲୋକଟି ବଞ୍ଚିଛି ଖୁବ ଜୋରରେ ଚିତ୍କାର କରିବାକୁ ଲାଗିଲା -” ଆରେ କେହିତ ଆମ୍ବୁଲାନ୍ସକୁ ଫୋନ ଲଗାଅ”। ଭିଡ ମଧ୍ୟରୁ ଉତ୍ତର ଆସିଲା ଆମ୍ବୁଲାନ୍ସ ରୋଗୀ ନେଇ ବହୁତ ଦୂର ଚାଲିଯାଇଥିବାରୁ ଆସିବା ବିଳମ୍ବ ହେବ।

ଚକ୍ରଧରର ମୁଖରେ ନିରାଶର ଚିହ୍ନ ସ୍ପଷ୍ଟ ବାରିହୋଇପଡୁଥାଏ। ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ। ନିଜକୁ ଦୃଢକରି ଆଗ ପକେଟରୁ ମୋବାଇଲ ବାହାରକଲା। ସେଥିରେ ଏକ ନମ୍ବର ଡାଏଲକରି ସେଠାରେ ଘଟିଥିବା ସମସ୍ତ ବୃତ୍ତାନ୍ତ ଏକ ନିଶ୍ୱାସରେ ବଖାଣିଗଲା। ଉପସ୍ଥିତ ଲୋକମାନେ ତାକୁ ଜଣେ ପାଗଳ ଭାବି ମନରେ ଶଙ୍କା କଲେ। କେହି ଜଣେ ଖତେଇହୋଇ କହିଲା -” ଇଏ ସତରେ ପାଗଳ ଆଉ ! ସେଥିପାଇଁ ଜାଣିନି ଏଇଟା ପୋଲିସ କେସବୋଲି “।

ଚକ୍ରଧର କିଛି ନଶୁଣିଲା ପରି କାନରେ ଗୋଟିଏ ହାତରେ ମୋବାଇଲ ଦେଇ ଅନ୍ୟ ହାତରେ ଆହତ ଲୋକଟିର ଦେହରୁ ବୋହିଯାଇଥିବା ରକ୍ତକୁ ନିଜ ଗାମୁଛାରେ ପୋଛିବାରେ ଲାଗିଥାଏ। ଫୋନରେ ଥିବା ବ୍ୟକ୍ତିଟିର ନିର୍ଦ୍ଦେଶରେ ଯେମିତି ସେ ଏକ ମାନବ ଯନ୍ତ୍ର ଭଳି ସବୁକିଛି କରିଚାଲିଥାଏ।

ଲୋକଟିକୁ ସିଧା ଲମ୍ବ ଭାବରେ ଉପରକୁ ମୁହଁ କରି ଶୁଆଇଦେଇ ମୁଣ୍ଡ ଠାରୁ ଗୋଡ ଟିକେ ଉଚ୍ଚାରେ ରଖିଦେଇ କହିଲା –

” ହଁ ଶୁଆଇଦେଲି “।

ଏହାପରେ ବେକ ତଳେ ସେହି ରକ୍ତ ଭିଜା ଗାମୁଛାକୁ ଠେକରା କରି ଦେଇଦେଲା ଯେମିତି ବେକ ସାମାନ୍ୟ ଟିକେ ବଙ୍କାହୋଇ ତଳକୁ ଝୁଲି ରହିବ ଯାହାଦ୍ୱାରା ନିଶ୍ୱାସ ନେବାରେ କିଛି ଅସୁବିଧା ହେବନାହିଁ। ଦେହରେ ହାତ ମାରୁମାରୁ ଦେଖିଲା ମୁଣ୍ଡ ପଛଆଡେ ରକ୍ତ ଜମାଟ ବାନ୍ଧି ଗୋଟେ ଆବୁ ହୋଇଯାଇଛି।

-” କଣ ? ଫଟେଇ ରକ୍ତ ବାହାରକରିବାକୁ ପଡିବ ?”

