ଗରିବ

1477394050737 dreams in footpath  58306.1484801628
Reading Time: 4 minutes

ଦିନ ସାଢ଼େ ଏଗାରଟା । ସବୁଦିନ ଭଳି ଆଜି ବି ଏଇ ସମୟ ରେ ତା’ ବଜାଜ ସ୍କୁଟର ବାହାର କରିବାକୁ ଥାକରୁ ସ୍କୁଟର ଚାବି ବାହାର କଲା ବିପ୍ଲବ । ଦି’ଘେରା ବୁଲି ଗୋଟେ ସିଗାରେଟ ଟାଣି ଦେଇ ଆସିଲେ ପୁଣି ମନୋନିବେଶ କରିବ ତା’ର କବିତା ଲେଖିବା କାମରେ । କୀର୍ତ୍ତି ଆଜି କଲେଜ ଯାଇନି, ଛୁଟି ନେଇଛି, ଝିଅର ପଢ଼ାପଢ଼ି ଦେଖିବା ଲାଗି । ତା’ର ପରୀକ୍ଷା ଦୁଇ ଦିନ ପରେ ଆରମ୍ଭ ହବ । ତା’ ହାତରେ ଚାବି ଦେଖି ଯେମିତି ମୁହଁ କଲା କୀର୍ତ୍ତି, ବିପ୍ଲବ ବେଶ୍ ପଢ଼ିପାରିଲା ସେ ମୁହଁର ଭାବକୁ । ମନ ଭିତରଟାକୁ କିଏ ଯେମିତି ରାମ୍ପି ବିଦାରି ପକାଇଲା । ସେ ଭାବିଲା, ଇଏ ସେଇ କୀର୍ତ୍ତି, ଯିଏ ବାଣୀ ବିହାରରେ ପଢ଼ିଲାବେଳେ ଇକୋନୋମିକ୍ସର ଥିଓରି ବୁଝି ନପାରିଲେ ବିନା ଦ୍ଵିଧାରେ ତା’ର ହଷ୍ଟେଲ ରୁମରେ ପହଞ୍ଚି ଯାଉଥିଲା, ତା’ର ଲେଖା କବିତା ସବୁ ଶୁଣିବାକୁ ପାଗଳ ହେଇଯାଉଥିଲା, ରେଜଲ୍ଟ ବାହାରିଲା ଦିନ ସେ ଟପ୍ପର ହେଇଥିଲା ବୋଲି ଗର୍ବରେ ଫାଟି ପଡ଼ୁଥିଲା, ଫୁଲେଇ ହଉଥିଲା ତା’ର ଝିଅସାଙ୍ଗମାନଙ୍କ ଗହଣରେ, ଡିପାର୍ଟମେଣ୍ଟ ଟପ୍ପରର ପ୍ରେମିକା ବୋଲି??

ସମୟ ଚକ୍ରରେ ସବୁ ବଦଳି ଯାଇଛି, ସେ ଚାରି ଚାରିଟା ଚାକିରି ବଦଳାଇ ଶେଷରେ ବେରୋଜଗାରିଆ ହେଇ ଘରେ ବସିଛି, ଆଉ କୀର୍ତ୍ତି ଉପରେ ହାତ ଖର୍ଚ୍ଚ ପାଇଁ ତାକୁ ନିର୍ଭରଶୀଳ ହବାକୁ ପଡ଼ୁଛି । ମନର କୋହକୁ ସିଗାରେଟର ଧୂଆଁରେ ଉଡ଼ାଇଦେବାଲାଗି ଭାବି ସ୍କୁଟର ଷ୍ଟାର୍ଟ କଲା ବିପ୍ଲବ ।

