ପକ୍ଷ ଅପସରା

schoolgirl
Reading Time: 7 minutes

ଭୋଳାନାଥଙ୍କ ଝିଅ ରୂପାଲି ପଂଚମ ଶ୍ରେଣୀରେ ପାଠ ପଢୁଥାଏ । ଅତି ସୁଧାର ଝିଅଟିଏ ସେ । ଏତେ ଅଭାବ ଅସୁବିଧା ଭିତରେ ସେ କେବେ ହେଲେ ବି ଟିକେ ମନଦୁଃଖ କରେ ନାହିଁ । ରୂପାଲିର ବଡ ଭାଇ ରଙ୍ଗଧର ସାଧାରଣ କବିରାଜ ଜଣେ । ସେଇ ଗାଆଁ ରାସ୍ତା ଉପରେ ଦୋକାନଟିଏ କରି ବସିଥାଆନ୍ତି । ଚେରମୂଳି କୁଟି ମୋଦକ ତିଆରି କରନ୍ତି ସେ । ଭୋଳାନନାଙ୍କର ତ ଜମି ବେଶି ନଥାଏ । ଠାକୁର ପୂଜା କରି ସେ ଯାହା ବି ରୋଜଗାର କରନ୍ତି, ତାହା ଚଳିବାକୁ ତାଙ୍କୁ ମୋଟେ ଅଂଟେ ନାହିଁ । ପୁଅ ଯାହା ରୋଜଗାର କରେ, ସେଥିରେ ସେମାନେ ଯେନ ତେନ ପ୍ରକାରେ ଚଳନ୍ତି ।

ତେଣୁ ରୂପାଲି କେବେହେଲେ ବି ଭଲ ପିନ୍ଧିବାକୁ କିମ୍ବା ଭଲ ଖାଇବାକୁ ଅଳି କରେ ନାହିଁ । ଖାସ୍ ସେଇଥିପାଇଁ ସେ ଗାଆଁରେ ସମସ୍ତେ ତାକୁ ଭଲ ଝିଅଟିଏ ବୋଲି କହନ୍ତି । ସେ ଝିଅଟି ଭଲ ପାଠ ପଢେ । ଗୀତ ବୋଲିବା, ନାଚିବା, ଅଭିନୟ କରିବା ଏବଂ ଚିତ୍ର କରିବା ଇତ୍ୟାଦି କଳା ପ୍ରତିଭା ବି ସେ ଝିଅଟାର ଥିଲା । ଏହି କାରଣରୁ ସ୍କୁଲରେ ସିଏ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇ ସବୁଥିରେ କୃତକାର୍ଯ୍ୟ ହୋଇଥାଏ ।

ପଂଚମରେ ବସି ପରୀକ୍ଷା ପାଇଁ ସେ ଜୋର୍ସୋର୍ରେ ପାଠ ପଢିବାରେ ଲାଗିଥାଏ । ତେଣୁ ରୂପାଲିର ସାଙ୍ଗମାନେ ତା’ ପ୍ରତି ଭାରି ହିଂସା କରନ୍ତି । ସେମାନେ ସବୁବେଳେ ରାଗରଖି ରୂପାଲିକୁ ବହୁତ ଝିଙ୍ଗାସି କରି କଥାବାର୍ତ୍ତା କରନ୍ତି । ସେହି ପଂଚମ ଶ୍ରେଣୀରେ ପାଂଚଜଣ ଝିଅ ରୂପାଲି ସାଙ୍ଗରେ ପଢୁଥାଆନ୍ତି । ନିଜକୁ ସେମାନେ ପଂଚସଖା ନାମରେ ନାମିତ ହୋଇଥାଆନ୍ତି । ସେମାନଙ୍କର ସର୍ବଦା ଗୋଟିଏ କଥା ଏବଂ ଗୋଟିଏ ପ୍ରକାର ପୋଷାକ ଏବଂ ଏକ ପ୍ରକାରର ଚୁଡି ଓ ଚପଲ ଇତ୍ୟାଦି ।