ସଙ୍ଗେସଙ୍ଗେ ପକେଟରୁ ଛୋଟ ଛୁରୀକା ବାହାରକରି ସେହି ଆବୁଟିକି ଫଟେଇ ରକ୍ତ ବାହାର କରିଦେଲା।

-” ହଁ ହୋଇଗଲା ”

ଓଃ ! ପୁଣି ରକ୍ତର ଢେଉ। ଆହତ ଲୋକଟି ହାତଟା ଟିକେ ହଲେଇବାକୁ ଲାଗିଲା। ଚେତା ଫେରିଆସିବା ପରେ ଅତି କ୍ଷୀଣ ସ୍ୱରରେ ପାଣି ଖୋଜିଲା ଯେତେବେଳେ ଏସବୁ ଦୃଶ୍ୟ ଦେଖି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିବା ଲୋକମାନେ ଆସ୍ୱସ୍ଥିବୋଧ କଲେ। ଆଖିଆଗରେ ଘଟିଯାଉଥିବା ଏ ସମସ୍ତ ଘଟଣାବଳୀ ତାଙ୍କପାଇଁ କୌଣସି ରହସ୍ୟ ଠାରୁ ବି କମ ନଥିଲା। ମଇଳା ପ୍ୟାଣ୍ଟସାର୍ଟ ପିନ୍ଧିଥିବା ଲୋକଟି ତ ଜଣେ ଗାଉଁଲି ମୂର୍ଖ ଭଳି ଦେଖା ଯାଉଥିଲା ହେଲେ ଅଧିକ ରହସ୍ୟମୟ ଥିଲା ତାଙ୍କପାଇଁ ଫୋନରେ ନିର୍ଦ୍ଦେଶ ଦେଉଥିବା ଲୋକଟି। ସିଏ ଯିଏବି ହୁଅନ୍ତୁ ଜଣେ ମୁର୍ମୁଷୁକୁ ନିହାତି ମୃତ୍ୟୁମୁଖରୁ ଉଦ୍ଧାର କରିପାରିଥିବାରୁ ଅନ୍ତରରୁ ସମସ୍ତେ ଧନ୍ୟଧନ୍ୟ କହୁଥାନ୍ତି।

ଆମ୍ବୁଲାନ୍ସର ସାଇରନ।

ବଡ ଡାକ୍ତରଖାନାର ଓଟି ଆଗରେ ପଦଚାରଣ କରିକରି ଥକିଯାଇଥାଏ ଚକ୍ରଧର। ନିହାତି ଜଣେ ଅନ୍ତରଙ୍ଗ ଲୋକ ଭଳି ବ୍ୟସ୍ତ ଆଉ ବିବ୍ରତ ଚିତ୍ତରେ ଅପେକ୍ଷା କରିଥାଏ ସବୁଜ ବତୀର ସଙ୍କେତକୁ। ପାଖରେ ପଡିଥିବା ଚୌକିରେ ବସିପଡୁପଡୁ ଆଖି ଟିକେ ମୁଦିଆସିଛି । ଡାହାଣ କାନ୍ଧରେ ଅନୁଭବ କଲା ଏକ ହାତର ସ୍ପର୍ଶ ଆଉ କାନରେ ବାଜିଲା ଅତି ପରିଚିତ ବହୁ ପୁରୁଣା ଡାକ ” ଆରେ ଚକୁରୁ” । ଚମକିପଡି ଯାହା ଦେଖିଲା ତାହା ଥିଲା ପଚିଶ ବର୍ଷ ତଳର ଇତିହାସର ଏକ ଚର୍ଚ୍ଚିତ ଚେହେରା ଓ ଜଣେ ପରିଚିତ ଭଗବାନ,ମର୍କତ କେଶରୀ ବଳବନ୍ତରାୟ।