କାହିଁକି କେଜାଣି ଆଜି ତା’ ସ୍କୁଟରଟା ଗନ୍ତବ୍ୟ ପାନ, ସିଗାରେଟ ଦୋକାନ ଆଗକୁ ଆହୁରି ଗଡ଼ିଗଲା, କ୍ରାଉନ ହୋଟେଲ ସାମ୍ନାରୁ ଆହୁରି ଆଗକୁ । ସବୁଦିନ ସକାଳୁ ସେଠି ମୂଲିଆ, ରେଜା (ମୁଲିଆଣୀ)ଙ୍କର ଦରଦାମ କଷା ଯାଏ, ଯେମିତି ମଣିଷ ନୁହନ୍ତି ସେମାନେ, ହାଟକୁ ଆସିଥିବା ଗୋରୁ ଗାଈ । ଦର କଷା କଷିରେ ସବୁ ଜୁଆନ କାମିକାମାନେ ଆଗେ କାମ ପାଇଯାଆନ୍ତି, ମନ ଖୁସିରେ କଣ୍ଟ୍ରାକ୍ଟର ପଠେଇଥିବା ମିନିଟ୍ରକ ଡାଲାରେ ଖୁନ୍ଦିଖାନ୍ଦି ହେଇ କାମ ଜାଗାକୁ ଚାଲିଯାନ୍ତି, ଆଶ୍ଵସ୍ତିରେ ନିଶ୍ଵାସ ମାରି, ଯେ ଆଜି ପେଟ ଅପୋଷା ରହିବନି !! ଏମିତି ଏମିତି ଦଶଟା ଭିତରେ ପ୍ରାୟ ଭିଡ଼ ଭାଙ୍ଗିଯାଏ ସେଠି । କିଛି ଅଲୋଡ଼ା , ବୁଢ଼ା, ବୁଢ଼ୀ ଅବା କାମ ପାଇବା ଲୋଭରେ ଆସିଥିବା ଭିନ୍ନକ୍ଷମ ଲୋକ ଅପେକ୍ଷାରେ ରହି ଯାଆନ୍ତି, ଠିକ ଯେମିତି ଗୋରୁ ହାଟରେ ବଳକା ରହି ଯାଆନ୍ତି ହଡ଼ା ବଳଦ କି ବୁଢ଼ୀ ଗାଈ । ବିପ୍ଲବର ନଜର ପଡ଼ିଲା ରାସ୍ତା କଡ଼ରେ ଥିବା ଡିଭାଇଡର ଉପରେ ମୁଣ୍ଡରେ ହାତ ଦେଇ ବସିଥିବା ବୁଢ଼ା ଲୋକଟି ଉପରେ । ତା’ ସ୍କୁଟର ଅବିଳମ୍ବେ ସେ ଆଡ଼କୁ ମାଡ଼ିଗଲା ।

“ମଉସା, କାଇଁ ଏମିତି ବସି ପଡ଼ିଛ?” ବୁଢ଼ା ତା’ ଶୁଖିଲା ଓଠରେ ଜିଭ ବୁଲାଇ ଆଣି ବିପ୍ଲବ ଆଡ଼କୁ କରୁଣ ଆଖିରେ ଚାହିଁଲା । ଥର ଥର ଗଳାରେ କହିଲା ବାବୁ ! କାମ କରିବାକୁ ଯିବି ବୋଲି ଆସିଥିଲି, କିନ୍ତୁ କେହି ସୁପରଭାଇଜର ମତେ ନେଲେନି । ଗଲା ଦି’ଦିନ ହେଲା କାମ ପାଇନି, ଘରେ ଚୁଲି ଜଳିନି । ଆଜି ବଡ଼ ଆଶାରେ ଆସିଥିଲି କାମ ମିଳିଯିବ ବୋଲି । ବିପ୍ଲବର ମନ ଭିତରଟା ଓଦା ହେଇଗଲା । ଘରେ ଆଉ ସବୁ କିଏ ଅଛନ୍ତି? ପଚାରିଲା ସେ । ବଢ଼ିଲା ଝିଅ, ଆଉ ମୋ ସ୍ତ୍ରୀ । ସ୍ତ୍ରୀଟା ମୋର ରୋଗଣୀ ଆଉ ଝିଅକୁ କୁଆଡ଼େ କାମ ପାଇଟି କରିବାକୁ ପଠେଇବାକୁ ଡର ଲାଗେ । ମୁଁ ଯାହା ମୂଲ ପାଏ, ସେଇଥିରେ ଚଳିଯାଉ । ନିଜ ପକେଟ ଅଣ୍ଡାଳିଲା ବିପ୍ଲବ । ମନେ ପଡ଼ିଲା, କାଲି ରାତିରେ ଦେଢ଼ଶ ଟଙ୍କା ଦେଇଥିଲା କୀର୍ତ୍ତି, ଝିଅର ଦୁଇଟା ଖାତା କିଣିବା ଲାଗି । ଆଚ୍ଛା ମଉସା, ତମକୁ କାମ କଲେ କେତେ ମୂଲ ମିଳେ ଦିନକୁ? ଏଇ ଶହେ ଚାଳିଶ ଟଙ୍କା । ବୁଢ଼ା ଲୋକକୁ ପୂରା ମୂଲ କିଏ ଦବ ବାବୁ? ବୁଢ଼ା କହିଲା । ବିନା ଦ୍ଵିଧାରେ ପକେଟରୁ ଶହେ ଚାଳିଶ ଟଙ୍କା ବାହାର କରି ବୁଢ଼ାକୁ ଧରେଇ ଦେଲା ସିଏ । ଏଇ ନିଅ ମଉସା, ଆଜିର ମଜୁରୀ । ଗଛ ଛାଇରେ ଯାଇ ବସ । ସଞ୍ଜ ବେଳକୁ କାମିକାମାନେ ଫେରିଲା ବେଳେ ତାଙ୍କ ସଙ୍ଗେ ଘରକୁ ଫେରିବ, ବାଟରୁ ଆଜି ପାଇଁ ଖାଇବା ଜିନିଷ କିଣି ନବ । ଲୁହ ଭରା ଡବ ଡବ ଆଖିରେ ବୁଢ଼ା ଚାହିଁଲା ବିପ୍ଲବ ମୁହଁକୁ ।