ସେମାନଙ୍କ ଘରର ଚଳିବା ମଧ୍ୟ ଅତି ଉତ୍ତମ । ସେମାନେ ସମସ୍ତେ ଏ ରୂପାଲିକୁ ବାଟରେ ଚିଡାନ୍ତି ଲଙ୍କା, ଲବଙ୍ଗ, ଲାଉ, ଲବିନା ଲବେ ଇତ୍ୟାଦି ଲରେ କେତେକ ଶବ୍ଦକୁ ଉଚ୍ଚାରଣ କରି । ସେ ରୂପାଲି ବ୍ରାହ୍ମଣ ଘରର ପିଲାବୋଲି ତାକୁ ଏ ପଂଚସଖାମାନେ କହନ୍ତି, ତୁମର ପରା ଲ’ରେ ସବୁ କଥା କୁହ । ତୁମକୁ କ’ଣ ଭାଷା ଜଣା? ଏପରି କଥା ଶୁଣି ସେ ରୂପାଲି କେବଳ ଦୁଃଖରେ ବାଟ ଚାଲିଥାଏ, ଘରେ ପହଁଚି ସବୁ କଥା ସେ ତା ବୋଉକୁ କହେ । ସବୁକିଛି ଶୁଣି ବୋଉ ରୂପାଲୀକୁ କହନ୍ତି ।

“ମୋତେ ଦଣ୍ଡୁଛୁ ପ୍ରଭୁ ପଣେ,
ତୋତେ ଦଣ୍ଡିବାକୁ ଅଛି ଜଣେ ।”

ତୁ ଆଦୌ ବ୍ୟସ୍ତ ହୁଅନା, ମନ ଦେଇ ପାଠ ପଢ । ସେମାନେ ଦିନେ ନା ଦିନେ ଅସୁବିଧାରେ ପଡିବେ । କାରଣ ଏତେ ହିଂସା ଭଗବାନ୍ କେବେବି ସହିପାରନ୍ତି ନାହିଁ । ତା ଫଳ ତ ନିଶ୍ଚୟ ସେମାନେ ପାଇବେ । ଏହିପରି ବୁଝାଇ ଦେବାରୁ ରୂପାଲି ମଧ୍ୟ ବୁଝିଯାଏ ।

ଦିନ ପରେ ଦିନ ଗଡୁଥାଏ । ଦଶମ ଶ୍ରେଣରେ ଆସି ରୂପାଲି ପାଠ ପଢିଲାଣି । ପଂଚମ ଓ ସପ୍ତମରେ ତ ସେ ବୃତି ପାଇଥାଏ । ତେଣୁ ତାକୁ ଶିକ୍ଷକ, ଶିକ୍ଷୟତ୍ରୀମାନେ ଅତି ଶ୍ରଦ୍ଧା କରନ୍ତି । ଏକଥା ତାର ସେହି ପଂଚସଖା ସାଙ୍ଗ ମୋଟେ ସହି ପାରନ୍ତି ନାହିଁ । ସେମାନେ ଶ୍ରେଣୀରେ ରୂପାଲୀଠାରୁ ପାଠ ଦେଖିବେ । ତାପରେ ତାକୁ କହିବେ ଆମ ଖାତାରେ ଟିକେ ଲେଖିଦେ । ନ ଲେଖିଲେ ରୂପାଲିକୁ ସେମାନେ ବହୁତ ଗାଳି ଗୁଲଜ କରନ୍ତି ।

ଦିନେ ଘରେ ଖାଇସାରି ଘୋର ନିଦରେ ଶୋଇପଡି ଥାଏ ସେ ରୂପାଲି । ଏହି ସମୟରେ ସେ ସ୍ୱପ୍ନରେ ଦେଖିଲା, ଗୋଟିଏ ଚଢେଇ ତାଙ୍କ ବଗିଚାରେ ଫୁଲଟିଏ ଉପରେ ବସିଛି । ସେ ଅବିକଳ ମଣିଷ ଭଳି ମଧ୍ୟ କଥା କହୁଛି । ଗୀତ ବୋଲି ବୋଲି ସେ ଖୁସିରେ ଏ ଫୁଲରୁ ସେ ଫୁଲକୁ ଉଡି ଯାଉଛି । ରୂପାଲି ସେ ଚଢେଇକୁ ଧରିବା ପାଇଁ ଅନେକ ଚେଷ୍ଟା କରୁଛି । କିନ୍ତୁ ସେ ତାକୁ ମୋଟେ ଧରି ପାରୁ ନଥାଏ ।