ଚର୍ଚ୍ଚିତ ଚେହେରା ଏଇଥିପାଇଁ ଯେ ମର୍କତ ବାବୁ ଥିଲେ ତାଙ୍କ ସମୟରେ ଜଣେ ଯୁବ କଲେକ୍ଟର। ସଚ୍ଚୋଟ ଆଉ ଡାଇନାମିକ ଅଫିସର ଭାବେ ପ୍ରତ୍ୟେକ ଦପ୍ତରରେ ସେ ସୁପରିଚିତ ଥିଲେ। ଗାଁ ଠାରୁ ସହର ଯାଏ ସମସ୍ତେ ତାଙ୍କ ପ୍ରଶଂସା କରୁଥିଲେ। ଗରିବ ଠାରୁ ଧନୀ ଯାଏଁ ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ତାଙ୍କ ଉପରେ ଥିଲା। ଅନ୍ୟ ପକ୍ଷରେ ପରିଚିତ ଭଗବାନ ଏଥିପାଇଁ ଚକ୍ରଧର ଯେତେବେଳେ ପେଟ ଚାଖଣ୍ଡକ ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିଲା ମର୍କତ ବାବୁହିଁ କେବଳ ତାର ତ୍ରାଣକର୍ତ୍ତା ହୋଇ ତାକୁ ଦାନା ଦେଇଥିଲେ। ନିଜ ଗାଡ଼ି ଚଳେଇବା ପାଇଁ ଘରେ ସାନଭାଇର ସ୍ନେହ ଦେଇ ରଖିଥିଲେ। ଅତି ସ୍ନେହରେ ତାକୁ ‘ଚକୁରୁ’ ବୋଲି ଡାକୁଥିଲେ। ଚକ୍ରଧର ପରିଶ୍ରମୀ ଥିଲା ଏହା ସହିତ ବୋଲକରା ବି । ଯେତେବେଳେ ଯାହା କରିବାକୁ କହିଲେ ହୋଇପାରିବନି କହିବା ଜାଣିନଥିଲା। ତା ପାଇଁ ଥିଲା ସବୁ ସମ୍ଭବ। ସେଥିପାଇଁ ବାବୁ ତାକୁ ବହୁତ ଭଲପାଉଥିଲେ। ବାବୁ ବଜାର ଗଲେବି ତାକୁ ଖୋଜାପଡେ ତ ଅଫିସ୍ ଗଲେବି ଖୋଜାପଡେ। ବାବୁ ଯେତେବେଳେ ମଞ୍ଚରେ ଥାଇ ଭାଷଣ ଦେଉଥାନ୍ତି ସେ ସବୁ କାନଡେରି ଶୁଣେ ଆଉ ତାକୁ କାମରେ ଲଗାଏ। ଏଇ ଯେମିତି ଅନ୍ୟକୁ ସାହାଯ୍ୟ କରିବା,ସମସ୍ତଙ୍କୁ ଭଲପାଇବା, ବୃଦ୍ଧ-ବୃଦ୍ଧାମାନଙ୍କୁ ବୟସ ହେଲେ ସେବା କରିବା, ନାରୀ ମାନଙ୍କୁ ସମ୍ମାନ ଦେବା ଓ ଯତ୍ନ ନେବା ଇତ୍ୟାଦି। ପିଲା ହେବାକୁ ଥିବାରୁ ପ୍ରତ୍ୟେକ ମାସ ମାଆ ସାଆନ୍ତାଣୀଙ୍କୁ ମଧ୍ୟ ସେ ନେଇ ଡାକ୍ତରଖାନା ଯାଏ ଚେକ-ଅପ ପାଇଁ।

ଏମିତି ଦିନେ ସନ୍ଧ୍ୟା ସମୟରେ ମାଆଙ୍କର କଷ୍ଟ ଆରମ୍ଭ ହୋଇଗଲା। ସେଦିନ ଥିଲା ଡିସେମ୍ବର ମାସ ଏଗାର ତାରିଖ । ଡାକ୍ତର ଦେଇଥିବା ଡେଟ୍ ପାଖେଇ ଆସିଥିବାରୁ ଚକ୍ରଧରକୁ ବାବୁଙ୍କ ସହିତ ଡାକ୍ତରଖାନା ଯିବାକୁ ପଡିଲା। ଡାକ୍ତରାଣୀ ମ୍ୟାଡ଼ାମ କହିଲେ ଠିକ ଟାଇମରେ ଆପଣ ନେଇଆସିଛନ୍ତି। କଷ୍ଟ ଧିରେ ଧିରେ ଅଧିକ ହେଉଥାଏ। ବାବୁ ଚକ୍ରଧରକୁ ସିଗାରେଟ ଆଣିବାକୁ ପଠେଇ ସେଇଠି ଅପେକ୍ଷା କଲେ। ଆଉ ଯେତେବେଳେ ଚକ୍ରଧର କିଛି ସମୟ ବ୍ୟବଧାନ ପରେ ଫେରିଲା ବାବୁ ଲୁଗାରେ ଗୁଡ଼େଇହୋଇଥିବା ଏକ ଶିଶୁକୁ ଧରିଥାନ୍ତି। ସେ ମନେମନେ ଅନୁମାନ କରିନେଲା ଯେ ସବୁକିଛି ଭଲରେ ହୋଇଯାଇଛି । ଅତି ପ୍ରଫୁଲ୍ଲିତ ମନରେ କିଛି ପଚାରିବାକୁ ଉଦ୍ୟତ ହେଉଥିଲା କିନ୍ତୁ ବାବୁ ତାକୁ ଜୋର କରି ଟାଣି ଟାଣି ନେଇଆସିଲେ ପାଖରେ ଥିବା ବ୍ୟବହାର ହେଉନଥିବା ଏକ ପରିତ୍ୟକ୍ତ ଲେବର ରୁମ୍ କୁ ।