ବୁଢ଼ା ପାଖରୁ ସ୍କୁଟର ଷ୍ଟାର୍ଟ କରି ବିପ୍ଲବ ମୁହାଁଇଲା ଦୁର୍ଗା ପୂଜା ମଣ୍ଡପ ବସ୍ତି ପାଖରେ ଥିବା ପାନ ଦୋକାନ ପାଖକୁ, ସିଗାରେଟ ଖଣ୍ଡେ ଟାଣିବ ବୋଲି । ପାନ ଦୋକାନ ସାମ୍ନାରେ ସରକାରଙ୍କ ପାଞ୍ଚ ଟଙ୍କିଆ ଆହାର ଯୋଜନା କେନ୍ଦ୍ର । ଭିଡ଼ ଲାଗିଛି ଲୋକଙ୍କର । ନୀରବରେ ସେ ଘର ଭିତରକୁ ଚାହିଁ ବାହାର ବାରଣ୍ଡାରେ ବସିଛନ୍ତି ଆଠ ଦଶ ଜଣ ବୁଢ଼ାବୁଢ଼ୀ । ବିପ୍ଲବକୁ ଲାଗିଲା ଗଣ୍ଡେ ଖାଇବା ଲାଗି ସେଇ ପାଞ୍ଚ ଟଙ୍କା ହୁଏ ତ ଏଇ ଲୋକ ମାନଙ୍କ ପାଖରେ ନାହିଁ । ପୁଣି ପକେଟ ଭିତରେ ହାତ ପୁରାଇଲା ସେ । ଦଶ ଟଙ୍କିଆ ନୋଟ ଖଣ୍ଡେ ଛଡ଼ା ଆଉ କିଛି ନାହିଁ । ହତାଶା ଭାବରେ ଆଖି ଜାଲୁଜାଲୁଆ ହେଇଗଲା ତା’ର । ଧିକ ତା’ ଜୀବନ କୁ !! ତା’ ପାଠ ପଢ଼ାକୁ । ଟଙ୍କା ପଚାଶଟା ପକେଟରେ ନାହିଁ !! ମନେ ପଡ଼ିଲା ବାମ ପକେଟରେ ଦଶ ଟଙ୍କିଆ କଏନଟିଏ ଅଛି, କାଲି ରାତିରେ ପରିବା ଦୋକାନୀ ଫେରେଇଥିଲା । ସ୍କୁଟରକୁ ଷ୍ଟାଣ୍ଡ ମାରି ସେ ଲୋକମାନଙ୍କ ପାଖକୁ ଗଲା ସିଏ । କୋଡ଼ିଏ ଟଙ୍କା ବାହାର କରି ଜଣେ ବୁଢ଼ାକୁ ଧରାଇ ଦେଇ କହିଲା, ମଉସା ନିଅ, ଏତିକିରେ ଚାରିଟା ମିଲ ହେଇଯିବ, ଭାଗ ବାଣ୍ଟି ଖାଇବ ସମସ୍ତେ । ସେମାନଙ୍କ ଭିତରୁ ବୁଢ଼ୀଟିଏ ତା’ ପାକୁଆ ପାଟିରେ ଅନେକ ଆଶୀର୍ବାଦ କଲ୍ୟାଣ କରି ପକାଇଲା ତାକୁ । ପାନ ଦୋକାନରେ ଗୀତ ବାଜୁଛି: “ଦୁନିୟା ମେ କିତନା ଗମ ହୈ, ମେରା ଗମ କିତନା କମ ହୈ” । ବିପ୍ଲବକୁ ଲାଗିଲା ତା’ ଆଖିର ଲୁହକୁ କିଏ ଦେଖି ପକାଇବ । ବୁଲି ପଡ଼ି ତରତର ହେଇ ସ୍କୁଟର ଉପରେ ଯାଇ ବସିପଡିଲା । ମନେ ମନେ ଭାବିଲା, ମୋ ପାଖରେ ସିନା ପଇସା ନାହିଁ, ଅନେକ ସାଙ୍ଗମାନେ ତ ଖୁବ ଭଲରେ ଅଛନ୍ତି । ଯଦି ହଜାରେ ଟଙ୍କା ଲେଖାଏ ଜଣେ ଜଣେ ଦିଅନ୍ତି, ତାହେଲେ ପାଞ୍ଚ ଜଣ ମିଶିଲେ ପାଞ୍ଚ ହଜାର ଟଙ୍କା ଦେଇପାରିବେ, ସେଥିରେ ମାସକୁ ଅତି କମରେ ତିରିଶ, ଚାଳିଶ ଜଣ ଏମିତି ଅସହାୟ ଲୋକ ଓଳିଏ ଖାଇପାରିବେ ।