ପରିଶେଷରେ ଚଢେଇଟି ଉଡିଆସି ରୂପାଲି ପାଖରେ ନିଜେ ଧରାଦେଇ କହିଲା, ମୁଁ ତୋର ଅନ୍ତରଙ୍ଗ ସାଙ୍ଗ । ମୋର ନାମ “ପକ୍ଷ ଅପ୍ସରା” । ମୋତେ ସମସ୍ତେ ପକ୍ଷିଣୀ ବୋଲି କହନ୍ତି । ତୁମ ଘରର ପଛପଟ ପାହାଡ ଖୋଲରେ ମୁଁ ରହିଛି । ତୁ ଯାହା କହିବୁ, ମୁଁ ତୋର ସାଙ୍ଗ ହିସାବରେ ସେ ସବୁ ନିଶ୍ଚୟ କରିବି । ତୋର ଏ ସ୍ୱପ୍ନଟି କେବେବି ମିଛ ହେବ ନାହିଁ । କାଲି ହିଁ ତୁ ମୋର ସନ୍ଧାନ ପାଇଯିବୁ ।

ଏକଥା କହି ସେ ଚଢେଇଟି ଉଡିଗଲା ଉପରକୁ ସେହିକ୍ଷଣି ରୂପାଲିର ମଧ୍ୟ ନିଦ ଭାଙ୍ଗିଗଲା । ଏ ସ୍ୱପ୍ନଟି ତାକୁ ଖୁବ୍ ଭଲ ବି ଲାଗିଲା । କିନ୍ତୁ ସେ ଦେଖିଥିବା ସ୍ୱପ୍ନ ସତ କି ମିଛ ଜାଣିବା ପାଇଁ ରାତି ପାହିବା ପର୍ଯ୍ୟନ୍ତ ରୂପାଲି ଆଉ ସାନ୍ତିରେ ଶୋଇପାରିଲା ନାହିଁ । ଭୋର୍ରୁ ଉଠି ରୂପାଲି ସିଧା ସେ ପାହାଡ ପାଖକୁ ଚାଲିଲା । ସତକୁ ସତ ସେଠାରେ ଗୋଟିଏ ସୁନ୍ଦରିଆ ନୀଳ ଓ ହଳଦିଆ ମିଶା ଚଢେଇଟି ଖୋଲର ମୁହଁ ପାଖରେ ବସିଥାଏ । ରୂପାଲିକୁ ଦେଖି ସେ ଚଢେଇଟି ହଠାତ୍ ଗୋଟିଏ କଣ୍ଢେଇ ପରି ଝିଅଟିଏ ହୋଇଗଲା ।

ତହୁଁ ରୂପାଲି ସେ ସୁନ୍ଦରିଆ ଝିଅଟିକୁ ଟିକେ ଗେହ୍ଲାକରି କହିଲା, ତୁମେ ହିଁ ହେଉଛ ମୋର ପ୍ରକୃତ ସାଙ୍ଗ । ମୋ ସାଙ୍ଗମାନେ ମୋତେ ବହୁତ ହିଂସା କରୁଛନ୍ତି । ତୁମେ ମୋତେ କେତେ ଭଲ ପାଉଛ ସତେ! କୁନି ଝିଅଟି ଅତି ମିଠାସ୍ୱରରେ ଗୀତ ଗାଇ ରୂପାଲିକୁ ତା’ ପାଖରେ ବସାଇଦେଲା –
“ଛୁକ୍ ଛୁକ୍ ଚାଲେ ରେଳଗାଡି
ମନ ଆମ ଯିବ ମାଡି ମାଡି
ତୁ ମୋର ସାଥୀ ଅତି ଗେହ୍ଲି
ଆସିଛୁ ଏଠାକୁ ଟିକେ ବୁଲି
ପାତାଳ ପୁରର ଲଡୁ ଖାଇ
ଘରକୁ ଲୋ ସାଥୀ ଯିବୁ ତୁହି ।”

କଣ୍ଢେଇ ପରି ସେ ଛୋଟ ଝିଅଟି ଗୋଟିଏ ଅତି ସୁମିଷ୍ଟ ଲଡୁ ଏ ରୂପାଲି ହାତକୁ ଦେଇ କହିଲା, ଏହାକୁ ଖାଇଦେ । ଆମର ପାତାଳପୁରରେ ବହୁତ ସୁନ୍ଦର ଜାଗା ଅଛି ତୁ ସେଠାକୁ ବୁଲିଯିବୁ । ଏ ଲଡୁ ନ ଖାଇଲେ ତୁ ସେଠାକୁ ମୋଟେ ଯାଇପାରିବୁନି, ଏହା ଶୁଣି ରୂପାଲି ସେ ଲଡୁଟି ଯେମିତି ଖାଇ ଦେଇଛି, ଗୋଟିଏ ବାଟ ଫିଟିଗଲା ତଳକୁ । ସୁଡଙ୍ଗପରି ପାହାଡ ତଳେ ତଳେ ବାଟଟିଏ ଦେଖାହେଲା ।