– ବାବୁ, ଏ ଅନ୍ଧାରରେ କଣ କରିବା। ମୁ ପରା ଛୁଆକୁ ଟିକେ ଧରିଥାନ୍ତି। ଆଲୁଅରେ ଦେଖିଥାନ୍ତି କାହାଭଳି ହୋଇଛି।

– ଚକୁରୁ, ଗୋଟେ କାମ କରିବୁ। ତୋ ଉପରେ ମୋର ପୁରା ବିଶ୍ୱାସ ଅଛି ତୁ ପାରିବୁ।

– କୁହନ୍ତୁ ବାବୁ।

– ତୋ ମାଆ ଉଠିବା ଆଗରୁ ତୁ ୟାକୁ ନେଇଯାଆ । ସେ ଉଠିଲେ ମୁଁ କହିବି ଚକୁରୁ ଆମ ଛୁଆକୁ ଚୋରିକରି ନେଇ ପଳେଇଛି। ବଜାର ଶେଷରେ ଥିବା ମୁନିସିପାଲିଟି ଅଳିଆ ଫିଲ୍ଡରେ ଫିଙ୍ଗିଦେଇ ଆସିବୁ। ଏଇଟା ଝିଅଟା । ଝିଅଟାକୁ ନେଇ ମୁଁ କଣ କରିବି ?

ଚକ୍ରଧର ମୁଣ୍ଡରେ ବଜ୍ର ପଡିଲା ଭଳି ଲାଗିଲା। ଦୁନିଆଁ ଅନ୍ଧକାର ଦେଖାଗଲା ତାକୁ। ଇଏ କଣ ସତରେ ମୋ ବାବୁ ନା ବାବୁଙ୍କ ବେଶରେ କେହି ଜଣେ ଛଦ୍ମବେଶୀ। ମୋ ବାବୁ ତ ସଭାରେ ଝିଅଙ୍କୁ ଘରର ଲକ୍ଷ୍ମୀ ବୋଲି କୁହନ୍ତି, ନାରୀକୁ ସମ୍ମାନର କଥା କୁହନ୍ତି, ମାଆଙ୍କୁ ସେବା କଥା କୁହନ୍ତି । କିନ୍ତୁ ଏ କଣ ମୁଁ ଶୁଣୁଛି ?

– କିନ୍ତୁ ବାବୁ,ଆପଣଙ୍କ ଭଳି ଲୋକ ଯଦି ଏମିତି ଭାବିପାରୁଛନ୍ତି ତେବେ ସାଧାରଣ ଲୋକ କାହିଁକି ନଭାବିବେ। ଆପଣ ନିଜେ କୁହନ୍ତି ଝିଅ ଆଉ ପୁଅ ଭିତରେ କିଛି ଫରକ ନାହିଁ ବୋଲି।

– ଚକୁରୁ ତୁ ବୁଝୁନୁ। ଏସବୁ କେବଳ ସଭା ସମିତିରେ ଭାଷଣ ଦେବା ପାଇଁ ଭଲ ଲାଗେ। କିନ୍ତୁ ବାସ୍ତବତା ପୁରା ଅଲଗା। ଗୋଟେ ପୁଅ କୁଳବଂଶର ନାମ ରଖିବ। ବୁଢା ବୟସରେ ଆମ ସେବା କରିବ। ମୋ ଅଧୁରା ସ୍ବପ୍ନକୁ ପୂରଣ କରିବ।

– ଆଉ ଝିଅ ?