ସବୁଠୁ ଆଗେ ବିକାଶର ନାମ ମନକୁ ଆସିଲା ତା’ର । ସେଲ୍‌ରେ କାମ କରୁଛି, ମାସକୁ ଦେଢ଼ ଲକ୍ଷ ଉପରେ ଦରମା ବୋଲି ଅନେକ ଥର ଗର୍ବରେ କହିଛି, ତା’ ଲାଗି ହଜାରେ ଟଙ୍କା ଦେବା ନିହାତି ସାଧାରଣ କଥା ହେବ ନିଶ୍ଚୟ ଭାବି ତାକୁ କଲ କଲା ସେ । ବିକାଶର ନମ୍ବର ରେ ପାଞ୍ଚ ସାତଟା ରିଂ ପରେ ଉଠାଇଲା ସେ । ଆରେ ଭାଇ ! ସରି, ଆଜି ଛୁଟିରେ ଅଛି, ଶୋଇ ପଡ଼ିଥିଲି । କାଲି ରାତିରେ ପାର୍ଟି ଥିଲା, ହ୍ୟାଙ୍ଗ ଓଭର ଏଯାଏ ଯାଇନି । କାଇଁ ଫୋନ କରିଥିଲୁ କହ । ବିପ୍ଲବର ହଜାରେ ଟଙ୍କିଆ ପ୍ରସ୍ତାବକୁ ସିଧା ସଳଖ ନାକଚ କରିଦେଲା ବିକାଶ । ଆରେ, ତୁ କାହିଁକି ଏତେ ଗୋପବନ୍ଧୁ ହବାକୁ ମନ ବଳେଇଛୁ କହିଲୁ ବିପ୍ଲବ?? ସରକାର ତ’ ଅଛି ନା ସେମାନଙ୍କ ପାଇଁ । ହଉ, ମୁଁ ତୋ ସାଙ୍ଗେ ପରେ କଥା ହେବି, କହି ଫୋନ କାଟିଦେଲା ବିକାଶ । ଦୀର୍ଘଶ୍ଵାସଟିଏ ମାରିଲା ବିପ୍ଲବ । ବିକାଶ କୋଉ ପାର୍ଟି କଥା କହୁଛି, ଅଛପା ନଥିଲା ତାକୁ । ଆଜିକାଲି ରାଜଧାନୀରେ ଗୋଟେ ନୂଆ ଫେସନ ହେଇଛି, ବଡ଼ ବଡ଼ ହୋଟେଲର ବନ୍ଦ ହଲରେ ଝିଅଙ୍କୁ ନଚାଇବା, ଆଉ ଅଧା ବୟସର ପୁରୁଷ ମହିଳାମାନେ ତାଙ୍କ ସଙ୍ଗେ ନିଶାସକ୍ତ ହେଇ ନାଚି ନାଚି ସେମାନଙ୍କ ଉପରେ ଟଙ୍କା ବିଞ୍ଚିବା । ଇଏ ସେଇ ବିକାଶଟି, ସାଙ୍ଗ ହେଇ ପାଠ ପଢ଼ିଲାବେଳେ ତା’ଠାରୁ କେତେ ଉଧାର ନେଇ ଦେଇନି, ଗରିବ ପରିବାରରୁ ଆସିଥିବାର ଦ୍ଵାହି ଦେଇ !! ଆଜି ପେଟର ଭୋକ କ’ଣ ସେ ଭୁଲିଗଲା??

ବିପ୍ଲବର ମନ ଭିତରେ ଗୁଣି ହେଉଥିଲା ସତରେ ଗରିବ କିଏ?? ଆଜି ଭେଟିଥିବା ମଣିଷମାନେ, ଝିଅର ଖାତା କିଣା ପଇସା ଦାନ କରି ଦେଇ ଶୂନ୍ୟ ପକେଟରେ ଘରକୁ ଫେରୁଥିବା ସେ, ନା ନିଜ ବିବେକକୁ ପୋଡ଼ି ଖାଇ ପବନଦୋଳିରେ ଭାସୁଥିବା ବିକାଶ??

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.