ଆଗରେ ଟିକି ଝିଅ ଓ ତା ପଛରେ ରୂପାଲି, ଚାଲିଲେ ଯେ ଚାଲିଲେ । ଶେଷରେ ସେମାନେ ଦୁହେଁ ଗୋଟିଏ ସ୍ଥାନରେ ପହଁଚି ଦେଖିଲେ ରୂପା ଫଳ ଗଛ ଓ ସୁନା ଫଳଗଛ ଅତି ସୁନ୍ଦର ଡାଳପତ୍ରରେ ଛାଇ ହୋଇଛି । ତାପରେ ସେ ଟିକି ଝିଅଟି ଗୋଟିଏ ସୁନାଫଳ ଓ ଗୋଟିଏ ରୂପାଫଳ ତୋଳି ରୂପାଲି ହାତକୁ ବଢାଇ ଦେଲା । ପୁଣି ରୂପାଲିକୁ ସେ ଟିକି ଝିଅଟି କହିଲା, ଏହି ଫଳ ଦୁଇଟିକୁ ତୁ ଅତି ଯତ୍ନରେ ରଖିବୁ ।

ଅସାଧ୍ୟରୋଗ ରୋଗ କରୁଥିବା ରୋଗୀଙ୍କୁ କଂସାଏ ପାଣିରେ ଏହାକୁ ଧୋଇ ପିଆଇଲେ ସେ ରୋଗ ନିଶ୍ଚୟ ଭଲ ହୋଇ ଯିବ । ଏପରି କଥା ଶୁଣି ସେ ରୂପାଲି ଅତି ଖୁସି ହୋଇଗଲା । ଏଥୁଅନ୍ତେ ସେମାନେ ଦୁହେଁ ପୁଣି ଚାଲି ଚାଲି ଉପରକୁ ଆସିଗଲେ । ତାପରେ ସେ ବାଟଟି ପୁଣି ପୂର୍ବପରି ବନ୍ଦ ମଧ୍ୟ  ହୋଇଗଲା । ‘ପକ୍ଷିଣୀ’ ପକ୍ଷ ଅପ୍ସରା ହଠାତ୍ ତା ବଡ ବଡ ପକ୍ଷ ମେଲାଇ ରୂପାଲିକୁ ଟେକି ନେଇ ସବୁଆଡେ ବୁଲାଇ ଆଣିଲେ । ସମୁଦ୍ରର ବଡ ବଡ ଢେଉ ଦେଖି ରୂପାଲି ଭିଷଣ ଭାବରେ ଡରିଯାଉଥାଏ । ଜଙ୍ଗଲ ଉପରେ ବୁଲିଲା ବେଳେ ସେ ରୂପାଲି ଖାଲି ଆଶ୍ଚର୍ଯ୍ୟ ହୋଇ ସବୁଜିମାକୁ ଲକ୍ଷ୍ୟ କରୁଥାଏ । ଶେଷରେ ସେମାନେ ଦୁହେଁ ଆସି ସେ ପାହାଡ ପାଖରେ ପହଁଚିଗଲେ ।

ଅପ୍ସରା ରୂପାଲିକୁ କହିଲେ, ମୁଁ ଚଢେଇ ରୂପରେ ଏହି ଖୋଲ ଭିତରେ ସର୍ବଦା ରହିଥାଏ । ତୁ ମୋତେ ଏଇଠି ହିଁ ଦେଖିପାରିବୁ । ମନଦେଇ ପଢିବୁ । ଯେମିତି ଓଡିଶା ଭିତରେ ତୁ ପ୍ରଥମ ସ୍ଥାନ ଅଧିକାର କରିବୁ । ଏଥର ତୁ ତୋ ଘରକୁ ଯାଆ । ଏହି ଫଳ ଦୁଇଟିକୁ ତୁ ଲୋକଙ୍କ ସେବାରେ ହିଁ ଲଗାଇବୁ ତୋତେ ମୋର ଏତିକି ଅନୁରୋଧ ରହିଲା । ତୋର ପରୀକ୍ଷାରେ ନିଶ୍ଚୟ ଭଲ ହେବ । ତୋ ପାଇଁ ମୁଁ ଈଶ୍ୱରଙ୍କୁ ଆରଧାନା କରିବି । ହେଲେ ତୁ କିନ୍ତୁ ମନ ଦେଇ ଦିନରାତି ପଢୁଥିବୁ । ତାହେଲେ ଯାଇ ତୁ ନିଶ୍ଚୟ କୃତକାର୍ଯ୍ୟ ହେବୁ । ଏତିକି କହି ରୂପାଲିକୁ ବିଦାୟ ଦେଲା ସେ ଅପ୍ସରା, ଯିବା ଆଗରୁ ପୁଣି ସେ ଅପ୍ସରା ଟିକେ ହସିଦେଇ କହିଲା –