– ଝିଅ ଗୁଡାକ କିଛି କାମକୁ ନୁହନ୍ତି। କେବଳ ଘର କୋଣରେ ବସି କାନ୍ଦିବା ଜାଣନ୍ତି। ଘରେ ଥିଲାବେଳେ ବାପା ପାଇଁ ବୋଝ ହୁଅନ୍ତି। ଶାଶୂଘରେ ଯାଇ ପୋଇଲି ଭଳି କାମ କରନ୍ତି। ସ୍ୱାମୀ ଗୋଡ ମୋଡ଼ିଦିଅନ୍ତି ଆଉ ଛୁଆପିଲାଙ୍କର ମଳ ସଫା କରନ୍ତି। ମୁଁ କେବେବି ଏ ଝିଅକୁ ଗ୍ରହଣ କରିପାରିବିନି।

– ତା ବୋଲି ଗୋଟେ ନିରୀହ ଶିଶୁକୁ….

– ଆଉ କିଛି କହନି ଚକୁରୁ। ମୋର ପୁଅ ହେବ ବୋଲି ମୁଁ କେତେ କଣ ଭାବିସାରିଛି।ସେ ବିଦେଶରେ ପଢ଼ିବ। ତା ନାଆଁ ବି ଦେଇସାରିଛି । ଅଂଶୁମାନ । ଦ ଗ୍ରେଟ ନିଉକ୍ଳିଅର ସାଇଣ୍ଟିଷ୍ଟ ଅଂଶୁମାନ ବଳବନ୍ତରାୟ। ତୁ ଯେତେ ଶୀଘ୍ର ପାରୁଛୁ ମୋ ଆଖି ସାମ୍ନାରୁ ନେଇକି ଚାଲିଯାଆ।

ବାବୁଙ୍କ ନିର୍ଦ୍ଦେଶରେ ସେ କଅଁଳା ଶିଶୁକନ୍ୟାକୁ ନେଇ ଚକ୍ରଧର ଚାଲିଗଲା ମୁନିସିପାଲିଟି ଅଳିଆ ଫିଙ୍ଗା ପଡିଆକୁ। କିଟିମିଟି ଅନ୍ଧାର ରାତି ଭାରି ଶୂନଶାନ ଲାଗୁଥିଲା। ଝାପ୍ସା ଆଲୁଅରେ ଦିଶୁଥିଲେ ରହି ରହି ଭୁକୁଥିବା କେତୋଟି ଶିକାରୀ କୁକୁର। ସବୁ ବିହ୍ୱଳତାକୁ ହୃଦୟରେ ଚାପିରଖି ନୂଆ ଦୁନିଆର ଏକ ଅଧୁରା ସମ୍ଭାବନାକୁ ସେଇଠି ଅଳିଆ ଗଦାରେ ଛାଡ଼ି ସେ ପଛକୁ ଫେରିବାକୁ ଚେଷ୍ଟା କଲା ।

ଡାକ୍ତରଖାନାର ପ୍ରସସ୍ଥ ବାରଣ୍ଡାରେ ଆଲୁମିନିୟମର ଚୌକି ଉପରେ ବସିରହି ଲୋତକପୂର୍ଣ୍ଣ ନୟନରେ ମର୍କତ ବାବୁ ଚାହିଁରହିଥାନ୍ତି କାନ୍ଥଘଣ୍ଟାର ଘଣ୍ଟାକଣ୍ଟାଟିକୁ। ଏହା ଭିତରେ ପଚିଶ ବର୍ଷ ବିତିଗଲାଣି। ଅଜାଣତରେ ଚକ୍ରଧରର ହାତ ଉପରକୁ ବାବୁଙ୍କ ହାତ ଚାଲିଆସିଥାଏ।

– ବାବୁ, ଆପଣଙ୍କ ପୁଅ ?