“ତୁ’ ତ ମଣିଷ ମୁଁ ଅପ୍ସରା
ତୋ ଭଲ ଗୁଣରେ ହେଲି ଆତୁରା
ସେଥିପାଇଁ ତୋତେ ପାଇଲି ଭଲ,
ତୋ ପଢା ସାଥିଏ ବଡ ଚଗଲ ।
ତୁ ହୋଇବୁ ଦିନେ ବଡ ମଣିଷ
ତୋର ସାଥୀ ସାଜି ଦିଏ ଆଶିଷ ।”

ରୂପାଲି ସେ ଅପ୍ସରାଙ୍କ ଠାରୁ ବିଦାୟ ନେଇ ତା ଘରେ ଯାଇ ପହଁଚିଲା । ବାପା ତାର ଡେରି ହେତୁ ରୂପାଲି ଉପରେ ଟିକେ ବିଗିଡିଗଲେ । ବାପାଙ୍କର ରାଗକୁ ସମ୍ଭାଳି ନେଇ ନୀରବ ହୋଇଗଲା ସେ ରୂପାଲି । ସେତେବେଳେ ତାଙ୍କ ସାହିର ଦାମ ଅଜାଙ୍କର ଅତିଶୟ ଯନ୍ତ୍ରଣା ପୂର୍ଣ୍ଣ ରୋଗ ହୋଇଥାଏ । ତେଣୁ ସେ ସବୁବେଳେ ଖାଲି ଛଟପଟ ହୁଅନ୍ତି ।

ଠାକୁରଙ୍କୁ ଡାକନ୍ତି । ମୋତେ ତୁ ନେଇଯାଆରେ ପ୍ରଭୁ, ଆଉ ଏମିତି ରଖନା ବୋଲି ବି ସେ କହନ୍ତି । ରୂପାଲିକୁ ସେ ଦାମଅଜା ବି ଅତ୍ୟନ୍ତ ଭଲ ପାଆନ୍ତି । ଦୁଇଟିଯାକ ସୁନାଫଳ ଓ ରୂପାଫଳକୁ କଂସାଏ ପାଣିରେ ଧୋଇ ରୂପାଲି ଦାମ ଅଜାଙ୍କୁ ପିଇବା ପାଇଁ ଦେଇଦେଲା । ତାପରେ ଦାମ ଅଜା ଦିନ ସାରା କେବଳ ସେହି ପାଣିକୁ ହିଁ ପିଇଲେ । ତା’ ପରଦିନଠୁଁ ଦାମ ଅଜାଙ୍କ ରୋଗ କୁଆଡେ ଚାଲିଗଲା ।

ଏଣିକି ସେ ଖୁସିରେ ବାଟରେ ଚାଲିଲେ । ତହୁଁ ସେ ଦାମ ଅଜା ରୂପାଲିକୁ ଅତି ସ୍ନେହରେ କହିଲେ, ତୁ ମୋର ଏହି ଅସାଧ୍ୟ ଯନ୍ତ୍ରଣାକୁ ଭଲ କରିଦେଲୁ, ଏଥର ମୁଁ ତୋତେ କ’ଣ ଦେବି କହ । ଏହା ଶୁଣି ରୂପାଲି କହିଲା – ଟଙ୍କା ନେଲେ ମୋର ଏହି କାମ ଆଦୌ କାଟୁ କରିବ ନାହିଁ । ଏହିପରି ଭାବରେ ବହୁରୋଗ ସେ ରୂପାଲି ଭଲ କରିପାରିଲା । ଏଣୁ ସମସ୍ତେ ବି ତାକୁ ଭଲ ପାଇଲେ ।

ରାତି ପାହିଲେ ରୂପାଲି ପରୀକ୍ଷା ଦେବାକୁ ଯିବ । ତା ବାପା ତା ସାଙ୍ଗରେ ବି ଯିବେ । ସେମାନେ ତ ବହୁତ ବାଟ ଚାଲି ଚାଲି ଯିବେ । ସେ ଅପ୍ସରା ରୂପାଲିର ଏପ୍ରକାର ଅସୁବିଧାକୁ ଠିକ୍ ଜାଣିପାରିଲେ । ରାତି ପାହିଲା ବେଳକୁ ସେ ଅପ୍ସରା ଜଣେ ରିକ୍ସାବାଲା ହୋଇ ରିକ୍ସା ଧରି ରୂପାଲି ଦାଣ୍ଡରେ ଆସି ପହଁଚିଲେ । ପଚାରିବାରୁ ରିକ୍ସାବାଲା କହିଲେ, ମୁଁ ତୁମ ଦୁଇଜଣଙ୍କୁ ପରୀକ୍ଷା ସେଂଟରକୁ ନେବା ପାଇଁ ହିଁ ଆସିଛି ।

ମୋତେ ରୂପାଲି ସ୍କୁଲର ଜଣେ ସାର୍ ଏଠାକୁ ପଠାଇଛନ୍ତି । କାରଣ ଏବେ ତୁମେ ବହୁତ ଅସୁବିଧାରେ ପଡିଛ । କେମିତି ଏତେ ବାଟ ଯିବ । ଏହା ଶୁଣି ବାପ ଝିଅ ଦୁହେଁ ରିକ୍ସାରେ ବସି ସେଂଟରକୁ ଗଲେ । ପରୀକ୍ଷା ହଲ୍ ଭିତରେ ରୂପାଲି ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ କରୁଥାଏ ।

ଠିକ୍ ସେହିପରି ଭାବରେ ମଧ୍ୟ ସବୁଦିନେ ସେ ରିକ୍ସାବାଲା ରୂପାଲି ଓ ତା ବାପାଙ୍କୁ ନେବା ଆଣିବା କରେ । ସମୟାନୁକ୍ରମେ ପରୀକ୍ଷା ଫଳ ନିର୍ଦ୍ଦିଷ୍ଟ ମାସରେ ବାହାରିଲା । ତାହା ତ ରଜ ସମୟ । ତାର ସେହି ପଂଚସଖା ସାଙ୍ଗ ଫେଲ ହୋଇଯାଇ ଥାଆନ୍ତି । ଆଉ ସେ ରୂପାଲି ଓଡିଶା ଭିତରେ ଦ୍ୱିତୀୟ ସ୍ଥାନ ଅଧିକାର କରି ମନ୍ତ୍ରୀ ମହଲରୁ ପୁରସ୍କୃତ ହେଲା । ରେଡିଓ, ଟି.ଭିରେ ବି ତାର ସାକ୍ଷାତକାର ନିଆଗଲା । ହେଲେ ତାର ସାଙ୍ଗମାନେ ଅତି ମନଦୁଃଖ କରୁ ଥାଆନ୍ତି । ଏମିତିକି ସେମାନେ ନିଜକୁ ବି ଧିକ୍କାର କରୁଥାଆନ୍ତି ।

ରୂପାଲି ଦିନେ ତା ସାଙ୍ଗମାନଙ୍କ ଘର ଆଡକୁ ବୁଲିଯାଇଥାଏ । ଜଣେ ସାଙ୍ଗର ଗୋଡଟି ମୋଡି ହୋଇ ଯିବାରୁ ସେ ଶଯ୍ୟାଶାୟୀ ହୋଇ ପଡିଥାଏ । ଯନ୍ତ୍ରଣାରେ ସେ ଖାଲି ଛଟପଟ ହେଉଥାଏ । ଏପଟେ ତା’ର ଅନ୍ୟ ସାଙ୍ଗମାନେ ତାର ଯନ୍ତ୍ରଣା ଦେଖୁଥାଆନ୍ତି, ହେଲେ କେହିବି କହୁନଥାନ୍ତି ତାକୁ ଡାକ୍ତରଖାନା ନେବା ପାଇଁ । ରୂପାଲି ତ ସବୁବେଳେ ଦୁଇଟି ଯାକ ସୁନା ଓ ରୂପା ଫଳକୁ ତା ଫ୍ରକ୍ ନିକଟରେ ରଖିଥାଏ ।