– ହଁ, ଅଂଶୁମାନ ବଳବନ୍ତରାୟ।

– ବୈଜ୍ଞାନିକ ?

– ନା

– ତେବେ ?

– ଗୋଟେ ଅବାଧ୍ୟ ପୁଅ। ମଦ ଯାହା ପାଇଁ ବାପାମାଆ। କ୍ଳବ ଯାହାପାଇଁ ଘର। ମୋ ଶୃଙ୍ଖଳା ଯାହା ପାଇଁ ପରାଧିନତା। ଯାହାକୁ ତୁ ଆଜି ମରଣ ମୁହଁରୁ ବଞ୍ଚେଇକି ଆଣିଛୁ। ମୁଁ ହେଉଛି ତାର ସେହି ହତଭାଗା ବାପା। ମୁଁ ହାରିଯାଇଛି ଚକୁରୁ। ଏ ସବୁ ମୋ କୃତକର୍ମର ଫଳ। ପଚିଶ ବର୍ଷ ପରେ ଆଜି ପୁଣି ଥରେ ମୋତେ ଋଣୀ କରିଦେଲୁ। କଣ କହି ତୋତେ ଧନ୍ୟବାଦ ଦେବି ଜାଣିପାରୁନି।

– ମୁଁ ଧନ୍ୟବାଦର ଯୋଗ୍ୟ ନୁହେଁ ବାବୁ। ଏସବୁ ମୋ ଝିଅର କାମ। ମୁଁ କେବଳ ଫୋନରେ ତା ନିର୍ଦ୍ଦେଶକୁ ଅନୁସରଣ କରିଛି ମାତ୍ର।

– ତୋ ଝିଅ କଣ ଡାକ୍ତର ?

– ହଁ, ନିଉକ୍ଲିୟର ବୈଜ୍ଞାନିକ କରିବାର ଇଚ୍ଛା ଥିଲା ମୋର କିନ୍ତୁ ତାର ଇଚ୍ଛାରେ ସେ ଡାକ୍ତର ହେଲା। ଭାରତର ଶ୍ରେଷ୍ଠ ପାଞ୍ଚଜଣ ଡାକ୍ତରଙ୍କ ଭିତରେ ମୋ ଝିଅର ନାଆଁ ।

– ତା ନାଆଁ କଣ ?

– ସମ୍ଭାବନା।

– ହେଲେ ଚକୁରୁ ତୁ ତ ବିବାହ କରିନୁ ? ତେବେ ତୋ ଝିଅ…ବୁଝିପାରିଲିନି।

– ସେ ଏକ ଲମ୍ବା କାହାଣୀ ବାବୁ। ଆଜକୁ ପ୍ରାୟ ପଚିଶ ବର୍ଷ ତଳେ ଡିସେମ୍ବର ଦଶ ତାରିଖ ରାତି ଦୁଇଟାବେଳେ ମୁନିସିପାଲିଟି ଆବର୍ଜନା ପଡିଆରେ କଳା ପଲିଥିନ ଭିତରେ ଏକ କୁଆଁକୁଆଁ କାନ୍ଦୁଥିବା ନବଜାତ ଶିଶୁ କନ୍ୟାଟିଏ। ଜନ୍ମ ସିନା କରିନି ହେଲେ ସେହି ଶୂନଶାନ ରାତିରେ ତିନି ଚାରିଟା ଶିକାରୀ କୁକୁରଙ୍କ ସହ ତିରିଶ ମିନିଟ ଧରି ସଂଘର୍ଷ କରି ତାକୁ ଆଣିଛି।

କାରଣ ଏ ଦୁନିଆକୁ ଆଉ ଦୁନିଆର କୁତ୍ସିତ ଚିନ୍ତାଧାରାକୁ ବଦଳେଇବାର ଏତେ ସବୁ ନିରାଶାର ଅଳିଆଗଦା ଭିତରେ ଗୋଟିଏ ମାତ୍ର କ୍ଷୀଣ ସମ୍ଭାବନା ମୁଁ ତା ପାଖରେ ଦେଖିପାରିଥିଲି । ଯାହା ଆଜି ସତ ମଧ୍ୟ ହୋଇଛି ।

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.