ହଠାତ୍ ତାକୁ କଂସାଏ ପାଣିରେ ଧୋଇ ରୂପାଲି ତା ପୀଡିତା ସାଙ୍ଗକୁ ପିଇବାକୁ ଦେଲା । ତାପରେ ରୂପାଲି ତା ଘରକୁ ଚାଲିଆସିଲା । ସେ ପୀଡିତା ସାଙ୍ଗଟି ରୂପାଲିର ସେହି ପଂଚସଖା ଭିତରୁ ଜଣେ ତାର ନାମ ଜୁଳିଆ । ଜୁଳିଆର ବାପା ସେ ଗାଁର ଜଣେ ନାମଜାଦା ମୁଖିଆ ଅଟନ୍ତି । ସେ ତ ବହୁତ ଧନୀ ଲୋକ । ତାଙ୍କ ଝିଅ ହଠାତ୍ ଭଲ ହୋଇଯିବାରୁ ସେ ରୂପାଲିକୁ ଡକାଇଲେ । ତାକୁ କହିଲେ, ମୁଁ ଯେତେବେଳେ ଘରେ ନଥିଲି, ତୋ ଔଷଧରେ ମୋ ଝିଅ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ହୋଇଯାଇଛି ।

ତୁ କେତେ ଭଲ ଝିଅ । ମୋ ଝିଅର ଖରାପ ଗୁଣ ହେତୁ ସେ ଆଜି ମାଟ୍ରିକ୍ ଖଣ୍ଡକ ବି ପାସ୍ କରିପାରିଲା ନାହିଁ । ତୁ ବଡ କଲେଜରେ ପାଠ ପଢିଲୁ । କେତେ ସୁନାମ ଅର୍ଜ୍ଜନ କରିପାରୁଛୁ । ସମସ୍ତେ ତୋର ସହିଷ୍ଣୁତା ଓ ଭଲଗୁଣ ଯୋଗୁଁ ତୋତେ ବି ଅତି ମାତ୍ରାରେ ଭଲ ପାଉଛନ୍ତି ।

ଏବେ ମୁଁ ତୋତେ କ’ଣ ଦେବି କହ । ଏପରି କଥା ଶୁଣି ରୂପାଲି ଟିକେ ହସିଦେଇ କହିଲା, ମୋର କିଛି ବି ଦରକାର ନାହିଁ । ଜୁଳିଆ ଭଲ ହୋଇଗଲା, ଏହା ମୋତେ ଅତି ଖୁସି ଲାଗିଲା । ମୁଁ କାହାଠୁଁ ବି ଟଙ୍କାଟିଏ ନିଏ ନାହିଁ । ନହିଲେ କୌଣସି ରୋଗ ବି ଭଲ ହେବନି ।

ତା ପରଦିନ ଜୁଳିଆର ବାପା ଭୋଳାନାଥଙ୍କ ଘରେ ପହଁଚି ତାଙ୍କ ପୁଅ ପାଇଁ ରୂପାଲିର ପ୍ରସ୍ତାବ ଦେଲେ । ଏହା ଶୁଣି ରୂପାଲିର ବାପା ଭୋଳାନାଥ କହିଲେ –

ଆମେ ବହୁ ଗରିବ ଲୋକ
ଦେଇ ତ ପାରିବୁ ନାହିଁ ଯୌତୁକ
ଝିଅ ମୋର ପାଠ ପଢି ସାରିଲେ
ଚାକିରୀ କରିବ ନିଶ୍ଚେ ସେ ଭଲେ ।
ଲୋକଙ୍କର ସେବା କରିବା ପାଇଁ
କହିଛି ସେ ବାହା ହୋଇବ ନାହିଁ ।
ତୁମେ ବଡ ଲୋକ ପୁଅ ଡାକ୍ତର
ଆମ ସଙ୍ଗେ ବନ୍ଧୁ ନୁହେଁ ସୁନ୍ଦର ।

ଏହା ଶୁଣି ଜୁଳିଆର ବାପା ବି ଟିକେ ହସିଦେଇ କହିଲେ –

“ଛି ଛି ତୁମେ କୁହନା ଏହା
ଧନୀ ଗରିବର ପ୍ରଭେଦ କିଆଁ?
ଝିଅର ସୁଗୁଣ ମୋ ଘର ପାଇଁ
ବୋହୂ କରିନେବି ଯୌତୁକ ନାହିଁ ।
ଯେଉଁମାନେ ଲୋଭୀ ନେବେ ଯୌତୁକ
ତାଙ୍କ ପାଇଁ ସଜ୍ଜା ହେବ ଅଧିକ ।
ନାହିଁ କର ନାହିଁ ସମୁଦି ବାବୁ
ମୋର ଇଚ୍ଛା ବୋହୂ ଏଇ ଠୁଁ ନେବୁ ।”

ତାପରେ ସମୁଦି ଦୁହେଁ ନିଜ ନିଜ ହାତ ମିଳାଇ କୋଳାକୋଳି ହେଲେ । ନିର୍ଦ୍ଦିଷ୍ଟ ଦିନ ଧରି ସେମାନେ ବାହାଘର ବି କଲେ । ଜୁଳିଆର ଭାଇ ଅତି ରୂପବାନ୍ ଓ ଗୁଣବାନ୍ ପିଲାଟିଏ । ସେ ଏତେ ସ୍କଲାର ପିଲା ଯେ, ସେହିବର୍ଷ ଡାକ୍ତରୀ ପାସ୍ କରି ସେ ଆମେରିକାରେ ଡାକ୍ତର ହୋଇଥାଆନ୍ତି । ବିବାହ ଅତି ଜାକଜମକରେ ହେଲା । ସବୁ ଖର୍ଚ୍ଚ ପୁଅବାଲା ପକ୍ଷରୁ କରାଗଲା । ରୂପାଲି ଏବଂ ତାର ସ୍ୱାମୀ ଆମେରିକାକୁ ବିବାହ ପରେ ଚାଲିଗଲେ ।

ଏସବୁ ଦେଖି ରୂପାଲିର ବାପା ଭୋଳାନାଥ କେବଳ ଈଶ୍ୱରଙ୍କ ନିକଟରେ ପ୍ରଣାମ ଜଣାଇ କହିଲେ – “ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଏତେ ଭଲ ଘର ଭଲ ବର ରୂପାଲିର ମନ ଜାଣି ଦେଇ ଦେଲେ । ଏଥିରେ ସେ ପରିବାରଟି ଅତିଖୁସି ହୋଇଥିଲେ । ଜୁଳିଆର ବାପା ମଧ୍ୟ ଭଲ ବୋହୂ ପାଇ ନିଜକୁ ଭାଗ୍ୟବାନ୍ ମନେ କରୁଥିଲେ ।

ଋୂପାଲି କିନ୍ତୁ ଅପ୍ସରାର ଋଣ କିପରି ବା ଶୁଝି ପାରିବ । ସେ ତ ଜଣେ ଈଶ୍ୱରଙ୍କ ପ୍ରେରିତ ଦୂତ । ତାଙ୍କରି ଯୋଗୁଁ ଅସାଧ୍ୟ ବେମାରୀ ସବୁ ଭଲ ହୋଇପାରିଲା । ଏହାଦ୍ୱାରା ସେ ବି ଅନେକ ଯଶ ଗୌରବର ଅଧିକାରିଣୀ ହୋଇ ପାରିଲା । ଦିନେ ସେ ରୂପାଲି ତା ଆଖିବୁଜି ଅତି ମନ ଦୁଃଖରେ ଅପ୍ସରାଙ୍କୁ ଚିନ୍ତା କଲା । ସେହିକ୍ଷଣି ହଠାତ୍ ତା କାନ ପାଖରେ ଶବ୍ଦ ହେଲା, ମୁଁ ତୋ ପାଖେ ପାଖେ ଅଛି । ତୁ ଏତେ କାହିଁକି ଚିନ୍ତା କରୁଛୁ । “ବିପଦର ବନ୍ଧୁପରା ପ୍ରକୃତ ବନ୍ଧୁ ।”

“ଏକୁଟିଆ ଯେତେବେଳେ ତୁ ଥିବୁ, ତୋ ପାଖରେ ବସି ମୁଁ ବହୁତ ଗପ କରିବି, ଗୀତ ବି ବୋଲିବି । କେବେ ହେଲେ ବି ତୋ ପାଖରୁ ମୁଁ ଯାଇପାରିବି ନାହିଁ ଲୋ ।” ଏକଥା ଶୁଣି ରୂପାଲି ମନ ଆନନ୍ଦରେ ନାଚିଗଲା । ତାପରେ ସେ ଅତି ଖୁସିରେ ବି କାନ୍ଦିପକାଇଲା । ଏଥୁଅନ୍ତେ ରୂପାଲି ଭାବିଲା ପକ୍ଷ ଅପ୍ସରା ସତେ କେତେ ଭଲ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.